କେଁ କେଁ କେନ୍ଦରା ମୁଁ କେତେ ବଜେଇଲି।
ଏକା ଲୀଳା ଲାଗି ସିନା ଯୋଗୀ ହୋଇଗଲି।
ଟୁକୁନା ଗୁଣୁଗୁଣୁ ହୋଇ ଏହି ଦୁଇଧାଡ଼ି ଗୀତ ବୋଲୁଥାଏ। ଲତା ଅପାଠାରୁ ସେ ଏହି ଗୀତ ପଛରେ ଥିବା ଗପ ଶୁଣିଥିଲା।
ସାଧବ ଭାରିଜା ଲୀଳା, ଖୁବ୍ ସୁନ୍ଦରୀ। ରାଜାପୁଅର ଆଖି ପଡ଼ିଗଲା। ସେ ସାଧବ ଭାରିଯାକୁ ବିଭାହେବ ବୋଲି ମନକଲା।
ରାଜାପୁଅ ନଈ ତୁଠରେ ଖଟିଆ ପକେଇ ଜଗିବସିଥାଏ। ବନ୍ସୀ ପକଉଥାଏ ଏବଂ ଗଉଡ଼କୁ ଜଗେଇଥାଏ। ସାଧବ ଭାରିଯା ନଈତୁଠକୁ ଆସିଲେ ଖଟିଆରେ ପକେଇ ନଅରକୁ ଉଠେଇନେବ। ସାଧବ ଭାରିଯା ବାହାରକୁ ବାହାରେନାହିଁ।
ସାଧବ ତ ସବୁଦିନେ ଘରେ ରହିପାରିବନାହିଁ, ସେ ବେପାରବଣିଜ କରିବାକୁ ଦେଶବିଦେଶ ଯିବ। ସାଧବ ବୋଇତ ସଜ କଲା, କିନ୍ତୁ ମନରେ ଶଙ୍କା। ଲୀଳାବତୀର ସୁରକ୍ଷା ପାଇଁ ଘର ଚାରିପାଖେ ମେଘନାଦ ପାଚେରି ବୁଲେଇଲା, ପାଚେରି ଭିତରେ ଧୋବା, କାଚରା, ବଣିଆ, ତେଲି, ଭଣ୍ଡାରି, ମାଳୀ, କେଉଟ-ଏମିତି ସବୁ ପାଟକରୁ ଜଣେ ଜଣେ ରଖେଇଲା। ଯାହା ଯାହା ଦରକାର, ସବୁ ଖଞ୍ଜିଦେଲା, ଯେମିତିକି ଭାରିଯାକୁ ବାହାରକୁ ଯିବାକୁ ପଡ଼ିବନାହିଁ। ଭାରିଯାକୁ କହିଲା, ରାଜାପୁଅ ଭାରି ହଟିଆ, ବାହାରେ ପକେଇବସିଛି ଖଟିଆ, ଓର ଉଣ୍ଡୁଛି ତତେ ଧରିନେବ। ବାଟରେ କଦଳୀଗଛ ଲଗେଇଲା ଏବଂ କଦଳୀ ଗଛକୁ କହିଲା, ତୁ ଯେବେ ସତ୍ୟଯୁଗର କଦଳୀଗଛ ହୋଇଥିବୁ, ମୁଁ ବାହୁଡ଼ିଲା ବେଳକୁ ଲୀଳାବତୀ ଘରେ ଥିଲେ, ତୁ ଜିଇଁଥିବୁ। ଯଦି ମୋ’ ଭାରିଯାକୁ ରାଜାପୁଅ ହରିନେଇଥାଏ, ତେବେ ତୁ ମରିଯିବୁ। ସାଧବ ବଣିଜ କରିବାକୁ ବୋଇତ ନେଇ ଚାଲିଗଲା।
ରାଜାପୁଅ ଭଣ୍ଡାରୁଣୀକୁ ଲୋଭ ଦେଖେଇ ସଲାସୁତୁରା କଲା। ଭଣ୍ଡାରୁଣୀ ନଖ କାଟିବା ବାହାନାରେ ସାଧବ ବୋହୂ ପାଖକୁ ଗଲା। ସାଧବ ବୋହୂକୁ ଫୁସୁଲାଫୁସୁଲି କରି ନଈତୁଠକୁ ପଠେଇଦେଲା। ରାଜାପୁଅ ନଈତୁଠରୁ ସାଧବ ବୋହୂକୁ ଖଟିଆରେ ଉଠେଇନେଲା ନଅର ଭିତରକୁ-ତାକୁ ନୂଆରାଣୀ କରି ରଖିଲା। କିଛି ବରଷ ପରେ ସାଧବପୁଅ ବଣିଜ କରି ଫେରିଲା। ଦେଖିଲା କଦଳୀଗଛ ମରିଯାଇଛି। ଆଉ ଘରକୁ ଯିବ କ’ଣ, ଯାହା ଧନ ଅରଜିଥିଲା ପାଣିକୁ ପକେଇଦେଲା। ନାଉରିକୁ ଦେଇଦେଲା ବୋଇତ। କଉପୁନି ଖଣ୍ଡେ ମାଇଲା, ମୁଣ୍ଡରେ ଜଟା ଛାଡ଼ିଲା, ଦେହରେ ପାଉଁଶ ବୋଳିହେଲା ଏବଂ କେନ୍ଦରାଟାଏ ଧରି ଘର ଘର ବୁଲି ଭିକ ମାଗିଲା। କେନ୍ଦରାରେ ଗୀତ ବୋଲୁଥାଏ, କେଁ କେଁ କେନ୍ଦରା ମୁଁ କେତେ ବଜେଇଲି…..
ଏହି ଗପ ଲତାଅପାଠାରୁ ଶୁଣିଲା ବେଳେ ଟୁକୁନାର ମନେପଡ଼େ ମାମୁଘର ଗାଁରେ ଦେଖିଥିବା ଯୋଗୀ। ତା’ ମାମୁଘର ମଫସଲ ଗାଁରେ, ଚଇତ୍ର, ବୈଶାଖ ମାସରେ ସ୍କୁଲ ଛୁଟି ହେଲେ, ସେ ମାମୁଘରକୁ ଯାଏ। ଗୋଟିଏ ଯୋଗୀ ଆସେ, କେନ୍ଦରା ବଜେଇବଜେଇ ଗୀତ ବୋଲି ଭିକ ମାଗେ। ତା’ ଗୀତ ବହୁତ କରୁଣ ଲାଗେ। ଗାଁରେ ସ୍ତ୍ରୀଲୋକମାନେ ସେ ଯୋଗୀକୁ ଅଧିକ ଚାଉଳ ଦେଇ, ତାକୁ ବସେଇ ତା’ ଠାରୁ ଗୀତ ଶୁଣନ୍ତି। ଏହି ଗପ ଲତାଅପାଠାରୁ ଶୁଣିଲା ବେଳେ ଟୁକୁନାର ମନେପଡ଼େ ମାମୁଘର ଗାଁରେ ଦେଖିଥିବା ଯୋଗୀ।
ଲତାଅପା ଅନେକ ଗପ ଜାଣେ। ସାଧବ ପୁଅ, ଚାରି ସଙ୍ଗୀତ, ବୁଢୀ ଅସୁରୁଣୀ, ଚକୁଳିଆ ପଣ୍ଡା-ଏମିତି କେତେ ଗପ। ପୁଣି କଟକ ସହର ବିଷୟରେ, କଟକର ଇତିହାସ ଓ ପରମ୍ପରା। କଟକ ସହରରେ ଆଗେ ବିଜୁଳି ବତି ନ ଥିଲା। ମ୍ୟୁନିସିପାଲଟି ତରଫରୁ ମୁଖ୍ୟ ରାସ୍ତା କଡ଼ରେ କିରୋସିନି ବତି ଜଳାହେଉଥିଲା। ଏତେ ଲୋକ ହାଉଜାଉ ହେଉ ନ ଥିଲେ। ଯୋବ୍ରା, ଶିଖରପୁର ଅଞ୍ଚଳ ବଣୁଆ ଥିଲା, ଖରାବେଳେ ବିଲୁଆ, ଗଧିଆ ବୁଲୁଥିଲେ। ମହାନଦୀ କୂଳେ, ଶିଖରପୁର ରେଳପୋଲ ପାଖରେ ଯୋଉ ବରଗଛ ଅଛି, ସେପଟେ ଲୋକେ ଦିନରେ ବି ଯିବାକୁ ଭୟ କରୁଥିଲେ। ସେ ବରଗଛରେ ଗୋଟିଏ ଭୂତୁଣୀ ବାସ କରୁଥିଲା। ସଞ୍ଜ ଗଡ଼ିଗଲା ପରେ ସେ ଭୂତୁଣୀ ଗୋଟିଏ ସୁନ୍ଦର ଝିଅ ବେଶରେ ସେହି ବରଗଛ ପାଖରେ ଛିଡ଼ା ହେଉଥିଲା। ସେପଟେ ଯାଉଥିବା ଲୋକେ ଝିଅଟିକୁ ଦେଖୁଥିଲେ। ଖରାପ ପ୍ରକୃତିର ଲୋକେ ତା’ ପିଛା କରୁଥିଲେ। ଝିଅଟି ଚାଲିଚାଲି ନଈ ଭିତରକୁ ଚାଲିଯାଉଥିଲା। ତାକୁ ପିଛା କରୁଥିବା ଲୋକେ ମୋହଗ୍ରସ୍ତ ହୋଇପଡ଼ୁଥିଲେ, ତାଙ୍କର ଜ୍ଞାନ ହଜିଯାଉଥିଲା। ନଈରେ ପଡ଼ି ସେମାନେ ଭାସିଯାଉଥିଲେ। ଏମିତି କେତେ ଲୋକ ମରିଛନ୍ତି। ଟୁକୁନା ପଚାରେ, ସେ ଝିଅ କିଏ?
ଲତାଅପା କହେ, ସେ ଝିଅଟିର ଘର ମଫସଲ ଗାଁରେ, ରେଭେନ୍ସା କଲେଜରେ ହଷ୍ଟେଲରେ ରହି ପଢୁଥିଲା। ତା’ ସାଙ୍ଗରେ ପଢୁଥିବା ଗୋଟିଏ ପିଲାକୁ ସେ ଭଲପାଉଥିଲା। ଦିନେ ସେମାନେ ନିରୋଳା ଜାଗା ଦେଖି ଗପସପ ହେବାକୁ ଏହି ବରଗଛ ମୂଳକୁ ଚାଲିଆସିଥିଲେ। ସଂଜ ହୋଇଆସୁଥିଲା। ତିନି ଚାରିଜଣ ଦୁଷ୍ଟ ଲୋକ ସେ ଦୁହିଁଙ୍କୁ ଦେଖି, ସେ ଟୋକାକୁ ବାଡ଼େଇ, ଝିଅଟିକୁ ଟେକି ନେଇଗଲେ। ତା’ ସହ ଖରାପ ବ୍ୟବହାର କଲେ, ତା ଉପରେ ଅତ୍ୟାଚାର କଲେ। ଝିଅଟି ମରିଗଲା। ସେମାନେ ଝିଅଟିକୁ ମହାନଦୀରେ ଭସେଇଦେଲେ। ସେହି ଝିଅଟିର ଆତ୍ମା ସେ ବରଗଛରେ ରହୁଛି। ଆଗରୁ ଏମିତି ଅନେକ ଦୁଷ୍ଟ ଲୋକଙ୍କୁ ସେ ଭ୍ରମରେ ପକେଇ ମାରିଦେଇଛି, ପ୍ରତିଶୋଧ ନେଇଛି। ଏବେ କିଛିବର୍ଷ ହେଲା ସେ ଭୂତୁଣୀ ଲୋକଙ୍କୁ ମାରୁନାହିଁ। ବେଳେବେଳେ ସେ ଗଛ ମୂଳେ ମନ ମାରି ବସିଥିବାର ଲୋକେ ଦେଖିଥିବା କଥା କୁହନ୍ତି, ସେ କାନ୍ଦୁଥିବାର ମଧ୍ୟ ଲୋକେ ଶୁଣିଛନ୍ତି ବୋଲି କୁହନ୍ତି।
ଟୁକୁନାର ସେ ଭୂତୁଣୀକୁ ଦେଖିବାକୁ ଇଚ୍ଛା ହୁଏ। ସେ ଲତାଅପାକୁ ପଚାରେ, ସେ ଝିଅ ମତେ ଦେଖିଲେ କ’ଣ ମାରିଦେବ? ଲତାଅପା ହସେ, ତା’ ଗାଲକୁ ଚିମୁଟିଦେଇ କହେ, ତୁ ତ ପିଲାଲୋକ, ତୁ କଣ ଦୁଷ୍ଟଲୋକ? ସେ କେବଳ ଦୁଷ୍ଟଲୋକ, ଖରାପ ଚରିତ୍ରର ଲୋକଙ୍କୁ ମାରେ।
ଟୁକୁନା ଷଷ୍ଠ ଶ୍ରେଣୀରେ ପଢ଼େ। ଲତାଅପା ତା’ ଦାଦାଙ୍କ ଝିଅ। ତା’ ଦାଦାଙ୍କର ବାପା ଓ ତା’ ବାପାଙ୍କର ବାପା ଜଣେ ଲୋକ ନୁହନ୍ତି। ତା’ ଜେଜେଙ୍କ ବାପା ଓ ଲତାଅପାର ଜେଜେଙ୍କ ବାପା ଜଣେ। ସେମାନେ ଅନେକ ଦିନରୁ ଭିନ୍ନେ ହୋଇଛନ୍ତି, ଅଲଗା ଅଲଗା ରୁହନ୍ତି। କିନ୍ତୁ ସମ୍ପର୍କ ଘନିଷ୍ଠ। ଟୁକୁନାର ନିଜର ଦୁଇ ଭାଇ, ଦୁଇ ଭଉଣୀ। ତା’ର ଦୁଇ ଜଣ ଅପା ବାହା ହୋଇଯାଇଛନ୍ତି। ଲତାଅପାର ଗୋଟିଏ ଭାଇ, ସେ ବଡ଼। ସେ ଚାକିରି କରିଚି, ଲତାଅପା ସୁନ୍ଦର, ତା’ କଥା ମଧୁର। ତା’ ନିଜ ଅପାଙ୍କର କଥାଗୁଡ଼ାକ ଟାଆଁଶିଆ। ସେମାନେ କେହି ଗପ ଜାଣନ୍ତିନାହିଁ, କିଛି ଜାଣନ୍ତିନାହିଁ। ଟୁକୁନା ବାପାଙ୍କର ଦୋକାନ ଅଛି। ତା’ ବାପା ଓ ବଡ଼ଭାଇ ବେପାର କରନ୍ତି। ସହଳ ସହଳ ସକାଳୁ ବାହାରିଯାଆନ୍ତି, ଘରକୁ ଫେରନ୍ତି ରାତି ଦଶଟା ଏଗାରଟା ବେଳକୁ। ତା’ ବାପା ଭାଇ ସବୁବେଳେ ଗରଗର, ରାଗିଲା ରାଗିଲା ମୁହଁ। ତାଙ୍କୁ କିଛି ପଚାରିବାକୁ ଟୁକୁନାକୁ ଭୟ ଲାଗେ। ଲତା ଅପାଙ୍କ ବାପା ସ୍କୁଲରେ ପାଠ ପଢାନ୍ତି। ତାଙ୍କର ଚାଳଘର ଥିଲା। ଲତାଅପାର ଭାଇ ଚାକିରି କଲା ପରେ, ଚାଳଘର ଭାଙ୍ଗି ଏହି ବର୍ଷେ ହେଲା ସେମାନେ କୋଠାଘର କରିଛନ୍ତି।
ଲତାଅପା ବାହାହୋଇଥିଲା, ଛଅମାସ ନ ପୂରୁଣୁ ଶାଶୂଘରେ ଝଗଡ଼ା କରି ଏକାଏକା ଚାଲିଆସିଛି। ଘରେ ସମସ୍ତଙ୍କ ମନ ଦୁଃଖ। ଦାଦା ଗୁମ୍ ମାରି ବସିଛନ୍ତି, ଖୁଡ଼ୀ ଗରଗର ହେଉଛନ୍ତି। କିନ୍ତୁ ଟୁକୁନାର ମନ ଖୁସି, ଲତାଅପା ଶାଶୂଘରୁ ଆସିଲା ଦିନରୁ ଟୁକୁନା ତା’ ପାଖ ଛାଡ଼ୁନି। ଘର ଭିତରେ ଲତାଅପା ଶାଶୂଘର ବିଷୟରେ ଗପ ଚାଲିଛି। ଟୁକୁନା ସବୁ ଶୁଣୁଛି।
ଲତାଅପା ଶାଶୂଘର ନିପଟ ମଫସଲ ଗାଁରେ। ବର ପାଠ ପଢି କଲେଜରେ ଅଧ୍ୟାପକ ହେଲେ କଣ ହେବ, ତା’ ବାପାମା’ ନିପଟ ଗାଉଁଲି। ବସ୍ଷ୍ଟାଣ୍ଡରୁ ତାଙ୍କ ଗାଁ ପାଞ୍ଚ ମାଇଲ୍। ରିକ୍ସା ବି ଚାଲେନି। ଝିଅବୋହୂ ବସଷ୍ଟାଣ୍ଡରୁ ଶଗଡ଼ ଗାଡ଼ିରେ ଯାଆନ୍ତି। ଲତାଅପା ତା’ ଶାଶୂଘର କଥା କହେ। ସେ ଯେବେ ପ୍ରଥମେ ପହଞ୍ଚିଲା, ତାକୁ ଦେଖିବାକୁ ଗାଁ ମାଇପେ ଘେରିଗଲେ। ଗୋଟିଏ ବୁଢୀ ତା’ ଓଠକୁ ଟେକି ମୁହଁକୁ ନିରେଖିଦେଖିଲା। ଲତାଅପା ଭାବିଲା, ସେ ତା’ ମୁହଁ ସିନା ଦେଖୁଛି, କିନ୍ତୁ ସେ ବୁଢୀ କହିଲା, ନାକ କ’ଣ ଫୋଡ଼େଇନି? ତୋ ବାପାକୁ ସୁନା ଟିକକରେ ନାକଫୁଲ ଦି’ଟା କରିବାକୁ ପଡ଼ିବ ବୋଲି ଫୋଡ଼େଇନୁ ନା କ’ଣ ବା?
ରାଗରେ ଲତାଅପାର ଦେହ ଜଳିଗଲା, କିନ୍ତୁ ସେ କିଛି କହିଲାନାହିଁ। ଜଣେ ସ୍ତ୍ରୀଲୋକ କହିଲା, ଆଜିକାଲି କୋଉ ଝିଅ ନାକ ଫୋଡ଼ାଉଛନ୍ତି? ସେ ମରହଟ୍ଟୀ ଯୁଗ ଗଲାଣି। ତମେ ତ ଗାଁରେ ରହିଲ, ଜାଣିବ କାହୁଁ?
ସେ ବୁଢୀ ତା’ ବେକ, ହାତ, କହୁଣୀ, ମଥା, କାନକୁ ଦେଖିଗଲା ଏବଂ କହିଲା, କାହିଁ ସେମିତି କିଛି ସୁନା ଜିନିଷ ତ ଦେଇନାହାନ୍ତି! ଯାହା ଦେଇଛନ୍ତି ସେଗୁଡାକ କେମିତିକା ସୁନା କେଜାଣି! ଆମେ ଗାଉଁଲି, ମୂର୍ଖ। ପଦନ ତ ପାଠୋଇ ବୋହୂ, କଟକୀ ଝିଅ ବାହା ହୋଇଛି, ଜିନିଷ ଯାହା ଦେଲେ ନ ଦେଲେ, ବୋହୂର ଗୁଣ କେମିତି ଦେଖିବା!
ଲତାଅପାର ଶାଶୂଘରେ ଚଳିବାକୁ ଅସୁବିଧା ହେଲା। ପାଇଖାନା ନାହିଁ। ସକାଳୁ ଫର୍ଚ୍ଚା ହେବା ପୂର୍ବରୁ କିମ୍ବା ସଞ୍ଜ ଅନ୍ଧାର ହେଲା ପରେ ବାହାରକୁ ପୋଖରୀପାଣି ଯିବାକୁ ହୁଏ। ସହଳ ସହଳ ଉଠିବାକୁ ପଡ଼ିବ। ପ୍ରଥମ କିଛି ଦିନ ତା’ର ଝାଡ଼ା ସଫା ହେଲାନାହିଁ, ବାନ୍ତି ବାନ୍ତି ଲାଗିଲା। ଗାଧୁଆ ଘର ନାହିଁ, କୂଅ ପାଖରେ ଚାରିଖଣ୍ଡ ବାଉଁଶକଣି ପୋତାଯାଇ ଅଖାପାଲ ଟଙ୍ଗା ହୋଇ ଆଢୁଅ କରାଯାଇଛି। ସେଇଠି ଗାଧୋଇବ। ଗାଧୋଇବାକୁ କୂଅରୁ ପାଣି କାଢି କୁଣ୍ଡରେ ରଖିବାକୁ ହେବ। ପ୍ରଥମେ ପ୍ରଥମେ କେହି କିଛି କହୁ ନ ଥିଲେ। ବାହାଘର ଦିନ ପାଞ୍ଚଟା ଯାଇଛି କି ନାହିଁ, ଆରମ୍ଭ ହୋଇଗଲା। ସବୁ କଥାରେ ଖୁଣିଲେ, ଟିକେ ଟିକେ କଥାକୁ ଧରିବସିଲେ, ଖୁଣ୍ଟା ଦେଲେ। ତରକାରୀ ଟିକେ ଅଲଣା ହୋଇଗଲେ କିମ୍ବା ପାନରୁ ଚୂନ ଖସିଗଲେ ଶାଶୂ କହିବେ, ତୋ ମା’ କଣ ଏତିକି ଟିକେ ଶିଖେଇନି! ଶାଶୂଘରକୁ ପଠେଇବା ଆଗରୁ କ’ଣ ତେବେ ଶିଖେଇଛି ବା?
ଲତାଅପା ସହିଯାଉଥିଲା, କିଛି ଉତ୍ତର ଦେଉ ନ ଥିଲା। କିନ୍ତୁ ଆସ୍ତେ ଆସ୍ତେ ଅସହ୍ୟ ହେଲା। ଦିନେ ସକାଳୁ ଉଠି ତା ଶଶୁର ମୁହଁ ଧୋଇବାକୁ ସେ ପାଣି ରଖିଥିଲା। ତା’ ସାନ ନଣନ୍ଦ ସେହି ପାଣି ନେଇ ମୁହଁ ଧୋଇଦେଲା। ଶଶୁର ଉଠି ଦେଖିଲେ, ମୁହଁ ଧୋଇବାକୁ ତାଙ୍କ କୋଠରି ଆଗରେ ପାଣି ନାହିଁ। ସେ ଶାଶୂଙ୍କୁ ମାଗିଲେ। ଶାଶୂ ପାଣି ଦେଇ ଲତାଅପାଙ୍କୁ କହିଲେ ତତେ କ’ଣ ତୋ ମା’ ଏତିକି ସଣ୍ଠଣା ଶିଖେଇନି?
ଲତାଅପା କହିଲା, ମୁଁ ପାଣି ରଖିଥିଲି।
ଶାଶୂ କହିଲେ, ପାଣି ତ ରଖିଥିଲୁ, ଗଲା କୁଆଡ଼େ? ଢାଳର କଣ ହାତଗୋଡ଼ ଅଛି, ଚାଲିଗଲା?
ଲତାଅପା ଚାରିଆଡ଼କୁ ଚାହିଁଲା ଏବଂ ଦେଖିଲା, ସେହି ଢାଳ ତା ନଣନ୍ଦ ପଦ୍ମା ପାଖରେ ଅଛି, ସେ କହିଲା, ପଦ୍ମା ନେଇଯାଇଛନ୍ତି।
ପଦ୍ମା ମନାକଲା। କହିଲା, ମୁଁ କୂଅରୁ ପାଣି କାଢି ଆଣିଲି। ଲତାଅପା ଜାଣିଲା, ପଦ୍ମା ମିଛ କହୁଛି। ସେ କିଛି ନ କହି ନିରବ ରହିଲା। ତା’ ଶାଶୂ କିନ୍ତୁ ନିରବ ରହୁ ନ ଥିଲେ, ସେ ଖେଞ୍ଚିକରି କଡ଼ା କଥା କହୁଥିଲେ। ଲତାଅପା ରାଗିଗଲା। କହିଲା, ମତେ ସଣ୍ଠଣା ମୋ ମା’ ଶିଖେଇନି ବୋଲି କହୁଛ, ପଦ୍ମା ମା ତାକୁ ଭଲ ସଣ୍ଠଣା ଶିଖଉଛନ୍ତି! ସାମାନ୍ୟ କଥାକୁ ନ ମାନି ପଦ୍ମା ମିଛ କହିବ ଏବଂ ତାଙ୍କ ମା ନ ବୁଝି ନ ସୁଝି ସମର୍ଥନ କରିବେ।
ସେତିକିରେ ଶାଶୂ ନଣନ୍ଦ ଚୁପ୍ ହେବା ଜନ୍ତୁ ନୁହନ୍ତି। କିନ୍ତୁ ଶଶୁର ଥିଲେ। ସେ ପାଟି କରି କହିଲେ, ସକାଳୁ ସକାଳୁ କାହିଁକି ପାଟି କରୁଛ? ସମସ୍ତେ ଚୁପ୍ ହୋଇଗଲେ।
ଶାଶୂଙ୍କ ଅଭ୍ୟାସ ଓ ନଣନ୍ଦର ପ୍ରକୃତି, ଟିକେ ଟିକେ କଥାରେ ଖୁଣ୍ଟା ଦେବା, ଲତାଅପାର ବାପାମା’ଙ୍କୁ ଦୋଷ ଦେବା। ତା’ ସ୍ବାମୀ କଲେଜକୁ ଚାଲିଯାଆନ୍ତି। ଶନିବାର ଦିନ ସଂଜକୁ ଗାଁକୁ ଆସନ୍ତି, ପୁଣି ସୋମବାର ଦିନ ସକାଳୁ ବାହାରିଯାଆନ୍ତି। ଲତାଅପା ତା ସ୍ବାମୀକୁ ଏ କଥା କହିଲେ, ତା’ ସ୍ବାମୀ କହନ୍ତି, ଟିକେ ଚଳେଇନିଅ। ସେ କହିଲା, କଲେଜ ପାଖରେ ବଡ଼ ଘରଟିଏ ଭଡ଼ା ନିଅ, ମତେ ସେଠାକୁ ନେଇଯାଅ। ତା’ ସ୍ବାମୀ ରାଜି ହେଲେନାହିଁ। କହିଲେ ବାପା ମା, ବନ୍ଧୁବାନ୍ଧବ କେହି ପସନ୍ଦ କରିବେନାହିଁ। ତାଙ୍କ ସାନଭାଇ ବାହାହେବା ପରେ ସେ ତାକୁ ନେଇ ସହରରେ ରହିବେ। କିଛି ନ ହେଲେ ବର୍ଷେ ଦୁଇବର୍ଷ ଯାଉ ଦେଖାଯିବ।
ଲତାଅପାର ସ୍ବାମୀ ବାପାମା’ଙ୍କର ଆଜ୍ଞାଧୀନ ପୁତ୍ର, ଭାଇଭଉଣୀଙ୍କର ଆଦର୍ଶ ଭାଇ ଓ ସବାଶେଷରେ ତା’ର ସ୍ବାମୀ।
ସେଦିନ ଥିଲା ଛୁଟିଦିନ। ସ୍ବାମୀ ଘରେ ଥିଲେ। ଖାଇସାରି ଖରାବେଳେ ଖଟରେ ଗଡୁଥିଲେ। ନିଜ କାମ ସାରି ଲତାଅପା ସେହି ଘରକୁ ଯାଉଥିଲା। ପଦ୍ମା କହିଲା, କ’ଣ ନୂଆବୋଉ, ଦିନୁଟାରେ ଭାଇଙ୍କ ପାଖକୁ ଚାଲିଯାଉଛ, ସମ୍ଭାଳି ପାରୁନ?
ଲତାଅପା ଚିଡ଼ିଗଲା। କହିଲା, ଭାଇଙ୍କ ପାଖକୁ ମୁଁ ଗଲେ ଯଦି ସହିପାରୁନ, ତମେ ଚାଲିଯାଅ, ମୁଁ ରହିଯାଉଛି।
ପଦ୍ମାକୁ ବାଧିଲା। ସେ ଶାଶୂଙ୍କୁ କ’ଣ କହିଲା, ଶାଶୂ ନଣନ୍ଦ ମିଶିଗଲେ। ଶାଶୂ ଶୁଣେଇଶୁଣେଇ କହିଲେ, ହଁ, ବୋହୂ ଆମର କଟକୀ, ସହରୀ ଝିଅ। ସେୟାଡ଼େ ସେମିତିକା ଚଳଣି ଥିବ, ଭାଇଭଉଣୀ ଶୋଉଥିବେ। ସେଇ ପାଠ ଏଠି ପଢଉଛି….।
ଲତାଅପା ରାଗିଲା, ସେ ବି ଉଚିତ୍ ଜବାବ ଦେଲା। ତା’ ସ୍ବାମୀ ଚିଡ଼ିଗଲେ। ନିଜ ମା’ଭଉଣୀକୁ କିଛି ନ କହି, ଭଲମନ୍ଦ ନ ବୁଝି ସମସ୍ତଙ୍କ ସାମ୍ନାରେ ଲତାଅପାକୁ ଥାପଡ଼ଟିଏ ପକେଇଲେ। ଲତାଅପା ରାଗି ତା’ ଶାଶୂଘରୁ ପଳେଇଆସିଲା। ସେହି ଖରାବେଳେ ଚାଲିଚାଲି ବସ୍ଷ୍ଟାଣ୍ଡକୁ ଆସିଲା, ସେଇଠୁ ବସ୍ ଧରି ରାତି ଆଠଟାରେ କଟକରେ ପହଞ୍ଚିଲା।
ଘରେ ସମସ୍ତେ ଚିନ୍ତିତ ହୋଇପଡ଼ିଲେ। ତା’ ବାପା ଗୁମ୍ ମାରି ବସିଲେ-କିଛି କହିଲେ ନାହିଁ। ତାଙ୍କ ନିରବତାରେ ଜଣେଇଦେଲେ, ଲତା ଯାହା କଲା, ସେଥିରେ ସେ ସନ୍ତୁଷ୍ଟ ନୁହଁନ୍ତି। ତା’ ମା ବିରକ୍ତ ହେଲେ। କହିଲେ, ତୁ କିଛି ଠିକ୍ କଲୁନି। ଯାହା ହେଲେ ବି ଶାଶୂଘର। ସବୁଘରେ ଭଲମନ୍ଦ ଥାଏ। ଜୋଇଁ ଯଦି ରାଗିକରି କ’ଣ ଟିକେ କହିଦେଲେ, ତୁ ଶାଶୂଘର ଛାଡ଼ି ଗାଁ ଦାଣ୍ଡରେ ଚାଲିଚାଲି ବାପଘରକୁ ଚାଲିଆସିବାଟା ଉଚିତ ହେଲାନି।
ଲତାଅପା କହିଲା, ସେମାନେ ତ ଛଅମାସ ହେଲା ଯାହା ନାହିଁ ତାହା କହୁଥିଲେ, ସେ ସବୁ ଜାଣୁଥିଲେ, କିନ୍ତୁ କିଛି କହୁ ନ ଥିଲେ। ମୁଁ ସହିଆସୁଥିଲି। ତା’ ବୋଲି ସେ ମତେ ହାତ ଉଠେଇ ମାରିବେ, ସମସ୍ତଙ୍କ ସାମ୍ନାରେ?
ଲତାଅପାର ବଡ଼ଭାଇ ଇଞ୍ଜିନିୟର। ମିଲିଟାରୀରେ ଚାକିରି କରେ, ଦିଲ୍ଲୀରେ ରୁହେ। ସେ ଘରକୁ ଛୁଟି ନେଇ ଆସିଥିଲା, ସବୁ ଶୁଣିଲା। କହିଲା, ମୁଁ ମନା କରୁଥିଲି। ଏମିତି ଘରେ ବାହାଘର କରନା। ବାପା କହିଲେ, ସେଇଠି ବାହାଘର କରିବା, କଣ ନା ବର ଶିକ୍ଷିତ, ଅଧ୍ୟାପକ! ଖାଲି ପାଠପଢି ଅଧ୍ୟାପକ ହୋଇଗଲେ କ’ଣ ହେବ, କୋଉ ଗାଉଁଲି, ମଫସଲ ଅଞ୍ଚଳରେ ଘର। ସଭ୍ୟତା କୋଉଠୁ ଆସିବ!
ସେଦିନ ଚାଲିଗଲା। ତିନି ଚାରିଦିନ ପରେ ଲତାଅପାର ବାପା କହିଲେ, ସଂସାର କରିଥିଲେ ପଥର ପଡ଼ିଲେ ସହି। ସବୁଘରେ ଭଲମନ୍ଦ କିଛି ନା କିଛି ଥାଏ, ରାଗରୁଷା ହୁଏ। ତୁ ବୋହୂ, ସହିବା ତୋର ଧର୍ମ। କଥାକୁ ଏମିତି ଧରିବସିଲେ ଚଳିବ? ମୁଁ ତୋ ଶାଶୂଘରକୁ ଯାଉଛି, କ’ଣ ହୋଇଛି, ବୁଝାବୁଝି କରିଆସୁଛି।
ଲତାଅପା କହିଲା, ନଣନ୍ଦ ଶାଶୂ ମତେ କାହିଁକି ସବୁବେଳେ ଖେଞ୍ଚିକରି କହୁଥିବେ, କାହିଁକି ସବୁବେଳେ କହିବେ, ତୋ ବାପା ମା’ ଏମିତି, ତୋ ମା’ ତତେ କିଛି ସଣ୍ଠଣା ଶିଖେଇନି? ସେ କିଛି ବୁଝିବେନି, ଓଲଟା ମୋ’ ଉପରକୁ ହାତ ଉଠେଇବେ, କଣ ନା ମରଦପୁଅ ! ମା’ ଭଉଣୀ ଯାହା କହିବେ ସେୟା, ନ୍ୟାୟ ଅନ୍ୟାୟ କିଛି ବିଚାର ନାହିଁ।
ଲତାଅପାର ମା’ ବୁଝେଇଲା, ବୋହୂମାନଙ୍କୁ ଶୁଣିବାକୁ ପଡ଼େ। ମୋ’ ଶାଶୂଶଶୁର ଅବଶ୍ୟ ଏମିତିକା ନ ଥିଲେ। ମୋ ନାନୀ କୁହେ, ତାକୁ ତା ଶାଶୂ, ସେ ନୂଆନୂଆ ବୋହୂ ହେଇଯାଇଥିଲା ବେଳେ, ହାତ ଉଠାଇ ମାରୁଥିଲେ। ଗାଁଗହଳି କଥା। ଗାଁରେ ତ କୁହନ୍ତି, ଶୁଆକୁ ପଢେଇବ ଛୁଆବେଳେ, ବୋହୂକୁ ମାରିବ ନୂଆବେଳେ। ତୋ ବାହାଘର ହେବା ଛଅମାସ ପୂରିନି, ଗାଁ ଦାଣ୍ଡରେ ଘରୁ ଗୋଡ଼କାଢି ଚାଲିଆସିଲୁ, ଠିକ୍ ହେଲାନି।
ଲତାଅପା କହିଲା, ବାପା କାହିଁକି ଯିବେ, ସେ କାହିଁକି ଆସିବେନି?
ଲତାଅପାର ମା’ କହିଲା, ଆମେ ଝିଅ ପକ୍ଷ, ନରମ ହେବା ଆମର କର୍ତ୍ତବ୍ୟ। ଯେତେହେଲେ ବି ତୁ ଘରୁ ଗୋଡ଼ କାଢି ଦାଣ୍ଡରେ ଚାଲିଆସିଲୁ, ତୋର ଭୁଲ୍।
ଲତାଅପାର ବଡ଼ଭାଇ ଶୁଣୁଥିଲା। କହିଲା, ସେ ଘରୁ ଗୋଡ଼ କାଢି ଚାଲିଆସିଲା, ତାର ଭୁଲ ହୋଇଗଲା। ତା’ ସ୍ବାମୀ କିଛି ନ ବୁଝି ନ ଶୁଝି ହାତ ଉଠାଇମାରିଲା, ତା’ର ଭୁଲ୍ ନୁହେଁ ? ଅଭଦ୍ର କୋଉଠିକାର। ଲତା ଏଇଠି ଥାଉ। ତା’ ବର କଲେଜ ପାଖରେ ଘରଭଡ଼ା ନେଇ, ଯଦି ଆମ ଘରକୁ ଆସିବ, ତେବେ ଲତା ଯିବ।
ସମସ୍ତେ ଚୁପ୍ ହୋଇଗଲେ। ଲତାଅପା ବଡ଼ଭାଇର ସିଧା କଥା। ତା’ର ଛୁଟି ପୂରିଗଲା, ସେ ଦିଲ୍ଲୀ ଚାଲିଗଲା।
ଦାଦାଙ୍କ ଘରେ ଓ ନିଜ ଘରେ ଯାହା ସବୁ ଆଲୋଚନା ହେଉଥିଲା, ଟୁକୁନା ଶୁଣୁଥିଲା। ସେ ବୁଝିପାରୁ ନ ଥିଲା, ଲତାଅପାର ଭୁଲ୍ କୋଉଠି ହେଲା। ଲତାଅପା ଠିକ୍ କରିଛି। ତା ଶାଶୂଘର ଲୋକେ ସବୁ ଖରାପ, ତା’ ବର ଗୋଟାଏ ଦୁଷ୍ଟଲୋକ। କିନ୍ତୁ ଲତାଅପାର ବାପା, ମା ଏବଂ ତା’ ନିଜ ବାପା ମା ଲତାଅପାର ଏମିତି ଚାଲିଆସିବାଟାକୁ ପସନ୍ଦ କରୁ ନ ଥିଲେ।
ଟୁକୁନା ଲତାଅପାର ବଡ଼ଭାଇକୁ ଡରେ, ମନେ ମନେ ତା ଉପରେ ଚିଡ଼େ। ସେ ଯୋଉଠି ଦେଖିଲେ ତାକୁ ପାଠ ପଚାରେ। ବାହାରେ ଖେଳୁଥିଲେ, କାନ ମୋଡ଼ି ଚାପୁଡ଼ା ମାରେ। କିନ୍ତୁ ଏବେ ଦେଖିଲା, କେବଳ ସେ ହିଁ ଠିକ୍ କଥା କହୁଛି। ଭାବିଲା, ସେ ପ୍ରକୃତରେ ଭଲ। ତା’ ଭଲ ପାଇଁ ସେ ପାଠ ପଚାରନ୍ତି, ଖରାପ ପିଲାଙ୍କ ସହ ଖେଳିବାକୁ ବାରଣ କରନ୍ତି। ଟୁକୁନା ଲତାଅପା ପାଖକୁ ଗଲା, କହିଲା, ଅପା ତୁ ଠିକ୍ କରିଛୁ। ସେମାନେ ଖରାପ ଲୋକ, ତୋ’ ବର ଗୋଟାଏ ଦୁଷ୍ଟଲୋକ। ଲତାଅପା ଟୁକୁନାକୁ ଚାହିଁଲା, ତା’ ଗାଲକୁ ଚିମୁଟିଦେଇ ଟିକେ ହସିଦେଲା। ଟୁକୁନାର ମନ ପୂରିଗଲା। ଟୁକୁନାକୁ ଲାଗିଲା, ଲତାଅପା ସିନା ହସିଲା, କିନ୍ତୁ ମନ ଭିତରେ ଖୁସି ଥିଲା ପରି ଜଣାପଡ଼ୁନି। ସେ ତଥାପି କାହାକୁ ଡରିଲା ପରି ଲାଗୁଛି।
ଟୁକୁନା ଲତାଅପା ପାଖକୁ ଯାଏ ଓ କହେ, ଗପ କହ। ଲତାଅପା କହେ, କି ଗପ କହିବି? ମନେ ପଡ଼ୁନି। ପରେ କହିବି। ତା’ ମନରେ ସରାଗ ନ ଥାଏ। କହେ, ଚାଲ୍ ଲୁଡୁ ଖେଳିବା। ଦୁହେଁ ବସି ଲୁଡୁ ଖେଳନ୍ତି।
ଖରାଦିନ, ସକାଳ ସ୍କୁଲ। ଲତାଅପାର ବାପା ସ୍କୁଲକୁ ସକାଳୁ ଚାଲିଯାଆନ୍ତି, ଖରାବେଳଟା ସ୍କୁଲରେ କଟାଇ, ଖରା ନରମିଲେ ଘରକୁ ଫେରନ୍ତି। ତାଙ୍କ ମା’ ଖାଇସାରି ଶୋଇପଡ଼ିଥାନ୍ତି। ଅନ୍ୟ ଘରେ ଲତାଅପା, ଟୁକୁନା ଲୁଡୁ ଖେଳୁଥାନ୍ତି। ଲତାଅପା ହାରିଗଲା, କହିଲା, ଆଉ ଖେଳିବାନି, ଶୋଇପଡ଼ିବା। ଟୁକୁନା କହିଲା, ଗୋଟିଏ ଗପ କହ।
କି ଗପ କହିବି? ସବୁ ଗପ ତ କହିସାରିଛି। ତୁ ଯାଆ, କବାଟ ବନ୍ଦ କରିଦେ, ଅନ୍ଧାର ହେବ। ଶୋଇବାକୁ ଭଲ ଲାଗିବ। ମୁଁ ଗପ ମନେପକଉଛି।
ଟୁକୁନା କବାଟ ବନ୍ଦ କରିଦେଇଆସିଲା। ଲତାଅପା ପାଖରେ ଶୋଇଲା। ଲତାଅପା ଆଗରୁ କହିଥିଲା, ପୁଣିଥରେ କହିଲା, ବୁଢୀ ଅସୁରୁଣୀ କଥା:
ବୁଢୀ ଅସୁରୁଣୀ ରାଜା ଝିଅକୁ ବନ୍ଦୀ କରି ରଖିଥାଏ। ସେ ମଣିଷ ମାଉଁସ ଖାଏ, କିନ୍ତୁ ରାଜାଝିଅକୁ ନିଜ ଝିଅ ପରି ରଖିଥାଏ। ରାଜାଝିଅର ଖସିଆସିବାର ବାଟ ନ ଥାଏ। ଅଗନାଅଗନି ବନସ୍ତରେ ଶିକାର ଖୋଜୁଖୋଜୁ ବାଟ ଭୁଲି ଗୋଟିଏ ରାଜାପୁଅ ପହଞ୍ଚିଗଲା ସେଇଠି। ବୁଢୀ ଅସୁରୁଣୀ ଖାଦ୍ୟ ସନ୍ଧାନରେ ଯାଇଥିଲା। ରାଜାଝିଅ ଏକା ଥିଲା। ଦୁହେଁ କଥାଭାଷା ହେଲେ। ରାଜାଝିଅଠାରୁ ତା’ କାହାଣୀ ରାଜାପୁଅ ଶୁଣିଲା। ରାଜାପୁଅ ବିଚାର କଲା, କେମିତି ବୁଢୀ ଅସୁରୁଣୀ କବଳରୁ ରାଜାଝିଅକୁ ଉଦ୍ଧାରିବ। ବୁଢୀ ଅସୁରୁଣୀର ଫେରିବା ସମୟ ହେଲା। ରାଜାଝିଅ ରାଜାପୁଅକୁ ଲୁଚେଇଦେଲା। ବୁଢୀ ଅସୁରୁଣୀ କହିଲା, କଣ ମଣିଷ ଗନ୍ଧ ଆସୁଛି? ରାଜାଝିଅ କହିଲା, ଏଠି ମଣିଷ କୋଉଠୁ ଆସିବ ! ମୋର ଗନ୍ଧ ତମକୁ ଲାଗୁଥିବ। ଅସୁରୁଣୀ ରାଜାଝିଅକୁ ବିଶ୍ବାସ କରିଗଲା ଏବଂ ଶୋଇପଡିଲା। ପରଦିନ ସକାଳୁ ପୁଣି ବୁଢୀ ଅସୁରୁଣୀ ଖାଦ୍ୟ ସନ୍ଧାନରେ ଚାଲିଗଲା। ରାଜାଝିଅ, ରାଜାପୁଅ ଦୁହେଁ ବସି ବିଚାର କଲେ, କେମିତି ସେଠାରୁ ମୁକୁଳିବେ, ଉପାୟ ପାଞ୍ଚିଲେ….।
ଟୁକୁନା ରାଜାଝିଅ ଦେଖିନି। ଟି.ଭି.ରେ, ସିନେମାରେ ଦେଖିଛି। ରାଜା ଝିଅ ଖୁବ୍ ସୁନ୍ଦର। ଲତାଅପା ଦିଶୁଥିଲା ଦୁଃଖିନୀ ରାଜାଝିଅ ପରି। ଲତାଅପା କେଶ ମୁକୁଳା କରିଦେଇଥିଲା। ଶାଶୂଘରକୁ ଗଲାବେଳେ ଯୋଉ ଗହଣା ପିନ୍ଧିଥିଲା, ସେସବୁ ତା ଦେହରେ ନ ଥିଲା। ସେ କେମିତି ଉଦାସ ଦିଶୁଥିଲା। ଟୁକୁନା ଭାବୁଥିଲା, ସେ ହୋଇଯିବ ରାଜାପୁଅ। ମୁଣ୍ଡରେ ମୁକୁଟ, ହାତରେ ତରବାରି। ଘୋଡାରେ ବସି ସେ ଯିବ…..।
ଟୁକୁନା ଲତାଅପା ପାଖରେ ଶୋଇ ତା ମୁହଁକୁ ଚାହିଁ ଗପ ଶୁଣୁଥିଲା ଏବଂ ଭାବୁଥିଲା। ଲତାଅପା ତାକୁ ପାଖକୁ ଟାଣିନେଲା, ତା ମୁହଁରେ ଚୁମା ଦେଲା, ନିଜ ଛାତିରେ ଭିଡିଧରିଲା। ଲତାଅପା ତା ଛାତିରୁ ଲୁଗା ଖସେଇଦେଲା। କହିଲା, ଗରମ ହେଉଛି ଏବଂ ଟୁକୁନାର ମୁହଁକୁ ତା ଛାତିରେ ଚାପିଧରିଲା। ଟୁକୁନାକୁ ମୁଲାୟମ ଲାଗୁଥିଲା, ସେ ଆଖି ବୁଜିଦେଲା। ଲତାଅପା ଦେହରୁ କେମିତି ଗୋଟେ ବାସ୍ନା ଆସୁଥିଲା, ସେ ବାସ୍ନା ଆଘ୍ରାଣରେ ତାକୁ ଅପୁର୍ବ ଆନନ୍ଦ ମିଳୁଥିଲା। ସେ ଲତାଅପା ଛାତିରେ ମୁହଁ ଘଷିଲା ଏବଂ ତାକୁ ଭିଡିଧରିଲା।
କିଛି ସମୟ କଟିଗଲା, ଟୁକୁନାକୁ ଲାଗିଲା ଏସବୁ ଖରାପ କାମ। ସେ ଲତାଅପା ପାଖରୁ ଘୁଞ୍ଚିଆସିଲା। ତାକୁ ଭୟ ଲାଗିଲା। ଲତାଅପା ଶୋଇପଡିଥିଲା। ସେ ତାକୁ ଉଠେଇଲାନାହିଁ, କବାଟ ଖୋଲି ପଳେଇଆସିଲା। କିନ୍ତୁ ଲତାଅପା ଦେହର ବାସ୍ନା ତା ନାକ ଭିତରେ ରହିଯାଇଥିଲା। ସଞ୍ଜବେଳକୁ ଟୁକୁନାକୁ ଲତାଅପା ଡକେଇପଠେଇଲା ଏବଂ କହିଲା, ତୁ କୁଆଡେ ଚାଲିଗଲୁ, ମୁଁ ତତେ ଖୋଜୁଛି। ଟୁକୁନା କିଛି କହିଲାନାହିଁ। ଲତାଅପା କହିଲା, ହଉ ଶୁଣ୍, ତୁ ମୋ ପାଖରେ ରାତିରେ ଶୋଇବୁ। ମତେ ଏକା ଏକା ଭଲ ଲାଗୁନି। ରାତିରେ ମୁଁ ଗପ କହିବି। ତୁ ଘରେ କହିବୁ, ଲତାଅପା ପାଠ ବତେଇଦେଉଛି। ଟୁକୁନା ନାକରେ ତଥାପି ଥିଲା ଲତାଅପା ଦେହର ବାସ୍ନା। ସେ କହିଲା, ହଁ।
ସେଦିନ ରାତିରେ ସେ ଖାଇସାରି ମା’କୁ କହିଲା, ମୁଁ ଯାଉଛି, ଲତାଅପା ପାଖରେ ଶୋଇବି।
ମା କହିଲେ, କାହିଁକି ଆମ ଘରେ କଣ ଜାଗା ନାହିଁ?
ଟୁକୁନା କହିଲା, ଲତାଅପା ମତେ ପାଠ ବତେଇଦେଉଛି।
ମା କହିଲେ, ଭାରି ପାଠରେ ତ ମନ! ଦିନସାରା ତ ଯାହା ପଢୁଛୁ, ପୁଣି ରାତିରେ ପଢିବୁ?
କହିବୁ ତ, ଲତାଠାରୁ ଗପ ଶୁଣିବୁ। ହଉ ଯାଆ।
ସେହିଦିନୁ ଲତାଅପାପାଖରେ ଟୁକୁନା ସବୁଦିନ ଶୋଇଲା।
ଲତାଅପା ଭାଇର ବାହାଘର ଠିକ୍ ହୋଇଗଲା। ଝିଅ ଦେଖାଦେଖି କରି ସେ ଦିଲ୍ଲୀ ଯାଇଥିଲେ। ବାହାଘର ପାଇଁ ତିଥିବାର ଠିକ୍ ହେଲା ପରେ, ଦିଲ୍ଲୀରୁ ଆସିଲେ। ଲତାଅପାଘର ତା ଶାଶୂଘରକୁ ଗୁଆ ପଠେଇଥିଲେ, ତାଙ୍କର ବାପା ଯାଇ ବୁଝାସୁଝା କରି, ଜୋଇଁଙ୍କୁ କହିଆସିଥିଲେ ବାହାଘରକୁ ଆସିବାକୁ। ବାହାଘରକୁ ଲତାଅପାର ସ୍ବାମୀ ଆସି ପହଞ୍ଚିଲେ। ଟୁକୁନା ଦେଖୁଥିଲା। ରାଗିଲାରାଗିଲା ମୁହଁ, ଟାଏଁଟାଏଁ କଥା। ଦୁଷ୍ଟଲୋକ। ତାକୁ ଦେଖି ଚିଡିମାଡୁଥିଲା ଟୁକୁନାକୁ। ଲତାଅପାର ସାଙ୍ଗ ନବଜ କରି ତାଙ୍କୁ କହିଲା, କଲେଜରେ ସୁନ୍ଦରୀ ଝିଅ ଓ ଅଧ୍ୟାପିକାଙ୍କୁ ଦେଖିଦେଖି ଆମ ଲତାକୁ କଣ ଭୁଲିଗଲ?
ସେ କହିଲେ, ଆମେ ତ ଗାଉଁଲି, ମଫସଲି, ଅସଭ୍ୟ। ଆମେ ମନେରଖିବା କିମ୍ବା ଭୁଲିବାରେ କାହାର କଣ ଯାଏଆସେ? କେମିତି ଫୋପାଡିଲା ପରି କଥା, କଥା ନୁହେଁ ତ ପଥରଖଣ୍ଡ !
ବର ଯାଉଥିଲା ବରହମପୁର। ମାର୍କୁଣ୍ଡି ହୋଇଥିଲା ଟୁକୁନା। ଲତାଅପା ବି ବରଯାତ୍ରୀଙ୍କ ସହିତ ଯାଉଥିଲା। ଲତାଅପା ସହ ଟୁକୁନା ବର ଯାଉଥିବା କାର୍ରେ ବସିଲା। ଲତାଅପାଙ୍କ ବାପା ଓ ପୁରୋହିତ ମଧ୍ୟ ସେହି କାର୍ରେ ବସିଲେ। ବରଯାତ୍ରୀମାନଙ୍କ ପାଇଁ ଗୋଟିଏ ବସ୍ ଭଡ଼ା କରାଯାଇଥିଲା। କାର୍ ପାଖରେ ବସ୍ ଛିଡା ହୋଇଥିଲା। ଲତାଅପାର ଭାଇଙ୍କ ସାଙ୍ଗ ସବୁ ଓ ସାହିଲୋକେ ସେ ବସ୍ରେ ଯାଉଥିଲେ। ଲତାଅପାଙ୍କ ସ୍ବାମୀ ମଧ୍ୟ। କେହି ଜଣେ ସାହିଲୋକ ଟାପରା କରି କହିଲା, ଜୋଇଁପୁଅଙ୍କ ପାଇଁ କଣ କାର୍ କରିନାହାନ୍ତି?
ସେ କହିଲା, ଆମେ କି ଜୋଇଁପୁଅ? ଆମେ ତ ଧୋବାବାରିକଠାରୁ ମଧ୍ୟ ହୀନ। ଏବଂ ସେ ଉଠିଲା ବସ୍ ଭିତରକୁ।
ଲତାଅପାକୁ ଶୁଣେଇଶୁଣେଇ କହୁଥିଲା। ଲତାଅପା ମୁହଁ ମୋଡିଦେଲା। ଟୁକୁନା ମନେମନେ ରାଗୁଥିଲା, ଲତାଅପାର ବାପା, ତାର ସାଙ୍ଗ ଓ ସାହିଲୋକଙ୍କ ଉପରେ। ଲତାଅପାର ବାପା କାହିଁକି ଚାଲିଗଲେ, ଜୋଇଁକୁ ଆସିବା ପାଇଁ ନିମନ୍ତ୍ରଣ କରିବାକୁ? ଯଦିବା ସେ ଗଲେ, ଏ ଲୋକଟା ବି ଚାଲିଆସିଲା। ଲତାଅପାର ସାଙ୍ଗ ଓ ସାହିଲୋକ କାହିଁକି ତା ସାଙ୍ଗରେ କଥା ହେଉଛନ୍ତି? ଏମିତି ଏକ ସୁନ୍ଦର ପରିବେଶକୁ ନଷ୍ଟ କରିଦେଉଛି ଏ ଦୁଷ୍ଟ ଲୋକଟା। ଏ ଦୁଷ୍ଟ ଲୋକଟା ପ୍ରତି ତା ମନରେ ବି ଭୟ ରହୁଥିଲା। କେତେବେଳେ କଣ କରିଦେବ, କିଏ କହିବ!
ବରହମ୍ପୁରରେ ବରଯାତ୍ରୀଙ୍କ ପାଇଁ କନ୍ୟାପକ୍ଷ ଗୋଟିଏ ହୋଟେଲରେ ତିନିଟା ରୁମ୍ ରିଜର୍ଭ କରିଥିଲେ। ବର ପହଞ୍ଚିଲା ପରେ ସେଠାରେ ଜଳଯୋଗ କରିସାରି ରୋଶଣି ଆରମ୍ଭ ହେଲା। ହୋଟେଲରୁ କନ୍ୟାଘର ଅଳ୍ପଦୂର। ବର ପହଞ୍ଚିଲା ପରେ ବରକୁ ବରଣ କରି କନ୍ୟାପକ୍ଷ ନେଇଗଲେ। ବରପାଇଁ ପ୍ରସ୍ତୁତ ସ୍ବତନ୍ତ୍ର କୋଠରୀରେ ବର ସହିତ ଟୁକୁନା ବସିଲା। ଲତାଅପାକୁ କନ୍ୟାପକ୍ଷର ସ୍ତ୍ରୀଲୋକମାନେ ପାଛୋଟି ଘର ଭିତରକୁ ନେଇଗଲେ। ସେମାନେ ଲତାଅପାକୁ ବହୁତ ଆଦର କରୁଥିଲେ। ଲତାଅପା ତା’ କେଶରେ ମଲ୍ଲୀଫୁଲ ହାର ଲଗେଇଥିଲା, ବହୁତ ସୁନ୍ଦର ଦିଶୁଥିଲା, ରାଜାଝିଅ ପରି। ବରଯାତ୍ରୀମାନେ ଭୋଜି ଖାଇଲେ। ଲତାଅପା ପାଖରେ ଟୁକୁନା ଖାଉଥିଲା। ଟୁକୁନା ଲକ୍ଷ୍ୟ କଲା, ଲତାଅପା ତା ସ୍ବାମୀକୁ କଣେଇ କଣେଇ ଚାହୁଁଥିଲା। ଭୋଜି ପରେ ବରଯାତ୍ରୀମାନେ ବସ୍ରେ ଫେରିଆସିଲେ, କିନ୍ତୁ ଲତାଅପାର ସ୍ବାମୀ ଫେରିଲାନାହିଁ। ଲତାଅପାର ବାପା ତାକୁ ଅଟକେଇଦେଲେ- କହିଲେ, ରୁହ, ବାହାଘର ସରୁ। ଟୁକୁନା ଲତାଅପାଙ୍କ ବାପାଙ୍କ ଉପରେ ଚିଡୁଥିଲା। ବାହାଘର ଆରମ୍ଭ ହେଲା। ବେଦୀ ପାଖରେ ବସି ବାହାଘର ଦେଖୁଥିଲା, ତାର ସ୍ବାମୀ ।
ବର ପାଇଁ ସ୍ବତନ୍ତ୍ର ପ୍ରସ୍ତୁତ କୋଠରୀରେ ବସିଥିଲା ଟୁକୁନା। ପାଖରେ ଲତାଅପା । ବାହାଘର କାମ ପାଇଁ ପ୍ରୟୋଜନୀୟ ସାମଗ୍ରୀ ସେହି ଘରେ ଥିଲା। ବିଭିନ୍ନ କର୍ମରେ ବର ବେଦୀକୁ ଯାଉଥିଲା, ଆସୁଥିଲା। ଟୁକୁନା ଶୋଇପଡିଲା।
ଘଣ୍ଟେ ଦେଢ଼ଘଣ୍ଟା ପରେ ହଠାତ୍ ଟୁକୁନାର ନିଦ ଭାଙ୍ଗିଗଲା। ଦେଖିଲା, ତା ପାଖରେ କେହି ନାହିଁ। ବାହାଘର ଚାଲିଥିଲା, ବର ବସିଥିଲା ବେଦୀ ଉପରେ, ପାଖରେ କନ୍ୟା, ସେ ଲତାଅପାକୁ ଖୋଜିଲା, କିନ୍ତୁ କୋଉଠି ବି ଦେଖୁ ନ ଥିଲା ତାକୁ। ଯୋଉ ଝିଅମାନେ ଲତାଅପାକୁ ପାଛୋଟିନେଇଥିଲେ, ସେମାନେ ଏପଟ ସେପଟ ହେଉଥିଲେ। ସେମାନଙ୍କ ଭିତରେ ଲତାଅପା ନ ଥିଲା। ଲତାଅପାର ସ୍ବାମୀକୁ ବି ସେ ଦେଖୁ ନ ଥିଲା। ଲତାଅପା କୁଆଡ଼େ ଗଲା? ତାକୁ ଡର ଲାଗିଲା। ସେ ଲତାଅପାର ବାପାଙ୍କୁ ପଚାରିଲା। ସେ କହିଲେ, ଏଇଠି କୋଉଠି ନାହିଁ? ହୋଟେଲ୍କୁ ପଳେଇଯାଇଥିବ।
ସେଇଠୁ ହୋଟେଲ୍ ବେଶି ଦୂର ନୁହଁ। ଅନେକ ରାତି, ଶୁନ୍ଶାନ୍ ରାସ୍ତା। ଟୁକୁନା ହୋଟେଲ୍ ଆଡ଼େ ମୁହାଁଇଲା। ହୋଟେଲ୍ରେ ବରଯାତ୍ରୀମାନଙ୍କ ପାଇଁ ତିନୋଟି ରୁମ୍ ରିଜର୍ଭ ଥିଲା। କୋଉ ରୁମ୍ରେ ସେ ଥିବ? ତାର ମନେପଡ଼ିଲା, ପ୍ରଥମ ରୁମ୍ରେ ବର, ସେ ଓ ଲତାଅପା ବସିଥିଲେ। ଲତାଅପା ସେଇ ରୁମ୍ରେ କଟକରୁ ଗୋଟିଏ ବ୍ରିଫ୍କେଶ୍ରେ କଣ ସବୁ ଆଣିଥିଲା, ସେଇ ରୁମ୍ରେ ରଖିଥିଲା। ଟୁକୁନା ସେଇ ରୁମ୍ ଠକ୍ଠକ୍ କଲା। କବାଟ ଖୋଲୁ ନ ଥିଲା, ଟିକେ ଜୋର୍ରେ ବାଡ଼େଇଲା। ଭିତରେ ଲାଇଟ୍ ଜଳିଲା, କିଛି ମୁହୁର୍ତ୍ତ ପରେ ଲତାଅପା କବାଟ ଖୋଲିଲା।
ଲତାଅପାକୁ ଏଠାରେ ଦେଖି ସେ କହିଲା, ତୁ ପଳେଇଆସିଛୁ, ମୁଁ ତତେ ଏଣେତେଣେ ଖୋଜୁଛି ଏବଂ ସେ ଚମକିପଡ଼ିଲା। ତାର ଆଖି ପଡ଼ିଗଲା, ରୁମ୍ ଭିତରେ ଖଟ ଉପରେ ଶୋଇଥିବା ଲୋକଟା ଉପରେ। ସେ ଲତାଅପାର ସ୍ବାମୀ । ଲୁଙ୍ଗି ଖଣ୍ଡେ ପିନ୍ଧିଛି, କାଳିଆ ଫୁଙ୍ଗୁଳା ଦେହ, ଗଣେଷ ପେଟ, ଫୁଲୁକା ଗାଲ, ଯାତ୍ରାରେ ରାକ୍ଷସ ନିହତ ହୋଇ ତଳେ ପଡ଼ିଥିଲା ପରି ଖଟରେ ପଡ଼ିଛି। ସେ ଲତାଅପାକୁ ନିରେଖିଚାହିଁଲା, ଲତାଅପାର କେଶ ବିପର୍ଯ୍ୟସ୍ତ, ତା କେଶର ମଲ୍ଲୀଫୁଲ ଖଟ ଉପରେ ବିଛୁରିହୋଇ ପଡ଼ିଛି। ଲତା ଅପା ଅଳସ ଭାଙ୍ଗିଲା। କହିଲା, ତତେ ଖୋଜିଲି, ପାଇଲିନାହିଁ।
ଲତାଅପା ମିଛ କହୁଛି। ସେ ତାକୁ ଖୋଜିନି, ସେ ତ ଭାଇ ପାଖରେ ଥିଲା, ଗଦିରେ ଶୋଇପଡ଼ିଥିଲା, କୁଆଡ଼େ ଯାଇନାହିଁ। ଟୁକୁନା ଭାବିଲା ଏବଂ ତାକୁ କାନ୍ଦ ଲାଗିଲା। ସେ କଣ କହିବ ଜାଣିପାରୁ ନ ଥିଲା। କହିଲା, ମୁଁ ଯାଉଛି। ଲତାଅପା କଣ କହିଆସୁଥିଲା, ସେ ଅପେକ୍ଷା କଲାନାହିଁ। ତା’ ଆଗରୁ ଦୌଡ଼ି ପଳେଇଆସିଲା । ପରଦିନ ବୋହୂକୁ ସାଙ୍ଗରେ ଧରି ସେମାନେ ଫେରିଆସିଲେ। ଘରେ ଗହଳଚହଳ ଲାଗିରହିଥିଲା। ଟୁକୁନା ଦେଖିଲା ଲତାଅପା ବଦଳିଯାଇଛି। ତା’ ସ୍ବାମୀ ବରହମ୍ପୁରରୁ ଫେରି ତା କଲେଜ୍କୁ ଯିବାକୁ ବାହାରିଲାବେଳେ ଲତାଅପା ତା ସହ ହସିହସି କଥାବାର୍ତ୍ତା କରୁଥିଲା। ଚତୁର୍ଥୀକୁ ଆସିବାକୁ କହୁଥିଲା। ତା ସ୍ବାମୀ “ହଉ ଦେଖିବା” କହି ଚାଲିଗଲା। ଟୁକୁନା ଲକ୍ଷ୍ୟ କରୁଥିଲା, ତା ସ୍ବାମୀ କେମିତି ଗୋଟେ ଅଲଗା ଆଖିରେ ଲତାଅପାକୁ ଚାହୁଁଥିଲା। ଚତୁର୍ଥୀକୁ ଲତାଅପାର ସ୍ବାମୀ ଆସିଲା, ପରଦିନ ତାକୁ ସାଙ୍ଗରେ ନେଇ ଚାଲିଗଲା। ସମସ୍ତେ ଖୁସି ହେଉଥିଲେ, ଟୁକୁନାକୁ କାନ୍ଦ ମାଡ଼ୁଥିଲା।
ଲତାଅପା ତା ସ୍ବାମୀ ସହ ଚାଲିଗଲା ପରେ ଟୁକୁନା ଶିଖରପୁର ରେଳପୋଲ ପାଖ ବରଗଛ ମୂଳେ, ଯୋଉ ବରଗଛରେ ସେ ଭୂତୁଣୀ ରହୁଥିଲା, ସେଇଠି ବସିଥିଲା ଏବଂ ଗୁଣୁଗୁଣୁ ହୋଇ ବୋଲୁଥିଲା, କେଁ କେଁ କେନ୍ଦରା, ମୁଁ କେତେ ବଜେଇଲି ……. ।