→ “ଓଡିଆସାହିତ୍ୟ” ୱେବ୍ସ୍ଥଳୀ ପରିକଳ୍ପନାର ଉଦ୍ଦେଶ୍ୟ କ’ଣ?
ସମୃଦ୍ଧ ଓଡିଆ ଭାଷା ଓ ସାହିତ୍ୟର ସମ୍ଭ୍ରାନ୍ତପଣକୁ ବିଶ୍ବର କୋଣାନୁକୋଣରେ ପହଞ୍ଚାଇବାର ଜିଜ୍ଞାସାରୁ “ଓଡିଆସାହିତ୍ୟ” ୱେବ୍ସ୍ଥଳୀ ସୃଷ୍ଟି। ନିଜ ଭାଷାରେ କରାଯାଉଥିବା ଭାବପ୍ରକାଶ ବ୍ୟକ୍ତି ଚେତନାକୁ ଯେତେ ସହଜରେ ଆନ୍ଦୋଳିତ କରେ, ତାହା ବିଦେଶୀ ଭାଷା କିମ୍ବା ବିକୃତ ଭାଷା ଦ୍ବାରା ସମ୍ଭବ ନୁହେଁ। ଉନ୍ନତ ଭାଷା ହିଁ ବ୍ୟକ୍ତିଠାରେ ସ୍ବାଭିମାନ ଉନ୍ମେଷ କରେ । ଭାଷାକୁ ଚଳଚଞ୍ଚଳ କରିଥାଏ ସାହିତ୍ୟ। ଏଣୁ ଶିଥିଳ ପଡିଯାଇଥିବା ଓଡିଆ ଜାତୀୟ ଚେତନାକୁ ଜାଗରଣ କରିବା ପାଇଁ ସାହିତ୍ୟ ଏକମାତ୍ର ମାଧ୍ୟମ ହୋଇଥିବାରୁ; ବିଶେଷ କରି ବର୍ତ୍ତମାନ ଯୁଗରେ ଇଣ୍ଟରନେଟ୍ ବିଶ୍ବ ବାତାୟନରେ ଗୋଟିଏ ଜାତିକୁ ଏକତ୍ରକରି ଏହାର ଭାଷା, ସାହିତ୍ୟ, ସଂସ୍କୃତିକୁ ସମୃଦ୍ଧ କରିବାରେ ମୁଖ୍ୟ ଭୂମିକା ନେଉଥିବାରୁ ଓଡିଆ ଭାଷା ଓ ସାହିତ୍ୟର ଏ ଦିଗରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ “ଓଡିଆସାହିତ୍ୟ” ୱେବ୍ସ୍ଥଳୀର ପରିକଳ୍ପନା କରାଯାଇଛି। ଏଣୁ, ପ୍ରତିଭାବାନ ଓଡିଆ ଯୁବସ୍ରଷ୍ଟା ତଥା ଓଡିଆ ସାହିତ୍ୟର ଅଗ୍ରଗଣ୍ୟମାନେ ନିଜନିଜର ଲେଖା ପ୍ରକାଶ କରି, ଓଡିଆସାହିତ୍ୟ ଦ୍ବାରା ସୂତ୍ରପାତ ଭାଷା ଆନ୍ଦୋଳନରେ ସାମିଲ ହେବାକୁ ଅନୁରୋଧ।
→ ଓଡିଆସାହିତ୍ୟ ୱେବ୍ସ୍ଥଳୀରେ କେଉଁ ପ୍ରକାରର ଲେଖା ପ୍ରକାଶ କରିବ?
ପ୍ରବନ୍ଧ : ଐତିହାସିକ, ସାମାଜିକ, ସାହିତ୍ୟ ସମାଲୋଚନାତ୍ମକ
ଗଳ୍ପ : ସାମାଜିକ ବା ସାମ୍ପ୍ରତିକ ସମସ୍ୟା ଭିତ୍ତିକ, ଐତିହାସିକ, ପୌରାଣିକ, ବୈଜ୍ଞାନିକ, ଅନୁବାଦ ମୂଳକ, ଆଭାସ, ଅଣୁ ଗଳ୍ପ, ବ୍ୟଙ୍ଗ, ହାସ୍ୟରସାତ୍ମକ
ଉପନ୍ୟାସ : ସୀମିତ କଳେବରରେ ସାମାଜିକ ବା ସାମ୍ପ୍ରତିକ ସମସ୍ୟା ଭିତ୍ତିକ, ଐତିହାସିକ, ପୌରାଣିକ, ବୈଜ୍ଞାନିକ, ଅନୁବାଦ ମୂଳକ
କବିତା : ପାରମ୍ପରିକ (ଛନ୍ଦଯୁକ୍ତ-ଗୀତି କବିତା, ଚଉତିଶା, ଚମ୍ପୂ, ବୋଲି, ଭକ୍ତି ମୂଳକ), ଆଧୁନିକ (ସନେଟ୍, ଲାଳିକା, ରୂପକ, ବ୍ୟଙ୍ଗ, ହାସ୍ୟରସାତ୍ମକ) ଏବଂ ଅନ୍ୟାନ୍ୟ ନାଟକ ବା ଏକାଙ୍କିକା, ଆଞ୍ଚଳିକ ଭାଷା ଓ ସାହିତ୍ୟ, ପଲ୍ଲୀ ଓ ଲୋକ ଗୀତ, ସାହିତ୍ୟ ଓ ସଂସ୍କୃତି, ପୌରାଣିକ ଓ କିମ୍ବଦନ୍ତୀ ମୂଳକ ରଚନା
ଶିଶୁସାହିତ୍ୟ : ଗପ, କବିତା, ବିଜ୍ଞାନ, ପରିବେଶ, ମହାପୁରୁଷଙ୍କ ଜୀବନୀ
ଅନ୍ୟାନ୍ୟ : ପୁସ୍ତକ ସମୀକ୍ଷା, ସାହିତ୍ୟ ଜଗତ ଖବର, ସାକ୍ଷାତକାର, ଜୀବନୀ, ଭ୍ରମଣ ସାହିତ୍ୟ, ଚିଠିପତ୍ର ବା ପାଠକୀୟ ମତାମତ ଇତ୍ୟାଦି ପ୍ରକାଶିତ ହେବ।
→ ଲେଖା ପ୍ରକାଶ ପାଇଁ କି ପ୍ରକାରର ମାନଦଣ୍ଡ ନିର୍ଦ୍ଧାରଣ କରାଯାଇଛି?
ଉପରୋକ୍ତ ବିଭାଗରେ ଲେଖା ପ୍ରକାଶ ପାଇଁ ଲେଖକଙ୍କ ବରିଷ୍ଠତା ବିଚାର ବଦଳରେ ଲେଖାର ମୌଳିକତା, ଗାମ୍ଭୀର୍ଯ୍ୟତା ଓ ସାମାଜିକ ବଚନବଦ୍ଧତା ଉପରେ ଗୁରୁତ୍ବ ଦିଆଯିବ। ଓଡିଆ ସାହିତ୍ୟ ଜଗତର ବଳିଷ୍ଠ କଥାକାର, କବି, ପ୍ରାବନ୍ଧିକଙ୍କ ସହ ତରୁଣ ଓ ଶିଶୁ ପିଢିର ସମସ୍ତ ପ୍ରତିଭାମାନଙ୍କୁ ଉପଯୁକ୍ତ ପ୍ରତିନିଧିତ୍ବ ଦେବାକୁ ଏହି ୱେବ୍ ସାଇଟ୍ ମାଧ୍ୟମରେ ଆମେ ଉଦ୍ୟମ କରୁଛୁ। ଆମର ଆକାଂକ୍ଷା, “ଓଡିଆସାହିତ୍ୟ” ୱେବ୍ସ୍ଥଳୀ ଯୁବ ସ୍ରଷ୍ଟାମାନଙ୍କ ପାଇଁ ଏକ ନୂତନ ସଂଯୋଗ ସେତୁ ହୋଇ ଉଭା ହେଉ ଏବଂ ଓଡିଆ ସାହିତ୍ୟ ଜଗତରେ ସୃଷ୍ଟି ହେଉ ଏକ ନୂତନ ଜାଗରଣ।
→ ଲେଖକଙ୍କୁ ପାରିତୋଷିକ କିମ୍ବା ଅମନୋନୀତ ଲେଖା ଫେରସ୍ତ ଦେବା ସୁବିଧା ଅଛି କି?
୪୫ ଦିନ ମଧ୍ୟରେ ଲେଖାଟି ପ୍ରକାଶିତ ନହେଲେ, ଲେଖାଟି ଅମନୋନୀତ ବୋଲି ଧରିନେବାକୁ ହେବ। ଅମନୋନୀତ ଲେଖାଗୁଡିକୁ ଫେରସ୍ତ ଦେବାର କୌଣସି ବ୍ୟବସ୍ଥା ନାହିଁ। ତେଣୁ ଲେଖା ପଠାଇବା ବେଳେ ଏହାର ଏକ ପ୍ରତିରୂପ ନିଜ ପାଖରେ ରଖନ୍ତୁ । ତେବେ ଲେଖାର ପ୍ରାପ୍ତି ସ୍ବୀକାର ପତ୍ର ଇମେଲ୍ ମାଧ୍ୟମରେ ଜଣାଇ ଦିଆଯିବ। ଲେଖା ସହିତ ନିଜର ସଂପୂର୍ଣ୍ଣ ଠିକଣା, ଦୂରଭାଷ, ଇମେଲ୍ ଆଦି ସ୍ପଷ୍ଟ ଭାବରେ ଲେଖନ୍ତୁ।
→ ଅନୁବାଦମୂଳକ ଲେଖା ସମ୍ବନ୍ଧରେ କିଛି ନିୟମ ଅଛି କି?
ହଁ । ଅନୁବାଦ ଲେଖାର ମୂଳ ଲେଖକଙ୍କ ସଂକ୍ଷିପ୍ତ ପରିଚୟ ଓ ସମ୍ଭବ ହେଲେ ଉକ୍ତ ଲେଖକଙ୍କ ପ୍ରତିକୃତି ପଠାଇବାକୁ ଭୁଲିବେ ନାହିଁ।
→ ପ୍ରକାଶିତ ଲେଖାପାଇଁ କିଏ ଉତ୍ତରଦାୟୀ ରହିବ?
ଏହି ସାଇଟ୍।ରେ ପ୍ରକାଶିତ ଲେଖା, ଛବି ଏବଂ ଏହାର ବର୍ଣ୍ଣନା ଶୈଳୀ କେବଳ ଉକ୍ତ ଲେଖା ପଠାଇଥିବା ଲେଖକ, ଚିତ୍ରୋତ୍ତଳକ ଏବଂ ବିଜ୍ଞାପନଦାତା ବ୍ୟକ୍ତିଗତ ମତ।
ଏଥିରେ ଯଦି କିଛି ତୃଟିବିଚ୍ୟୁତି (ଅଜ୍ଞାତରେ କିମ୍ବା ଅନିଚ୍ଛାକୃତ ଭାବେ) ପରିଲିକ୍ଷିତ ହୁଏ, ସେଥିପାଇଁ ଆମର ପରିଚାଳନା କର୍ତ୍ତୃପକ୍ଷ ଦାୟୀ ରହବେ ନାହିଁ। କାରଣ ଆମେ ଅତ୍ୟନ୍ତ ବିନମ୍ରତାର ସହିତ ସ୍ବୀକାର କରୁଛୁ କି ବ୍ୟାପକତା ଦୃଷ୍ଟିରୁ “ଓଡିଆସାହିତ୍ୟ ଡଟ୍ କମ୍”ରେ ପ୍ରଦତ୍ତ ସମସ୍ତ ତଥ୍ୟର ସତ୍ୟାସତ୍ୟ ଜାଣିବା ସମ୍ଭବପର ନୁହେଁ। ଏ ପରିପ୍ରେକ୍ଷୀରେ ତଥ୍ୟ ଯୋଗାଇଥିବା ଲେଖକ, ଚିତ୍ରୋତ୍ତଳକ, ସମ୍ବାଦଦାତା ଏବଂ ବିଜ୍ଞାପନ ଦାତାମାନେ ହିଁ ଆପଣା ଲେଖାପାଇଁ ଦାୟୀ ରହିବେ। ଏଣୁ ଆବଶ୍ୟକ ହେଲେ ପ୍ରଦତ୍ତ ତଥ୍ୟର ସତ୍ୟତା ସମ୍ପର୍କରେ ଯାଞ୍ଚ କରିବା ପାଠକମାନଙ୍କର ବ୍ୟକ୍ତିଗତ ଦାୟିତ୍ବରେ ଛାଡିଦେଇଛୁ।
→ ପ୍ରକାଶିତ କୌଣସି ତଥ୍ୟକୁ ଆଧାରକରି କେହି କିଛି କ୍ଷତିର ସମ୍ମୁଖୀନ ହୁଅନ୍ତି, ସେଥିପାଇଁ “ଓଡିଆ ସାହିତ୍ୟ ଡଟ୍ କମ୍” କର୍ତ୍ତୃପକ୍ଷ ଦାୟୀ ରହିବେ କି?
ନାଁ। ମାତ୍ର “ଓଡିଆସାହିତ୍ୟ ଡଟ୍ କମ୍” ପ୍ରଦତ୍ତ ସମସ୍ତ ତଥ୍ୟର ସ୍ୱତ୍ତାଧିକାରୀ କେବଳ “ଓଡିଆସାହିତ୍ୟ ଡଟ୍ କମ୍”ର ପରିଚାଳନା କର୍ତ୍ତୃପକ୍ଷ ଅଟନ୍ତି। ଏଣୁ ବିନା ଅନୁମତିରେ ଏଥିରେ ପ୍ରକାଶିତ କୌଣସି ତଥ୍ୟ (ଲେଖା, ଛବି, ଲୋଗୋ, ଫଟୋଚିତ୍ର ଇତ୍ୟାଦି)ର ଅବିକଳ ନକଲ ପ୍ରଦର୍ଶନ, ପ୍ରକାଶନ ଏବଂ ବଣ୍ଟନ ଇତ୍ୟାଦି କରିବା ଧର୍ତ୍ତବ୍ୟ ଅପରାଧ ଭାବେ ଗ୍ରହଣ କରାଯିବ ଏବଂ ଏହାର ଉଲଙ୍ଘନକାରୀଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ ସର୍ବୋଚ୍ଚ ଦଣ୍ଡବିଧାନ କରାଯିବ।
→ ଓଡିଆ ସାହିତ୍ୟ ଡଟ୍ କମ୍। ରେ ସ୍ଥାନିତ ଲେଖାଗୁଡିକ ମୁଦ୍ରିତ ହେବାର ବ୍ୟବସ୍ଥା ଅଛି କି?
ହଁ। ଏଥିରୁ ମନୋନୀତ କେତେକ ଲେଖା ଉକ୍ତ ସଂସ୍ଥା ଦ୍ବାରା ପ୍ରକାଶ ପାଇବାକୁ ଯାଉଥିବା ମୁଦ୍ରିତ ସାହିତ୍ୟ ପତ୍ରିକା “ଲାବଣ୍ୟ”ରେ ସ୍ଥାନିତ ହୋଇପାରେ।
