କଥା ଭିତରେ ନ ହଜିଲେ କଥାଟା ସହଜ ହୁଏ ନାହିଁ। ମଣିଷ କଥା ଭିତରେ ହଜେ କାହିଁକି? କାରଣ ସେ କିଛି ଖୋଜୁଥାଏ। ତେଣୁ ସ୍ବାଧୀନତାର ମୂର୍ଚ୍ଛନା ଥିଲା ଆପଣାକୁ ଖୋଜିବାର ସଙ୍ଗୀତ। ଆପଣା କର୍ମ ପରମ୍ପରା ଓ କର୍ମ ସନ୍ଧାନର ସଙ୍ଗୀତ। ଆପଣାର ପରିବେଶକୁ ରୁଦ୍ଧିମନ୍ତ କରୁଥିବା, ଉଚ୍ଛଳ ସଙ୍ଗୀତ ମଧ୍ୟରେ ହିଁ ସ୍ବାଧୀନତାର ଆନ୍ଦୋଳନ ହୃଦରୁ ହୃଦକୁ ଆଲୋଡ଼ିତ କରିଥିଲା।
ସେଦିନର ସ୍ବାଧୀନତାର ମୂଳରେ ଥିଲା ଏକ ନୈତିକ ସଂଗ୍ରାମ। ସହ ଭୋଜନ, ସହ ଅଧ୍ୟୟନ, ସହ ସଙ୍ଗୀତ ଓ ସହ ଅବସ୍ଥାନ ଯାହା କି ଆଜିର ଶିକ୍ଷାବ୍ୟବସ୍ଥାରୁ ଅନ୍ତର୍ହିତ।
ଜେଜେ ସେଦିନ କହୁଥିଲେ, ସମୟର ସଙ୍ଗୀତକୁ ଉଚ୍ଚାରଣ କରି ଗାଇପାରିଲେ ସ୍ବାଧୀନତା ଆପେ ଆପେ ଆସିଯିବ। ସ୍ବାଧୀନ ଚେତନାର ଅଗ୍ରଦୂତ ସୃଜନାତ୍ମକ ପ୍ରତିବାଦ ଜନ୍ମ ନେବ। ଆତ୍ମବଳ ଓ ଆତ୍ମଚେତନା ଜାଗ୍ରତ ହେବ। କର୍ମନିଷ୍ଠା ଓ ଆତ୍ମଶକ୍ତିର ଜାଗରଣ ଗାନ୍ଧି ପରିକଳ୍ପିତ ଅହିଂସ ସମାଜକୁ ଜନ୍ମ ଦେବ।
ସେଦିନ ଗୋଟାଏ ପରାଧୀନତା ଭିତର ଦେଇ ଆମେ ଶତଛିନ୍ନ ଗୋଷ୍ଠୀଗୁଡ଼ିକ ଏକାଠି ହେଲୁ, ଲଢ଼ି ଶିଖିଲୁ। ଶତଧା ବିଭକ୍ତ ସେଇ ଗୋଷ୍ଠୀଗୁଡ଼ିକ ଯଦି ଘୃଣା, ଈର୍ଷ୍ୟା ଓ ସନ୍ଦେହ ପରିବର୍ତ୍ତେ ଚିନ୍ତା ଓ ଚେତନା ବିଶିଷ୍ଟ ହେବାକୁ, ଆତ୍ମିକ ବିକାଶ ପଥରେ ଅଗ୍ରସର ହେବାକୁ, ମଣିଷର ନିକଟବର୍ତ୍ତୀ ହେବାକୁ ଶିଖିପାରିଲେ…. ସାଆନ୍ତିଆ ଶାସନର, କେନ୍ଦ୍ରୀଭୂତ ରାଜ ଶାସନର ଅବସାନ ଘଟାଇ ଏକ ସାଧାରଣ ଶାସନର ପ୍ରତିଷ୍ଠା ପାଇଁ ଶପଥ ନେଇପାରିଲେ, ତେବେ ଆମେ ପରାଧୀନ ଥିଲୁ କିପରି?
ସେଦିନ କାରାଗାର ଆମକୁ ପାଠ ପଢ଼ାଇବସିଲା। ସ୍ବାଧାୟ ଯଜ୍ଞରେ ଅଭିମନ୍ତ୍ରିତ କଲା, ଭ୍ରାତୃତ୍ବ ଓ ସମଦୃଷ୍ଟିର ଶିକ୍ଷା ଦେଲା। ଅତୀତ ଭାରତର ଜୀବନ ବିଦ୍ୟାଳୟରୁ ଶିକ୍ଷା ଆହରଣର ପ୍ରେରଣା ଦେଲା। ମାଟିର ମଣିଷକୁ ଏକାଠି କରିବାର ଶିକ୍ଷାଦେଲା। ତେବେ ସେ ପରାଧୀନତା ଥିଲା କେଉଁଠି?
ଯେଉଁ ଦିନ ନାରୀଟିଏ ମା ହେବାର ସ୍ବପ୍ନରେ ବିଭୋର ହୋଇ ଗର୍ଭଧାରଣ କରିବସିଲା, ସେଦିନ ସେ ସ୍ବାଧୀନତାକୁ ଖୋଜିଥିଲା ନା ବନ୍ଧନକୁ?
ଯେଉଁ ଦିନ ଅନୂଢ଼ା କିଶୋରୀଟିଏ ଅପଣାର ପ୍ରିୟ ନିକଟରେ ନିଜକୁ ସମର୍ପଣ କରିବସିଥିଲା, ସେଦିନ ସେ ସ୍ବାଧୀନତାକୁ ଖୋଜୁଥିଲା ନା ପରାଧୀନତା? ସେ ପରା ଘୋଷଣା କରିବସିଲା ଯେ…
ମଧୁପକୁ ମାଧବିକା, ଯେମନ୍ତ ତେମନ୍ତେ ଏ ମୋ ଜୀବିକା ଗୋ,
ସ୍ବ ଇଚ୍ଛାରେ ମୁଁ ହୋଇଛି ବିକା, ସଜନୀ ଗୋ!
ଘନଶ୍ୟାମ ଗୁଣମାନ ରଖିଅଛି କି ମୋ ଧୈର୍ଯ୍ୟ ଗୁମାନ ଗୋ,
ମନ ଦହୁଛି ତା ସନମାନ ସଜନୀ ଗୋ।
ଯେଉଁ ପକ୍ଷୀଟି ଏଡ଼େ ଆକାଶରେ ସ୍ବଚ୍ଛନ୍ଦରେ ବୁଲିପାରେ ସେ ପୁଣି ବସାଟିଏ ଲୋଡ଼ିଲା କାହିଁକି? ସେ ସ୍ବାଧୀନତାକୁ ଖୋଜିଥିଲା ନା ବନ୍ଧନ
ଇଂରେଜ ସେଦିନ ଏ ମାଟିକୁ ଅପ୍ରତିଷ୍ଠ କହି, ନିନ୍ଦା କରି, ଏ ଲୋକଙ୍କୁ ଅପମାନିତ କରି ଅନେକ କିଛି ଲୁଟିନେବ ବୋଲି ଭାବିଥିଲା। ଆପଣାର ବାହାଦୁରୀ ପ୍ରଦର୍ଶନ କରିବ ବୋଲି ଆଶା କରିଥିଲା, ମାତ୍ର ତାହା ତ୍ରୁଟିଯୁକ୍ତ ବୋଲି ପ୍ରମାଣିତ ହେଲା। କାରଣ ଜୀବନର ସ୍ବୀକୃତି ମଣିଷ ସେହିଠାରେ ଦେଖିବାକୁ ପାଇଲା ଯେଉଁଠି ମାଟି ବା ଭୂମି ପ୍ରତିଷ୍ଠିତ, ଲୋକ ପ୍ରତିଷ୍ଠିତ ଓ ସଂସ୍କୃତିସମ୍ପନ୍ନ, କାରଣ ବଜାର ସେହିଠାରେ ପ୍ରତିଷ୍ଠିତ।
ବିଦେଶୀ କହି ଆମେ ସେମାନଙ୍କୁ ତଡ଼ିଦେଲୁ। ହେଲେ ଆମ ଯୋଗ୍ୟମାନେ ଏ ମାଟିକୁ ସମ୍ଭାଳି ପାରୁନାହାଁନ୍ତି। ଆଜି ପୁଣି ଏ ମାଟିକୁ, ଏ ଲୋକଙ୍କୁ ପ୍ରତିଷ୍ଠା କରିବାକୁ ଆମେ ସେଇ ପାଶ୍ଚାତ୍ୟବାସୀଙ୍କୁ ଡାକିବାକୁ ଯାଉଛୁ। ଲାଇସେନ୍ସ ବ୍ୟବସ୍ଥାର ଉଦାରୀକରଣ କରିଛୁ, ଘରୋଇକରଣ କରିଛୁ, ଦେଶୀ ଓ ବିଦେଶୀ ପୁଞ୍ଜିନିବେଶ ମଧ୍ୟରେ ସରକାରୀ ନୀତିରେ ଯେଉଁ ପାତରଅନ୍ତର ଥିଲା ତାକୁ ବିଲୋପ କରିସାରିଛୁ। ଏକଚାଟିଆ ଅଧିକାର ଓ ନିଷୋଧାତ୍ମକ ବାଣିଜ୍ୟ କାରବାର ଆଇନ୍ (ଏମ୍.ଆର.ଟି.ପି.) ୧୯୭୦ ଏବଂ ବୈଦେଶିକ ମୁଦ୍ରା ବିନିମୟ ଆଇନ୍ ୧୯୭୩ (ଫେରା)କୁ ଆବଶ୍ୟକ ଅନୁଯାୟୀ ସଂଶୋଧନ କରାଯାଇଛି। କାରଣ ସେଇମାନେ ଆସିଲେ ଏ ଦେଶର ଅର୍ଥନୀତିକୁ କୁଆଡ଼େ ସୁଧାରିପକେଇବେ। ଆଉ ଆପଣାର ଜୀନ୍ ବଦଳିଯାଇଛି ବୋଲି ଦାବୀ କରୁଥିବା ୫% ବାବୁମାନେ ଓ ଜାତିଆମାନେ ଆମ ୯୫% କୁ ଆଗକୁ ଓଡ଼େଇନେଇ ପାରିବେ ତ?
ଲୋକଙ୍କୁ ଅଧିନସ୍ଥ କରି, ପଦାନତ କରି, ଅବହେଳିତ କରି ତଥା ଗରିବ କରି ରଖି ସମାଜର ଉନ୍ନତି କରାଯାଇପାରେନା, ବରଂ ନିଜ ଭିତରେ ସୃଜନଶୀଳତାର ପ୍ରେରଣା ସହିତ ଅନ୍ୟକୁ କିଛି କରିପାରିବାର ପ୍ରେରଣା ଦେଇପାରିଲେ ଜଗତ ସୁନ୍ଦର ହୁଏ।
ସେ ମଣିଷକୁ ଆପଣା ଅଧିକାରରୁ ବଞ୍ଚିତ କରି, ମୁର୍ଖ କହି ଗାଳିଦେଉଥିବା ମଣିଷ ହିଁ ପ୍ରବଞ୍ଚକ, ମୁର୍ଖ। କାରଣ ଅନ୍ୟର ଅଧିକାରକୁ ଛିନ୍ନ ଓ ଅପହରଣ କରି ସେମାନେ ବଞ୍ଚନ୍ତି।
ତେଣୁ ନୁଖୁରା ମଣିଷଟା ଅସୁନ୍ଦର ଦିଶୁଛି ବୋଲି କହି ଗାଳି ଦିଅନା। ଯଦି ସୁବିଧା ପାଉଛ ତାକୁ ତେଲ ଟିକିଏ ଲଗେଇଦିଅ, ଦେଖିବ ସେ ତୁମ ପରି ସୁନ୍ଦର ଦିଶୁଛି, ସୁନ୍ଦର ହସୁଛି ଏବଂ ତା’ର ମଧ୍ୟ ସୁନ୍ଦର ହେବା ଲାଗି ଗୋଟିଏ ଆକାଂକ୍ଷା ରହିଛି। ସେ ବି ପରିଶ୍ରମ କରି ଅତ୍ମସମ୍ମାନର ସହ ଜିଇଁବାକୁ ଚାହୁଁଛି।
ଆମେ ଯଦି କୋରାପୁଟର ଆଦିବାସୀଙ୍କ ଅଞ୍ଚଳକୁ ଦଖଲ କରିପାରିଲୁ ଏବଂ ସେ ମଣିଷଙ୍କୁ ଅମଣିଷ କହି, ସେ ଭୂଇଁଟାକୁ ବଣୁଆ ଓ ଅନାର୍ଯ୍ୟଙ୍କ ବସ୍ତି କହି ଆପଣାର ଅଭିଳାଷ ପୂରଣ ପାଇଁ ଧ୍ବସ୍ତ କରିବସିଲୁ, ତେବେ ଇଂରେଜମାନେ ଆମ୍ଭମାନଙ୍କୁ ଅଧିନସ୍ଥ କରି କି ଭୁଲ୍ କରିଥିଲେ? ଆମେ କେବେ ବୁଝିଥିଲୁ ଯେ ଆଦିବାସୀ କିଏ? କାହିଁକି ସେ ଯୁଗଯୁଗ ଧରି ନାଚୁଛି? ପୁଣି ଆମର ପରିବେଶକୁ ସମ୍ପୂର୍ଣ୍ଣ ରୂପେ ବଦଳେଇ ଦେଲେ ଆମର ଅବସ୍ଥା କ’ଣ ହେବ?