ଝିଅଟି ହସିଲା। ଏକ ତୀକ୍ଷ୍ଣ ଚାହାଁଣୀର ଚିଠି ପାଇଲି ମୁଁ। ମାତ୍ର ଆଖିରେ ତା’ର ଅପ୍ରାପ୍ୟ ମରୀଚିକା। ଏଇ ଅଛି। ଏଇ ନାହିଁ। ଦ୍ରୁତ ଭାସମାନ ମେଘ ଆଢୁଆଳରେ ଖଣ୍ଡେ ଚନ୍ଦ୍ର ପରି। ଆଉ ମୁଁ କେବଳ ଧାଉଁଚି। ଅଥଚ ଟିକିଏ ବି ଝାଳ ନାହିଁ। ଧୂଆଁ ଭଳି କିମ୍ବା ଶୀତ ସକାଳର କୁହୁଡ଼ି ପରି କ୍ଳାନ୍ତି ସବୁ ମିଳେଇଯାଇଛନ୍ତି ଆଶାରେ…. ହଁ ଏଇ ଆଶାରେ ଯେ ମୁଁ ପାଇବି। ଏଇ ଆଶା ଟିକକ ନିଜ ଭିତରେ ଜିଆଁଇ ରଖିପାରିଛି ବୋଲି ଏ ଦୌଡ଼ ନିରର୍ଥକ ମନେ ହେଉ ନାହିଁ।

ହୋଇପାରେ ପଛେ ଏବର ଚଳଣିର ଏକ ନିଶ୍ଚିତ ବ୍ୟତିକ୍ରମ, କିନ୍ତୁ ନାକରେ ତା’ର ଗୋଟିଏ ଫୋଡ଼ ଦରକାର। ଭବିଷ୍ୟତରେ ଅଳଙ୍କାର ଝୁଲିବ। ଖାଣ୍ଟି ହଳଦୀ ବର୍ଣ୍ଣର ସୁନା ନ ହେଉ, ଅନ୍ତତଃ ଚଉଦ କେରେଟ୍‌ର ପଥର-ବସା ଗୋଟେ ଫୁଲି ହେଲେ କ୍ଷତି କ’ଣ?

କଣ୍ଠରୁ ଆହା! ତା’ର କି ମଧୁର ଏକ ସ୍ବରର ସ୍ରୋତ ବହିଆସେ। ତାରଲ୍ୟର ସମସ୍ତ ଗୁଣାବଳୀ ନେଇ ବେଶ୍‌ ସହଜରେ ତାହା ପ୍ରବେଶ କରେ କର୍ଣ୍ଣ କୁହରରେ ଓ ଜନ୍ମ ନିଏ ଏକ ପୁଲକ।

ତା’ର ଧଳା ଚିକ୍‌ଚିକ୍‌ ଦାନ୍ତ ଦେଖିଲେ ମୋତେ ଈର୍ଷା ଲାଗେ।

ଏବେ ବି ତା’ର ହାତକଟା ବ୍ଲାଉଜର ପରିସୀମା ବାହାରେ ଘିଅ ରଙ୍ଗର ବାହୁରେ ବସନ୍ତ ଟୀକାର ଦାଗ ଦୁଇଟି ବେଶ୍‌ ବାରି ହୁଏ।

ଏବେ ସେ ମୋର ଲେଖା ଗୀତ ବୋଲିବ। ଆରମ୍ଭ ପୂର୍ବରୁ ଚାହାଁଣୀର ଚିଠି ଦେଇସାରିଛି। ଯେମିତି କହୁଛି-‘ଆପଣଙ୍କର ରସହୀନ ଶୁଷ୍କ ଶବ୍ଦଗୁଡ଼ିକ ମୋ କଣ୍ଠରେ ଉଚ୍ଚାରିତ ହୋଇ, କିପରି ଜୀବନ୍ତ ହୋଇଉଠିବେ ଦେଖନ୍ତୁ।’ ମିଛ ନୁହେଁ। ତେଣୁ ମୁଁ ପ୍ରତୀକ୍ଷାରେ। ମୋର ଗୀତ ବୋଲାହେବ। ମୁଁ ଶୁଣିବି। ଗୀତ ମାଷ୍ଟ୍ରେ ଚାରିଆଡ଼େ ଦୃଷ୍ଟିର ଏକ ସତର୍କ ପଇଁତରା ମାରି ସାରି କହିଲେ- ଏକ ଦୁଇ ତିନ।

ଅର୍ଥାତ୍‌ ଆରମ୍ଭ କର। ଯନ୍ତ୍ର ସବୁ ବାଜିଉଠିଲେ। ସେଇ ଝିଅଟି ଖୁଁ ଖୁଁ କରି ଦୁଇଥର କାଶି ଗଳା ସଫା କରିନେଲା। ତା’ପରେ ସେଇ ଯନ୍ତ୍ରମାନଙ୍କର ସମ୍ମିଳିତ ଟୁଂ ଟାଂ ରଁ ରାଁ ଭିତରୁ ଫୁଟିଉଠିଲା ଗୋଟିଏ ସ୍ବର। ଯେମିତି ପାହାଡ଼ୀ ଝରଣାଟିଏ ଉତୁରିଆସିଲା ସବୁଜ ଉପତ୍ୟକାକୁ। ମୋର ନିଜର ଶବ୍ଦ, ମୋର ନିଜର ଗୀତ:

“ମୋ ମନର ମଧୁବନେ କୁହୁ କୁହୁ କାହିଁକି?
କୋଇଲି ଲୋ ତୋତେ କ’ଣ କିଛି ଦିଶୁ ନାହିଁ କି?”

ସେଠି ଥିଲେ ଅନେକ ଝିଅ…ସଙ୍ଗୀତ କଳା ପରିଷଦର ଛାତ୍ରୀ। ତାଙ୍କର ଆଗାମୀ ବାର୍ଷିକୋତ୍ସବ ପାଇଁ ଚାଲିଥିଲା ଏ ପ୍ରସ୍ତୁତି। ସେଠି ମୋର ଆଉ କୌଣସି କାମ ନ ଥିଲା। ମୋ ଗୀତ ବୋଲା ସରିବା ପରେ ମୁଁ ‘ଓକେ’ କହି ଉଠିଲି। ପ୍ରତ୍ୟେକ ଥର କୌଣସି ଏକ ସ୍ଥାନରୁ ଉଠି ଠିଆ ହେବା ପରେ ବାରମ୍ବାର ଗୋଟିଏ ପ୍ରଶ୍ନ ଆସି, ମୋ ଆଗରେ ଠିଆ ହୁଏ… କୁଆଡ଼େ?

ରାସ୍ତା। ମାତ୍ର ରାସ୍ତା ସବୁବେଳେ ନିର୍ଦ୍ଦିଷ୍ଟ ଠିକଣା ଆଡ଼କୁ ମୁହାଁଇ ନିଏ ନାହିଁ। ରାସ୍ତା ସବୁବେଳେ ସ୍ବାଗତ କରେ ନାହିଁ। ଏଣୁ ବାରମ୍ବାର ମନେହୁଏ ଯେ, ନା ସମୟ ହୋଇନି। ଯେଉଁଠି ଥିଲି ସେଠି ଆଉ କିଛି ବେଳ କଟାଇଦେଇଥିଲେ ଭଲ ହେଇଥାନ୍ତା। ମାତ୍ର ଦଣ୍ଡ-କାଳ ଶେଷ ହେଲା ପରେ, କାରାଗାରରୁ ଥରେ ମୁକ୍ତ ହେଲା ପରେ ସେ ଭିତରକୁ ପୁଣି ଥରେ ପ୍ରବେଶ କରିବା ପାଇଁ ଯେମିତି ଏକ ନୂତନ ଅପରାଧ କରିବାକୁ ପଡ଼େ, ପ୍ରାୟ ସେମିତି ଛାଡ଼ିଆସିଥିବା ସ୍ଥାନକୁ ଫେରିଯିବାକୁ ହେଲେ ଗୋଟିଏ ନୂତନ ଆଳ, ଗୋଟିଏ ନୂତନ ଉପଲକ୍ଷ୍ୟ ଯୋଗାଡ଼ କରିବାକୁ ପଡ଼େ। କିନ୍ତୁ ମୋ ପାଖରେ ସଙ୍ଗୀତ କଳା ପରିଷଦକୁ ଫେରିଯିବା ପାଇଁ କୌଣସି ଆଳ ନାହିଁ। ଅନ୍ତତଃ ଜାଣି ଜାଣି ମୋର ନୋଟ୍‌ ବହି ଖଣ୍ଡିକ ପାଶୋରି ଆସିଥିଲେ ହୋଇଥାନ୍ତା। ମାତ୍ର ନା, ନୋଟ-ବହିଟି ମୋ ହାତରେ ହିଁ ଥିଲା।

ଅଗତ୍ୟା ରାସ୍ତା। ଆଜି ବି ରାସ୍ତା ଉପରେ ସେଇ ପାଗଳଟା ପ୍ରଳାପ କରୁଛି। ଏଇଟା ତା’ର ନିତ୍ୟକର୍ମ। ଜଣେ ସତର୍କ ପ୍ରହରୀ ପରି, ଦୁଇଟି ବତୀ ଖୁଣ୍ଟର ମଝିରେ ଥିବା ଦୂରତ୍ବକୁ ମାପି ମାପି ସେ ପ୍ରତିଦିନ ବଡ଼ବଡ଼ ହେଉଥାଏ। ବେଳେ ବେଳେ ବିରକ୍ତ ଲାଗେ, ବେଳେ ବେଳେ ଅମୋଦଦାୟକ ମନେହୁଏ। ମାତ୍ର ସେ ଯାହା କହେ ମିଛ ନୁହେଁ। ସବୁ ସତ। କିନ୍ତୁ ସେଇ ସତ ଟିକକ ସେ ଠିକ୍‌ ବାଗରେ ପ୍ରକାଶ କରିପାରେ ନାହିଁ ବୋଲି ପାଗଳ। ସେ ରଡୁଛି-ସବ୍‌ ଝୁଠା ହୈ। ମନ୍ଦିର ମସ୍‌ଜିଦ୍‌ କୁଛ୍‌ ଭି କହୋ। କଂଗ୍ରେସ କମ୍ୟୁନିଷ୍ଟ ଯୋ ଭି କହୋ। ସାଲେ ହାରାମୀ ହୈ। ସବ୍‌ ସାଲେ ଚୋର୍‌। ଚୋରୋଁ କା ମେହଫିଲ୍‌ ହୈ ୟହ ସହର୍‌। ଦିଅ ଦିଅ, ସବୁ ଖାଇଦେବି, ସବୁ ଗିଳିଦେବି, ଦିଅ; ନହେଲେ ଛଡ଼େଇନେବି। ସାଲେ ଇସ୍‌ ହମାମ୍‌ମେ ସବ୍‌ ନଙ୍ଗେ ହୋ।

କଳା ପେଣ୍ଟ୍‌। ଚନ୍ଦା ମୁଣ୍ଡ। ଛିଣ୍ଡା କାନଭାସ୍‌ ଜୋତା। କାନ୍ଧରୁ ଝୁଲିରହିଛି ଗୋଟେ ଶାନ୍ତିନିକେତନୀ ବେଗ୍‌। ଅଙ୍ଗୁଳି ସନ୍ଧିରେ ଦପ୍‌ଦପ୍‌ ନିଆଁ। ବିଡ଼ି ନା ସିଗାରେଟ୍‌ ଜଣା ପଡୁ ନାହିଁ। ନିଶ୍ଚୟ ବିଡ଼ି ହୋଇଥିବ।

ଗତଥର ନିର୍ବାଚନରେ ପରାଜିତ ପ୍ରାର୍ଥୀଙ୍କ ଅପେକ୍ଷା ଏଇ ଲୋକଟିର ମୁହଁ ଏ ସହରରେ ଅଧିକ ଥର ଦେଖିବାକୁ ମିଳେ…ଏଣୁ ଏ ଅଧିକ ପରିଚିତ। ଏଇ ଲୋକଟାର ଜିଭ ଯେମିତି ଖଣ୍ଡେ ଦାଢୁଆ ଛୁରୀ। ମାତ୍ର ଲୋକଟି ଗୋଟେ ସଚଳ କାର୍ଟୁନ୍‌ ପରି ଟହଲ ମାରୁଛି ଏ ରାସ୍ତାରେ ଓ ବହୁ ବର୍ଷ ହେଲା ଜଗିରହିଛି ସେଇ ଦୁଇଟି ବତୀଖୁଣ୍ଟ ମଧ୍ୟସ୍ଥ ଦୂରତ୍ବକୁ।

ପାଦ ମୋର ଝାଳେଇଆସୁଥିଲା। ରାସ୍ତାକଡ଼ର ବତୀ ସବୁ ଜଳୁଥିଲେ। ମାତ୍ର କେତେବେଳେ ଯେ ହଠାତ୍‌ ଲିଭିଯିବେ କିଏ କହିବ? ମୁଁ ବଢ଼ିଚାଲିଲି, ଆଗକୁ। ସେଇ ପାନ୍ଥ। ହାତରେ ମୋର ଟିପା-ବହି। ପାଟି ଭିତରେ ଶେଷ ପାନଖଣ୍ଡିକ ଗୁଣ୍ଡ ହୋଇଗଲାଣି। ଆଉ ବିଡ଼େ ଦରକାର। ଶରୀରକୁ ସଚଳ ରଖୁଥିବା ବେଟେରୀଗୁଡ଼ିକୁ ରିଚାର୍ଜ କରିବାକୁ ପଡ଼ିବ ଓ ମୁଁ ଚାଲୁଛି। ପରମ୍ପରାକୁ କାଖ କରି ମୁଁ ଚାଲୁଛି। ଚାଲିବାକୁ ହେବ ବୋଲି ଚାଲୁଛି। ଠିକ୍‌ ଯେମିତି ସଙ୍ଗୀତ କଳା ପରିଷଦର ସେଇ ଝିଅଟି ହସିବାକୁ ହେବ ବୋଲି ହସେ, ନମସ୍କାର କରିବାକୁ ହେବ ବୋଲି ହାତପାପୁଲି ଯୋଡ଼େ। ସତରେ କ’ଣ ସେଥିରେ ଆନ୍ତରିକତା ଥାଏ?

ରାସ୍ତାକଡ଼ର କାଠତିଆରି ଠେଲା ଚା ଦୋକାନରେ ଆଜି ମଧ୍ୟ ଭିଡ଼ ଜମିଛି। ଖଣ୍ଡେ କଡ଼ା ବିଡ଼ି ଆଉ ଅଧକପ୍‌ କଷା ଚା’ର ଗରାଖ ଏମାନେ। ପାଞ୍ଚ ପଇସାର ଜିନିଷ କିଣି ପନ୍ଦର ମିନିଟ୍‌ ଖୁନ୍ତେଇଦି ଅନ୍ତି ଏ ଦୋକାନରେ। ଗପ ଚାଲିଛି। ରାଜନୀତି ନୁହେଁ କି ଯୁବସମସ୍ୟା ନୁହେଁ। ସିନେମା ନୁହେଁ କି କ୍ରିକେଟ ନୁହେଁ। ଦେଶର ଧୋବଧଉଳିଆ ବୁଦ୍ଧିଜୀବୀମାନଙ୍କୁ ଏ ସବୁ ବିଷୟରେ ତର୍କ-ବିତର୍କ କରିବାକୁ ଛାଡ଼ିଦେଇ ଏମାନେ କହିଚାଲିଛନ୍ତି ହତ୍ୟା, ଦୁର୍ଘଟଣା, ଚୋରୀ ଓ ଧର୍ଷଣର କାହାଣୀ। ସଚ୍ଚୋଟ ରାଜନୀତି ଏକ ସ୍ବପ୍ନ ଏବଂ ପବିତ୍ର ପ୍ରେମ ଅନ୍ତତଃ ଚଳିତ ଶତାବ୍ଦୀ ପାଇଁ କିଛି ନୁହେଁ। ‘ପ୍ରବେଶ ନିଷେଧ’ ଲେଖାଥିବା ପ୍ରତ୍ୟେକ କୋଠରୀ ଓ ହୃଦୟକୁ ଦଖଲ କରିନିଅ। ଶବ୍ଦର ଜଙ୍ଗଲରୁ ନିଜକୁ ମୁକ୍ତ କର ଓ ଆସ ଏମାନଙ୍କ ସାଙ୍ଗରେ ବସି ଚା ଖାଅ। ବହୁତ କହିଲଣି, ବହୁତ ଦେଖାଇଲଣି, ଏଣିକି କିଛି ଶୁଣ ଓ କିଛି ଦେଖ। ଅନେକ କଣ୍ଠ ସ୍ବରର ତରଙ୍ଗ ସ୍ମୃତି। ଆମେ ଭୁଲ ବୁଝୁଛୁ। ଅନେକ ମୁହୂର୍ତ୍ତ। ଅନେକ ଘଟନା। ସମସ୍ତେ ଛୁଇଁଯାଉଥିଲେ ଯେପରି ମୋର ମସ୍ତିଷ୍କର ଅଭ୍ୟନ୍ତର, ମୋର ପ୍ରଜ୍ଞାର ପାତାଳ। ଯାହା ଅତୀତ ହୋଇଛି, ତା’ର ପୁରନାବୃତ୍ତି ଅସମ୍ଭବ।

ମୁଁ ସେଇ ଚା-ଗୁମ୍‌ଟି ପାଖରେ ଠିଆ ହୋଇ କହିଲି- ‘କପେ ଚା’।

ମୋର କଥାକୁ ଅବିଶ୍ବାସ କଲା ଭଳି ଏକ ସନ୍ଦେହୀ କଣ୍ଠରେ ଦାଢ଼ିଆ ଚା ଦୋକାନୀ ପଚାରିଲା- ‘କପେ ଆଁଗ୍ୟା?’ ହୁଏତ ସେ ଭାବୁଥିଲା ଯେ ମୁଁ ମଧ୍ୟ ତା’ର ଅନ୍ୟ ସବୁ ଗରାଖଙ୍କ ପରି ଅଧେ, ହାଫ୍‌ ବା ସିଙ୍ଗଲ ବାଲା। ସିଗାରେଟ୍‌ ପ୍ୟାକେଟ୍‌ ଫିଟାଇ ମୁଁ ଖଣ୍ଡେ ବାହାରକଲି।

କହଲି- ‘ହଁ କପେ।’

ଦାଢ଼ିଆ ବୁଢ଼ା ରଡ଼ି ଛାଡ଼ିଲା-ଆରେ ଭଲ କରି ଗରମ ପାଣିରେ କପ୍‌ପ୍ଲେଟ ଧୋଇ ବାବୁଙ୍କୁ ‘କପେ’ ଚା ଦେ’।

ମୁଁ ସିଗାରେଟ ଧୂଆଁ ଓ ଗରମ ଚା ପାଣି ଢୋକିଚାଲିଲି। ସେଇ ଚା’ ଦୋକାନୀ ବୁଢ଼ା ମୋ ଉପରେ ତା’ର ସମସ୍ତ ଦୃଷ୍ଟି କେନ୍ଦ୍ରିତ କରିଦେଇଥାଏ। ମୁଁ ପରିବେଶ ଓ ପରିସ୍ଥିତିକୁ ଢୋକିଚାଲିଲି। ମୁଁ ଜୀବନ ଓ ଜଞ୍ଜାଳକୁ ଢୋକିଚାଲିଲି। ମୋର ଏକାକୀତ୍ବକୁ ସେଇ ଭିଡ଼ ଭିତରେ ବିସର୍ଜିତ କରି ମୁଁ ତହିଁର ଏକ ଅଙ୍ଗ ପାଲଟିଗଲି।

ଏଠୁ ପୁଣି କୁଆଡ଼େ?

ସେଇ ରାସ୍ତା। ଗୋଟିଏ ଆଦିମ କ୍ଷୟର ଦଲିଲ ପରି ଅଙ୍କବଙ୍କା। ସମୟର ଚାବୁକ ମାଡ଼ ଯେମିତି ନୋଳା ଟାଣିଦେଇଛି ସହରର ଦେହସାରା। ଓ ରାସ୍ତା! ତୁ କାହା ସହିତ କାହାକୁ ଯୋଡ଼ିଦେଉଛୁ ଜାଣୁ?

ଗତ୍ୟନ୍ତର ନାହିଁ। ସେଇ ରାସ୍ତା। ସମୟ ଜାଣିବାକୁ ଇଚ୍ଛା ହେଲା। ଜାଣିପାରିଲି ନାହିଁ। ଘଡ଼ିଟି ସପ୍ତାହେ କି ଦଶ ଦିନ ହେବ ମରାମତି ଦୋକାନରେ ପଡ଼ିଛି। ଅନୁମାନ କରି ଜାଣିବାକୁ ମସ୍ତିଷ୍କ ସହଯୋଗ କଲା ନାହିଁ।

ମୁଁ ଚାଲିଲି।

ମୋ ଆଗରେ ଦଳେ ଝିଅ। ପୁରୁଫୁରୁ ମୁକୁଳା ବାଳ। ଛିଟ କନାର ଲୁଙ୍ଗି ଓ ଗେରୁ ରଙ୍ଗର ଢିଲା କୁର୍ତ୍ତା। ଆଜି ଏଠିକା କଲେଜରେ କ’ଣ ଗୋଟିଏ ଉତ୍ସବ ହେଉଥିଲା। ହୁଏତ ସେଠିକି ଯାଉଛନ୍ତି କିମ୍ବା ସେଠୁ ଫେରୁଛନ୍ତି। ଏ ସହରର ରାସ୍ତା ଏମିତି ସବୁ ଛନ୍ଦାଛନ୍ଦି ଯେ କିଏ କୁଆଡ଼େ ଯାଉଛି ବା କିଏ କେଉଁଠୁ ଫେରୁଛି ତାହା ଅନେକ ସମୟରେ ଅନୁମାନ ସୁଦ୍ଧା କରିହୁଏ ନାହିଁ। ହେତୁ ହେଲା ଯେ, ଘରୁ ଆସିଲା ବେଳେ ମୁଁ ଟେବୁଲ ପଙ୍ଖାର ସ୍ବିଚ୍‌ ଅଫ୍‌ କରି ନାହିଁ। ସେଇଟା ଘୂରୁଥିବ ବର୍ତ୍ତମାନ ସୁଦ୍ଧା। ଗାଧୋଇସାରି ନଳ ବନ୍ଦ ନ କରିବା ମଧ୍ୟ ମୋର ଗୋଟେ ଅଭ୍ୟାସ।

ମାତ୍ର ମୋ ସାମ୍ନାରେ ଦଳେ ଝିଅ।

ସେମାନେ ମୋତେ ତାଙ୍କ ବିଷୟରେ ଚିନ୍ତା କରିବାକୁ ଏକ ରକମ ବାଧ୍ୟ କରିପକାଉଥିଲେ। ଯାହା ହେଉ କିଛି ବାଟ ଗଲାପରେ ମୁଖ୍ୟ ରାସ୍ତା ଛାଡ଼ି ସେମାନେ ଗୋଟେ ଗଳି ଭିତରେ ଉଭାନ ହୋଇଗଲେ। ରକ୍ଷା!

ସାମ୍ନା ଛକରୁ ପ୍ରଚାର ଚାଲିଛି- କିଏ ଜାଣେ ଭାଗ୍ୟରେ ଥିଲେ, କର୍ମରେ ଥିଲେ… ପାନ ଦୋକାନ କାନ୍ଥରେ ବିଜ୍ଞାପନ ଅମୁକଙ୍କୁ ଭୋଟ ଦିଅନ୍ତୁ… ଅମୁକ ସାବୁନ ଲଗାନ୍ତୁ। ମୁଁ ଶୁଣିଲି, ଦେଖିଲି, ପଢ଼ିଲି। ମନେ ରଖିଲି।

ହେ ସ୍ମୃତି ଶକ୍ତି! ତୁମକୁ ଧନ୍ୟବାଦ। ମାତ୍ର ମୋତେ ଏତେଗୁଡ଼େ କଥା ମନେ ରଖାଇ ଦୟାକରି ମୁଣ୍ଡ ଭିତରଟାକୁ ଗୋଟିଏ ଡଷ୍ଟବିନ କରିଦିଅ ନାହିଁ।

ମୁଁ ଚାଲିଛି। ଆଗକୁ ଆଗକୁ ଚାଲିଛି। ମାତ୍ର ଏହି ଦାବୀଟି ବୃଥା ନୁହେଁ କି? ଆଗ କ’ଣ ପଛ କ’ଣ? ସହରର ସବୁ ସମାନ, ଯେମିତି ହାତପାଦହୀନ ଗୋଟିଏ ନାଁକୁ ମାତ୍ର ଜୀବନ୍ତ କୋଶ। ତଥାପି ଯେଉଁ ବତୀଖୁଣ୍ଟଗୁଡ଼ିକ ମୋ ପଛରେ ରହିଗଲେ ସେମାନଙ୍କୁ ଆଖିମିଟିକା ମାରିବାର ସୁଯୋଗ ଦେଇ ମୁଁ ଚାଲିଛି। ଯେଉଁ ବୁଲା କୁକୁରମାନେ ଏ ଯାଏ ମ୍ୟୁନିସିପାଲଟିବାଲାଙ୍କର ଫାନ୍ଦରେ ଧରାପଡ଼ି ନାହାନ୍ତି, ସେମାନଙ୍କୁ ମୋ ପଛରେ ଭୁକିବାର ସୁଯୋଗ ଦେଇ ମୁଁ ଚାଲିଛି। ଅନ୍ୟର ଆଖି ମିଟିକା ଓ ଭୁକାଣରେ ମୁଁ ବାରମ୍ବାର ଆମୋଦିତ ହୋଇଛି।

ଜୀବନର ବଡ଼ ସଡ଼କରେ ପାଦ ଫିଙ୍ଗି ଫିଙ୍ଗି ମୁଁ ଚାଲିଛି। ମୋ ଆଗରେ ମାଳ ମାଳ ମୁଣ୍ଡ। ବିରାଟ ଜନତା। ଦିଅ ଦିଅ। ଏ ରାସ୍ତାରେ ଚାଲୁଥିବା ପ୍ରତ୍ୟେକ ମଣିଷ ଜଣେ ଜଣେ ଦୋଷୀ। ଏଣୁ କେହି କାହାକୁ ଦଣ୍ଡ ଦେଇପାରୁ ନାହାନ୍ତି। ସମସ୍ତେ ଖାଲି କଥାରେ ମାତିଛନ୍ତି। ସବୁ ସ୍ବାର୍ଥପର ଲୋକ କେବଳ ମାତ୍ର ଗୋଟିଏ ଚିନ୍ତାରେ ବ୍ୟସ୍ତ: ଜୀଇଁବା କିପରି? ନିଜକୁ ଜୀଆଁଇରଖିବା କିପରି?

ମାତ୍ର ମୁଁ ଏକ ବ୍ୟତିକ୍ରମ। ମୁଁ ସବୁଠାରେ ଥିଲି। ସଙ୍ଗୀତ କଳା ପରିଷଦଠାରୁ ଆରମ୍ଭ କରି ଚା’ ଖଟି ପର୍ଯ୍ୟନ୍ତ। ମାତ୍ର ମୁଁ ଯେତିକି ଜୀବନ ଜିଇଁଲି ସେତିକରେ ମୁଁ ସନ୍ତୁଷ୍ଟ। ଶେଷ ଚିଠିଖଣ୍ଡିକର ଉତ୍ତର ଲେଖିସାରିଛି, ଶେଷ ଗୀତଟିର ରିହାରସଲ ଶୁଣିସାରିଛି। ଯାହା ଯେତିକି କରିବାର ଥିଲା, କରିସାରିଛି। ତେଣୁ ଯଦି ହଠାତ୍‌ ମୋ ଉପରେ ସେଇ ଦ୍ରୁତ ଗତିରେ ଧାଉଁଥିବା ଗାଡ଼ିଖଣ୍ଡିକ ମାଡ଼ିଯାଇ ମୋତେ ରକ୍ତାକ୍ତ କରିପକାଏ, ଦୁଃଖ ନାହିଁ। ମୁଁ ଯଦି ଏ ଭିତରେ ଦଳିଚକଟି ହୋଇ ରୁଦ୍ଧଶ୍ବାସ ହୋଇଯାଏ, ଦୁଃଖ ନାହିଁ।

ଏଇ ମୋର ନିଜର ଜଗତ-ମୋର ବଖୁରିକିଆ ଭଡ଼ାଘର, ମୋର ନର୍କ ଓ ସ୍ବର୍ଗ-ପାଖେଇଆସିଲାଣି। ଆଉ ମାତ୍ର ପାଞ୍ଚଟି ବତୀଖୁଣ୍ଟ ଟପିବା ପରେ ହେବି ମୁକ୍ତ-ପ୍ରବେଶ କରିବି ନିଜର ଏକାନ୍ତ ବ୍ୟକ୍ତିଗତ ଜଗତ ମଧ୍ୟକୁ।

ହଠାତ୍‌ ମନେ ପଡ଼ିଲା ସେଇ ଝିଅଟି। ଆଜି ଆସିଲାବେଳେ ଚାହାଁଣୀର ଚିଠି ଦେଇଥିଲା। ମୁଁ ଉତ୍ତର ଦେଇପାରି ନ ଥିଲି। ଏଇଠି କିଛି ଗୋଟେ ଅକ୍ଷୂର୍ଣ୍ଣ ରହିଗଲା। ଅନ୍ତତଃ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଜିଇଁରହିବା ଜରୁରୀ।

ବର୍ତ୍ତମାନ… ହଠାତ୍‌ ଯଦି ନିଜର ଓଜନରେ ମୋର ଆଖିପତା ମୁଦିହୋଇଯାଏ…. ସତରେ କ’ଣ ସେ ଫୁଟିଉଠିବ ମୋର ସ୍ବପ୍ନରେ? କେ ଜାଣେ!