କେତେ ପାରାବାର ଅତିକ୍ରମ କରି
ପହଞ୍ଚିଥିଲି ମୁଁ ଏଠି
ଆଜି ଫେରିଯିବି କାଲି ଫେରିଯିବି
ବର୍ଷ, ବର୍ଷ ଗଲା ବିତି
ସପନ ଡେଣାରେ ଭାସି ଭାସି ଆସି
ପହଞ୍ଚିଲି ଏତେ ଦୂରେ
ଜନମ ମାଟିର ଗନ୍ଧ ଚାଖିବାକୁ
ଆଜିବି ମୋ’ ମନ ଝୁରେ।

ରଙ୍ଗ ଦେଇଥିଲା ମୋର ମନ, ପ୍ରାଣ
ମୋହର ଜନମ ମାଟି
ବିଦେଶ ଭୂମିରେ ବସା ବାନ୍ଧିଅଛି
ତିରିଶି ବରଷ କାଟି
ଏ ଦେଶର ପାଣି, ଆଲୁଅ, ପବନ
ରଖିପାରିଛି କି ବାନ୍ଧି?
ଏ ମଣିଷ ମନ, ହୃଦୟର ଛନ୍ଦ
କେବେ ହୋଇଛିକି ଛନ୍ଦି?
ଏ ଜଟିଳ ପ୍ରଶ୍ନ ପଚାରେ ନିଜକୁ
ଉତ୍ତର ପାଏନା ଖୋଜି
ଝିଅକୁ ପଚାରେ, ପୁଅକୁ ପଚାରେ
ସ୍ତ୍ରୀ କହେ ତୁମେ ପାଜି
ଯେଦେଶେ ରହିଲେ ସେଦେଶ ଆମର
ଝିଅ କହେ ବାରମ୍ବାର
ଆମେ ସବୁଲୋକ ଗୋଟିଏ ବିଶ୍ବର
ବିଶ୍ବ ଏକ ପରିବାର।

ସ୍ତ୍ରୀ କହେ ମୋତେ ରହିବ ସେଇଠି
ଯେଉଁଠି ରହିବେ ପିଲା
ତୁମେ ଯାଅ ପଛେ ରହିବ ଗାଁରେ
ରହିବ ତୁମେ ଏକଲା।

ବୋଉ ବି ଗଲାଣି, ବାପା ବି ଗଲେଣି
ହଜିଲାଣି ପିଲାଦିନ
ସେମାନଙ୍କ କଥା ଭାବିଦେଲେ ମନେ
ଲୁହ ଝରେ ଚିରନ୍ତନ।

ତିରିଶି ବରଷ ବିତିଥିଲା ସେଠି
ଭାଇ, ଭଉଣୀଙ୍କ ମେଳେ
ଜୀବନରେ ତାହା ପ୍ରଥମ ଅଧ୍ୟାୟ
ସହଜେ କି ମନ ଭୁଲେ।

ସୁରକ୍ଷିତ ଥିଲା ଧନ ଓ ଯୌବନ
ବୋଉ ବଞ୍ଚିଥିଲା ବେଳେ
ସାଧାସିଧା ଥିଲା ଜୀବନଯାପନ
ବାପା ପାଖେପାଖେ ଥିଲେ।

ବାପାଥିଲେ ତ୍ୟାଗୀ, ଜଣେ ବଇରାଗୀ
ସାଧକ, ସିଦ୍ଧ ପୁରୁଷ
ମଝିଖୁଣ୍ଟ ଭଳି ସହି ଯାଉଥିଲେ
ଆସିଲେ ବାଆ ବତାଶ୤

ନୀରବରେ ଆମେ କାନ୍ଦୁଥିଲାବେଳେ
ଶୁଣୁଥିଲା କେହି ଜଣେ
ସେ ଶବଦ ତା’ପାଶେ ପହଞ୍ଚିଲେ
ବିଚଳିତ ହୁଏ କ୍ଷଣେ
ସରୁସରୁ ହାତ ପରଶ କରଇ
ଛାଏଁ ଛାଏଁ ଲମ୍ବି ଆସି
ଦରଦୀ କଣ୍ଠରେ, ପଣତ କାନିରେ
ଆଖି ଲୁହ ଦିଏ ପୋଛି।

ମା’ର ମମତା, ଦିପଦ କଥା
ହୃଦୟକୁ ଛୁଇଁଥାଏ
ଜୀବ ଥିବାଯାଏ ଶିଶୁଠାରୁ ବୃଦ୍ଧ
ମା’କୁ ହିଁ ଝୁରିହୁଏ।

ଭଲ ପାଇବାର ମନ୍ତ୍ର ଦେଇଥିଲା
ସାଧାରଣ ମା’ଟିଏ
ତା’ କୋଳେ ଜନମ, ସେ ସ୍ବର୍ଗଧାମ
ତା କଥା କି ଭୁଲି ହୁଏ?
ବାପା ବୋଉ ବିନା ଦୁଃଖ ଓ ବେଦନା
ବଢ଼ି ବଢ଼ି ଯାଏ ସିନା
ଯେତେ ଚେଷ୍ଟାକଲେ ଲୁଚାଇବା ପାଇଁ
ଉଙ୍କିମାରେ ସେ ଭାବନା।

ଯୌବନରେ ମୁହିଁ ପହଞ୍ଚିଲା ବେଳେ
ଦାଣ୍ଡିଆ ମାରିଲି ଯେବେ
ସ୍ବର୍ଗକୁ ବାନ୍ଧିଲି ଯେତେଥର ସିଡ଼ି
ହାତ ପାଆନ୍ତାରେ ଲାଗେ।

ବାର୍ଦ୍ଧକ୍ୟ ଜୀବନେ ପାଦଦେଇ ଆଜି
ନିଃସହାୟ ଲାଗେ ସତେ
ଜୀବନ ମରୁରେ ମରୁଦ୍ୟାନ ପାଇଁ
ସାହାରା ମୁଁ ଖୋଜେ କେତେ।

ଗାଁଟି ହେଲାଣି ଚନ୍ଦନ ଶ୍ରୀକ୍ଷେତ୍ର
ଚନ୍ଦନ ଚନ୍ଦନ ବାସେ
ଶ୍ରୀଜଗନ୍ନାଥଙ୍କ ମନ୍ଦିର ସକାସେ
ଗାଁଦାଣ୍ଡ ଆଜି ହସେ।

ନେତଟି ତୁମର ଉଡ଼େ ଫର ଫର
ଦି କୋଶ ବାଟ ଦିଶେ
ଚୁମ୍ବକ ପରାଏ ଟାଣିନିଏ ମନ
ନେବାପାଇଁ ତୁମ ପାଶେ।


ଧନ୍ୟ ହେଲା ଗାଁ, ଧନ୍ୟ ହେଲା ମାଟି
ଧନ୍ୟ ହେଲା ତୁମ ପାଇଁ
ତୁମ ଆବିର୍ଭାବେ ଜଗତ ଜାଣିଲା
ନାରୀଗାଁ ଗ୍ରାମ କାହିଁ ?

ନାହିଁ ଯେ ସାଗର, ନାହିଁ ନୀଳଢ଼େଉ
ନାହିଁ ଢେଉ ଭାଙ୍ଗିବାର
ଏଠି ଅଛି କିନ୍ତୁ ଦକ୍ଷିଣା ପବନ
ଶୀତ ଲାଗେ ବାରମ୍ବାର।

ଗାଁ ପରିବେଶ ଅତୀବ ସୁନ୍ଦର
ମିଳେ ନାହିଁ ସହରରେ
ଗଛ, ଲତା, ପକ୍ଷୀ ଭରପୂର ଏଠି
ଅଭାବ ଅଛି ମନରେ।

ଗାଁ ଛାଡ଼ି ଆଜି ପଳାଇ ଯାଆନ୍ତି
ବହୁ ଲୋକେ ସହରକୁ
ଅର୍ଥର ସାମର୍ଥ୍ୟ, ଶିକ୍ଷାର ବ୍ୟବସ୍ଥା
ବାଧୁଛି ଅନେକ ତାଙ୍କୁ।

ବୁଢ଼ା, ବୁଢ଼ୀ ଯେତେ ରହିଲେ ଗାଁରେ
ତାଙ୍କର ଦୁର୍ଦ୍ଦଶା ଦେଖି
ମନେହୁଏ ସତେ ଆମ ଦିନ କାଳ
ବେଶି ବେଳ ନାହିଁ ବାକି।

ତୁମରି ଦର୍ଶନ କରିବାକୁ ପ୍ରଭୁ
ଭକ୍ତ ଆସେ ଅଭିଳାଷେ
କି ସୁନ୍ଦର ତୁମ ଭେକ ଭାକ ଦେଖି
କିଏ କାନ୍ଦେ କିଏ ହସେ।

ଯିଏ ଖୋଜୁଥାଏ ଅନେକ ଭକ୍ତିରେ
ତାକୁ ଦେଖା ଦିଅ ନାହିଁ
ଯିଏ ନ ଖୋଜୁଛି ତୁମକୁ ସାଇଁ ହେ
ଦେଖାଦିଅ କାହିଁପାଇଁ?

ତୁମରି ମାୟାକୁ ତୁମେ ବୁଝିନାହଁ
ମଣିଷ କାହୁଁ ବୁଝିବ?
ଯୁଗ ଯୁଗଧରି ମାୟାଜାଲେ ପଡ଼ି
ଛଟପଟ ହେଉଥିବ।

ତୁମେ ମୋର ପିତା ତୁମେ ମୋର ମାତା
ତୁମେ ଆତ୍ମୀୟସୋଦର
ତୁମେ ମୁକ୍ତିଦାତା, ତୁମେ ଜ୍ଞାନଦାତା,
ତୁମେ ବନ୍ଧୁ, ସଖା ମୋର।

ଏତିକି ମିନତୀ ହେ ଜଗତପତି
ଏତିକି ସୁଦୟା ହେଉ
ଶେଷ ଜୀବନରେ ଯେଉଁଠି ଥିଲେବି
(ନାରୀଗାଁରେ/ ତୁମ ପାଦେ) ଜୀବ ଯାଉ।