କଲିଂବେଲ୍ରେ ହାତ ଦେବାବେଳକୁ ଘର ଭିତରୁ କୁନାର ଚିତ୍କାର ଶୁଭୁଥିଲା। ଆଖିବୁଜା ପାହାର ପାହାର ମାଡ଼ ବସୁଛି। କୁନା ଚିତ୍କାର କରୁଛି ଜୀବନ ବିକଳରେ। ବାପାଙ୍କର ଗୋଟେ ଅଙ୍ଗ ଅଚଳ ଓ ସେ ଶ୍ବାସ ବେମାରୀ। ମୁନା ବୋଧେ ବାହାରେ ଖେଳୁଛି। ତା ହେଲେ କିଏ..? ସୁଜାତା ଏମିତି ପିଟିଚାଲିଛନ୍ତି ପିଲାଟିକୁ! କ’ଣ ଏମିତି ଦୋଷ କଲା ସି ! ଏଇଟା କ’ଣ ଶାସନ? ଏମିତି ଆକଟ କରାଯାଏ ପିଲାଙ୍କୁ? ରମେଶ ବାବୁ ଅଣନିଃଶ୍ବାସୀ ହୋଇପଡ଼ୁଥିଲେ। କିଛି ସମୟ ପରେ କୁନା କାନ୍ଦିକାନ୍ଦି କବାଟ ଖୋଲିଲା।
ସୁଜାତା ବେତଟାକୁ ହାତରେ ଧରି ସର୍କସର ରିଙ୍ଗ ମାଷ୍ଟର ପରି ଗର୍ଜିଚାଲିଛନ୍ତି ଘର ଭିତରେ। ବୁଢ଼ାବାପା ନୀରବରେ ବସି ଶୁଣୁଛନ୍ତି।
ରମେଶବାବୁ ପଚାରିଲେ, ବାପା! କ’ଣ ହେଇଛି ତାର। ସିଏ କାହିଁକି ପିଲାଟାକୁ ଏମିତି ବାଡ଼ୋଉଛି। ବୁଢାଙ୍କ ପାଟିରୁ ଭାଷା ସ୍ଫୁରୁ ନାହିଁ। କହିଲେ ମଲା, ନ କହିଲେ ମଲା ଅବସ୍ଥା। ବୁଢା ଶଙ୍କାଶଙ୍କା ଗଳାରେ କହିଲେ, କ’ଣ ହେଇଚି କେଜାଣିରେ ପୁଅ। ମୁଁ କୁନାକୁ କହିଲି, ଯା’ ମାକୁ କହିବୁ- ଜେଜକୁ ଚା’ ଟିକେ ଦବ। ତା’ ପରଠୁ ତ ଏମିତି ଲାଗିଛି।
ସେଇଠୁ ରମେଶବାବୁ ଗର୍ଜିଉଠିଲେ। ଆହେ… କ’ଣ ହେଇଛି? ପିଲାଟାକୁ ଏମିତି ପିଟୁଛ କ’ଣ ପାଇଁ? ସୁଜାତା ଅଣ୍ଟା ଭିଡି ବାହାରିଆସିଲେ। ପିଟିବି ନାହିଁ! କେତେ କେ.ଜି. ଚିନି ଆଣି ମାସକୁ ଥୋଇଦଉଚ କି? ବୁଢାକୁ ମୁଁ ଦଶଥର ଚା’ ଦେଇପାରିବିନି। ଚା’ ପାନ, ଅଫିମ ଏସବୁ ବାଜେ ଅଭ୍ୟାସ। ମୁଁ ମୋ ବାପା ଦିହକେ ଜାଣିନି। ତମ ବାପାଙ୍କର ଯଦି ଏ ସବୁ ଲୋଡ଼ା ତେବେ ସିଏ ଗାଁ କୁ ଚାଲିଯାଆନ୍ତୁ। ସେଇଠି ସାନବୋହୂ କି ମଝିଆବୋହୂ ସବୁ ଯୋଗାଡ଼ କରି ଥୋଇଦେବେ। ମୋ ଦେଇ ହବନି ଏ ସବୁ, କହିଦେଉଛି..।
ରମେଶବାବୁ ସୁଜାତାଙ୍କ ହାତ ଧରିବାର ଆଜକୁ ପନ୍ଦର ବର୍ଷ ହୋଇଗଲାଣି। ସବୁବେଳେ ସୁଜାତାର ଏମିତି ଟାଇଁଟାଇଁ କଥା। ଦେହସୁହା ହୋଇଗଲାଣି ତାଙ୍କର। ସୁଜାତାକୁ ଭଲମନ୍ଦ କହି କିଛି ଲାଭ ନାହିଁ। ପିଲାଗୁଡ଼ାକୁ ମଣିଷ କରିଦେଲେ ହୁଏତ ଜୀବନରେ ଅଳ୍ପ ସମୟ ଲାଗି ମଧ୍ୟ କିଛି ଶାନ୍ତି ମିଳିପାରିବ। ରମେଶବାବୁ ବ୍ୟାଙ୍କରେ ଜଣେ ଉଚ୍ଚପଦସ୍ଥ ଅଫିସର। ଅଫିସ କାମ ବାଦ ତାଙ୍କର ଏତିକି ହିଁ କାମନା।
ରମେଶବାବୁ କୁନାକୁ ପଚାରିଲେ, ବାପାରେ ତୁ କ’ଣ ଦୋଷ କରିଛୁ ସତ କହିଲୁ? କୁନା କହିଲା- ନାଇଁ ବାପା, ମୁଁ ଜେଜେଙ୍କ ପାଇଁ ମା’କୁ ଚା’ ମାଗିଲି। ସେ ନ ଦେବାରୁ ମୁଁ ନିଜେ ପାଣିରେ ଅମୁଲ ମିଶାଇଲି। ମା’ ମତେ ମାଡ଼ ଦେଲା। କୁନା କୋହ ଉଠାଉଥାଏ। ରମେଶବାବୁ ବାପାଙ୍କୁ ଲକ୍ଷ୍ୟ କରି ତଳକୁ ମୁହଁ ପୋତି କହିଲେ, ବାପା ତୁମେ ନ ହେଲେ ଗାଁକୁ ଚାଲିଯାଅ। ଏଇଠି ତୁମେ ଶାନ୍ତି ପାଇପାରିବନି। ସୁଜାତା ରୋଷେଇ ଘରୁ ପାଟି କରୁଛନ୍ତି। ଓହୋ! ବାପା ସୁହାଗ ବୋହିପଡ଼ୁଛି। ତମ ପୁଅକୁ ବି ପଠାଇ ଦିଅ। ଦରକାର ନାହିଁ ଏମିତି ପିଲା। ସିଏ ଗାଁରେ ରହୁ, ବାପାଙ୍କୁ ଚା’ ଦଉ। ପିଅନ କାମ ଶିଖୁ। ପାଠ ନ ପଢୁ। ତାକୁ ପଠାଇ ଦିଅ।
ରମେଶ ବାବୁ ଚାବୁକ୍ ଖାଇବା ପରି ମନେ କରୁଥାନ୍ତି। ଖୁଣ୍ଟ ପରି ଛିଡ଼ା ହୋଇ କ’ଣ ଚିନ୍ତା କରୁଥିଲେ।
ସେଦିନ ରାତିରେ ଆଉ ବୁଢ଼ାଙ୍କ ଆଖିକୁ ନିଦ ନାହିଁ। ସାରା ରାତି ସେ ଭାବୁଥିଲେ, ନିଜ ଜୀବନର ଲମ୍ବା କାହାଣୀକୁ। ସିଏ ପୁଅ ପାଇଁ ଗୋଟେ ସାବନା ବର୍ଣ୍ଣର ବୋହୂ ଖୋଜିଥିଲେ। ହେଲେ ପୁଅର ମନ ମାନିଲା ନାହିଁ। ବୁଢା ଜାଣୁଥିଲେ ଯେ, ଏ ସହରୀ ଛଟକି ଫେସନି ଝିଅଗୁଡ଼ାକ ସବୁ ଏମିତି। ଘର ଭାଙ୍ଗିବେ ଏମାନେ। ହଉ ତା’ର କପାଳ। ଚା’ କପେ ପାଇଁ ପରିବାରରେ ଝଡ଼ ସୃଷ୍ଟି ହୋଇଯାଉଛି ଆଜି! କିନ୍ତୁ ମୁଁ ମୋ ପୁଅ ପାଇଁ କ’ଣ ନ କରିଛି। ମୁଁ କ’ଣ ଅଫିମ ଜାଣିଶୁଣି ଖାଉଛି। ଶ୍ବାସ ରୋଗଟାକୁ ଛାତି ଭିତରେ ଚାପିରଖିବାକୁ ଅଫିମ ଟିକେ ଖାଇଦେଲେ ଚଳିଯାଏ। ଏଇଥିପାଇଁ ଏତେ କଥା। ପାନଟା ତ ଅନେକ ଦିନରୁ ଖାଇଆସିଛି। ଏବେ କ’ଣ ଛାଡିହେବ? ତା’ ବୋଲି ମୁଁ କ’ଣ ମୋ ବୋହୂର ଘର ଉଜାଡ଼ି ଦେଉଛି। ସର୍ବସ୍ବ ଖାଇଦେଉଛି!
ବୁଢ଼ାଙ୍କୁ ଭାରି ଅଣନିଃଶ୍ବାସୀ ଲାଗିଲା। ସତେ ଯେପରି ମୁଣ୍ଡ ମଧ୍ୟରେ ଏକ ଚକ୍ର ଘୂରି ମସ୍ତିଷ୍କର ସବୁ ଯୋଗାଯୋଗକୁ କାଟିପକାଉଛି। ଘଣ୍ଟାରେ ଦୁଇଟା ବାଜିଲା। ରାତି ପାହିବାକୁ ଆହୁରି ଢେର ବାକି। ବୁଡ଼ା ଭାବୁଥିଲେ, ସକାଳ ଆସିଲେ ବିଦାୟ ନେବି ସବୁଦିନ ପାଇଁ ଏଠାରୁ। ସହରୀ ଜୀବନରେ ବାସ୍ନା ନାହିଁ। ଭାରି ମିଛିମିଛିକା ଆଉ କୃତ୍ରିମ ଭାବ ବିନିମୟ ହୁଏ ଏଠି। ତାର ସେଇ ଗାଁ ମାଟି ବରଂ ଭଲ। ସରକାର ବାହାଦୁର ମଧ୍ୟ ଯୋଉ ଦି ବଖରା ଘର ଦେଉଛନ୍ତି ସହରୀବାବୁମାନଙ୍କୁ, ସେଗୁଡିକ ଅଫିସର ଓ ତାଙ୍କ ପିଲାଛୁଆଙ୍କୁ ନିଅଣ୍ଟ। ତା’ ପରି ଖୁଁ ଖୁଁ କାଶୁଥିବା ବୁଡ଼ାଗୁଡାଙ୍କ ପାଇଁ ଏ ରାଜଧାନୀରେ ସ୍ଥାନ କାହିଁ? ବୁଢ଼ା ଆଖିପତା ମୁଦି କେତେ କ’ଣ ଭାବି ଚାଲିଛନ୍ତି। ତାଙ୍କ ଭାବନା ନଈର ସୁଅ କୂଳ ଅତିକ୍ରମ କରୁଥିଲାବେଳେ ସେ ଚମକି ଉଠିଲେ। ଆଖି ଖୋଲିଲାବେଳକୁ କୁନା ଅତି ସନ୍ତର୍ପଣେ ମା’ କୋଳରୁ ଜେଜେଙ୍କ ଶୋଇବା ଘର ଭିତରକୁ ପଳାଇଆସିଛି। ବୁଢ଼ା ତାକୁ ଦେଖି ଟିକେ ଡରିଗଲେ। କହିଲେ, କୁନା, ତୁ ଜଲଦି ପଳାଇଯା। ମା’ ଉଠିଲେ ଏଇନେ ରାତିଟାରେ ମାଡ଼ ଖାଇଯିବୁ। କୁନା ଟିକେ ବି ଭୟ କଲାନି। ଓଲଟି ପଚାରିଲା, ଜେଜେ ତୁମେ ସକାଳ ହେଲେ ଗାଁକୁ ଚାଲିଯିବ? ବୁଢ଼ା ଆଶ୍ଚର୍ଯ୍ୟରେ ବୋକା ବନିଗଲେ। ଉଠିବସି କୁନାକୁ କୋଳେଇଆଣିଲେ। ପଚାରିଲେ, ତୁ କେମିତି ଜାଣିଲୁ କିରେ?
କୁନା କହିଲା-ଜେଜେ ମୁଁ ସ୍ବପ୍ନ ଦେଖିଲି। ନାଇଁ ମ ଜେଜେ, ତୁମେ ଯାଅନି। ତୁମେ ସବୁଦିନେ ଖେଳଛୁଟି ବେଳେ ଆମ ସ୍କୁଲ ଗେଟ୍ ପାଖକୁ ଚାଲିଆସିବ। ସେଇଠି ଆମେ ଆମ ଟିଫିନ ଖର୍ଚ୍ଚରୁ ତୁମକୁ କପେ ଚା’ ଦେଇଦେବୁ। ମୁନା ବି କହୁଛି ସେ ତା’ର ଚେନାଚୁର ଖର୍ଚ୍ଚରୁ ତୁମକୁ ଦେବ। ଜେଜେ ତୁମେ କୁହନା, ଆମକୁ ଛାଡ଼ି ଆଉ ଗାଁକୁ ଯିବନି। ବୁଢ଼ାଙ୍କର ଆଖି ଜକେଇଆସିଲା। କୁନାକୁ କୁଣ୍ଢାଇପକାଇ କହିଲେ, “ନାଁ ରେ ତୁ ଯା’ ଶୋଇପଡ଼। ମୁଁ ତତେ ଛାଡ଼ି କୁଆଡ଼େ ଯିବି ଯେ ! ମୋ ସୁନାଟା ପରା ଯା’ ତୁ ଶୋଇପଡ଼।”
ସକାଳ ଦଶଟା ବାଜିଲା। କୁନା ଓ ମୁନା ସ୍କୁଲକୁ ଗଲେ। ରମେଶବାବୁ ଅଫିସ ଯିବା ବାଟରେ ବୁଢ଼ାଙ୍କୁ ବସ୍ରେ ବସାଇଦେବେ। ବୁଢ଼ା ବି ସାତଚଉତା ଧୋତି ଆଉ ପଞ୍ଜାବୀ ପିନ୍ଧିସାରିଲେଣି। ରମେଶବାବୁ ପଚାରିଲେ- ବାପା ତମେ କ’ଣ ସତରେ ଆଜି ଗାଁକୁ ଚାଲିଯିବ? ବୁଢ଼ା ବୋହୂକୂ ଡାକି କହିଲେ, ପିଲା ବୁଦ୍ଧି ଛାଡ଼, ମା’। ମୁଁ ଗାଁ କୁ ଯାଉଛି। ତୁ ପିଲାମାନଙ୍କୁ ଜମା ମାରଧର କରିବୁନି। ବୋହୂ ନିରୁତ୍ତର। ପ୍ରଣାମ ବି କଲା ନାହିଁ। ବୁଢ଼ା ପାଦ କାଢ଼ିଲେ। ଏସବୁ ଭାଗ୍ୟ ଦୋଷ କୁଆଡ଼େ। କର୍ମକୁ ଆଦରି ପୁଅର ପିଛା ଧରିଲେ।
ବୁଢ଼ା ଏକା ଏକା ନରଣଗଡ ଯିବେ। ଅନେକ ରାସ୍ତା। ବସ ଚାଲିଥାଏ। ବୁଢ଼ା ଖୁବ୍ ବିଷର୍ଣ୍ଣ । ମନେମନେ ଭାବୁଥିଲେ, ସେ ଆଜିକାଲି ଅଦରକାରୀ ହୋଇଗଲେଣି। ବସି ଖାଇଲେ ନଈବାଲି ସରେ। ତାଙ୍କୁ କିଏ କାହିଁକି ଏ ମହଙ୍ଗା ଯୁଗରେ ପଚାରିବ। ଭାବନାର ଅନ୍ତ ନାହିଁ। ଗାଡ଼ି ଆସି ଭଞ୍ଜନଗରରେ ଛିଡ଼ା ହେଲାଣି। ସେତେବେଳକୁ ଘଣ୍ଟାରେ ଚାରିଟା। ସ୍କୁଲ ପିଲାମାନେ ବହିବସ୍ତାନି ଧରି ଘରକୁ ଫେରୁଛନ୍ତି। ବୁଢ଼ାଙ୍କର ପୁଣି କୋହ ଉଠିଲା। କୁନାମୁନା ଏବେ ସ୍କୁଲରୁ ଫେରୁଥିବେ। ସ୍କୁଲରୁ ଫେରିବା ପରେ ଜେଜେ କବାଟ ଖୋଲିଦେଲେ କୁନା ଭିତରକୁ ଆସେ। ଜେଜେକୁ ସେ ଖୋଜୁଥିବ ନିଶ୍ଚୟ। ଜେଜେ ସେଦିନ କୁନାକୁ ପାଠ ପଢ଼ାଇଲାବେଳେ କହିଥିଲେ, ମିଛ କହିବା ମହାପାପ। କିନ୍ତୁ ଆଜି ଜେଜେ ମତେ ମିଛ କହି ଠକି ଚାଲିଗଲେ- ଏଇଆ ଭାବୁଥିବ ମନରେ ସିଏ? ବୋଧହୁଏ କୁନା ଏଇଠୁ ସଂସାରଯାକର ମିଛ କହିବା ଶିଖିବ। କହିବ ବଡ଼ମାନେ କହନ୍ତି ଗୋଟାଏ, କରନ୍ତି ଗୋଟାଏ। ବୁଢ଼ାର ମୁଣ୍ଡ ଭିତରେ ସେଇ ଚକ୍ରଟା ପୁଣି ଓଲଟା ଘୂରୁଥିଲା। ବସ ରେଲିଂ ଦେହରେ ମୁଣ୍ଡଟାକୁ ପିଟି ଛତୁ କରିଦେବାକୁ ଇଚ୍ଛା ହେଉଥିଲା ଅବା।
ନରଣଗଡ଼ରେ ବସ୍ ପହଞ୍ଚିଲା। ବୁଢ଼ା ଘରେ ପାଦ ପକାଇଲେ। କିଛି ହେଉ ନ ହେଉ ଏଇଠି ପଡ଼ିରହିଲେ ଜାତି ଭାଇ ତାଙ୍କର ମଡ଼ାରେ ହାତ ଲଗାଇବେ ତ। ନିଜକୁ ନିଜେ ସାନ୍ତ୍ବନା ଦେଉଥିଲେ। ମଝିଆ ପୁଅ ସୁକେଶ ଖୁବ୍ ବିରକ୍ତ ହେଲା। କହିଲା – ମୁଁ ମନା କରୁଛି ଯାଅନି ସେଠିକୁ। ହଉ, ତୁମେ ବିଶ୍ରାମ କର। ମୁଁ ସନ୍ଧ୍ୟାରେ ଦୋକାନରୁ ଫେରିଲେ ତୁମକୁ ଡାକ୍ତର ଦେଖାଇବି।
ମଝିଆଁ ପୁଅ ସୁକେଶର ବହି ଦୋକାନ। ବିକ୍ରିବଟା ସେତେ ଭଲ ନୁହେଁ। ମନେମନେ ସେ ଭାବୁଛି, ପାଖ ମଦ ଦୋକାନରେ ଏତେ ଭିଡ। କିନ୍ତୁ ବହିକୁ କାହିଁକି ଲୋକଙ୍କର ଏତେ କମ୍ ଆଗ୍ରହ? ସୋମରସଠାରୁ ପୁସ୍ତକର ରସ କ’ଣ ଏତେ ନୀରସ! ଖୁବ୍ ଆଶ୍ଚର୍ଯ୍ୟ ଲାଗୁଥିଲା ତାକୁ। ସେ ଗୋଟାଏ ସତ୍ ବ୍ୟବସାୟରେ ଅଛି। କିନ୍ତୁ ତାକୁ ଲକ୍ଷ୍ମୀ ମିଳୁନାହାନ୍ତି। ସୁକେଶ ନିରାଶ ହୋଇ ଦୋକାନର ସଟର ଟାଣିଲା। ଘରେ ପହଞ୍ଚିବା ବେଳକୁ ବୁଢ଼ା ଆସି ଦାଣ୍ଡଦୁଆରେ। କହିଲେ, ଆଜି ଏତେ ଡେରି କଲୁ। ବଇଦ ପାଖକୁ ଯିବା ପରା।
ନାଇଁ ବାପା! ଆଜି କିଛି ଭଲ ବିକ୍ରି ହେଲାନି। ବୁଢ଼ାର ମୁଣ୍ଡଟା ବରଗଛ ଓହଳ ପରି ତଳକୁ ଲମ୍ବିଗଲା। ବୁଢ଼ା କହିଲେ, “ମୁଁ ଜାଣେ ପରା। ତୁ ସେ ଦୋକାନରେ ମୃଗୁଣୀ ସ୍ତୁତି, ମନବୋଧ ଚଉତିଶା ଆଉ ବାଲ୍ମିକୀ ରାମାୟଣ ନ ରଖିବା ପର୍ଯ୍ୟନ୍ତ ତୋର ବିକ୍ରିବଟା ଭଲ ହେବନି। ” ସୁକେଶ ବାପାଙ୍କ ସରଳତାର ଗଭୀର ସମୁଦ୍ରରେ ଡୁବ ମାରି ପୁଣି ଉପରକୁ ଉଠୁଥିଲା। ଯେଉଁଠି ଡିସ୍କୋ ନୃତ୍ୟ କଳା, ଯେଉଁଠି ସାମାଜିକ ଚଳଣୀ ଅଶ୍ଳୀଳତାରେ ଭରପୁର, ସେଠି ମୃଗୁଣୀ ସ୍ତୁତି ପଢିବ କିଏ? ସୁକେଶ ବାପାଙ୍କୁ ବୁଝାଇ ନ ପାରି ନିଜକୁ ନିଜେ ବୁଝାଉଥିଲା।
ବୁଢ଼ାଙ୍କ ଶ୍ବାସ ଧଇଁ ପେଲିହେଉଛି। ବାଉଳାଚାଉଳା ହେଲେଣି। ଲାଗୁଛି ସେପାରିରୁ ଡାକ ଶୁଭିଲାଣି। ଦେହ ଭିତରେ ଅବା ହାଡ଼ଗୁଡ଼ାକ ଖସି ବିଡ଼ା ବାନ୍ଧିହେଉଛି। ଦେହର କାନ୍ଥରେ ପଲସ୍ତରା ଛାଡ଼ି ଖଣ୍ଡେ ଖଣ୍ଡେ ଇଟା ଖସି ଦାନ୍ତୁରା ଦିଶିଲାଣି। କହିଲେ, ଭାଇକୁ ଡାକ୍ ଜଲଦି। ସିଏ ବ୍ୟାଙ୍କ ଅଫିସର। ଟଙ୍କା ପଇସା ଯଦି ଖର୍ଚ୍ଚ କରିବ କେଜାଣି କାଳେ ବଞ୍ଚିଯିବି। ବୁଢ଼ାଙ୍କ କଥାରୁ ମନେ ହେଉଥିଲା ତାଙ୍କର ବଞ୍ଚିବାର ମୋହ ଦୁର୍ବାର ଥିଲା।
କିଏ ଜଣେ ଆଟାଚିଟା ତଳେ ଥୋଇବାର ଶବ୍ଦ ଶୁଣାଗଲା। ବୁଢ଼ା ଉପରକୁ ଚାହିଁଲାବେଳକୁ ସାମ୍ନାରେ ରମେଶ। ତା ପଛରେ ବୋହୂ। କୁନା-ମୁନା ଜେଜେ ଉପରକୁ ଚଢ଼ିଯିବା ବେଳକୁ ବୁଢାର ଧଇଁକାଶରେ ଛିଞ୍ଚାଡ଼ି ହୋଇପଡ଼ିଲେ। ବୁଢାଙ୍କ ଶ୍ବାସ ରୋଗର ତୀବ୍ରତା ଅନୁଭବ ହେଲାଣି। ବୋହୂ ବୁଢାଙ୍କ ପାଦ ଛୁଇଁ ପ୍ରଣାମ କଲା।
ବୁଢ଼ା ପୁଣି ବାଉଳାଚାଉଳା କଥା କହିଲେଣି। ଅଙ୍ଗୁଳି ନିର୍ଦ୍ଦେଶ କରି କହିଲେ, ଆରେ ପୁଅ ଦେଖିଲୁ। ବଡ଼ ବଡ଼ ଶିଙ୍ଗ ଅଛି ମୁଣ୍ଡରେ। ସେ ଲୋକଟା କାହାକୁ ଡାକୁଛି। ପଚାରିଲୁ କାହାକୁ ଖୋଜୁଛି ସିଏ। ସମସ୍ତେ ସେଇଆଡ଼କୁ ଚାହିଁଲେ। ଆଖପାଖରେ କେହି ନାହିଁ। ବୁଢ଼ାଙ୍କର ବୋଧହୁଏ ସମୟ ପାଖେଇଗଲା। ଦେଖାଗଲା ବୁଢ଼ା କାଶିକାଶି ମୁଦାହେଇ ଗୋଟେ ପ୍ରଶ୍ନବାଚୀ ପାଲଟିଗଲେ। ମନେ ହେଲା ବୁଢ଼ା ଆମ ସମସ୍ତଙ୍କୁ ବାରମ୍ବାର ପ୍ରଶ୍ନ କରୁଛନ୍ତି- “ଆରେ ଅଧମ-ତୁମେ କ’ଣ କେହି ବୁଢ଼ା ହେବ ନାହିଁ? ତୁମେ କ’ଣ କେହି ବାର୍ଦ୍ଧକ୍ୟକୁ ସାମ୍ନା କରିବ ନାହିଁ? ଲୋକଗୁଡାକ ଦାନ୍ତରେ ତିରଣ ନିକୁଟି ଧରିଥିବା ଗୋହତ୍ୟାକାରୀ ଭଳି ଛିଡ଼ା ହୋଇଥିଲେ।