୧୯୭୧ ମସିହା ମାର୍ଚ୍ଚ ୧୪ ତାରିଖ ଦିନ ମୋ ବୋଉ ମରିଥିଲା। ସେ ଦିନର ତିଥି ଥିଲା ବାରୁଣୀ ଅମାବାସ୍ୟା। ସେଇଦିନଠୁ ପ୍ରତିବର୍ଷ ବାରୁଣୀ ଅମାବାସ୍ୟାକୁ ମୋ ବୋଉର ଶ୍ରାଦ୍ଧ ଦିବସ ବା ମୋ ‘ବୋଉର ଦିନ’ ଭାବେ ମୁଁ ପାଳିଆସୁଛି। ଶ୍ରାଦ୍ଧ ଦିବସକୁ ଆମ ଓଡ଼ିଶାରେ ‘ଦିନ’ କୁହାଯାଏ, ଏଇ ଯେମିତି ମୋ ‘ବାପାଙ୍କର ଦିନ’, ମୋ ‘ଜେଜେଙ୍କର ଦିନ’ ବା ‘ମୋ ବୋଉର ଦିନ’ ଇତ୍ୟାଦି।
କିନ୍ତୁ ଆମ ଦେଶରେ ମେ ମାସ ଦ୍ବିତୀୟ ରବିବାରକୁ ‘ବୋଉର ଦିନ’ (Mother’s Day) ଭାବେ ପାଳନ କରାଯାଉଛି। ଆମ ଓଡ଼ିଶାର ପୁଅଝିଅମାନେ ମଧ୍ୟ ଆଜିକାଲି ପ୍ରତିବର୍ଷ ମେ ମାସ ଦ୍ବିତୀୟ ରବିବାରକୁ ‘ବୋଉର ଦିନ’ ଭାବେ ପାଳନ କରୁଛନ୍ତି। ୟା’ର ଅର୍ଥ ନୁହଁ ଯେ ସାରା ଦେଶଟାଯାକର ବୋଉ ଏଇ ମେ ମାସ ଦ୍ବିତୀୟ ରବିବାର ଦିନ ମରିଥିଲେ ଏବଂ ସେମାନଙ୍କ ପାଇଁ ଏ ଦିନ ପାଳନ କରାଯାଉଛି। ଏଇ ‘ବୋଉର ଦିନ’ କିନ୍ତୁ ମଲା ବୋଉମାନଙ୍କ ପାଇଁ ନୁହେଁ, ଜିଅନ୍ତା ବୋଉମାନଙ୍କ ପାଇଁ। ଏହା ହାଲି ଆମଦାନି କରା ହୋଇଥିବା ଏକ ବିଦେଶୀ ଚଳଣି, ଏକ ଉଧାରକରା ପଶ୍ଚିମା ପରମ୍ପରା।
ଗତ ମେ ଦ୍ବିତୀୟ ରବିବାର ଦିନ ପଡ଼ିଶାଘର ପୁଅଟିଏ ଗୋଟାଏ ଫୁଲ ତୋଡ଼ା ଓ ଗୋଟାଏ ଉପହାର ପୁଡ଼ିଆ ଧରି ଆସୁଥିବାର ଦେଖି ପଚାରିଲି- ‘ଆରେ ବାବୁ! ଇଏ ସବୁ କ’ଣ? ଆଜି କ’ଣ କି?’
ପୁଅଟି ମୋତେ ଓଲଟା ପ୍ରଶ୍ନକଲା- ‘ଅଙ୍କଲ୍! ଜାଣି ନାହାନ୍ତି କି ଆପଣ? ଆଜିପରା ‘ମଦର୍ସ ଡ଼େ।’
ତଥାପି ବି କଥାଟାର ମର୍ମ ବୁଝି ନପାରି ଓଲମାଙ୍କ ଭଳି ବଲବଲ କରି ଚାହିଁ ରହିବାରୁ ସେ ସରଳାର୍ଥରେ ‘ମଦର୍ସ ଡ଼େ’ର ମର୍ମାର୍ଥ ବୁଝେଇ ଦେଲା- ‘ଆଜି ହଉଚି ମଦର୍ସ ଡ଼େ। ମଦର୍ସ ଡ଼େ ଅବଜର୍ଭେସନ୍ ମାଧ୍ୟମରେ ଆମେ ଆମ ମଦର୍ଙ୍କ ସାକ୍ରିଫାଇସ୍, ତାଙ୍କ ଲଭ୍, ଆଫେକ୍ସନ୍ ବିଷୟରେ କନ୍ସସ୍ ହେବୁ, ସେ ସବୁର ଭାଲ୍ୟୁ ଦବୁ। ମଦର୍ଙ୍କର କେୟାର ନବୁ। ତାଙ୍କୁ ରେସ୍ପେକ୍ଟ କରିବୁ, ପ୍ରେଜେଣ୍ଟେସନ୍ ଦବୁ। ଏଇପରା, ମୋ ମମିଙ୍କ ପାଇଁ ମୁଁ ଗିଫ୍ଟ ପ୍ୟାକେଟ୍ ଧରି ଆସୁଚି।’
ପଡ଼ିଶା ପୁତ୍ରଟି ପ୍ରେଜେଣ୍ଟେସନ୍ ଧରି ଚାଲିଗଲା।
ମୁଁ ଭାବୁଥିଲି, ସାରା ସୃଷ୍ଟିଟାକୁ ଆଣି ବୋଉର ପାଦତଳେ ଅଜାଡ଼ି ଦେଲେ ବି, ତା’ ଋଣ କାଣିଚାଏ ସୁଝି ହବନି। ଇଏ ତାକୁ କି ଗିଫ୍ଟ ଦବ? କି ପ୍ରେଜେଣ୍ଟେସନ୍ ଦେଇ ପୂଜା କରିବ? ଉଡ଼ି ଶିଖିବା ପରେ ମା’ ଚଢ଼େଇ ବସାରୁ ଛୁଆ ଚଢ଼େଇ ଫୁର୍କିନା ଉଡ଼ି ପଳେଇବା ପରି ବିଦେଶରେ ପୁଅଝିଅଙ୍କ ମୁଣ୍ଡକୁ ହାତ ପାଇଲେ ମା’ ବାପାଙ୍କୁ ଛାଡ଼ି ଛୁଆଏ ପଳେଇ ଯାଆନ୍ତି। ଦିନେ ନାହିଁ, କାଳେ ନାହିଁ, ଗହ୍ମା ପୂନେଇଁକି ମାଇଁ ମାଇଁ ନୀତିରେ ବରଷକୁ ଥରେ ‘ଏଇ ମଦର୍ସ ଡ଼େ’ ଦିନ କୋଉ ଜରାନିବାସ କି କୋଉ ଘର କଣରେ ପଡ଼ିଥିବା ମା’ ବାପାଙ୍କୁ ସତେ ଅବା ଦୟା ଦେଖେଇବା ଭଳି ଦୟାବନ୍ତ ସନ୍ତାନମାନେ ଗିଫ୍ଟ ପ୍ୟାକେଟ୍ ଧରି ଆସିଥାନ୍ତି।
ଏଠି ବୋଉ ପାଇଁ କି ପ୍ରେଜେଣ୍ଟେସନ୍ ନେଇ ଯାଉଚି ଏ ଟୋକା! ଏଠି ପରା ବୋଉ ଅକାଶଠାରୁ ପ୍ରଶସ୍ତ, ଅବନୀଠାରୁ ବିଶାଳ, ସ୍ବର୍ଗାଦପି ଗରୀୟସୀ। କୋଇଲି ଯାଇ କାଉ ବସାରେ ଅଣ୍ଡା ଦେବା ଭଳି ବିଦେଶିନୀ ବୋଉଟି ଛୁଆ ଜନମ କରି ଆଉ କାହା ଦାୟିତ୍ବରେ ତାକୁ ପାଳିବା ପାଇଁ ଛାଡ଼ିଦେଇ ପାରେ ସିନା, ଏଠି ଆମ ଦେଶୀ ବୋଉମାନେ ଆମକୁ ତାଙ୍କ ଆଖି ଆଢ଼ୁଆଳକୁ ବି ଛାଡ଼ନ୍ତି ନାହିଁ। ହେତୁ ପାଇବା ପରେ ବି ପୁଅ ଦିନେ ଦି’ଦିନ ମାମୁଁ ଘରକୁ ଗଲେ ଆମ ବୋଉମାନେ ବାହୁନନ୍ତି- ‘କୋଇଲି ଲୋ! ଦୁଧ ସର ଦେବି ମୁଁ କାହାକୁ? ଖାଇବାର ପୁତ୍ର ଗଲା ମଥୁରାପୁରକୁ, ଲୋ କୋଇଲି!’ ଏଠି ଆମ ବୋଉମାନଙ୍କ ପାଇଁ ତାଙ୍କ ପିଲା ହଉଚି ନୟନପିତୁଳା, ଜୀବନଧନ, ରଙ୍କରତନ, ଗଳାରମାଳି। ଏଠି ଆମ ମା’ ଓ ପିଲାର ସମ୍ପର୍କ ଦିନେଅଧକର ସମ୍ପର୍କ ନୁହଁ, ପ୍ରତି ନିଶ୍ବାସ ପ୍ରଶ୍ବାସରେ, ପ୍ରତି ହୃଦ୍ସ୍ପନ୍ଦନରେ ମା’ ଆଉ ପିଲାମାନଙ୍କ ଭିତରେ ସମ୍ପର୍କର ସ୍ରୋତଟିଏ, ଆବେଗର ବେଗବତୀଟିଏ ନିରବଧି ବହୁଥାଏ। ଆମ ଓଡ଼ିଶାରେ ମଦର୍ସ ଡ଼େ ପାଳିବା ଯାହା, ଓଡ଼ିଆଟିଏ ଇଂଲଣ୍ଡ ଯାଇ ଇଂରେଜମାନଙ୍କୁ ଇଂରେଜୀ କହି ଶିଖାଇବା ପାଇଁ ସ୍ପୋକନ୍ ଇଙ୍ଗ୍ଲିସ୍ ସ୍କୁଲ୍ ଖୋଲିବା ସେଇଆ।
ଏ ଜଗତୀକରଣ ଯୁଗରେ କୌଣସି ଆନ୍ତର୍ଜାତୀୟ ସଂସ୍ଥା ଯଦି କିଛି ଗୋଟାଏ ଦିବସ ପାଳନର ପରମ୍ପରା ଆରମ୍ଭ କରେ, ତେବେ ଯେଉଁ ଦେଶ ବା ଇଲାକାର ଲୋକମାନଙ୍କ ପାଇଁ ତାହା ପ୍ରଯୁଜ୍ୟ ବା ପ୍ରୟୋଜନୀ, ସେମାନେ ତାହା ପାଳନ କରନ୍ତୁ। କିନ୍ତୁ ଓଧମାନଙ୍କୁ ଦେଖି ବଣଭୁଆମାନେ ବାଈ ହେଉଛନ୍ତି କାହିଁକି? ପରମ୍ପରା ପାଳନ ପୂର୍ବରୁ ସ୍ଥାନ କାଳ ପାତ୍ରର ବିଚାର ତ କରିବ! ଯୋଉଠି ବିଚାର ନଥାଏ ସେ ପାଳନକୁ ତ କେବଳ ଅନ୍ଧାନୁକରଣ ହିଁ କୁହାଯିବ। ‘ମାଧିଆ ଭାଇ, ନା’ ହୋଇ ହୋ ନୀତିରେ ଦୂରଦର୍ଶନ ବା ପତ୍ରପତ୍ରିକାରେ ଏ ସମ୍ପର୍କରେ ସାକ୍ଷାତ୍କାର ଦେଉଥିବା ବାବୁଜାତୀୟ ବ୍ୟକ୍ତିତ୍ବମାନେ ବେଳେ ବେଳେ ମୁହଁଉପ୍ରୋଧରେ ଦିବସ ପାଳନ ସପକ୍ଷରେ କହିଥାନ୍ତି। ପୁଣି କେତେକ ଗାଲୁଆମିରେ ବାରବାଟି ନହେଉ ପଛେ ଗୁଣ୍ଠେ ବା ବିଶ୍ବାଏ ଚଷିଥାନ୍ତି।
‘ବୋଉର ଦିନ’ କହିଲେ ଆମ ଆଧୁନିକ ଓଡ଼ିଆ ପୁଅମାନେ କଥାଟାକୁ ଆଦୌ ବୁଝିପାରିବେନି। ସଂସ୍କୃତରେ ‘ମାତୃ ଦିବସ’ କହିଲେ କିଛି କିଛି ବୁଝିବେ ଏବଂ ‘ମଦର୍ସ ଡ଼େ’ କହିଲେ ଭଲଭାବେ ବୁଝିବେ। ଏ ‘ମଦର୍ସ ଡ଼େ’କୁ ଖାଣ୍ଟି ଓଡ଼ିଆରେ କହିଲେ ‘ବୋଉର ଦିନ’ ହେବ। ‘ବୋଉର ଦିନ’ କହିଲେ ଆମ ଓଡ଼ିଆଏ ବୋଉର ଶ୍ରାଦ୍ଧ ବୋଲି ବୁଝିବେ। ଏ ‘ବୋଉ’ ଶବ୍ଦଟା ଆମ ଆଧୁନିକ ଓଡ଼ିଆଙ୍କ ସମ୍ବୋଧନରୁ ପ୍ରାୟ ବୁଡ଼ିବାକୁ ବସିଲାଣି। ଏ ଭିତରେ ଆମ ଅଧିକାଂଶ ‘ଓଡ଼ିଆଣୀ ବୋଉ’ ‘ମଦର’ ହେଇଗଲେଣି ଏବଂ ସଂକ୍ଷେପରେ ‘ମମି’ ପାଲଟି ଗଲେଣି। ପଡ଼ିଶାଘର ସାନ ଝିଅଟିକି ‘ବୋଉ’ ବନାନ କରିବାକୁ କହିବାରୁ ସେ ଉତ୍ତର ଦେଲା- ‘ଏମ୍, ଓ, ଟି, ଏଚ୍, ଇ, ଆର୍।’ ଥରେ ମୁଁ ମୋର ଜଣେ ସାଙ୍ଗକୁ ପଚାରିଲି- ‘କୁଆଡ଼େ ଯାଇଥିଲ କି?’ ସେ ଉତ୍ତର ଦେଲା- ‘ମଦର୍ଙ୍କ ଦେହ ଖରାପ ଥିଲା ତ…।’