ପ୍ରତିଭା ଶତପଥୀଙ୍କ ସୃଷ୍ଟି
କବିତା ସଙ୍କଳନ:
ଗ୍ରନ୍ଥ ସମୟ(୧୯୭୪), ସାହାଡ଼ା ସୁନ୍ଦରୀ(୧୯୭୮), ନିୟତ ବସୁଧା(୧୯୯୦), ନିମିଷେ ଅକ୍ଷର(୧୯୮୫), ମହାମେଘ(୧୯୮୮), ଶବରୀ(୧୯୯୧), ତନ୍ମୟଧୂଳି(୧୯୯୯), ଅଧା ଅଧା ନକ୍ଷତ୍ର(୨୦୦୧)
ଅନୁବାଦ:-ନୀଳ ନୀଶିଥର ତାରା
ସମାଲୋଚନା: କଳ୍ପନାର ଅଭିଷେକ, ଉତ୍ତର ଆଧୁନିକ ଓଡ଼ିଆ କବିତା ଓ ଅନ୍ୟାନ୍ୟ ପ୍ରବନ୍ଧ,
ଲଳିତ ନିବନ୍ଧ:-ପ୍ରତିଫଳନ
ପୁରସ୍କାର ଓ ସମ୍ମାନ
ଶବରୀ- ଇମ୍ଫା ଶିଳ୍ପ ଗୋଷ୍ଠୀ ପ୍ରଦତ୍ତ ଶାରଳା ପୁରସ୍କାର
‘ତନ୍ମୟ ଧୁଳି’- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
‘ଅଧା ଅଧା ନକ୍ଷତ୍ର’- ଶାଶ୍ବତୀ ରାଷ୍ଟ୍ରୀୟ ପୁରସ୍କାର (କର୍ଣ୍ଣାଟକ)
ପ୍ରତିଭା ଶତପଥୀଙ୍କ ସହ ସାକ୍ଷାତକାର
ଆପଣ ‘ତନ୍ମୟଧୂଳି’ କବିତା ସଙ୍କଳନ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି। ‘ତନ୍ମୟଧୂଳି’ କେଉଁ ସ୍ବତନ୍ତ୍ରତା ଦାବୀ କରେ?
ଉତ୍ତର:-“ତନ୍ମୟ ଧୂଳି” ମୋ ଦୃଷ୍ଟିରେ ମଣିଷର ତୁଚ୍ଛ ସତ୍ତା ଅଥଚ ତାହା ବିଶ୍ବସଭା ସହ ଏକାକାର ହୋଇପାରେ। ଧୂଳି ତୁଚ୍ଛ କିନ୍ତୁ ତା ଭିତରେ ଉତ୍ତରଣର ପ୍ରୟାସ ଏକ ବିଶେଷତ୍ବ। ତାର ଛନ୍ଦରେ କିଛି ମାତ୍ରାରେ ସାଙ୍ଗୀତିକତା ରହିଛି।
ଆପଣଙ୍କର ‘ଆଦ୍ୟପର୍ବ’ ରଚନାରେ ରୋମାଣ୍ଟିକ୍ ତନ୍ମୟର ଆବେଗ ପରିଲକ୍ଷିତ କିନ୍ତୁ ପରେ ରହସ୍ୟବାଦର ଉପଲବ୍ଧି ଆଡକୁ ଅଗ୍ରସର ହୋଇଛନ୍ତି। ଏହାର କାରଣ କଣ?
ଉତ୍ତର:-ମୋର କବିତା ରଚନାର ଆଦ୍ୟକାଳରେ ଏକ ବିହ୍ବଳ ଭାବ ଆବୋରି ରହିଥିଲା। ବାସ୍ତବତାକୁ ତୀକ୍ଷ୍ଣଭାବେ ପ୍ରତ୍ୟକ୍ଷ କରିନଥିଲି। ଜୀବନ ପଥରେ ଅଗ୍ରସର ହେଲାବେଳକୁ ଏକ ବିପୁଳ ଉପଲବ୍ଧି ମୋତେ ଆବିଷ୍ଠ କଲା। ଜୀବନର ଗଭୀରତାର ବ୍ୟାପ୍ତିକୁ ମୁଁ କେତେକାଂଶରେ ଉପଲବ୍ଧି କରିପାରିଲି। ତାହାହିଁ ହୋଇଥାଇପାରେ ଏହାର କାରଣ।
ଆପଣଙ୍କ ପ୍ରତିଟି ସଙ୍କଳନପରି “ଶବରୀ”ର ଆବେଦନ ସ୍ବତନ୍ତ୍ର। ଓଡ଼ିଆ ଦୀର୍ଘ କବିତା ରଚନା ଧାରାରେ ଏହା ଏକ ମୌଳିକ ଭାବନିଷ୍ଠ ସଂଯୋଗ। ଏହାର ସୃଷ୍ଟିବୈଚିତ୍ର୍ଯମୟ, ମିଥ୍ ତଥା ଲୋକ ସଂସ୍କୃତି ପ୍ରୟୋଗର ଆବଶ୍ୟକତା ସମ୍ପର୍କରେ ସୂଚନା ଦିଅନ୍ତୁ।
ଉତ୍ତର:-‘ଶବରୀ’ ନିଶ୍ଚୟ ଏକ ନୂତନ ମୌଳିକ ଦୃଷ୍ଟିଭଙ୍ଗୀକୁ ବହନ କରିଛି। ଏହା ମିଥ୍ ଆଧାରିତ ସତ୍ୟ ମାତ୍ର ସମକାଳୀନ ପ୍ରାସଙ୍ଗିକତାକୁ ନେଇ ଏଥିରେ ମିଥ୍କୁ ମଧ୍ୟ କିଛିଟା ପରିବର୍ତ୍ତନ କରାଯାଇଛି। ଏଇ ପରିବର୍ତ୍ତନ ସକାରାତ୍ମକ ‘ଶବରୀ’ରେ ମାନବ ସତ୍ତାର ସର୍ବୋତ୍ତମ ଉତ୍ତୀର୍ଣ୍ଣ ସତ୍ତାସହ ସମ୍ପର୍କକୁ ବିଶ୍ଳେଷଣ କରାଯାଇଛି।
‘ତନ୍ମୟ ଧୂଳି’ରେ ‘ତୁମେ’ ଓ ‘ମୁଁ’ ସ୍ବରୂପ ଓ ସମ୍ପର୍କର ପରିଭାଷା ସ୍ପଷ୍ଟ। ତେବେ କାବ୍ୟ ସ୍ବରୂପିଣୀ କହିଛନ୍ତି ସୁଗୋଲ ପୂର୍ଣ୍ଣତା ବୋଲି କିଛି ନାହିଁ। ତେଣୁ ତାର ସ୍ବରୂପ କଣ?
ଉତ୍ତର:- ‘ତନ୍ମୟ ଧୂଳି’ରେ ‘ତୁମେ’ ଓ ‘ମୁଁ’ ମୋର ଗୋଟେ ଅନ୍ତର୍ଗତ ସତ୍ତା ଏବଂ ତାର ଅନ୍ୟ ସ୍ବରୂପ ମୋର ଏକ ବୁଝିପାରୁଥିବା ଆତ୍ମୀୟ ବା ପାଠକୀୟ ସତ୍ତା। ସୁଗୋଲ ପୂର୍ଣ୍ଣତା, ମନେ କରନ୍ତୁ, ମଣିଷ ବୋଲି ବୋଲି କିଛି ନାହିଁ। ସବୁ ଖଣ୍ଡିତ ପୂର୍ଣ୍ଣତାକୁ ସେ କଳ୍ପନା କରେ, ଉପଲବ୍ଧି ଭାବେ ଧରିପାରେ, କିନ୍ତୁ ତାର ଆଶା ଓ ସ୍ବପ୍ନ ପୂର୍ଣ୍ଣ ବୋଲି କୁହାଯାଇପାରିବ ନାହିଁ। ଏଇ କଥା ଉପଲ୍ବ୍ଧିରେ ଆଣି ନିଜ ଅପୂର୍ଣ୍ଣତା ବିଷୟରେ ସାନ୍ତ୍ୱନା ଦେଇପାରିବ।
“ଅଧା ଅଧା ନକ୍ଷତ୍ର”ରେ ବାମବାଦୀ ପ୍ରଖୟ ବାରିହୋଇଥାଏ। ସାହିତ୍ୟରେ ଏଇ ବାମାବାଦି ଚିନ୍ତାଧାରା ଆଜି କେତେ ଆବଶ୍ୟକ?
ଉତ୍ତର:- ତାହା ବାମବାଦୀ ନୁହେଁ ବାମାବାଦୀ। ବାମାବାଦୀ ନ କହି ବରଂ ନାରୀବାଦ ବୋଲି କୁହନ୍ତୁ। ବାମା ଶବ୍ଦଟି ବିବଦମାନ। ଏକଦା ପୁରୁଷର ବାମ ପାର୍ଶ୍ବରେ ଉପବେଶନ କରୁଥିବାରୁ ନାରୀକୁ ବାମା କୁହାଯାଉଥିଲା। ବର୍ତ୍ତମାନ ତାହା ଗ୍ରହଣଯୋଗ୍ୟ ନୁହଁ। ନାରୀମାନେ ସବୁକ୍ଷେତ୍ରରେ ନିଜର ଶକ୍ତି ଓ କୁଶଳତାର ଯୋଗ୍ୟ ପରିଚୟ ଦେଉଛନ୍ତି। ତଥାପି ସାସାଂରିକ ତଥା ସାମାଜିକ ଜୀବନରେ ଏଯାବତ୍ ସେମାନେ ପ୍ରାପ୍ୟ ସମ୍ମାନ ପାଇନାହାଁନ୍ତି। ସେ ଦିଗରୁ ବାସ୍ତବ ଅଭିଜ୍ଞତାକୁ ରୂପ ଦେଲାବେଳେ ନାରୀର ଅର୍ନ୍ତବେଦନା ଓ ତାର ଆକାଙ୍କ୍ଷା ସ୍ବାଭାବିକ ଭାବେ ଆସିଯାଏ। “ଅଧା ଅଧା ନକ୍ଷତ୍ର” ଅପେକ୍ଷା ମୋର ପରବର୍ତ୍ତୀ ସଙ୍କଳନ “କହି ନହେଲେ”ରେ ନାରୀବାଦୀ ସ୍ବର ପ୍ରଖର ଓ ଏହାର ପ୍ରତିବାଦର ରୂପ ପରିଗ୍ରହଣ କରିଛି।
ଆପଣଙ୍କ “ଉଦ୍ଭାଷା” ପତ୍ରିକା ଉତ୍ତର ଆଧୁନିକତାର ପ୍ରତିନିଧିତ୍ବ କରେ। ଏ ବିଷୟରେ କିଛି କୁହନ୍ତୁ?
ଉତ୍ତର:- ଉତ୍ତର ଆଧୁନିକତାକୁ ଏତେ ଶୀଘ୍ର ଗୋଟିଏ ପାରାଗ୍ରାଫ୍ରେ କହିହେବନି। ଏହା ଏକ ଅବବୋଧ। ଏଥିରେ କବି ନିଜର ପରିବେଶ ପ୍ରତି ସମ୍ପର୍କୀୟମାନଙ୍କ ପ୍ରତି ନିଜମାଟିର ବିଶେଷତ୍ବ ପ୍ରତି ନିଜର ଆତ୍ମା ପ୍ରତି ଅଧିକ ସତ୍ୟନିଷ୍ଠ। ଏ ସମ୍ପର୍କରେ ମୋର ଗୋଟିଏ ପ୍ରବନ୍ଧ ପୁସ୍ତକ ଅଛି “ଉତ୍ତର ଆଧୁନିକ ଓଡ଼ିଆ କବିତା ଓ ଅନ୍ୟାନ୍ୟ ପ୍ରବନ୍ଧ” ତଥା “ଉଦ୍ଭାଷ”ରେ ଉତ୍ତର ଆଧୁନିକ ଚେତନା ସମ୍ପର୍କରେ କେତେକ ପ୍ରବନ୍ଧ ପ୍ରକାଶ ପାଇଛି। ଉତ୍ତର ଆଧୁନିକତା ଉପରେ ହିଁ ପ୍ରତିଷ୍ଠା ଲାଭ କରିଛି ଓ ଆଧୁନିକତାର ବିଷାଦ ଓ ଦୁର୍ବୋଧ୍ୟତା ଆଦି ନକାରତ୍ମକ ଗୁଣକୁ ବିରୋଧ କରୁଛି। କୌଣସି ତତ୍ବ ଆଲୋଚନା ନକରି ବର୍ତ୍ତମାନ କାଳରେ ଲିଖିତ କବିତା ପଢିଲେ ପାଠକ ଏହାର ସ୍ବରୂପ ଚିହ୍ନି ପାରିବ।
ଅନୁବାଦ କର୍ମରେ ଆପଣ ସ୍ବକୀୟ ନିଷ୍ଠା ଓ ବ୍ୟୁତ୍ପତ୍ତି ପ୍ରଦର୍ଶନ କରିଛନ୍ତି। ଓଡ଼ିଆ ଅନୁବାଦ ସାହିତ୍ୟର ବିକାଶ ପାଇଁ ଅନୁବାଦକମାନେ କେଉଁ ଦିଗପ୍ରତି ସଚେତନ ହେବା ଆବଶ୍ୟକ ବୋଲି ଆପଣ ଭାବୁଛନ୍ତି।
ଉତ୍ତର:- ଅନୁବାଦ କଲାବେଳେ ଦୁଇଟି ଦିଗକୁ ଧ୍ୟାନ ଦେବାକୁ ପଡ଼େ। ଗୋଟିଏ ମୂଳଭାଷା ଓ ଅନ୍ୟଟି ଲକ୍ଷ୍ୟ ଭାଷା। ଏ ଦୁଇ ଭାଷା ଉପରେ ଅନୁବାଦକର କିଛିଟା ବ୍ୟୁତ୍ପତ୍ତିଥିବା ଆବଶ୍ୟକ। ଅନୁବାଦଟି ଯଦି ମୌଳିକ ଲେଖାଭଳି ସରସ ଲାଗିଲା ତାହେଲେ ତାହାର ସାର୍ଥକତା ଥାଏ। ତେବେ କବିତାର ଅନୁବାଦ କଷ୍ଟକର। ମୂଳ ଲେଖାଠାରୁ ବେଳେବେଳେ ଲକ୍ଷ୍ୟ ଭାଷା କିଛିଟା ହ୍ରାସ ପାଇଥାଏ। ଏଣୁ କବିତା ଅନୁବାଦର ସାର୍ଥକତା ପାଇଁ ଅନୁବାଦକକୁ ଅଧିକ ଯତ୍ନଶୀଳ ହେବା ଆବଶ୍ୟକ।
ସାମ୍ପ୍ରତିକ କବିତାର ଆଙ୍ଗୀକ ପରିବର୍ତ୍ତନର ସୂଚନା ଉପଲବ୍ଧ ହେବାରେ ଲାଗିଛି। ଧୀରେ ଧୀରେ ସାଙ୍ଗୀତିକତାକୁ କବିମାନେ ପୁନଃ ପ୍ରୟୋଗ କରିବାକୁ ପ୍ରୟାସ କଲେଣି। ଏଥିରେ ଆପଣଙ୍କ ମତ କଣ?
ଉତ୍ତର:- ବର୍ତ୍ତମାନ କବିମାନେ ଯେଉଁ ଦିଗକୁ ଆଗୋଉଛନ୍ତି ଆଗାନ୍ତୁ।
ଓଡ଼ିଆ ସମାଲୋଚନା ସାହିତ୍ୟ ଭଣ୍ଡାରକୁ ଆପଣଙ୍କର ଦାନ ଉଲ୍ଲେଖଯୋଗ୍ୟ। ଆପଣଙ୍କ ଦୃଷ୍ଟିରେ ସମାଲୋଚକମାନେ କେଉଁ ଦିଗ ପ୍ରତି ସଚେତନ ହେବା ଦରକାର।
ଉତ୍ତର:- ସମାଲୋଚକମାନେ ପ୍ରଥମେ ସମାଲୋଚୀୟ ବିଷୟଟିକୁ ଭଲ ପାଇବା ଦରକାର ଏବଂ ଗଠନ ମୂଳକ ଭାବେ ସମାଲୋଚନା କରିବା ଦରକାର।
ଆପଣଙ୍କ ବ୍ୟକ୍ତିଗତ ଜୀବନ ସାହିତ୍ୟ ସୃଷ୍ଟିକୁ କିପରି ପ୍ରଭାବିତ କରିଛି?
ଉତ୍ତର:- ମୋ କବିତା ଓ ବ୍ୟକ୍ତିଗତ ଜୀବନ ଭିତରେ ପ୍ରଭେଦ କିଛି ନାହିଁ। ମୁଁ ଯେମିତି ବଞ୍ଚେ ସେପରି କବିତା ଲେଖେ। ଯାହା ଅନୁଭବ କରେ, ଯେଉଁ ଦିଗକୁ ଅନାଏ ତାକୁ ଶବ୍ଦ ମାଧ୍ୟମରେ ଚିତ୍ରଣ କରେ।
ଆପଣଙ୍କ ଆତ୍ମଜୀବନୀ ସମ୍ପର୍କରେ ଦୁଇପଦ କୁହନ୍ତୁ।
ଉତ୍ତର :- ମୋର ଆତ୍ମକଥା ଶୈଶବରୁ ଏ ଯାଏଁ ମୁଁ ଭେଟିଥିବା ମଣିଷ, ପ୍ରତ୍ୟକ୍ଷ କରିଥିବା ପରିବେଶ ଓ ବଞ୍ଚୁଥିବା ଅନୁଭବମାନଙ୍କୁ ସାକାର କରିବାକୁ ଚେଷ୍ଟା କରିଛି ମାତ୍ର।
ଆପଣଙ୍କର ସୁଯୋଗ୍ୟା କନ୍ୟା ପାରମିତା ଶତପଥୀ ଓଡ଼ିଆ ସାହିତ୍ୟରେ ଏକ ପରିଚିତ ନାମ ତଥା ‘ବିରଳ ରୂପକ’ ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ। ତାଙ୍କ ସୃଷ୍ଟି ଧାରା ସମ୍ପର୍କରେ କିଛି କୁହନ୍ତୁ?
ଉତ୍ତର:- ପାରମିତା ପିଲାଦିନୁ ସାହିତ୍ୟ ପ୍ରତି ଆକୃଷ୍ଟ ଥିଲା। ତାର ପ୍ରଥମ ଗଳ୍ପ ବି.ଏ. ପଢ଼ିଲା ବେଳେ ପ୍ରକାଶ ପାଏ ଏବଂ ଏମ୍.ଏ. ପଢ଼ିଲା ବେଳେ ଝଙ୍କାରରେ ‘ତାଙ୍କ ସହ ସବୁ ଦିନ’ ଶୀର୍ଷକ ଗଳ୍ପ ପ୍ରକାଶ ପାଇ ପାଠକୀୟ ଆଦର ଲାଭ କରିଥିଲା। ସେ ଗଳ୍ପ ପାଇଁ ଅନେକ ପୁରସ୍କାର ପାଇଛି। ଭୁବନେଶ୍ବର ପୁସ୍ତକମେଳା ପୁରସ୍କାର, ଭାରତୀୟ ଭାଷାପରିଷଦର ଯୁବା ଲେଖକ ପୁରସ୍କାର ଇତ୍ୟାଦି। ତେବେ ସେ ଖୁବ୍ ଭଲ କବିତା ମଧ୍ୟ ଲେଖେ। ଏବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ଅଷ୍ଠିତ ସର୍ବଭାରତୀୟ କବିତା ଉତ୍ସବରେ କବିତା ପାଠ କରି ବହୁ ପ୍ରଶଂସା ପାଇଛି। ତା ମା ଭାବରେ ମୁଁ ଗୌରବାନ୍ବିତ। ସେ ଗଳ୍ପ ଓ କବିତା ଉଭୟକୁ ସମାନ ଧ୍ୟାନ ଦେଇ ତାର ରଚନା ଜାରି ରଖିଛି।