ଡ.ମନୋରମା ବିଶ୍ବାଳ ମହାପାତ୍ର ସାମ୍ପ୍ରତିକ କାଳର ଅଗ୍ରଣୀ ଓଡ଼ିଆ କବିମାନଙ୍କ ମଧ୍ୟରେ ଅନ୍ୟତମ। ବିଶ୍ବଭାରତୀ ଶାନ୍ତିନିକେତନରୁ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ପ୍ରଥମେ ଭଦ୍ରକ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରି ଶେଷରେ ବି.ଜେ.ବି. ସ୍ବୟଂଶାସିତ ମହାବିଦ୍ୟାଳୟରୁ ଅବସର ଗ୍ରହଣ କରିଛନ୍ତି। ସେ ଏକାଧାରରେ ଜଣେ ମାନବବାଦୀ କବି, ଶିଶୁ ଲେଖିକା, ଗବେଷିକା, ପ୍ରାବନ୍ଧିକା ଓ ଗୀତିକାର ତଥା ଗୀତିକବି। ତାଙ୍କର ଅନେକ କବିତା ବିଭିନ୍ନ ଭାରତୀୟ ଭାଷାରେ ଅନୁଦିତ ହୋଇଛି। ବିଶ୍ବର ବିଭିନ୍ନ କବି ସମ୍ମିଳନୀରେ ସେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିଛନ୍ତି। ଶ୍ରୀମତୀ ମହାପାତ୍ର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସହିତ ମୀନାବଜାର ପୁରସ୍କାର, ପ୍ରଜାତନ୍ତ୍ର ପୁରସ୍କାର, କାନ୍ତକବି ପୁରସ୍କାର, ବଙ୍ଗ ଉତ୍କଳ ସମ୍ମାନ, ସୁଚରିତା ସମ୍ମାନ ସହିତ ଅନେକ ପୁରସ୍କାର ଓ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି। #a10505
ଡ.ମନୋରମା ବିଶ୍ବାଳ ମହାପାତ୍ରଙ୍କ ସାହିତ୍ୟ ସୃଷ୍ଟି
କବିତା ସଙ୍କଳନ:-କିଶଳୟ(୧୯୬୨), ବ୍ରତତୀ(୧୯୬୫), ଫୁଲଫୁଟା ମୁହୂର୍ତ୍ତ (୧୯୭୬), ସ୍ମୃତି ଶ୍ରାବଣ ଓ ପ୍ରତିବିମ୍ବ(୧୯୭୮), ସ୍ବାତୀଲଗ୍ନ(୧୯୮୦), ଜହ୍ନରାତିର ମୁହଁ(୧୯୮୫), ଶବ୍ଦର ପ୍ରତିମା(୧୯୯୪), ବିଶ୍ବାସର ପଦ୍ମବନ(୧୯୯୯), ଫାଲ୍ଗୁନି ତିଥିର ଝିଅ(୧୯୯୯), ଆଜି ଖାଲି ଚିତ୍ର ଆଉ ଚିତ୍ର(୨୦୧୧) ଇତ୍ୟାଦି।
ଗଦ୍ୟ ସଙ୍କଳନ:-ମାନସିଂହଙ୍କ କାବ୍ୟକୃତି, ସ୍ମୃତି କେବେ ନୁହେଁ ଫିଙ୍ଗିବାର, ଭାବନାର ଭାସ୍କର୍ଯ୍ୟ, କବିତାର ଦର୍ପଣରେ କବି ମନୋରମା, ଭାବେ ଅନୁପମା କବି ମନୋରମା ଇତ୍ୟାଦି।
ଶିଶୁ ସାହିତ୍ୟ:-କେତେ କଥା କେତେ ଗୀତ, ଆମେ ସବୁ ଟିକି ଫୁଲ, ଟିକି ବଗିଚାର ଟିକି ଚଢ଼େଇ, ଆ’ରେ ମେଘ ଆ, ବଜାରେ ବଜା ରସଗୋଲା ଖିଆ କେମିତି ମଜା, ସୁନେଲି ମାଛର କଥା, ଆମରି ମାଆ ଇତ୍ୟାଦି।
କୌଣସି ଉଦ୍ଦେଶ୍ୟ ରଖି ମୋ ସାହିତ୍ୟ ଜୀବନ ଆରମ୍ଭ ହୋଇ ନ ଥିଲା। ତେବେ ଗାଁରୁ ସହରକୁ ଆସିବା ପରେ ମୁଁ ଭୀଷଣ ଏକୁଟିଆ ହୋଇ ଯାଇଥିଲି। ଏହି ଏକାକୀତ୍ବରୁ ମୋ ସାହିତ୍ୟର ସୃଷ୍ଟି।
ମୁଁ ନବମ ଶ୍ରେଣୀରେ ପଢ଼ିଲା ବେଳେ ମୋର ପ୍ରଥମ କବିତା ବହି ‘କିଶଳୟ’ ପ୍ରକାଶିତ ହୋଇଥିଲା। ବାପାଙ୍କର ପ୍ରେରଣା ଏବଂ ଆଗ୍ରହ ହେତୁ ତାହା ପ୍ରକାଶିତ ହୋଇ ପାରିଥିଲା।
ମୁଁ ପ୍ରଥମେ ଶିଶୁସାହିତ୍ୟ ଲେଖୁଥିଲି ଏବଂ ତାହା ‘ମୀନାବଜାର’, ‘କିଶୋର ଫଉଜ’, ‘ଉଦୟ ଭାନୁ’ ପ୍ରଭୃତିରେ ପ୍ରକାଶ ପାଉଥିଲା। ପରବର୍ତ୍ତୀ କାଳରେ ମୁଁ କବିତା ଏବଂ ଗୀତି କବିତା ଲେଖିଲି। ଗୀତିକବିତା ମୋର ଅଧିକ ପ୍ରିୟ ଅଟେ।
ମୁଁ ଗାଁରେ ବଡ଼ ହୋଇଛି। ମୋ ଶୈଶବ କଟିଛି ଗାଁରେ। ତେଣୁ ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ, ନଈ ଏବଂ ସମୁଦ୍ରର ପରିବେଶ ମୋ ଜୀବନକୁ ପ୍ରଭାବିତ କରିଛି।
ଜଣେ ସାରସ୍ବତ ସ୍ରଷ୍ଟା ପାଖରେ ତା’ର ପ୍ରତ୍ୟେକ ସୃଷ୍ଟି ମହାନ। ତେବେ ‘ଫାଲ୍ଗୁନି ତିଥିର ଝିଅ’ କବିତା ପୁସ୍ତକଟିକୁ ମୁଁ ଅଧିକ ପ୍ରିୟ ବୋଲି ଭାବୁଛି।
ଅନୁବାଦ ଦ୍ବାରା ଗୋଟିଏ ଭାଷା ଅନ୍ୟ ରାଜ୍ୟରେ ଆଦୃତ ହୋଇଥାଏ। ସାମ୍ପ୍ରତିକ ଓଡ଼ିଆ ସାହିତ୍ୟ ଧୀରେ ଧୀରେ ଅନୁବାଦ ଉପରେ ଗୁରୁତ୍ବ ଦେବାକୁ ଚେଷ୍ଟା କଲାଣି, ଯାହା ଏକ ଶୁଭ ସୂଚନା ବୋଲି ମୁଁ ଭାବୁଛି। ଓଡ଼ିଆ ଭାଷାରେ ବହୁ ଉଚ୍ଚକୋଟିର ବହି ପ୍ରକାଶିତ ହେଉଛି। ଓଡ଼ିଆ ଭାଷା ଅତ୍ୟନ୍ତ ପ୍ରାଚୀନ ଭାଷା। ଅନ୍ୟାନ୍ୟ ପ୍ରାନ୍ତୀୟ ଭାଷା ଅପେକ୍ଷା ଏହାର ଶାସ୍ତ୍ରୀୟତା ବହୁ ଐତିହ୍ୟପୂର୍ଣ୍ଣ। ତେବେ ମୋ ମତରେ ଆମ ଭାଷାରେ ପାଠକ ସଂଖ୍ୟା ବହୁତ କମ୍।
‘ଫାଲ୍ଗୁନି ତିଥିର ଝିଅ’ କବିତା ଗ୍ରନ୍ଥରେ ଜୀବନର ମୂଲ୍ୟବୋଧ ଉପରେ ମୁଁ ଅଧିକ ଗୁରୁତ୍ବ ଦେଇଛି। ଆମ ପରମ୍ପରା, ଆମର ମର୍ଯ୍ୟାଦାବନ୍ତ ଭବିଷ୍ୟତ ସବୁଗୁଡ଼ିକୁ ଧରିରଖେ ଝିଅଟିଏ। ତାହା ଉପରେ ହିଁ ଏହି କବିତା ସଙ୍କଳନଟି ପ୍ରସ୍ତୁତ ହୋଇଛି। ସେହିପରି ‘ବିଶ୍ବାସର ପଦ୍ମବନ’ ସଙ୍କଳନ ଏକ ପ୍ରତୀକାତ୍ମକ ନାମ। ବିଶ୍ବାସ କଲେ ଈଶ୍ବର ମଧ୍ୟ ପ୍ରାପ୍ତି ହୋଇ ପାରିବେ ବୋଲି ଧାରଣା ଏହି ପୁସ୍ତକ ମାଧ୍ୟମରେ ଦର୍ଶାଯାଇଛି।
ଜଣେ ସ୍ରଷ୍ଟା ପୁରସ୍କାରମନସ୍କ ହେଲେ ସୃଷ୍ଟି ବାଧାପ୍ରାପ୍ତ ହୋଇଥାଏ। ପୁରସ୍କାର ଏବଂ ସମ୍ମାନ ଦୁଇଟି ଅଲଗା କଥା। ଜଣେ କାବ୍ୟ ଶିଳ୍ପୀକୁ ସମ୍ମାନୀତ କରିବା ପ୍ରତ୍ୟେକ ସଚେତନ ବ୍ୟକ୍ତି ବା ଅନୁଷ୍ଠାନର କର୍ତ୍ତବ୍ୟ।
ମୁଁ ବିଶ୍ବର ବିଭିନ୍ନ ସ୍ଥାନକୁ ଯାଇଛି ଏବଂ ସାହିତ୍ୟ ଓ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଛି। ବିଶ୍ବାୟନ ପରିପ୍ରେକ୍ଷୀରେ ମୁଁ ଅନୁଭବ କରିଛି ଯେ, ଆମ ସାହିତ୍ୟକୁ ଯଦି ବିଶ୍ବଦରବାରରେ ପହଞ୍ଚିବାକୁ ହେବ; ତାହାର ଇଂରାଜୀ ଅନୁବାଦ ଅତ୍ୟନ୍ତ ଜରୁରି।
ମୋ ସାହିତ୍ୟ ସାଧନା ପଛରେ ପାରିବାରିକ ସହଯୋଗ ନଥିଲେ ମୁଁ ଆଦୌ ଆଗେଇ ପାରି ନ ଥାନ୍ତି। ଜଣେ ସୃଜନଶୀଳ ସ୍ରଷ୍ଟା ପାଇଁ ଏହି ସହଯୋଗ ଅତ୍ୟନ୍ତ ଜରୁରି, ଯାହା ମୋତେ ବି ମିଳିଛି।
ମୁଁ ପ୍ରଥମରୁ କହିଛି ଓଡ଼ିଆ ଏକ ପ୍ରାଚୀନ ଭାଷା। ତାହାର ଶାସ୍ତ୍ରୀୟତା ସମ୍ପର୍କରେ ସମସ୍ତେ ସଚେତନ ହେବା ଆବଶ୍ୟକ। ଏହି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବାର ସମୟ ଆସିଛି। ଏହା ହୋଇପାରିଲେ ଓଡ଼ିଆ ସାହିତ୍ୟ ଇତିହାସରେ ଏହା ସ୍ମରଣୀୟ ହୋଇ ରହିବ।
ଓଡ଼ିଆ ସାହିତ୍ୟ ଇତିହାସ ଦେଖିଲେ ଜଣାଯାଏ ନାରୀମାନେ ବହୁତ ଡେରିରେ ଲେଖାଲେଖି ଆରମ୍ଭ କରିଛନ୍ତି। ଆମ ସମାଜରେ ଜଣେ ଲେଖକ ତୁଳନାରେ ଲେଖିକାମାନଙ୍କ ସ୍ବାଧୀନତା ପ୍ରାୟ ସୀମିତ। ଯଦିଓ ନାରୀ ମଧ୍ୟ ଜଣେ ସୁଜନଶୀଳ ସ୍ରଷ୍ଟା, ତଥାପି ସେ ପରମ୍ପରା ମୁକ୍ତ ନୁହେଁ। ତା ଜୀବନ ପଥ ଆଦୌ ସମତଳ ନୁହେଁ। ପୁରୁଷକେନ୍ଦ୍ରୀତ ସମାଜରେ ନାରୀ ଯେତେ ଉନ୍ନତିର ସୋପାନକୁ ଉଠିଲେ ମଧ୍ୟ ତାକୁ ସ୍ବୀକୃତି ମିଳିବା ଖୁବ୍ କମ୍।
ମୁଁ ଅଧ୍ୟାପନା କରୁଥିଲେ ମଧ୍ୟ କେବେହେଲେ ମୋ କର୍ତ୍ତବ୍ୟରୁ ଓହରିଯାଇ ନାହିଁ। ସଂସାର ଏବଂ ସାହିତ୍ୟ ସାଧନା ଭିତରେ ସମନ୍ବୟ ରକ୍ଷାକରି ଆଜି ମୁଁ ଏହି ଦୀର୍ଘ ପଥ ଅତିକ୍ରମ କରି ଆସିଛି। କବିତା ଲେଖିବା ପାଇଁ ମୁଁ ସଂସାର ଠାରୁ ଦୂରେଇ ଯାଇନାହିଁ। ଜୀବନକୁ ବାଦ୍ ଦେଇ କିଛି ସୃଷ୍ଟି କରିହୁଏ ନାହିଁ।
ମୋର ପରବର୍ତ୍ତୀ କବିତା ପୁସ୍ତକ ‘ଶାନ୍ତିନିକେତନ’ ଖୁବ୍ ନିକଟରେ ପ୍ରକାଶ ପାଇବ। ଏହା ଏକ ଦୀର୍ଘ କାବ୍ୟ। ଦୁଇବର୍ଷ ହେବ ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ଏହା ପ୍ରକାଶିତ ହୋଇଥିଲା।
ଜଣେ ପ୍ରକୃତ ସାହିତ୍ୟ ସ୍ରଷ୍ଟା ଯେଉଁଠି ଥିଲେ ବି ତାହାର ସୃଷ୍ଟି ସ୍ବୀକୃତି ପାଇଥାଏ। ତେଣୁ ଭୁବନେଶ୍ବରର ସାହିତ୍ୟିକମାନେ ଅଗ୍ରାଧିକାର ପାଉଛନ୍ତି ବୋଲି ମୁଁ ବିଶ୍ବାସ କରେ ନାହିଁ।
ଆଗାମୀ ପିଢ଼ୀର ସ୍ରଷ୍ଟାମାନଙ୍କୁ ମୁଁ କେବଳ ଏଇଆ କହିବି ଯେ, ‘ନିରବଧି କାଳ ବିପୁଳାଚ଼ ପୃଥ୍ବୀ’- କାଳ କେବଳ କଳନା କରିବ ସେମାନଙ୍କ ସୃଷ୍ଟିକୁ।
ଓଡ଼ିଆ ସାହିତ୍ୟକୁ ବିଶ୍ବ ଦରବାରରେ ପହଞ୍ଚାଇବା ନିମନ୍ତେ ଏହି ସାଧୁ ଉଦ୍ୟମକୁ ଧନ୍ୟବାଦ ଜଣାଉଛି।
= O =
ଡ.ମନୋରମା ବିଶ୍ବାଳ ମହାପାତ୍ରଙ୍କ ସହିତ ଏହି ସାକ୍ଷାତକାରଟି ଓଡ଼ିଆସାହିତ୍ୟ ଡଟ୍ କମ୍ ପକ୍ଷରୁ ଏହାର ସଂଯୋଜକ ବିଶ୍ବରୂପ ଦାସଙ୍କ ଦ୍ବାରା ଅକ୍ଟୋବର୍ ୨୦୧୨ରେ ପ୍ରସ୍ତୁତ କରାଯାଇଛି।