ଘିଅମିଶା ସିନ୍ଦୁରକୁ କପାଳରେ ଗୋଲ କରି ଲଗେଇଲା ରମେଇ ମାଁ। ଆଖିରେ କଜ୍ବଳ, ବେକରେ ମନ୍ଦାର ହାର, ମୁକୁଳା ଘନକେଶ। ମାଟି କାନ୍ଥରେ ଟଙ୍ଗା ହୋଇଥିବା ଦର୍ପଣରେ ନିଜର ପରିବର୍ତ୍ତିତ ମୁହଁଟାକୁ ପରଖି ନେଲା।

ହଁ …. ସବୁ ଠିକ୍‌ଅଛି।

ଆଶ୍ବସ୍ତ ହେଲା।

ଏଥର କନା ଲୁଗାଟାକୁ ସିଧାକରି ପିନ୍ଧିଲା। କିଛି ମୁହୂର୍ତ୍ତ ମଧ୍ୟରେ ଲୁଗାଟା ତା’ର କଳାମୁଗୁନି ପଥର ଭଳି ଶରୀରରୁ ଅଲଗା ହେଇଯିବ। ପାଦ ଫାଟି ରକ୍ତ ଝରିବ। ମନ୍ଦାର ହାରଟା ଛିଣ୍ଡି ଦାଣ୍ଡ ଅଗଣା ସାରା ବିଛେଇ ହେଇଯିବ। ସବୁ ବେଠିକ୍‌ ହେଇଯିବ। ଅନୁଭବୀ ବେପାରି ତା’ର ପ୍ରକୃତ ଗ୍ରାହକ ଚିହ୍ନିଲା ପରି ବେଠିକ୍‌ ଭିତରୁ ଠିକ୍‌ଟା ଯିଏ ଚିହ୍ନିପାରେ ସେ ହିଁ ଜୀବନର ଆନନ୍ଦ ନିଏ।

ଛୋଟ ହସଟେ ତା’ ମୁହଁରେ ଖେଳିଗଲା, ଉଲ୍ଲାସର ହସ।

ସିନ୍ଦୁରରୁ ଶକ୍ତି ପାଏ ରମେଇ ମାଁ’। ରମେଇ ବାପା ଘରଛାଡ଼ି ଚାଲିଗଲାବେଳେ ରମେଇ ମାସକର ହୋଇଥିଲା। ଝାଟିମାଟି ଘର, ମା’ ଆଉ ପୁଅ। ଗାଁ ଲୋକେ କେତେ ରକମର ଉଡ଼ାକଥା କୁହନ୍ତି। ରମେଇ ମାଁ ର ପିଞ୍ଜରା ଭିତରେ ସେକଥା ଭେଦ କରେନି କିମ୍ବା ସିନ୍ଦୁର ଲଗାଇଲାବେଳେ ହାତ ଥରେନି। ପେଟର ଭୋକ ଭୟଙ୍କର। କାଙ୍ଗାଳମାନେ କ’ଣ ଜାଣିବେ। ସେମାନଙ୍କ ପେଟ ଖାଦ୍ୟରେ ପୂର୍ଣ୍ଣ। କେବଳ ଦେହ ଆଉ ମନର ଭୋକ ପାଇଁ ସେମାନେ ଆତୁର। ପେଟର ଭୋକ ଶାଖାପ୍ରସାଖା ମେଲାଇ ରକ୍ତମାଂସର ଶରୀରଟିକୁ ଛନ୍ଦି ପକାଏ। ଶରୀର ଖାଲି ଛଟପଟ ହୁଏ। ଫୁଟୁଥିବା ଗରମ ପାଣିରେ ଜୀବନ୍ତ କଙ୍କଡ଼ା ପରି।

ଜୀବନଟା ଭୋକ।

ରମେଇର ଢୋଲ ଶୁଭିଲାଣି ଦାଣ୍ଡ ଅଗଣାରୁ। ପୋଲିଓ ବେମାରି ଯୋଗୁଁ ଗୋଡ଼ ଦିଟା ଛଚିନ୍ଦ୍ରା ଭଳିଆ ସରୁ, ହେଲେ ହାତ ଯୋଡ଼ିକ ଶକ୍ତ ଆଉ ଚଳଚଞ୍ଚଳ। ଖୁବ୍‌ ସୁନ୍ଦର ଢୋଲ ବଜାଏ ରମେଇ। ଜୀବନରେ ଅନୁଭବଗୁଡ଼ିକ ତା’ ଢୋଲର ତାଳରେ ଜୀବନ୍ତ ହୋଇ ଉଠନ୍ତି।

ବିଷାଦ, ଶୋକ, ଆନନ୍ଦ, କ୍ରୋଧ, ପ୍ରେମ ଆଉ ଭକ୍ତି.. ଏଇତ ଜୀବନ। ଦେବତାମାନେ ମଧ୍ୟ ଆଗ୍ରହୀ ଏଇ ଜୀବନର ସ୍ବାଦ ଚାଖିବାକୁ।

ରମେଇ ଢୋଲ ବଜାଏ ମାଁ କୁ ଖୁସି କରିବାକୁ। ମାଁ ମୁହଁରେ ହସ ଦେଖିଲେ ତାକୁ ଲାଗେ ମାଁ କାନିରେ ପୃଥିବୀଟା ଅଜାଡ଼ି ଦେଲା।

ପୃଥିବୀ, ସିଏ ଆଉ ମାଁ ଝୁମନ୍ତି ଆନନ୍ଦରେ। ଜୀବନଟା ସହଜ।

ସକାଳର କଅଁଳ ଖରାରେ ଦାଣ୍ଡ ଅଗଣାଟା ସୁନେଲୀ ଦିଶିଲାଣି। ରମେଇ ମାଁ ପଦାକୁ ବାହାରି ଆସିଲା ମୁଖରେ ଏକ ଅପୂର୍ବ ଠାଣିର ମୁଖାପିନ୍ଧି।

ରମେଇର ପଙ୍ଗୁଗୋଡ଼ ଉପରେ ଚକ୍ଷୁ ମୁହୂର୍ତ୍ତେ ପାଇଁ ସ୍ଥିରକରି ଆରମ୍ଭକଲା ନୃତ୍ୟ। ଢୋଲର ତାଳରେ, କ୍ରୋଧର ତାଣ୍ଡବ। ମଝିରେ ମଝିରେ ଚିତ୍କାର କରୁଥାଏ,
‘ଗାଁରେ ଏ ବର୍ଷ ବର୍ଷା ହବନି’

‘ସ୍କୁଲଘରେ ନିଆଁ ଲାଗିଯିବ, ସାବଧାନ୍‌’

‘କୁକୁଡ଼ା କାଇଁ?’

ବୀର ଗୁଡ଼ିଆ ପୁଅ ପବନା ଆଖିକୁ ଏ ଅପ୍ରାକୃତିକ ଦୃଶ୍ୟ ଅଛପା ରହିଲାନି। ଅଣ୍ଟାରେ ଗାମୁଛାଟାକୁ ଭିଡ଼ିଦେଇ ଦଉଡ଼ିଲା ପ୍ରଚାର କରି କରି, ‘ରମେଇ ମାଁ କୁ କାଳସୀ ଲାଗିଲା ହୋ, …ପୁଣି ଲାଗିଲେ..।’

ଦିନୁମାଷ୍ଟ୍ରେ ପିଣ୍ଡାରେ ବସି ଖବରକାଗଜ ପଢ଼ୁଥିଲେ। ପବନାର କଥାଟା ଗୁଳି ଭଳିଆ ଭେଦ କରିଗଲା ତାଙ୍କ କାନରେ। ପାଟିରୁ ଅସ୍ପଷ୍ଟ ଭାବେ ବାହାରିଗଲା,
‘କ’ଣ ଏବେ ପା ଲାଗିଥିଲେ, ପ୍ରଳୟ ଆସନ୍ନ ତା’ହେଲେ।’

ବିସ୍ମୟ ଆଉ ଭୟର ହାଲୁକା ଝଡ଼ଟେ ଗାଁରେ ବହିଗଲା। ମାଇପିମାନେ ଘରଦ୍ବାର ଅଣ୍ଡାଳି ପକେଇଲେ, ଚାଉଳ ଗଣ୍ଡେ କି ନଡ଼ିଆଟିଏ ପାଇଲେ ମାଁ ଙ୍କୁ ଅର୍ପଣ କରିବେ। ଚମ୍ପି ଖୁଡ଼ି ନଡ଼ିଆଟେ ଧରି ଝଅଟ ଝଅଟ ପାଦ ପକେଇଲା। ଏଥର ମାଁ ଙ୍କୁ ସବୁକଥା କହିବ। ତା’ର ତେର ବର୍ଷର ଝିଅ ‘ମିତୁ’ କଥା କହିବା ବନ୍ଦ କରିଦେଇଛି। ଦିନଯାକ ମାଟି କାନ୍ଥକୁ ରାମ୍ପୁଥାଏ। ମିତୁକୁ କଥା କୁହାଇବା ପାଇଁ ଚମ୍ପି ଖୁଡ଼ିର ସବୁଚେଷ୍ଟା ମିତୁର ନଖରମ୍ପା କାନ୍ଥକୁ ଲିପୁ ଲିପୁ ମାଟିରେ ମିଶିଯାଏ। ଆଖିରେ ଆଖିଏ ଲୁହ। ଏଥର ସବୁଠୁ ଆଗ ପହଞ୍ଚି ମାଁ’ଙ୍କୁ ମନର ବ୍ୟଥା କହିବ।

ରମେଇ ମାଁ’ର ଘରଆଗେ କ୍ରମାଗତ ଭାବେ ଭିଡ଼ ଜମିଲାଣି। ଭିଡ଼ ସାଙ୍ଗରେ ତାଳଦେଇ ଉଠା ଦୋକାନ ଅଧ ଡଜନେ ଖଣ୍ଡେ ଖୋଲି ଯାଇଛି। ନଡ଼ିଆ, ଫୁଲ, ଧୂପ ଠାରୁ ଆରମ୍ଭ କରି ଚକୁଳି ପିଠା, ତରକାରୀ ପର୍ଯ୍ୟନ୍ତ ସବୁ ମିଳିବ। କାନ୍ଦୁରା ପିଲାଟା ପାଇଁ ବେଲୁନ୍‌ କିଣାର ମଧ୍ୟ ବ୍ୟବସ୍ଥା ଅଛି। କିଏ ଜାଣେ ମାଆ କେତେ ସମୟ ରହିବେ।

ରମେଇ ମାଁ’ର ନୃତ୍ୟ ଭୟଙ୍କର ହୋଇଉଠିଛି। ଭକ୍ତମାନେ ସ୍ବୟଂକୁ ମାଁ’ଙ୍କ ପାଖରେ ସମର୍ପଣ କରି ତଳେ ଲୋଟି ଯାଇଛନ୍ତି।

ମାୟାର ସମର୍ପଣ ସତ୍ୟ ସମ୍ମୁଖରେ।

ରମେଇ ମାଁର ମଥାର ସିନ୍ଦୁର ମୁହଁସାରା ଲେସିହୋଇ ଗାଁ ଦେବତାଙ୍କ ସିନ୍ଦୁରବୋଳା ପଥର ମୁହଁ ପରି ମନେ ହଉଛି। ମୁଣ୍ଡରୁ ଝାଳ ଆଉ ପାଦ ଫାଟି ରକ୍ତ, ଅଗଣା ଧୂଳିରେ ମିଶି ଯାଉଛି। ଭକ୍ତମାନଙ୍କର ପ୍ରଶ୍ନ ଆଉ ଉତ୍ତର ଆଶାରେ ଉତ୍କଣ୍ଠା । ଭିଡ଼ ଭିତରୁ ଜଣେ ପଚାରିଲା, ‘ମାଁ–ରମେଇ ବାପା ଫେରିବ ତ?’

ଏମିତିଆ ପ୍ରଶ୍ନରେ ଛାତି କୋରି ହୋଇଯାଏ ରମେଇ ମାଁ’ର। ପ୍ରଶ୍ନକୁ ବାଆଁରେଇ ଦେଇ କହିଲା, ‘ବାସ୍‌ ସେତିକି।’

ରମେଇ ମାଁ ପରଘରେ କାମ କରି ପେଟ ପୋଷିଲେ ମଧ୍ୟ, ମାଁ ପୁଅ ଅନେକ ଦିନ ଓପାସ ରୁହନ୍ତି। ପେଟର ଭୋକ ମାରିବା ପାଇଁ ରଘୁବାବୁଙ୍କ ବାଡ଼ିରୁ ସଜନା ଛୁଇଁ ଚୋରି କରିବାଟା ଅପରାଧ ମାନେନି ରମେଇ ମାଁ କିମ୍ବା ରାତିରେ ଉଲଗ୍ନ ହୋଇ ଶୋଇବାଟା ଅସଭ୍ୟତା ନୁହେଁ ବରଂ ଗୋଟିଏ ବୋଲି ପିନ୍ଧା ଲୁଗାକୁ ବେସିଦିନ ଟାଣି ନବାର ଚେଷ୍ଟା।

ଚେଷ୍ଟା ଏକ ସୁନ୍ଦର ପ୍ରୟାସ ଯାହା ମଣିଷର ଆଶାକୁ ହାତମୁଠାକୁ ଆଣିବାରେ ସାହାଯ୍ୟ କରେ। ଅନେକ ସମୟରେ ମଣିଷଟି ମନପ୍ରାଣ ଦେଇ ଚେଷ୍ଟା କରେ। ହେଲେ ହାତମୁଠା ଖୋଲିଲା ବେଳକୁ ଅଧା ଖଣ୍ଡିଆ ଆଶାକୁ ଭେଟେ। ଦୁଃଖ ପାଏ। ଏଇଟା ମାୟାର ଖେଳ। ମଣିଷଟି ତାହା ବୁଝି ପାରେନି। ରମେଇ ମାଁ’ର ଆପ୍ରାଣ ଚେଷ୍ଟାରେ, ରମେଇ ବଡ଼ ହୋଇଗଲା ସିନା କିନ୍ତୁ ତା’ର ଖଣ୍ଡିଆ ଗୋଡ଼ ଦିଟା ଛିଗୁଲେଇବା ଆରମ୍ଭ କଲେ ରମେଇ ମାଁ’କୁ। ଆଶାର ଖଣ୍ଡିଆ ରୂପ।

ଗ୍ରାମ ଦେବତୀ ପୁଜାରୀ ହରି ମିଶ୍ର କେତେବାର କହିଛନ୍ତି, ‘ଆଲୋ- ଟୋକାଟାକୁ ମନ୍ଦିରରେ ବସେଇ ବଡ଼ ଖଣ୍ଡିଆ ଗୋଡ଼ ଦିଟା ଦେଖାଇଲେ କିଛି ତ ମିଳିବ।’ ପଣ୍ଡିତଙ୍କ ଭଳି ଶ୍ରେଷ୍ଟ ଲୋକଙ୍କ କଥା ଅମାନ୍ୟ କରିବା ଅପରାଧ। ରମେଇ ମାଁ ସେ ଅପରାଧ କରେ। ପଣ୍ଡିତେ ତାତ୍ସଲ୍ୟ କରି କୁହନ୍ତି, ‘ପୂର୍ବ ପାପରୁ ଗେରସ୍ତ ଛୁ…. ପୁଅ ଛୋଟା.. ପୁଣି ବହପ ଦେଖ।’ ପଣ୍ଡିତଙ୍କ କଥାଟା ବିରୁଡ଼ି ଭଳିଆ କାନ ପାଖରେ ଭଁ ଭଁ ହୁଏ। ଚୁପ୍‌ ରହେ, କିନ୍ତୁ ରମେଇକୁ ଭିକ ମାଗିବାକୁ ଛାଡ଼େନି।

ଜୀବନଟା ପ୍ରଶ୍ନ।

ତା’ଅନ୍ତେ ରମେଇ ବଢ଼ିବ କେମିତି। ପ୍ରଶ୍ନଟି ହାତୁଡ଼ି ମାରିଲା ପରି ପିଟି ହଉଥାଏ ବାରମ୍ବାର।

ଜୀବନଟା ଅଭିନୟ।

ଗାଁରେ ଗୀତାପାଠ ବେଳେ ଖଣ୍ଡେ ଖଣ୍ଡେ ବାକ୍ୟ ତା’ କାନରେ ପଡ଼ିଛି। ସ୍ବୟଂ ଭଗବାନ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କ ସଖା ଆଉ ସାରଥି ହୋଇଥିଲେ। ସେଟା ଅଭିନୟ ନୁହେଁ ଆଉ କ’ଣ?

ସେ ଅଭିନୟ କରିବ। ମାଁ କାଳିସୀ ଲାଗିବାର ଅଭିନୟ। ବଞ୍ଚିବାର ଏଇ ନୂତନ ଉପାୟଟି ଆବିଷ୍କାର କଲାପରେ ରମେଇ ମାଁ ଆଉ ପଛକୁ ଫେରି ଚାହିଁନି। ଗୋଧନ ଆଉ ଅନ୍ନରେ ପୂରି ଉଠିଛି ଘର। ରମେଇର ଭବିଷ୍ୟତ ପ୍ରଶ୍ନବାଚିରୁ ଏକ ରଙ୍ଗୀନ୍ ସତ୍ୟକୁ ଋପାନ୍ତରିତ ହୋଇଯାଇଛି।

ଧନ୍ୟ ସେ ଅଭିନୟ। ଆଶ୍ଚର୍ଯ୍ୟ ସେ ଅଭିନୟ।

ସେ ସ୍ବପ୍ନକୁ ଭୁଲିଯାଏ। ରମେଇର ଢୋଲ ଶବ୍ଦହୀନ ହୋଇଯାଏ।

ଶବ୍ଦହୀନ ପୃଥିବୀ।
ଝୁଣା ଧୂଆଁ, ଧୂପ, ଘଣ୍ଟଘଣ୍ଟା, ଝାଳ ଆଉ ରକ୍ତ। ରମେଇ ମାଁ’ର ଶରୀର ଦୋହଲୁଥାଏ ଯେମିତି, ପ୍ରବଳ ଝଡ଼ରେ ଗ୍ରସ୍ତ ଗଛର ଡାଳଟିଏ ଦିଗହୀନ ଭାବେ ଦୋହଲିଲା ପରି। ଯେକୌଣସି ମୁହୂର୍ତ୍ତରେ କଟକଟ କରି ଭାଙ୍ଗି ପଡ଼ିବାଟା ବିଚିତ୍ର ନୁହେଁ।

ଆକାଶକୁ ଚାହିଁଲା ରମେଇ ମାଁ। ମଧ୍ୟାହ୍ନ ସୂର୍ଯ୍ୟ। ପ୍ରଖର ଖରା। ଶୋଷରେ ତା’ ତଣ୍ଟି ଶୁଖିଗଲା।

ଜୀନଟା ଶୋଷ।

ସରାରେ ସଦ୍ୟ ବଳିପଡ଼ିଥିବା କୁକୁଡ଼ାର ରକ୍ତ। ଢକ ଢକ କରି ପିଇଗଲା ରମେଇ ମାଁ ସେ ରକ୍ତକୁ। ହେଲେ ମଧ୍ୟ ଶୋଷ ମେଣ୍ଟିଲାନି। ଶରୀରଟା କଚାଡ଼ି ହୋଇ ଲୋଟି ପଡ଼ିଲା ଭୂମିରେ। ରମେଇର ହାତ ସ୍ଥିର ହୋଇଗଲା। ଢୋଲ ଉପରେ। ଭକ୍ତମାନେ ଶୂନ୍ୟେ ଶୂନ୍ୟେ ଟେକିନେଲେ ରମେଇ ମାଁ’କୁ, ଆଉ ଯତ୍ନରେ ଶୁଆଇ ଦେଲେ ଖଟିଆ ଉପରେ।

‘ମାଆ ବୋଧେ ଦେହରୁ ବାହାରି ଗଲେ’ ଚମ୍ପି ଖୁଡ଼ି କହିଲା- ଏକ ନିରାସିଆ ସ୍ବରରେ। ଆଉ ଜଣେ ଭିଡ଼ ଭିତରୁ କହିଲା, ‘ଏତେ ସମୟ ତ ରହିଲେ।’ ଗାଁ ମାଇପିମାନେ ରମେଇ ମାଁ’ର ସେବାରେ ଲାଗିଯାଇଥାନ୍ତି। ରମେଇ ମାଁ ଦୀର୍ଘଶ୍ବାସଟିଏ ନେଲା। ଆଶ୍ବସ୍ତିର।

ନିଶ୍ବାସ ତଳୁ କହିଲା, ‘ଜୀବନଟା ଚେଷ୍ଟା ନୁହେଁ… ଚେଷ୍ଟା ହିଁ ଜୀବନ।’

-୦-