ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରକୁ ପ୍ରତିଦ୍ବନ୍ଦିତାର ଆହ୍ବାନ ଦେଇ ଗାଁର ସେ ପୁରାତନ ବଟବୃକ୍ଷଟା ଛାୟା ପ୍ରଦାନପୂର୍ବକ ପଞ୍ଚ ପରମେଶ୍ବରଙ୍କୁ ସନ୍ତୁଷ୍ଟି ଦେଉଥିଲା। ଶଙ୍କରା ସମେତ ଅନ୍ୟ ଗ୍ରାମବାସୀବୃନ୍ଦ ଯତ୍କିଞ୍ଚତ୍ ଛାୟା ପ୍ରାପ୍ତି ନିମନ୍ତେ ବୃକ୍ଷଟିର ସୀମିତ ଛାୟାକୁ ନିଜ ନିଜ ମଧ୍ୟରେ ବଣ୍ଟନ କରିବାରେ ଚେଷ୍ଟାରତ ହୁଅନ୍ତେ ଭୀମା ମହାଜନେ ହୁଙ୍କାର ଛାଡ଼ିଲେ, ‘ଏଃ, ଏତେ କିସ ଖୋଜି ହଉଛ ବା? ଯୋଉଠି ଗୋଟେ ଶୀଘ୍ର ବସିଯାଆ ସମସ୍ତେ। ଉଃ! ଦେଖ ଏମିତି ହଉଛନ୍ତି ଯେମିତି ଛାଇ ନ ମିଳିଲେ ଖରାରେ ତରଳି ଯିବେ ଅବା। ଆରେ ହେ ମଦନା ବିଞ୍ଚଣାଟା ମୋ ଆଡ଼େ ଟିକେ ଜୋର୍ରେ ହଲା। ତୁଛା ଭେଣ୍ଡିଆଟା, ସୁକୁମାରିଆ ବୋହୁ ପରିକା କିସ ହଉଛୁ କିରେ? ଦାସେ ଆପଣେ! ପାନଟାଏ ଚଳିବ କି?
ସରପଞ୍ଚ ଭଗବାନ ଦାସ ମହାଜନଙ୍କ ହାତରୁ ପାନଟା ନେଇ ପାକୁଳି କରୁ କରୁ କହିଲେ, ‘ତମେ ସବୁତ ଜାଣିଛ ଆଜି କାହିଁକି ଏଠାରେ ଏକାଠି ହୋଇଛେ। ତଥାପି ଯେଉଁମାନେ ଜାଣି ନାହାଁନ୍ତି ସେମାନଙ୍କ ପାଇଁ ଅବଧାନେ ଆଉ ଥରେ ସବୁକଥା କହିଦେବେ।’ ଏତକ କହି ସେ ଅବଧାନ ନାରଣ ରାଉତଙ୍କୁ ଚାହିଁଲେ।
ଅବଧାନେ କୌଣସି ବିଶିଷ୍ଟ ଗାୟକଙ୍କ ପରି ଗଳା ଖଙ୍କାରି ତାଙ୍କ ପୂର୍ବ ମୁଖସ୍ଥ ଦୀର୍ଘ ଭାଷଣଟି ଆରମ୍ଭ କଲେ ଅନେକ ସାହିତ୍ୟିକ ଶବ୍ଦର ବ୍ୟବହାର କରି ଅଧଘଣ୍ଟା କାଳ ଯେଉଁ ଉକ୍ତିଗୁଡ଼ିକ ଓଗାଳି ଦେଇଗଲେ ତା’ର ସାରମର୍ମ ଥିଲା- ‘ଶଙ୍କରାର ପୁଅ ସୁବା କେଡ଼େ ବୀର, କେଡ଼େ ମହାନ ଥିଲା, ଯେ କି ଏସନ ଯୁଦ୍ଧରେ ଦେଶ ପାଇଁ ଜୀବନ ଉତ୍ସର୍ଗ କରିଦେଲା। ତା’ ସ୍ମୃତିକୁ ଗାଁରେ ଚିର ଦିନ ଅମର ରଖିବାକୁ ଗାଁରେ କିଛି ଗୋଟେ ଗଢ଼ିବାର ନିଷ୍ପତ୍ତି ନେବା ପାଇଁ ଆଜି ସମସ୍ତେ ଏଠାରେ ଏକତ୍ରିତ।
ଶଙ୍କରା ଭାବୁଥିଲା ଆଜି ସୁବା ଥିଲେ କେତେ ଖୁସିହୋଇ ଥାଆନ୍ତା। ଯେଉଁ ଅବଧାନ ସବୁବେଳେ ବିରକ୍ତ ହୋଇ କହୁଥିଲେ, ‘କି ଚାକିରି କରିଛି ଯେ, ମଣିଷ ମାରି ନିଜ ପେଟ ପୋଷୁଛି’, ସେହି ନିଜେ ଆଜି ସୁବାର ପ୍ରଶଂସାରେ କେତେ କଥା କହୁଛନ୍ତି। ଶଙ୍କରାର ଆଖିରେ ଲୁହ ଜକେଇ ଆସିଲା।
ଶଙ୍କରାର ଭାବନା ଭଙ୍ଗ କରି ମନ୍ଦିରର ପୁରୋହିତ ନିମାଇଁ ପଣ୍ଡା କହିଲେ, ‘ଯାହା କହିଲେ ଅବଧାନେ, ବଢ଼ିଆ ପିଲାଟାଏ ଥିଲା ଏକା ଆମ ସୁବାଟା। ଗାଁର ନା’ଟା ଉଜ୍ଜ୍ବଳ କରିଗଲା।’ ଶଙ୍କରା ବୁଝି ପାରୁ ନ ଥିଲା, ଆଜି ହଠାତ୍ ସୁବା ସମସ୍ତଙ୍କ ପାଖରେ ଏତେ ପ୍ରିୟ କିପରି ହୋଇଗଲା। ଏହି ପୁରୋହିତ ସକାଳୁ ସକାଳୁ ପୋଖରୀ ପାଣି ସାରି ଫେରିଲାବେଳେ ଯଦି ସୁବାର ଛାଇ ତା’ଙ୍କ ଉପରେ ପଡ଼ି ଯାଉଥିଲା, ବିଗିଡ଼ି ଉଠି କହୁଥିଲେ, ‘ରାମ, ରାମ, ରାମ, ପୁଣି ଗାଧୋଇବାକୁ ପଡ଼ିବ। ଜାତି-ଅଜାତି ଲୋକଙ୍କ ସଙ୍ଗେ ମିଶି ଗୋରୁ ଘୁଷୁରି ମାଂସ ଖାଉଥିବ, ମଦ ପିଉଥିବ। ନିଜ ଜାତିଟା ତ ଗଲା, ମୋ ଜାତିଟା ବି ନେବ।’ ଅବଶ୍ୟ ଏହି ପୁରୋହିତ ଲୋକଙ୍କୁ ଲୁଚି ଲୁଚି ମଦ-ମାଂସକୁ ଆନନ୍ଦରେ ଉପଭୋଗ କରୁଥିବାର ଶଙ୍କରା ନିଜେ କେତେ ଥର ଦେଖିଥିଲା।
‘ଆରେ ଶଙ୍କରା! ତୁ କିଛି କହୁନୁ ଯେ? ଏମିତି ପଥରଟା ପରି କାହିଁକି ବସିଛୁ?’
ସରପଞ୍ଚଙ୍କ କଥାରେ ଶଙ୍କରା ପ୍ରକୃତିସ୍ଥ ହେଲା। ତଥାକଥିତ ବଡ଼ ଲୋକମାନଙ୍କ ସମ୍ମୁଖରେ କେବେ ମୁହଁ ଖୋଲି ଶିଖି ନ ଥିବା ଶଙ୍କରା କିଂକର୍ତ୍ତବ୍ୟବିମୂଢ଼ ହୋଇ ତା’ର ଚିରାଚରିତ ଢ଼ଙ୍ଗରେ ହାତ ଯୋଡ଼ି ପଞ୍ଚଙ୍କୁ ଜୁହାରଟିଏ ପକେଇ ବସି ରହିଲା। ଏମିତିରେ ବି ତା’ର କୌଣସି କଥାରୁ ପଞ୍ଚଙ୍କୁ ବିଶେଷ କିଛି ତଫାତ୍ ପଡ଼ିବାର ନ ଥିଲା। ଅତଏବ ଭଗବାନ ଦାସ ଅନ୍ୟ ପଞ୍ଚଙ୍କ ଉଦ୍ଦେଶ୍ୟରେ ପଚାରିଲେ, ‘ଆପଣମାନେ କ’ଣ କହୁଛନ୍ତି, ଆମ ସୁବା ନାଁ’ରେ କ’ଣଟାଏ ଗଢ଼ିଲେ ଠିକ୍ ହେବ?’
ନିକଟ ଅତୀତରେ କଣ୍ଟ୍ରାକ୍ଟରୀ ବ୍ୟବସାୟ ଆରମ୍ଭ କରିଥିବା ଏବଂ କଣ୍ଟ୍ରାକ୍ଟରୀ ନାଁ’ରେ ଏ ଯାବତ୍ ଫାଳେ ମାତ୍ର ପାଇଖାନା ଘର ତିଆରି କରି ପାରିଥିବା ପୁତ୍ରର ବ୍ୟବସାୟର ଉନ୍ନତି ଆଶା କରି ନରେଶ ପାତ୍ର କହିଲେ, ‘ମୁଁ ଭାବୁଛି ଆମ ଗାଁ ମାଟି ରାସ୍ତାଟାକୁ ପକ୍କା ସଡ଼କ କରିଦେଇ ସୁବା ନା’ରେ ‘ସୁବାଷ ସଡ଼କ’ ନାଁ’ ଦେଇଦେବା। ତା’କୁ ବନେଇବାକୁ ବାହାରୁ କଣ୍ଟ୍ରାକ୍ଟର୍ ବି ଡାକିବା ଦରକାର ହେବନି। ମୋ ପୁଅ ଭୁବନାକୁ କହିଲେ ଏମିତି ସଡ଼କ ବନେଇବ ଯେ ଆମ ସାତ ପୁରୁଷ ଯାଏଁ ରାସ୍ତାରୁ ଗୋଡ଼ିଟାଏ ବି ଖସିବ ନାହିଁ।’
ତତ୍କ୍ଷଣାତ୍ ତା’ଙ୍କ ବାକ୍ୟକୁ ଖଣ୍ଡନ କରି ପୁରୋହିତ କହିଲେ, ‘ଆଜ୍ଞା ମୁଁ କ’ଣ କହୁଥିଲି କି, ଏଡ଼ିକି ବକଟେ ଗାଁ। କୋଉ ଦଶଟା ରାସ୍ତା ଅଛି ଯେ? ଗାଁରେ ଗୋଟିଏ ବୋଲି ତ ରାସ୍ତା, ତା’ହେଲେ ସେଇଟାକୁ ନାମକରଣ କରିବାର କିଛି ମାନେ ଅଛି? ବରଂ ଗାଁ ମନ୍ଦିରଟାକୁ ଟିକିଏ ବାଗେଇ ଦେଇ ସେଠାରେ ଗୋଟାଏ ବଖରା ଘର କରି ଦେଲେ ହୁଅନ୍ତା। ମୁଁ ସେଠାରେ ରହି ଦିନ ତମାମ ମନ୍ଦିରକୁ ଭକ୍ତଙ୍କ ପାଇଁ ଖୋଲା ରଖନ୍ତି। କେତେ ଭକ୍ତ ଉପକୃତ ହୁଅନ୍ତେ ସତେ!’ କହିବା ବେଳେ ମନେ ମନେ ବିଚାରୁଥିଲେ, ଯଦି ଏପରି ହୁଅନ୍ତା ତେବେ ଆଉ ଭଡ଼ା ଘରେ ରହି ମାସକୁ ମାସ ଘର ମାଲିକକୁ ପଇସା ଗଣି ଦେବାକୁ ପଡ଼ନ୍ତା ନାହିଁ।
ହେଲେ ଅବଧାନ କିଛି କମ୍ ଚାଲାକ ନ ଥିଲେ। ପୁରୋହିତଙ୍କ ମନ୍ସା ଠଉରାଇ ନେଇ ତୁରନ୍ତ କହିଲେ, ‘ହଇ ହେ ପୁରୋହିତେ, ପ୍ରଥମେ ଭାବ, ତା’ ପରେ ଭାଷ। ଆହେ, ମନ୍ଦିର କ’ଣ ଖରାପ ଅଛି ଯେ ବାଗେଇବ? ଆଉ ଠାକୁରଙ୍କୁ କ’ଣ ଭକ୍ତଙ୍କ ପାଇଁ ଦିନ ରାତି ଅନିଦ୍ରା ରଖିବ? ତା’ ଛଡ଼ା ମନ୍ଦିର ଗଢ଼ାଇ ତା’ର ନାମ କ’ଣ ଦେବ- ‘ସୁବାଷ ମନ୍ଦିର’? ମନ୍ଦିରର ଏପରି ନାମକରଣ କସ୍ମିନ୍ କାଳେ ଶୁଣିଛ?’ ଅବଧାନଙ୍କ କଥା ଶୁଣି ପୁରୋହିତ ତା’ଙ୍କ ଆଡ଼କୁ ଏକ ତୀର୍ଯ୍ୟକ୍ କ୍ରୋଧପୂର୍ଣ୍ଣ ଦୃଷ୍ଟି ନିକ୍ଷେପ କଲେ, ଯାହାର ଅର୍ଥ ସିଧାସଳଖ ଏଇଆ ଥିଲା- ‘ରହରେ ବାପ ଦିନ ଆସୁ ମୁଁ ବି ତୋତେ ପାନେ ଚଖେଇବି।’
ଅବଧାନଙ୍କର ଏହିକ୍ଷଣି ତହିଁକୁ ଭ୍ରୂକ୍ଷେପ ନ ଥିଲା। ରାମାୟଣରେ ମନ୍ଥରାର କପଟତା ଓ ଚାଲାକି ବିଷୟ ଚାଟଶାଳୀ ପିଲାଙ୍କୁ ବର୍ଷ ବର୍ଷ ଧରି ପଢ଼ାଇ ଆସୁଥିବା ଅବଧାନ ନିଜେ ମଧ୍ୟ ଭଲ ଭାବେ ହୃଦୟଙ୍ଗମ କରିଥିଲେ ଯେ, ଠିକ୍ ସମୟରେ ଠିକ୍ ବରଟି ମାଗି ନ ନେବା କେବଳ ମୂର୍ଖାମୀ ବ୍ୟତୀତ ଅନ୍ୟ କିଛି ନୁହେଁ। ତେଣୁ କାଳ ବିଳମ୍ବ ନ କରି ପଞ୍ଚଙ୍କ ନିକଟରେ ସେ ନିଜ ପ୍ରାର୍ଥନା ଉପସ୍ଥାପନ କଲେ, ‘ଆଜ୍ଞା, ଗୋଟାଏ ବଖରା ଚାଟଶାଳୀରେ ପିଲାଏ ବସି ପାଠ ପଢ଼ିଲା ବେଳେ ଖରା ଦିନେ ଦେହରୁ ଝାଳ ବହୁଛି, ବର୍ଷା ଦିନେ ଛାତରୁ ପାଣି ଗଳୁଛି। ତେଣୁ ଆଉ ଦି, ଚାରି ବଖରା ଘର ତିଆରି କରି ଚାଟଶାଳୀକୁ ବିଦ୍ୟାଳୟରେ ପରିଣତ କରାଯାଉ। ଏପରି ହେଲେ ବିଦ୍ୟାଳୟକୁ ସରକାରୀ ଅନୁଦାନ ମିଳିବା ବି ସମ୍ଭବ ହେବ। ‘ସୁବାଷ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ’ ନାଁ’ଟା ମଧ୍ୟ ଖୁବ୍ ସୁନ୍ଦର ଶୁଣାଯିବ।’ କହିବା ବାହୁଲ୍ୟ ଯେ, ଉପରୋକ୍ତ ଭାବେ ମିଳିବାକୁ ଥିବା ଅବଶ୍ୟମ୍ଭାବୀ ସରକାରୀ ଅନୁଦାନ ଓ ସୁବିଧାଗୁଡ଼ିକୁ ମନ୍ଥନ କରି ନିଜ ପାଇଁ ବ୍ୟକ୍ତିଗତ ସୁଯୋଗର ଉତ୍ପତ୍ତି କରାଇବାରେ ଅବଧାନ ସିଦ୍ଧହସ୍ତ ଥିଲେ।
ଅବଧାନଙ୍କ ପଛକୁ ପଛ ସଭାମଣ୍ଡନ ପୂର୍ବକ ସୁବାର ସ୍ବର୍ଗୀୟ ଆତ୍ମାକୁ କୃତାର୍ଥ କରୁଥିବା ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ନିଜ ନିଜର ମନ୍ତବ୍ୟ ଓ ଯୋଜନା ବଖାଣିବାକୁ ଲାଗିଲେ। ‘ସୁବାଷ’ ନାମଧାରୀ ନାନାଦି ସଂସ୍ଥା ପ୍ରସ୍ତାବିତ ତଥା ପ୍ରତ୍ୟାଖିତ ହୋଇ ଚାଲିଲା, ଯଥା-ସୁବାଷ ଦାତବ୍ୟ ଚିକିତ୍ସାଳୟ, ସୁବାଷ କଳା କେନ୍ଦ୍ର ଇତ୍ୟାଦିରୁ ଆରମ୍ଭ କରି ସୁବାଷ ପ୍ରେକ୍ଷାଳୟ, ସୁବାଷ ଭୋଜନାଳୟ, ସୁବାଷ କଣ୍ଟ୍ରୋଲ୍ ଦୋକାନ ଆଦି ପର୍ଯ୍ୟନ୍ତ। ପ୍ରସ୍ତାବଦାତାମାନେ ଭୁଲିଯାଇଥିଲେ ଯେ, ‘ସୁବାଷ’ ନାଁ’ଟି ଏକ ସ୍ବର୍ଗତ ବୀରର। ବରଂ ନାଁଟି ଏପରି ଭାବେ ବ୍ୟବହୃତ ହେଉଥିଲା, ଯେପରି ତାହା କୌଣସି ନାମୀଦାମୀ କମ୍ପାନୀର ନାଁ’ ଏବଂ କେବଳ ସେହି ନାଁଟିକୁ ନିଜ ବସ୍ତୁ ସହିତ ଯୋଡ଼ି ଦେଲେ ଅତି ସହଜରେ ବସ୍ତୁଟି ବିକ୍ରି ହୋଇଯିବ। ଯଦିଓ ପ୍ରସ୍ତାବଦାତାମାନ ନିଜ ପ୍ରସ୍ତାବରେ ଗ୍ରାମର ଓ ଗ୍ରାମବାସୀଙ୍କର ପ୍ରଭୂତ ବିକାଶ ନିହିତ ଥିବାର ଦର୍ଶାଉଥିଲେ, କିନ୍ତୁ ପ୍ରକାରାନ୍ତରରେ ନିଜର ବ୍ୟକ୍ତିଗତ ସ୍ବାର୍ଥ ସାଧନ ଥିଲା ପ୍ରତ୍ୟେକଙ୍କର ଏକ ମାତ୍ର ଉଦ୍ଦେଶ୍ୟ।
ଇତ୍ୟବସରରେ ଭୀମା ମହାଜନଙ୍କର ଉର୍ବର ମସ୍ତିଷ୍କ ନିଜର ମହାଜନି ବୁଦ୍ଧି ପ୍ରୟୋଗ କରି ହିସାବ କଷାକଷି କରିବାରେ ବ୍ୟସ୍ତ ଥିଲା। ସଂସ୍ଥାଟି ଯାହା ବି ଗଢ଼ା ହେଉ, ଖର୍ଚ୍ଚଟା କମ୍ ପରିମାଣର ହେବନି ଏବଂ ଏଥି ନିମନ୍ତେ ଏକତ୍ରିତ କରାଯିବାର ଥିବା ଚାନ୍ଦାର ବୃହଦଂଶ, ଗ୍ରାମର ସର୍ବାଧିକ ଧନିବ୍ୟକ୍ତି ଭାବେ ତାଙ୍କୁ ହିଁ ଦେବାକୁ ପଡ଼ିବ। ଅତଏବ ସେ ଆରମ୍ଭ କଲେ, ‘ଏଠାରେ ଯାହା ଗଢ଼ିଲେ ମଧ୍ୟ କାଲିକୁ ଆମ ନାତି, ଅଣନାତି ଯେବେ ପଚାରିବେ ବୀର ସୁବାଷ କିଏ, କେମିତି ଦେଖିବାକୁ ଥିଲା, ତେବେ କି ଜବାବ ଦେବା? ତେଣୁ ଗାଁ ମଝି ଚଉତରା ଉପରେ ସୁବାଷ ମୂର୍ତ୍ତିଟାଏ ଗଢ଼ିବା ଠିକ୍ ହେବ। ଯୁଗ ଯୁଗକୁ ଲୋକେ ଦେଖିବେ, ମନେ ରଖିବେ। ନା କ’ଣ କହୁଛନ୍ତି ଦାସେ ଆପଣେ?’ ଏତକ କହିବା ପୂର୍ବରୁ ସେ ହିସାବ କରି ସାରିଥିଲେ ଯେ, ମୂର୍ତ୍ତି ଗଢ଼ିବାର ଖର୍ଚ୍ଚ ବିଦ୍ୟାଳୟ, ମନ୍ଦିର ବା ସଡ଼କ ଆଦିର ଖର୍ଚ୍ଚ ତୁଳନାରେ ନଗଣ୍ୟ ହେବ ଓ ତା’ଙ୍କ ଠାରୁ ଆଦାୟ ହେବାକୁ ଥିବା ଚାନ୍ଦା ମଧ୍ୟ।
ଭୀମା ମହାଜନଙ୍କର ବହୁମୂଲ୍ୟ ମନ୍ତବ୍ୟ ଉପସ୍ଥିତ ସମସ୍ତ ଗଣ୍ୟମାନ୍ୟ ବ୍ୟକ୍ତିମାନଙ୍କୁ କିଛି କ୍ଷଣ ନୀରବ ରହି ଚିନ୍ତା କରିବାକୁ ବାଧ୍ୟ କରି ଦେଇଥିଲା। ଅର୍ଥକୁ ଜୀବନର ପ୍ରକୃତ ଅର୍ଥ ମନେ କରୁଥିବା ଏହି ବ୍ୟକ୍ତିମାନଙ୍କୁ ମହାଜନଙ୍କ ମନ୍ତବ୍ୟରେ ଲୁକ୍କାୟିତ ଗଭୀରତମ ଅର୍ଥକୁ ହୃଦୟଙ୍ଗମ କରିବାକୁ ଅଧିକ ସମୟ ଲାଗି ନ ଥିଲା। କୌଣସି ବୃହତ୍ ବ୍ୟକ୍ତିଗତ ଉଦ୍ଦେଶ୍ୟ ସାଧିତ ନ ହେଲା ନାହିଁ, କିନ୍ତୁ ଏତେ ବଡ଼ ଆକାରର ଚାନ୍ଦା ଦେବାରୁ ବଞ୍ଚି ଯିବାଟା କ’ଣ କମ୍ କଥା? ଫଳସ୍ବରୂପ ମହାଜନଙ୍କ ପ୍ରସ୍ତାବରେ ସେମାନେ ସମସ୍ତେ ସହମତି ବ୍ୟକ୍ତ କଲେ।
କିନ୍ତୁ ବିଗତ ଘଣ୍ଟାଏ ହେବ ଖରାରେ ନିଜ ଝାଳ ବୁହାଇ, କୌଣସି ବିଶେଷ ନିଷ୍ପତ୍ତି ଗ୍ରହଣ କରାଯିବାର ଆଶା ନେଇ ବସି ରହିଥିବା ଗ୍ରାମବାସୀ ଏପରି ପ୍ରସ୍ତାବରେ ସନ୍ତୁଷ୍ଟ ହୋଇଥିବା ପରି ପ୍ରତୀତ ହେଲା ନାହିଁ। ଅବଶ୍ୟ ଏହାର ପ୍ରତିବାଦ କରିବାର ସାହସ ସେମାନଙ୍କର ନ ଥିଲା। କିନ୍ତୁ ଗାଁର ଯୁବମଣ୍ଡଳୀର ନେତା ତଥା ସୁବାର ବାଲ୍ୟବନ୍ଧୁ ସୁରେନ୍ଦ୍ର ଏହାର ବ୍ୟତିକ୍ରମ ଥିଲା। ସେ କହିଲା, ‘ସୁବାର ଗୋଟାଏ ମୂର୍ତ୍ତି ଗଢ଼ି ଦେଇ ତା’ ବେକରେ ହାର ଚଢ଼େଇ ଦେଲେ ଆମ ଦାୟିତ୍ବ କ’ଣ ସରିଗଲା? ଆଉ ଶଙ୍କରା ମଉସାଙ୍କ କ’ଣ ହେବ? ସୁବାଛଡ଼ା ତା’ଙ୍କର ଆଉ କିଏ ଥିଲା? ତା’ଙ୍କ ପାଇଁ ଆମର କିଛି ଦାୟିତ୍ବ ନାହିଁ?’
ଆଜିର ସଭାସ୍ଥଳ ବିଶିଷ୍ଟ ବ୍ୟକ୍ତିମାନଙ୍କର ଯଦି ଗାଁରେ କାହାକୁ ତିଳେ ମାତ୍ର ଭୟ ଥିଲା, ସେ ଥିଲେ ସୁରେନ୍ଦ୍ର ଓ ତା’ର ଯୁବମଣ୍ଡଳୀ। ଅବଧାନ ନାରଣ ରାଉତ ଆଜି ପର୍ଯ୍ୟନ୍ତ ଭୁଲି ନ ଥିଲେ, ପିଲା ଥିଲା ବେଳେ ଚାଟଶାଳୀରେ ସେ ସୁରେନ୍ଦ୍ରକୁ ଦଣ୍ଡ ଦେଇ ଥିବାରୁ, ସେ ଓ ତା’ର ସାଥିମାନେ ଗାଧୁଆ ବେଳେ ପୋଖରୀ ତୁଠରେ ଥୁଆ ହୋଇଥିବା ତାଙ୍କ ଲୁଗାରେ କିଛି ବିଛୁଆତି ରଖି ଦେଇ ଯାହା ହନ୍ତସନ୍ତ କରିଥିଲେ। ସେ ଲୁଗାକୁ ପିନ୍ଧି ଦେବା ପରେ ବିଛୁଆତିର ପ୍ରଭାବରେ ଅନନ୍ୟୋପାୟ ହୋଇ ଗାଁ ଦାଣ୍ଡରେ ବିବସ୍ତ୍ରପ୍ରାୟ ଦଉଡ଼ି ଯେଉଁ ହିନସ୍ତା ହୋଇଥିଲେ, ସେ କଥା ମନେ ପଡ଼ି ଗଲେ ଆଜି ମଧ୍ୟ ପିନ୍ଧିଥିବା ଧୋତିର ଗଣ୍ଠିକୁ ସମ୍ଭାଳିବାକୁ ଆପେ ଆପେ ହାତ ଚାଲିଯାଏ। ସରପଞ୍ଚ ଡରୁଥିଲେ, କାରଣ ଯୁବ ମଣ୍ଡଳୀର ବିନା ସହଯୋଗରେ ପଞ୍ଚାୟତର ଅଧିକାଂଶ କାର୍ଯ୍ୟ କରିବା ଅସମ୍ଭବ ଥିଲା। ମହାଜନଙ୍କ ଭୟର କାରଣ ଥିଲା- ଏ ସନ ମହାଜନରୁ ସରପଞ୍ଚ ହେବାର ତାଙ୍କର ଆଶାକୁ ସାକାର କରିବାରେ ଏହି ମଣ୍ଡଳୀର ସାହାଯ୍ୟ ଅନିବାର୍ଯ୍ୟ ଥିଲା।
ହୃଦୟର ଭୟକୁ ମୁଖମଣ୍ଡଳରେ ପ୍ରକାଶ ହେବାକୁ ନ ଦେବାର ଯଥାସାଧ୍ୟ ଚେଷ୍ଟା କରି ସରପଞ୍ଚ କହିଲେ, ‘ଆରେ ସୁର, ତୁମେ ପିଲାଗୁଡ଼ା ଚାହୁଁଥିଲ ସୁବାର ସ୍ମୃତିରେ କିଛି ଗୋଟେ କରିବାକୁ। ଶଙ୍କରାର ଥଇଥାନ ବିଷୟ ତ ଆମର କିଛି କଥା ହୋଇ ନ ଥିଲା। ତା’ ଛଡ଼ା ଗାଁରେ କେତେ କାହାର ପୁଅ, ବାପ, ଭାଇ ମରୁଛନ୍ତି। ତା’ ବୋଲି କ’ଣ ସମସ୍ତଙ୍କ ଭରଣ ପୋଷଣ ଦାୟିତ୍ବ ପଞ୍ଚାୟତର? ପଞ୍ଚ ଯାହା ରାୟ ଦେଇଛନ୍ତି ତାହା ଶେଷ ରାୟ। ତା’ଠାରୁ ଅଧିକ ଆଶା କରନି।’
ଏଥର ସୁରେନ୍ଦ୍ରର କ୍ରୋଧର ବନ୍ୟା ତା’ ଧୈର୍ଯ୍ୟର ବନ୍ଧ ଭାଙ୍ଗି ଦେଲା। ସେ କହିଲା, ‘ଆପଣଙ୍କ ଦୟା ଦରକାର ନାହିଁ। ଅନ୍ୟ କାହାର ମୃତ୍ୟୁ ଓ ସୁବାର ମୃତ୍ୟୁ ଭିତରେ ଆପଣଙ୍କୁ କିଛି ତଫାତ୍ ଦେଖାଯାଉ ନାହିଁ? ତା’ପରି ହଜାର ହଜାର ସୈନ୍ୟ ଜୀବନ ଦେଉଛନ୍ତି ବୋଲି ଆପଣମାନେ ଗଛ ଛାଇରେ ବସି ଏପରି ଫାଙ୍କା ଭାଷଣ ଦେଇ ପାରୁଛନ୍ତି। ଛାଡ଼ନ୍ତୁ, ଆପଣମାନଙ୍କୁ ଏସବୁ କହି କିଛି ଲାଭ ନାହିଁ।’ ସେ ଜାଣି ସାରିଥିଲା ଯେ, ଶତ ଚେଷ୍ଟା ପରେ ମଧ୍ୟ ଏମାନଙ୍କର ସଂକୀର୍ଣ୍ଣ ମାନସିକତାର ପରିଧିକୁ ପ୍ରସାରିତ କରାଇ ମାନବିକତାର ପରିବ୍ୟାପ୍ତ ବଳୟରେ ପରିଣତ କରାଇବା ଅସମ୍ଭବ। ସୁରେନ୍ଦ୍ରର ନିର୍ଦ୍ଦେଶରେ ସମଗ୍ର ଯୁବମଣ୍ଡଳୀ ଉଠି ଠିଆ ହେଲା, ସଭା ଛାଡ଼ି ଚାଲିଯିବାର ଉପକ୍ରମରେ। ପ୍ରତ୍ୟେକଟି ଆଖିରେ ଥିଲା କିଛି କରିଯିବାର ଉନ୍ମାଦନା ଓ ଚିରାଚରିତ ସଂକୀର୍ଣ୍ଣତା ବିରୋଧରେ କ୍ରୋଧ ଏବଂ ଯୁବ ରକ୍ତରେ ଥିଲା ଯେ କୌଣସି ବାଧାବିଘ୍ନକୁ ଜୟ କରିଯିବାର ତୀବ୍ର ଉଷ୍ମତା। ସେମାନେ ଚାଲିଯିବା ପରେ ସଭାରେ କିଛି କ୍ଷଣ ନୀରବତା ରାଜୁତି କଲା।
ସୁରେନ୍ଦ୍ର ଚାଲିଯିବା ପରେ ଅବଧାନ ବୀରତ୍ବ ଦେଖାଇ କହିଲେ, ‘ଦେଖ ହୋ ଏଗୁଡ଼ାଙ୍କୁ। କାଲିର ମେଞ୍ଚଡ଼ ଟୋକାଗୁଡ଼ାକ, ମୋ ବେତ ଦେଖି ଏକ କରି ପକଉଥିଲେ, ଆଜି କେଡ଼େ କଥା ନ କହୁଛନ୍ତି ସତେ! କ’ଣ ହେଲା ଦାସେ ଆପଣେ? ଯାହା ତ ଅପମାନ ହେଲା ଏଠାକୁ ଆସି, ଆଉ ବସି ରହିଲେ କାହିଁକି? ଚାଲନ୍ତୁ ଯିବା।’
ସରପଞ୍ଚ ସମ୍ମିତିରେ ମୁଣ୍ଡ ହଲାଇ କହିଲେ, ‘ଆଉ ନୁହଁ ତ କ’ଣ? ଯାଅରେ ଯିଏ ଯାହା କାମରେ।’
ଗ୍ରାମବାସୀ ଯନ୍ତ୍ରବତ୍ ଉଠି ବିନା କୌଣସି ପ୍ରତିବାଦରେ ସ୍ବ ସ୍ବ ଗୃହକୁ ବାହୁଡ଼ି ଗଲେ। ସେତେବେଳେ ସେମାନଙ୍କ ହୃଦୟରେ ସୁବା ବା ଶଙ୍କରା ସମ୍ବନ୍ଧିତ ବିଚାର ନ ଥିଲା, ବରଂ ଥିଲା ଧାନ ଅମଳ କରିବା, ଚାଳ ଛପର କରିବା, ମହାଜନଙ୍କ ଋଣ ସୁଝିବା ଅଥବା ତତ୍ସଦୃଶ ଅନ୍ୟ କୌଣସି ଦୈନନ୍ଦିନ ତେଲ-ଲୁଣ ସଂସାର ସମ୍ବନ୍ଧୀୟ ଚିନ୍ତା-ଦୁଶ୍ଚିନ୍ତା।
ସମୟ ଚକ୍ରରେ ଜୀବନଧାରା ପରିବର୍ତ୍ତିତ ହେବାକୁ ଲାଗିଲା। ଇତି ମଧ୍ୟରେ ତିନି ବର୍ଷ ବିତି ଯାଇଥିଲା। ସୁରେନ୍ଦର ଯୁବ ମଣ୍ଡଳୀ ପରିଣତ ହୋଇଥିଲା ‘ସୁବାଷ ସ୍ବୟଂସେବକ ସଂଘ’ ରେ। ଉଦ୍ଦେଶ୍ୟ ଥିଲା- ସବୁର ସ୍ମୃତିକୁ ଚିର ଅମର ରଖିବା ଓ ଶଙ୍କରା ପରି ଅସହାୟଙ୍କର ସାହାଯ୍ୟ କରିବା। ବ୍ୟାଙ୍କ୍ ବାବୁଙ୍କ ସହାୟତା ଓ ସଂଘର ପ୍ରଚେଷ୍ଟାରେ ଆଜି ଶଙ୍କରା ପାଖରେ ଥିଲା ଚାରୋଟି ଦୁଧିଆଳୀ ଗାଈ। ଏବେ ସେ ପଞ୍ଚଙ୍କ ସମ୍ମୁଖରେ ଭୟରେ ହାତ ଯୋଡ଼ୁ ନ ଥିଲା, ଯୋଡ଼ୁଥିଲା କେବଳ ବ୍ୟାଙ୍କ୍ ବାବୁଙ୍କ ଆଗରେ, ଆଦରରେ।
ଗାଁରେ ବ୍ୟାଙ୍କ୍ର ଆବିର୍ଭାବ ପରେ ମହାଜନଙ୍କର ବଂଶାନୁକ୍ରମିକ ଭାବେ ଚାଲିଥିବା ଋଣ ବ୍ୟାପାର ମାନ୍ଦା ପଡ଼ି ଯାଇଥିଲା। ତା’ଙ୍କ ମୁଣ୍ଡକୁ ସରପଞ୍ଚ ପଦବୀ ଅଧିକାର କରିବାର ନିଶା ଓହ୍ଲାଇଯାଇଥିଲା। ନିଜ ବଂଶର ଅବଶିଷ୍ଟ ଧନସମ୍ପଦକୁ ବଞ୍ଚାଇ ରଖିବା ପାଇଁ ଓ ଦୈନିନ୍ଦିନ ଖର୍ଚ୍ଚ ମେଣ୍ଟାଇବା ପାଇଁ ତା’ଙ୍କୁ ଦିନରାତି ଏକ କରିବାକୁ ପଡୁଥିଲା। କହିବା ଅଲୋଡ଼ା ଯେ, ତାଙ୍କୁ ଆଉ ପଞ୍ଚାୟତରେ ପଞ୍ଚମାନଙ୍କ ସହିତ ବସିବା ଯୋଗ୍ୟ ମନେ କରାଯାଉ ନ ଥିଲା।
ପୂର୍ବ ସରପଞ୍ଚ ଭଗବାନ ଦାସ ଆଉ ସେହି ପଦବୀରେ ନଥିଲେ। ତା’ଙ୍କ ସ୍ଥାନ ନେଇ ସାରିଥିଲେ, କ୍ଷୁଧିତ ଉଦର-କ୍ଷମତା ପିପାସୁ-ଧନ ଲିପ୍ସୁ ଅନ୍ୟ ଜଣେ ମହନୀୟ ବ୍ୟକ୍ତି। ଅବଶ୍ୟ କେବଳ ନାମ ଓ ଚେହେରାକୁ ବାଦ୍ ଦେଲେ ଦୃଷ୍ଟିକୋଣ, ସ୍ବଭାବ ଓ କାର୍ଯ୍ୟକଳାପରେ କୌଣସି ବିଶେଷ ପାର୍ଥକ୍ୟ ନ ଥିଲା ଦୁହିଁଙ୍କ ମଧ୍ୟରେ।
ପୁରୋହିତ ନିମାଇଁ ପଣ୍ଡାଙ୍କୁ ଏବେ ବି ମାସକୁ ମାସ ଘର ଭଡ଼ା ଦେବାକୁ ପଡ଼ୁଥିଲା।
ଅବଧାନ ନାରାଣ ରାଉତଙ୍କର ଚାଟଶାଳୀକୁ ବିଦ୍ୟାଳୟରେ ପରିଣତ କରାଇବାର ସ୍ବପ୍ନ, ‘ସୁବାଷ ସ୍ବୟଂ ସେବକୁ ସଂଘ’ର ପ୍ରଚେଷ୍ଟାରେ ବାସ୍ତବିକତାର ରୂପ ନେଇ ସାରିଥିଲା- ଅବଶ୍ୟ ସଂଘ ଅବଧାନଙ୍କ ସ୍ବାର୍ଥ ନିମନ୍ତେ ନୁହଁ, ବରଂ ଗାଁର ସର୍ବାଙ୍ଗୀନ ଉନ୍ନତିକୁ ଆଖି ଆଗରେ ରଖି ଏହି ଚେଷ୍ଟା କରିଥିଲା। କିନ୍ତୁ ଦୁଃଖର ବିଷୟ ଯେ ବୟସାଧିକ୍ୟ ଓ ଅର୍ଥାଭାବ ଯୋଗୁଁ ଅବଧାନଙ୍କ ମୁଣ୍ଡ ଗୋଳମାଳ ଧରିବା ଆରମ୍ଭ ହୋଇ ଯାଇଥିଲା। ତେଣୁ ତା’ଙ୍କ ବଦଳରେ ତିନି ଜଣ ଯୁବ ଶିକ୍ଷକଙ୍କୁ ନିଯୁକ୍ତି ଦିଆ ଯାଇଥିଲା। ଅନେକ ସମୟରେ ଅବଧାନ ହାତରେ ବେତଧରି ଚାଟଶାଳୀ ପଛ ପଡ଼ିଆରେ ଚରୁଥିବା ଗାଈ-ବଳଦ ଆଦିଙ୍କୁ ପଣକିଆ ଶିଖାଇବାକୁ ଚେଷ୍ଟା କରୁଥିବାର ଦେଖା ଯାଉଥିଲା। ବିଚରା ପଶୁଗୁଡ଼ାକ ପଣକିଆ ଶିଖି ନ ପାରି ଅବଧାନଙ୍କ ବାରମ୍ବାର ବେତ ପ୍ରହାରରେ ଅତିଷ୍ଠ ହୋଇ, ପ୍ରତିଶୋଧ ପରାୟଣବଶତଃ ପ୍ରତିଆକ୍ରମଣ କରି ଅବଧାନଙ୍କ ଶରୀରର ଅସ୍ଥି ସଂଖ୍ୟା ବୃଦ୍ଧି କରାଇ ଦେଇଥିବାର ନଜିର ମଧ୍ୟ ଥରେ ଅଧେ ଦେଖିବାକୁ ମିଳିଥିଲା।