ମୂଳ ଲେଖା – କେ.ଶିବରାମ କରନ୍ଥ
ଅନୁବାଦ – ଅସିତ୍ ମହାନ୍ତି
ସୋନାଲି ପତ୍ରିକା ଦୁଇଟି ପଢ଼ିସାରି ଗୋଟାଏ କଡ଼କୁ ରଖିଦେଲା। ପତ୍ରିକା ଦୁଇଟି ଥିଲା ‘ପ୍ରଭାତ’ ଓ ‘ସ୍ବଦେଶାଭିମାନ’। ଇତିମଧ୍ୟରେ ପତ୍ରିକା ଦୁଇଟିକୁ ସିଏ ପାଞ୍ଚପାଞ୍ଚଥର ପଢ଼ି ସାରିଲାଣି। ତଥାପି ବି ସମୟ ନକଟିବାରୁ ସପ୍ତାହେ ତଳର ପୁରୁଣା ଖବରକାଗଜଗୁଡ଼ାକ କାଢ଼ି ସେ ସବୁକୁ ଓଲଟପାଲଟ କରି ଆଖି ପକେଇବାରେ ଲାଗିଲା। ସୋନାଲିର ଖବରକାଗଜ ପଢ଼ା ଦେଖି ଶାଶୁ, ରାଜିବୀ ଯେମିତି ଗୋଟାପଣେ ତାତି ଉଠିଲା। ସମୟ କାଟିବାର ଆଉ କି ଉପାୟ ବା ତା’ର ଥିଲା ! ଶାଶୁଙ୍କୁ ରୋଷେଇବାସରେ ସାହାଯ୍ୟ କଲା, ଡାଲି ବଘାରି ଦେଲା, ଅଟା ଚକଟି ରୁଟି ବେଲିଦେଲା, ରୋଷେଇ ସରିବା ପରେ ସବୁ ସଜଡ଼ାସଜଡ଼ି କରି ଥୋଇଦେଲା। ତଥାପି ବି ସମୟ କଟୁନାହିଁ। ପଡ଼ିଶା ଘରୁ ମାଗି ଆଣିଥିବା ‘ସଣ୍ଡେ ଟାଇମ୍ସ’ ବି ଓଲଟପାଲଟ କରି ଦେଖିଲା। ଯେତେବେଳେ ମନରେ ଶାନ୍ତି ନାହିଁ, ସେତେବେଳେ ଏଇ ଖବରକାଗଜଗୁଡ଼ାକ ବା କ’ଣ କରିପାରିବ? ‘ହିନ୍ଦୁ’ ଯଦି ଆସୁଥାଆନ୍ତା, ତା’ହେଲେ ଅବା ଆଉ କିଛି ସମୟ କଟିଯାଇ ପାରୁଥାଆନ୍ତା। ମାତ୍ର ମାସକୁ ମାସ ସେଥିପାଇଁ ପଇସା ଦେବା କଥା ଉଠିଲେ ତାର ସ୍ବାମୀ ଆପ୍ପଣା କମ୍ତୀର ଛାତିରେ ଯେମିତି ଛନକା ପଶିଯାଏ।
ରାତି ଆଠଟା ବାଜି ସାରିବା ପରେ ମିନିଟ୍ କଣ୍ଟା ଆହୁରି ଘେରାଏ ବୁଲି ଆସିଲାଣି। ସ୍ବାମୀ ନଆସିବା ଆଗରୁ ଖାଇ ପାରିବ ନାହିଁ। ନିଦ ଲାଗୁଥିଲେ ସୁଦ୍ଧା ଶୋଇ ବି ପାରିବ ନାହିଁ। ଦୋକାନ ବନ୍ଦ କରି ଘରକୁ ଆସୁଆସୁ ଆପ୍ପଣା କମ୍ତୀର ଦଶଟା ହେଇଯାଏ। ସକାଳ ଆଠଟାରୁ ରାତି ଦଶଟା ଯାଏ ତାର ଦୋକାନ ଖୋଲା। ଏମିତି କିଛି ଜିନିଷ ନାହିଁ, ଯାହା ତା’ ଦୋକାନରେ ନମିଳିବ। ଧାର୍ କରଜ ଦେବାର ସାହସ ବି ତାର ଅଛି। ଆଖପାଖର ସାରା ଗାଆଁ ପାଇଁ ସେଇଟା ଖାଲି ଗୋଟାଏ ତେଜରାତି ଦୋକାନ ନ ଥିଲା; ଥିଲା ଗାଆଁର ପଞ୍ଚାୟତ ଆଉ ଜନତା ଜନାର୍ଦ୍ଦନଙ୍କ କଚେରୀ ବି।
ଆପ୍ପଣା ଗାଆଁର ଟିକିନିଖି ଖବର ରଖେ। ତେଣୁ ନିଜର ପରି ସେ ସେଇସବୁ କଥା କହୁ କହୁ ଭୁଲେଇ ଦଣ୍ଡି ମାରିଦିଏ ବା ପଳାରେ କମ୍ ମାପି ଜିନିଷ ଦେଇଦିଏ। ମୂର୍ଖ ଗରାଖ ବିଚରା ସେକଥା ଜାଣି ପାରେ ନାହିଁ। ଏଣୁ, ଏମିତିରେ ଦେଖିଲେ ସଞ୍ଜ ଗଡ଼ିଯିବା ପରେ ବେପାରରେ ଯୋଉ ଲାଭ, ଅନ୍ୟବେଳେ ସେ ଲାଭ ସହଜ ନଥିଲା। ସଞ୍ଜବତୀ ଲାଗିବା ପରେ ତିନିବର୍ଷର ପୁରୁଣା ଫିମ୍ପିମରା ଧୂଆଁପତ୍ର ବି ‘ବଢ଼ିଆ’ ନମ୍ବରୀ ବରାଦୀ ମାଲ୍ ବନିଯାଉଥିଲା। ‘ମୁଁ କହୁଚି ପରା, ନେଇ ଦେଖ ଆଗ! ଏ କୋଳଥ ସିଝେଇ ବଳଦ ଆଗରେ ଥୋଇଦିଅ, ଦେଖିବ, ବଳଦ କେମିତି ତାଟିଆ ଚାଟି ଖାଇବେ; ଏ ଡାଲି ସିଝଉ ସିଝଉ ତାର ବାସ ତିନିମାଇଲ ଯାଏ ଚହଟିଯିବ; ହଳଦି ମଚମଚ ଏ ହରଡ଼ ଫାଳକୁ ତୁ ପୁଣି ବାଜେ ବୋଲି କହୁଚୁ!’ ଏମିତି ଗରାଖମାନଙ୍କୁ ମୂର୍ଖ ବନେଇବାରେ ତାର ଆଦୌ କୁଣ୍ଠା ନଥିଲା। କଥାବର୍ତ୍ତାରେ ସେ ଏପରି ଧୂରନ୍ଧର ଆଉ ଚତୁର ଥିଲା ଯେ ବାରମ୍ବାର ଧୋକା ଖାଇବା ପରେ ବି ଗରାଖମାନେ ଆପ୍ପଣା କମ୍ତୀର ଦୋକାନକୁ ହିଁ ଆସୁଥିଲେ।
‘‘କମ୍ତୀ ଭାଇ, ସେଦିନ ତୁ ଯୋଉ ହରଡ଼ ଡାଲି ଦେଇଥିଲୁ ନା, ତାକୁ ମଇଁଷି ବି ଛୁଇଁଲେ ନାଇଁ। ପୂରାପୂରି ପୋକରା-ଖାଲି ଯେମିତି ଅଟା ଝରୁଚି!’’ ଗରାଖର ଅଭିଯୋଗ ଶୁଣିବା ମାତ୍ରେ ସେ କହୁଥିଲା, ‘‘ଆଚ୍ଛା, ଆଚ୍ଛା, ଛାଡ଼ ସେକଥା। ମୁଁ ତାର ଭାଉ ଅଢ଼େଇଅଣା କହିଥିଲି ନା, ଏବେ ଦି’ଅଣା କରିଦଉଚି; ହେଲା! ତମ ପରି ଲୋକ କ’ଣ କେବେ ମିଛ କହିବ!’’ ଏମିତି ଭାବେ ଗରାଖଙ୍କୁ ବୋଧଦେଇ ସେଥର ବି ସେଇ ଏକା ପୋକରା ଡାଲି ଗରାଖ ମୁଣ୍ଡରେ ସେ ଥାପି ଦେଉଥିଲା। ଦୋକାନକୁ ଯୋଉ ଗରାଖ ଆସୁ ପଛକେ, ସିଏ ସବୁବେଳେ ସେଇ ଗୋଟିଏ କଥା କହୁଥିଲା- ‘‘ଆପଣଙ୍କ ଅଜାଙ୍କ ଅମଳରୁ ପରା ମୋ’ଦୋକାନରୁ ସଉଦା ଯାଉଚି। ପିତୃପୁରୁଷଙ୍କ ଋଣାନୁବଦ୍ଧତା କହିଲେ ଅସଲରେ ଏଇଆ।’’
କମ୍ତୀ ରାତିରେ ଡେରି କରି ଘରକୁ ଆସୁଥିଲା, ଆଉ ତୁରନ୍ତ ହାତଗୋଡ଼ ଧୋଇ ଖାଇବାକୁ ବସିଯାଉଥିଲା। ତାର ମାଆ ବି ତା’ ସାଙ୍ଗେ ଖାଇବାକୁ ବସୁଥିଲା। ସୋନାଲି ପରଷି ଦେଉଥିଲା। ଖାଇ ସାରିବା ପରେ କମ୍ତୀ ସାଙ୍ଗେ ସାଙ୍ଗେ ଶୋଇବାକୁ ଚାଲିଯାଉଥିଲା। ସୋନାଲି ଖିଆପିଆ, କାମଦାମ ସାରି ଆସିଲା ବେଳକୁ ଆପ୍ପଣା ଶୋଇପଡ଼ୁଥିଲା ନିଘୋଡ଼ ନିଦରେ। ତା’ର କୁମ୍ଭକର୍ଣ୍ଣ ନିଦ ଯାଇ ସକାଳେ ଭାଙ୍ଗୁଥିଲା, ଆଉ ତରବର ହେଇ ନିତ୍ୟକର୍ମ ସାରିଦେଇ ସିଏ ଦୋକାନକୁ ବାହାରି ଯାଉଥିଲା। ସୋନାଲି ବି ଘରର କାମଦାମରେ ଲାଗିଯାଉଥିଲା। ଦି’ପହରରେ ଦି’ଟା ବାଜିବା ଆଗରୁ କମ୍ତୀ କେବେ ଘରକୁ ଫେରୁ ନଥିଲା। ସିଏ ଘରକୁ କେତେବେଳେ ଆସୁଥିଲା ଆଉ ଘରୁ କେତେବେଳେ ଯାଉଥିଲା, ତାହା ଜାଣିବା ମୁସ୍କିଲ୍ ଥିଲା।
ସୋନାଲି ଯଦି ଜିଦ୍ କରି ଘଣ୍ଟାଏ ପହରେ ଆରାମ କରିବାକୁ କହୁଥିଲା ତ କମ୍ତୀ ବିରକ୍ତ ହେଇ କହୁଥିଲା- ‘‘ଗରାଖ କ’ଣ ଆଉ ରଖିବେ ! ଧୂଆଁପତ୍ର ବେପାରୀ ଆସିଚି। ତା’ସାଙ୍ଗେ ମୂଲଚାଲ କରି ଦେଇ ଆସିଚି। ମାଲ୍ ଏଯାଏ ଓଜନ ବି ହେଇନାଇଁ। ଯଦି ସିଏ ନିଜେ ଓଜନ କରିଦେଇ ଚାଲିଯାଏ ତା’ହେଲେ ମହଣକ ତିରିଶି ସେର ହବ ଜାଣି ଥା’।’’ ଏମିତି କିଛି କହୁ କହୁ ସିଏ ଅସମ୍ଭାଳ ହେଇ ଘରୁ ବାହାରି ଚାଲିଯାଉଥିଲା।
ଦିନେ ଦିନେ ରାତିରେ, ସୋନାଲି ଭଗୀରଥ ପରି ଯତ୍ନ କରି ଯଦି କମ୍ତୀ ସାଙ୍ଗେ କଥା ହେବାକୁ ଚେଷ୍ଟା କରୁଥିଲା, ତା’ହେଲେ ସିଏ ଠିକ୍ କରି ପାରୁ ନଥିଲା ଯେ ତା’ ସାଙ୍ଗେ କି କଥା ହେବ। ଆପ୍ପଣା ଯଦିବା କେବେ ମୁହଁ ଖୋଲୁଥିଲା, ‘‘ଏ ବର୍ଷ ଭଲ ପାଳକ ହବ’’ ବା ‘‘ପାର୍ବତୀ ଷ୍ଟିମର, ବନ୍ଦରରେ ଆସି ପହଞ୍ଚି ପାରିଲା ନାହିଁ।’’ ଆଦି ହିଁ କହୁଥିଲା। ‘‘ସେଦିନ ଷ୍ଟିମର୍ ଆସିବା ଖବର ଆସିଲା, ହେଲେ ଏଥର ‘ପାର୍ବତୀ’ ଆସି ନାଇଁ। ପାର୍ବତୀ ତ ଖୁବ୍ ଛୋଟ। ଏବେ ଯୋଉ ‘ଦମୟନ୍ତୀ’ କାର୍ଗୋ ବୋଟ୍ ଆସୁଚି, ତାହା ବନ୍ଦରକୁ ତିନିଥର ଆସି ଲେଉଟି ଗଲାଣି। ଦୋକାନରେ ଦାନାଏ ହେଲେ ଚିନି ନାହିଁ। ଦମୟନ୍ତୀରେ ୩୦୦ବସ୍ତା ଲଦା ହେଇଚି; ହେଲେ ଏ ବଦମାସ୍ ତୋଫାନ୍ଟା ଜମା ପିଛା ଛାଡ଼ୁନାହିଁ। କଲମ୍ବୋରେ ତ ବର୍ଷା ଆସିଗଲାଣି।’’
ଆପ୍ପଣାର ଏ ଲମ୍ବା ଭାଷଣ ଶୁଣି ସୋନାଲି ଚିଡ଼ିଯାଏ। ସାରା ମାସରେ ଦିନଟିଏ ହେଲେସେ ତାର ଦୁଃଖସୁଖ ବୁଝନ୍ତା ! ହଠାତ୍ ତାର ମୁହଁରୁ ବାହାରି ଗଲା-‘‘ଦମୟନ୍ତୀ ଆସୁ କି ନଆସୁ, ମୋର କି ଗରଜ ପଡ଼ିଚି। ତମ ଷ୍ଟିମର ତ କୋଉଦିନ ବନ୍ଦ ହବାର ନାଇଁ। ଚିନି ନମିଳିଲା ନାଇଁ, ମିଠା କଥାର ବି କ’ଣ ଅଭାବ ପଡ଼ିଚି? ଯାହାର କଥାବାର୍ତ୍ତା ହବାକୁ ବି ତର ନାଇଁ, ତାର ବାହା ହବା କି ଦରକାର ଥିଲା !!’’
ଏହାର ପରବର୍ତ୍ତୀ ଘଟଣା ଆପଣ ଆପେ ଅନୁମାନ କରିପାରିବେ। ଆପ୍ପଣା ବୁଝିଗଲା ଯେ ବର୍ଷା ବା ପାଣିପାଗ ବିଷୟରେ କଥା ହେବା ଠିକ୍ ହେଇନାଇଁ। ବାସ୍, ସେ ଚୁପ୍ ହେଇଗଲା। ସାରାରାତି ବିତିଲା, ଚୁପ୍ଚାପ୍।
ପରଦିନ ଦି’ପହର। ମା’ ପୁଅ ଦିହେଁ ଭୋଜନରେ ବସିଲେ। ସୋନାଲି ଭାତ ବାଢ଼ୁଥିଲା। ସେତିକିବେଳେ ଆପ୍ପଣା ଥଟ୍ଟା କରି କହିଲା, ‘‘ଏବେ ତ ମୋ’ ପାଖରେ ଦି’ପଦ ମିଠା କଥା ବି ନାହିଁ, ଦଶମ ଯାଏ ପଢ଼ିଚି ତ! ମୁଣ୍ଡକୁ ପିତ୍ତ ଚଢ଼ିଗଲାଣି !!’’
‘‘କଥା କ’ଣ?’’ ମାଆ ପଚାରିଲେ। ପୁଅ ଶୁଣେଇ ଦେଲା ସବୁ କଥା। ସିଏ ବି ପୁଅପଟିଆ ହେଇ କହିଲେ, ‘‘ୟା’ର ବି ବରର କି ଦରକାର? ନ୍ୟୁଜ୍ପେପର ଯେ ଅଛି ! ଏ ଘରେ ତାର କି ଅଭାବ ବା ଅଛି? ଖାଇବାକୁ ନାହିଁ?? ନା ପିନ୍ଧିବାକୁ ନାହିଁ?? ନା ଆଉ କିଛିର ଅଭାବ ଅଛି???’’
ସୋନାଲି ବି ଚିହିଁକି ଉଠିଲା। କହିଲା, ‘‘ହଁ, ହଁ, ସବୁ ଅଛି, ତା’ତ ଅଗଣାରେ ବନ୍ଧା ହୋଇଥିବା ଗୋପୀ (ଗାଈ) କି ବି ମିଳୁଚି।’’
ଶାଶୁର ଅହଙ୍କାରକୁ ଏକଥା ବାଧିଲା। ସେ କହିଲା, ‘‘ଆଚ୍ଛା, ତା’ହେଲେ ମୁହଁ ଉପରେ ଜବାବ ଦବା ବି ଆରମ୍ଭ ହେଲାଣି ! ଏ ଘରେ କ’ଣ ତତେ ଆମେ ଗୋପୀ ପରି ରଖିଚୁ? ଆପ୍ପଣା, କାଲିଠୁ ତୁ ଆଉ ଦୋକାନ ଯାଆନା, ବୁଝିଲୁ! ୟା’ ପାଖେ ବସି ଇଂରେଜୀ ଖବରକାଗଜ ପଢ଼। ଦୋକାନ ପଛେ ଚୁଲିକି ଯାଉ। ପରେ ବିବିଜୀଙ୍କୁ ଯେତେବେଳେ ଅଟା ଚାଉଳର ଭାଉ ମାଲୁମ ହବ, ସେତେବଳେଳ ବୁଝିବ, ଇଂରାଜୀ ପଢ଼ି ତ ଦେବପ୍ପା ପ୍ରଭୁର ଘର ଉଜୁଡ଼ିଗଲା। ନହେଲେ ବନ୍ଦରରେ ଲକ୍ଷ ଲକ୍ଷ ଟଙ୍କାର ବେପାର ଯିଏ କରୁଥିଲା ତା’ ଦଶା କ’ଣ ଏଇଆ ହେଇ ଥାଆନ୍ତା? ଥରେ ଗୁଆ ଦର ଖସିଗଲା ଯେ ସେତିକିରେ କ’ଣ କେହି ବୁଡ଼ିଯିବା କଥା?’’
ମାଆର କଥାରେ କଥା ଯୋଡ଼ି ଆପ୍ପଣା କହିଲା, ‘‘ଗୁଆ ବେପାରରେ କିଛି କଥା ନାହିଁ। ସିଏତ ରାତିଦିନ କ୍ଲବ୍ରେ ପଡ଼ି ରହିଲା। ସକାଳୁ ସଞ୍ଜ ଖାଲି ତାସ୍, ଇଂରାଜୀ ଖବରକାଗଜ, ଦୋକାନରେ ଯାବତ ଲୋକଙ୍କ ଦରବାର, ଆଉ ମାଲପାଣି; ଏଥିରେ ଲକ୍ଷେ ତ ଲକ୍ଷେ, ଦଶଲକ୍ଷ ହେଲେ ବି କ’ଣ ରହିବ? ଯଦି ତାର ସେ ଆଗର ଥାଟ୍ ଥା’ନ୍ତା, ତା’ହେଲେ କ’ଣ ଗୋଟାଏ ଆପାଠୁଆ ପୁଅ ସାଙ୍ଗେ ତା’ର ଦଶମ ପାସ୍ ଝିଅକୁ ବାହା ଦେଇଥାନ୍ତା?’’
ଆପ୍ପଣା କେବେ କିଛି କଥା କହେନା, ହେଲେ ମଉକା ପାଇବା ମାତ୍ରେ ସିଏ ଯେ ଏମିତି ଅନର୍ଗଳ ବଢ଼ିଯିବ, ଏକଥା ସୋନାଲିର କଳ୍ପନାତୀତ ଥିଲା। ସେ ପ୍ରଥମରୁ ଚିନ୍ତାରେ ବୁଢ଼ି ରହିଥିଲା ଯେ, ତା ଭାଗ୍ୟରେ ଏ କି ବିଚିତ୍ର ଘର ଥିଲା?
ଦି’ପହରରେ ସେ ଖାଇପାରିଲା ନାହିଁ, ନିଜ ବଖରାଟିକୁ ଆସି ମୁହଁ ଭାରି କରି ବସି ରହିଲା। ସିଏ ତା’ ମୁହଁ ଯେତେ ଭାରିକରି ବସୁ ପଛେ, ସେଥିରେ କାହାର ବା କି ଗରଜ ପଡ଼ିଚି? ଶାଶୁ ଆସିଲେ ନାହିଁ। ପତିଦେବଙ୍କର ତ ସବୁବେଳ ଦୋକାନରେ ହିଁ କଟେ। ସେ ଖବରକାଗଜ ଉଠେଇ ଫାଡ଼ି ଫୋପାଡ଼ି ଦେଲା। ତାର ମନେପଡ଼ିଲା, ସେମାନେ ତା’ର ବାପାଙ୍କୁ ନିନ୍ଦା କରିଥିଲେ। ତାଙ୍କର ଦେବାଳିଆ ହେବାର କାରଣ ତାସ୍ ତ ନିଶ୍ଚୟ, କିନ୍ତୁ କେବଳ ତାସ୍ ତ ହୋଇ ନପାରେ। କ’ଣ ସିଏ ଖବର କାଗଜ ପଢ଼ି ପଢ଼ି ଦେବାଳିଆ ହେଇଗଲେ? ସେ ଦେବାଳିଆ ହେଲେ, ଏହା ଅବଶ୍ୟ ସତ୍ୟ; ମାତ୍ର ସେ ନିଜ ଝିଅର ବାହାଘର ଜଣେ ଆଇ.ସି.ଏସ୍. ସହିତ କରାଇଦେବାକୁ ଚାହୁଁଥିଲେ। କିନ୍ତୁ ଶେଷରେ ଆପ୍ପଣା ହାତରେ ହିଁ ତାଙ୍କୁ ନିଜ ଝିଅର ହାତ ଛନ୍ଦି ଦେବାକୁ ହେଲା; ଆଉ କିଛି ଥାଉ ନଥାଉ, ଖିଆପିଆ ବା ଲୁଗାପଟାର ଚିନ୍ତା ତ ଅନ୍ତତଃ ରହିବ ନାହିଁ। ସେ ନିଜ ଝିଅକୁ ଖୁବ୍ ଗେଲବସରରେ ବଢ଼ାଇଥିଲେ। ଭାରି ଅଲିଅଳୀ ଥିଲା ସିଏ। ବାହାଘରର ଅଳ୍ପ କିଛିଦିନ ଆଗରୁ ହିଁ ସେ ଆପ୍ପଣାର ଘର ସମ୍ପର୍କରେ ସବୁକଥା ଜାଣିଲେ।
ଏବେ ଆଉ କ’ଣ ବା କରାଯାଇପାରେ? ସୋନାଲି ଭାବିବାରେ ଲାଗିଲା। ବାପଘର ଚାଲିଯିବାଟା କ’ଣ ଉଚିତ୍ ହେବ? ତା’ ବାପା ସବୁ ଜଞ୍ଜାଳରୁ ମୁକ୍ତି ନେବା କଥା ଚିନ୍ତା କରୁଥିଲେ। ତାଙ୍କ ଉପରେ ନିଜ ଚିନ୍ତାର ଭାର ଲଦିଦେଇ ତାଙ୍କୁ ପୁଣି ଦୁଃଖୀ କରିବାଟା ଠିକ୍ ହେବ? ସତର ବର୍ଷ ବୟସରେ ତାର ବାହାଘର ହୋଇଥିଲା। ଏବେ ତାକୁ ଚବିଶ୍। ଦୁଃଖ ବାଣ୍ଟିବା ପାଇଁ କୋଳରେ ପିଲାଟିଏ ବି ନାହିଁ। ଲୋକବାକ ଭିତରେ ଥାଇ ବି ସିଏ ଏକା।
ଅନେକବାର ସୋନାଲିର ଇଚ୍ଛା ହୋଇଛି, ବାପ ଘରକୁ ଚାଲିଯିବ। ତାର ବାପା ତାକୁ ଦେଖିଲା ମାତ୍ରେ କହୁଥିଲେ, ‘‘ମୁଁ ତତେ କୂଅକୁ ଠେଲି ଦେଲି।’’ କହି କାନ୍ଦି ଉଠୁଥିଲେ। ଏବେ ତାଙ୍କ ଆଗରେ ଯଦି ନିଜର ଦୁଃଖ ବଖାଣି ବସେ, ତା’ହେଲେ ତାଙ୍କ ମନରେ ଭାରି ଦୁଃଖ ହେବ। ସେଥିପାଇଁ ଯେବେ ବି ସିଏ ବାପଘର ଯାଇଛି, ନିଜ ଶଶୁରଘରର ବୈଭବ ବଖାଣିଚି। ସୋନାଲି ମନେମନେ ଭାବିଲା, ଏପରି ଏକ ବୀଭତ୍ସ କ୍ଷତ ତାଙ୍କୁ ଯାଇ ଦେଖାଇବା ଠିକ୍ ହେବ ନାହିଁ, ସେଠିକି ଯାଇ ତାଙ୍କ ସାଙ୍ଗେ ମିଶି ଅଭାବ ଅନଟନ ଭିତରେ ଦିନ କାଟିବା ବି ଠିକ୍ ହେବ ନାହିଁ।
ଏବେ ତା’ହେଲେ କ’ଣ କରାଯାଇପାରେ? ସ୍ବାମୀକୁ ବିଦ୍ବାନ କରିବା ସମ୍ଭବ ନୁହେଁ। ତାଙ୍କ ପାଖରେ ତ ଅନେକ ବିଦ୍ୟା। ସ୍କୁଲ୍ ଯାଇ-ବେପାର ପାଇଁ ଅତି କମ୍ରେ ଯେତିକି ଦରକାର ସେତିକି ଜ୍ଞାନ ସିଏ ହାସଲ କରି ସାରିଛନ୍ତି। କିନ୍ତୁ ଏମିତି କ’ଣ କିଛି ସ୍କୁଲ ଅଛି, ଯେଉଁଠୁ ଦାମ୍ପତ୍ୟ ପାଇଁ ପ୍ରୟୋଜନ ଜ୍ଞାନ ହାସଲ କରାଯାଇପାରିବ? ଏହି ଚିନ୍ତା ତା’ମନରେ ଆସୁଥିଲା। ଯଦି କୌଣସି ସ୍କୁଲ୍ରେ ଏପରି କିଛି ଶିକ୍ଷା ଦିଆଯାଉଥାଆନ୍ତା, ତା’ହେଲେ ସବୁ ସ୍କୁଲ୍ କଲେଜ୍, ପରୀକ୍ଷାକେନ୍ଦ୍ର ହେବା ବଦଳରେ ବିବାହ ମଣ୍ଡପ ହୋଇଯାଆନ୍ତା ନାହିଁକି? ଏକଥା ମନକୁ ଆସିବା ମାତ୍ରେ ସିଏ ହସି ଉଠିଲା।
ହସି ହସି ତା ପେଟ କ’ଣ ହେଇଗଲା। ମାତ୍ର ପରକ୍ଷଣରେ ତା’ର ମନକୁ ଆସିଲା, ଯେଉଁ ବିଦ୍ୟା ପରିବାରରେ ଦରକାରରେ ନ ଲାଗୁଚି, ସେ ବିଦ୍ୟା ଯାହା କିଛି ହେଉ ପଛେ, ସେଥିରେ କି ଲାଭ? ଅଲଗା ଅଲଗା ପୁରୁଷ ଅଲଗା ଅଲଗା ନାରୀକୁ ଅଲଗା ଅଲଗା ବଢ଼େଇ, କୁଢ଼େଇ ଦିନେ ଦୁହିଁଙ୍କୁ ଏକାଠି ଦାମ୍ପତ୍ୟପାଇଁ ବାହାବେଦୀରେ ବସେଇ ଦେବାଟା କ’ଣ ଏକ ଭ୍ରମ ନୁହେଁ?
କନ୍ନଡ଼ ସାହିତ୍ୟ ପ୍ରଖ୍ୟାତ ସାହିତ୍ୟିକ ଏବଂ ଭାରତୀୟ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ କେ.ଶିବରାମ କରନ୍ଥ(୧୯୦୨-୧୯୯୭)ଙ୍କ ବହୁଳ ପଠିତ “ଦାମ୍ପତ୍ୟ” ଉପନ୍ୟାସକୁ ଏକ କାହାଣୀ ମାଧ୍ୟମରେ ଉପସ୍ଥାପନା କରିଛନ୍ତି ଅସିତ୍ ମହାନ୍ତି। “ଜ୍ଞାନପୀଠ ବିଜେତାଙ୍କ କଥା ଓ କାହାଣୀ-ଅଧ୍ୟାୟ ଏକବିଂଶ” ଶୀର୍ଷରେ ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ପ୍ରକାଶିତ ପୁସ୍ତକରୁ ଏହି କାହାଣୀଟି ସଂଗୃହିତ।