ମୂଳ ଉର୍ଦ୍ଦୁ: ଜିଲାନୀ ବାନୁ

‘ଆଜି ଯଦି ମୋ’ଫାଇଲ୍‌ ଉପରୁ ନଆସେ, ତେବେ ମୋର ନିଶ୍ଚିତ ମରଣ ଜାଣ !’- ବଣ୍ଟିର ଡାଡି ବ୍ରେକ୍‌ଫାଷ୍ଟ ମେଜ ପାଖରେ ବଣ୍ଟିର ମମ୍ମିକୁ କହୁଥାଆନ୍ତି।

ଡାଡିଙ୍କ ତୁଣ୍ଡରୁ ଏପରି କଥା ଶୁଣି ବଣ୍ଟି ବିବ୍ରତ ଭାବରେ ଏଣେତେଣେ ଚାହିଁଲା। ବହିଟିକୁ ବନ୍ଦ କରିଦେଲା ଏବଂ ସିଏ ଧିରେ ଧିରେ ପାଦ ଚିପି ଚିପି ଆସି ଡାଇନିଙ୍ଗ୍‌ ଟେବୁଲ୍‌ ପାଖରେ ଚୁପ୍‌ଚାପ୍‌ ବସିଲା।

-ତା’ହେଲେ ଏବେ କ’ଣ ହେବ?’ ବଣ୍ଟିର ମମ୍ମି ଲହୁଣିବୋଳା ସ୍ଲାଇସ୍‌ ପ୍ଲେଟରେ ପରଷୁ ପରଷୁ ପ୍ରଶ୍ନ କଲେ।
ସଭିଏଁ ଶୀଘ୍ର ଶୀଘ୍ର ଖାଇବାରେ ମଗ୍ନ ଥିଲେ। ଅଂଶୁଭାଇ, ବବ୍‌ଲୁ, ସବ୍‌ବୀ- ସଭିଏଁ ସ୍କୁଲ ଯିବାକୁ ତରତର ହେଉଥିଲେ। ଡାଡି-ମମ୍ମି ଭିତରେ ଏମିତି ପ୍ରତିଦିନ କଥା କଟାକଟି ହୁଏ। ଏକଥା ଶୁଣି ଶୁଣି ସମସ୍ତଙ୍କ ଦେହସୁହା ହୋଇଗଲାଣି। କିନ୍ତୁ ଆଜି ବଣ୍ଟି କାହିଁକି କେଜାଣି ସେ ଦୁହିଁଙ୍କ ମୁହଁକୁ ଚାହିଁ ରହିଥିଲା।

-ଆଜି ଯେମିତି ହେଲେ…।’ ବଣ୍ଟିର ଡାଡି ବ୍ରେଡ଼୍‌ର ସ୍ଲାଇସ୍‌ ଉଠାଇ ଛୁରୀରେ ଲହୁଣି ବୋଳିବାକୁ ଲାଗିଲେ। ଅନ୍ୟମନସ୍କ ଭିତରେ ବେଶୀ ଲହୁଣି ବୋଳି ହୋଇଗଲା। କିଛି ମେଜ ତଳେ ପଡ଼ିଗଲା। ବଣ୍ଟି ସେଇ ଦୃଶ୍ୟକୁ ଚାହିଁ ରହିଥାଏ। ଡାଡି ପୁଣି ଆରମ୍ଭ କଲେ- ‘ପରିସ୍ଥିତି ଯାହା… ସତୁରୀ-ଅଶୀ ହଜାର ଟଙ୍କା ବାହାର କରିବାକୁ ହେବ।’

-ସତୁରୀ଼-ଅଶୀ ହଜାର!’ ବଣ୍ଟିର ମମ୍ମି ମୁଖର ହୋଇ ଉଠିଲେ।
-ତେବେ ତ’ ବ୍ୟାଙ୍କ୍‌ରେ ଜମା ବୋଲି ଆଉ କିଛି ରହିବନି। ଅନ୍ୟ ସ୍କୁଲରେ ମୋ ଆଡ଼୍‌ମିଶନ୍‌ କେମିତି ହେବ?’ ବଣ୍ଟି ଚିନ୍ତାତୁର ହୋଇଉଠିଲା। ସେ ଭଲଭାବେ ଜାଣେ, ଡାଡିଙ୍କ ବ୍ୟାଙ୍କ୍‌ ବାଲାନ୍ସ କେବଳ ସତୁରୀ ହଜାର ଟଙ୍କା। ଏବେ ଷଷ୍ଠ ଶ୍ରେଣୀରେ ପଢ଼ିବା ପାଇଁ ତାକୁ ହେପି ସ୍କୁଲରେ ଆଡ଼୍‌ମିଶନ ହେବାକୁ ପଡ଼ିବ। ଆଉ ସେଠି ଡୋନେଶନ୍‌ ପାଞ୍ଚ ହଜାରରୁ ତ କମ୍‌ ହେବ ନାହିଁ।

ଏଗାର ବର୍ଷର ହାଡ଼ଗୋଡ଼ିଆ ପତଳା ବଣ୍ଟି, ଦୁଇ ହାତରେ ମୁଣ୍ଡକୁ ଜାକି ଚୁପ୍‌ଚାପ୍‌ ବସିଥିଲା। ବଣ୍ଟି ଏମିତି ପ୍ରତିକଥାରେ, ପ୍ରତିଟି ମୁହୂର୍ତ୍ତରେ ସବୁବେଳେ ଚିନ୍ତାମଗ୍ନ ହୋଇପଡ଼େ। ତା’ ଦେହରେ ହଜାରେ ରୋଗ। କଥା କଥାରେ ସେ ରାଗିଯାଏ, ସମାନ୍ୟ ଅଠିକଣା ହୋଇଗଲେ ଜର ମାଡ଼ି ଆସିବ ତ କେବେ ପୁଣି ପେଟରେ ଯନ୍ତ୍ରଣା।

-ଆଜି ଅଫିସ ଗଲେ ସୁଧାକର ବାବୁଙ୍କୁ କହିବି ସେ ତମ ଫାଇଲ୍‌ ପାଇଁ କିଛି ଚେଷ୍ଟା କରିବେ!’ ମମ୍ମି ଡାଡିଙ୍କ କପ୍‌ରେ ଖୁବ୍‌ ଚିନି ଢାଳି ଘାଣ୍ଟୁ ଘାଣ୍ଟୁ କହିଲେ।
-ନା !’ ଡାଡି ଏତେ ଜୋର୍‌ରେ ଚିତ୍କାର କଲେ ଯେ, ସଭିଏଁ ଚମକି ପଡ଼ିଲେ।
-ମୁଁ ତମକୁ ବାରମ୍ବାର ଚେତାବନୀ ଦେଇସାରିଛି, ଏଣିକି ତମେ ଆଉ ସୁଧାକର ସହିତ ନ ମିଶିବାକୁ। ତା’ ସହିତ କୁଆଡ଼େ ବି ନ ଯିବାକୁ।’

-କାହିଁକି? କାହିଁକି, ତାଙ୍କ ସହିତ ଭେଟିବିନି… କୁଆଡ଼େ ଯିବିନାହିଁ?’ ମମ୍ମି କ୍ରୋଧରେ ପାଲଟା ଗର୍ଜନ ଛାଡ଼ି ଚାହା ପ୍ଲେଟ୍‌ଟା ମେଜ ଉପରେ ଛେଚି କହିଲେ, ‘ସେ ମୋର ବସ୍‌, ମତେ ତାଙ୍କୁ ବାରମ୍ବାର ସାକ୍ଷାତ୍‌ କରିବାକୁ ପଡ଼ିବ।’
-କେବଳ ବସ୍‌?’ ଡାଡି ମୁହଁ ଉପରକୁ ଉଠାଇ କେଉଁ ଏକ ସିନେମାର ଖଳନାୟକ ପରି ବ୍ୟଙ୍ଗାତ୍ମକ ଅଟ୍ଟହାସ୍ୟ କରି ମମ୍ମିକୁ ଚାହିଁଲେ- ‘ସେ ଶଳା କ’ଣ କେବଳ ତମର ବସ୍‌?’
ମମ୍ମି ଆହତ ବାଘୁଣୀ ପରି ଏଣେତେଣେ ଚାହିଁଲେ। ପୁଅଝିଅ ସବୁ ଦୁହିଁଙ୍କ ଏମିତି କଥା କଟାକଟି, ପାଟି ତୁଣ୍ଡରେ ଆତଙ୍କିତ ହୋଇ ଛିନ୍‌ଛତର ହୋଇ ଯାଇଥିଲେ। କେବଳ ବଣ୍ଟି ଦୁଇ କହୁଣୀକୁ ମେଜ ଉପରେ ଲଦି ସେ ଦୁହିଁଙ୍କ ଲଢ଼େଇ ବେଶ୍‌ ତନ୍ମୟ ଭାବରେ ଅନୁଭବ କରୁଥିଲା।
-ତୁ ଆଜି କେତେ ଖାଇବୁ…?’ ମମ୍ମି ଡାଡିଙ୍କୁ କୌଣସି ଉତ୍ତର ଦେବା ଅପେକ୍ଷା ବଣ୍ଟିକୁ କ୍ରୁଦ୍ଧ ଦୃଷ୍ଟିରେ ଚାହିଁ କହିଲେ, ‘ସ୍କୁଲ ଯିବୁନି ନା କ’ଣ?’
-ଇଚ୍ଛା ହେଉଛି, ଆତ୍ମହତ୍ୟା କରିଦେବାକୁ। ସାରାଦିନ ଅଫିସରେ ଦରମରା ଅବସ୍ଥା। ଘରକୁ ଆସିଲେ ଏମିତି ପୁରସ୍କାର।’ ମମ୍ମିଙ୍କ ଶେଷ ଅସ୍ତ୍ର ହେଉଛି କ୍ରନ୍ଦନ। ଆଉ ମମ୍ମି ଯେବେ କାନ୍ଦେ, ଡାଡି ତ ପିଲାମାନଙ୍କ ଉପସ୍ଥିତି ଭୁଲିଯାଇ ପୁରାପୁରି ସିନେମା ପରି….।

-ଅସଲରେ ଏ ସମସ୍ତେ ମିଶି ମତେ ଦଳି ଦେବାକୁ, ଖଣ୍ଡ ଖଣ୍ଡ କରିଦେବାକୁ ଚାହୁଁଛନ୍ତି।’ ବଣ୍ଟିର ଡାଡି ଅଣ୍ଡା ଆମ୍‌ଲେଟ୍‌କୁ ଛୁରୀରେ ଖଣ୍ଡ ଖଣ୍ଡ କଲାବେଳେ କହିଲେ। କେଜାଣି କାହିଁକି ବଣ୍ଟି ଗୋଟେ ଅଜଣା ଆଶଙ୍କାରେ ଥରି ଉଠିଲା, ଯେମିତି ଏବେ ପ୍ଲେଟ୍‌ରେ ତା’ର ଡାଡି ଖଣ୍ଡ ଖଣ୍ଡ ହୋଇପଡ଼ିଛନ୍ତି ଆଉ ଗୋଟେ ମାଂସଲୋଭୀ ରାକ୍ଷସ ତାଙ୍କୁ କଣ୍ଟା ଚାମୁଚ୍‌ରେ ଦଳି ଖଣ୍ଡ ଖଣ୍ଡ କରି ଖାଇଯାଉଛି।

ଯଦି ଆଜି ଫାଇଲ୍‌ଟା ଉପରୁ ନ ଆସେ ତେବେ କ’ଣ ସେମାନେ ଡାଡିଙ୍କୁ ହତ୍ୟା କରିଦେବେ। ବଣ୍ଟି ଏଇ ଭୟରେ ଆତଙ୍କିତ ହୋଇ ଉଠୁଥିଲା- ‘ମମ୍ମି ମୁଁ ସ୍କୁଲ ଯାଉଛି।’

ମମ୍ମି ଡ୍ରେସିଂ ଟେବୁଲ୍‌ ସାମନାରେ ବସି ମୁହଁର ଦାଗସବୁ ୱାସିଂ କ୍ରିମ୍‌ରେ ଲୁଚାଇବାକୁ ଲାଗିଥାଆନ୍ତି। ବଣ୍ଟିକୁ କାନ୍ଧ ଉପରେ ଝୁଲିବା ଦେଖି କଜଳଟଣା ଆଖିକୁ ତରାଟି ଗର୍ଜି ଉଠିଲେ- ‘ହଇରେ, ଆହୁରି ସ୍କୁଲ ଯାଇନୁ? ଏପର୍ଯ୍ୟନ୍ତ ଘରେ ମରୁଛୁ? ବସ୍‌ ଚାଲିଯିବଣି।’
କାନ୍ଧ ଉପରେ ମହଣେ ଓଜନର ବହିର ବୋଝ ଝୁଲାଇ ବାହାରକୁ ବାହାରିଲା ବେଳେ ବଣ୍ଟି ଡାଡିଙ୍କ ପାଖରେ ଯାଇ ଅଟକି ଗଲା। ତା’ ଗଳାରେ ଯେମିତି ନିଃଶ୍ବାସ ଅଟକିଯାଇଛି। ଆଜି ଯେମିତି ସେ ଡାଡିଙ୍କୁ ଶେଷଥର ପାଇଁ ଦେଖୁଛି।
ସ୍କୁଲ ବସ୍‌ ଏପର୍ଯ୍ୟନ୍ତ ଆସି ନଥାଏ। ଦୀପୁ, ଜାଫର୍‌, ରାହୁଲ, ରତନ ଓ ଜାଭେଦ୍‌ ଆଦି ବଣ୍ଟିର ସ୍କୁଲମେଟ୍‌ ଟୋକାଏ ବସ୍‌ ଷ୍ଟପ୍‌ର ରେଲିଂରେ ଝୁଲି ଡିଆଁକୁଦା କରୁଥାଆନ୍ତି। ସେମାନଙ୍କ ନିଜ ନିଜ ବ୍ୟାଗ୍‌ ସବୁ ଫୁଟ୍‌ପାଥ୍‌ ଉପରେ ପଡ଼ିଥାଏ। ବଣ୍ଟି ଆସି ଚୁପ୍‌ଚାପ୍‌ ଫୁଟପାଥ୍ ଉପରେ ବସିଲା। ତା’ ମୁଣ୍ଡରେ ଯନ୍ତ୍ରଣା ହେଉଥିଲା।

ଆଇସ୍‌କ୍ରିମ୍‌, ଆଖୁରସ,… କେତେ ଯେ ଫେରିବାଲା ତା’ ସାମନାରେ ଘୁରି ବୁଲୁଥିଲେ। ଜାଭେଦ୍‌ ସାମ୍ନାର ପାନ ଦୋକାନରୁ ଗୋଟେ ସିଗାରେଟ୍‌ ଆଣିଲା। ଜଣକ ପରେ ଜଣେ ସଭିଏଁ ସିଗାରେଟ୍‌ରୁ ଧୂଆଁ ଟାଣିଲେ। ରତନ ଯେତେବେଳେ ସିଗାରେଟ୍‌ ନେଇ ବଣ୍ଟି ଆଡ଼କୁ ବଢ଼ାଇ ଦେଲା, ବଣ୍ଟି ହାତମାରି ସିଗାରେଟ୍‌କୁ ଦୂରକୁ ଫୋପାଡ଼ି ଦେଲା।
-ଯାହା ଜଣାପଡ଼ୁଛି ଆଜି ଘରେ ବଣ୍ଟି ଖୁବ୍‌ ମାଡ଼ ଖାଇଛି…।’ ସଭିଏଁ ଖିଲ୍‌ ଖିଲ୍‌ କରି ହସି ଉଠିଲେ।
‘ଜଣେ ମନ୍ତ୍ରୀ ଭ୍ରଷ୍ଟାଚାର ଅଭିଯୋଗରେ ଗିରଫ’, ‘କଳା ବଜାରୀ ନେହିଁ ଚଲେଗି’… ‘ରାଜୀବ ଗାନ୍ଧୀଙ୍କ ବିବୃତି’- ଖବରକାଗଜ ହକର୍‌ ଚିତ୍କାର କରୁଥାଏ।
‘କାହିଁ କୁଆଡ଼େ ଡାଡିଙ୍କୁ କେହି ଗିରଫ ନକରୁ…।’ ବଣ୍ଟି ବିବ୍ରତ ଭାବରେ ଠିଆ ହୋଇଥିଲା।
-ରତନ, ତୋ ମମ୍ମି ତ ଆଜି କ’ଣ ଗୋଟେ ଫିଆଟ୍‌ କାର୍‌ରେ ଯାଉଛନ୍ତି।’ ଦୀପୁ ସାମ୍ନାରେ ଅତିକ୍ରମ କରି ଯାଉଥିବା କାର୍‌କୁ ଚାହିଁ କହିଲା।
-ତୁ ମଧ୍ୟ ନିଜ ମମ୍ମି ସାଙ୍ଗରେ ଚାଲିଯା।’
-ସିଏ ମୋ ମମ୍ମିଙ୍କ ବସ୍‌। କେବଳ ମମ୍ମିକୁ ଲିଫ୍ଟ୍‌ ଦିଅନ୍ତି…’ ରତନ ସିଗାରେଟ୍‌ର ଧୂଆଁ ନାକ ବାଟେ ଛାଡ଼ୁ ଛାଡ଼ୁ କହିଲା।
-ତୋ’ ମମ୍ମିଙ୍କ ବସ୍‌?’ ଚମକି ପଡ଼ିଲା ପରି ପଚାରିଲା, ‘ତୋ ଡାଡି ମଧ୍ୟ ତାଙ୍କୁ ଦେଖିଲେ ଈର୍ଷାରେ ଜଳୁଥିବେ, ନୁହେଁ?’
-ଧୂତ୍‌, ଡାଡି କାହିଁକି ଈର୍ଷାରେ ଜଳିବେ? ସିଏ ତ’ ମମ୍ମିକୁ ପ୍ରମୋଶନ୍‌ ଦେଇଛନ୍ତି। ଡାଡି ତ’ ପ୍ରତିଦିନ ତାଙ୍କ ଘରକୁ ଯାଆନ୍ତି।’
-ମୋ ଡାଡିଙ୍କୁ କ’ଣ ହୋଇଛି କେଜାଣି, ଯଦି ସିଏ ସେ ମମ୍ମିଙ୍କ କଥା ମାନି ନିଅନ୍ତେ, ତେବେ ଆଜି ତ ତାଙ୍କ ଫାଇଲ୍‌ ଉପରୁ ଆସି ଯାଆନ୍ତା।’
-ଗୋଟେ ପଚାଶ ପଇସା ବାହାର କଲୁ। ଆଇସ୍‌କ୍ରିମ୍‌ କିଣିବା। ଫିପ୍ଟି-ଫିପ୍ଟି…।’ ଜାଭେଦ୍‌ ତା’ର ପକେଟ୍‌ ଅଣ୍ଡାଳିବାକୁ ଲାଗିଲା।
-ମୋ ପାଖରେ ନାହିଁ… ।’ ବଣ୍ଟି ତା’ ହାତ ଛିଞ୍ଚାଡ଼ି ଦେଲା।
-ମମ୍ମି ତ ଏବେ ମୋତେ ହେପି ସ୍କୁଲରେ ଆଡ଼ମିଶନ୍‌ କରେଇବ। ଦଶ ହଜାର ଡୋନେଶନ୍‌ ଦେବ’, ରତନ ତତ୍ପରତାର ସହିତ ବଖାଣୁ ଥିଲା।
-ବାପ୍‌ରେ, ତୋ ଡାଡିଙ୍କ ପାଖକୁ ଏତେ ପଇସା କୋଉଠୁ ଆସିଲା?’

-ବିଜିନେସ୍‌, ବିଜିନେସ୍‌ !’ ରତନ ବେଶ୍‌ ଅପୂର୍ବ ଠାଣିରେ ବେଞ୍ଚ୍‌ ଉପରେ ବସିଥିଲା ଓ ସିଗାରେଟ୍‌ର ଧୂଆଁ ଟାଣୁଥିଲା, ‘ଲୋକଙ୍କ ବଡ଼ ବଡ଼ ଟେଣ୍ଡର ହୁଏ କି ନା, ସେସବୁ କେବଳ ଟିକେ ତଳ ଉପର କରିବାକୁ ହୁଏ। ଦିନେ ଡାଡି ମମ୍ମିକୁ କହୁଥିଲେ ଟେଣ୍ଡର କ’ଣ? ସେସବୁ ତଳ ଉପର କେମିତି, କାହିଁକି କରାଯାଏ?’ ବଣ୍ଟି ରତନ ପାଖେ ଯାଇ ବସିଲା।

-ଜାଣେନା, ଡାଡି ଯାହା କହୁଥିଲେ।’ ରତନ ଠିକ୍‌ ତା’ର ଡାଡିଙ୍କ ଠାଣିରେ ସିଗାରେଟ୍‌ରୁ ପାଉଁଶ ଝାଡ଼ିଲା ଓ ପୁଣି ଶେଷ ଟାଣ ଦେଇ ଖଣ୍ଡିଆ ସିଗାରେଟ୍‌ଟା ଦୂରକୁ ଫୋପାଡ଼ି ଦେଲା- ‘ଆଚ୍ଛା… ସେ ଫାଇଲ୍‌ ସବୁକୁ ତଳ ଉପର, ଉପର ତଳ କରିବା ବିଜିନେସ୍‌, ନୁହେଁ।’ ବଣ୍ଟି ମୁଣ୍ଡ ହଲାଇଲା।

ବସ୍‌…. ବସ୍‌ ଆସିଗଲା। ସବୁପିଲା ବସ୍‌ ଆଡ଼କୁ ଦୌଡ଼ିବାରେ ଲାଗିଲେ। କଣ୍ଡକ୍ଟର୍‌ ତାକୁ ଅନ୍ୟମାନଙ୍କ ପରି ଭିତରକୁ ଟେକିନେଲା। କିଛି କ୍ଷଣ ପାଇଁ ସେମାନଙ୍କ ଭିତରେ ଠେଲାପେଲା। ତା’ପରେ ଅଲଗା ଅଲଗା ଜଣାପଡ଼ିଲେ। ବଣ୍ଟି କୌଣସିମତେ ଠେଲିପେଲି ହୋଇ ଝର୍କା ପାଖ ସିଟ୍‌ରେ ଯାଇ ବସିଲା। ଆଜି ତା’ର ସେଇଠି ବସିବା ପାଳି। କିନ୍ତୁ ନବମ ଶ୍ରେଣୀ ପଢ଼ୁଥିବା ଆସ୍‌ଲମ୍‌ ଆସିଲା ଓ ତା’ର ବାହୁକୁ ଟାଣି ତାକୁ ଉଠାଇଲା। ଆସ୍‌ଲମ୍‌ ସ୍କୁଲର ଦାଦା। ତାକୁ ସବୁପିଲା ଡରନ୍ତି।

-ହଟ୍‌ବେ… ।’ ସେ ବଣ୍ଟିକୁ ସିଟ୍‌ରୁ ଟେକି ତଳେ କଚାଡ଼ି ଦେଲା।
-ଉଠିବିନି। ଏଇଟା ମୋ ଜାଗା।’ ବଣ୍ଟି ବସ୍‌ର ଝରକାକୁ ଭିଡ଼ିଧରି ଚିତ୍କାର କଲା।
-ଶଃ, ତୋ ବାବାର ଜାଗା ହୋଇଥିବ ନା!’ ଆସ୍‌ଲମ୍‌ ଧକ୍କାଟିଏ ମାରି ବଣ୍ଟିର ସିଟ୍‌ରେ ବସିଗଲା।
-ଶଳା, ମୋ ବାପାର ନାଁ ଧରୁଛୁ, ତୋ ମାଆକୁ…’ ବଣ୍ଟି ରାଗ ଜରଜର ହୋଇ ତାକୁ ନଖରେ ରାମ୍ପୁଡ଼ିବାକୁ ଲାଗିଲା। ଜବାବରେ ଆସ୍‌ଲମ୍‌ର ଶକ୍ତ ଚଟକଣା ବଣ୍ଟିର ଗାଲରେ ବାଜିଲା। ଶକ୍ତ ଚାପୁଡ଼ା ମାଡ଼ରେ ବଣ୍ଟିର ଦାନ୍ତରୁ ରକ୍ତ ବାହାରିଲା। ଏତିକିବେଳେ କଣ୍ଡକ୍ଟର ଆସି ପହଞ୍ଚିଲା। ସେ ବଣ୍ଟିର ମୁଣ୍ଡରେ ଠଣାଟିଏ ମାରିଲା ଓ ଆସ୍‌ଲମ୍‌କୁ ତାଗିଦ୍‌ କଲା।
-ଏବେ ଯାଇ ତୋ ନାଁରେ ପ୍ରିନ୍‌ସିପାଲ୍‌ଙ୍କ ପାଖରେ ଅଭିଯୋଗ କରିବି। ତୋ ମାଆକୁ… ତୋ’ ଭଉଣୀକୁ… ।’ ବଣ୍ଟି ଆସ୍‌ଲାମ୍‌ ଉପରକୁ ଅଭିସମ୍ପାତ ବର୍ଷା କରୁଥିଲା।
-ଏଥର ତୁ ତୁନିପଡ଼ ବଣ୍ଟି। ତୋ ମୁହଁରୁ ରକ୍ତ ବାହାରୁଛି।’ ରତନ ନିଜ ସିଟ୍‌ରୁ ଉଠିଆସି ବଣ୍ଟି ପାଖକୁ ଗଲା ଓ ନିଜ ଖାତାରୁ ପୃଷ୍ଠାଟିଏ ଚିରି ବଣ୍ଟିର ରକ୍ତାକ୍ତ ମୁହଁକୁ ସଫାକଲା।
-ବଣ୍ଟି, ଏଥର ତୁ ମଧ୍ୟ ଏ ସ୍କୁଲରୁ ବାହାରିଯାଆ। ଆମେ ଦୁହେଁ ହେପି ସ୍କୁଲରେ ଦାଖଲ ହୋଇଯିବା।’
-‘କିନ୍ତୁ ଦଶ ହଜାର ଟଙ୍କା କୁଆଡ଼ୁ ଆସିବ? ଯଦି ଆଜି ଉପରୁ ଫାଇଲ୍‌ ନଆସେ ତେବେ ଡାଡିଙ୍କ ମୃତ୍ୟୁ ନିଶ୍ଚିତ।’ ବଣ୍ଟି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା।
-‘କ’ଣ ବେଶୀ କଷ୍ଟ ହେଉଛି କି ରେ?’

ଲଞ୍ଚ୍‌ ଟାଇମ୍‌ରେ ବଣ୍ଟି ପାଖରେ ଆଜି ଟିଫିନ୍‌ ନଥିଲା। ତେଣୁ ସେ ରତନ ସହିତ ସ୍କୁଲ ପଛପଟ ଗଛମୂଳେ ଯାଇ ବସିଲା ଓ ଦୁହେଁ ରତନର ଟିଫିନ୍‌ରୁ ଆମ୍‌ଲେଟ୍‌ ଓ ରୁଟି ବାହାର କରି ଖାଇଲେ।

-ବଣ୍ଟି ତୁ ତ’ ଖୁବ୍‌ ରାଗିଯାଉ। କିନ୍ତୁ ତୁ ତ’ ସବୁବେଳେ ବେଶ୍‌ ଶାନ୍ତଶିଷ୍ଟ। ଆସ୍‌ଲମ୍‌ର ନାକକୁ ତୁ ଯଦି ଗୋଟେ କରାଟା କରିଥାଆନ୍ତୁ ନା ଦେଖିଥାଆନ୍ତୁ…।’ ରତନ ରୁଟି ଛାଡ଼ି କରାଟେ ହାତ ପନବନରେ ଘୁରାଇବାକୁ ଲାଗିଲା।
-ଯେତେହେଲେ ମୁଁ ପ୍ରି-ମେଚ୍ୟୋର ନା, ତେଣୁ !’ ବଣ୍ଟି ବଡ଼ ଉଦାସ କଣ୍ଠରେ କହିଲା।
-ଆରେ, କାହିଁକି’, ରତନ ଯେମିତି ଆଶ୍ଚର୍ଯ୍ୟରେ ପଚାରିଲା। ସତେ ଯେମିତି ସେ ପ୍ରି-ମେଚ୍ୟୋରର ଅର୍ଥ ବେଶ୍‌ ଭଲଭାବେ ଜାଣେ।
-ମୁଁ କି ଜାଣେ, ମମ୍ମି ତ କହେ, ମୁଁ ଯେତେବେଳେ ଜନ୍ମ ହେଲି ଦି’ମାସ ଯାଏ ହସ୍ପିଟାଲ୍‌ର ଗୋଟେ ଖାସ୍‌ ମେସିନ୍‌ ଭିତରେ ମତେ ରଖାଯାଇଥିଲା।’
-ଆହା, ଚ-ଚ-ଚ-ଚ।’… ରତନ ଯେମିତି ସମବେଦନା ସହ ତାକୁ ଅପଲକ ନେତ୍ରରେ ଚାହିଁ ରହିଲା- ‘ଏସବୁ ତୋର ମମ୍ମିର ଭୁଲ୍‌। ମୁଁ ଗୋଟେ ମାଗାଜିନ୍‌ରେ ପଢ଼ୁଥିଲି, ଯେଉଁ ପିଲା ଜନ୍ମରୁ ରୋଗିଣା- ସେଇଥିପାଇଁ ତା ମା’ ଦାୟୀ, ତା’ ମାଆର ଦୋଷ।’
-ସତରେ !’ ବଣ୍ଟି ବଡ଼ ଉତ୍କଣ୍ଠାର ସହିତ ତା’ର ମନ୍ତବ୍ୟ ଶୁଣୁଥିଲା ଓ ଭାବୁଥିଲା ତେବେ ମମ୍ମି ପ୍ରତିଟି ମୁହୂର୍ତ୍ତରେ ମୋ ଉପରେ ଏମିତି ଚିଡ଼ୁଛି କାହିଁକି? ମୁଁ ବି ଏତେ ପ୍ରତି କଥାରେ ରାଗିଯାଉଛି, ସମସ୍ତଙ୍କ ସହିତ ଝଗଡ଼ା କରୁଛି କାହିଁକି?’

ଅଚାନକ ରତନ ମନେ ମନେ କ’ଣ ଭାବିଲା କେଜାଣି ହଠାତ୍‌ ହସିଲା। ସେ ବଣ୍ଟିକୁ ଏକଦୃଷ୍ଟିରେ ଚାହିଁ ପଚାରିଲା।- ‘ଆରେ ତୁ ଟେଷ୍ଟ-ଟିଉବ୍‌ ବେବି ନୁହଁ ତ?’

ରତନ ବଣ୍ଟିଠୁ କେବଳ ଦୁଇବର୍ଷ ବଡ଼। କିନ୍ତୁ ସେ ଦୁନିଆର ସବୁକଥା, ସବୁ ଚାଲ୍‌ ଜାଣେ। ଆଉ ସରଳ ବଣ୍ଟି ଆଗରେ ପ୍ରତିଦିନ ନୂଆ ନୂଆ ଭେଦ ସବୁ ଖୋଲି ବସେ।

-ଟେଷ୍ଟ-ଟିଉବ୍‌ ବେବି…’ ବଣ୍ଟି ବିବ୍ରତ ଓ ଚିନ୍ତିତ ଭାବରେ ପ୍ରଶ୍ନ କଲା, ‘ଏଇଟା ପୁଣି କ’ଣ?

-ଏମିତି…।’ ରତନ ତା’ର ମୁଣ୍ଡକୁ ଆଉଁସି ଦେଲା ଓ ନଳପାଖକୁ ପାଣି ପିଇବାକୁ ଦୌଡ଼ିଗଲା।
ସନ୍ଧ୍ୟାରେ ବଣ୍ଟି ଘରକୁ ଫେରିଲା। ଖୁବ୍‌ କ୍ଳାନ୍ତ ବିଷର୍ଣ୍ଣ ଦେଖାଯାଉଥିଲେ ସୁଦ୍ଧା ସେ ଆଶ୍ଚର୍ଯ୍ୟ ହେଲା ଯେ ଡାଡି ତାଙ୍କ କୋଠରୀରେ ଟେବୁଲ୍‌ ସାମ୍ନାରେ ବିୟର ଗ୍ଲାସ୍‌ ଧରି ବସିଛନ୍ତି।
-ସବ୍‌ବୀ କୁଆଡ଼େ ଚାଲିଗଲା, ଖାଇଲା ନାହିଁ କାହିଁକି?’ ମମ୍ମି କ୍ରୋଧରେ ଚିତ୍କାର କରୁଥିଲେ।
ଏତିକିବେଳେ ସବ୍‌ବୀ ପୁଡ଼ିଆଟିଏ ଧରି ଧଇଁ ସଇଁ ହୋଇ ଭିତରକୁ ଆସିଲା। ଆମ ଘର ସାମ୍ନାରେ ଥିବା ମଇଳା ଗଦା ଉପରେ କିଏ ଜଣେ କଅଁଳା ଛୁଆଟିଏ ଫୋପାଡ଼ି ଯାଇଛି। ସେ ଦେଖିବାକୁ ବାହାରକୁ ଚାଲିଯାଇଛି।

ସବ୍‌ବୀ ବାହାରେ ବିସ୍ମୟକାରୀ ଖବରରେ ଲୁଣ ମରିଚ ଲଗାଇ ଶୁଣାଇବାରେ ବେଶ୍‌ ପାରଙ୍ଗମ।
-ସତରେ’, ମମ୍ମି ଆଶ୍ଚର୍ଯ୍ୟରେ କହିଲେ।
-ସବ୍‌ବୀ, ଛୁଆଟିକୁ କିଏ କାହିଁକି ଫୋପାଡ଼ି ଦେଇଛି?’ ବଣ୍ଟି ବିସ୍ମୟ, ଉତ୍କଣ୍ଠାର ସହ ପଚାରିଲା।
-ମୁଁ ଜାଣିନି କେମିତି?’ ସବ୍‌ବୀ ଡାଲିର ପ୍ଲେଟ୍‌ଟା ମେଜ ଉପରେ ଥୋଇ ହାତ ପୋଛିଲା।
-ଛୁଆଟି ତା’ ମାଆ ପାଇଁ ଅନାବଶ୍ୟକ ହୋଇଥାଇପାରେ। ଶାଳୀ, ଅଳିଆ ଗଦାରେ ଫୋପାଡ଼ି ଯାଇଛି ସନ୍ତାନକୁ।’
-ଆରେ, ପିଲାଟିକୁ ଏମିତି ଫୋପାଡ଼ିବା ଅପେକ୍ଷା ହସ୍ପିଟାଲ୍‌ର ଖାସ୍‌ ମେସିନ୍‌ରେ ରଖିଦେଇ ହୁଅନ୍ତାନି।’ ବଣ୍ଟି ଅନୁତପ୍ତ ଭରା କଣ୍ଠରେ କହିଲା।
-ସବ୍‌ବୀ, ତୁ ଏଠୁ ଗଲୁ। ଏସବୁ କଥା ପିଲାମାନଙ୍କ ଆଗରେ କାହିଁକି ବଖାଣୁଛୁ।’ ମମ୍ମି ରାଗିଗଲେ।
-ଦରଦାମ୍‌ ଖୁବ୍‌ ବଢ଼ିଗଲାଣି। ମାଂସ କିଲୋ ଶହେ ଟଙ୍କାରେ ପହଞ୍ଚିଲାଣି।’ ପ୍ରତିଦିନ ଖାଇବା ଟେବୁଲ୍‌ ଉପରେ ବଜାର ଦର ବଖାଣିବାକୁ ମମ୍ମିକୁ ବେଶ୍‌ ଭଲ ଲାଗେ।
-ମମ୍ମି, କାଲିଠୁ ମୁଁ ଆଉ ମାଂସ ଖାଇବି ନାହିଁ। ମତେ ଭଲ ଲାଗୁନି।’ ବଣ୍ଟି କହିଲା।
-ନାଇଁ, ତତେ ମାଂସ ଖାଇବାକୁ ପଡ଼ିବ। ତୁ କେତେ ଦୁର୍ବଳ…. ଦେଖୁନୁ।’….. ଚିଟ୍‌ଟି ଦିଦି କହିଲା।
-ମୁଁ ପ୍ରି-ମେଚ୍ୟୋର, ଏଇଥିପାଇଁ ତ!’ ବଣ୍ଟିର କଥାରେ ସମସ୍ତଙ୍କୁ ହସ ମାଡ଼ିଲା। ମମ୍ମି ମଧ୍ୟ ହସିବାକୁ ଲାଗିଲେ। ପୁଣି ହସୁ ହସୁ ସେ ଡାଡିଙ୍କୁ କହିଲେ- ‘ବଣ୍ଟି ଆଜିକାଲି ଦିନକୁ ଦିନ ଖୁବ୍‌ ଦୁର୍ବଳ ହୋଇଯାଉଛି। ତା’ର ପୁରା ଚେକ୍‌ଅପ କରିବାକୁ ଡାକ୍ତର କହୁଥିଲେ।’
-ହଁ, ଅତି କମ୍‌ରେ ତିନିଶହ ଟଙ୍କା ଖର୍ଚ୍ଚ ହେବ।’ ଡାଡି ମୁଣ୍ଡ କୁଣ୍ଡାଇବାକୁ ଲାଗିଲେ।
-ଆମର ଏଠି ଏମିତି ଅଚାନକ ଖର୍ଚ୍ଚ ବଢ଼ୁଛି। ପ୍ରତିମାସରେ ବଜେଟ୍‌ ବିଗିଡ଼ି ଯାଉଛି।’
-ତେବେ ତୁମେ ଦୁହେଁ ଫେମିଲ ପ୍ଲାନିଂ କାହିଁକି କରୁନାହଁ।’ ବଣ୍ଟିର ଏଭଳି ପ୍ରଶ୍ନରେ ମମ୍ମି ଓ ଡାଡି ହସିଉଠିଲେ ଓ ଅନ୍ୟମାନେ ମୁଣ୍ଡପୋତି ଖାଇବାରେ ଲାଗିଥିଲେ। ବଣ୍ଟି ଦେଖିଲା ଚିଟ୍‌ଟି ଦିଦି ରୁଟିକୁ ଖଣ୍ଡ ଖଣ୍ଡ କରି ଦାନ୍ତ ଚିପିଚିପି ହସୁଛି। ସମସ୍ତେ କାହିଁକି ହସୁଛନ୍ତି-ବଣ୍ଟି ସେକଥା ବୁଝିପାରୁ ନଥିଲା। ସେତ ଅନେକ ଜାଗାରେ ଲାଗିଥିବା ବୋର୍ଡ଼ ସବୁ ପଢ଼ି ଆସୁଛି, ଯେଉଁମାନେ ଫେମିଲି ପ୍ଲାନିଂ କରନ୍ତି, ସେମାନଙ୍କ ପରିବାର ସୁଖୀ ପରିବାର।
ଦିନେ ସନ୍ଧ୍ୟାରେ ବବ୍‌ଲୁ ଓ ସବ୍‌ବୀ ସହିତ ବସି ସେ ହୋମ୍‌ୱାର୍କ କରୁଥିଲା ବେଳେ ହଠାତ୍‌ ଗୋଟେ କଥା ତା’ର ମନେ ପଡ଼ିଗଲା- ‘ମମ୍ମି, ଟେଷ୍ଟ ଟିଉବ୍‌ ବେବିଟା କ’ଣ?

ମମ୍ମି ତାକୁ ଯେମିତି କ୍ରୋଧ ଜର୍ଜରିତ ଦୃଷ୍ଟିରେ ଚାହିଁଲେ ଭୟରେ ସେ ତଳକୁ ମୁଣ୍ଡ ପୋତିଦେଲା।
-କହ, ଏକଥା ତତେ କିଏ ଶିଖେଇଛି…’ ଏଥର ମମ୍ମିଙ୍କର ହାତର ପାପୁଲି ଭିତରକୁ ତା’ କାନ ଆସିଯାଇଥିଲା।
-ସେଇ ଯେଉଁ ରତନ… ସିଏ… ସିଏ…।’ ବଣ୍ଟି କାନ୍ଦିବାକୁ ଲାଗିଲା।
-ଛତରା ଟୋକା, ଏଥର ୟା’କୁ ସେଇ ସ୍କୁଲରୁ ବାହାର କରିବାକୁ ପଡ଼ିବ…।’ ମମ୍ମି ଚେୟାର ଉପରେ ବସି ଗୁଣୁଗୁଣୁ ହେଲେ।
ଏଥିରେ ଛତରା ପଣିଆ ରହିଲା କେଉଁଠି? କେଉଁ ପିଲା ପ୍ରି-ମେଚ୍ୟୋର ହୋଇପାରେ, କିଏ ଟେଷ୍ଟ ଟିଉବ୍‌ ବେବି…? ଏଇ ମମ୍ମି ଆଉ ଡାଡିଙ୍କୁ ସେ ଆଜି ପର୍ଯ୍ୟନ୍ତ ବୁଝିପାରିଲା ନାହିଁ।
ଏତେ ଚିନ୍ତାର ବୋଝ ଯେତେବେଳେ ମୁଣ୍ଡ ଭିତରେ ଅଜାଡ଼ି ହୋଇ ପଡ଼ିଛି ତେବେ ନିଦ ଆସିବ କୁଆଡ଼ୁ?

ପ୍ରତିଦିନ ରାତିରେ ବଣ୍ଟିର ଦେହକୁ ଜ୍ବର ଆସେ। କିନ୍ତୁ ସେ ଏକଥା କାହାକୁ ଜଣାଏ ନାହିଁ। ଡାଡିଙ୍କ ପାଖରେ ଚେକ୍‌ଅପ୍‌ ପାଇଁ ପଇସା ନାହିଁ। ମମ୍ମିଙ୍କ ବସ୍‌ ବଦମାସ୍‌। ଆସ୍‌ଲମ୍‌ ସ୍କୁଲ୍‌ରେ ପ୍ରତିଦିନ ପିଟୁଛି। ହେପି ସ୍କୁଲ ବାଲାଏ ଦଶ ହଜାର ଟଙ୍କା ଡୋନେସନ୍‌ ମାଗୁଛନ୍ତି।

ସାରା ରାତି ଅନିଦ୍ରାରେ ଛଟପଟ, କ୍ଲାନ୍ତ ମନ ନେଇ ସେ ସକାଳେ ଜଳଖିଆ ଖାଇବା ପାଇଁ ଡାଇନିଙ୍ଗ୍‌ ଟେବୁଲ୍‌ ପାଖେ ବସିଥିଲା ବେଳେ ଡାଡି ଖବର କାଗଜରୁ ସମ୍ବାଦ ଶୁଣାଇବାକୁ ଲାଗିଲେ… ‘ବେରୁଟ୍‌ର ଗୋଟେ ସ୍କୁଲ ଉପରେ ବୋମାମାଡ଼ ହୋଇଛି, ଦୁଇ ହଜାର ପିଲା ମରିଗଲେ।’

-ବୋମା କିଏ ଫୋପାଡ଼ିଲା, ଡାଡି? ବଣ୍ଟି ବ୍ୟସ୍ତ ବିବ୍ରତ ଭାବେ ପଚାରିଲା।
-ବେରୁଟ୍‌ର ଶତ୍ରୁମାନେ।’
-ଶତ୍ରୁମାନେ ?’…. ବଣ୍ଟି ଟେବୁଲ୍‌ ଉପରେ ମୁଣ୍ଡ ନଦି ଭାବିବାକୁ ଲାଗିଲା, ‘କେହି ଯଦି ଆମ ସ୍କୁଲ ଉପରକୁ ବୋମା ଫୋପାଡ଼ି ଦିଏ ତ?’

ଦିନେ ସ୍କୁଲରେ କ୍ଲାସ୍‌ ଚାଲିଥିବା ବେଳେ ଅଚାନକ ଗୋଟିଏ ଉଡ଼ାଜାହାଜ ଖୁବ୍‌ ତଳକୁ ଖସିଆସି ସ୍କୁଲର ଛାତ ଉପର ଦେଇ ଉଡ଼ିଗଲା। ବଣ୍ଟି ଦୁଇ ପାପୁଲିରେ ଦୁଇ କାନକୁ ଲୁଚାଇ ଖୁବ୍‌ ଜୋର୍‌ରେ ଚିତ୍କାର କଲା- ‘ନା, ନା।’
ସଂଜ୍ଞାହୀନ ଅଚେତ ବଣ୍ଟିକୁ ସ୍କୁଲର ଟିଚର ଉଠାଇ ଘରକୁ ଆଣିଲେ। ତା’ର ଯେତେବେଳେ ଚେତା ଫେରିଲା ସେତେବେଳେ ଶୁଣିଲା, ମମ୍ମି ଡାକ୍ତରଙ୍କୁ କହୁଥାଆନ୍ତି, ‘ଏଇଟା ପ୍ରି-ମେଚ୍ୟୋର, ଡାକ୍ତର, ତେଣୁ ନିହାତି ଦୁର୍ବଳ।’
-କାହିଁକି? କ’ଣ କାରଣ ଥିଲା?’ ଡାକ୍ତର ପଚାରୁଥିଲେ।
-ମୁଁ ଆଉ ଛୁଆ ଚାହୁଁ ନଥିଲି…।’ ମମ୍ମି ରହିରହି ଡାକ୍ତରଙ୍କୁ କହୁଥିଲେ।
-ଗର୍ଭପାତ ପାଇଁ ମୁଁ ବହୁତ ଔଷଧ ଖାଇଲି। ସେତେବେଳେ ତ’ କିଛି ହେଲା ନାହିଁ କିନ୍ତୁ ଏହି ପ୍ରି-ମେଚ୍ୟୋର ଛୁଆଟା ଜନ୍ମ ହେଲା। ଦି’ମାସ ଯାଏ ୟା’କୁ ତ ହସ୍ପିଟାଲର ମେସିନ୍‌ ଭିତରେ ରଖିବାକୁ ପଡ଼ିଲା।’

ବଣ୍ଟି ମନେ ମନେ ଭାବୁଥିଲା-ତେବେ କଥାଟା ଅଛି ଏଇଠି। ମୋର ଜନ୍ମ ହେବାଟା ମମ୍ମି ଚାହୁଁ ନଥିଲେ। ତେଣୁ ସେ ମତେ ଗର୍ଭରେ ଥିଲାବେଳେ ହିଁ ମାରିଦେବାକୁ ଔଷଧ ଖାଉଥିଲେ ଆଉ ରାସ୍ତାର ମଇଳା ଡଷ୍ଟବିନ୍‌ ଭିତରକୁ ଫୋପାଡ଼ି ଦେବା ବଦଳରେ ହସ୍ପିଟାଲ୍‌ର ସେଇ ଖାସ୍‌ ମେସିନ୍‌ ଭିତରେ ରଖି ଘରକୁ ଚାଲି ଆସିଥିଲେ। ଏଇ ସଂସାରକୁ ତାହା ହେଲେ ମୁଁ ଅନିମନ୍ତ୍ରିତ! ମମ୍ମି ପାଇଁ ଅବାଞ୍ଛିତ!’

ବଣ୍ଟି ମୁଦା ଆଖି ଖୋଲି କେମିତି ଏକ କୁଣ୍ଠିତ ଚାହାଣୀରେ ମମ୍ମିଙ୍କୁ ଅନାଇଲା।

-ଏଥର ତୋ ଦେହ ଠିକ୍‌ ହୋଇ ଗଲାଣିରେ ବାବା…।’ ମମ୍ମି ତାକୁ ଗେହ୍ଲା କରିବାକୁ ଆଗେଇ ଆସିଲେ।
-ହଟିଯାଅ ମୋ ପାଖରୁ, ମତେ ଗେହ୍ଲା କରିବା ଦରକାର ନାହିଁ। କୌଣସି ମଇଳା ଡ୍ରେନ୍‌ ଭିତରକୁ ମତେ ଫୋପାଡ଼ି ଦିଅ!’ ବଣ୍ଟି କଡ଼ ନେଉଟାଇ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା।
-ଆପଣ ନିଜେ ଦେଖିଲେ ତ’ ଡାକ୍ତର ସାହେବ…।’ ମମ୍ମି ଡାକ୍ତରଙ୍କ ଉଦ୍ଦେଶ୍ୟରେ କହିଲେ- ‘ଇଏ ପ୍ରତିଟି ମୁହୂର୍ତ୍ତରେ ଏମିତି ଜିଦ୍‌ଖୋର ଆଉ କ୍ରୋଧଜର୍ଜର। ଓଲଟା ସିଧା କଥା ସବୁ କହୁଛି।’

-ହୁଁ, ହୁଏତ ଆପଣ ସମୟ ପୂର୍ବରୁ ୟା’କୁ ଇନ୍‌କ୍ୟୁବେଟରରୁ ବାହାର କରି ଆଣିଛନ୍ତି। ସେଇଥିପାଇଁ ଆବ୍‌ନର୍ମାଲ ହୋଇ ଯାଇଛି…।’ ଡାକ୍ତର ଧୀର କଣ୍ଠରେ କହୁଥିଲେ।

-କାଲି ପୁଣି ହିନ୍ଦୁ ମୁସଲିମ୍‌ ଦଙ୍ଗା ହୋଇଗଲା। ସାତ ଜଣଙ୍କ ପ୍ରାଣହାନୀ ଘଟିଛି…।’ ଡାଡି ଜଳଖିଆ ଟେବୁଲ୍‌ ଆଡ଼କୁ ଅଗ୍ରସର ହେଲାବେଳେ ଖବର କାଗଜରେ ହେଡ଼୍‌ ଲାଇନ୍‌ ପଡ଼ୁଥିଲେ।
-ସରକାର ଏଇସବୁ ଗୁଣ୍ଡାମାନଙ୍କୁ ଦମନ କରୁନାହାନ୍ତି କାହିଁକି?’ ମମ୍ମି ଖୁବ୍‌ ଜୋର୍‌ରେ ଆଳୁ ଚୋବାଉଥିଲେ, ଯେମିତି ଗୁଣ୍ଡାମାନଙ୍କୁ ଦାନ୍ତରେ ଚକଟି ଦେଉଛନ୍ତି।
-ଡାଡି, ଏଇ ଯେଇଁମାନେ ଲଢ଼େଇ ଝଗଡ଼ା କରୁଛନ୍ତି, ସେଇ ଗୁଣ୍ଡା ସବୁ କିଏ?’ ବଣ୍ଟି ଚିନ୍ତିତ, ବିବ୍ରତ କଣ୍ଠରେ ପଚାରିଲା।
-ପୁଅରେ, ଏମାନେ ସବୁ ପାଗଳ, ଆବ୍‌ନର୍ମାଲ୍‌ ଲୋକ… । ଏଇ ଧରଣର ଲୋକସବୁ ଦଙ୍ଗା, ଗଣ୍ଡଗୋଳ, ଝଗଡ଼ା ଆଦି କରନ୍ତି।’ ଡାଡି ତାକୁ ବୁଝାଉଥିଲେ।