ବୋଧହୁଏ ନଚିକେତାର ପିଇବାଟା ମାତ୍ରାତିରିକ୍ତ ହୋଇଯାଇଥିଲା। ସେଥିପାଇଁ ତା’ର ଲମ୍ବା ଲମ୍ବା ଗୋଡ଼ ଦୁଇଟା ତା’ମନ ସହ ଅସହଯୋଗ କରିବା ଆରମ୍ଭ କରିଦେଇଥିଲେ। ବାଧ୍ୟହୋଇ ଅନ୍ଧାରୁଆ ରେଷ୍ଟସେଡ଼୍‌ ଭିତରେ ବସି ପଡ଼ିଲା ନଚିକେତା।
ଧୀରେ ଧୀରେ ନିଶା ଚଢ଼ି ଆସୁଥିଲା। ଉତୁରି ଆସୁଥିଲା ମହାଜାଗତିକ ଭାବନା।
ଶଳା ମରିବ ତ ମରିବ, ଖାଇପିଇ ମରିବ। ମରିଗଲା ପରେ ସାପ ହେବ କି ବେଙ୍ଗ ହେବ (ମୃତ୍ୟୁପର ଅବସ୍ଥାର କ’ଣ କିଛି ଚାକ୍ଷୁସ ପ୍ରମାଣ ଅଛି?) ତାହା ଯଦି କେହି କହିପାରି ନାହାନ୍ତି, ତେବେ ଏତେଗୁଡ଼ିଏ ନୀତିନିୟମ ମାନି ନିଜ ଶରୀରକୁ, ନିଜ ମନକୁ କାହିଁକି କଷ୍ଟଦେବ ସ୍ବଳ୍ପାୟୁ ମଣିଷଟାଏ?
ଚାର୍ବାକ୍‌ ଥାଉ ଥାଉ କାହିଁକି ସେ ବୁଦ୍ଧଦେବ, ମହାବୀରଙ୍କୁ ଖାତିର କରିବ କିମ୍ବା ଶଙ୍କରାଚାର୍ଯ୍ୟଙ୍କର ମୋହମୁଦ୍‌ଗର ପଢ଼ିବ?

ନିଜ ଭିତରେ ଏତେ ପର୍ଯ୍ୟନ୍ତ ଶୋଇରହିଥିବା ଦାର୍ଶନିକକୁ ଉଠାଇବାର ସଫଳତାରେ ମନଖୋଲା ହସଟାଏ ହସିଲା ନଚିକେତା। କିନ୍ତୁ ପର ମୁହୂର୍ତ୍ତରେ ନିଜ ଉପରେ ଆଲୋକ ପଡ଼ିଗଲା ଭାବି ଶଙ୍କିଗଲା ସେ! ପ୍ରଥମ ପାପ କରୁଥିବା କିଶୋରୀ ପରି ନଚିକେତା ଚାରିଆଡ଼େ ଚାହିଁଲା।
ନା! କେହି ତା’ର ଉପସ୍ଥିତିକୁ ଆଙ୍ଗୁଠି ଦେଖାଇ ନାହାନ୍ତି।
ହାଃ ହାଃ!
ଦୀର୍ଘଶ୍ବାସଟିଏ ତା’ ହୃଦୟକୁ ରିକ୍ତ କରିଦେଇ ବାହାରି ଆସିଲା। ନା, ଏତେ ଜୋର୍‌ରେ ହସିବା ଭଲ ନୁହେଁ, କାଳେ କିଏ ଦେଖିଦେବ! ବରଂ ଚୁପ୍‌ଚାପ୍‌ ବସି ଛିଣ୍ଡି ଯାଇଥିବା ଚିନ୍ତାର ଜାଲକୁ ଯୋଡ଼ିବା ଶ୍ରେୟସ୍କର। ତଥାପି ନଚିକେତାର ଦୁଇଓଠର ଫାଙ୍କାରେ ଆଞ୍ଜୁଳା ଅହଙ୍କାର ହସର ଫୁଲ ହୋଇ ଫୁଟିଲା।
ଲୋକମାନେ ମରିବାକୁ ଏତେ ଡରନ୍ତି କାହିଁକି? କାହିଁକି ବା ବଞ୍ଚିବାକୁ ଏତେ ଭଲ ପାଆନ୍ତି?
ଦାନ୍ତଚିପି ନିଜକୁ ପୋଷ୍ଟମର୍ଟମ କରିବା ଆରମ୍ଭ କରିଦେଇଥିଲା ନଚିକେତା।
କାହିଁ ସେ’ତ କେବେହେଲେ ମରିବା ପାଇଁ ଡରିନାହିଁ! ବରଂ ମୃତ୍ୟୁର ପରିଚୟ ପାଇଁ ତା’ର ଏକାନ୍ତ ଜିଜ୍ଞାସା, ତା’କୁ ଅନନ୍ୟ କରି ରଖିଥିଲା ଅନ୍ୟମାନଙ୍କଠାରୁ।
ଯେଉଁ ବୟସରେ ସମସ୍ତେ ଅଣନିଃଶ୍ବାସୀ ହୋଇ ରୋମାଞ୍ଚ ପଛରେ ଦୌଡ଼ନ୍ତି, ଯେଉଁ ସମୟରେ ପ୍ରଜାପତି ଦେଖିଲେ ମନ ନାଚିଉଠେ ଧରିବାପାଇଁ, ସେହି ସମୟରେ ନଚିକେତା ଗୋଟିଏ କଙ୍କାଳ ଆଗରେ ବସି ଖୁଣ୍ଟି ନାଣ୍ଟି ଦେଖୁଥାଏ! ରହସ୍ୟ ଜାଣିବାକୁ ଚେଷ୍ଟା କରେ ସେଇ କଙ୍କାଳର।

ସେଇଥିପାଇଁ ଥରେ ସେ ତା’ର ମାମାଙ୍କୁ ପଚାରିଥିଲା-ମାମା ମଣିଷ ମଲେ କ’ଣ କଙ୍କାଳ ହୁଏ?
‘ହଁ!’ ନଚିକେତାର ଜିଜ୍ଞାସାକୁ ସାଧାରଣ ବାଳକର ପ୍ରଶ୍ନ ଭାବିଥିଲେ ମାମା! କିନ୍ତୁ ନଚିକେତାର ପରବର୍ତ୍ତୀ ପ୍ରଶ୍ନ ଚମକାଇ ଦେଇଥିଲା ତାଙ୍କୁ। (ଋଷି ବାଜଶ୍ରବା ମଧ୍ୟ ତ ଦିନେ ଚମକି ଯାଇଥିଲେ ନଚିକେତାର କଥାରେ।)
ମାମା, ମୁଁ କ’ଣ ମଲାପରେ କଙ୍କାଳ ହୋଇଯିବି?
ସେଇ ଅଶୁଭ ଶବ୍ଦଗୁଡ଼ିକୁ ହତ୍ୟା କରିବା ପାଇଁ ନଚିକେତାର ମାମା ଲୁହ ଛଳଛଳ ଆଖିରେ ନିଜ ପୁଅର ପାଟି ଉପରେ ନିଜ ହାତ ଚାପି ଧରିଥିଲେ।
(ମନୁଷ୍ୟ ମାତ୍ରେ ମରଣଶୀଳ। ତଥାପି ଏଇ ମାଆମାନେ କାହିଁକି ଯେ ଆଶା କରନ୍ତି ତାଙ୍କ ସନ୍ତାନମାନେ କାଳଜୟୀ ହୁଅନ୍ତୁ ବୋଲି, ସେଦିନ ତାହା ନଚିକେତା ବୁଝିପାରି ନଥିଲା।)

ସ୍ବପ୍ନର ଦ୍ବୀପକୁ ଯିବାପାଇଁ ଇନ୍ଦ୍ରଧନୁରେ ଚଢ଼ିବା ଦିନ ନଚିକେତା ସିଦ୍ଧାନ୍ତ ନେଇଥିଲା ଯେ ମୃତ୍ୟୁର ପରିଚୟ ଖୋଜିବା ପାଇଁ ଆଉ ଗୋଟିଏ ମହାବୀର କିମ୍ବା ବୁଦ୍ଧ ନହୋଇ ସେ ତା ନିଜସ୍ବ ରାସ୍ତା ଖୋଜି ବାହାର କରିବ। ସେଥିପାଇଁ ସେ ମୃତ୍ୟୁକୁ ଖୋଜିବା ଆରମ୍ଭ କରିଦେଇଥିଲା ବ୍ଲାକ୍‌ଡ଼ଗ୍‌, ରୟାଲ ସାଲ୍ୟୁଟର ପ୍ରତିଟି ଟୋପାରେ। ଜୁଲି, ପାମେଲା, ନୀଲାମାନଙ୍କର ଦେହର ପ୍ରତିଟି ବକ୍ରାଂଶରେ…ଆଉ ମାଣ୍ଡ୍ରେକ୍ସ, ହେରୋଇନ୍‌, ବ୍ରାଉନ୍‌ସୁଗାରର ପ୍ରତିଟି ଧୂଳି କଣାରେ…।

ନିଜ ସ୍ବାମୀର ସବୁ କାର୍ଯ୍ୟକଳାପକୁ ସୁକନ୍ୟା ଖାଲି ଆଖି ଖୋଲି ଦେଖୁଥିଲା, କିନ୍ତୁ ବୁଝି ପାରୁ ନ ଥିଲା, ଜାଣି ପାରୁ ନଥିଲା ଯେ ସେ କ’ଣ ଦେଖୁଛି। ଆଉ ଗୋଟିଏ ନଚିକେତାକୁ ନା ଏକ ଦୂରନ୍ତ ଝଡ଼କୁ। କିଏ ଜାଣେ ସେ ମୃତ୍ୟୁର ପରିଚୟ ପାଇବା ପୂର୍ବରୁ ନିଜ ପରିଚୟ ହଜାଇ ବସିବ?

ସେଥିପାଇଁ ସୁକନ୍ୟା ଆପତ୍ତି କରି ନ ଥିଲା। ହଁ, ଆପତ୍ତି କରିଥିଲା ସେଦିନ, ଯେଉଁଦିନ ନଚିକେତା ତା’କୁ ଛାଡ଼ପତ୍ର ଦେବାପାଇଁ ଚାହିଁଥିଲା। ସ୍ବାମୀକୁ ବୁଝାଇ…..
ସେ କହିଥିଲା ‘ଦେଖ ହିନ୍ଦୁ ଶାସ୍ତ୍ରାନୁସାରେ ପ୍ରତ୍ୟେକ ସ୍ବାମୀ ତା ସ୍ତ୍ରୀ ପାଇଁ ଖାଲି ଗୋଟିଏ ପୁରୁଷ ନୁହେଁ, ଗୋଟାଏ ପ୍ରତୀକ, ସ୍ନେହ ଆଉ ଶ୍ରଦ୍ଧାର। ସେଥିପାଇଁ ତ ପ୍ରତ୍ୟେକ ହିନ୍ଦୁ ସ୍ତ୍ରୀ, ତା ସ୍ବାମୀର ଚିରକାଳ ସାଥୀ, ହସରେ, କାନ୍ଦରେ, ଜୀବନରେ ତଥା ମରଣରେ।

ନିଜ ସ୍ତ୍ରୀର ଅନ୍ଧ ଆନୁଗତ୍ୟକୁ ଲକ୍ଷ୍ୟକରି ଯଦିଓ ଭିତରେ ଭିତରେ ଖୁବ୍‌ ଖୁସି ହୋଇଥିଲା ନଚିକେତା ତଥାପି ବାହାରକୁ ଗୋଟିଏ ଦାର୍ଶନିକର ନିର୍ଲିପ୍ତତା ଦେଖାଇ ସେ କହିଲା ‘ଦେଖ, ମୁଁ ଶାନ୍ତିରେ ମରିବାକୁ ଚାହେଁ।’

‘ଦେଖ ଯଦି ମରିବା…
ସୁକନ୍ୟାର କଥା ନଶୁଣି ଚିତ୍କାର କଲା ନଚିକେତା ଦେଖ, ତୁମେ ଯଦି ମୋତେ ସ୍ବାଭାବିକ ମୃତ୍ୟୁକୁ ଦେଖିବାର ସୁଯୋଗ ଦେବ ନାହିଁ ତେବେ ମୁଁ ନିଶ୍ଚୟ ଅସ୍ବାଭାବିକ ମୃତ୍ୟୁକୁ ଚାହିଁବି।’
ଡରିଗଲା ସୁକନ୍ୟା। କାରଣ ସେ ନିଜ ସ୍ବାମୀର ପ୍ରତିଟି ଅକ୍ଷାଂଶ ଦ୍ରାଘିମାର ପରିଚୟ ବେଶ୍‌ ଭଲଭାବରେ ଜାଣିଥିଲା।
ଆଉ ସବୁ ସୁକନ୍ୟାମାନେ ସବୁବେଳେ ପତି ଅନୁଗତା ପତ୍ନୀ ସାଜି ଥାଆନ୍ତି। ସେ ବି ସାଜିଥିଲା।
ଆଜି କାହିଁକି କେଜାଣି ସୁକନ୍ୟାର ସ୍ମୃତି ନଚିକେତାକୁ ବିବ୍ରତ କରି ପକାଇଲା।

ହେଃ।
କାହିଁକି ସୁକନ୍ୟାର ସ୍ମୃତି ଆଜି ଏତେ ଭାରି ମନେ ହେଉଛି। ନଚିକେତା କ୍ରମଶଃ ଅସ୍ଥିର ହୋଇ ପଡ଼ିଲା। ସେଥିପାଇଁ ସେ ପଛରେ ହାତଛନ୍ଦି ରେଷ୍ଟସେଡ଼୍‌ ଭିତରେ ବୁଲିବାକୁ ଲାଗିଲା।
ଦୁଇଜଣ କେନଷ୍ଟବଳ ରାତି ରାଉଣ୍ଡରେ ଆସୁଥିବାବେଳେ ନଚିକେତାର ଉପସ୍ଥିତି ଆବିଷ୍କାର କରି ବେଶ୍‌ ଚଢ଼ାଗଳାରେ ପଚାରିଲେ-
‘କିଏବେ ଶଳା?’
ଅନ୍ଧାରର ଢେଉକାଟି ବାହାରିଲା ସେ। ଭଦ୍ରବେଶଧାରୀ ନଚିକେତାକୁ ଦେଖି ସେମାନେ ଟିକିଏ ନରମି ଗଲେ।
‘ଏତେ ରାତିରେ କ’ଣ କରୁଛ?’
‘ଖୋଜୁଛି?’
‘କାହାକୁ?’
‘ମୁତ୍ୟୁକୁ।’
ଗୋଟିଏ କନେଷ୍ଟବଳ ନିଜ ମୁହଁକୁ ନଚିକେତା ମୁହଁ ନିକଟକୁ ଲମ୍ବାଇ ଦେଇ ଚିତ୍କାର କରି ଉଠିଲା ‘ମାତାଲ୍‌ଟାଏ ବେ?’
ପରମୁହୂର୍ତ୍ତରେ ଗୋଟିଏ ହସର ବିସ୍ଫୋରଣ ଭିତରେ ସେମାନେ ମିଳାଇ ଗଲେ।
ଆକାଶକୁ ଚାହିଁଲା ନଚିକେତା। ଫିକା ହସୁଥିବା ଜହ୍ନଟାକୁ ଦେଖି ସେ ବି ହସିଲା।
ମାତାଲ କିଏ? ସେ ନା ଏମାନେ?
ସେମାନେ ଜୀବନର ନିଶାରେ ମାତାଲ ହେଲାବେଳେ ମରଣର ନିଶାରେ ନଚିକେତା ମାତାଲ। କିନ୍ତୁ ସେ କିଛି କହିଲା ନାହିଁ। ତାହାଛଡ଼ା କହିଲେ ମଧ୍ୟ ନିଜଛଡ଼ା ଶୁଣିବାକୁ ଆଉ କେହି ନ ଥିଲେ। ଆଉ ନଚିକେତା ନିଜକୁ କହିବାକୁ କେବେହେଲେ ଭଲ ପାଏ ନାହିଁ।
ନିଶାର ଝୁଙ୍କଟା ଟିକିଏ ଓହ୍ଲାଇ ଯାଇଥିଲା। ସେଥିପାଇଁ ସେ ରାଜରାସ୍ତାକୁ ଓହ୍ଲାଇ ପଡ଼ିଲା।

ତା’ର ବର୍ତ୍ତମାନ କର୍ତ୍ତବ୍ୟ କ’ଣ, କିଛି ସମୟ ଚିନ୍ତା କଲାପରେ ସେ ଶୋଇ ପଡ଼ିଥିବା ରାସ୍ତାର ପ୍ରତିଫଳନକୁ ଦେଖିବାକୁ ଚେଷ୍ଟାକଲା, ପାଖାପାଖିଥିବା ହାଇରାଇଜ୍‌ ବିଲଡ଼ିଂଗୁଡ଼ିକ ଉପରକୁ। ଯେଉଁ ବିଲଡ଼ିଂ ଭିତରେ କେତେଜଣ ସ୍ବପ୍ନ ଦେଖିବାକୁ ଚାହୁଁଛନ୍ତି। କେତେଜଣ ସ୍ବପ୍ନ ଦେଖୁଛନ୍ତି, କେତେଜଣ ସ୍ବପ୍ନ ନ ଦେଖି ପାରିବାର ବ୍ୟର୍ଥତାରେ ଗୁମୁରି ଗୁମୁରି କାନ୍ଦୁଛନ୍ତି, ଶେଷ ବସନ୍ତରେ ପତ୍ରଝଡ଼ା ଦେଇଥିବା ଗଛପରି।
ବିଲଡ଼ିଂମାନଙ୍କ ଉପରୁ ନିଜର ଦୃଷ୍ଟିକୁ ନଚିକେତା ପହଁରାଇ ଆଣିଲା ଦିଗ୍‌ବଳୟ ଉପରକୁ।
ସିନ୍ଦୂରା ଫାଟିବାକୁ ଆଉ ବିଳମ୍ବ ନାହିଁ।
ଇସ୍‌ ବର୍ତ୍ତମାନ ପର୍ଯ୍ୟନ୍ତ ସେ ମୃତ୍ୟୁର ଶେଷସ୍ବାକ୍ଷର ଦେଖିବା ଦୂରେ ଥାଉ, ପ୍ରଥମ ଅକ୍ଷରଟିକୁ ମଧ୍ୟ ଦେଖିପାରିଲା ନାହିଁ।
(ସମସ୍ତେ ମରିବାକୁ ନ ଚାହିଁ ମଧ୍ୟ ମରିଯାଆନ୍ତି, ଅଥଚ ସେ ମରିବାକୁ ଚାହିଁ ମଧ୍ୟ ମରି ପାରୁନାହିଁ କାହିଁକି?)
ଆହୁରି ଗୋଟାଏ ଦିନ। ଗୋଟିଏ ଦିନର ଅସରନ୍ତି ମୁହୂର୍ତ୍ତଗୁଡ଼ିକୁ କାଟି ଖିନ୍‌ଭିନ୍‌ କରିବାକୁ ପଡ଼ିବ।
ହେ ଭଗବାନ!
ନଚିକେତା ଆର୍ତ୍ତନାଦ କଲା। ଦେହରେ ଆଉ ବଳ ନାହିଁ। ଶରୀରର ମାଂସପେଶୀଗୁଡ଼ିକ କ୍ରମଶଃ ଓଜନିଆ ମନେ ହେଲାଣି। ଆଃ ଏଇ ଓଜନିଆ ମାଂସପେଶୀମାନଙ୍କୁ ଧରି ଆଉ କେତେ ସମୟ ବା ଚାଲିବ। କେତେ ଦୂର ବା ଚାଲିବ?
ତଥାପି ସେ ଚାଲିଲା ସେଇ ଅବାସ୍ତବ ବାସ୍ତବତାର ଅନ୍ବେଷଣରେ। କିନ୍ତୁ ତା’ର ବଢ଼ନ୍ତା ପାଦ ଆଗରେ ଗୋଟିଏ ଛାୟାମୂର୍ତ୍ତିକୁ ଦେଖି ଥମିଗଲା।
ହାତ ବଢ଼ାଇଲା ନଚିକେତା। ଦେଖି ହେଉଛି ଅଥଚ ଛୁଇଁ ହେଉନାହିଁ। କି ଆଶ୍ଚର୍ଯ୍ୟ!
କାଳେ ସେ ସ୍ବପ୍ନ ଦେଖୁନାହିଁ ତ! ଆଖି ମଳିମଳି ପୁଣି ଚାହିଁଲା। ନା ସେ ଠିକ୍‌ ଦେଖିଛି।

‘ତୁମେ ମୃତ୍ୟୁର ପରିଚୟ ଖୋଜୁଛ?’
ହଁ! ଚିହ୍ନା କଣ୍ଠସ୍ବର ଅଥଚ ନକ୍‌ସାଟା ଅଚିହ୍ନା ମନେ ହେଲା କାହିଁକି ନଚିକେତାର!
‘ଆଶ୍ଚର୍ଯ୍ୟ। ମୃତ୍ୟୁକୁ ପାଇବା ପାଇଁ ଏତେ ଉପାଦାନ ଥାଉ ଥାଉ ତୁମେ ମୃତ୍ୟୁକୁ ପାଇ ପାରୁନାହିଁ?’
‘କିନ୍ତୁ ସେଥିରେ ମୃତ୍ୟୁକୁ ପାଇହେବ, ତା’ର ପରିଚୟ ନୁହେଁ।’
‘ମୃତ୍ୟୁର ପରିଚୟ, ଅବଜ୍ଞାର ହସ ହସି କହିଲା ଛାୟା ମୂର୍ତ୍ତି!’ ମଣିଷର ପରିଚୟ ଯେପରି ମଣିଷ, ଜୀବନର ପରିଚୟ ଯେପରି ଜୀବନ, ଠିକ୍‌ ସେହିପରି ମୃତ୍ୟୁର ପରିଚୟ ହେଉଛି ମୃତ୍ୟୁ, ନା କୌଣସି ସଫିକ୍ସ, ନା କୌଣସି ପ୍ରିଫିକ୍ସ।
ତୁମେ ଭୁଲ୍‌ କହୁଛ। ମଣିଷର ପରିଚୟ କେବଳ ମଣିଷ ନୁହେଁ। ସେ ପଶୁ ହୋଇପାରେ, ହୋଇପାରେ ମହାମାନବ!
ଆଉ ଜୀବନର ପରିଚୟ?
ଦୃଢ଼ କଣ୍ଠରେ ନଚିକେତା କହିଲା, ‘ଜୀବନର ପରିଚୟ କେବଳ ଜୀବନ ନୁହେଁ, ନିଜର ସ୍ଥିତିଟା ଖାଲି ବଜାୟ ରଖିବାଟା ବି ଜୀବନର ପରିଚୟ ନୁହେଁ, ମଣିଷ ପରି ବଞ୍ଚିବା ହେଉଛି ଜୀବନର ପ୍ରଥମ, ଶେଷ ଓ ଏକମାତ୍ର ପରିଚୟ।’

‘ତୁମେ ଅତି ବିଜ୍ଞ ହୋଇ ଏପରି ଅଜ୍ଞ ହେଲ କିପରି ନଚିକେତା?’ ଶ୍ଳେଷ ଗଳାରେ ଛାୟାମୂର୍ତ୍ତିଟି କହିଲା, ‘ତୁମେ କ’ଣ ଜାଣିନା, ଯେଉଁମାନେ ମରଣକୁ ଡରନ୍ତି ନାହିଁ, ସେମାନେ ତା’ର ପରିଚୟ ବି ପାଆନ୍ତି ନାହିଁ?’
ଏଇଥର ନଚିକେତା ଜାଣିପାରିଲା। ଜାଣିପାରିଲା ବୋଲି ତ ତା’ର ପଦକ୍ଷେପ ଦ୍ରୁତ ହେଲା!
ହସିଲା ଛାୟାମୂର୍ତ୍ତି! ‘କୁଆଡ଼େ ଯାଉଛ?’
‘ବଞ୍ଚିବାକୁ।’
ଛାୟାମୂର୍ତ୍ତିର ହସଟା ଏଥର ଅଟ୍ଟହାସରେ ପରିଣତ ହୋଇ ଯାଇଥିଲେ ମଧ୍ୟ ନଚିକେତା ଶୁଣି ପାରି ନ ଥିଲା। କାରଣ ସେ ଦୌଡ଼ିବାକୁ ଆରମ୍ଭ କରି ଦୌଡ଼ୁଥିଲା… ଦୌଡ଼ୁଥିଲା ଆଉ ଦୌଡ଼ୁଥିଲା!