ତିନିଜଣ ବିଦେଶୀ ଏବଂ ଜଣେ ଭାରତୀୟ ସେଦିନ ରାଜଧାନୀ ଏକ୍ସପ୍ରେସ୍ର ଏକ ଏ.ସି. ଫାଷ୍ଟକ୍ଲାସ୍ କମ୍ପାର୍ଟମେଣ୍ଟରେ ଏକତ୍ର ଯାତ୍ରା କରୁଥିଲେ।
ପ୍ରଥମେ କମ୍ପାର୍ଟମେଣ୍ଟକୁ ଆସିଥିଲେ ଭାରତୀୟ ଯାତ୍ରୀ ଜଣକ। ଶ୍ୟାମଳ, ଶ୍ମଶ୍ରୁଳ, ମଧ୍ୟବୟସ୍କ ଏବଂ ମଧ୍ୟମ ସ୍ବାସ୍ଥ୍ୟର ଅବୟବଧାରୀ ଏହି ଯାତ୍ରୀ ଜଣକ ନିଜ ବର୍ଥ ଉପରେ ମାଲିକାନା ସାବ୍ୟସ୍ତ କରିବା ପାଇଁ ଏକରକମ ଗଳଦ୍ଘର୍ମ ହୋଇ ଆସିଥିଲେ। ସୁଟ୍କେସ୍, ବ୍ୟାଗ୍, ଝୁଲାମୁଣି ପ୍ରଭୃତି ମିଶାଇ ପାଞ୍ଚୋଟି ଲଗେଜ୍ ଧରି ତାଙ୍କର କୁଲି ପହଞ୍ଚିଲା ଏବଂ ବର୍ଥ ତଳେ ସବୁ ଜିନିଷ ସାନ୍ଧିଦେଲା। କୁଲି ସହ ମୂଲଚାଲ୍ କରି ତା’ର ପ୍ରାପ୍ୟ ଦେଲା ପରେ ସେ ଏକ ସ୍ବସ୍ତିର ସ୍ମିତହାସ୍ୟ ଛାଡ଼ିଲେ ଏବଂ ପଙ୍ଖାକୁ ଜୋର୍ରେ ଘୂରାଇ ଲୋୟର ବର୍ଥଟିରେ ଗୋଡ଼ ଲମ୍ବାଇ ଶୋଇଗଲେ।
କମ୍ପାର୍ଟମେଣ୍ଟର ଦ୍ବିତୀୟ ଯାତ୍ରୀ ହେଲେ ଜଣେ ଚୀନୀୟ ଭଦ୍ରବ୍ୟକ୍ତି। ଶୀର୍ଣ୍ଣକାୟ, ତରୁଣ ଏବଂ ମିଞ୍ଜି ମିଞ୍ଜି ଚକ୍ଷୁଧାରୀ ଯାତ୍ରୀଜଣକ ଟୁରିଷ୍ଟ ଭଳି ମନେ ହେଉଥିଲେ। ଲଗେଜ୍ କମ୍ ଥିଲା। ବେଲ୍ଟ ଭିତରେ ତାଙ୍କର ମୋବାଇଲ ଫୋନ୍ ସହ କିଛି ଦରକାରୀ ଚିଜ ସେ ବାନ୍ଧି ରଖିଥିଲେ। ଅତି ସଲ୍ଲଜ୍ଜ ଭାବେ କମ୍ପାର୍ଟମେଣ୍ଟରେ ପ୍ରବେଶ କରି ଭାରତୀୟ ସହଯାତ୍ରୀଙ୍କୁ ମଥା ଝୁଙ୍କାଇ ଅଭିବାଦନ କଲେ ଏବଂ ଆସନ ଗ୍ରହଣ କଲେ।
ପରବର୍ତ୍ତୀ ଯାତ୍ରୀ ଜଣେ ଆଫ୍ରିକୀୟ। କୃଷ୍ଣକାୟ, ଦୀର୍ଘ ଅବୟବ, ମୁଣ୍ଡରେ କୁଞ୍ଚକୁଞ୍ଚିଆ କେଶ। ବୟସ ପ୍ରାୟ ଚାଳିଶି ବର୍ଷ ହେବ। ହସ ହସ ଚେହେରା। ସେ ଲଗେଜ୍ ଠେଲି ଠେଲି ମୋବାଇଲରେ କଥାବାର୍ତ୍ତା କରୁଥିଲାବେଳେ ଏଭଳି ହସୁଥିଲେ ଯେ, ମନେ ହେଉଥିଲା ସେ କେବଳ ମୁହଁରେ ହସୁ ନ ଥିଲେ-ହାଡ଼େ ହାଡ଼େ ହସୁଥିଲେ। ଦିଲ୍ଲୀକୁ କୌଣସି ଆନ୍ତର୍ଜାତିକ ସେମିନାରରେ ଯୋଗଦାନ କରିବା ପାଇଁ ସେ ଆସିଥିଲେ।
ସବାଶେଷରେ ଯେଉଁ ଯାତ୍ରୀ ପଦାର୍ପଣ କଲେ ସେ ଜଣେ ଆମେରିକୀୟ। ଗାଡ଼ି ଛାଡ଼ିବାର ମାତ୍ର ପାଞ୍ଚ ମିନିଟ୍ ପୂର୍ବରୁ ସେ ପ୍ରବେଶ କଲେ। ହୃଷ୍ଟପୁଷ୍ଟ ହଲଷ୍ଟିନ ବୃଷଭ ପରି ଦିଶୁଥିବା ଏହି ଯାତ୍ରୀଙ୍କ ପିଠିରେ ତାଙ୍କର ପୃଥୁଳକାୟ ଲଗେଜ୍ ବନ୍ଧା ଥିଲା। ମୁଣ୍ଡରେ ପର୍ଯ୍ୟାପ୍ତ କେଶରାଶି ନ ଥିଲା। ଯତ୍ ସାମାନ୍ୟ ଥିଲା, ଫ୍ୟାନ୍ ପବନରେ ଫୁରୁଫୁରୁ ଉଡ଼ୁଥିଲା। ସେ ରିଜର୍ଭେସନ୍ ଚାର୍ଟରେ ଦେଖିଥିଲେ ଯେ, ତାଙ୍କୁ ଏକ ଅପର ବର୍ଥ ଆଲଟ୍ କରାଯାଇଥିଲା। କିନ୍ତୁ ସ୍ବଭାବ ସୁଲଭ ପ୍ରଗଳ୍ଭତାବଶତଃ “ହ୍ୟାଲୋ ଏଭ୍ରିବଡ଼ି” ଅଭିବାଦନ କଲାପରେ ସେ ଘୋଷଣା କରି ଦେଲେ- ମୁଁ ଲୋୟାର୍ ବର୍ଥ ନେବି।
ଚୀନୀୟ ଭଦ୍ରବ୍ୟକ୍ତିଙ୍କର ଥିଲା ଲୋୟର୍ ବର୍ଥ। ସେ ଧଡ଼ପଡ଼ ହୋଇ ଉଠି ନିଜ ବ୍ୟାଗ୍ଟିକୁ ଉପର ବର୍ଥକୁ ସ୍ଥାନାନ୍ତର କରିଦେଲେ। ସେ ବୋଧେ ଉପର ବର୍ଥକୁ ଯିବାଟା ବୁଦ୍ଧିମାନର କାର୍ଯ୍ୟ ବୋଲି ମଣିଲେ। ଏହି ବିଶାଳ ବପୁଧାରୀ ଯାତ୍ରୀଙ୍କ ବର୍ଥ ତଳେ ଶୋଇଲେ କିଛି ଅଘଟଣ ଘଟିପାରେ ବୋଲି ସେ ବୋଧେ ଆଶଙ୍କା କଲେ। ମିତଭାଷୀ ମିଞ୍ଜି ମିଞ୍ଜି ଆଖିର ଏ ଯାତ୍ରୀଙ୍କ ମନ ଭିତରେ କ’ଣ ଥିଲା କହିବା ମୁସ୍କିଲ। ସେ ସୁନାପିଲା ପରି ଉପରକୁ ଚାଲିଗଲେ।
ଏହା ଭିତରେ ଏ.ସି. ଆଟେଣ୍ଡାଣ୍ଟ ଗୋଲାପ ଫୁଲର ସ୍ତବକ କମ୍ପାର୍ଟମେଣ୍ଟର କାନ୍ଥରେ ଥିବା ଖୋପରେ ସଜାଇ ଦେଇଥାଏ। ତକିଆ ଏବଂ ତଉଲିଆ ଦେଇ ଚାଲି ଯାଇଥାଏ। ପ୍ୟାଣ୍ଟ୍ରିକାର ବିୟରର ୱେଲକମ୍ ଡ୍ରିଙ୍କ୍ସ ଓ ଚକୋଲେଟ୍ ପ୍ରଭୃତି ପରଷି ଚାଲି ଯାଇଥାଏ।
ପ୍ରଗଳ୍ଭ ଆମେରିକୀୟ ଯାତ୍ରୀଙ୍କ ଆନୁକୂଲ୍ୟରେ ପରିଚୟର ପର୍ବଟା ସରି ଯାଇଥାଏ। ସେ ଆମେରିକାର କୌଣସି ଆଇ.ଟି. କମ୍ପାନୀରେ ଜେନେରାଲ ମ୍ୟାନେଜର ଥିଲେ ଏବଂ ବ୍ୟବସାୟ ଉପଲକ୍ଷେ ଭାରତ ଆସିଥିଲେ। ଚୀନୀୟ ଭଦ୍ରବ୍ୟକ୍ତି ପ୍ରକୃତରେ ଜଣେ ଟୁରିଷ୍ଟ ଥିଲେ। ଭାରତର ବିଭିନ୍ନ ବୌଦ୍ଧ ବିହାର ଉପରେ ସେ ଗବେଷଣା କରୁଥିଲେ। ଆଫ୍ରିକୀୟ ଭଦ୍ରବ୍ୟକ୍ତି ଜଣେ ଡାକ୍ତର। ଏଡସ୍ ଉପରେ ଏକ ଆନ୍ତର୍ଜାତିକ ସେମିନାରରେ ଯୋଗଦେବା ପାଇଁ ଆସିଥିଲେ। ଭାରତୀୟ ଯାତ୍ରୀ ଜଣେ ପ୍ରଫେସର। ଦିଲ୍ଲୀ ବିଶ୍ବବିଦ୍ୟାଳୟର କୌଣସି ସଭାରେ ବକ୍ତୃତା ଦେବା ପରେ ସେ ବକ୍ତୃତା ଦେବାପାଇଁ ବିଶ୍ବଭାରତୀ ଛୁଟିଥିଲେ।
ଗାଡ଼ି ଛାଡ଼ି ସାରିଥିଲା। ଅଧଘଣ୍ଟାଏ ପରେ ବିୟରର ସେଣ୍ଟର ଟେବୁଲ ସଜାଇ ରଖିଲା ପରେ ଗୋଟିଏ ଗୋଟିଏ ଟ୍ରେରେ ସ୍ନାକ୍ସ ଓ ତା’ର ସରଞ୍ଜାମ ସଜାଇ ଆଣି ପହଞ୍ଚିଲା। ସ୍ନାକ୍ସ ଭିତରେ ଗରମ ସିଙ୍ଗଡ଼ା ଠାରୁ ଆରମ୍ଭ କରି କାଜୁବାଦାମ, ଚେନାଚୁର ଏବଂ ମିଠା ପ୍ରଭୃତି ସଜଡ଼ା ହୋଇଥିଲା। ଏସବୁ ଦେଖି ଆମେରିକୀୟ ଯାତ୍ରୀ ଭାରତୀୟ ଯାତ୍ରୀଙ୍କୁ ଲକ୍ଷ୍ୟକରି କହିଲେ- ଏଠି ସବୁଆଡ଼େ ବହୁତ ଖାନାପିନା ଦେଇ ଅଭ୍ୟର୍ଥନା କରୁଛନ୍ତି। ଆପଣଙ୍କ ଦେଶର ଲୋକେ ଖୁବ୍ ‘ହସ୍ପିଟେବଲ’।
ଭାରତୀୟ ଭଦ୍ରବ୍ୟକ୍ତି ସ୍ମିତ ହସି ତାଙ୍କ କଥାକୁ ସମର୍ଥନ କଲେ ଏବଂ ମନେ ମନେ ଭାବିଲେ- ଏହା ନିରାଟ ସତ୍ୟକଥା। ସେ ଥରେ ଆମେରିକାକୁ କୌଣସି ସଭାକୁ ଯାଇଥିଲେ। ପୁରାଦିନ ବିତିଗଲେ ବି ଆୟୋଜକମାନେ ଚା’ କପେ ବି ଦେଲେ ନାହିଁ, ବରଂ ଘୋଷଣା କଲେ ଯେ, ପାଖ ରୁମ୍ରେ ଚା’ କଫି ମେସିନ୍ ଅଛି, ଯାହାର ଇଚ୍ଛା ହେବ, ପଇସା ଗଳାଇ ଚା’ କଫି ପିଇପାରିବେ। ଭାରତ ହୋଇଥିଲେ ସଭାର ମୂଳରୁ ଶେଷଯାଏ ଚା’ ଜଳଖିଆ କପ୍ ପ୍ଲେଟ୍ରୁ ଠୁନ୍ଠାନ୍ ଆୱାଜ୍ ଆସୁଥାନ୍ତା।
ଚା’ପାନ ପରେ ପରେ ବିୟର୍ର ରାତିର ଡିନରର ଅର୍ଡ଼ର ନେଇଗଲା। ତିନି ବିଦେଶୀ କଣ୍ଟିନେଣ୍ଟାଲ ଖାନାର ଅର୍ଡ଼ର ଦେଲେ। ଭାରତୀୟ ଭଦ୍ରବ୍ୟକ୍ତି ଅର୍ଡ଼ର ଦେଲେ ନିରାମିଷ ଭାରତୀୟ ଖାଦ୍ୟ-ରୁଟି ଓ ତରକାରୀ।
ରାତି ଆଠଟାରେ ସୁପ୍ ପରିବେଷଣ ହେଲା। ତା’ପରେ ତିନି ବିଦେଶୀଙ୍କର କଣ୍ଟିନେଣ୍ଟାଲ ଡିନର ଆସିଲା। ଭାରତୀୟଙ୍କ ପାଇଁ ଆସିଲା ବରାଦ ମୁତାବକ ଦୁଇଖଣ୍ଡ ଶୁଖିଲା ରୁଟି, ଡାଲି ଏବଂ ତରକାରୀ।
ଖାଦ୍ୟ ପଦାର୍ଥ ପାଟିକୁ ନେବା ପୂର୍ବରୁ ଆମେରିକୀୟ ଭଦ୍ରବ୍ୟକ୍ତି ହୁଇସ୍କି ବୋତଲ ଖୋଲିଦେଇଥିଲେ। ତାଙ୍କ ନିର୍ଦ୍ଦେଶ ଅନୁସାରେ ଆଟେଣ୍ଡାଣ୍ଟ କେତୋଟି ଗ୍ଲାସ୍ ଧରି ପହଞ୍ଚିଗଲା। ହୁଇସ୍କି ଢାଳି ସେ ସହଯାତ୍ରୀମାନଙ୍କୁ ଯାଚିଲେ। ଲଜ୍ଜାଶୀଳ ଚୀନୀୟଯାତ୍ରୀ ଦୋ ଦୋ ପାଞ୍ଚ ହୋଇ ଗ୍ରହଣ କଲେ। ଆଫ୍ରିକୀୟ ଯାତ୍ରୀ ଅତି ଆନନ୍ଦରେ ଗ୍ଲାସ୍ ଧରିଲେ। ଭାରତୀୟ ଭଦ୍ରବ୍ୟକ୍ତି କହିଲେ-ନୋ, ଥ୍ୟାଙ୍କସ୍, ମୁଁ ଟି-ଟୋଟାଲର।
ତାଙ୍କର ଖାଦ୍ୟର ପରିମାଣ ଓ ସାରଲ୍ୟକୁ ଦେଖି ଆମେରିକୀୟ ମନ୍ତବ୍ୟ ଦେଲେ-ଆରେ, ଆପଣ ତ ରିୟଲି ଗ୍ରେଟ୍। ସିମ୍ପଲ ଲିଭିଂ, ହାଇ ଥିଙ୍କିଂ। ଆପଣ ତ ପ୍ରକୃତରେ ଜଣେ ସାଧୁ, ସନ୍ଥ। ମୁଁ ଆପଣଙ୍କୁ ସ୍ବାମିଜୀ ଭାବେ ଡାକିଲେ କିଛି ମନେ କରିବେନି ତ?
ଭାରତୀୟ ଯାତ୍ରୀ ହସିଲେ।
ଆମେରିକୀୟ ଯାତ୍ରୀଙ୍କ ଖାଦ୍ୟପଦାର୍ଥ ଜଲ୍ଦି ଜଲ୍ଦି ସରିଗଲା। ତେଣୁ ସେ ପୁଣି କଲିଂ ବେଲ୍ ଟିପିଲେ। ତାଙ୍କ ପାଇଁ ଚିକେନ୍, ସାଲାଡ୍ ଆସିଲା। ମହିଷାକୃତିର ବିରାଟ ଚେହେରା। ବଡ଼ ବଡ଼ ନିତମ୍ବ ଓ ପୃଥୁଳ ଜଙ୍ଘ। ସେଥିରେ ସେ ବର୍ମୁଡ଼ା ହାଫ୍ ପ୍ୟାଣ୍ଟ ପିନ୍ଧି କିମ୍ଭୂତ କିମାକାର ଦିଶୁଥିଲେ।
ଆଫ୍ରିକୀୟ ଯାତ୍ରୀଙ୍କର ଖାଇବା ଜଲ୍ଦି ସରିଗଲା। ତା’ପରେ ସେ ତାଙ୍କର ସୁଟ୍କେଶରୁ ‘ସିଗାର୍’ଟିଏ ବାହାରକରି ସେଥିରେ ଅଗ୍ନି ସଂଯୋଗ କଲେ। କେହି ନ ପଚାରୁଣୁ ମନ୍ତବ୍ୟ ଦେଲେ-ଶୋଇବା ପୂର୍ବରୁ ଏଥିରୁ ଗୋଟିଏ ନ ଧରାଇଲେ ନିଦ ହେବନି।
ରେଳାବାଇରେ ଧୂମପାନ ମନା। ମଦ୍ୟ ସେବନ ମନା। କିନ୍ତୁ ରେଳ କର୍ମଚାରୀମାନେ କେହି ବାରଣ କରୁନଥାନ୍ତି, ବରଂ ସେମାନଙ୍କୁ ସହଯୋଗ କରୁଥାନ୍ତି। ଅତିଥିବତ୍ସଳ ଦେଶ ତ!
ଭାରତୀୟ ଯାତ୍ରୀ ମନେ ମନେ ଏହାହିଁ ଭାବୁଥିଲେ। ତେଣୁ ଏପଟୁ ଧୂଆଁ ଏବଂ ସେପଟୁ ମଦର ଗନ୍ଧ ଆସୁଥିଲେ ବି ଭାରତୀୟ ଜଣକ ସହ୍ୟ କରି ନେଉଥାନ୍ତି।
ରାତି ଦଶଟା ପାଖାପାଖି ହେଲା। ଆମେରିକୀୟଙ୍କର ଖାଦ୍ୟପାନୀୟ ପର୍ବର ଅନ୍ତ ହେଉ ନ ଥାଏ। ଆଫ୍ରିକୀୟ ଯାତ୍ରୀଙ୍କର ସିଗାରଟା ଆଖୁପରି ବଡ଼ ହୋଇଥିବାରୁ ସରିବାର ନାଁ ଧରୁ ନଥିଲା। ଧୂଆଁ ସହି ନପାରି ବା ଅନ୍ୟ କୌଣସି କାରଣରୁ ଚୀନୀୟ ଯାତ୍ରୀ ତାଙ୍କର ଛୋଟ ବ୍ୟାଗ୍ଟିକୁ ଧରି ଖୁଁ ଖୁଁ କାଶି ବାଥ୍ରୁମ୍କୁ ଗଲେ।
ଆମେରିକୀୟ ଯାତ୍ରୀଙ୍କ ଖାଇବା ପ୍ଲେଟ୍, କଣ୍ଟା ଚାମଚ୍ ହଟିଗଲା ପରେ ବି ପିଇବା ସରି ନଥିଲା। ସେ ନିଜ ଆଡୁ ସଫେଇ ଦେଉଥିଲେ- ନିଦ ଆସିବା ପାଇଁ ଆଉ ଦୁଇ ପେଗ୍।
କିଛି ସମୟ ପରେ ଚୀନୀୟ ଯାତ୍ରୀ ଫେରିଆସି ଉପର ବର୍ଥକୁ ଗଲେ। ଏକ ଆସନ୍ନ ମରଣ ଝିଟିପିଟି ପରି ସେ ଗୋଡ଼ ହାତ ଛାଟିଲେ, ପିଟିଲେ। ସେଣ୍ଟର ଟେବୁଲ ଉଠାଇବାକୁ ଆସିଥିବା ବିୟର୍ର ଭୟ ପାଇ କହିଲା- ସାର୍, ଟ୍ରେନ୍ ସୁପରିଣ୍ଟେଣ୍ଡେଣ୍ଟକୁ ଡାକିବି କି?
ଆଫ୍ରିକୀୟ ଯାତ୍ରୀ କହିଲେ- ନାଁ ନାଁ ବ୍ୟସ୍ତ ହୁଅନା। ଏଇଟା ତାଙ୍କର ନିଦ୍ରା ଯିବାର ପ୍ରସ୍ତୁତି ପର୍ବ। ସେ ଡ୍ରଗ୍ସ ସେବନ କରିଆସିଛନ୍ତି। ଭାରତୀୟ ଯାତ୍ରୀ ବିଛଣାରେ ପଡ଼ି ଏକଡ଼ ସେକଡ଼ ହେଉଥିଲେ। ଭାବୁଥିଲେ-ଧନ୍ୟ ଏହି ସର୍ବଂସହା ଟ୍ରେନ୍। ଗଞ୍ଜୋଡ଼, ନିଶାଖୋର, ଜୁଆଚୋର, ଚାଲବାଜ, ଧପାବାଜ, ଦୁଃଖୀରଙ୍କି, ରୋଗୀ, ରାଗୀ, ବୈରାଗୀ- ସମସ୍ତଙ୍କୁ ଆବହମାନ କାଳରୁ ସେ ବୋହି ଧରି ଚାଲିଛି। କାହାପ୍ରତି ଅସୂୟା ନାହିଁ। କାହା ପାଇଁ ଭେଦଭାବ ନାହିଁ, ଦ୍ବେଷ ନାହିଁ, ବିଦ୍ବେଷ ନାହିଁ। କାହା ପ୍ରତି ଭ୍ରୁକୁଞ୍ଚନ ଅବା ନାସିକା କୁଞ୍ଚନ ନାହିଁ। ଆମେରିକୀୟ ଯାତ୍ରୀ ଏଥର ଭାରତୀୟଙ୍କୁ ତୋଷାମଦ କରିବାକୁ କହିଲେ- ସ୍ବାମିଜୀ! ଆପଣଙ୍କର କ’ଣ କିଛି ନିଦ ଔଷଧ ଦରକାର ହୁଏନି?
ସ୍ବାମିଜୀ ହସିଲେ ଏକ ରହସ୍ୟମୟ ହସ। ସେ ଉଠି ବସିଲେ। ବର୍ଥ ତଳୁ ତାଙ୍କର ସୁଟ୍କେଶ ଖୋଲିଲେ। ସୁଟ୍କେଶ ଭିତରୁ ବାହାର କଲେ ଏକ ଛୋଟ ପେଡ଼ି।
ପ୍ରଥମେ ପେଡ଼ି ଉପରେ ଗୋଟିଏ ସରୁ ଚାପଡ଼ ଦେଲେ। ପେଡ଼ିରେ ମୁହଁ ଖୋଲି କହିଲେ- ଉଠ୍ ବେଟା, ଆ, ଚୁମାଟେ ଦେ। ନିଦ ଆସୁନି।
ତାଙ୍କ ପୋଷା ଜୀବଟି ଗହନ ନିଦରେ ଶୋଇ ଯାଇଥିଲା। ସେ ତା’ର ଲାଞ୍ଜରେ ଚାପୁଡ଼ାଟିଏ ଦେଲେ। ସେ ଫଁ ଶବ୍ଦକରି ମୁଣ୍ଡ ହଲାଇଲା। ସ୍ବାମୀଜୀଙ୍କର ଦୋଳାୟମାନ ପାପୁଲିକୁ ଦୁଇଥର ଦଂଶିଲା। ପୋଷା ଜୀବଟିର ଝାଉଁଳି ଯାଉଥିବା ଫଣାରେ ସ୍ବାମିଜୀ ଗୋଟିଏ ସରୁ ଚୁମ୍ବନ ଦେଇ ତାକୁ ପେଡ଼ି ଭିତରେ ପୂରାଇ କହିଲେ- ଯା, ବେଟା ଶୋଇଯା।
ଆମେରିକୀୟ ଯାତ୍ରୀ ମୁହଁରେ ମଦ ଗ୍ଲାସ୍ ସହ ଏକ ‘ଷ୍ଟାଚ୍ୟୁ’ ବନିଗଲେ। ଆଫ୍ରିକୀୟ ଯାତ୍ରୀଙ୍କ ମୁହଁରୁ ଅର୍ଦ୍ଧଦଗ୍ଧ ସିଗାର ଟି ତଳେ ଖସିପଡ଼ିଲା। ଚୀନୀୟ ଯାତ୍ରୀଙ୍କ ଛଟପଟ ହେବା ବନ୍ଦ ହୋଇଗଲା।
କହିବା ବାହୁଲ୍ୟ ଯେ, ଏଥୁ ଅନ୍ତେ ଜଣକ ପରେ ଜଣେ ଏମିତି ତିନି ବିଦେଶୀ ବେଙ୍ଗପରି ଫକ୍ ଫକ୍ ଡେଇଁ କମ୍ପାଟମେଣ୍ଟରୁ ନିଷ୍କ୍ରାନ୍ତ ହୋଇଗଲେ।