ଏହା ଏକ ଚିରନ୍ତନ ସତ୍ୟ ଯେ, ପ୍ରତିଟି ସୁଖ ଭିତରେ ଦୁଃଖଟିଏ ଲୁଚିକରି ରହିଥାଏ। ଅଜ୍ଞାନ ମନୁଷ୍ୟ ସେଇଟିକୁ ଦେଖି ନପାରି କ୍ଷଣିକ ସୁଖରେ ଭୋଳ ହୋଇଯାଇଥାଏ ଏବଂ ଯେଉଁଦିନ ସେଇ ସତ୍ୟଟିକୁ ସାମ୍ନା କରିଥାଏ ସେଦିନ ସେ ଦୁଃଖରେ ଭାଙ୍ଗି ପଡ଼ିଥାଏ। ମୁଁ ଏହାର ସମସ୍ତେ ଉଣା ଅଧିକେ ଅଙ୍ଗେ ନିଭେଇଥିବା ଉଦାହରଣ ଦୁଇଟି ଦେବାକୁ ଚାହୁଁଛି।

ଗୋଟିଏ ବାପର ଜୀବନରେ ସବୁଠୁ ସୁଖମୟ ଦିନ ହେଉଛି ଯେଉଁଦିନ ତା’ର ପୁଅଟି ଚାକିରି କି ବେପାର କରି ପ୍ରଥମ ଉପାର୍ଜନ ଟଙ୍କା ଘରକୁ ଆଣି ତାକୁ ଦେଇଥାଏ। ସେଦିନ ବାପର ଗୋଡ଼ ହାତ ତଳେ ଲାଗି ନଥାଏ। ସାଇ ପଡ଼ିଶା, ବନ୍ଧୁବାନ୍ଧବ ସମସ୍ତଙ୍କୁ ସେ ସେଇ କଥାଟି ବାରମ୍ବାର କହୁଥାଏ। ଶୁଣିଲଣି, ମୋ ପୁଅ ଚାକିରି ପାଇଗଲା। ମାସକୁ ଦରମା ଏତେ’ କହି ତା’ ଛାତିକୁ କୁଣ୍ଢେ ମୋଟ କରିଦେଇଥାଏ। କିନ୍ତୁ ସେତେବେଳକୁ ବାପଟି ବୁଝିପାରୁନି ଯେ, ଏଇଟା ହିଁ ତା’ର ଦୁଃଖମୟ ଜୀବନର ପ୍ରଥମ ଦିନ। ଦିନକୁ ଦିନ ପୁଅ ଯେତେ ଅଧିକା ରୋଜଗାର କରୁଥାଏ, ସେତିକି ସେ ବାପାଠୁ ଦୂର ହୋଇ ଯାଉଥାଏ। ଯେଉଁଦିନ ପୁଅର ରୋଜଗାର ତା’ର ଶୀର୍ଷ ସ୍ଥାନରେ ପହଞ୍ଚିଯାଏ ଓ ବାପାର ସର୍ବନିମ୍ନ ହୋଇଯାଏ, ସେଇଦିନ ସେମାନଙ୍କ ସମ୍ପର୍କ ପ୍ରାୟ ଛିନ୍ନ ହୋଇଯାଇଥାଏ। ତା’ପରେ ତାକୁ ପୁଅ ପାଖରେ ଟଙ୍କା ଶହେଟି ପାଇଁ ମଧ୍ୟ ହାତ ପତେଇବାକୁ ପଡ଼ିଥାଏ ଏବଂ ଏହି ଶହେଟି ଟଙ୍କା ଦେବା ନ ଦେବା ପୁଅର ମର୍ଜି ଉପରେ ନିର୍ଭର କରିଥାଏ।

ଥରେ ଭାବନ୍ତୁ ତ, ପୁଅର ଯେଉଁ ଟଙ୍କା ପ୍ରଥମ ଦିନ ଆପଣଙ୍କୁ ଏତେ ସୁଖ ଦେଉଥିଲା ସେ ଆପଣଙ୍କ କ’ଣ କାମରେ ଆସିଲା? ଯେଉଁଦିନ ଏଥିପାଇଁ ଆପଣ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ ସେଦିନ ଗଲା କୁଆଡ଼େ? ଯାହାକୁ ଆପଣ ସବୁଠୁ ବେଶୀ ସୁଖ ବୋଲି ଭାବିଥିଲେ ସେ ଆପଣଙ୍କୁ ସବୁଠୁ ବେଶୀ ଦୁଃଖ ଦେଲା ନାହିଁ କି?

ମୋର ଜଣେ ବନ୍ଧୁଙ୍କ ପୁଅବୋହୂ ବିଦେଶରେ ଅଛନ୍ତି। ବିଦେଶୀ ମୁଦ୍ରାର ଆକର୍ଷଣରେ ଦିନେ ବାପା ମା’ ଖୁସିରେ ନାଚି ଉଠିଥିଲେ। ଆଜି କିନ୍ତୁ ଘରେ ବୁଢ଼ାବୁଢ଼ୀ ଦୁଇଜଣ। ଦେହ ପା’ କ’ଣ ହେଲେ କେହି ଟିକେ ଦେଖିବାକୁ ନାହାଁନ୍ତି। ପୁଅ କିନ୍ତୁ କହୁଛି ଯେ, ମୁଁ ବିଦେଶରେ ଥାଇ ମଧ୍ୟ ବାପା ମା’ଙ୍କର ସବୁ ବ୍ୟବସ୍ଥା କରିଦେଇଛି। ସେମାନଙ୍କର ଯଦି ଅକସ୍ମାତ କିଛି ହୋଇଯାଏ ତେବେ ଇନସ୍ୟୁରାନ୍ସ କମ୍ପାନୀ ତାଙ୍କର ଶବଦାହ ସମେତ ସମସ୍ତ ଶୁଦ୍ଧକର୍ମ କରି ପୁଅ ପାଖକୁ ତା’ର ବିଲ୍‌ ପଠେଇ ଦେବ। ବାପା ମା’ ଯଦି ଚାହାନ୍ତି ତେବେ ତାଙ୍କ ଅସ୍ଥି ମଧ୍ୟ ଗଙ୍ଗାରେ ବିସର୍ଜନ କରି ବ୍ରାହ୍ମଣମାନଙ୍କୁ ଖୁଆଇପିଆଇ ସେ ବାବଦ ସମସ୍ତ ଖର୍ଚ୍ଚର ବିବରଣୀ ସହିତ ବିଲ୍‌ ପଠେଇଦେଲେ ତା’ ମଧ୍ୟ ପୈଠ ହୋଇଯିବ। ବଞ୍ଚିଥିବା ଯାକ ସବୁ ଖର୍ଚ୍ଚ ପାଇଁ ଦୁଇ ତିନିଟା କ୍ରେଡ଼ିଟ୍‌ କାର୍ଡ଼ ମଧ୍ୟ ବାପା ମା’ଙ୍କ ହାତରେ ଧରେଇ ଦେଇଛନ୍ତି। ଥରେ ନିଜକୁ ପ୍ରଶ୍ନ କରନ୍ତୁ, ପୁଅ ଯେଉଁଦିନ ବିଦେଶ ଗସ୍ତ ପାଇଁ ଘର ଛାଡ଼ିଥିଲା, ସେଦିନ ଆପଣ କ’ଣ ଏଇୟା ଚାହିଁଥିଲେ କି?

ବାପାଙ୍କ ପରେ ଦ୍ବିତୀୟ ଉଦାହରଣଟି ହେଉଛି ‘ମା’। ଗୋଟିଏ ମା’ର ସବୁଠୁ ସୁଖମୟ ଦିନ ହେଉଛି ଯେଉଁଦିନ ତା’ର ପୁଅ ବାହାହୋଇ ସୁନାନାକୀ ବୋହୂଟିଏ ଘରକୁ ଆଣିଥାଏ। ସେଦିନ ମା’ର ଗୋଡ଼, ହାତ ତଳେ ଲାଗି ନଥାଏ। ସାଇପଡ଼ିଶା, ବନ୍ଧୁବାନ୍ଧବ ସମସ୍ତଙ୍କୁ ନେଇ ବୋହୂଟିକୁ ଦେଖେଇବା ପରେ ତା’ ଛାତି ଗର୍ବରେ ଫାଟି ପଡୁଥାଏ। “ମୋ’ ବୋହୂ ଗୋଟିଏ ଚାଉଳରେ ଗଢ଼ା। ମୋ’ ବୋହୂ ଆମ ଗାଁର ସବୁଠୁ ସୁନ୍ଦର ବୋହୂ। ମୋ’ ବୋହୂ ୟା’ ଆଣିଛି, ମୋ ବୋହୂ ତା’ ଆଣିଛି। ମୋ’ ବୋହୂଟି!” ମା’ କିନ୍ତୁ ଜାଣିପାରୁନି ଯେ, ତା’ର ସମସ୍ତ ସୁଖ ଓ ଆନନ୍ଦର ଉତ୍ସ ବୋହୂଟି ଭିତରେ ହିଁ ତା’ ଜୀବନର ସବୁଠୁ ଦୁଃଖମୟ କାହାଣୀଟି ଲୁଚି ରହିଛି। ଯେଉଁ ବୋହୂକୁ ମା’ ଦିନେ ମୁଣ୍ଡ ଉପରେ ବସେଇ ବୁଲଉଥିଲା ସେଇ ବୋହୂ ହିଁ ପରେ ତାକୁ ଛେକରା ନାକରା କହି ନାକ ଟେକୁଛି ଆଉ ଆପଣ ଅସହାୟ ହୋଇ ଖାଲି ଚାହିଁ ରହୁଛନ୍ତି।

ଦୁନିଆରେ ପ୍ରତିଦିନ ଏମିତି ଘଟଣା ଘଟିବାରେ ଲାଗିଛି। ଗୋଟିଏ ମା’ ତା’ର ଚାରୋଟିଯାକ ପୁଅକୁ ଏକୁଟିଆ ପାଳି ପାରୁଛି ଅଥଚ ଚାରୋଟିଯାକ ପୁଅ ମିଶି ମା’କୁ ପାଳି ପାରୁନାହାଁନ୍ତି। ଶେଷକୁ ମା’ ବାଣ୍ଟି ହୋଇଯାଉଛି। ଆଜି ଏ ପୁଅ ଘରେ ତ କାଲି ସେ ପୁଅ ଘରେ। ଜଣେ ପୁଅ ଯଦି ମା’କୁ ଏକୁଟିଆ ରଖିବାକୁ ରାଜି ବି ହୋଇଯାଏ ତେବେ ଏଇ ବୋହୂଟି ସାଙ୍ଗେ ସାଙ୍ଗେ ଚିତ୍କାର କରି କହିବ “କାହିଁକି? ମା’ କ’ଣ ତୁମକୁ ଏକଲା ଜନମ କରିଥିଲା କି? ହେଇଟି କାନ ଖୋଲିକି ଶୁଣ, ସେ ଶ୍ରବଣ କୁମାର ଡ୍ରାମା ଗୁଡ଼ାକ ମୋ’ ପାଖରେ ବଳିବନି। ମୁଁ ବର୍ଷକୁ ତିନିମାସରୁ ଅଧିକା ରଖି ପାରିବ ନାହିଁ।” ତା’ପରେ ଆପଣଙ୍କର ଥୋମଣୀ ଚୁପ୍‌।

ଅନେକ ପୁଅଝିଅ ସେମାନଙ୍କର ଅସହାୟତା ସ୍ବୀକାର କରି ଯୁକ୍ତି କରନ୍ତି ଯେ, ଯେହେତୁ ଆଧୁନିକ ଜୀବନ ଅତି ବ୍ୟସ୍ତ ଓ ଏହାର ଗତି ଅତ୍ୟନ୍ତ ତୀବ୍ର, ଅନେକ କ୍ଷେତ୍ରରେ ଏହିପରି ଘଟଣା ବାଧ୍ୟ ବାଧକତାରେ ଘଟିଥାଏ। ମୋର ଏଠି ଏତିକି କହିବା କଥା ଯେ, ଆଧୁନିକ ଜୀବନ ଅତି ବ୍ୟସ୍ତ ହୋଇପାରେ ଏବଂ ଏହାର ଗତି ମଧ୍ୟ ଅତ୍ୟନ୍ତ ତୀବ୍ର ହୋଇପାରେ କିନ୍ତୁ ତା’ ସହିତ ମା’ବାପାଙ୍କର ସୁଖ, ଦୁଃଖର କିଛିଟା ତାଳମେଳ ରହିବା ଆବଶ୍ୟକ। ନଚେତ୍‌ ଏହି ସମ୍ପର୍କରେ ଏକ ବିରାଟ ଦୁର୍ଘଟଣା ଘଟିଥାଏ ଯାହାର ଅନୁଶୋଚନା ଆପଣଙ୍କର ଭବିଷ୍ୟତ ଜୀବନକୁ ଦୁର୍ବିସହ କରିପକାଏ।

ରାସ୍ତା ଉପରେ ବୁଢ଼ାବୁଢ଼ୀ ଦୁଇଜଣ ଯାଉଥିଲେ। ଅଚାନକ ବୁଢ଼ୀଟି ଝୁଣ୍ଟିପଡ଼ି ପାଖରେ ଥିବା ନଳା ଭିତରେ ପଡ଼ିଗଲା। ଦୁର୍ବଳ ବୁଢ଼ାଟି ବୁଢ଼ୀକୁ ଉଦ୍ଧାର କରିବାକୁ ବହୁତ ଚେଷ୍ଟା କଲା, କିନ୍ତୁ ପାରିଲା ନାହିଁ। ରାସ୍ତା ଉପରେ ଗାଡ଼ିମଟର ସବୁ ସାଇଁ ସାଇଁ ଚାଲିଛି। ବୁଢ଼ାଟା ଛିଡ଼ା ହୋଇ ସମସ୍ତଙ୍କୁ ଅଟକେଇବାକୁ ଚେଷ୍ଟା କଲା। କିଏ କାହିଁକି ରହିବ? ପବନ ପ୍ରାୟ ଉଡ଼ି ଯାଉଥିବା ଗାଡ଼ିଗୁଡ଼ିକ ରହିବାର ନାଁ ଗନ୍ଧ ନେଉ ନଥାନ୍ତି। ବୁଢ଼ା ଅତ୍ୟନ୍ତ ବ୍ୟସ୍ତ ହୋଇପଡ଼ିଲା। କ’ଣ କରିବ କିଛି ଜାଣିପାରିଲା ନାହିଁ। ବୁଢ଼ୀଟି ଅଧାମଲା ଅବସ୍ଥାରେ ନଳା ଭିତରୁ ତାକୁ ଉଦ୍ଧାର କରିବାକୁ ଚିତ୍କାର କରୁଥାଏ। ବୁଢ଼ା ସେଠୁ କ’ଣ କଲା ନା, ରାସ୍ତା ଉପରୁ ଗୋଟେ ମାଙ୍କଡ଼ା ପଥର ଉଠେଇ ଆଗରୁ ତୀବ୍ର ଗତିରେ ମାଡ଼ି ଆସୁଥିବା ଗୋଟେ ଲମ୍ବା ଗାଡ଼ି ଉପରକୁ ଖୁବ୍‌ ଜୋରରେ ଫିଙ୍ଗି ଦେଲା। ଅଚାନକ ପଥର ମାଡ଼ ଖାଇ ଡ୍ରାଇଭର ବ୍ରେକ୍‌ କଷି ଦେବାରୁ ଗାଡ଼ିଟି ଘଷି ହୋଇଯାଇ କିଛି ବାଟରେ ରହିଗଲା। ଗାଡ଼ି ଭିତରୁ ଜଣେ ସୁଟ୍‌ବୁଟ୍‌ ପିନ୍ଧା ମଧ୍ୟବୟସ୍କ ବ୍ୟକ୍ତି ରାଗରେ ତମ ତମ ହୋଇ ବୁଢ଼ା ଆଡ଼କୁ ମାଡ଼ି ଆସିଲେ। ବୁଢ଼ା ତାଙ୍କୁ ନଳା ଆଡ଼କୁ ହାତ କରି ବୁଢ଼ୀକୁ ଦେଖେଇବାରୁ ଭଦ୍ରବ୍ୟକ୍ତି ଜଣକ ଟିକେ ନରମିଗଲେ ଓ ତା’ ସହିତ ମିଶି ବୁଢ଼ୀକୁ ଆସନ୍ନ ମୃତ୍ୟମୁଖରୁ ଉଦ୍ଧାର କଲେ।

ବୁଢ଼ାବୁଢ଼ୀ ଦି’ଜଣ କାନ୍ଦି କାନ୍ଦି ତାଙ୍କୁ କ୍ଷମାପ୍ରାର୍ଥନା କରିବାରୁ ଭଦ୍ରବ୍ୟକ୍ତି ଜଣକ ବୁଢ଼ାକୁ କହିଲେ “ମଉସା, ଆଜି ମୁଁ ଜୀବନରେ ଗୋଟିଏ କଥା ଶିଖିଲି। ଜୀବନ ବ୍ୟସ୍ତ ଓ ଏହାର ଗତି ଅବଶ୍ୟ ତୀବ୍ର କିନ୍ତୁ ୟାକୁ ଏତେ ବ୍ୟସ୍ତ ଓ ତୀବ୍ର କରନାହିଁ ଯେ ତା’ ଭିତରେ ଅନ୍ୟ ସମସ୍ତେ ହଜିଯିବେ। ଆଜି ଜାଣିଲି ଯେ, ତୀବ୍ର ଗତିରେ ଗାଡ଼ି ଚାଲୁଥିଲେ ମନୁଷ୍ୟ ଏତେ ଉତ୍ତେଜିତ ହୋଇରହିଥାଏ ଯେ, ତାକୁ ଆଖପାଖର ଘଟଣା ଆଦୌ ଦୃଶ୍ୟ ହୁଏନାହିଁ। ଲକ୍ଷ୍ୟରେ ପହଞ୍ଚିବାକୁ ହେଲେ ଲକ୍ଷ୍ୟ ପଥରେ ଯେଉଁମାନେ ମିଳିଥାନ୍ତି ସେମାନଙ୍କୁ ଯଦି ଆପଣ ଦେଖିପାରିବେ ନାହିଁ ତେବେ ସେ ଲକ୍ଷ୍ୟରେ ପହଞ୍ଚି ଲାଭ କ’ଣ? ଏଭଳି ଲକ୍ଷ୍ୟପ୍ରାପ୍ତି ସୁଖ ଅପେକ୍ଷା ଅଧିକ ଦୁଃଖ ଦେଇଥାଏ।”

ବନ୍ଧୁଗଣ, ଜୀବନର ତୀବ୍ର ଗତି ଦେଇ ଆଜି ଆପଣ ଲକ୍ଷ୍ୟର ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି। କେତେ ସୁନ୍ଦର ଆପଣଙ୍କର ଘର! ସାମ୍ନାରେ ସବୁଜ ଲନ୍‌ ଓ ତା’ଭିତରେ ରଙ୍ଗବେରଙ୍ଗ ଫୁଲର ସମାହାର। ବଡ଼ ବଡ଼ ରୁମ୍‌ ସବୁ ଶୀତତାପ ନିୟନ୍ତ୍ରିତ। ଶଙ୍ଖମର୍ମର ମାର୍ବଲ ଚଟାଣ ଉପରେ ଶାଗୁଆନ୍‌ ଖଟ, ଖଟ ପରେ ଡନ୍‌ଲପ୍‌ ଗଦି, କିନ୍ତୁ ଆଖିରେ ଟିକିଏ ନିଦ ନାହିଁ। ଏତେ ସୁଖ ଭିତରେ ଏହି ଦୁଃଖଟି ଆପଣଙ୍କୁ ଖାଇ ଗୋଡ଼ଉଛି। ଆପଣଙ୍କର ବାଥ୍‌ରୁମ୍‌ ଦେଖନ୍ତୁ। ଚାରିପଟେ ଗ୍ଲେଜଡ୍‌ ଟାଇଲ୍‌ ଲାଗିଛି। ଥଣ୍ଡା ଓ ଉଷୁମ୍‌ ପାଣିର ବ୍ୟବସ୍ଥା ରହିଛି। ଗ୍ରାନାଇଟ୍‌ ଟେବୁଲ୍‌ ଟପ୍‌ ଦର୍ପଣ ଚକ୍‌ ଚକ୍‌ ମାରୁଛି। ଥରେ ଦର୍ପଣରେ ଆପଣଙ୍କ ମୁହଁକୁ ଟିକେ ଦେଖନ୍ତୁ। କୁନ୍ଥନର ପ୍ରଭାବରେ ଏହା ବିକୃତ ଦିଶୁଛି। କିନ୍ତୁ ମୂଳାଧାର ଚକ୍ରରେ ମଳରେ କୌଣସି ସୂଚନା ନାହିଁ। ଏତେ ସୁଖ ଭିତରେ ଏ ଦୁଃଖଟି ଆପଣଙ୍କୁ ଜାବୁଡ଼ିକି ଧରି ରଖିଛି।

ଆପଣଙ୍କ ପୋର୍ଟିକୋରେ ଛିଡ଼ା ହୋଇଥିବା ସୌଖୀନ ଗାଡ଼ିଟିକୁ ଦେଖନ୍ତୁ। ଦେଶର ସର୍ବଶ୍ରେଷ୍ଠ ମର୍ଯ୍ୟାଦାପୂର୍ଣ୍ଣ ଗାଡ଼ି। ଲାମିନେଟେଡ୍‌ ଡ୍ୟାସ୍‌ ବୋର୍ଡ଼ ଭିତରୁ ସଙ୍ଗୀତର ମଧୁର ମୂର୍ଚ୍ଛନା ଭାସି ଆସୁଛି। ପାୱାର ଷ୍ଟିଅରିଂ ସହିତ ଅଟୋ ଗିଅରରେ ଗାଡ଼ି ମନକୁ ମନ ଚାଲୁଛି। କିନ୍ତୁ କେବେ ଭାବିଛନ୍ତି, ଏହି ମର୍ଯ୍ୟାଦାପୂର୍ଣ୍ଣ ଗାଡ଼ି ଭିତରେ ଗୋଟେ ମର୍ମନ୍ତୁଦ ଦୁର୍ଘଟଣାଟିଏ ଲୁଚିକି ରହିଛି। ତେଣୁ ୟାକୁ ଟିକେ ଧୀରେ ଧୀରେ ଚଲାନ୍ତୁ। ସାମନ୍ୟ ଏପଟ ସେପଟ ହୋଇଗଲେ ଦୁର୍ଘଟଣାଟିଏ ବାହାରିପଡ଼ି ତା’ର ଏମିତି ରୂପ ଦେଖେଇବ ଯେ, ତା’କୁ ଦେଖିବାକୁ ହୁଏତ ଆପଣ ନଥିବେ।

ଗୋଟେ ସୁଆଦିଆ ରସଗୋଲା କଥା ଭାବନ୍ତୁ। ପାଟିରେ ମିଳେଇ ଗଲା ବେଳେ କି ଆନନ୍ଦ! କିନ୍ତୁ ଲକ୍ଷ୍ୟ କରନ୍ତୁ ତା’ଭିତରେ ଜଣେ ମଧୁମେହ ବାବୁ କେମିତି ଲୁଚିକି ବସିଛନ୍ତି। ଲୁଣିଆ ଆମ୍ବିଳା ପାଣି ଦେଇ ଗୁପ୍‌ଚୁପ୍‌ ଗଣ୍ଡେ ପାଟିରେ ପକେଇ ଆଖି ବୁଜି ଦେଲା ବେଳେ ଦେଖନ୍ତୁ ରକ୍ତଚାପ ମହାଶୟ ଭିତରେ ରହି କେମିତି ଟାକରା ମାରୁଛନ୍ତି। ମୁହଁରେ ପାଉଡ଼ର ଆଉ ଓଠରେ ଲିପଷ୍ଟିକ୍‌ ଲଗେଇ ଦର୍ପଣ ସାମ୍ନାରେ ଛିଡ଼ାହୋଇ ଭାବୁଛନ୍ତି ‘ଆହା ମୁଁ କେତେ ସୁନ୍ଦର ଦିଶୁଛି।’ କିନ୍ତୁ ଏ ଚିତ୍ର ପ୍ରତିମା ପ୍ରାୟ ସୁନ୍ଦର ଦେହକୁ କେବେ ଚିରିକରି ଭିତରକୁ ଦେଖିଛନ୍ତି କି? ଓଃ, କି ନାରଖାର ସେ ଦୃଶ୍ୟ!