ସକାଳୁ ଝୁମ୍ପୁଡ଼ି ଭିତରୁ ଅଖାଟାକୁ ଆଡ଼େଇ ବାହାରକୁ ଆସି ମୁଣ୍ଡଉପର ଆକାଶକୁ ଚାହିଁଲା ଝିଅଟି। ମେଘର ଚିହ୍ନ ବର୍ଣ୍ଣ ନାହିଁ। ଏକଦମ୍‌ ସଫା ଆକାଶ। ଭିତରେ ଛିଣ୍ଡା କତରାରେ ପଡ଼ି ରୋଗୀଣା ମା’ ତା’ର ମନା କରୁଥିଲା ଏକା ଯିବାକୁ, ମାନିଲାନି ତା’ କଥା, ବାହାରି ଆସିଲା। ଦଶ ପାଞ୍ଚ ଯାହା ତ ହେଲେ ମିଳିଯିବ। ଘରେ ବସି କରିବ କ’ଣ?

ବର୍ଷାଟା ଏମିତି ହଠାତ୍‌ ବର୍ଷିଯିବ ବୋଲି ତ ଆଦୌ ଜାଣି ନ ଥିଲା ଝିଅଟି। କ’ଣ କରିବ ଭାବୁ ଭାବୁ ବ୍ୟସ୍ତହୋଇ ସାମ୍‌ନା ଘର ଗେଟ୍‌ଖୋଲି ପୋର୍ଟିକୋକୁ ପଶିଗଲା। ବଡ଼ ଗାଡ଼ି, ଗାଡ଼ି କଡ଼ରେ ଛୋଟ ସୁନ୍ଦର ଧଳା ଭାଲୁଆ ଗୁଲୁଗୁଲିଆ କୁକୁରଟେ ବନ୍ଧା। ଜାକିଜୁକି, ଡରିମରି ଠିଆ ହୋଇଥାଏ ଝିଅଟି ସାଙ୍କୁଡ଼ି ହୋଇ ଗୋଟିଏ କଣକୁ। ପୁରୁଣା ପତଳା ଲୁଗାଟା ଭିତରୁ ସ୍ପଷ୍ଟ ଫୁଟି ଉଠୁଛି ତା’ ଦେହର ଉଚ୍ଚା ନୀଚା, ଅଙ୍କାବଙ୍କା ଭୂଗୋଳ। ଓଦା ଲୁଗାକୁ ଚିପୁଡ଼ି ଦେହରେ ଭଲ କରି ଗୋଡ଼େଇବାର ଅସଫଳ ପ୍ରୟାସ କରୁଥାଏ ସେ। ମୁହଁରେ ବର୍ଷାର ଟୋପା ଟୋପା ପାଣି ସଜଫୁଟା ଫୁଲ ଉପରେ ସକାଳ କାକରର ଭ୍ରମ ସୃଷ୍ଟି କରୁଥିଲା। ଆଲୁରା ଅସଜଡ଼ା ମୁହଁ ଉପରକୁ ଝୁଲି ପଡ଼ିଥିବା ଚୂର୍ଣ୍ଣ କୁନ୍ତଳରେ ଲାଗିଥିବା ବିନ୍ଦୁ ବିନ୍ଦୁ ବର୍ଷା ରୂପା ଚୁମ୍‌କି ପରି ଦିଶୁଥିଲା। ଭିକାରୁଣୀ ଦେହରେ ବି ଏତେ ସୌନ୍ଦର୍ଯ୍ୟ। ସେ ସୌନ୍ଦର୍ଯ୍ୟ ଗରିବ ପାଇଁ ତ ଅଭିଶାପ।

ଦୋ’ ମହଲା ଘରର ତଳୁ ପକୁଡ଼ି ଆଉ ଚା’ ବାସ୍ନା ରହି ରହି ଆସୁଥିଲା। ଉପର ମହଲାରୁ କିଛି କାଚ ବୋତଲ, ଗିଲାସର ଟୁଂ ଟାଂ ଶବ୍ଦ ସାଙ୍ଗେ ବେଳେବେଳେ ହୋ ହୋ, ତ ବେଳେବେଳେ ଖିଲ୍‌ଖିଲ୍‌ ହସର ଆୱାଜ୍‌ ବର୍ଷାର ଝୁମ୍‌ଝୁମ୍‌ ସ୍ବର ସହିତ କାନରେ ବାଜୁଥିଲା ଝିଅଟିର। ମଝିରେ ମଝିରେ କଷା ମାଂସର ବାସ୍ନା ତା’ର ପେଟର ଭୋକକୁ ଜିଭ ପର୍ଯ୍ୟନ୍ତ ଓଟାରି ଆଣୁଥିଲା।

ଘରର ଚାକର ଗୋଟେ ପ୍ଲେଟ୍‌ରେ ପାଞ୍ଚ/ସାତ ଖଣ୍ଡ ମାଂସ ଆଣି କୁକୁର ମୁହଁ ପାଖରେ ଥୋଇଦେଇଗଲା। ଗଲାବେଳେ ତା’ ଆଖିର ନିରବ ପ୍ରଶ୍ନ ଉତ୍ତରେରେ ଝିଅଟି କହିଲା, “ବାବୁ ବର୍ଷା ଟିକେ କମିଗଲେ ଚାଲିଯିବି।”

କୁକୁର ପ୍ଲେଟ୍‌ରେ ତଥାପି ରହିଯାଇଛି ଖଣ୍ଡେ ମାଂସ। ଆଉ ପେଟରେ ଜାଗା ନାହିଁ ନା ତା’ ଭୋକ ବୁଝିପାରି ଛାଡ଼ି ଦେଇଛି? ପେଟର ଭୋକ ଦାଉ ସାଙ୍ଗକୁ ପାଟିର ଲୋଭକୁ ଲଗାମ୍‌ ଦେଇ ପାରିଲାନି ସେ। ହାତଟା ଥାଳି ପାଖକୁ ନଉ ନଉ କୁକୁର ଛୁଆଟା ଭାଉ ଭାଉ କମ୍ପେଇଲା। ପାଟି ଶୁଣି ବାହାରକୁ ଆସିଲେ ଘର ମାଲିକ, ମାଲିକାଣୀ, ମାଲିକଙ୍କ ଯୁବା ପୁଅ, ତା’ରି ବୟସର ଝିଅଟେ ଆଉ ଚାକର। ମାଲିକଙ୍କ ହାତରେ ନାଲିପାଣିର ସୁନ୍ଦର ଗିଲାସ। ରଙ୍ଗୀନ ପାଣିରୁ ଢୋକେ ପିଇଦେଇ ଝିଅଟି ଉପରେ ନଜର ପକେଇ ଓଠରେ ଜିଭ ବୁଲେଇ ଆଣି କହିଲେ, “ଡେଟଲ୍‌ ସାବୁନ୍‌ରେ ଗାଧୋଇ ସଫାଲୁଗା ଖଣ୍ଡେ ପିନ୍ଧେଇ ଦେଲେ ଘର କାମକୁ ଚଳିଯିବ।”
ଯୁବା ପୁଅଟି ତା’ ହାତରେ ଥିବା ପ୍ଲେଟ୍‌ରୁ ପକୁଡ଼ି ଗଣ୍ଡାକ ଝିଅଟି ଆଞ୍ଜୁଳିରେ ଟେକି ଦଉ ଦଉ ଆଖି ପହଁରେଇ ଆଣୁଥିଲା ତା ଓଠ, ଓଠରୁ ଛାତି, ଛାତିରୁ ନାଭି ପୁଣି ତା’ ତଳକୁ…। ଚୁପ୍‌ ଚୁପ୍‌ କହୁଥିଲା ଖାଲି ଝିଅଟିକୁ ଶୁଭିବା ପରି, “ଯେତେବେଳେ ବର୍ଷା ହବ ସିଧା ଚାଲି ଆସିବୁ। ମୋ ଭାଗ ପକୁଡ଼ିତକ ଦେଇଦେବି ତତେ।”

ଘରର ଝିଅଟି କେତେଟା ପୁରୁଣା ଜାମାପଟା, ଗୋଟେ ପୁରୁଣା ରେନ୍‌କୋଟ୍‌ ଆଉ ଗୋଟେ ଛତା ପଲିଥିନ୍‌ ବ୍ୟାଗ୍‌ଟିରେ ଭର୍ତ୍ତିକରି ବଢେଇ ଦେଇଥିଲା ଝିଅଟି ହାତକୁ। କହିଲା, “ଏଇଟା ନେଇଯାଆ। ଏଣିକି ବର୍ଷାରେ ଆଉ ୟା’ ତା’ ଘର ଭିତରେ ପଶିବା ଦରକାର ପଡ଼ିବନି।” ମାଲିକାଣୀ ଅସନ୍ତୁଷ୍ଟ ଆଖିରେ ବିରକ୍ତି ମିଶା ସ୍ବରରେ କହିଲେ, “ଏଗୁଡ଼ାକ ଖାଲି ଏମାନଙ୍କର ବାହାନା। ଅସଲରେ ଓର ଉଣ୍ଡି ଏମିତି ବେଳରେ ବଡ଼ଲୋକଙ୍କ ଘର ଦେଖି ପଶିଯାଆନ୍ତି ମଣିଷଟେ କି ଜିନିଷଟେ ଚୋରେଇ ନବାକୁ। ଏଟାକୁ ଏଠୁ ଶୀଘ୍ର ବିଦା କର ଟଙ୍କେ ଦି’ଟଙ୍କା ଧରେଇ ଦେଇ।”

ସବା ଶେଷକୁ ଚାକରଟା କହିଲା, “ଆ ମୋ ସଙ୍ଗେ ଏଇ ପଛପଟକୁ। ବଖରାଏ ଅଛି। ଯଦି ଚାହିଁବୁ, ଏଇଠି ସବୁଦିନ ରହିପାରିବୁ ନିର୍ଭୟରେ। ତାଲା ପକେଇ ରଖିବି ସମସ୍ତଙ୍କଠୁ ଲୁଚେଇ। ଆଉ ବାହାରକୁ ଯିବା ଦରକାର ପଡ଼ିବନି କି ଛିଣ୍ଡା ପୁରୁଣା ପିନ୍ଧି ଭିକ ମାଗିବୁନି।” ଝିଅଟା ଯେମିତି ପଶି ଆସିଥିଲା ଗେଟ୍‌ଖୋଲି, ସେମିତି ବାହାରିଗଲା ନିରବରେ। ହାତରେ ଧରିଥିଲା ଖାଲି ଘରର ଝିଅଟି ଦେଇଥିବା ପଲିଥିନ୍‌ଟି। ବର୍ଷାର ଗତି ଆହୁରି ବଢ଼ି ଚାଲିଥିଲା, କିନ୍ତୁ ତା’ର ଖାତିର୍‌ ନଥିଲା ଆଉ ସେଥିକି। ଏ ଘରର ଛାତ ତଳ, ହତା ଭିତର ଅପେକ୍ଷା ରାସ୍ତା ଉପରର ବର୍ଷା ତା’ ପାଇଁ ବେଶି ନିରାପଦ ସ୍ଥାନ ସେ ଭାବୁଥିଲା ଚାଲୁ ଚାଲୁ।