ହ୍ୟାଲୋ-ଓ-ଓ ମୀନୁ। ମୁଁ ଆଜି ଏପିସୋଡ୍‌ଟା ମିସ୍ କରିଗଲିରେ।

ହଁ ଶୁଣ, ଆଜି ମାନସୀର କଣ ହେଲା?

କଣ କହିଲ ପ୍ରେଗ୍‌ନାଣ୍ଟ!! ହାଓ କ୍ୟାନ୍ ଇଟ୍ ବି ପସିବଲ୍!

ତାହେଲେ ବିଚାରୀ ପ୍ରିୟା ର କଣ ହବ?

ଟାଉନବସ୍‌ର ଭିଡ଼ ଭିତରୁ ଲୋକଟା ବଡ଼ ପାଟିରେ ଟେଲିଫୋନ୍ କରୁଚି। ସେ ଶଦ୍ଦରେ ଭିଡ଼ଟା ଫାଟି ଫାଟି ଯିବ କି! ସବୁ ଯାତ୍ରୀ ଘୁରି ଘୁରି ସେଇ ଅଧାବୟସର ଲୋକଟାକୁ ଦେଖୁଛନ୍ତି, ଯିଏ ଇଟିଭିର ଗୋଟେ ଲୋକପ୍ରିୟ ସିରିଏଲ୍ ବିଷୟରେ କଥା ହଉଚି। ପୋଷାକପତ୍ରରେ ଲୋକଟା ଯେତିକି ସମ୍ଭ୍ରାନ୍ତ ଦିଶୁଚି, କଥାବାର୍ତ୍ତାରେ ସେତିକି ଉଦ୍‌ଭ୍ରାନ୍ତ।

କଉ ଗୋଟେ ଭାବବିନ୍ଦୁ ଏ ଭିତରେ ଅନେକଥର ମନକୁ ଆସିଚି, ପୁଣି ଗାଏବ୍। କେଜାଣି କାହିଁକି ଏଇ ଲୋକଟାର କଥାରେ ପୁଣି ବିନା ତିଥି, ନିମନ୍ତ୍ରଣରେ ଆସି ହାଜର।
ଟିହାଉଚି- କଣ ଏବେ ଲେଖା ହବ ତ?
ଗଳ୍ପ କହିଲା- କଣଟେ ଲେଖା? କଣ ଏମିତି ହେଲା କି?
କଣ ନ ହେଇଚି କହ। ମାନସୀ ଏବେ ପ୍ରେଗ୍‌ନାଣ୍ଟ। ନାୟକ ପାଖରୁ ନାୟିକା, ମାନେ ପ୍ରିୟ ପାଖରୁ ପ୍ରିୟା ନିଶ୍ଚୟ ଅଲଗା ହେବ। ନାୟକର ପୁରୁଷପଣିଆର ସାର୍ଟିଫିକେଟ ଏବେ ମାନସୀ, ମାନେ ପାର୍ଶ୍ବନାୟିକା ପେଟରେ। ଏହା ଠୁଁ ଆଉ ଅଧିକ କ’ଣଟେ ଗପ ପାଇଁ ଲୋଡା ଯେ! ସବୁବେଳେ ତ କୁହ କାହାଣୀ ନାହିଁ। ୟା‌ଠୁ ଭଲ ଥିମ୍‌ଟେ ମିଳିବ କି?
ହେଲା ଯେ, ଅବଶ୍ୟ ଥିମ୍‌ଟା ମନ୍ଦ ନୁହଁ। ଲେଖାକୁ ଗତିଶୀଳ କରାଇ ପାରେ। ତେବେ…..ସବୁର ଗୋଟେ ଆରମ୍ଭ ଦର୍କାର…ଶେଷ ବି ଦର୍କାର ନା।

ଶେଷପଦ କଥା ଗଳ୍ପ ପାଟିରେ ଖୁବ୍ ଅସ୍ପଷ୍ଟ ଶୁଭିଲା। ନିଜକୁ ନିଜେ ଶୁଣିଲା ପରି କହିଲା- ଛେନା ଗୁଡ଼ଟେ ହବ। ଏତିକିରେ ଭାବବିନ୍ଦୁ ତ ଶେଷ୍‌। ନା- ଆଗକୁ, ନା-ପଛକୁ, ହୁଁ। ଏମିତି କେତେ ପ୍ଲଟ ରାସ୍ତାଘାଟ, ଦୈନିକ ଖବରକାଗଜରେ ପଡ଼ିଚି। ଏଇ ତ, ଯେବେଠୁ ବାହାରୁଚି ତିୱାରୀ ସାହେବ କଥା, ଯେ ଏବେ କିଏ ଗୋଟେ ଦାବି କରୁଚି ତାଙ୍କ ଝିଅ ବୋଲି। ତିୱାରୀଙ୍କ ବୟସ ପ୍ରାୟ ସତୁରୀ ପାଖାପାଖି। ଘରେ ପୁଅ ଝିଅ ବାହା ହେଲେଣି। ଅଥଚ ଏଇ କଥାକୁ ନେଇ କେତେ ତର୍କ ଚାଲିଛି ସଂସଦରେ। ବିରୋଧୀ ହାଲ୍ଲା କରୁଛନ୍ତି। ତଦନ୍ତ ଚାଲିଛି। କେଶ୍ ସୁପ୍ରିମ କୋର୍ଟରେ। ମାମଲା ଡି.ଏନ୍.ଏ. ଟେଷ୍ଟ ଯାଏ ଗଲାଣି। ତଥାପି କଣ ହଉଚି? ଝିଅଟା ନିଜ ଦାବି ହାସଲ କରିବାକୁ କେତେ ଦଉଡ଼ିବ ଦଉଡ଼ୁ। ପୃଥୀବୀଟା ଛୋଟ ପଡ଼ିଯିବ ସିନା ଦଉଡ଼ିବା ଲାଗିଥିବ। ଫୁଲ ଫୁଟିବନି କି ଗଛ ମରିବନି।

ଗଳ୍ପ ଝିଅଟାର ପିଛା କରିଚି। ତାକୁ ଭଉଣୀ ଭଉଣୀ କହି ଫୁସୁଲେଇଚି- ତୁ’ ତୋ’ ମାକୁ ନେଇ ଆ କୋର୍ଟକୁ। ସିଏ କହିବ ତୋ ମଞ୍ଜିଟା କେମିତି ପଡ଼ିଲା।

ଝିଅଟା ମୁହଁ ଛିଞ୍ଚାଡି କହିଚି- ମା’, ସିଏ ତ’ ମୋ ସାଙ୍ଗରେ କଥା ହଉନି। ଏଇ କଥା ସିନା କୌଣସି ପ୍ରକାରେ ମୁଁ ଜାଣି ପାରିଲି, ଏବେ ସିଏ ଆଉ ହୁଙ୍କୁନି। ସେ ଯାହା ବି ହେଇଯାଉ, ମା’ କିଛି ବି ନ କହୁ। ମୁଁ ତ ସତ ନା, ମୋ ରକ୍ତ ବି ସତ, କେତେଦିନ କ୍ଷମତା ଓ ପ୍ରତିପତ୍ତି ବଳରେ ସତକୁ ଘୋଡ଼େଇବେ।
ଗଳ୍ପ କହିଲା…. ସେ ସତ ଫତ ଆଉ ନାହିଁରେ! ଆଜି କାଲି ମତେ ଏ ଗୁଡ଼ା ଅସମ୍ଭବ ଲାଗୁଚି।
ବରଂ….
ହଇଓ, ତମେ କିଏ? ତୁମକୁ ମୁଁ ଚିହ୍ନିନି କି ଜାଣିନି, ଉପରେ ପଡ଼ି ଏମିତି ପରାମର୍ଶ ଦେଇ ମୋତେ ଦୁର୍ବଳ କରିବାକୁ ଚାହୁଁନ ତ? ତମେ ମୋ ବାପାଙ୍କର କେହି ସେଟ୍ଅପ୍ ଲୋକ ନୁହଁ ତ?
: ନା-ନା ଭଉଣୀ ସେମିତି କିଛି ନୁହଁ। ମତେ ଦେଖୁନୁ ମୁଁ ସେମିତି ଦିଶୁଚି କି?
ତାହାଲେ ତମେ କିଏ? ଝିଅଟାର ତୀବ୍ର ଦୃଷ୍ଟି ଗଳ୍ପ ଉପରେ।
ଓଃ, ଏଇଠି ଗଳ୍ପର ଅବସ୍ଥା ବା’ର। ଭାବିଲା ଆଜି କାଲିକା ପାଠ ପଢୁଆ ପିଲା, ଏମାନେ, ସାହିତ୍ୟ ଫାହିତ୍ୟ କେତେ ବୁଝନ୍ତି। ଏମାନଙ୍କୁ ମୋ ପରିଚୟ ଦେଇ କାହିଁକି ଉପହସିତ ହେବି। ଏମିତିରେ ଝିଅଟା ସତକୁ ସତ ସନ୍ଦେହ କରିବା ଆରମ୍ଭ କରିଚି। ତେବେ କାହାଣୀ କେବଳ ସତରେତ ଚାଲିବନି, କିଛି ଖାଦ୍ ମାନେ କଳ୍ପନାକୁ ମିଶେଇବାକୁ ପଡିବ। ମନ କଥା ମନରେ ରଖି ଗଳ୍ପ କହିଲା। ହେଁ- ହେଁ – ହେଁ, ଭଉଣୀ ତୋର ଏଇ ମାମଲା ଚାଲିବା ଦିନରୁ ମୁଁ ତୋ ପାଖେ ପାଖେ ଅଛି। ସବୁ ଦେଖୁଚି, ଶୁଣିଚି। ଏ ବୟସରେ ଏତେ ଧନ୍ଦି ହବା ଅପେକ୍ଷା ଏମିତି କିଛି କର ଯେମିତି ତିୱାରୀ ବୁଢା ଫଁ ଗାଳି ପଡ଼ିବ।

:ଆଃ, କଣ ସବୁ ଏମିତି କହୁଚ! ଆଜି ନ ହେଲେ ବି କାଲିକି ସିଏ ମୋ ବାପା, ଝିଅ ଆଗରେ କଣ ମୁଣ୍ଡନୁଆଇଁବେ? ମୁଁ ଚାହୁଁଚି ଥରଟେ ସେ ମୋତେ ଝିଅ ବୋଲି ସ୍ବୀକାର କରନ୍ତୁ। ଝିଅଟା କହିଲା।
:ଇସ୍ ଝିଅଟା ନିଜକୁ କେତେ ଚାଲାଖ ଭାବୁଚି ମ! କେତେ ସିରିଏସ୍‌ରେ ବାପ୍‌ପା !
ଯମଠୁ ଶହେ ପୁଅ ନବ ହେଲେ ସ୍ବାମୀ ସାଙ୍ଗରେ ରହିବନି। ଗଳ୍ପ ସ୍ଥିରକଲା ଏଠୁ ଆଉ ଆଗକୁ ଯିବା ସମ୍ଭବ ନୁହଁ। ବାଇମନ, ଉଠା କମ୍ବଳ, ଧ’ ନୋଟା!

ଝିଅଟା ପାଖରୁ ଫେରିଲା ପରେ ମନେପଡ଼ିଲା ଭାବବିନ୍ଦୁ କଥା। ସବୁବେଳେ କହେ କାହାଣୀ, କାହାଣୀ, ଇଏ ବି ତ ଗୋଟେ କାହାଣୀ, ଆରେ ଖାସ୍ ସେଇଥି ପାଇଁ ମୁଁ ଝିଅଟା ପଛରେ ଦଉଡ଼ି ଦଉଡ଼ି ନୟାନ୍ତ। ଫଳ କଣ ହେଲା??
ହ୍ୟାଲୋ-ଓ-ଓ, କିଏ ଭାବବିନ୍ଦୁ, ମୁଁ ଗଳ୍ପ କହୁଚି।
ହୈତ୍, ନୂଆ କିଛି ଅଛି ତ କହ।

ଓ ପୁଣି ସେଇ ସିରିଏଲ୍‌ର କଥା। ମାନସୀ ପେଟର ଛୁଆ….

କଣ କହିଲୁ ଟେଷ୍ଟ୍ୟୁବ୍ ବେ ବି!! କଣ କହୁଚୁ ମ! ନାୟକକୁ ପାଇବା ପାଇଁ ମାନସୀ ଏମିତି ଚାଲ୍ ଖେଳିଚି!! ହାଓ ଡେୟାର….!
ଗଳ୍ପ ମନରେ ବିଜୁଳି ବେଗରେ ଗୋଟାଏ ମେକ୍ ଲାଗିଚି। ଆରେ ହୈ… ତିୱାରୀ ବୁଢା ପାଖରୁ ପିତୃତ୍ବ ଦାବି କରୁଥିବା ଝିଅ… ଆଉ ଟେଷ୍ଟ୍ୟୁବ୍ ବେବି…..!
ଫୋନ୍ ରଖି ଗଳ୍ପ କେମିତି ଗୋଟେ ଉଚ୍ଚାଟ ଅନୁଭବ କଲା ନିଜ ଭିତରେ ଏବଂ ମନକୁ ମନ କହିଲା, ମତେ ତ ଯେମିତି ହେଲେ ଝିଅଟାର ମା’ ପାଖକୁ ଯିବାକୁ ପଡିବ! ଫୁଲବାଣୀ, କଉ ଗୋଟେ କନ୍ଧମାଳିଆ ଗାଁରେ ତା ମା’ ରହେ।

ଫୁଲବାଣୀ ସଦର ମହକୁମାରୁ କେନ୍ଦୁପଦର, ସେଇଠୁ ପାଦଚଲା ରାସ୍ତାରେ ଗୋଟିଏ କିଲୋମିଟର ପାହାଡ଼ ତଳି ଗାଁ ଗଳ୍ପର ଇପ୍‌ସିତ ସ୍ଥାନ, ଗାଁଟିରେ ତିରିଶ ପଇଁତିରିଶ୍ ପରିବାର, ସମସ୍ତେ ଜନଜାତିର। ପାହାଡ଼ ଗଡ଼ାଣି ଦେଇ କେନ୍ଦୁପଦର ଯାଏ ଛୋଟ ମୋଟ ଗାଡ଼ିଚାଲେ। କୌଣସି ପ୍ରକାରେ ଗଳ୍ପ ସେଇଠି ଓହ୍ଲାଏ। ପାଦଚଲା ରାସ୍ତାରେ ଆଗେଇବା ପୂର୍ବରୁ ଥରେ ଆଖି ବୁଲେଇ ଆଣେ ଚାରିଆଡ଼କୁ।

ଏଇତ, ଗାଁଟା ଦିଶୁଚି ଗୋଟେ ଚିତ୍ରକରର ଚିତ୍ରପଟ ପରି। ଘରଗୁଡ଼ିକ ଛଡ଼ା ଛଡ଼ା ଗୋଟେ ଗୋଟେ ବିନ୍ଦୁ। ମଣିଷ, ଗାଇ ଗୋରୁ ଦିଶୁଛନ୍ତି ଛୋଟ ଛୋଟ ଖେଳଣା ପରି। ଚାରିଆଡ଼େ ସବୁଜିମା ଘେରା ପାହାଡ଼ ଓ ପାହାଡ଼। ଡେଙ୍ଗା ଡେଙ୍ଗା ଶାଳ, ପିଆଶାଳ, ଶାଗୁଆନ, କେନ୍ଦୁ ଓ ମହୁଲ ଗଛ। ଗଛ ତଳେ ଠିଆ ହେଇ ଆଗକୁ ଅନେଇଲେ ଲାଗୁଚି ଗଛଗୁଡ଼ିକର ମଥା ଆକାଶକୁ ଛୁଇଁଚି। ଧୂଆଁଳିଆ ବାଦଲ ନେସି ହେଇ ଯାଉଛନ୍ତି ପାହାଡ଼ ଛାତିରେ। ପାହାଡ଼ ଅଣ୍ଟିରୁ ହୀରାଗୁଣ୍ଡ ଚୋରେଇ ତରତରରେ ଚୋରଣୀ ପରି ବହିଯାଉଚି ଝରଣା। କାଚକେନ୍ଦୁ ପାଣି। ଖୁବ୍ ତଳ ସେଇ ଗାଁ ଚାରିକଡରେ ସୋରିଷ, ଅଳସି କ୍ଷେତ।
ଗଳ୍ପ ଚାଲିଚି। ବୁଦ୍‌ବୁଦିକିଆ କଣ୍ଟାଝଣ୍ଟାର ଗୁଳ୍ମକୁ ଆଡ଼େଇ ଆଡ଼େଇ। ରାସ୍ତା ମଝିରେ ମଝିରେ ବଡ଼ ବଡ଼ ପଥର ଖଣ୍ଡ ଏମିତି ମୁଣ୍ଡଟେକି ରହିଛନ୍ତି ଯେ ସତର୍କତାର ସହ ଆଗେଇବାକୁ ପଡ଼ୁଚି। ବାହୁଙ୍ଗୀ କାନ୍ଧରେ ଥୋଇ ଚାଲି ଯାଉଥିବା ଧାଙ୍ଗଡ଼ା, କିମ୍ବା ହସଖୁସିରେ ଗପଯୋଡ଼ି ଚାଲିଥିବା ଧାଙ୍ଗଡ଼ୀମାନଙ୍କୁ ଫୁଲମଣି କୁଜୁର୍‌ର ଘର ଠିକଣା ପଚାରୁଚି ଗଳ୍ପ। ସମସ୍ତେ ସେଇ ନାଆଁଟା ଶୁଣି ବୁଲି ବୁଲି ଚାହୁଁଛନ୍ତି। ସେମାନଙ୍କ ଚାହାଣିର ଭାଷା ପ୍ରାୟ ଏଇପରି ହେଇପାରେ-କେତେ ଲୋକ ଆସୁଛନ୍ତି ମ, କେତେ ଯାଉଛନ୍ତି, ଇଏ ପୁଣି କିଏ ଲୋ! ୟାଙ୍କର ତ ଫଟଉଠା ଯନ୍ତ୍ର ନାହିଁ, କିଛି ନାହିଁ, ସେ ଛାର୍‌ରୀଟାଠେଇଁ ୟାଙ୍କର କି କାମ! ହଉ ଯାଅ ଯାଅ।

କେହି କେହି ଆଙ୍ଗୁଠି ଦେଖେଇ ଚିହ୍ନେଇ ଦଉଛନ୍ତି ଟିଣ ଝାଟିରେ ବାଡ଼ ଘେରା ଗୋଟେ ଛୋଟ ଘରକୁ। ଫୁଲମଣିର ଘର। ଛୋଟ ପାହାଡ ମୁଣ୍ଡିଆ ଉପରେ ଘରଟି ପ୍ରାୟ ଗାଁର ବାହାର, ଏକଲା। ନୁଆଣିଆ ଘରଟାରେ ଫୁଲମଣି ବି ଏକଲା।

ଗଳ୍ପର ଉଦ୍ଦେଶ୍ୟ ସମ୍ପର୍କରେ ବୁଝିସାରିଲା ପରେ, କାଇଁଯେ ଫୁଲମଣିର ବିଶ୍ବାସ ଜନ୍ମିଚି କିଛି ସମୟ କଥାବାର୍ତ୍ତା କରିବ। ନାଇଁତ ତା କଥାରୁ ଜଣା ପଡ଼ୁଚି ସିଏ ଟିଭିବାଲା, ଖବରକାଗଜ ବାଲା, ନେତା ମନ୍ତ୍ରୀ ଲୋକଙ୍କ ଆଗରେ ବୟାନ ଦେଇ ଦେଇ ବିଜାର, ଖାସ୍ ଏଇ କାରଣରୁ ସିଏ ଦି, ଅକ୍ଷର ଭଲରେ ଇସ୍କୁଲରେ ପଢ଼େଇ ପାରୁନି।

ଫୁଲମଣି ଗାଁ ସ୍କୁଲରେ ଠିକା ଶିକ୍ଷୟିତ୍ରୀ। ଦେଖିବାକୁ ସାରା ଗାଁର ଲୋକମାନଙ୍କ ଠୁଁ ଭିନ୍ନ। ଶ୍ୟାମଳ ରଙ୍ଗ, ବୟସ ଚାଳିଶ୍ ପାଖାପାଖି। ଗୋଲ ମୁହଁ, କୁଞ୍ଚୁ କୁଞ୍ଚିଆ ଲମ୍ବା ବେଣୀ। ମଝି ସୁନ୍ଥାନି କାଟି ବାଳ ଚାପି, କୁଣ୍ଡେଇ ବେଣୀ ପାରିଛି, ଫୁଲ ଖୋସିଛି, କାନରେ ଟାମାଟୁଲ୍‌, ନାକରେ ଲବଙ୍ଗ କଡ଼ି,ପାଦରେ ପାଞ୍ଜୁରୁ ଆଉ ବେକରେ ଲମ୍ବିଛି ଚିପ୍‌ ମାଳି। ଚଳଣି ଦୃଷ୍ଟିରୁ ଟିକେ ସ୍ବଚ୍ଛଳ। ବଣ ସଙ୍ଗର କାମ ଛାଡ଼ି ଶିକ୍ଷକତା କରୁଥିବାରୁ ଅନ୍ୟମାନଙ୍କ ଭିତରେ ଟିକେ ସମ୍ଭ୍ରାନ୍ତ ଚେହେରା ରଖି ପାରିଚି। ବଣ ମୂଲକରେ ତାକୁ ସୁନ୍ଦରୀ କହିବାରେ କେହି ବି କଞ୍ଜୁସୀ କରି ପାରିବ ନାହିଁ।

ଧୂ-ଧୂ ପାହାଡ଼। ଶିକ୍ଷା ସଭ୍ୟତାର ହର ଏଇ ଅଗମ୍ୟ ରାଇଜରେ ଫୁଲମଣି ପାଠୋଇ। ସେଇ ନୁଆଣିଆ ଘରଭିତରେ ବସି ବସି ଗଳ୍ପ ଅନୁମାନ କରୁଚି ଏଇଠି ମିଳିଯାଇ ପାରେ ତା’ପାଇଁ ଖୋରାକ।

ଅପରାହ୍ନ ସମୟରେ ଫୁଲମଣି ଥକ୍କା ଥକ୍କା ଲାଗୁଥିବା, ସମତାଳରେ ସୂର୍ଯ୍ୟ ପାହାଡ଼ ସେ ପାଖେ ଲୁଚି ଯିବା ପୂର୍ବରୁ ମେଲାଣିର ମୁରୁଜ ବୁଣୁଚି।

ଫୁଲମଣି ଭାରି ସତେଜ ଦିସୁଚି। ସ୍କୁଲ ପିନ୍ଧା ଲୁଗା ନାହିଁ। ହାଲ୍‌କା ସବୁଜ ରଙ୍ଗରେ ବୁଟି ପକା ଶାଢୀ, ସମାନ ରଙ୍ଗର ବ୍ଲାଉଜ୍, ହାଲ୍‌କା ମେକ୍‌ଅପ୍।

ପ୍ରତିପଦ ପରର ଜହ୍ନ କେତେ ଘଡ଼ିର ସଂଜ ଅନ୍ଧାରକୁ ଆଡ଼େଇ ଆଡ଼େଇ ପୂର୍ବଦିଗ ପାହାଡ଼ କନ୍ଦିରୁ ଉଠିଆସୁଚି। ମାଈକାକର ଭିଜା ସଲପ ଗଛ ପତ୍ର ଜହ୍ନ ଆଲୁଅରେ ବରଫାବୃତ୍ତ କାଶ୍ମୀର ପରି ଦିଶୁଚି।

ଫୁଲମଣି କଥା ହେବାକୁ ଗଳ୍ପକୁ ଡାକି ଆଣିଚି ତା ଘରକୁ ଟିକିଏ ଦୂର ଗୋଟେ ଅନୁଚ୍ଚ ପାହାଡ ମୁଣ୍ଡିଆ ଉପରକୁ। ଦିହେଁ ଖୁବ୍ ପାଖା ପାଖି। ମୁଣ୍ଡିଆ ତଳି ଗାଁରୁ ଶୁଭୁଚି ଧାଙ୍ଗଡା ଧାଙ୍ଗଡୀଙ୍କ ସମ୍ମିଳିତ ଗୀତ। ରାତି ବଢ଼ିବା ସାଙ୍ଗକୁ କ୍ରମଶଃ ଗୀତର ଲୟ ହେଉଚି ମନ୍ଦ, ମାଦକ ଭରା, ଅଳସ ଅଳସ।

ନିଜ ଅନ୍ୟମନସ୍କତାରୁ ଫେରି ନୀରବତା ଭଙ୍ଗ କଲା ଫୁଲମଣି-ହଇରେ କଣ କଥା ହବୁ ପରା? ଫୁଲମଣି ଏମିତି ସମ୍ବୋଧନରେ ମାଦକତା ତ ନିଶ୍ଚୟ ଅଛି। ତଥାପି ଗଳ୍ପ ଅବାକ୍‌। ନିମିଷକ ପାଇଁ ସିଏ ଭୁଲି ଯାଉଚି ତା ପଚାରିବା କଥା?

-ଭାବୁଚୁ ନା- ତତେ କାହିଁକି ଏମିତି ସମ୍ବୋଧନ କରୁଚି?

ଗଳ୍ପ ମୁହଁରେ ଭାଷା ନାହିଁ। ଏ ଯାଏ ଭାବଗମ୍ଭୀର ଦିଶୁଥିବା ଇଏ କଣ ସେଇ ମହିଳା! ଯିଏ ଏଇ ଦୁର୍ଗମ ଇଲାକାର ଜନଜାତିର ମହିଳାମାନଙ୍କ ଭିତରୁ ଜଣେ!

ଗୋଟିଏ ଗୁରୁଜନ ସୁଲଭ ହସ ଖେଳିଗଲା ଫୁଲମଣି ଓଠରେ। କହିଲା-ମଣିଷର ଜୀବନ ଯେତିକି ରହସ୍ୟମୟ ତା ତୁଳନାରେ ତୋ ସ୍ଥିତି କ’ଣ ହେବ ଭାବୁଚୁ। ମୁଁ ଚରିତ୍ର, ତୁ ଗଳ୍ପ? ବେଶି କିଛି ଭାବନା- କଣ ପଚାରିବୁ ପଚାର !

ଏଇ କେଇ ପଦ କଥାରେ ଗଳ୍ପର ସବୁ ଆକଳନ ବଦଳି ସାରିଚି। ଅନୁଭବ କରୁଚି ଫୁଲମଣି କେବେଳ ଶିକ୍ଷାଦୀକ୍ଷାରେ ଏ ମୂଲକରେ ଅଲଗା ନୁହଁ, ଚିନ୍ତାରେ ଚେତନାରେ ବି। କୌଣସି ଔପଚାରିକତା ନରଖି ଗଳ୍ପ ପଚାରିଲା- ଏବେ ଆମ ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀ, ବରିଷ୍ଟ ନେତାଙ୍କ ଝିଅ ବୋଲି ନିଜକୁ ଯିଏ ଦାବି କରୁଚି…?
-ସମିରା, ମୋ ଝିଅ, କଣ ହେଲା?
-ସିଏ ତମ…ଝିଅ !!
-କାଇଁ ବିଶ୍ବାସ ହେଉନି ବୋଧେ।
-ନାଇଁ…ହଁ-ହଁ
– ଏଇଥି ପାଇଁ ଯେ ସମିରା ଗୋଟେ ଆଦିବାସୀ ଝିଅ , ପୁଣି କାଶ୍ମୀର ସେଓଟେ ପରି ଦିଶୁଚି,
ଏଇଆ ନା? କହିଲା ଫୁଲମଣି।
ଗଳ୍ପ ନିଜ ପ୍ରଶ୍ନରେ ନିଜେ ଛନ୍ଦି ହେଇ ପଡ଼ି ନୀରବ ରହିଲା।
-ସମିରା ମୋ ଝିଅ।
-ଆଚ୍ଛା ଏବେ ସେ ଯେଉଁ ଦାବି କରୁଚି ତା’ କଣ ସତ?
-କଥାଟା…ସତ ନୁହଁ , ମିଛ ବି ନୁହଁ।
ବୁଝି ପାରିଲିନି।
-ବୁଝିବାକୁ ଚେଷ୍ଟା କଲେ ସିନା ବୁଝିବୁ। ଆରେ ଯଉ କଥାଟା ସତ ନୁହେଁ ତାହା ମିଛ ହେଇ ପାରେ। ଆଉ ଯାହା ମିଛ ନୁହେଁ….ତାହା….।

ଫୁଲମଣିର କଥାର କୁହେଳି ଭିତରେ ନିରୀହ କେରାଣ୍ଡି ମାଛ ପରି ଛଟପଟ ହେଉଚି ଗଳ୍ପ। ମନରେ ଅସୁମାରୀ କୌତୁହଳ ଅଥଚ ଫୁଲମଣି(!) ସ୍ଥିର, ନିର୍ବିକାର।
-ତତେ ସେ କାହାଣୀଟା କହୁଚି ଶୁଣ୍‌। ଭାବୁଚି ଶୁଣିସାରିବା ପରେ ବୁଝି ପାରିବୁ ଯଉଟା ମିଛ ନୁହଁ ସେଇଟା କି ସତ!

ସିର୍‌ସିର୍‌ ପବନରେ ଫୁଲମଣିର ମୁହଁ ଉପରେ ଉଡ଼ୁଥିବା ଚୂଳ କେରାକୁ କାନ ଉପରେ ଗେଞ୍ଜି ଦେଇ ସିଏ ଆକାଶର ଦି’ପାଦ ଉପରକୁ ଉଠିଯାଇଥିବା ଜହ୍ନକୁ ଚାହିଁ ରହିଲା। ଧୀର ସ୍ବରରେ ସିଏ ଆରମ୍ଭ କଲା-

ମାନନୀୟ ତିୱାରୀ ମହୋଦୟ ସେତେବେଳେ କେନ୍ଦ୍ରୀୟ ପ୍ରଭାରୀ ହୋଇ ପ୍ରଥମ ଥର ଆସିଥାନ୍ତି ଓଡ଼ିଶା। ପ୍ରଦେଶ କଂଗ୍ରେସର ସଭାପତି ପଦ ପାଇଁ ଲାଗିଥାଏ ଛକାପଂଝା। ଗୋଡ଼ ଟଣାଟଣି, ଗୋଛିକଟା। ନିଜ ନିଜ ସମର୍ଥକମାନଙ୍କୁ ନେଇ ପଡ଼ୁଥାଏ ଦିଲ୍ଲୀରେ ଡେରା।

ଦଳୀୟ ଅନ୍ତର୍ଦ୍ବନ୍ଦ୍ବ କାରଣରୁ ସଙ୍ଗଠନ ଦୁର୍ବଳ। ପୂର୍ବ ସଭାପତିଙ୍କୁ ପ୍ରତ୍ୟାଖ୍ୟାନ କରିସାରିଥାନ୍ତି ଜନତା। ନିର୍ବାଚନରେ ମଧ୍ୟ ଚିତ୍‌ପଟାଙ୍ଗ। ଜଣେ ନୂତନ ନେତୃତ୍ବ ସନ୍ଧାନରେ ଥିବା ଦଳର ହାଇକମାଣ୍ଡ ବାରମ୍ବାର ଗୋଷ୍ଠୀ କନ୍ଦଳକୁ ସମାଧାନ କରିବାକୁ ପଠାଉଥାନ୍ତି କେନ୍ଦ୍ରୀୟ ନେତୃମଣ୍ଡଳୀଙ୍କୁ। କିନ୍ତୁ ବିଫଳ, ପୁରୁଣା ଗୋଷ୍ଠୀ କନ୍ଦଳ କାରଣରୁ ଦି ଦିଥର କଂଗ୍ରେସକୁ ଲଜ୍ଜାଜନକ ଭାବେ ସାଧାରଣ ନିର୍ବାଚନରେ ପରାଜୟର ମୁହଁ ଦେଖିବାକୁ ପଡ଼େ।

ଫୁଲମଣିର ମୁହଁରୁ କଂଗ୍ରେସର ଏଇ ଇତିହାସ ଶୁଣି ଗଳ୍ପ ଭାବୁଚି ଏ ଗୁଡ଼ା ରିପୋର୍ଟ ହେଃ! ଏ ସବୁକୁ ନେଇ କି ଲେଖା। ଏତେ ବାଟ ଆସିବାଟା….।

ଫୁଲମଣି କହିଚାଲିଥିଲା-ସେଇ ବର୍ଷ ନିର୍ବାଚନକୁ ଆଖି ଆଗରେ ରଖି ତିୱାରୀ ସାହେବ ଓଡ଼ିଶା ଆସିଥାନ୍ତି। ସବୁଗୋଷ୍ଠୀର ଛାମୁଆ ନେତାଙ୍କୁ ଡାକି ଆଲୋଚନା କରିସାରି ନୂଆ ନେତା ଅଳ୍ପ ଦିନ ମଧ୍ୟରେ ହାଇକମାଣ୍ଡ ଘୋଷଣା କରିବେ ବୋଲି କହିସାରିଥାନ୍ତି। ତାଙ୍କ ଆସିବାର ତୃତୀୟ ଦିନରେ ନିଜସ୍ବ ଆଗ୍ରହରେ ଓଡ଼ିଶାର ଆଦିବାସୀ ଅଞ୍ଚଳ ବୁଲି ଦେଖିବାକୁ ଆସି ପହଞ୍ଚିଥିଲେ ଫୁଲବାଣୀରେ। ଏଠିକାର ଦଳୀୟ କର୍ମୀ, ତାଙ୍କ ପାଇଁ ସ୍ବାଗତ ସମ୍ବର୍ଦ୍ଧନାର ବ୍ୟବସ୍ଥା କରିଥାନ୍ତି। ପରେ ପାଦରେ ଚାଲିଚାଲି ଆମ ରାଇଜର ପ୍ରାକୃତିକ ସୁଷମା ଦେଖୁଥାନ୍ତି। ବୁଝୁଥାନ୍ତି ଅଶିକ୍ଷା, ଅନ୍ଧାର, ଅର୍ଦ୍ଧାହାର ଓ ଅନାହାରରେ ରହୁଥିବା ମଣିଷ ମାନଙ୍କର ଆର୍ତ୍ତ ଚିତ୍କାର।

ନିଃଶବ୍ଦରେ ନିଜ ମଥାରେ ହାତ ପିଟି ଗଳ୍ପ ମନେ ମନେ କହୁଥାଏ- ଓଃ, ବନ୍ଦ୍‌କର ଫୁଲମଣି। ଏସବୁଙ୍କୁ ନେଇ ଲେଖା ବୋର୍ ହିଁ ବୋର୍ ହବ। ଏସବୁ କଥା କିଏ ନ ଜାଣେ !

ଅବଶ୍ୟ ଗଳ୍ପର ଏଇ ଅସ୍ଥିର ଭାବ ବେଶି ସମୟ ରହିଲା ନାହିଁ।
ରାତିର ବୟସ ବଢୁଥିବା ସାଙ୍ଗେ ସାଙ୍ଗେ ଫୁଲମଣିର ଉଦାସ, ଅଥଚ ନିସ୍ତରଙ୍ଗ ସ୍ବର ଶୁଭୁଥିଲା ଅଦୂରର ବଂଶୀସ୍ବନ ପରି, ବିରହ ବିଧିର। ସିଏ କହିଚାଲିଥିଲା-ଆମ ଗାଁ ଲୋକଙ୍କ ଅନୁରୋଧ କ୍ରମେ ଗୋଟିଏ ସ୍କୁଲର ଶିଳାନ୍ୟାସ କରିଥିଲେ ତିୱାରୀ ସାହେବ। ପରେ ପରେ ମଧ୍ୟ ଅର୍ଥ ମଞ୍ଜୂର। ଗାଁର ବୁଆରି ଘର, ଓଝାଘର, ଠାକୁରାଣୀ, ଚାନ୍ଦିନୀ, ଝରଣା ବୁଲି ବୁଲି ଦେଖିଥିଲେ।

କଥା କହୁଁ କହୁଁ ଅଟକି ଯାଇ ଫୁଲମଣି ପଚାରିଲା- ଆଚ୍ଛା ତୁ ତିୱାରୀ ସାହେବଙ୍କୁ ଦେଖିଚୁ?
-ନା, ପାଖରୁ ନୁହଁ। ଟିଭି ଓ ଖବର କାଗଜରୁ….।
-କେମିତି ଦିଶନ୍ତି?
କେମିତି….ଦିଶନ୍ତି, ପ୍ରାୟତଃ ତିୱାରୀ ସାହେବଙ୍କ ଏଇ ଘଟଣା ନ ଘଟେ ତାଙ୍କୁ ମନେ ନ ରଖିବା ପରି ନ ଦେଖେ। ତାପରେ ଏବେ ତାଙ୍କ ବୟସ ସତୁରୀ ପାଖାପାଖି…. ଏଇକଥା ମନେ ମନେ ଭାବୁଥିଲା ଗଳ୍ପ କିନ୍ତୁ କିଛି କହିପାରିଲା ନାହିଁ।

-ସୁନ୍ଦର, ଗୋଟିଏ ନାରୀର ମନକୁ ଆକର୍ଷିତ କଲାପରି। ଏକଥା ମୁଁ କହୁଚି ତାଙ୍କ କୋଡ଼ିଏ-ପଚିଶ ବର୍ଷ ତଳର ଚେହେରାକୁ ନେଇ।

ଗଳ୍ପ ଫୁଲମଣିର କଥାକୁ ସମର୍ଥନ କରି କହି ଉଠିଲା- ଅବଶ୍ୟ ଅବଶ୍ୟ, ଏବେକା ଚେହେରାକୁ ଦେଖିଲେ ଯେ କେହି ଅନୁମାନ କରିପାରେ।

-ତତେ ଆଉ ଟିକେ ମୋ ବ୍ୟକ୍ତିଗତ ଋଚି ଆଡ଼କୁ ନଉଚି। ଭାବୁଚି ବୋର୍ ହବୁନି।
ଗଳ୍ପ ଚାହିଁ ରହିଥିଲା ସେଇ ରହସ୍ୟମୟୀ ଫୁଲମଣି ଆଡ଼େ। ଯାଦୁକରର ପେଡ଼ିପରି ଖୋଲିବା ଖୋଲିବା ହଉଚି ଅଥଚ ଉତ୍କଣ୍ଠା,ଉଦ୍‌ବିଗ୍ନତାକୁ ଏକାଠି କରୁଚି ତା ଚଉଦହୀରେ। ଉତ୍କଣ୍ଠା ରହିବାଟାତ…।

ଗୋଟେ ନାତିଦୀର୍ଘ ନିଶ୍ବାସ ଛାଡ଼ି ଫୁଲମଣି କହିଲା- ମୋ ବାପା ଦୀନ କୁଜୁରକୁ ମୁଁ ଦେଖି ନାହିଁ। ମାକୁ ଦେଖିଚି ସାତ ଆଠ ବର୍ଷ ଯାଏ। ଆମର ଅଭାବ ଘର। ମାଣ୍ଡିଆ ଜାଉ, ସଲପ, ତାଡ଼ି ପିଆ ସଂସାର। କାହିଁକି କେଜାଣି ମୋତେ ପିଲା ଦିନର କେହି ସେ ସବୁରୁ ବାହାର କରି ଆଣିଚି। ସମସ୍ତଙ୍କଠୁ ମୁଁ ଅଲଗା ହେଇ ବଞ୍ଚିବା ଶିଖିଚି। ଏଇ ଗାଁରୁ ଚାଲି ଚାଲି, ବସ୍ତାନୀ ଧରି ପାଠ ପଢିବାକୁ ଯାଇଚି ପାଞ୍ଚ କିଲୋମିଟର। ସ୍କୁଲରୁ ଫେରିବା ବେଳେ ସଞ୍ଜ ଅନ୍ଧାରରେ ଭାଲୁ ହାବୁଡ଼ରେ ପଡ଼ିଚି। ପ୍ରଥମ ଝିଅଟେ ହେଇ ମାଟ୍ରିକ୍ ପାଶ୍ କରିଛି। ଘରେ ପଢ଼ି କଲେଜ ପାଶ୍ କରିଚି। ମହୁଲଫୁଲ ତୋଳି ପେଟ ପୋଷିଚି। କାଠ କାଟି, ପୋଡୁଚାଷ କରିବାକୁ ଡଙ୍ଗର ଯାଇନି। ପରବରେ ଗୀତ ଗାଇଚି, ନାଚିଚି, କିନ୍ତୁ କେବେ ମହୁଲି ନିଶାରେ ପଡ଼ିନି। ନିଶାରେ ପଡ଼ିଚି କିନ୍ତୁ ଅଲଗା ଗୋଟେ ହେବି। ଛାଡ଼୍‌ ।

ହଁ ମୁଁ କହୁଥିଲି ପରା, ତିୱାରୀ ସାହେବଙ୍କୁ ଦେଖିଲା ପରେ ମୋ କୁଆଁରୀ ମନରେ ଛୁଆଁ ଲାଗିଲା। ଇଚ୍ଛା ହେଲା ଏମିତି ଗୋଟେ ସୁନ୍ଦର ପୁରୁଷର ସାନିଧ୍ୟ ଜୀବନରେ ଥରଟେ ମିଳିଲେ…। ବାମନ ହେଇ ଚନ୍ଦ୍ରକୁ ଥରଟେ ହଉ ପଛେ ପାଇବି କି? ଭାବିଲି ସଭ୍ୟତା, ଶିକ୍ଷାର ଦୁଆର ମାଡ଼ି ନଥିବା କଉ ଗୋଟେ ଡଙ୍ଗରିଆ ସାଙ୍ଗରେ ସାରାଟା ଜୀବନ ବିତେଇ ଦେବା ଅପେକ୍ଷା ମୁହୂର୍ତ୍ତକର ସେ ସାର୍ଥକତା ଜୀବନକୁ ପୂର୍ଣ୍ଣତାରେ ଭରିଦବ।

କହିପାରିବିନି ଇଶ୍ବରଙ୍କ ସଂଯୋଗ କି କଣ, ସେଦିନ ଗାଁ ମୁଖିଆ ତିୱାରୀ ସାହେବଙ୍କ ଚର୍ଚ୍ଚା ସ୍କୁଲର ମାଷ୍ଟରାଣୀ ହିସାବରେ ମୋତେ ଦେଇଥିଲେ। ଆମ ଘରେ ମୁଁ ଲାଗିପଡ଼ିଥିଲି ତାଙ୍କୁ ଆତିଥେୟତା ଦେବାରେ। ସ୍ବପ୍ନରେ ବି ଭାବି ନଥିଲି ମୋର ଏଇ ଖପରଲି ଘରଭିତରକୁ ସିଏ ପାଦ ଦେବେ। ଅଥଚ ମୋ ଘର ଭିତରକୁ ଆସୁ ଆସୁ ମାଟିକାନ୍ଥର ଝୋଟି ଚିତ୍ରରେ ସିଏ ବିମୋହିତ ହେଇ ପଡ଼ିଲେ।

ମୁଁ ତାଙ୍କୁ ଖାଇବା ପରଶିଦେବା ବେଳେ ଲକ୍ଷ୍ୟ କରୁଥାଏ ତାଙ୍କ ଅନମନସ୍କ ଭାବକୁ। ମୋ ହାତ ରନ୍ଧାର ପ୍ରଶଂସା କରି ସିଏ ଅଧିକ ବିରିଭାତ ଖାଇଦେଇଥିବା କଥା ପରେ କହିଲେ। ପଚାରି ବୁଝିଲେ, ଶର୍ଗିପତ୍ର ଦେଇ ଅଳସି ଏଣ୍ଡ୍ରି ପିଠା କେମିତି ତିଆରି ହୁଏ। ଆମ ଚଳଣିରେ ଅତିଥି ଭଗବାନ। ସେଦିନ ସଞ୍ଜରେ ତାଙ୍କୁ ସ୍ବାଗତ କରାଯାଇ ଲାଗିଲା ନାଚ ଗୀତର ପରବ। ଦିନର ବୁଲା ବୁଲି ପରେ ସିଏ କ୍ଲାନ୍ତ ଅନୁଭବ କରି ଅଳ୍ପ ସମୟ ପରେ ଫେରିଆସିଲେ ରାତ୍ରିର ବିଶ୍ରାମ ନେବାକୁ। ମୁଁ ନିଜ ହାତରେ ସଜେଇଥିବା ବିଛଣାରେ ଶୋଇଥିଲେ ମୋ ଇପ୍‌ସିତ ପୁରୁଷ। ନୀରବରେ ନିଶ୍ଚିନ୍ତରେ। କିନ୍ତୁ ମୁଁ ଅସ୍ଥିର ଚଞ୍ଚଳ। ବହିଯାଉଥିଲି କୁଆଁରୀ ଛନ୍ଦରେ ବନର ଝରଣା ପରି। ଭିଜେଇ ଦେଇ ଚାଲିଯାଉଥିଲି ତାଙ୍କ ତନୁମନକୁ। ମୋ ହୃଦୟ ମନ୍ଦିରର ଦେବତା କରି ନୈବେଦ୍ୟ କରି ଦେଇଥିଲି ଅପାପବିଦ୍ଧା ମୋ ଯୌବନକୁ, ନାରୀତ୍ବକୁ।

ଆକାଶରୁ ପଡ଼ିଗଲା ପରି ଅନୁଭବ ହେଲା ଗଳ୍ପକୁ। ଫୁଲମଣି ତାକୁ ବିଭୁତି ପଟ୍ଟନାୟକଙ୍କ ଉପନ୍ୟାସର ନାୟିକା ପରି ଇମୋସନାଲ୍ ଲାଗୁଥିଲାବେଳେ ଆଖି ଆଗରେ ନାଚି ଯାଉଥିଲା ନାୟକ ବୃଦ୍ଧ ତିୱାରୀଙ୍କ ଛବି। ପୁଣି ଜିଦ୍‌‌ଖୋରୀ ସମିରାର ସଂଘର୍ଷ। ଅବିଶ୍ବାସ ଆସୁଥିଲା ସତରେ କଣ ତିୱାରୀଙ୍କ ପରି ଜଣେ ଉଚ୍ଚପାହ୍ୟାର ମଣିଷ…!! ଗଳ୍ପ ତା ମନ କଥା ପ୍ରକାଶ କଲା।

ନିରୁଦ୍‌ବିଗ୍ନା ଫୁଲମଣି ଥରେ ପାଖରେ ବସିଥିବା ଗଳ୍ପର ପ୍ରଶ୍ନିଳ ମୁହଁକୁ ଚାହିଁଲା, ଥରେ ରାତିର ନୀରବତା ଆଡକୁ। ଗଳ୍ପର ମଥାକୁ ନିଜର ଛାତି ଭିତରକୁ ଟାଣି ଆଣିଲା ଦି ‌ହାତରେ।

ଧକ୍- ଧକ୍- ଧକ୍

ନିର୍ଦ୍ଦିଷ୍ଟ ଅଥଚ ସୁସ୍ଥ ବ୍ୟବଧାନର ଛନ୍ଦ ସେ ଛାତି ଭିତରେ। ଗଳ୍ପର ମଥା ଚାପି ହୋଇ ରହିଚି ଛାତିର ଦୁଇ ବିଭଂଗ ପାହାଡର ଖୋଲରେ। ମଥା ଉପରେ ଫୁଲମଣିର ଦୁଇ କୋମଳ ହାତର ପାପୁଲି। ଆକାଶରେ ମ୍ଲାନ ଜ୍ୟୋତ୍ସ୍ନା। ପବନରେ ଲଘୁ ସଙ୍ଗୀତ। କାମନା ରହିତ ଗୋଟେ ନାରୀର ଉପତ୍ୟକା ପରି ଲମ୍ବିଥିବା ଇତିହାସ। ଏ ଅନୁଭବ ପ୍ରଥମ କରି ଗଳ୍ପକୁ ଲାଗୁଥିଲା ଅନନ୍ୟ, ଅବର୍ଣ୍ଣନୀୟ।

ଦୂର ଆକାଶର କେଉଁଗୋଟେ ନକ୍ଷତ୍ର ଭିତରେ ହଜିଯାଇଥିଲା ଫୁଲମଣିର ଦୃଷ୍ଟି, କେତେ ସମୟ ସେ ଭୁଲିସାରିଥିଲା କେହି ଜଣେ ତା ଛାତିର ଗଭୀରତାରେ ବୁଡ଼ି ବୁଡ଼ି ଯାଉଚି। କେଉଁ ଅଶରୀରୀ ସ୍ବରରେ ସେ ଉର୍ଦ୍ଧ୍ବମୁଖୀ ହେଇ କହୁଥିଲା- ତୁ ଗଳ୍ପ, ତୁ ମୋତେ ବାହାରୁ ଦେଖିସାରିଚୁ। ଶୁଣି ବି ସାରିଚୁ। ତୋତେ ମୋ ଛାତି ଭିତରେ ବି ପଢ଼େଇ ଦଉଚି। ଅନ୍ତତଃ ଏଇ କଥା ଭାବି ଯେ କାହାଣୀଟିକୁ ପ୍ରାଣମୟ କରିବା ପାଇଁ ଚରିତ୍ର ଭିତରେ ତୋର ଆତ୍ମୀୟ ପ୍ରବେଶ ନିହାତି ଜରୁରୀ।

ଗଳ୍ପ ନିଜକୁ ମୁକ୍ତ କରି ପଚାରିଲା- ତାହେଲେ ତମେ ଝିଅର ଦାବି ପାଇଁ କାହିଁକି ସତ କଥା ଖୋଲି ଦଉନ।
-କହିଲି ନା- ସତ ପରି ଦିଶୁ ଥିବା ସବୁ ସତ ସତ ନୁହଁ। ହେଇ ନ ପାରେ। ସେମିତିକା ଗୋଟେ ସତ, ମିଛର ପ୍ରତିଶବ୍ଦ କି ପ୍ରତିରୂପ ନ ହେଇପାରେ।
-ମୁଁ କିଛି ବୁଝିପାରୁନି ଫୁଲମଣି!!
-ଶୁଣ, ସମିରା ଏବେ ପିତୃତ୍ବ ଦାବି କରି ନ୍ୟାୟାଳୟର ଆଶ୍ରୟ ନେଇଚି। ବଡ ଜିଦିଆ ଝିଅ ସେ। ଥକି ପଡ଼ିବା ଯାଏ ଦଉଡ଼ୁ ଥିବ। ଅଥଚ ମୋତେ ସେ ଆଜି ଯାଏ ବୁଝିପାରିଲାନି।
-ବୁଝିପାରିଲାନି, କାହିଁକି?
-ତୁ ଗଳ୍ପ, କେବେ କଉ ଝିଅକୁ ଶିଖେଇଚୁ ଯେ ଦୁନିଆରେ କେବଳ ମା’ ର ପରିଚୟ ନେଇ ବଞ୍ଚାଯାଇ ପାରେ ବୋଲି? କେବେ ଆତ୍ମପ୍ରତ୍ୟୟ ସୃଷ୍ଟି କରି ପାରିଚୁ, ଗୋଟିଏ ପିତୃତ୍ବ ସନ୍ତାନର ଶେଷ ପରିଚୟ ମୁହଁ ବୋଲି?

ଫୁଲମଣିର ଏଇ କେତେ ପଦ କଥାର ତୀବ୍ରତା ଗଳ୍ପକୁ ମୁଣ୍ଡିଆ ତଳକୁ ଠେଲି ଦେବାରେ ଯଥେଷ୍ଟ ଥିଲା। ଫୁଲମଣିର ପ୍ରତିଟି ଶବ୍ଦର ଶକ୍ତିରେ ସିଏ ଦିଶୁଥିଲା ଆହୁରି ଉଜ୍ବଳ, ପ୍ରତିଭାତ। ନାରୀତ୍ବର ଦାମ୍ଭିକତାରୁ ଲାଗୁଥିଲା ସିଏ, ପାହାଡ ଠୁଁ ବି ଉଚ୍ଚ।

ଜଣେ ବଦୂଷୀ ନାରୀ ପରି କହିଲା-ନାରୀ ପ୍ରେମର ପରିତୃପ୍ତି ପାଇଁ ଖୁବ୍‌ କମ୍‌ଥର ପୁରୁଷ ପାଖରେ କାୟ, ମନରେ ସମର୍ପିତ ହୋଇଥାଏ, ବାକି ଧର୍ଷିତା ହେଉଥାଏ, ସାରାଟା ଜୀବନ।
ମୁଁ ଯେ ସେମିତିକା ଜୀବନଟେ ଚାହିଁନି, ଏକଥା ସମିରା ଆଜି ବି ବୁଝିପାରିନି। ଅବଶୋଷ୍।
ଗଳ୍ପ ପଚାରିଲା- ତେବେ ସତଟା ତ ସତ ନା?

ବାରମ୍ବାର ସତ ଶବ୍ଦଟା ଶୁଣି ଶୁଣି ବୋଧହୁଏ ବ୍ୟତିବ୍ୟସ୍ତ ହେଇପଡ଼ିଲା ଫୁଲମଣି, ବିରକ୍ତିପୂର୍ଣ୍ଣ ସ୍ବରରେ କହିଲା- ସତ, ସତ, ସତ, ନର୍କକୁ ଯାଉ ତୋର ସେଇ ସତ। ତମେ ସତ ମିଛର ସେଇ ସ୍ଥିତିରେ ବନ୍ଧା ପଡ଼ିଚ, ସମିରା ବି, ଦୁନିଆ ବି, ସତର ଟିକିଏ ପଛକୁ, ମିଛର ଟିକିଏ ଆଗକୁ ପଢ଼ିବାକୁ ଯେମିତି କାହାରି ସାମର୍ଥ୍ୟ ନାଇଁ। ଆରେ ପ୍ରତିଟି ମଣିଷ ପାଇଁ ତାର ନିଜସ୍ବ ସତଟି ସ୍ବତନ୍ତ୍ର। ସେଇ ସତ ପାଖରେ ସ୍ବାମୀ, ସନ୍ତାନ, ସଂସାର କେହି ବି ନୁହଁ, କିଛି ବି ଦୁହେଁ।

ବସିବା ସ୍ଥାନରୁ ଏଥର ଉଠିପଡିଲା ଫୁଲମଣି, ଗଳ୍ପ ବିସ୍ମୟ, ନିର୍ବାକ୍‌। ଯିବାପୂର୍ବରୁ ଗଳ୍ପର ଶବ୍ଦହୀନ ମୁହଁକୁ ଚାହିଁ ଏତିକି ମାତ୍ର କହିଲା ସିଏ-ତିୱାରୀ ସାହେବଙ୍କ ସହ ମୋର ଏକତରଫା ସେଇ ସମ୍ପର୍କଟା ଗୋଟେ ଇମୋସନାଲ୍ ଆଟାଚ୍‌ମେଣ୍ଟ। କେବଳ ଇମୋସନାଲ୍। ସେଥିରେ କାହାରି ଭାଗ ନାଇଁ, ତାକୁ ନେଇ କେବେ ବି କାହାରି ଅଣ୍ଟିରେ ମୁଁ ଅଜାଡି ଦେଇ ପାରିବି ନାହିଁ। ସିଏ ମୋ ଝିଅ ହଉ କି ତୁ।

ସବୁଦିନ ପରି ବିଳମ୍ବିତ ରାତିରେ କଳ୍ପନାର ଗଳ୍ପନାୟିକା ଫୁଲମଣି ଫେରିଯାଉଥିଲା ତା ଖପରିଲ୍ ଘରର ଅନ୍ଧାର ଭିତରକୁ।