କାଶ୍ମୀରର ‘ରାଜରଙ୍ଗିଣୀ’, ଆସାମର ‘ବୁରୁଂଜି’ ଏବଂ ସିଂହଳର ‘ଧାତୁବଂଶ’ ପରି ‘ମାଦଳାପାଞ୍ଜି’ ଓଡ଼ିଶାରେ ରାଜତ୍ବ କରୁଥିବା ବିଭିନ୍ନ ରାଜବଂଶର କେବଳ ଇତିହାସଗ୍ରନ୍ଥ ନୁହେଁ ଏହା ଓଡ଼ିଶା ଜାତୀୟ ଜୀବନର ମର୍ମଗାଥା। ଖ୍ରୀଷ୍ଟୀୟ ଦ୍ବାଦଶ ଶତାବ୍ଦୀଠାରୁ ଉନବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ଇତିବୃତ୍ତ ମିଳିଥାଏ ମାଦଳାପାଞ୍ଜିରୁ। ରାଜା ଓ ଜଗନ୍ନାଥଙ୍କୁ ଏକତ୍ର କରିବାର ପ୍ରଚେଷ୍ଟା ହେଉଛି ମାଦଳାପାଞ୍ଜି। ରାଜା ଓ ମନ୍ଦିରର ଇତିହାସ ଲେଖିବାପାଇଁ ସଙ୍କଳ୍ପ କରିଥିବା ଲିଖନକାରମାନେ ମଝିରେ ମଝିରେ ବିଭିନ୍ନ କିମ୍ବଦନ୍ତୀ ପ୍ରୟୋଗ କରିବାରେ ଗ୍ରନ୍ଥଟି ସାହିତ୍ୟିକ ମର୍ଯ୍ୟାଦା ଲାଭ କରିପାରିଛି। ଓଡ଼ିଆ ଗଦ୍ୟ ସାହିତ୍ୟର ବିକାଶରେ ଉଭୟ ଭାଷା ଓ ଶୈଳୀ ଦୃଷ୍ଟିରୁ ମାଦଳାପାଞ୍ଜିର ସ୍ଥାନ ସ୍ବତନ୍ତ୍ର।
ମାଦଳାପାଞ୍ଜିର ନାମକରଣ ସଂପର୍କରେ ଭିନ୍ନ ଭିନ୍ନ ମତ ମିଳିଥାଏ। ୧୯୧୯ ମସିହାରେ ଐତିହାସିକ ମଦନମୋହନ ଚକ୍ରବର୍ତ୍ତୀ ଲେଖିଥିଲେ ‘ମୁଦଲ ଅର୍ଥ ବନ୍ଦ କରିବା’। ତାଙ୍କ ମତରେ ମୁଦଲ-ମୁଦଳା-ମାଦଳା ଶବ୍ଦର ଉତ୍ପତ୍ତି ହୋଇଛି। ୧୯୨୭ ମସିହାରେ ରମାପ୍ରସାଦ ଚାନ୍ଦ ‘ଓଡ଼ିଶା ଇତିହାସ’ରେ ମାଦଳା ସଂପର୍କରେ ଲେଖିଛନ୍ତି ‘ମର୍ଦ୍ଦଳ’ ଜାତୀୟ ଏକ ବାଦ୍ୟ ଶବ୍ଦରୁ ମାଦଳାର ଉତ୍ପତ୍ତି। ତାଙ୍କ ମତରେ ମର୍ଦ୍ଦଳ-ମଦ୍ଦଳ-ମଦଳ-ମଦଳା-ମାଦଳା ଏହିପରି ହୋଇଛି। ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ମତରେ ‘ପାଞ୍ଜି’ ଲେଖିସାରିବାପରେ ଲିଖନକାରମାନେ ଏହାକୁ ମର୍ଦ୍ଦଳାକାରରେ ବାନ୍ଧୁଥିଲେ ଏବଂ ମୁଦଦେଇ ଶ୍ରୀମନ୍ଦିରରେ ରଖୁଥିଲେ, ତେଣୁ ଏହାକୁ ମାଦଳାପାଞ୍ଜି କୁହାଯାଏ। ଭିନ୍ନଭିନ୍ନ ମତାମତ ମଧ୍ୟରେ ଅଧ୍ୟାପକ କୃଷ୍ଣଚନ୍ଦ୍ର ଷଢଙ୍ଗୀଙ୍କ ମତ ଅଧିକ ଯଥାର୍ଥ ମନେହୁଏ। ତାଙ୍କ ମତରେ ‘ମାଦଳା’ ଆଭିଧାନିକ ଅର୍ଥ ଅପୂର୍ଣ୍ଣ ବା କାନ୍ତିଆ। ଶ୍ରୀଜଗନ୍ନାଥ ଅସଂପୂର୍ଣ୍ଣ ହୋଇଥିବାରୁ ତାଙ୍କୁ ମାଦଳା କୁହାଯାଏ। ମାଦଳାପାଞ୍ଜିକୁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ଲିଖନ ହୋଇଥିବାରୁ ଏହାକୁ ‘ମାଦଳାପାଞ୍ଜି’ କହିବା ଯଥାର୍ଥ।
ମାଦଳାପାଞ୍ଜି ଏକ ସାହିତ୍ୟିକ ସୃଷ୍ଟି ନୁହେଁ ବା ଏହାର ନିର୍ଦ୍ଧିଷ୍ଟ ଲେଖକ ନାହାଁନ୍ତି। ଅର୍ଦ୍ଧଶିକ୍ଷିତ ରାଜକର୍ମଚାରୀଙ୍କ ଦ୍ବାରା ଏହା ଲିଖିତ ହୋଇଆସୁଛି। ଏମାନେ ସ୍ବତଃ ଲେଖିନାହାଁନ୍ତି ଲେଖିବା ପାଇଁ ଗଜପତି ରାଜାଙ୍କ ଦ୍ବାରା ନିଯୁକ୍ତି ପାଇଛନ୍ତି। ଲିଖନକାରମାନେ ବଂଶାନୁକ୍ରମେ ପାଞ୍ଜି ଲେଖିଆସୁଛନ୍ତି। ଏମାନେ ତିନିଭାଗରେ ବିଭକ୍ତ ଯଥା (୧) ଦେଉଳକରଣ (୨) ତଢାଉକରଣ (୩) କୋଷ୍ଠକରଣ। ଦେଉଳକରଣଙ୍କ ଲିଖିତ ପାଞ୍ଜି ଶ୍ରୀଜଗନ୍ନାଥ ମନ୍ଦିରରେ, ଚଢାଉକରଣ ଦ୍ବାରା ଲିଖିତ ପାଞ୍ଜି ରାଜନଅରରେ ଓ କୋଷ୍ଠକରଣଙ୍କ ଦ୍ବାରା ଲିଖିତ ପାଞ୍ଜି ପାଞ୍ଜିକାର ଗୃହରେ ରହୁଥିଲା। ଅନ୍ୟକେତେକ ଗବେଷକଙ୍କ ମତରେ ଦେଉଳକରଣମାନେ ଶ୍ରୀଜଗନ୍ନାଥ ମନ୍ଦିରର ପର୍ବପର୍ବାଣୀ ତଥା ନୀତି ସଂପର୍କରେ ଲେଖୁଥିଲେ ଓ ତଢାଉକରଣମାନେ ଓଡିଶାର ରାଜାଙ୍କର ରାଜ୍ୟଶାସନ ଓ କୀର୍ତ୍ତିକଳାପର ଧାରାବାହିକ ବିବରଣୀ ଲିପିବଦ୍ଧ କରୁଥିଲେ।
ଓଡିଶାର ଇତିହାସକୁ ମାଦଳାପାଞ୍ଜି ବହନ କଲେହେଁ ଲିଖନକାରମାନେ ବହୁ କିମ୍ବଦନ୍ତୀ ଓ କାହାଣୀ ସଂଯୋଗ କରି ସାହିତ୍ୟିକ ମର୍ଯ୍ୟାଦା ନେଇଛନ୍ତି। ପାଞ୍ଜି ମଧ୍ୟସ୍ଥ କାହାଣୀ ମଧ୍ୟରେ ଚୋଡଗଙ୍ଗ ଦେବଙ୍କ ସମୟରେ ନିତେଇ ଧୋବଣୀ କଥା ଚୋଡଗଙ୍ଗ ଦେବଙ୍କ ନିଜ କନ୍ୟା ସହ ଅବୈଧ ପ୍ରେମ ଓ ପ୍ରାୟଶ୍ଚିତ କଥା, ବୌଦ୍ଧଭ୍ରମଣ ଓ ବ୍ରାହ୍ମଣ ପରୀକ୍ଷା କଥା, ଅନଙ୍ଗଭୀମଦେବଙ୍କ ସମୟର ପଶୁପାଳକଥା, ସିବେଇସାମନ୍ତରା ଜାଉଖିଆ କଥା, ଅନ୍ଧଦଇତା ଦାସ କଥା, କପିଳେନ୍ଦ୍ରଙ୍କ ସମୟରେ ନାଗସାପ ପ୍ରସଂଗ ପ୍ରଧାନ। ଏସବୁ ଗଳ୍ପ ଓଡିଶାର ପୁରପଲ୍ଲୀରେ ବହୁଳ ପ୍ରଚଳିତ। ଏଥିରେ ସତ୍ୟତା ନଥିଲେହେଁ ଏଥିରେ ଅର୍ନ୍ତନିହିତ ଥିବା ସାମାଜିକ ଆନନ୍ଦବୋଧ ଓ ନୀତିଶିକ୍ଷା ତଥା ଧାର୍ମିକ ବିଶ୍ବାସକୁ କେବେହେଲେ ଅସ୍ବୀକାର କରାଯାଇନପାରେ। ପାଞ୍ଜିର ଥିବା କେତୋଟି କାହାଣୀ ପ୍ରଦତ୍ତ ହେଲା”
ଚୁଡଗଙ୍ଗଙ୍କ ସମ୍ବନ୍ଧରେ ଏକ କାହାଣୀ:-
‘‘ଏ ରାଜା ବ୍ରାହ୍ମଣମାନଙ୍କୁ ପଚାରିଥିଲେ। ଯଉ ଫଳ ଉପୁଯାଇ ସେ ଫଳ ଖାଇ କି ନଖାଇ। ତହିଁକି ବ୍ରାହ୍ମଣେ ବୋଇଲେ ଯେ ଫଳ ଉପୁଯାଇ ସେ ଫଳ ଖାଇ। ସେଠାରୁ ରାଜା ଝିଅଙ୍କ ସଂଗେ ଅଙ୍ଗସଙ୍ଗ ହେଲେ। ସେ ଝିଅ ଗର୍ଭବାସ ହେଲେ। ତହିଁ ସକାସୁଁ ସେ କଥା ପ୍ରଘଟ ହେଲା। ସେଠାରୁ ରାଜା ବ୍ରାହ୍ମଣଙ୍କୁ ପଚାରିଲେ ତହିଁକି ବ୍ରାହ୍ମଣମାନେ କହିଲେ ‘ତୁମ୍ଭେ ଝିଅ ସଂଗେ ଅଙ୍ଗସଙ୍ଗ ହେଲ। ଏକଥା ଗର୍ହିତ ହେଲା। ଏକଥା ଉଚିତ ନୁହଁ। ତହିଁକି ରାଜା ପଚାରିଲେ ଏଥିକି ପ୍ରାୟଶ୍ଚିତ। ତହିଁକି ବ୍ରାହ୍ମଣ କହିଲେ ‘ଦୁଇ ମାଠିଆ ପାଣି ଘେନି ଚାଲିଯିବ, ତାହା ଗୋଡରୁ ଯେଉଁଠାରେ ରୁଧିର ଜାତ ହେବ ସେଇଠାରେ ଚାରିବାହି ଆୟତନରେ ପୋଖରୀ ଖୋଳାଯିବ। ମଧ୍ୟରେ ଦୀପିଦଣ୍ଡି ହେବ। ତହିଁ ଭିତରେ ସେ ଝିଅ ରହିବ। କାହାରି ମୁଖ ନ ଚାହିଁବ। ଏମନ୍ତ ଯେ ସେ ତାହାଙ୍କ ବିହକ ରହି। ତୁମ୍ଭ ଉପସ୍ଥ କଟାହୋଇ ଦୁମ ହୋଇଯିବ। ତେବେ ସେ ତହିଁରେ ଦୋଷଯିବ। ସେଠାରୁ ସେ ରାଜା ଏହା ଶୁଣି ଝିଅଙ୍କ ହାତରେ କାଖରେ ପାଣି ଦୁଇ ମାଠିଆ ଦେଇ ଚଳାଇଲେ। ଏ ଝିଅଙ୍କୁ ଏ ରୂପେ ଚଳାଇଲା ବେଳକୁ ରାଜ୍ୟଲୋକେ ଶୁଣି ବହୁତ ଉପହାସ କଲେ। ରାଜା ବଡ ସଂକୋଚ ପାଇଲେ ଝିଅକୁ ନଅରକୁ ନେଲେ। ଏ ଉତ୍ତାରୁ ଝିଅଙ୍କୁ ଯେଉଁଯାଏ ବୁଲାଇଲେ ରକତ ଗୋଡରୁ ବହି ନଥିଲା। ସୀମାନ୍ତ ଘେନି ପୋଖରୀ ଦିପଦଣ୍ଡି କଲେ। ଦିପଦଣ୍ଡି କରି ଝିଅକୁ ଆଣି ତହିଁରେ ରଖିଲେ। ରାଣୀମାନେ ରାଜାଙ୍କ ମୁଣ୍ଡଛେଚି ମାଇଲେ, ସେଇଦିନୁ ପୋଖରୀ କୌଶଲ୍ୟାଗଙ୍ଗ ହୋଇଲା। ଏହି କିମ୍ବଦନ୍ତୀରେ ତତ୍କାଳୀନ ବ୍ରାହ୍ମଣମାନଙ୍କର କଥା କିପରି ରାଜା ଗ୍ରହଣ କରୁଥିଲେ ଏହା ମାତ୍ର ଉଦାହରଣ। ଏତଦ୍ବ୍ୟତୀତ ପାପପୁଣ୍ୟର ବିଚାର ଗଳ୍ପରେ ପରିଲକ୍ଷିତ ହୋଇଥାଏ।
ସେହିପରି ଗଜପତି କପିଳେନ୍ଦ୍ରଙ୍କ ସଂପର୍କରେ ପାଞ୍ଜିରେ ବହୁ କାହାଣୀ ଦୃଷ୍ଟିଗୋଚର ହୋଇଥାଏ। ସେଥିମଧ୍ୟରୁ କପିଳା ମୁଣ୍ଡ ଉପରେ ସାପ ଫଣା ଟେକି ଛାଇକୁ ପ୍ରତିରୋଧ କରିବା ଏବଂ ସେ ରାଜା ହେବା କାହାଣୀଟି ହେଉଛି – ‘କପିଳ ଗଛମୂଳେ ଶୋଇଅଛନ୍ତି ମୁହଁରେ ଖରା ପଡିଲାକୁ ନାଗସାପ ଫଣା ଟେକିଅଛି। ଏମନ୍ତ ଦେଖି କପିଳକୁ ବ୍ରାହ୍ମଣ ଉଠାଇ ଦେଖିଲେ କିଛି ଆପଦ ନାହିଁ। ସେ ଦିନୁ ବ୍ରାହ୍ମଣ କପିଳଠାରେ ବଡ ସୁଖ କରିଥାଇ। ଥୋକାଏ ଦିନ ଉତ୍ତାରେ ବ୍ରାହ୍ମଣ ଘରୁ କପିଳ ବାହାର ହୋଇ ତେରାଟିଆଙ୍କ ସଙ୍ଗେ ସାଙ୍ଗ ହୋଇ ଚୋରି କଲେ। ପୁଣି ଥୋକାଏ ଦିନ ଉତ୍ତାରୁ ଭିକାରି ହୋଇ ଶ୍ରୀପୁରୁଷୋତ୍ତମ କ୍ଷେତ୍ରେ ମାଗି ଖାଆନ୍ତି। ଏମନ୍ତରେ ରାଜା ବିମ୍ବଳାଇଙ୍କଠାରେ ଦେଖି ବୋଇଲେ ତୁମ୍ଭେ କି ଲୋକ। କପିଳ କହିଲେ ଆମ୍ଭେ ସୂର୍ଯ୍ୟବଂଶୀ ରାଉତ। ଏଥକୁ ରାଜା କହିଲେ ଆମ୍ଭଠାରେ ଚାକର ରହ। ଏଥକୁ କପିଳ ରାଉତ ଚାକର ରହିଲେ। ଥୋକାଏ ଦିନ ଉତ୍ତାରୁ ପରମେଶ୍ବର କପିଳ ରାଉତଙ୍କୁ ରାଜା କରି ଆଜ୍ଞା ଦେଲେ।
ମାଦଳାପାଞ୍ଜିକୁ ବିଶ୍ଳେଷଣ କଲେ ଅନେକ କିମ୍ବଦନ୍ତୀ ଓ କାହାଣୀ ଉପଲବ୍ଧ ହୋଇଥାଏ। କିମ୍ବଦନ୍ତୀ ଓ କାହାଣୀ ସଂଯୋଗରେ ଏହାର ଐତିହାସିକ ମୂଲ୍ୟ କ୍ଷୁର୍ଣ୍ଣ ହେଲେହେଁ ସାହିତ୍ୟିକ କଳାତ୍ମକତା ପରିଲକ୍ଷିତ ହୋଇଥାଏ। ଓଡିଆ ଗଦ୍ୟ ସାହିତ୍ୟ ବିକାଶରେ ମାଦଳାପାଞ୍ଜିର ସ୍ଥାନ ସ୍ବତନ୍ତ୍ର। ଡକ୍ଟର ସୁନୀତ କୁମାର ଚାଟାର୍ଜୀଙ୍କ ମତରେ ଖୁଟିନାଟି ବ୍ୟାପାରରେ ଭୁଲଭ୍ରାନ୍ତି ଦୋଷତ୍ରୁଟି ଥାକିଲେ ଓ ପାଞ୍ଜିତେ ଅନ୍ତତଃ ମଧ୍ୟଯୁଗର ଉଡିୟା ଗଦ୍ୟର ମୂଲ୍ୟବାନ ନିଦର୍ଶନ ଲିଖିତ ହୋଇଛି ତାହା ସ୍ବୀକାର କରିତୟେ।’ ଯଥାର୍ଥରେ ଓଡିଆ ଗଦ୍ୟ ସାହିତ୍ୟ ବିକାଶ ଆଲୋଚନାରେ ମାଦଳାପାଞ୍ଜି ନିଜର ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।
ମାଦଳାପାଞ୍ଜିରେ ତିନିପ୍ରକାର ଭାଷା ପରିଲକ୍ଷିତ ହୁଏ। ଯଥା:-(୧) ସାଧାରଣ ଭାଷା (୨) ମୁଦଲଭାଷା (୩)ଘୋଷଣାଭାଷା। ସାଧାରଣ ଭାଷା ସରଳ ଓ ସୁବୋଧ। ମୁଦଲର ଭାଷା ସଂସ୍କୃତ ଶଦ୍ଦ ବହୁଳ। ଏହାର କାବ୍ୟ ଯଥେଷ୍ଟ ଦୀର୍ଘ ଓ ଜଟିଳ। ଘୋଷଣାଭାଷା କେତେକ କ୍ଷୁଦ୍ର ବାକ୍ୟର ସମ୍ମିଶ୍ରଣ। ଏହା ବ୍ୟତୀତ ପୂଜାବିଧି, ଚିଠି ଓ ପରୱାନାର ଭାଷା ସ୍ବତନ୍ତ୍ର। ମାଦଳାପାଞ୍ଜି କୌଣସି ନିର୍ଦ୍ଧିଷ୍ଟ ଭାଷା ଶୈଳୀକୁ ଅନୁସରଣ କରିନାହିଁ। ବିଭିନ୍ନ ଲିଖନକାରଙ୍କଦ୍ବାରା ବିଭିନ୍ନ ସମୟରେ ଲିଖନ କରାଯାଇଥିବାରୁ ଏହାର ଭାଷାରେ ଶୈଳୀଗତ ପାର୍ଥକ୍ୟ ପରିଲକ୍ଷିତ ହେବା ସ୍ବାଭାବିକ। ଅଳଙ୍କାର ସଂଯୋଜନା କ୍ବଚିତ ପରିଲକ୍ଷିତ ହୋଇଥାଏ।
ପରବର୍ତ୍ତୀ କାଳରେ ଓଡିଆ ସାହିତ୍ୟରେ ମାଦଳାପାଞ୍ଜିର ପ୍ରଭାବ ସ୍ପଷ୍ଟ। ବହୁକାବ୍ୟ ନାଟକ ଉପନ୍ୟାସରେ ମାଦଳାପାଞ୍ଜି ବର୍ଣ୍ଣିତ କାହାଣୀକୁ ନେଇ ସୃଷ୍ଟି ହୋଇଛି। ଓଡିଆ ଲୋକ ସାହିତ୍ୟ ଦିଗରୁ ମାଦଳାପାଞ୍ଜି ସ୍ବତନ୍ତ୍ର ଆଲୋଚନା ଆବଶ୍ୟକ। ଓଡିଆ ପୁରପଲ୍ଲୀରେ ଅଦ୍ୟାବିଧି ନିତେଇ ଧୋବଣୀ, କାଉଁରୀ ମନ୍ତ୍ର, ଗୁଣିଗାରେଡି ପ୍ରଭୃତି ଲୋକକଥା ପ୍ରଚଳିତ।
ପୁରୁଷୋତ୍ତମଙ୍କ ‘କାଞ୍ଚକାବେରୀ କାବ୍ୟ’ର କଥାବସ୍ତୁ ମାଦଳାପାଞ୍ଜିରୁ ସଂଗୃହୀତ କାଞ୍ଚିରୁ ଗଣେଶ ଶ୍ରୀକ୍ଷେତ୍ର ଆସିବା, ସାନବିପ୍ର ବଡବିପ୍ର କଥା, ମାଣିକ ଗଉଡୁଣୀ କଥା ଓ ଛେରା ପହରା ପ୍ରସଙ୍ଗ ଇତ୍ୟାଦି ଏହି କାବ୍ୟରେ ବର୍ଣ୍ଣିତ। ବଳରାମଦାସଙ୍କ ଜଗମୋହନ ଛାନ୍ଦ, ଚକ୍ରପାଣି ପଟ୍ଟନାୟକଙ୍କ ଗୁଣ୍ଡିଚା ଚାମ୍ପୁର କଥାବସ୍ତୁ ଉପରେ ମାଦଳାପାଞ୍ଜିର ପ୍ରଭାବ ପରିଲକ୍ଷିତ ହୋଇଥାଏ। କୃପାସିନ୍ଧୁ ଦାସଙ୍କ ଚତୁର୍ଦ୍ଧାମୂର୍ତ୍ତି ଜଗନ୍ନାଥ ଦାସଙ୍କ ନିତ୍ୟନୀଳାଦ୍ରି ବିଳାସ ଓ ଦାରୁବ୍ରହ୍ମ ଗୀତାରେ ସେବାଉପାସନା ପ୍ରସଙ୍ଗ, ଇନ୍ଦ୍ରଦ୍ୟୁମ୍ନ ପ୍ରସଙ୍ଗ ପ୍ରଭୃତି ମାଦଳାପାଞ୍ଜିର ଅନୁରୂପ। ମାଗୁଣି ଦାସ, ଦାମୋଦର ଦାସ ଓ ନୀଳାମ୍ବର ଦାସଙ୍କ ଦେଉଳ ତୋଳାରେ ବର୍ଣ୍ଣିତ ଗାଲମାଧବ ପ୍ରସଙ୍ଗ ପାଞ୍ଜିର ଅନୁସରଣରେ କରାଯାଇଛି। ସେହିପରି ଚାନ୍ଦଦାସ ଗୋପୀଚନ୍ଦନ କାବ୍ୟରେ ବର୍ଣ୍ଣିତ ରାମଚନ୍ଦ୍ରଦେବଙ୍କ ଅଭିନବ ଇନ୍ଦ୍ରଦ୍ୟୁମ୍ନ ପ୍ରସଙ୍ଗ ପାଞ୍ଜିର ଅନୁରୂପ। ସପ୍ତଦଶ ଶତାଦ୍ଦୀରେ ଜଗନ୍ନାଥ ନାରାୟଣ ଦେବଙ୍କ ଲିଖିତ ଗଙ୍ଗାଯାତ୍ରା ବିବରଣୀରେ ଶ୍ରୀଜଗନ୍ନାଥଙ୍କୁ ପାତାଳି ପାଇଁ ନିଆଯାଇଥିବା ଗତିପଥର ସ୍ଥାନ ବର୍ଣ୍ଣନା ଅବିକଳ ପାଞ୍ଜିରେ କରାଯାଇଛି।
କବିବର ରାଧାନାଥ ରାୟ ‘ପାର୍ବତୀ’ କାବ୍ୟରେ ଚୋଡଗଙ୍ଗ ଦେବ ଓ କୌଶଲ୍ୟାଙ୍କର ଯେଉଁ ଅବୈଧ ପ୍ରଣୟର ବର୍ଣ୍ଣନା କରିଛନ୍ତି ସେଥିପାଇଁ ସେ ପାଞ୍ଜି ଉପରେ ନିର୍ଭରଶୀଳ। ରାଧାନାଥ ‘ଚିଲିକା’ କାବ୍ୟରେ ରକ୍ତବାହୁ ପ୍ରସଙ୍ଗ ମାଦଳାପାଞ୍ଜିର ଅବଲମ୍ବନରେ ଲିଖିତ ଗଜପତି ପୁରୁଷୋତ୍ତମ ଦେବଙ୍କ ସହ କାଞ୍ଚିରାଜ ଜେମାଙ୍କ ବିବାହ ବିବାଦ ପ୍ରସଙ୍ଗରେ କାଞ୍ଚିଯୁଦ୍ଧରେ ଶ୍ରୀଜଗନ୍ନାଥ ଓ ବଳଭଦ୍ର କଳାଘୋଡା ଓ ଧଳାଘୋଡା ଚଢିଯିବା, ମାଣିକ ଗଉଡୁଣୀଠୁ ଦୁହେଁ ଦହିଖାଇବା ପାଞ୍ଜି ବର୍ଣ୍ଣିତ କହାଣୀ। ପାଞ୍ଜିବର୍ଣ୍ଣିତ କାହାଣୀକୁ ଅନୁସରଣ କରି ରାମଶଙ୍କର ରାୟ ‘କାଞ୍ଚିକାବେରୀ’ ନାଟକ, ଗୋଦାବରୀଶ ମିଶ୍ର ପୁରୁଷୋତ୍ତମ ଦେବଙ୍କ ନାଟକ ଓ କାଳୀ ଚରଣ କାଞ୍ଚିଅଭିଯାନ ନାଟକ ଲିଖିତ ଓ ପାଠକ ଆଦିଙ୍କ ଦ୍ବାରା ଆଦୃତ। ଗୋଦାବରୀଶଙ୍କ ମୁକୁନ୍ଦଦେବ ଓ ଅଶ୍ବନୀକୁମାର କଳାପାହାଡ଼ ନାଟକରେ ମୂଳ ଘଟଣା ପାଞ୍ଜିକୁ ଅନୁସରଣ କରିଛି। ସୁରେନ୍ଦ୍ର ମହାନ୍ତି ଅତ୍ୟାଧୁନିକ ଯୁଗରେ ‘ନୀଳଶୈଳ’ ଓ ‘ନୀଳାଦ୍ରି ବିଜୟ’ ଉପନ୍ୟାସ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ରଚିତ। ଦ୍ବିତୀୟ ରାମଚନ୍ଦ୍ରଦେବଙ୍କ ସମୟରେ ମୁସଲମାନ ଆକ୍ରମଣରୁ ଶ୍ରୀଜଗନ୍ନାଥଙ୍କୁ ରକ୍ଷାକରିବା ପାଇଁ ଚିଲିକାରେ ଲୁକାୟିତ ଭାବରେ ରହିବା ଓ ପରେ ରତ୍ନସିଂହାସନରେ ବିଜେହେବାର ଘଟଣାକୁ ନେଇ ଏ ଦୁଇ ଉପନ୍ୟାସ ରଚିତ। ପାଞ୍ଜି ବର୍ଣ୍ଣିତ କିମ୍ବଦନ୍ତୀକୁ ସୁରେନ୍ଦ୍ର ମହାନ୍ତି ବିଷୟବସ୍ତୁ ରୂପେ ଗ୍ରହଣ କରିଛନ୍ତି। ପର୍ଯ୍ୟାଲୋଚନା କଲେ ଜଣାଯାଏ ଆଜିପର୍ଯ୍ୟନ୍ତ ମାଦଳାପାଞ୍ଜି ଓଡିଆ ସାହିତ୍ୟର ବିଭିନ୍ନ ଦିଗକୁ ପ୍ରଭାବିତ କରିଆସିଛି।
ମାଦଳାପାଞ୍ଜିର ପ୍ରଭାବରେ ଓଡିଶାରେ ଅନେକ ଗୁଡିଏ ପାଞ୍ଜି ଦେଖାଯାଏ। ଜଗନ୍ନାଥ ମହାପ୍ରଭୁ ଓ ଠାକୁର ରାଜାଙ୍କ ଉପରେ ମାଦଳାପାଞ୍ଜି ରଚିତ ହୋଇଥିବାରୁ ଉତ୍କଳରେ ଏହା ସର୍ବତ୍ର ସୁପରିଚିତ ସହ ପ୍ରଭାବ ବିସ୍ତାର କରିବା ସ୍ବାଭାବିକ। ମାଦଳାପାଞ୍ଜିର ଅନୁକରଣରେ ‘କଳାହାଣ୍ଡିମାଦଳା’, ‘କେଉଁଝରମାଦଳା’ ରଚିତ। ଏହା ବ୍ୟତୀତ ଗୋପୀନାଥ ମିଶ୍ରଙ୍କ ପଟିଆ ରାଜାଙ୍କ ବଂଶାବଳୀ, ସୂର୍ଯ୍ୟମଣି ଚ୍ୟାଉ ପଟ୍ଟନାୟକଙ୍କ ‘ଘୁମୁସୁର ଭଟ୍ଟ ବଂଶାବଳୀ’ ପଦ୍ମନ ସିଂହଙ୍କ ‘ନାଗବଂଶ ରଚିତ’ ଫକୀର ଚଇନଙ୍କ ‘ଚଇନଙ୍କ ଚକଡ଼ା’ ମାଦଳାପାଞ୍ଜି ପ୍ରଭାବରେ ରଚିତ।
ମାଦଳାପାଞ୍ଜିକୁ ସାହିତ୍ୟ ରୂପେ ଗ୍ରହଣ ନକଲେହେଁ ଅତୀତ ଘଟଣାବଳୀର ଲିପିବଦ୍ଧ କରିବାର ପ୍ରଥମ ପ୍ରୟାସ। ଏଥିରେ ଅନେକ ସାହିତ୍ୟିକ କଥାବସ୍ତୁର ଐତିହାସିକ ତଥ୍ୟ ରହିଛି। ପାଞ୍ଜି ବର୍ଣ୍ଣିତ ଅନେକ ଅଦ୍ଭୁତ କାହାଣୀ ମଧ୍ୟ ପାଠକକୁ ଆନନ୍ଦ ପ୍ରଦାନ କରିଥାଏ। ମାଦଳାପାଞ୍ଜି ସମ୍ପର୍କରେ ଏତିକି କୁହାଯାଇପାରେ ପାଞ୍ଜିକାରଗଣ ଯଥାର୍ଥତଃ ସାହିତ୍ୟିକ ନହେଲେହେଁ ସେମାନଙ୍କର କଳ୍ପନା ବିକାସିତା ଓ କାହାଣୀ ବର୍ଣ୍ଣନାର କଳା ଆଜି ପର୍ଯ୍ୟନ୍ତ ଓଡିଆ ସାହିତ୍ୟିକମାନଙ୍କୁ ପ୍ରଭାବିତ କରିଥିବାରୁ ଏହାର ସାହିତ୍ୟିକ ଅବଦାନକୁ ଅସ୍ବୀକାର କରାନଯାଇପାରେ। ଏବଂ ମାୟାଧର ମାନସିଂହଙ୍କ ମତ ହେଲା ‘ଛିନ୍ନ-ବିଚ୍ଛିନ୍ନ ଭାବରେ ଆମେ ପାଞ୍ଜିର ପୃଷ୍ଠାମାନଙ୍କରୁ ପ୍ରାଚୀନ ଓଡିଶାର କେତୋଟି ସାମାଜିକ ଚିତ୍ରାବଳୀ ପାଉ ତାହାହିଁ ବୋଧହୁଏ ଏହି ଗ୍ରନ୍ଥର ଏକମାତ୍ର ସାହିତ୍ୟିକ ମୂଲ୍ୟ।