
ହୁ-ହୁ ବତାସ। ଯେମିତି ଯୁଗଯୁଗାନ୍ତର ପାତାଳପୁରୀର ଏକ ନିଷିଦ୍ଧ ଅଞ୍ଚଳରେ ଯାଦୁ ଫରୁଆଟିଏ ଭିତରେ ସେ ରହିଥିଲା ବନ୍ଦୀ ହୋଇ, ହଠାତ୍ ମୁକ୍ତି ପାଇ ତା’ର ଅସୀମ ଗନ୍ତବ୍ୟ ମାର୍ଗରେ ବରାବର ବିଶ୍ବର ସମସ୍ତ କିଛିକୁ ଚୂର୍ଣ୍ଣୀଭୂତ କରି ଉଡ଼ାଇ ନେଇଯିବାକୁ ଚାହେଁ। ଅନ୍ଧାର କ୍ରମେ ବହଳ ହୋଇ ଆସୁଛି। ସମଗ୍ର ଆକାଶବ୍ୟାପୀ ଘନକୃଷ୍ଣ ମେଘ ଜମାଟ ବାନ୍ଧି ରହିଛି। ସୁଚ୍ୟଗ୍ର ପରିମିତ ବର୍ଷାବିନ୍ଦୁ ସମୂହ କ୍ରମେ ହୋଇ ଉଠୁଛନ୍ତି ବାଟୁଳି ଭଳି ଶକ୍ତିଶାଳୀ। ଆଉ ମଧ୍ୟେ ମଧ୍ୟେ ବିଦ୍ୟୁତ୍ର ଆଦିଗନ୍ତ ବିକାଶ ଭିତରେ ସମୁଦ୍ର ଲହରୀର ଉତ୍ତାଳ ବିଚ୍ଛୁରଣ ରଣୋନ୍ମତ୍ତ ଅସିମାଳା ଭଳି ଝଲସିତ।
ଏମନ୍ତ ଦୁର୍ଯୋଗ ରାତ୍ରିରେ ନିର୍ଜନ ସମୁଦ୍ର ଉପକଣ୍ଠରେ ଏକ ଅନ୍ଧକାର ଦ୍ବିତଳ ପ୍ରାସାଦରେ ଆତଙ୍କରେ ଶିହରି ଉଠୁଥିଲେ ତିନୋଟି ପ୍ରାଣୀ। ସେମାନେ ଶ୍ରୀ ଓ ଶ୍ରୀମତୀ ସିହ୍ନା ଏବଂ ଶ୍ରୀମତୀ ସିହ୍ନାଙ୍କ ଭ୍ରାତା ଅଧ୍ୟାପକ ପ୍ରବାଳ କିଶୋର।
ସମୁଦ୍ର ଚମତ୍କାର, କିନ୍ତୁ ପୁରୀ ବା ମାନ୍ଦ୍ରାଜ ବା ବମ୍ବେରେ ନୁହେଁ। ସେଠାରେ ମନେହୁଏ, ସମୁଦ୍ର ବିଚରା ଯେମିତି ପଞ୍ଝାଏ ସାନ୍ଧ୍ୟଭ୍ରମଣ ବିଳାସୀଙ୍କ ଆଗରେ ସେମାନଙ୍କର ଚେନାଚୁର ଚର୍ବଣ-ଜାତୀୟ ମଉଜଟାଏ ମାତ୍ର। ଶ୍ରୀମତୀ ସିହ୍ନା ମନ ବଳାଇଥିଲେ ସମୁଦ୍ରକୁ ସମୁଦ୍ର ଭଳି ଦେଖିବା ନିମନ୍ତେ। ଶ୍ରୀଯୁକ୍ତ ସିହ୍ନା ଖୋଜୁଥିଲେ ଏଭଳି ଏକ ଜନହୀନ ନିର୍ଜନ ଉପକୂଳ, ଯେଉଁଠି ନିରାଭରଣ ଉତ୍ତୁଙ୍ଗ ବାଲୁକା ଶଯ୍ୟା ଉପରେ ସମୁଦ୍ରର ପ୍ରାଗୈତିହାସିକ ଉତ୍ତାଳତା ଅହରହ ବିସ୍ଫୋରିତ ହେଉଥିବ।
ଶ୍ୟାଳକ ପ୍ରବାଳ କିଶୋର ଅଚିରେ ସନ୍ଧାନ ନେଇ ଜାଣିଲେ, ସେ ରୂପ ଏକ ସ୍ଥାନ ହେଲା ଷଣ୍ଢକୁଦ। ଏକାନ୍ତ ନିର୍ଜନ ଅଥଚ ଐତିହାସିକ ଷଣ୍ଢରାଜାଙ୍କ ସ୍ମୃତିବିଜଡ଼ିତ ସେହି ସ୍ଥାନରେ ପରବର୍ତ୍ତୀ କାଳର ଜଣେ ଜମିଦାର ନିର୍ମାଣ କରିଥିବା ଗୋଟିଏ ଦ୍ବିତଳ ଅଟ୍ଟାଳିକା ବିଦ୍ୟମାନ ରହିଛି। ଉଦ୍ଦାମ ପ୍ରକୃତି କୋଳରେ ଦୁଇତିନି ଘଣ୍ଟା ଦୋହଲି ହେବା ନିମନ୍ତେ ତାହା ହିଁ ପ୍ରକୃତ ସ୍ଥାନ।
ଷଣ୍ଢକୁଦର ନିର୍ଜନ ଉପକୂଳରେ ଯେତେବେଳେ ଜିପ୍ ଯାଇ ଉପନୀତ ହେଲା, ସେତେବେଳକୁ ଅପରାହ୍ନର ଅବଶେଷ ମାତ୍ର ରହିଛି। ଜିପ୍ରୁ ଓହ୍ଲାଇ ତିନିହେଁ ଚତୁର୍ଦ୍ଦିଗକୁ ଅନାଇ ସେ ଶୀତଳ ପବନ ଯେପରି ଆବକ୍ଷ ପିଇଗଲେ।
ଅଧ୍ୟାପକ ପ୍ରବାଳ କିଶୋର ଥରେ ଧମକ ଦେବା ଭଳି କୌଣସି ଏକ କବିତାର କିୟଦଂଶ ଆବୃତ୍ତି କରିବାକୁ ଚେଷ୍ଟା କଲେ, ‘ନିର୍ଜନ ହେ ନିର୍ଜନ !’ ତା’ପରେ ଆଉ କିଛି ମନେ ନ ପଡ଼ିବାରୁ ଚୁପ୍ ହେଲେ। ହୁ-ହୁ ପବନ। ଉତ୍ତର-ପଶ୍ଚିମ କୋଣରେ ପୁଳାଏ ମେଘ ଭାସି ବୁଲୁଥିଲା। ପରିବେଶର ପ୍ରାଥମିକ ପର୍ଯ୍ୟବେକ୍ଷଣରେ କିୟତ୍କ୍ଷଣ ଅତିବାହିତ କରି ତନିହେଁ ସମୁଦ୍ରରେ ପଶିଲେ। ପ୍ରବାଳ କିଶୋର ଢେଉ ସହିତ ତାଙ୍କ ସ୍ବଭାବସିଦ୍ଧ ରୀତିରେ କିଛିଟା ବିଶେଷ ଧରଣର କସ୍ରତ କରୁଥିଲେ। ତାଙ୍କର ଭଗ୍ନୀ ଓ ଭଗ୍ନୀପତି କିନ୍ତୁ ସେଥିରେ ଉଦ୍ବୁଦ୍ଧ ନହୋଇ ଏଭଳି ସଂଯତ ଆଚରଣ କରୁଥିଲେ, ଯେମିତି ସମୁଦ୍ର ସୌଖୀନ କାଚ ନିର୍ମିତ ପଦାର୍ଥବିଶେଷ, ଯାହା କି ସେମାନଙ୍କ ସାମାନ୍ୟ ଅସାବଧାନତାରେ ବି ଚୂର୍ଣ୍ଣ ହୋଇଯାଇପାରେ।
ସେହି ଅବସ୍ଥାରେ ହିଁ ଅବଦାନ ଭାବରେ ଆସିଗଲା ଝଡ଼। ତିନି ହେଁ କୌଣସିମତେ ଜିପ୍ରୁ କେବଳ ଲୁଗାପଟା ସମ୍ବଳିତ ବ୍ୟାଗ୍ଟି ବାହାର କରିନେଇ କୋଠା ଭିତରକୁ ଝପଟି ପଶିଆସିଲେ। ଭାବିଥିଲେ, ଝଡ଼ର ଅବସାନ ହେଲେ ସ୍ବଗୃହକୁ ଫେରିଯିବେ।
କିନ୍ତୁ ଝଡ଼ କ୍ରମାଗତ ଭାବେ ବଢ଼ିଚାଲିଛି। ମୁହୂର୍ତ୍ତକ ସକାଶେ ବି ଆଉ କୌଣସି ଝରକା କବାଟ ଖୋଲା ରଖି ହେଉ ନାହିଁ। ଖୋଲିଦେଲେ ହିଁ ସର୍ବବ୍ୟାପୀ ପରାକ୍ରାନ୍ତ ଝଡ଼ ସହିତ ମୁହାଁମୁହିଁ ହେବାକୁ ପଡ଼ିବ, ସେ ପରାକ୍ରମ ଅସହ୍ୟ।
ଅସହାୟ ଭାବରେ ତିନିହେଁ ବସିଥିଲେ। ଯେତେଦୂର ମନେପଡ଼ୁଛି, ଶ୍ରୀମତୀ ସିହ୍ନା ଶେଷ ମୁହୂର୍ତ୍ତରେ ଟର୍ଚ୍ଚ ଲାଇଟ୍ଟିଏ ଗୋଟିଏ ପ୍ଲାଷ୍ଟିକ୍ ବ୍ୟାଗରେ ପୂରାଇଥିଲେ। କିନ୍ତୁ ସେ ବ୍ୟାଗ୍ଟି ରହିଛି ଜିପ୍ରେ। ଜିପ୍ ପର୍ଯ୍ୟନ୍ତ ଯିବା ସକାଶେ ଥରେ ପ୍ରବାଳ କିଶୋର ପ୍ରସ୍ତୁତ ହେଲେ। ଅଣ୍ଡାଳି ଅଣ୍ଡାଳି ସେ ପାହାଚ ପର୍ଯ୍ୟନ୍ତ ଗଲେ ମଧ୍ୟ, କିନ୍ତୁ ଅବତରଣ କରିବାକୁ ଉଦ୍ୟତ ହେବା ମୁହୂର୍ତ୍ତରେ ହିଁ ତଳ ମହଲାରେ ଶୁଭିଲା ଗୋଟିଏ ଶବ୍ଦ-କିଞ୍ଚିତ୍ ଅପ୍ରାକୃତିକ। ହୁଏତ କିଛି ନୁହେଁ, କିନ୍ତୁ ଜନପଦଠୁଁ ବହୁ ଦୂରରେ ଅବସ୍ଥିତ ରାଜରାଜୁଡ଼ା ପରିତ୍ୟକ୍ତ ଏସବୁ କୋଠିରେ ଏଭଳି ଶବ୍ଦର ତ ବହୁ ରହସ୍ୟମୟ କାରଣ ବି ଥାଇପାରେ।
ଅତଏବ ପ୍ରବାଳବାବୁ ଗଲେ ନାହିଁ । ତା’ପରେ ସିହ୍ନା ସାହେବ ଶ୍ୟାଳକଙ୍କୁ ଈଷତ୍ ଭର୍ତ୍ସନା କରି ସ୍ବୟଂ ଅଗ୍ରସର ହେଲେ। କିନ୍ତୁ ହଠାତ୍ ତାଙ୍କର ମନେପଡ଼ିଲା, ବିନା ଚଷମାରେ କୁଆଡ଼େ ହେଲେ ଅଗ୍ରସର ହେବାକୁ ସେ କୋଡ଼ିଏ ବର୍ଷ ହେଲା ଭୁଲିଗଲେଣି, ସମୁଦ୍ର ଭିତରକୁ ପଶିବା ପୂର୍ବରୁ ଚଷମାଟି ସେ ଜିପ୍ରେ ଥୋଇଥିଲେ। ଅବଶ୍ୟ ପ୍ରବାଳ କିଶୋର ନମ୍ର ଭାବରେ ଗହନ ଅନ୍ଧକାର ମଧ୍ୟରେ ଚଷମାର ଭୂମିକା ସମ୍ପର୍କରେ ଥରେ ପ୍ରଶ୍ନ ଉଠାଇଲେ। କିନ୍ତୁ ସିହ୍ନା ସାହେବ ସେ ପ୍ରଶ୍ନର ଉତ୍ତର ନ ଦେଇ ଅନୁଶୋଚନା ପ୍ରକାଶ କରୁଥିଲେ ଯେ, ଅଧ୍ୟାପକଙ୍କ ଭଉଣୀ ଉପର୍ଯ୍ୟୁପରି ଅଭିମାନ କରି ତାଙ୍କର ଧୂମପାନ ଅଭ୍ୟାସଟି ଛଡ଼ାଇ ଦେଇ ନ ଥିଲେ ଏଇ ବିପଜ୍ଜନକ ମୁହୂର୍ତ୍ତରେ ଅବଶ୍ୟ ତାଙ୍କ ପାଖରେ ଦିଆସିଲିଟିଏ ଥାଆନ୍ତା।
ତା’ପରେ ପ୍ରବାଳ କିଶୋର ଓ ସିହ୍ନା ସାହେବ ଏକତ୍ର ଜିପ୍ ପାଖକୁ ଯିବା ନିମନ୍ତେ ପ୍ରସ୍ତୁତ ହୁଅନ୍ତେ ଶ୍ରୀମତୀ ସିହ୍ନା ଏକାକିନୀ ରହିବାକୁ ରାଜି ହେଲେ ନାହିଁ କି ସାଥିରେ ଯିବା ପ୍ରସ୍ତାବକୁ ମଧ୍ୟ ସମର୍ଥନ ଜଣାଇଲେ ନାହିଁ।
ଅତଏବ ତିନିହେଁ ବସିରହିଲେ। ଚୂନ ପଲସ୍ତରା ଖସି ଖସି ପଡୁଛି। ଝଡ଼ର ଗତିବେଗ ବଢ଼ି ବଢ଼ି ଚାଲିଛି। ଝରକାଗୁଡ଼ିକରୁ କଡ଼ମଡ଼ ଶବ୍ଦ ନିର୍ଗତ ହେଉଛି। ଭୁସ୍କିନା ଗୋଟିଏ ମୁହୂର୍ତ୍ତରେ କୋଠାଟି ଧୂଳିସାତ୍ ହୋଇଯିବା ବିଚିତ୍ର ନୁହେଁ। ଝଡ଼ର ପ୍ରକୋପ କିଛି ମାତ୍ରାରେ ସହ୍ୟ କରିନେଇ କୋଠା ଉପରେ ବସୁଥିବା ମାଡ଼କୁ ଲାଘବ କରିବା ନିମନ୍ତେ ନିକଟବର୍ତ୍ତୀ ଅଞ୍ଚଳରେ ବଡ଼ ଧରଣର ଗଛଟାଏ ବି ନାହିଁ।
ଝଡ଼ର ଗତି ସହିତ ତାଳ ଦେଇ ସମୁଦ୍ରର ଗର୍ଜନ ମଧ୍ୟ ଭୟାବହ ହୋଇ ଉଠୁଥିଲା।
ଏ ଏକ ମାରାତ୍ମକ ଝଡ଼-ପ୍ରବାଳବାବୁ କହିଲେ, କିନ୍ତୁ ଆମର ବର୍ତ୍ତମାନ ଉପାୟ କ’ଣ? ବଡ଼ ଉଦ୍ବିଗ୍ନ ସ୍ବରରେ ଜିଜ୍ଞାସା କଲେ ଶ୍ରୀମତୀ ସିହ୍ନା।
ଏଭଳି ଝଡ଼ ପୃଥିବୀରେ କ୍ବଚିତ୍ ହୁଏ। ପ୍ରବାଳ କିଶୋର କହି ଚାଲିଲେ, ସେହି ଆଦିମତମ ଯୁଗରେ, ଯେତେବେଳେ ଏ ପୃଥିବୀର ପୃଷ୍ଠଭାଗର ରୂପ ନିୟତ ବଦଳି ଚାଲିଥିଲା, ସେତିକିବେଳେ ଏଭଳି ଝଡ଼ ସମ୍ଭବପର ହେଉଥିଲା।
ଶ୍ରୀମତୀ ସିହ୍ନା ଆତଙ୍କିତ ଭାବରେ ପଚାରିଲେ, ଏ ଘର ରହିବ ତ? ଆମେ ବଞ୍ଚିବା ତ?
ପ୍ରବାଳ କିଶୋର ସଶଦ୍ଦେ ହସିଉଠିଲେ।
ଆମେ ବଞ୍ଚିବାଟା ନିହାତି ଗୌଣ କଥା। ହୁଏତ ଏତେବେଳକୁ ସାରା ପୃଥିବୀର ଅର୍ଦ୍ଧାଧିକ ବ୍ୟାପୀ ପ୍ରଳୟ ହୋଇସାରିବଣି। ମୋର ମନେହୁଏ, ସମୁଦ୍ର ଫୁଲିଉଠି ଆମର ଏଇ କୋଠା ଚାରିପଟେ ବେଢ଼ିଗଲାଣି।
ଏହାପରେ ଆଉ ଶ୍ରୀମତୀ ସିହ୍ନା କଥା କହିନାହାଁନ୍ତି। ବହୁ ସମୟ ବ୍ୟବଧାନରେ ହୁଏତ ଅଧ୍ୟାପକ ହଠାତ୍ ସଙ୍ଗୀତଚର୍ଚ୍ଚା କରି ଉଠୁଥିଲେ, ଅଥବା ଚର୍ଚ୍ଚିଲଙ୍କ ଯୁଦ୍ଧକାଳୀନ ବକ୍ତୃତାର କିୟଦଂଶ ଆବୃତ୍ତି କରୁଥିଲେ। ସିହ୍ନା ସାହେବ ମଧ୍ୟେ ମଧ୍ୟେ ଝରକା ଖୋଲି ନିଶାର୍ଦ୍ଧର ସେଇ ବିପର୍ଯ୍ୟସ୍ତ ପ୍ରକୃତିକୁ ପର୍ଯ୍ୟବେକ୍ଷଣ କରି ତହିଁ ମଧ୍ୟରେ ନିଜସ୍ବ ଜିପ୍ଟିର ଅବସ୍ଥିତି ନିରୂପଣ କରିବାର ଚେଷ୍ଟା କରୁଥିଲେ। କିନ୍ତୁ ସମ୍ଭାଳି ନ ପାରି ପୁନଶ୍ଚ ଝରକା ବନ୍ଦ କରିବାରେ ବିପୁଳ ଶକ୍ତି ପ୍ରୟୋଗ କରୁ କରୁ ଚଷମାଟି ସମ୍ପର୍କରେ କ୍ଷୋଭ ପ୍ରକାଶ କରୁଥିଲେ। ଅବଶ୍ୟ ତାଙ୍କ ସ୍ତ୍ରୀ ଓ ଅନ୍ତରଙ୍ଗ ଶ୍ୟାଳକ ଏତକ ବୁଝୁଥିଲେ ଯେ, ଜିପ୍ ପାଖକୁ ଯିବା ସକାଶେ ଚଷମାଟି ହିଁ ତାଙ୍କର ଏକମାତ୍ର ପ୍ରଲୋଭନ ନୁହେଁ। ଶ୍ରୀମତୀ ସିହ୍ନାଙ୍କ ଉପର୍ଯ୍ୟୁପରି ଅଭିମାନରେ ସେ ଯେପରି ଧୂମପାନ ତ୍ୟାଗ କରିଥିଲେ, ସେହିପରି ତ୍ୟାଗ କରିଥିଲେ ଅନ୍ୟାନ୍ୟ ପାନ ମଧ୍ୟ। କିନ୍ତୁ ଅଭ୍ୟାସବଶତଃ ସେ ସର୍ବଦା ନିଜ ସହିତ ନିରୀହ ବ୍ରାଣ୍ଡିପୂର୍ଣ୍ଣ ଅନତିବୃହତ୍ ବୋତଲଟିଏ ରଖୁଥିଲେ। କ୍ବଚିତ୍ କେବେ ସ୍ନାୟୁ ଉପରେ କୌଣସି କାରଣରୁ ଅତ୍ୟଧିକ ଚାପ ପଡ଼ିଲେ, ସ୍ତ୍ରୀଙ୍କ ଅନୁମତିକ୍ରମେ ସେଥରୁ ଔଷଧ ମାତ୍ରାରେ ଅଳ୍ପ ସେବନ କରୁଥିଲେ। ଅନ୍ୟଥା ତାକୁ କେବଳ ମଧ୍ୟେ ମଧ୍ୟେ ଅବଲୋକନ କରୁଥିଲେ।
ଏଇ ଭୟଙ୍କର ରାତିରେ ସ୍ନାୟୁ ଉପରେ ଚାପ ପଡ଼ିବା ସ୍ବାଭାବିକ। କିନ୍ତୁ କେଇ ଗଜ ମାତ୍ର ଦୂରରେ ଥିବା ଜିପ୍ ଓ ତାଙ୍କ ମଧ୍ୟରେ ଜୀବନମରଣର ବ୍ୟବଧାନ।
ପ୍ରାୟ ମଧ୍ୟରାତ୍ର ପର୍ଯ୍ୟନ୍ତ ଝଡ଼ କ୍ରମାଗତ ଉଦଣ୍ଡ ହୋଇ ଚାଲିଲା। ମଝିରେ ଥରେ ଶ୍ରୀମତୀ ସିହ୍ନା ଆପଣାର ଭୟାବହ ଭବିଷ୍ୟତ କଥା ଚିନ୍ତାକରି କାତର ହୋଇ ଅଳ୍ପ କାନ୍ଦିଥିଲେ। ଘଡ଼ଘଡ଼ି ଶବ୍ଦର ଭୀଷଣତା ସହିତ ପ୍ରବାଳବାବୁଙ୍କ ଆବୃତ୍ତି ଅଧିକ କ୍ଷଣ ତାଳ ଦେଇପାରିଲା ନାହିଁ। ତେଣିକି ଚୁପ୍ଚାପ୍ ତିନିହେଁ କାନ୍ଥକୁ ଆଉଜି ବସିରହିଲେ।
ରାତ୍ରିର ଶେଷାର୍ଦ୍ଧ ବେଳକୁ ଝଡ଼ର ପ୍ରକୋପ କମିଗଲା। କ୍ରମେ ସିହ୍ନା ସାହେବ ଝରକା ଖୋଲି ଏକାଦିକ୍ରମେ କିଛ ସମୟ ପର୍ଯ୍ୟନ୍ତ ବାହାରକୁ ଅନାଇ ରହିବାକୁ ସକ୍ଷମ ହେଲେ। ସେତେବେଳକୁ ଭଟ୍ଟାକାଳୀନ ସମୁଦ୍ରର ପ୍ରଶମିତ କଳରୋଳ ବ୍ୟତୀତ ବିଶ୍ବଜଗତର ସମସ୍ତ କୋଳାହଳ ଯେମିତି ଚିରତରେ
ନିସ୍ତବ୍ଧ ହୋଇଯାଇଛି।
କ୍ରମେ ଚାରିଦିଗ ଫରଚା ହୋଇଆସିଲା। ତିନିହେଁ ଦ୍ବିତଳରୁ ଅବତରଣ କଲେ ଓ ଜିପ୍ ଆଡ଼କୁ ଅଗ୍ରସର ହେବାକୁ ଲାଗିଲେ।
ଜିପ୍ର ଅଦୂରରେ କିନ୍ତୁ ସେମାନଙ୍କୁ ତଟସ୍ଥ ଭାବରେ ଛିଡ଼ା ହୋଇଯିବାକୁ ପଡ଼ିଲା। ପ୍ରବାଳବାବୁ ପଚାରିଲେ, ଇଞ୍ଜିନ୍ଟି ତା’ହେଲେ କ’ଣ ଗତକାଲି ବନ୍ଦ କରାହୋଇ ନ ଥିଲା?
ମୁଁ ଜରୁର ବନ୍ଦ କରିଛି। ସିହ୍ନା ସାହେବ ଜୋରଦେଇ କହିଲେ।
ତେବେ ଜିପ୍ଟା ଷ୍ଟାର୍ଟ ଧରିଲା ବା କିପରି? ଜିପ୍ ଜାତିର ଇତିହାସରେ କେବେ ଝଡ଼ର ପ୍ରକୋପରେ ତାହା ବଳେ ବଳେ ଷ୍ଟାର୍ଟ ଧରିଯିବାର ଦୃଷ୍ଟାନ୍ତ ଦେଖିବାକୁ ମିଳି ପାରିବ କି? ପ୍ରବାଳବାବୁ ଅତ୍ୟନ୍ତ ବିବ୍ରତ ହୋଇ ପ୍ରାୟ ହିଂସ୍ରଭାବରେ ନିଜସ୍ବ ଚନ୍ଦାମୁଣ୍ଡ ରାମ୍ପୁଡ଼ିବାକୁ ଲାଗିଲେ।
ଇତିମଧ୍ୟରେ ସିହ୍ନା ସାହେବ ଗାଡ଼ି ନିକଟକୁ ଯାଇ ତାହାକୁ ପରୀକ୍ଷା କରିସାରିଥିଲେ। ସେ ଉଚ୍ଚକଣ୍ଠରେ ଘୋଷଣା କଲେ, ଏହା ଇଞ୍ଜିନ୍ର ଶବ୍ଦ ନୁହେଁ।
ଆଉ ତେବେ?
କୌଣସି ଜଣେ ବ୍ୟକ୍ତି ଭିତରେ ଶୋଇ ଘୁଙ୍ଗୁଡ଼ି ମାରୁଛନ୍ତି।
ସିହ୍ନା ସାହେବ ଓ ଅଧ୍ୟାପକ ଅତଃପର ଝିଙ୍କାଝିଙ୍କି କରନ୍ତେ ବ୍ୟକ୍ତିଟିର ନାସିକା ଗର୍ଜନ ସ୍ତିମିତ ହୋଇଆସିଲା ଓ ସେ ଧୀରେ ଧୀରେ ଉଠିବସି ସଲଜ୍ଜ ଭାବରେ କହିଲା, ମୁଁ ଡମ୍ବରୁଧର, ଆଜ୍ଞା।
ପରିଚୟଟି କ’ଣ ଯଥେଷ୍ଟ ହେଲା? ପ୍ରବାଳ କିଶୋର ତାଙ୍କ ଭଉଣୀଙ୍କୁ ଅନାଇ ପ୍ରଶ୍ନଟି ପଚାରିଲେ। ଡମ୍ବରୁଧର ଶୁଣିପାରି ଦ୍ବିଗୁଣ ଉତ୍ସାହରେ କହିଲା, ମୁଁ ଆଜ୍ଞା, ପ୍ରକୃତରେ ଡମ୍ବରୁଧର। ମାଇଲିଏ ଦୂରରେ ମୋ ଘରକୁ ଯାଇଥିଲି। ଆସିଲା ବେଳକୁ ଆପଣମାନେ କୋଠି କବାଟ ବନ୍ଦ କରିଦେଲେଣି। ତେଣୁ ଏଇଠି ଶୋଇପଡ଼ିଲି।
ସେତେବେଳକୁ ସିହ୍ନା ସାହେବ ତାଙ୍କ ବ୍ୟାଗ ଭିତରୁ ଅନତିବୃହତ୍ ଶୂନ୍ୟ ବୋତଲଟିଏ ବାହାର କରି ଦୀର୍ଘ ନିଃଶ୍ବାସ ସହକାରେ ତାକୁ ନିରୀକ୍ଷଣ କରୁଥିଲେ। ଡମ୍ବରୁଧର ତାଙ୍କ ପାଖକୁ ଘୁଞ୍ଚିଆସି କାନମୁଣ୍ଡା ଆଉଁସି ଆଉଁସି କହିଲା, ହଜୁର, ବଡ଼ ଶୋଷ କଲା ଆଉ ପିଇବା ପାଣି ତ ରହିଲା କୋଠି ଭିତରେ। ଜାଣିଲି ଯେ ଏଇଟା ବାସ୍ନାତେଲ ବୋତଲ ନୁହେଁ। ମଧ୍ୟେ ମଧ୍ୟେ ବାବୁ ଭାୟାମାନେ ତ ଏଠାକୁ ଆସନ୍ତି। ସେମାନଙ୍କ ପ୍ରସାଦରୁ ମୁଁ ସବୁ ଗନ୍ଧ ଜାଣିଯାଇଛି।
ଏତେବେଳକୁ ଜଣା ପଡ଼ିଯାଇଥିଲା ଯେ, ଡମ୍ବରୁରଧର ହେଲେ କୋଠିର ଚୌକିଦାର। ପ୍ରବାଳବାବୁ ତାଙ୍କୁ ଲକ୍ଷ୍ୟ କରି କହିଲେ, ଆହା, ଝଡ଼ ରାତିଯାକ ତୁମକୁ ଆମେ ବହୁତ କଷ୍ଟ ଦେଲୁ?
କଷ୍ଟ? ଡମ୍ବୁରଧର ଅବାକ୍ ହୋଇ ଚାହିଁରହିଲା।
ମୁଁ ଗତ ରାତିର ଭୟଙ୍କର ଝଡ଼ କଥା କହୁଛି। କହିଲେ ପ୍ରବାଳ କିଶୋର। ଡମ୍ବରୁଧର ସ୍ବାଗତୋକ୍ତି କଲା ଭଳି କହିଲା, ହଁ ଥଣ୍ଡା ପବନ ବହୁଥିଲା ଅବଶ୍ୟ। ଆଉ ବର୍ଷା ବି ଆରମ୍ଭ ହୋଇଥିଲା। ତେବେ ଝଡ଼ଟାଏ କେତେବେଳେ ଚୁପ୍ଚାପ୍ ହୋଇଗଲା। ମୁଁ ଆଜ୍ଞା ନିଦରେ ଶୋଇପଡ଼ି ଜାଣିପାରିଲି ନାହିଁ।
ଶ୍ରୀମତୀ ସିହ୍ନା ହସିଲେ, କାରଣ ଅର୍ଦ୍ଧାଧିକ ପୃଥିବୀବ୍ୟାପୀ ପ୍ରଳୟ ସମ୍ପନ୍ନ ହୋଇଯାଇଥିବା ସମ୍ପର୍କରେ ଅଧ୍ୟାପକ ପ୍ରବାଳ କିଶୋରଙ୍କର ନିଶାର୍ଦ୍ଧ-ପ୍ରଦତ୍ତ ବିବୃତ୍ତି ଉପରେ ତାଙ୍କର ଏତେବେଳକୁ ଅନାସ୍ଥା ଆସିଯାଇଥିଲା।
ଜିପ୍ ଷ୍ଟାର୍ଟ ଧରୁ ନ ଥିଲା। ଡମ୍ବରୁଧର ଏକା ନିଃଶ୍ବାସରେ ଚାରି ପାଞ୍ଚଗଜ ଠେଲି ନେଇଯା’ନ୍ତେ, ଇଞ୍ଜିନ୍ଟି ଜୀବନ୍ତ ହୋଇଉଠିଲା ଓ ଦୂରାନ୍ତର ବଣବୁଦା ଭିତରେ ଅଚିରେ ଅଦୃଶ୍ୟ ହୋଇଗଲା।