ଠନ୍‌ ଠନ୍‌ ଠନ୍‌।

ସାରା ସଂସାରଟା ଶୋଇଗଲା ପରେ ଦରୱାନ ରାତି ଅଧରେ ସମୟ ଅନୁଯାୟୀ ବାରଥର ଆଉ ଏଗାରଥର କରି ଘଣ୍ଟା ବାଡ଼ାଏ। ଓ! କି ବିରକ୍ତିକର ଆଉ ଭୟାନକ ଶବ୍ଦ ସିଏ। ରେସିଡ଼େନ୍ସିଆଲ ସ୍କୁଲ।

ମୁଁ ରାତି ଅଧରେ ବରାବର ଏଇ ଶବ୍ଦରେ ଡରେ। ସତେକି ଛାତିରୁ ଅତଡ଼ା ଖସି ଯାଉଛି। ନିଦ ନ ହେଲେ ଲାଗେ ମତେ କିଏ ଡାକୁଛି। କିନ୍ତୁ କି ଉଦ୍ଦେଶ୍ୟ ରଖି, ମୋ ପ୍ରତି କାହାର ବା କି ଉଦ୍ଦେଶ୍ୟ ଥାଇପାରେ! ମୁଁ ବିରକ୍ତ ହୋଇଯାଏ। ରାଗିଯାଏ, କ୍ରୋଧ ପରମଶତ୍ରୁ ଏକଥା ଜାଣି ସୁଦ୍ଧା, ମୋ ନିଦ ପୁରାପୁରି ଭାଙ୍ଗିଯାଏ। କାନ ଡେରି ଭଲ କରି ଶୁଣେ। ମୁଁ ଆଉ ଦୁଃସ୍ବପ୍ନ ଦେଖୁନାହିଁ ତ! ନାଁ ଶବ୍ଦଟା ସ୍ପଷ୍ଟ ଶୁଭୁଛି। ତକିଆରେ ମୁହଁ ଗୁଞ୍ଜି ଶୋଇପଡ଼େ।

ଅତି ସାନବେଳେ ରାତି ଅଧରେ ବଗିଚାର ବଡ଼ ପଣସ ଗଛର ଡାଳ ବିନା କାରଣରେ ଦୋହଲିଗଲେ ନିଦ ଭାଙ୍ଗିଯାଏ। ମୁଁ ସେତେବେଳେ ଜେଜିମା’କୁ ଉଠେଇ ପକାଏ। ସିଏ ରାଗିମାଗି ହେଲେ, କହେ କେହିଜଣେ ଆସି ମୋତେ ମାଡ଼ିବସୁଛି ଜେଜିମା’। ଦିନେ ମୁଁ ହାଉଳି ଖାଇଲି। ଜେଜିମା କହିଲା ‘ଇଲୋ କ’ଣ ହେଲା।’ ଘରସାରା ଲୋକ ଉଠିଆସି ଦେଖିଲେ ମୁଁ ନାଚୁଛି। ମତେ ଟେକି ନେଇ ଅନେକ କଥା ପଚରାଉଚୁରା କଲେ। ସକାଳେ ଜଣେ ଗୁଣିଆ ଆସି ମତେ ଝାଡ଼ଫୁଙ୍କା କଲା। ହେତୁ ହେଲା ଦିନରୁ ମୋର ଭୂତ ପ୍ରେତ ପ୍ରତି ଅଗାଢ଼ ବିଶ୍ବାସ। ଏହି ଘଟଣା ପରଠୁ ମୁଁ ଏକୁଟିଆ ରହିବାକୁ ପ୍ରବଳ ଡରେ।

ଏହିପରି ଅନେକ ଘଟଣା। ସେସବୁ ମନେପକାଇ କି ଲାଭ। ବିସ୍ମିତା ନିଜ ମନଭିତରେ ଭାବୁଥିବା ଅନେକ ଅପଚିନ୍ତାକୁ ସେଇଠି ରଖିଲା। ଘରସାରା ଅନ୍ଧାର ତିମିରେ। ସମସ୍ତେ ଯିଏ ଯେମିତି ଶୋଇ ପଡ଼ିଛନ୍ତି, ଏକମାତ୍ର ଚେଇଁଚି ସିଏ। ସାମ୍ନା କବାଟ ସେ ପାଖ ଡାଇମଣ୍ଡ କଟିଙ୍ଗରେ ଗୋଟେ ଛାୟାମୂର୍ତ୍ତି ଯେମିତି ଅପସରି ଗଲା। ବସ୍ମିତା କ’ଣ ଭାବି ପାୟଲ ଦେୱାଙ୍ଗନ (କ୍ଲାସ୍‌ ନାଇନ୍‌) କୁ ହଲେଇ କହିଲା, ‘ସି ସମବଡ଼ି ଇଜ୍‌ ଦେୟାର।’ ପାୟଲ ନିଦ ବାଉଳାରେ କହିଲା ହ୍ବାଟ ହାପେନ? ତା’ର ପ୍ରତିକ୍ରିୟା ଦେଖି ବିସ୍ମିତା ପାତ୍ର କୌଣସି ସାହାସ ସଞ୍ଚୟ ନ କରି ଏକଦମ୍‌ ଚୁପ୍‌ ହେଇଗଲା। ମୁହଁ ଜାକି ଶୋଇ ପଡ଼ିଲା। ମନେ ମନେ ଭାବିଲା ଯେଉଁଠି ଘର ଲୋକ ତା’ର ହେଲେନି ତା’କଥା ଆଉ କିଏ ଶୁଣିବାକୁ ଯିବ।
ବିସ୍ମିତା ଆଜିକାଲି ସବୁଠି ନିଜକୁ ଅସୁରକ୍ଷିତ ମନେ କରୁଛି। କ୍ଲାସ୍‌ରୁମରେ ଏମିତିକି ଡର୍ମିଟାରୀରେ ବି। ତା’ର ବଢ଼ନ୍ତା ଯୌବନ କ’ଣ ତା’ର ଶତ୍ରୁ। ହେଲେ ସିଏ କ’ଣ କରିପାରିବ। ସମସ୍ତେ ଯେମିତି ତାକୁ ଲୋଲୁପ ଆଖିରେ ଚାହିଁ ରହିଛନ୍ତି। ତାକୁ ନେଇ ଘରେ ବାହାରେ ସମସ୍ତେ ବ୍ୟସ୍ତ। କୁଆଡ଼େ ତା’ର ବୟସ ବଢ଼ିଯାଇଛି, ସିଏ ବଡ଼ ହୋଇଯାଇଛି। ସେଇଥିଲାଗି ତ ସିଏ ରେସିଡ଼େନ୍ସିଆଲ୍‌ ସ୍କୁଲରେ ପଢୁଛି। ବାପାଙ୍କର ଯେତେସବୁ କଥା, କାଳେ ସିଏ ଶୃଙ୍ଖଳିତ ହେବ।

ଘରେ ଥିଲାବେଳେ ତାକୁ ବାପା ଗୋଡ଼େ ଗୋଡ଼େ ଜଗୁଥିଲେ। କାଳେ ତା’ର ପାଦ ଖସିଯିବ।

ଆଇସ୍‌କ୍ରିମ ବାଲା, ଘରପାଖ ପାନ ଦୋକାନୀ, କ୍ଷୀରବାଲା, ପଡ଼ୋଶୀ ଘରର ଲିଟୁ, ଗାଁର ଲେଖାଜୋଖା ଦାଦା, ମାମୁଁ ସମସ୍ତେ ତା’ପାଖରେ ଯେମିତି କିଛି ଗୋଟେ ଖୋଜୁଥାଆନ୍ତି। ସେମାନଙ୍କ ଆଖି ସବୁବେଳେ ତା’ରି ଉପରେ ପହଁରି ବୁଲେ। ଟାଇଟ୍‌ ଫିଟିଙ୍ଗ୍‌ ଜାମା ଦେହରୁ କେଉଁଠି କିଛି ଅନାବୃତ ଜିନିଷକୁ ସେମାନେ ସବୁବେଳେ ଟାକି ବସିଥାଆନ୍ତି ଦେଖିବାକୁ।

ବହୁ ସମୟରେ କଲୋନୀର ଯୁବକମାନେ ଆମ ଘରକୁ ବିନା କାରଣରେ ଆସନ୍ତି। ସେମାନେ ସୁଯୋଗ ଉଣ୍ଡୁଥାନ୍ତି ମୁଁ ଯେମିତି ଟିକେ ଦର୍ଶନ ଦିଏ। ଆସିବାର କାରଣଟା ପଚାରି ଦେଇ ମୁଁ ଧଡ଼୍ କରି କବାଟ ପକାଇ ଦିଏ। ମୋ ଛାତିରେ ବିଜୁଳି ଖେଳିଯାଏ। ଝାଳ ସରସର୍‌ ହେଇଯାଏ।

ବାପାଙ୍କର ସରକାରୀ ଚାକିରି। ବହୁ ଝିନଝଟ୍‌। ବଦଳି ପାଲାରେ ଆମେ ଓଡ଼ିଶାର ଅଧେ ଯାଗା ବୁଲି ସାରିଲୁଣି। ପୁରୀରେ ଥିଲାବେଳେ ଭାରି ଭଲ ଲାଗୁଥିଲା। ଜଗନ୍ନାଥଙ୍କ ଦର୍ଶନ ତା’ ସାଙ୍ଗକୁ ମନୋରମ ସମୁଦ୍ର ବେଳା। ହେଲେ ସବୁବେଳେ ଭିଡ଼। ମନ୍ଦିର ଭିତରେ ଭିଡ଼ ହେଲେ ତ ଭାରି ପ୍ରବ୍ଲେମ। ଲୋକଗୁଡ଼ାକ ଦେହରେ ଘଷି ହେଇଯାଆନ୍ତି। ତାକୁ ଆକ୍ତାମାକ୍ତା ଲାଗେ। ଥରେ ସିଏ ଭିଡ଼ ଭିତରେ ଫସି ଯାଇଥିଲା। ଘରକୁ ଫେରିଲା ବେଳକୁ ତା’ ଦେହ ଭାରି ଦରଜ ଳାଗୁଥିଲା। ଗୋରା ଦେହରେ ଠାଏ ଠାଏ ନାଲି ଦାଗ।

ସୁନ୍ଦରଗଡ଼ରେ ମୁଁ ଭାରି ଖୁସିରେ ଥିଲି।
କିନ୍ତୁ ସେଠି ବି ସେଇ ନାଟ। ମୋ ଆଡ଼କୁ ସମସ୍ତେ ଚାହାଁନ୍ତି।

ଭୋର୍‌ରୁ ଫୁଲ ଆଣି ଯିବାଥିଲା ଗୋଟେ ବହୁଦିନର ଅଭ୍ୟାସ। ଷ୍ଟାଣ୍ଡାର୍ଡ଼ ସିକ୍ସ୍‌ରେ ପଢୁଥିଲି। ଘରପାଖ ଆମ ମନ୍ଦିର ନନାଙ୍କୁ ମୁଁ ସବୁଦିନ ଫୁଲ ଦିଏ। ଦିନେ ସିଏ ମୋ ହାତ ଧରିଲେ। ମୁଁ ଛାଡ଼ କହିଲାରୁ ଛାଡ଼ିଲେ ନାହିଁ। ବହୁ ସମୟଧରି ମୋ ମୁହଁକୁ ଚାହିଁ ରହିଲେ। ଦିଶୁଥିଲେ ସିଏ ଭାରି ଭୟଙ୍କର। ମୁଁ ସେଠୁ ଦୌଡ଼ି ପଳେଇ ଆସିଲି। ବୋଉ ମତେ ସେଇ ଦିନରୁ ଫୁଲ ତୋଳିବାକୁ ଛାଡ଼େ ନାହିଁ।

ଟିଟିଲାଗଡ଼ରେ ଥିଲାବେଳେ ମୁଁ ଥିଲି ସେ ଅଞ୍ଚଳରେ ସବୁଠୁ ପପୁଲାର। ନଗେନ ବାବୁଙ୍କ ଝିଅ ବିସ୍ମିତା କହିଲେ ସମସ୍ତଙ୍କ ଆଖି ଖୋସି ହେଇଯାଉଥିଲା। ବୁଢ଼ୀମାନେ କହୁଥିଲେ ଗୋଟିଏ ଚାଉଳରେ ଗଢ଼ା। ଟୋକାମାନେ କହୁଥିଲେ ମାଷ୍ଟର ପିସ୍‌। ମୁଁ ରାସ୍ତାରେ ଗଲେ ଶୁଶୁରୀ ବାଜୁଥିଲା। ମୁଁ କିନ୍ତୁ ଟିଉସନ୍‌ ପଢ଼ିବାକୁ ଖାଲି ଯାହା ଘରୁ ବାହାରେ। ପରିଡ଼ା ସାର୍‌ଙ୍କ ଆଖି ଓଃ କି ଭୟଙ୍କର ସତରେ! ସେ ସବୁବେଳେ ମତେ ଏମିତି ଚାହିଁଥାନ୍ତି କାହିଁକି କେଜାଣି? ସମସ୍ତେ ଭାବୁଛନ୍ତି ମୋ ସୁନ୍ଦରପଣ ଯୋଗୁଁ ଏତେ ସବୁ ଘଟଣା ଦୁର୍ଘଟଣା ଘଟୁଛି। ମୁଁ କିନ୍ତୁ ନିରୁପାୟ।

କ୍ଲାସ୍‌ରେ ପିଲାମାନ ଅନ୍ୟାମନସ୍କ, ଦୋଷ ମୋର। ହେଲେ ସାର୍‌ମାନେ କାହିଁକି ମତେ ସେଣ୍ଟର କରି ନାହାଁନ୍ତି। ସବୁ ପିଲାଙ୍କୁ ଅନେଇଲେ କ୍ଷତି କ’ଣ?

ପିଲାମାନେ କମ୍ପ୍ଲେନ କରିଛନ୍ତି। ସାର୍‌ମାନେ ଖାଲି ବିସ୍ମିତାକୁ ଚାହିଁଛନ୍ତି। ଗୋଟେ ଗୁପ୍ତ ବୈଠକ ପ୍ରିନ୍‌ସିପାଲ୍‌ ଡକାଇବାପରେ ଏବେ ସମସ୍ତେ ସାଇଜ୍‌।

ହେଲେ ଷ୍ଟଡ଼ି ଆୱାର୍‌ରେ, ଡାଉଟ୍‌ କ୍ଲିୟର କଲାବେଳେ, ଡ୍ରିଲ୍‌ କ୍ଲାସ୍‌ରେ, ଖେଳ ପିରିୟଡ୍‌ରେ, ଗୀଟାର ଶିଖିଲାବେଳେ ସେ ମଣିଷମାନଙ୍କର ଭୟଙ୍କର ଆଖିକୁ ଏଡ଼େଇ ପାରୁନି।

ସମସ୍ତେ ବ୍ୟଗ୍ର ତା’ ସଙ୍ଗେ ଖେଳିବାକୁ।
ଗୀଟାର ବଜା ଶିଖିଲାବେଳେ ଅଯଥା ଚିନ୍ତା ସବୁ ତାକୁ ମାଡ଼ି ମାଡ଼ି ପଡ଼େ, ସାର୍‌ମାନେ ଦିଶନ୍ତି ଭୟଙ୍କର ଜନ୍ତୁ ଭଳି।
ୱାଡ଼େନ୍‌ ସାର୍‌ ତାକୁ ଗୋଡ଼େ ଗୋଡ଼େ ଜଗିଛନ୍ତି। ଠିକ୍‌ ଛାଇ ଭଳି। ଏଇ ମଣିଷମାନଙ୍କୁ ମୁଁ ଡରୁଛି ଖୁବ୍‌ ଆଜିକାଲି। ରୋହିତ ସହ କ’ଣ ଦି’ପଦ କଥା ହେଇଗଲି ଯେ, ୱାଡ଼େନ୍‌ ପ୍ରିନ୍‌ସିପାଲ୍‌ଙ୍କୁ ଫୋଡ଼ିଦେଲା।
ୱାଡ଼େନ୍‌ ମଣିଷଟା ଆସି ଅବେଳରେ କବାଟ୍‌ ଠକ୍‌ ଠକ୍‌ କରେ।
ଯଦିଓ ସେ ଜାଣିଥାଏ କେହି ନାହାଁନ୍ତି ମୁଁ ଏକଲା।
ଏମିତିକି ରାତି ଏଗାରଟାରେ କବାଟ କଣାରେ ଉଣ୍ଡୁଥିବାର ମୁଁ ଦେଖିଛି। (ସତରେ ସିଏ ମୋର ବହୁତ ଯତ୍ନ ନେଇଛନ୍ତି ପରା।)

ଥରେ ଅଙ୍କ ବୁଝିବାକୁ ଗଲାବେଳେ ଅଙ୍କସାର୍‌ ଟେବୁଲ୍‌ ତଳେ ମୋ ପାଦକୁ ଜୋତାରେ ରଗଡ଼ିଗଲେ। ମୁଁ ବିଷ୍ଣୁ କହିଲି। ଭାବିଲି ଅଜାଣତରେ ହେଇଥିବ। ହେଲେ ଥରେ ନୁହେଁ ବାରମ୍ବାର ରଗଡ଼ିଲେ। ଓ‍ କି କଷ୍ଟ, ମୁଁ ପୁରା କାନ୍ଦି ପକାଇଲି।

ଥରେ ସାର୍‌ ମୋ ଖୋଲାପିଠିକୁ ସାଉଁଳେଇ ଦି’ ଚାପୁଡ଼ା ଦେଇଥିଲେ। ମୁଁ ଥମ୍‌ ଥମ୍‌ ହୋଇପଡ଼ିଲି। ତା’ପରଠୁ ଘରେ କହିଲି ଆଉ ଟିଉସନ ଯିବିନି। ଟିଉସନ ଯିବୁନି ତ ପାଠ ପଢ଼ିବୁ କେମିତି। ବାପାଙ୍କର କି ରାଗ ଦେଖ। ସେଇଦିନରୁ ମୋ ନାଁ ଲେଖା ହେଲା ଦାମନଯୋଡ଼ି ରେସିଡ଼େନ୍ସିଆଲ ସ୍କୁଲରେ। ବାପାଙ୍କର ଯିବା ଆସିବା କରି ଦେଖାଚାହାଁ କରିବାରେ ବହୁତ ଅସୁବିଧା ହେଲା। ସେଇଠୁ ସ୍କୁଲ ଚେଞ୍ଜ ହେଲା ବରଗଡ଼ ରେସିଡ଼େନ୍ସିଆଲ କୁ।

ବାପା ଚାକିରି ପାଇଁ ଜାଗା ବଦଳାଇଥିଲେ, ଆଉ ମୁଁ ସ୍କୁଲ।
ମୁଁ ଟିକେ ଡବଡବି।
ମୁଁ କଥା ରଖିପାରେନି କହିଦିଏ। ସେଇଥିପାଇଁ ସାଙ୍ଗମାନେ ମତେ ଛିଗୁଲାନ୍ତି, ହଜାରେ ସ୍କୁଲ ଛାଡ଼ରୀ।
ମୋର ବା କ’ଣ ଭୁଲ୍‌।
ଏଠି ବି କୋଉ ସୁରକ୍ଷିତ ଏକଥା ବିସ୍ମିତା ଭାବେ।
ଗୋଟେ ଅଜଣା ଭୟ ଯେମିତି ତାକୁ ଘେରେଇ ବସେ।
ପ୍ରିନସିପାଲ ସେଦିନ ଡକେଇଥିଲେ।
ଡିଡ୍‌ ୟୁ ନୋ ଦିସ୍‌ ମ୍ୟାଟର? (ପଚାରିଲେ)
ହୁଇଚ୍‌ ମ୍ୟାଟର? (ସେ କହିଥିଲା)
ଗୋଟେ କ୍ଲାସ୍‌ମେଟ ପୁଅ ତା’କୁ କୁଆଡ଼େ ପ୍ରେମ ଚିଠି ଦେଇଥିଲା।
ପ୍ରିନ୍ସିପାଲ୍‌ଙ୍କର କିନ୍ତୁ ପୁରାପୁରି ସନ୍ଦେହ ତା’ଉପରେ।
ଘଟଣାଟା କୁଆଡ଼େ ମୋ’ ଆଡୁ ଘଟିଥିବ।
ମୁଁ ଏକଥା କେବେ ଘରେ କହିନି।
ଟେନ୍‌ଥ କ୍ଲାସ୍‌। ପୁଣି ସ୍କୁଲ ବଦଳ। ପୁଣି ଝିନ୍‌ଝଟ୍‌।
କିଏ ପାରିବ। ତା’ଛଡ଼ା ଘରେ ମୋର କିଛି କଥା ଶୁଣିବାକୁ ନାରାଜ, କହିବେ ଆଡ଼‌ଜଷ୍ଟ କର।
ଦିନେ ମୁଁ ଶୋଇଯାଇଛି ଅଚେତନରେ। ଭାଲୁ ମଲାଶବକୁ ଶୁଙ୍ଘିଲା ପରି କେହି ଜଣେ ମତେ ଶୁଙ୍ଘିଦେଇଗଲା।
କିଏ ସିଏ ?
ଡର୍ମିଟାରିରେ କେହି ନ ଥିଲେ। କିନ୍ତୁ ନାଁ…. କାହାକୁ କହିଲେ ପୁଣି ବିପଦ। ଆଡ଼ଜଷ୍ଟ କରି ଚଳିବାକୁ ହେବ। କାରଣ ଟେନ୍‌ଥ ପରୀକ୍ଷା ମୁଣ୍ଡ ଉପରେ।

ଆଉ ଦିନେ ରାତି ବାଥ୍‌ରୁମ୍‌ ଲାଗିବାରୁ ଉଠିଲା। କରିଡ଼ରରେ ମତେ ଏକବାର କିଏ ଯେମିତି କାବୁ କରିନେଲା। ଛାତିରେ ଜାକିଧରି ସର୍ବାଙ୍ଗ ଛାଇଗଲା। ମୁହଁରୁ ବାହାରୁଥିଲା ଆଲ୍‌କହଲର ଗନ୍ଧ।
ସେ ମୁଖା ପିନ୍ଧିଥିଲା, ଗ୍ଲୋବ୍‌ସ ନାଇଥିଲା।
କିଏ ସିଏ?
ପରେ ଭାବିଲି, ନାଁ ସବୁ ଆଡ଼ଜଷ୍ଟ କରିବାକୁ ହେବ। ଡର୍ମିଟାରିରେ ନିଶ୍ଚେତ ହୋଇ ଶୋଇ ପଡ଼ିଲି।
ଦୁଇଦିନ ପର୍ଯ୍ୟନ୍ତ ଭୂମିକମ୍ପର ତୀବ୍ରତା ଥାଏ ମୋ ଛାତିରେ।
ବାପାଙ୍କର ଭିଜିଟିଂ ଦିନ ସନ୍‌ଡ଼େ।
ତାଙ୍କୁ କ’ଣ ଏ ସବୁ ଘଟଣା କହିହେବ। ପରୀକ୍ଷା ମୁଣ୍ଡ ଉପରେ। ନାଁ ନ କହିଲେ ବରଂ ଭଲ।
ଆଡ଼ମିନିଷ୍ଟ୍ରେଟିଭ ବ୍ଲକ୍‌ ପାଖ ଲୋକାରଣ୍ୟ।
ମୁଁ ଧାଇଁଲି ସେଇଠିକି। ବିସ୍ମିତା ପାତ୍ର ଓରଫ୍‌ କ୍ଲାସ୍‌ ଟେନ୍‌ଥ। ଦେଖିବାକୁ ସୁନ୍ଦରୀ।
ଭୂଇଁ ଉପରେ ପଡ଼ିଛି ସିମ୍ପଲ ଅଗ୍ରୱାଲର ମଲାଦେହ। କ୍ଲାସ୍‌ ନାଇନ୍‌, ଘର ଛତିଶଗଡ଼। ଶୋଇ ଯାଇଛି ଯେମିତି ଗାଢ଼ ନିଦରେ। ଯେଉଁଠି ସ୍କାଭେଞ୍ଜରମାନେ ରହନ୍ତି। ପାଞ୍ଚତାଲା ଉପରେ ପାଣିଟାଙ୍କି ସାଇଡ୍‌ ଘର କାନ୍ଥରେ କୁଆଡ଼େ ସିମ୍ପଲ ଚଢ଼ିଥିଲା। ଖସି ପଡ଼ିଲା। ଏଁ ସିମ୍ପଲ ପଡ଼ିଗଲା ପାଞ୍ଚତାଲା ଉପରୁ !
କିନ୍ତୁ ମୁଁ ! ମୁଁ ତ ପଡ଼ିଗଲି ନାହିଁ !
କାହିଁକି? କାହିଁକି?
ବାପା ଯଦି ଜାଣିବେ ମୋ ଘଟଣା; ତାହେଲେ କ’ଣ କହିବେ !
ମୋ ଝିଅର ସବୁ ସରିଗଲା।
ନାଁ ଆଡ଼ଜଷ୍ଟ ହବ କିଛି !