ସମଗ୍ର ସୃଷ୍ଟି ଚାରି ଯୁଗକୁ ନେଇ ଚାଲିଅଛି। ସତ୍ୟ, ତ୍ରେତୟା, ଦ୍ବାପର ଏବଂ କଳି। ଏହି ଚାରି ଯୁଗରେ ଭଗବାନ ବିଭିନ୍ନ ଅବତାର ନେଇ ଆସି ସଂସ୍ପାରିତ ସଂସ୍କୃତି ସ୍ଥାପନ କରି ଅଛନ୍ତି। ଏବେ କଳିଯୁଗ। କଳି ଯୁଗରେ ଭଗବାନଙ୍କ ଧାମ ପୁରୁଷୋତ୍ତମ କ୍ଷେତ୍ର। ଏହି କ୍ଷେତ୍ରରେ ଅଧିଷ୍ଠିତ ପ୍ରଭୁ ଜଗନ୍ନାଥ। ଜଗନ୍ନାଥଙ୍କୁ ନେଇ ଓଡ଼ିଶାର ସଂସ୍କୃତି। ତେବେ ଏହା ଆଜି କେତେ ଦୂର ସଂସ୍କାରିତ? ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସଂସ୍କୃତି କହିଲେ ଦେଶ ବା ଜାତିର ଅନ୍ତଃ ପ୍ରକୃତିକୁ ବୁଝାଏ। କିନ୍ତୁ ଏହା ପରିସ୍ଫୁଟ ହୁଏ ବହିଃ ବିକାଶ ଦ୍ବାରା। ଯାହାକୁ ଆମେ ସଭ୍ୟତା ବୋଲି କହିଥାଉଁ। ସଭ୍ୟତା ଅସ୍ଥାୟୀ ସଂସ୍କୃତି ସ୍ଥାୟୀ ହୋଇଥିଲେ ମଧ୍ୟ ସଭ୍ୟତା ଉପରେ ନିର୍ଭର କରିଥାଏ। ତା ନ ହେଲେ କଳୁଷିତ ହୋଇଯାଏ ତାହା ପୁଣି ସଂସ୍କାର ମଧ୍ୟରେ ପ୍ରଦୁଷଣ ହୋଇ ଦୃଢ ହୁଏ।
ଉତ୍କଳୀୟ ସଂସ୍କୃତି ଅତି ଦିବ୍ୟ, ମହାର୍ଘ, ବିସ୍ମୟକର, ଆନନ୍ଦମୟ ଓ ଆନନ୍ଦପ୍ରଦାତା। କାରଣ ଏହି ସଂସ୍କୃତି ଜଗନ୍ନାଥ ସଂସ୍କୃତି। ଏହା ବାହ୍ୟ, ପାର୍ଥିବ ଜଗତ ସହିତ ଯଦିଓ ସଂପୃକ୍ତ ତତାପି ଏହା ହୃଦୟରୁ ଆସିଛି। ଏହି ସଂପର୍କରେ ଶ୍ରୀ ସତ୍ୟ ସାଇବାବା କହିଛନ୍ତି- “ମାନବ ହୃଦୟରୁ ନିଃସୃତ ହେଉଥିବା ପ୍ରେମତତ୍ତ୍ବ ମନୁଷ୍ୟର ପ୍ରକୃତ ଜାତି ନିର୍ଦ୍ଧାରଣ କରେ। ବସ୍ତୁତ୍ବ ଗୋଟିଏ ମାନବ ଜାତି, ସମଗ୍ର ମାନବ ଜାତି ଗୋଟିଏ ପରିବାର। ସମଗ୍ର ପୃଥିବୀ ଗୋଟିଏ ଭବନ, ଦେଶ ଗୁଡିକ ସେହି ଭବନର କୋଠରୀ। ଏହି ଭବନର ମାଲିକ ସ୍ବୟଂ ଜଗନ୍ନାଥ।
ଜଗତ ବା ପ୍ରକୃତିର ମାଲିକ ହେଉଛନ୍ତି ପରମବ୍ରହ୍ମ ପୁରୁଷୋତ୍ତମ। ସେ ହିଁ କାଳ, କର୍ମ, କାରଣ ଓ କର୍ତ୍ତବ୍ୟ ହୋଇ ମନୁଷ୍ୟକୁ ରୂପାନ୍ତରିତ କରାଇବାରେ ଲାଗିଛି। ଜଗନ୍ନାଥଙ୍କ ନିକଟରେ ସାନବଡ଼, ଉଚ୍ଚନୀଚ, ଜାତି ଅଜାତିର ସ୍ଥାନ ନାହିଁ। ମାନବବାଦକୁ ପ୍ରତିଷ୍ଠା କରିବା ପାଇଁ ସମନ୍ବୟର ପ୍ରତୀକ ସାଜିଛନ୍ତି। ତାଙ୍କର ଚାରିଟି ଅକ୍ଷରରେ ଭିନ୍ନ ଭିନ୍ନ ଅର୍ଥ ପ୍ରକଟ ହେଇଥିଲେ ମଧ୍ୟ ଚାରିଟି ମାନବୀୟ ଗୁଣକୁ ଜାବୁଡି ଧରି ରହି ଅଛନ୍ତି। ଜ-ସତ୍ୟକୁ ସର୍ବଦା ଜପ କର। ସତ୍ୟ ହିଁ ଈଶ୍ବର। ସତ୍ୟ ସମସ୍ତଙ୍କ ପାଇଁ ସମାନ। କୌଣସି ଦେଶୀୟ ସତ୍ୟ ଏଠି ନ ଥାଏ। କେବଳ ସତ୍ୟ ହିଁ ସତ୍ୟ ଅଟେ। ସତ୍ୟରୁ ଜାତ ଏ ଜଗତ-ସତ୍ୟରେ ହୁଏ ବିଲୟିତ। ତେଣୁ ଜଗନ୍ନାଥଙ୍କ ମୂଳ ଅକ୍ଷର ସତ୍ୟର ପ୍ରତୀକ। ଗ-ଧର୍ମ ପଥରେ ଗମନ କର। ଯେତେ ବିପଦ ପଡୁପଛେ ନିଜସ୍ବ ଧର୍ମକୁ ତ୍ୟାଗ କରିବା ଉଚିତ୍ନୁହେଁ। ଧର୍ମ ହିଁ ଜୀବନର ମୂଳଦୁଆ ହୋଇ ରହୁ। “ସତ୍ୟାନ୍ନାସ୍ତି ପରୋଧର୍ମ – ଉଭୟ ଯମଜ ଅଟନ୍ତି”। ନା-ଶାନ୍ତିପାଇଁ ନାମ ସ୍ମରଣ କର। କଳି ଯୁଗର ମୋକ୍ଷ ନିମନ୍ତେ ଈଶ୍ବରଙ୍କ ନାମକୁ ସ୍ମରଣ କରିବାକୁ ହେବ। ନାମ ସ୍ମରଣରେ ମନରେ ଶକ୍ତି ମିଳେ। ଥ-ପ୍ରେମରେ ସମସ୍ତଙ୍କୁ ଥୟ କର। ଏହା ଏକ ଗୁରୁତ୍ବପୂର୍ଣ୍ଣ ଅଟେ। ମାୟା ଆମେ ଚାରିପଟେ ଘେରି ରହି ଈର୍ଷା, ଅସୂୟା ଭାବ ପ୍ରଦର୍ଶନ କରାଇ ହିଂସାତ୍ମକ ଘଟଣାମାନ ଘଟାଉଅଛି। ପ୍ରେମ ବଳରେ ଶତ୍ରୁକୁ ମିତ୍ରରେ ପରିଣତ କରାଇ ହୁଏ। ଉତ୍କଳୀୟ ସଂସ୍କୃତି ପ୍ରେମ ତତ୍ତ୍ବ ଉପରେ ମହାନ୍ଗୁରୁତ୍ବ ଆରୋପ କରେ। ପ୍ରେମର ହୁଏ ଏତେ ଶକ୍ତି ଯେ ଥରେ ବାନ୍ଧି ହୋଇଗଲେ ସହଜରେ ଛିଡ଼େ ନାହିଁ। ଏହି ଚାରିଟିର ସମ୍ମିଶ୍ରଣରେ ବିଶ୍ବାସରୁ ହିଁ ଅହିଂସା ଆସେ। ବିଶ୍ବାସ କରିବାକୁ ହେବ ଯେ-“ସର୍ବଂ ବିଷ୍ଣୁ ମୟ ଜଗତ୍ସର୍ବଂ ଖଳ୍ବି ଦଂ ବ୍ରହ୍ମ”। ଏହାକୁ ବିଶ୍ବାସ କଲେ ହିଂସା ଭାବ ଆସିବ ନାହିଁ। ମଣିଷ ନିଜର ଦିବ୍ୟ ସ୍ବଭାବକୁ ବୁଝି ପାରିଲେ ଜଗନ୍ନାଥଙ୍କୁ ବୁଝି ହେବ। ସଂସ୍ପୃତିକୁ ଜାଣି ହେବ। ସଂସ୍କାର ଆସିବ।
ଜଗନ୍ନାଥ ସଂସ୍କତି ହେଉଛି ଉତ୍ସବମୟୀ। ଓଡ଼ିଆରେ ବିଭିନ୍ନ ସମୟରେ ବିଭିନ୍ନ ଧର୍ମର ଅପୂର୍ବ ସମନ୍ବୟ ଶ୍ରୀଜଗନ୍ନାଥଙ୍କ ଠାରେ ହୋଇଅଛି। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଚଳିତ ବିଭିନ୍ନ ପୂଜା ବିଧି ଓ ପର୍ବ ପର୍ବାଣୀ ଅନ୍ୟ ସଂପ୍ରଦାୟ ଉପରେ ପ୍ରଭାବ ପଡ଼ିଥିବାର ପରିଲିକ୍ଷିତ ହୁଏ। ଏହି ପର୍ବ ପର୍ବାଣୀ ସତ୍ଚିତ୍ ଆନନ୍ଦର ସନ୍ଦେଶ ଦିଏ ନାହିଁ ବରଂ ପ୍ରକୃତି ମଧ୍ୟ। ଏହି ଉତ୍ସବ ମଧ୍ୟରେ ସଂସ୍କୃତିକ ଚେତନା, ଆନନ୍ଦ, ନିର୍ମଳ ସଂସ୍କାର ଏବଂ ସାତ୍ତ୍ବିକ ଉଲ୍ଲାସ ପ୍ରବାହିତ କରୁଅଛି। ପ୍ରଭୁ ଶ୍ରୀଜଗନ୍ନାଥ ବାର ମାସରେ ବାରଟି ନାମ ଧାରଣ କରି ଦେବମାନଙ୍କର ସମନ୍ବିତ ଚେତନାକୁ କାର୍ଯ୍ୟରତ କରାଇ ଅଛନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ବିଭିନ୍ନ ମହାପୁରୁଷ ଭିନ୍ନ ଭିନ୍ନ ଅଞ୍ଚଳର ସଂସ୍କୃତିର ସମ୍ପର୍କ ପ୍ରତିଷ୍ଠା କରାଇଛନ୍ତି। ନାନକ ଶ୍ରୀ ଜଗନ୍ନାଥଙ୍କୁ ନିଜର ମାଲିକ ବୋଲି ବର୍ଣ୍ଣନା କରି ଶିଖ୍ ସଂସ୍କୃତି ସହ ସମ୍ପର୍କ ସ୍ଥାପନ କରାଇଥିଲେ। ଗାଣପତ୍ୟ ଗଣେଶ, ତୁଳସୀ ଦାସ ରାମ, ଚୈତନ୍ୟ କୃଷ୍ଣ, ଭୀମ ଭୋଇ ମହିମାଧର୍ମ ଅନୁସାରେ ଏବଂ ବୁଦ୍ଧ ଦ୍ରବ, ପଞ୍ଚସଖା, ଅଲେଖ ନିରଞ୍ଜନ ଏବଂ ଦକ୍ଷିଣ ଭାରତର ଅଲଉଆର ବୈଷ୍ଣବ ବିଷ୍ଣୁ ରୂପେ ଜଗନ୍ନାଥଙ୍କୁ ଦେଖି ନିଜର ସଂସ୍କୃତି ସହ ଜଗନ୍ନାଥ ସଂସ୍କୃତିର ସମ୍ପର୍କ ରଖିଥିଲେ। କାଳକ୍ରମେ ଜଗନ୍ନାଥ ସଂସ୍କୃତିକୁ ବିଲୋପ ହୋଇ ନଥିଲା। ବରଂ ଏ ସଂସ୍କୃତି ଚଣ୍ଡା ଶୋକରୁ ଧର୍ମାଶୋକରେ ପରିଣତ କରାଇ ପାରିଥିଲା। ଏ ସଂସ୍କୃତି ଦୁଷ୍ଟ ପ୍ରକୃତିକୁ ବିନାଶ କରି ସନ୍ଥ ପ୍ରକୃତିକୁ ପ୍ରତିଷ୍ଠା କରେ। ସେଥିପାଇଁ ଭାଗବତ କହେ -ଦୁଷ୍ଟ ନିବାରି ସନ୍ଥ ପାଳୁ, ତୁ ନାଥ ପରମ ଦୟାଳୁ।
ଓଡ଼ିଶାର ପ୍ରଥମ ପରିଚୟ ଶ୍ରୀଜଗନ୍ନାଥ। ତାଙ୍କରି ପାଇଁ ଓଡ଼ିଶାର ଶ୍ରୀବୃଦ୍ଧି ହୋଇ ପାରିଛି। ପ୍ରାଚ୍ୟ ପାଶ୍ଚାତ୍ୟର ସଂସ୍କୃତି ଏଠି ଏକାକାର ହୋଇ ଅଛି। ପୁରୀରେ ଜାତି ଭେଦ ଭାବ ନାହିଁ। ଗୋଟିଏ ଜାତି ମାନବ ଜାତି। ସମଗ୍ର ମାନବ ଜାତିର ସୁରକ୍ଷା ନିମନ୍ତେ ଚକାଡୋଳା ମେଲାଇ ପ୍ରଭୁ ଚାହିଁ ରହିଛନ୍ତି। କେବଳ ମାନବ ନୁହେଁ, ବିଶ୍ବର ସଚରାଚର କୀଟ ପତଙ୍ଗ ଠାରୁ ଆରମ୍ଭ କରି ପ୍ରତ୍ୟେକ ଜୀବ ତାଙ୍କରି ସୃଷ୍ଟି। ଏ ସଂସ୍କୃତି ମନୁଷ୍ୟର ଉତ୍ଥାପନ ପାଇଁ ସଂସ୍କାର ନିମନ୍ତେ ପ୍ରେରଣା ଯୋଗାଏ। ଜାତିର ଐକ୍ୟ, ସଂହତି ଯୋଗାଇ ଥାଏ। ଭାଇ ଭାଇର ମମତା, ସ୍ବାମୀ ସ୍ତ୍ରୀର ମାନ ଅଭିମାନ, ପାରିବାରିକ ସଂସ୍କାର କରିବା ପରେ କୌଣସି ବ୍ୟକ୍ତି ଉପଯୁକ୍ତ ଅବସ୍ଥାକୁ ଆସେ, ସେହି ପ୍ରକ୍ରିୟାର ନାମ ସଂସ୍କାର। ଅସ୍ତିତ୍ବ ସାର୍ଥକ କରି ଅନ୍ତରରେ ଆଧ୍ୟାତ୍ମିକ ଭାବ ସଂଚାର କରାଇବା। ଅର୍ଥାତ୍ କୋ ଅହମ୍ରୁ ସୋ ଅହମ୍ ଯାଏଁ, ଏହା ହିଁ ଉତ୍କଳୀୟ ଜଗନ୍ନାଥ ସଂସ୍କୃତି। ସେ ରୁଦ୍ର, ସେ ବିଷ୍ଣୁ ସେ ବ୍ରହ୍ମା, ସେ ପୁଣି ଗତି ଅନାଥର ନାଥ। ସେ ପରମେଶ୍ବର ଯାହାଙ୍କ ମୁଖ ନିଃସୃତ ପ୍ରଥମ ଶବ୍ଦ ‘ଓଁ କାର’।
ଓଁ କାରମ୍ ବିନ୍ଦୁ ସଂଯୁକ୍ତମ୍, ନିତ୍ୟଂ ଧ୍ୟାୟନ୍ତି ଯୋଗିନିଃ
କାମଦଂ ମୋକ୍ଷଦଂ ଚୈବଃ, ଓଁ କାରାୟ ନମୋ ନବଃ॥
ସେ ଅବତାର ପୁରୁଷ ଧର୍ମ ସଂସ୍ଥାପନୀ ନିମନ୍ତେ ଦାରୁ ବ୍ରହ୍ମ ରୂପେ ଆଜି ବିଦ୍ୟବାନ। ଅବତାରୀ ଏ ଜଗନ୍ନାଥ – ଏତହୁଁ ଅବତାର ଜାତ।
ପୁରୁଷୋତ୍ତମେ ବିଜୟ ପୂର୍ଣ୍ଣ ବ୍ରହ୍ମ ହରିÛ
ଚିହ୍ନି ପାରନ୍ତେକି ସେ ରୂପ ଶୂଳ ଧାରୀ।
ଜଗନ୍ନାଥଙ୍କ ରଥଯାତ୍ରା ବିଶ୍ବ ପ୍ରଶିଦ୍ଧ। ଛେରା ପହଁରା ହେଉଛି ସେବାର ପ୍ରତୀକ। ଏହି ସେବା ବଳରେ ଅହଂ ଭାବ ସଂସ୍କାରିତ ହୁଏ। ଜାତିଧର୍ମ ବର୍ଣ୍ଣ ନିର୍ବିଶେଷରେ ଉତ୍କଳୀୟ ଜଗନ୍ନାଥ ସଂସ୍କାରିତ ହେଲେ ମାନବବାଦର ରୂପାନ୍ତର ହୋଇ ପାରିବ।
ଏହି ସାଇଟ ଦ୍ଵାରା ବହୁଦିନ ଧରି ପ୍ରବାସରେ ରହୁଥିବା ବ୍ୟକ୍ତିଙ୍କ ଭୁଲିଯାଉଥିବା ଓଡିଆ ସାହିତ୍ଯ ପୁଣି ଜାଗୃତ ହୋଇ ଉଠିପାରେ। ସେ ଯାହା ହେଉ ବହୁଦିନ ପରେ ଗୋଟାଏ ଶତ ପ୍ରତିଶତ ଓଡିଆ ସାଇଟ ଉପଲବ୍ଧ ହେବାରୁ ପୁଣି ଓଡିଆ ଲେଖିବା ଏବଂ ପଢିବାକୁ ବହୁତ ଇଚ୍ଛା ପ୍ରକଟ ହୋଇଛି।