ସ୍ମୃତିର ବାହାଘର ସରିଚି। ସମସ୍ତ ବୈଦିକ କର୍ମ ସରିବା ପରେ ଏବେ ସିଏ ଗୋଟିଏ କୋଠରିରେ ମୁଣ୍ଡପୋତି ବସିଚି। ଶାଶୁ ଘରକୁ ଯାଇନି। ଯିବ। ସମୟ ହେଇନି। ଘରେ ସମସ୍ତେ ବ୍ୟସ୍ତ। ଘରପୋଡ଼ି ବେଳର ଗୋଟେ ଧାଁ ଦଉଡ଼ ଚାଲିଚି। ହୋହୋ’ଘୋଘୋ ଭିତରେ ସ୍ମୃତିର କାରୁଣ୍ୟରେ ମୋଟେ ଏକାଗ୍ରତା ରହୁନି। ଭାବନା ଭିତରେ ବି ସୋମୁ ଏଇନା ଗୋଟେ ଉଦ୍ବେଳିତ ସମୁଦ୍ର! ୟା’ ପରେ ଯେ କୌଣସି ମୁହୂର୍ତ୍ତରେ ବି ତାକୁ ଏକପ୍ରକାର ଟେକିନେଇ ଗାଡ଼ି ଭିତରେ ଲଦି ଦିଆଯାଇପାରେ, ଅଥଚ ଏ ଯାଏଁ ସେ ସୋମୁକୁ ନିଜ ମନରୁ ପୋଛିଦେଇ ପାରିନାହିଁ। ସେ ଜାଣେ, ଏଣିକି ସୋମୁ କଥା ଭାବିବା ମଧ୍ୟ ତା’ପାଇଁ ଅଯୌକ୍ତିକ, ଅଶୋଭନୀୟ ଓ ଅଶାନ୍ତିର କାରଣ ହେବ। ତେଣୁ ସୋମୁକୁ ତା’ର ଭୁଲିଯିବା ଉଚିତ, ଯୋଜନାବଦ୍ଧ ଭାବେ।
ଜୀବନ ଗୋଟେ କେମିତିକା ଚିଜ କେଜାଣି, ମନେହୁଏ ପୃଥିବୀରେ ପ୍ରଳୟ ହୋଇ ସାରିବା ପରେ ବି, ପୃଥିବୀ ଧ୍ବଂସ ବା ଛାରଖାର ହେଇଯିବା ପରେ ବି ଜୀବନଟିଏ ଜୀବିତ ଥିବ। ଚାରିଆଡ଼େ ଶୂନ୍ଶାନ। ଗଛପତ୍ର, ନଈନାଳ, ଜୀବଜନ୍ତୁ, କିଛି ନାଇଁ। ଚାରିଆଡ଼ ଖାଲି ବାଲୁକାମୟ। ଅଥବା ଅନ୍ୟ କିଛି ନାଇଁ, ଚତୁର୍ଦ୍ଦିଗ ଜଳାର୍ଣ୍ଣବ। ଜଳ ମଧ୍ୟରେ ଜଳଚର ଜୀବ ବି ନାହାନ୍ତି। ଖାଲି ଦୁଇପାଦ ସ୍ଥଳଭାଗ ରହିଚି ଓ ତା’ଉପରେ ଠିଆ ଅଛି ଜୀବଟିଏ! ସୋମୁ କଥା ଭାବିବନି ବୋଲି ସିନା ଠିକ୍ କରୁଚି, ସୋମୁ କଣ ତା ମୁଣ୍ଡର ସୁନେଲି କେଶଟିଏ ଯେ ଉପାଡ଼ି ଫିଙ୍ଗିଦେବ, ବା ମୂଲ୍ୟବାନ ଗହଣାଟିଏ, କାହାକୁ ଦାନ କରିଦେବ?
ସ୍ମୃତିକୁ ଅଦ୍ଭୁତ ଲାଗୁଚି, ସେ ତଥାପି ବଞ୍ଚିଛି କେମିତି? ଅବଶ୍ୟ ନିର୍ଲଜ୍ଜ ହେଲେ ବଞ୍ଚି ରହିହୁଏ। ତା’ଠୁ ବଡ଼ ନିର୍ଲଜ୍ଜ ଆଉ କିଏ ଥିବ କେଉଁଠି? ତା’ ବାହାଘର ହେଉଥିବା ଖବର ସେ ସୋମୁକୁ ଜଣାଇଥିଲା। ସୋମୁକୁ ନିମନ୍ତ୍ରଣ କରିଥିଲା। ସେ ଆସିଲାନାହିଁ!
ସୋମୁ ଭଲା ଅଚିହ୍ନା ଲୋକଟିଏ ହୋଇଥାନ୍ତା, କେବେ ହେଲେ ତ ଥରେ ଦେଖା ହେବାର ସମ୍ଭାବନା ଥିଲା। ପରିଚୟ ହେଉ ବା ନହେଉ, କେତେବେଳେ କେଉଁ ବସ୍ରେ, ରେଳରେ, ସିନେମାଘର ପାଖରେ, ଦୋକାନବଜାର ପାଖରେ, କେଉଁ ଭିଡ଼ରେ, କେବେହେଲେ ହୁଏତ ଦେଖା ହୋଇଥାନ୍ତା। ସେମିତି ଥରକ ପାଇଁ ବି ଅନେକ ଲୋକ ଦେଖା ହୁଅନ୍ତି। ପରିଚିତ ହୁଅନ୍ତି। କଥାବାର୍ତ୍ତା ହୁଏ। ଗୋଟେ ସାଧାରଣ ସମ୍ପର୍କ ସ୍ଥାପିତ ହୁଏ। ପୁଣି ଥରେ ସାକ୍ଷାତର ସୁଯୋଗ ବି ରହେ। ସମ୍ପର୍କ ସ୍ଥାପିତ ହେଉ ବା ନ ହେଉ, ଏମିତି ଭାବରେ, ଏତେ ଦୟନୀୟ ଓ ଅନନ୍ୟୋପାୟ ଭାବେ ହଠାତ୍ ଛିଣ୍ଡିଯାଏ ନାହିଁ।
ଏଣିକି ସୋମୁ ସହିତ ସାକ୍ଷାତ ତ ଭିନ୍ନ କଥା, ତା’ କଥା ଭାବିବା ମଧ୍ୟ ନିୟମତଃ ଅବୈଧ।
ଏମିତି ଅନାବନା ଭାବନାରେ ସ୍ମୃତି ସନ୍ତୁଳିହେଉଥିବା ବେଳେ ନମିତା, ତାଙ୍କ ସାହିର ଝିଅ ଓ ତା’ ସାଙ୍ଗ, ତା’ ପାଖକୁ ଆସିଲା। ତା’ କାଖରେ ବସିଥିବା ତା’ର ଦେଢ଼ବର୍ଷର ଝିଅ ରାହା ଧରି କାନ୍ଦୁଥିଲା। ନମିତା ବିରକ୍ତ ହେଲା, ଓ…ହୋ! ରଖେଇ ଥୋଇଦବନି ଏ ପିଲାଟା।
ନମିତା ବାହା ହେବା ପୂର୍ବରୁ ଗୋଟେ ପିଲାକୁ ଭଲ ପାଉଥିଲା। ଏମିତି ସେ ଭଲପାଇବା ଯେ, କଥା ଯାଇ ରାସ୍ତା ଘାଟରେ ମଦ୍ୟପ ପରି ଗଡୁଥିଲା। ସିଏ ଦିନେ ବାହା ହେଇଗଲା। ତା’ର ହିଂସୁକ ପ୍ରେମିକ, ତା’ ସ୍ବାମୀ ପାଖକୁ ବେନାମୀ ଚିଠି ମଧ୍ୟ ଲେଖିଲା।
ଥରେ ନମିତାକୁ ପଚାରିଥିଲା ସ୍ମୃତି, ତୁ ତ ବଡ଼ ଅଶାନ୍ତିରେ ଥିବୁ!
ନମିତା କହିଲା – ଏ କଂସାରି ଘର ପାରାକୁ କୁଲା ଢାଉଁଢାଉଁ? ସେ ପୋଡ଼ାମୁହାଁ ମିଛଖଚ କରି ଚିଠି ଲେଖୁଛି ଯେ, ଇଏ ସହଜରେ ବହଲିଯିବେ? ମୋ ପାଖରେ ଗଦ ଅଛି, ଗଦ! ଆଉ ପୁରୁଷଗୁଡ଼ାକ? ସିଏ ପରା ଗୋଟେ ଗୋଟେ ଢେମଣା ସାପ! ବାହା ହେଇଯିବା ପରେ ତ ଆତ୍ମରକ୍ଷା ପାଇଁ ଧାଇଁପାରୁଥିବା ସେମାନଙ୍କର ଗତି ମଧ୍ୟ ଧିମେଇଯାଏ। ହଁ, କୋଉ କୋଟିକେ ଗୋଟିଏ ନାଗବଚ୍ଚା ଥିଲେ ଥିବେ! ମୋ ପାଖରେ ଗଦ ଅଛି ପରା, ଗଦ ! ତୁ’ ମଧ୍ୟ ବାହା ହେଲା ପରେ ବଳେ ଦେଖିବୁନି ନା ଜାଣିବୁନି? ଶୁଣାକଥାକୁ ଅଙ୍ଗେଲିଭା କଥା କେତେ ଛାଡୁଚି, ସେ କଥା କ’ଣ ତତେ ଖାଲି କହିଲେ ତୁ ବୁଝିପାରିବୁ ସହଜରେ?
ସ୍ମୃତି ସହ ସୋମୁର ସମ୍ପର୍କ କଥା କ୍ବଚିତ୍ ଲୋକ ଜାଣିଥିଲେ। ନମିତାକୁ ସ୍ମୃତି ନିଜେ ବାରମ୍ବାର କହିଚି ଓ ଉପାୟ ମାଗିଚି। ନମିତା କହେ-ପ୍ରେମ କରି ବାହାହେଲେ ଭଲ ନାଇଁ। ପ୍ରକୃତ ସୁଖଟା ଜାଣିହବ ନାଇଁ। ଗୋଟେ ମହାର୍ଘ ଜୀବନ ଅତି ନିଷ୍ପଳ ଭାବେ ବିତିଯିବ। ଜଣେ ପ୍ରେମିକ ଓ ସ୍ବାମୀ ମଧ୍ୟରେ ଅନେକ ଫରକ। ଏକ ପ୍ରକାର ଅସଲି ମନ୍ତ୍ରୀ ଓ ଖବରକାଗଜର ମନ୍ତ୍ରୀ ଭଳି। ଖବରକାଗଜର ମନ୍ତ୍ରୀମାନେ ଆମକୁ କେତେ ଭଲ ଲାଗନ୍ତିନି!
ନମିତାର ଝିଅଟି କାନ୍ଦ ବନ୍ଦ କରୁ ନ ଥିଲା। ନମିତା ବାହାରିଯାଇ ଝିଅକୁ ଅନ୍ୟ କାହା ପାଖରେ ଛାଡ଼ିଦେଇ ଆସିଲା। ସ୍ମୃତିର ପାଖକୁ ଲାଗି ସେ ବସିଲା ଓ ଅନୁଚ୍ଚ ସ୍ବରରେ କହିଲା- ମୁଁ ଶୁଣୁଚି, ତୋ ବର ସୋମୁ ବିଷୟରେ କିଛି କିଛି ଶୁଣିଛନ୍ତି।
ସ୍ମୃତି ଅବଶ୍ୟ ଟିକିଏ ଚମକିଲା। ତେବେ ଭାବ ପ୍ରକାଶ କଲାନାହିଁ। ନମିତାଠାରେ ସବୁକଥା କହିବା ଯୋଗାଏ ନାହିଁ କି ସବୁ ଭାବନା ମୁକୁଳାଇଦେବାଦ୍ବାରା ନମିତା ତାକୁ ବିଶାଳ ହୃଦୟରେ ଗ୍ରହଣ କରିବ ନାହିଁ। ବରଂ ସେ ନମିତାର ଆଖିରେ ଆଖି ଥୋଇ କହିଲା-ମୁଁ ତ ଠିକ୍ କରିଚି ତାଙ୍କୁ ସବୁ କଥା କହିଦେବି।
ସ୍ମୃତି ଜାଣୁଥିଲା, ନମିତା ତା’ର ଏ ବିଚାରକୁ ସହଜ ଭାବରେ ଗ୍ରହଣ କରିପାରିବ ନାହିଁ। ଉଭୟେ ଅତୀତରେ କାହାକୁ ଭଲପାଇ, ଅନ୍ୟ କାହାକୁ ତା’ପରେ ବାହା ହେଇଥିଲେ ବି, ନମିତା ଓ ତା’ ଭିତରେ ଫରକ କ’ଣ, ତାହା ସ୍ମୃତି ଜାଣିଚି।
ନମିତା କହିଲା-କି ସୃଷ୍ଟିଛଡ଼ା କଥା? ଏମିତି କ’ଣ କୋଉ ଝିଅ କହେ? ଯାହାକୁ ପ୍ରେମ କଲୁ ତାକୁ ତ ବାହାହେଇପାରିଲୁନି। ଯାହାକୁ ବାହା ହେଲୁ, ତାକୁ ଟିକିଏ ପ୍ରେମ କରିଦେବା ପାଇଁ କାହାର କାହିଁକି ଆପତ୍ତି ରହିବ? ପ୍ରେମ କରୁଥିବା ଲୋକକୁ ବାହା ନ ହେଲେ ସିନା ଚଳିଯାଉଚି, ବାହା ହେଇଥିବା ଲୋକ ଯେ ଭଲ ପାଇବା ଦାବି କରିବ। ଅସୁଲ କରିବ!
ସ୍ମୃତି ଯୁକ୍ତି କରିବାକୁ ଚାହୁଁ ନ ଥିଲା। ତେବେ କହିଲା ମୁଁ ତ ତାଙ୍କୁ ଭଲ ପାଇବିନି ବୋଲି କହିନାହିଁ!
ଆଉ କ’ଣ କହୁଚୁ? ନମିତା ଧମକାଇଦେଲା। କହିଲା ଧୀର କଣ୍ଠରେ – ସୋମୁ କଥା ତାଙ୍କୁ କହିଦେଲେ ଭାବୁଚୁ ସେ ଆଉ ମୋଟେ ବିଶ୍ବାସ କରିବେ ଯେ, ତୁ ତାଙ୍କୁ ଭଲ ପାଇପାରୁ? ବରଂ ଡାହାମିଛ କହିବା କଥା। ଅନୁଭୂତି ଅଛି ବୋଲି ସିନା କହୁଚି। ବରଂ ସେ ଯଦି ସୋମୁ କଥା ପଚାରନ୍ତି ମଧ୍ୟ, ତତେ କହିବାକୁ ହବ ଯେ ତୁ ସେଇ ନାଁର ଜଣେ ଲୋକକୁ କେବଳ ଚିହ୍ନିଚୁ। ବାସ୍। କିଛି ଗୁମର କଥା ପଚାରିଲେ ହସି ଉଡ଼ାଇଦେବୁ। ଶତ୍ରୁ ଶ୍ରେଣୀର ବାଜେ ଲୋକମାନେ କାଳେ କିଛି ଅପପ୍ରଚାର କରିଥିବା କଥା ସେ ଶୁଣିଥିବେ! ଆଉ ଯଦି ଅଧିକ କଥା କହନ୍ତି-କାନ୍ଦି ପକେଇବୁ। ବାସ୍। ତୁ ତ କଲେଜ ଡ୍ରାମାରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲୁ।
ସ୍ମୃତି ନୀରବ ଥିଲା।
ନମିତା ତତ୍ତ୍ବ ବଖାଣିଲା-ବିବାହ ପରେ ଜୀବନ, ଏକ ଛଳନାପୂର୍ଣ୍ଣ ଜୀବନ। ବିବାହ ପରେ ପ୍ରତ୍ୟେକ ମଣିଷ ଦୁଇଟି ମଣିଷ ହେଇଯାଆନ୍ତି। ଭିତରେ ଗୋଟେକୁ ବାହାରେ ଗୋଟେ। ଆଉ ମଧ୍ୟ ବିବାହ ପରେ ସୁଖୀ ହେବାକୁ ହେଲେ ପ୍ରତ୍ୟେକ ନାରୀକୁ ଯେ କୌଣସି ପରିସ୍ଥିତିରେ ବି ହସିବାକୁ ପଡ଼ିବ। ସ୍ବାମୀଟି ପଛେ ଗୋଟାରଙ୍ଗେ ସ୍ତ୍ରୀର ନ ହେଉ, ସ୍ତ୍ରୀକୁ କିନ୍ତୁ ପ୍ରମାଣ କରିବାକୁ ପଡୁଥିବ ଯେ, ସେ ତାଳୁଠୁ ତଳିପା ପର୍ଯ୍ୟନ୍ତ ତା’ ସ୍ବାମୀର; ପଛେ ଛଳନାରେ ହେଉ।
ନମିତାର କଥାରୁ ସ୍ମୃତି ବୁଝିଲା- ତାକୁ କେବଳ ଛଳନା କରି ହିଁ ବଞ୍ଚିବାକୁ ପଡ଼ିବ। ନିଜ ଜୀବନ ପାଇଁ ନ ହେଲେ ବି, ସ୍ବାମୀ ବୋଲି ସ୍ବୀକାର କରି ଯାହାଙ୍କ ହାତ ଧରି ବାହା ହେଲା, ଅଗ୍ନିକୁ ସାକ୍ଷୀ ରଖି ବେଦୀରେ, ଆତ୍ମୀୟ ସ୍ବଜନଙ୍କ ଉତ୍ଫୁଲ୍ଲ ଆଶୀର୍ବାଦ ଓ ଶୁଭେଚ୍ଛା ବଳରେ, ପବିତ୍ରତା ପ୍ରମାଣ କରି। ନିଜ ଓ ତାଙ୍କ ଜୀବନର ଶାନ୍ତି ପାଇଁ ଅନ୍ତତଃ ତାକୁ ପ୍ରମାଣ କରିବାକୁ ପଡ଼ିବ, ଆବଶ୍ୟକ ହେଲେ କହିବାକୁ ପଡ଼ିବ ଯେ- ସେ ହିଁ ତା’ ଜୀବନର ପ୍ରଥମ ପୁରୁଷ, କେବଳ ତା’ ଦେହ ଉପରେ ଅଧିକାର ସାବ୍ୟସ୍ତ କରିବାକୁ ନୁହେଁ, ହୃଦୟ ଉପରେ ବି; ଯଦିଓ ତା’ ହୃଦୟର ପ୍ରତି ଅଣୁରେ ଲେଖାଅଛି-
ସୋମୁ……ସୋମୁ……ସୋମୁ……ସୋମୁ……। ଏବଂ ଏଇଥିପାଇଁ ସୋମୁକୁ ଭୁଲିଯିବା ତା’ର ପ୍ରଥମ ଦାୟିତ୍ବ!
ସୋମୁକୁ ଭଲପାଇବା ପରଠାରୁ ଏମିତି ଅନେକ ଦିନ ବିତିଚି, ଯେବେ ଦିନ ତମାମ ସୋମୁକଥା ସ୍ମୃତି ଭାବି ନ ଥିବ। କିନ୍ତୁ ତା’ର ବାହାଘର ଠିକ୍ ହେଇଯିବା ପରଠାରୁ ହିଁ ଏମିତି କୌଣସି ଜାଗ୍ରତ ମୁହୂର୍ତ୍ତ ନାଇଁ, ଯେବେ ସୋମୁ କଥା ତା’ ମନକୁ ଆସିନି।
ଚଉଠି ରାତିର ଆରମ୍ଭରୁ ହିଁ ସ୍ମୃତି ଇଚ୍ଛା କଲା, ଶ୍ରୀଦେବଙ୍କୁ କହିଦେବ ସୋମୁ ସହିତ ତା ସମ୍ପର୍କର କଥା। ପୁଣି ଆରମ୍ଭରୁ ଶ୍ରୀଦେବଙ୍କ ମୁଣ୍ଡରେ ଚାଳ ବାଜିବା ଦ୍ବାରା କି ପ୍ରକାର ବିସ୍ଫୋରଣ ସୃଷ୍ଟି ହେବ ଭାବି ଦବିଯାଉଥିଲା। କହି ନ ପାରୁଥିବାରୁ ଅପରାଧବୋଧରେ ମନ୍ଥିହେଇ ଯାଉଥିଲା ତା’ର ବିବେକ ଓ ମସ୍ତିଷ୍କରୁ କିଏ ଯେପରି ସ୍ନାୟୁ ସରବରାହକୁ ଛିଣ୍ଡାଇ ନିଶ୍ଚଳ କରିଦେଉଥିଲା ତା’ର ସମଗ୍ର ଅବୟବ। ତଥାପି ଶ୍ରୀଦେବଙ୍କ ସୁଖମୟ ରମ୍ୟ ଜୀବନର କଳ୍ପନାକୁ ଅନୁକୂଳରୁ ଶାପଗ୍ରସ୍ତ କରିଦେବା ଅନୁଚିତ ହେବ ବୋଲି ସେ ବିବେଚନା କଲା। ବିବେଚନା କଲା, ନିଜ ବିଷାଦର ମହାଜନିରେ ନିଜ ସ୍ବାମୀକୁ ଅଂଶୀଦାର କରାଇବା ଅନୁଚିତ ହେବ। କ୍ରମେ ଚିନାବାଦାମ ମଞ୍ଜି ଉପରର ପତଳା ଚୋପା ଭଳି ରଙ୍ଗ ଉକୁଟିଆସୁଥିଲା ଶ୍ରୀଦେବଙ୍କ ଆଖିରେ ଓ ସ୍ମୃତି ଝାଉଁଳିପଡ଼ିଲା। କେମିତି ଗୋଟେ ଭୟରେ ସେ ପାଣିପାଣି ହେଇଗଲା। ସ୍ମୃତିକୁ ସବୁ ଅତର୍କିତ ଓ ରୁଚିହୀନ ମନେହେଲା।
ପୁଣି ଥରେ ଜାଣିହେଲା ପଙ୍ଖା ଘୂରୁଛି। ଦେଖାହେଲା ପଶ୍ଚିମପଟ କାନ୍ଥରେ ଟଙ୍ଗାଯାଇଛି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ବନ୍ଧେଇ ଫଟୋ। ଶୁଣିହେଲା ଜୀବନର ତିକ୍ତ ବିଳାପ। ଶରୀର ଭିତରେ କୋଉଠି କିଛି ଭାଙ୍ଗିଯାଇଥିବା ପରି, ଧସିଯାଇଥିବା ପରି କେଉଁ ଯୁଗର ପ୍ରସ୍ତର-ପ୍ରାସାଦ, ଗୋଟେ ଅନୁଭବର କାରୁଣ୍ୟ ପ୍ରତି ସଚେତନତା ଆବୋରିବସିଲା ଚେତନାକୁ।
ବିଷଦାନ୍ତ ଭାଙ୍ଗିଯାଇଥିବା ପରି ନିର୍ଲଜ୍ଜ ହସଟିଏ ଲାଖିରହିଥିଲା ଶ୍ରୀଦେବଙ୍କ ଓଠରେ। ପଙ୍ଖା ଘୂରୁଥିଲା। ସ୍ମୃତି ଭାବିଲା, ଏହା ହିଁ ପ୍ରକୃଷ୍ଟ ସମୟ ଯେବେ ସବୁକିଛି ବର୍ଣ୍ଣନା କରି ସେ ସୋମୁ ସହ ତା’ର ସମ୍ପର୍କ ପାଇଁ ଶ୍ରୀଦେବଙ୍କଠାରେ କ୍ଷମା ଭିକ୍ଷା କରିବ। ଅଥଚ ଘୂରୁଥିବା କଳା ରଙ୍ଗର ଶିଲିଂ ଫ୍ୟାନ୍ଟିକୁ ଲକ୍ଷ୍ୟ କରୁକରୁ ନିଜ ଭିତରେ ସାହସ ସଂଗ୍ରହ କରୁଥିବା ସ୍ମୃତି କିଛି ସମୟ ପରେ କଡ଼ ଲେଉଟାଇ ଦେଖିଲା, ଶ୍ରୀଦେବ ଗୋଟେ ପରିତୃପ୍ତ ସ୍ବାର୍ଥପରତାରେ ନିଘୋଡ଼ ନିଦରେ ଶୋଇପଡ଼ିଛନ୍ତି!
ପ୍ରତିଦିନ ହିଁ ସ୍ମୃତି ଠିକ୍ କରେ ଶ୍ରୀଦେବଙ୍କୁ ସବୁକଥା ଖୋଲି କହିଦେବ। ଅଥଚ ପ୍ରତି ରାତିରେ ହିଁ ଶୋଇବାଘରେ ସେ ପାଲଟିଯାଏ ଆକ୍ବାରିଅମର ମାଛ। ତା’ କଥା ଅକୁହା ରହିଯାଏ।
କ୍ରମେ ଶ୍ରୀଦେବଙ୍କ ଛୁଟିଦିନ ସରିସରି ଆସୁଥାଏ। ଏତିକି ଦିନ ଭିତରେ ସେ ବାରମ୍ବାର କହିସାରିଥିଲେ କି, କର୍ମସ୍ଥଳୀକୁ ଏକାକୀ ଫେରିବା ଦ୍ବାରା ତାଙ୍କୁ ରୁନ୍ଧିହେଲା ପରି ଲାଗିବ। ଶ୍ବାସରୁଦ୍ଧ ଲାଗିବ। କେଜାଣି ସେ ବଞ୍ଚିପାରିବେ କି ନାହିଁ। ସ୍ମୃତିକୁ ସାଙ୍ଗରେ ନେଇଯାଆନ୍ତେ ଯେ, ବାହାହେବା ସାଙ୍ଗେ ସାଙ୍ଗେ ନେଇଯିବାଦ୍ବାରା କଥାଟା ଆଲୋଚିତ ହେବ। ଘରେ ଅନ୍ୟ କେହି ନ କହୁଣୁ ଆବୁଡ଼ା ପଡ଼ି ନିଜେ କହିବାକୁ ମାଡ଼ି ମାଡ଼ିପଡ଼ିବ। ତା’ ଛଡ଼ା କମ୍ପାନୀ ତାଙ୍କୁ ରହିବାକୁ ଯେଉଁ ଜାଗା ଦେଇଚି, ସେଇଟି ଗୋଟେ ହଷ୍ଟେଲ ଭଳି। ସେଇଠି ଅନେକ ଅବିବାହିତ ଲୋକ ରହନ୍ତି। ଘର ମିଳି ନ ଥିବାରୁ ବିବାହିତ, ବିଶେଷତଃ ସଦ୍ୟ ବିବାହିତମାନେ ବି ସେଠି ରହନ୍ତି ଯେ, ସେଇ ପରିବେଶରେ ଏକାନ୍ତତାର ଘୋର ଅଭାବ। କାହାର ଜଣକର ସ୍ତ୍ରୀକୁ ଅନେକ ଲୋକର ଭାଉଜ ହେବାକୁ ପଡ଼ିବ। କହୁକହୁ ଶ୍ରୀଦେବ ଏକଥା ମଧ୍ୟ କହିପକାଇଥିଲେ କି, ପତ୍ନୀ ସୁନ୍ଦରୀ ଓ ମେଳାପୀ ବା କେବଳ ସୁନ୍ଦରୀ ବା କେବଳ ମେଳାପୀ ହେଇଥିଲେ ବି, ଚା’ବିସ୍କୁଟ ଯୋଗାଇବାକୁ ସ୍ବାମୀର ସମୟୋଚିତ ଦିଲ୍ଖୋଲା ସାର୍ବଜନୀନ ଭ୍ରାତୃଭାବ, ତା’ ପକେଟ ଖାଲିର କାରଣ ହେବ। ତଥାପି ଶ୍ରୀଦେବ ସ୍ମୃତିକୁ ସାଙ୍ଗରେ ନେଇଯାଆନ୍ତେ। ନହେଲେ ସବୁ ସମୟ ଅନ୍ୟମନସ୍କତାରେ ବିତିବ। କେଜାଣି ସମୟ ବିତିବ କି ନାଇଁ! ତା’ଛଡ଼ା ଖାଇବାପିଇବାର ମଧ୍ୟ ଘୋର ଅସୁବିଧା ହେବ।
ସ୍ମୃତି ଶୁଣିଥିଲା, ବାହା ହୋଇଯିବା ମାତ୍ରେ, ବାହାରେ ରହି ଜୀବିକା ଅର୍ଜନ କରୁଥିବା ଯୁବକମାନଙ୍କର ହଠାତ୍ ଗୋଟେ କ’ଣ ଖାଇବାପିଇବାର ଅସୁବିଧା ଦେଖାଦିଏ। ଏ ପ୍ରକାର ଅସୁବିଧା ଫଳରେ ସେମାନେ ଅଳ୍ପଦିନ ମଧ୍ୟରେ ବହୁତ ବେଶୀ ଝଡ଼ିଯାଉଥିବା କଥା ମଧ୍ୟ ସ୍ମୃତି ଶୁଣିଥିଲା। ଶ୍ରୀଦେବଙ୍କର ମଧ୍ୟ ସେମିତିକା ଅସୁବିଧା ହେବ ବୋଲି ଶୁଣିବା ପରେ ତାକୁ ହସ ଲାଗିଲା। ସେ ଟିକିଏ ଲାଜେଇଯାଇଥିଲା ମଧ୍ୟ। ତେବେ କିଛି ସମୟ ବାଦ୍ ଲୁଚାଇଦେଇଥିବା ମୁହଁକୁ ଉଠାଇ, ହସ ଚାପି ସେ କୋମଳ ପ୍ରଶ୍ନ କଲା- ଏତେଦିନ ଯାଏଁ ଯେ ତମେ ଏକଲା ଥିଲ, କୋଉଠି ଖାଇବାପିଇବା କରୁଥିଲ, ତା’ହେଲେ? ତା’ କଥା ଶୁଣି ଶ୍ରୀଦେବ ତକିଆଟିଏ ଉଠାଇ ତା’ ମୁହଁ ଉପରକୁ ଫିଙ୍ଗିଥିଲେ ପ୍ରେମପୂର୍ଣ୍ଣ ପରାଜୟର ଅଭିନୟପୂର୍ଣ୍ଣ ଅଭିମାନରେ।
ଶ୍ରୀଦେବ ପ୍ରକୃତରେ ଜଣେ ଭଲ ଲୋକ। ତାକୁ ପ୍ରକୃତରେ ହିଁ ବହୁତ ଭଲ ପାଆନ୍ତି। ସ୍ମୃତି ନିର୍ଣ୍ଣୟ କରୁଥିଲା। ତା’ ମନରେ ଦ୍ବନ୍ଦ୍ବ ଆସୁଥିଲା ଏମିତି ଜଣେ ଖୁସିବାସିର ଲୋକକୁ ସେ ସୋମୁ କଥା କହିବା ଠିକ୍ ହେବ! କିନ୍ତୁ ନମିତା କହୁଥିଲା, ଶ୍ରୀଦେବ ସୋମୁ ସମ୍ପର୍କରେ କିଛି କିଛି ଜାଣନ୍ତି!
ଯେଉଁଦିନ ଶ୍ରୀଦେବ ନିଜ ଚାକିରି କ୍ଷେତ୍ରକୁ ଫେରିଯିବା କଥା, ତା’ ପୂର୍ବ ରାତିରେ ସ୍ମୃତି କହିଲା-ସୋମୁ ମୋର ଜଣେ ଦୂର ସମ୍ପର୍କୀୟ। ମୋର ତାଙ୍କ ସହିତ ହୃଦୟର ସମ୍ପର୍କ ଥିଲା।
ଶ୍ରୀଦେବ ସ୍ମିତ ହସି କହିଲେ-ମୁଁ ତାହା ଜାଣିଚି।
ସ୍ମୃତିର ହଠାତ୍ ମନେହେଲା, ଏଇ ପାଖରେ କେଉଁଠି ପ୍ରଚଣ୍ଡ ଶବ୍ଦରେ ତୋପଟିଏ ଫୁଟି ତା’ର କାନ ଅତଡ଼ା ପଡ଼ିଗଲା। ସେ ନିଜକୁ ସମ୍ଭାଳିନେଲା ପର ମୁହୂର୍ତ୍ତରେ ଓ ନିଜ ମନକୁ ବୁଝାଇଲା-ଏଥିରେ ଏତେ ବିଚଳିତ ହେଲାଭଳି କ’ଣ ଅଛି? ନମିତା ତ କହୁଥିଲା, ସେ ସୋମୁ ସମ୍ପର୍କରେ କିଛି କଥା ଶୁଣିଛନ୍ତି। ତେଣୁ ଏକ ଦୀର୍ଘଶ୍ବାସ ପରେ ସେ ପ୍ରଶ୍ନକଲା-ସତେ?
ହଁ। ଶ୍ରୀଦେବ କହିଲେ। ଆଶ୍ଚର୍ଯ୍ୟ ହେଲେ- ବରଂ ମୁଁ ଭାବୁଥିଲି ତମ ଭଳି ଜଣେ ନିଷ୍କପଟ ଝିଅ ମତେ ଏତେ ଦିନ ଯାଏଁ ଏକଥା ନ କହୁଛି କେମିତି! ତମେ ନ କହିଥିଲେ ମୁଁ ଅବଶ୍ୟ ପଚାରି ନ ଥାନ୍ତି। ତଥାପି ମୁଁ ଯେମିତି ଇଛା କରୁଥିଲି, ତମେ ମତେ ଶୀଘ୍ର ହିଁ ହାଲୁକା କରିଦେବ।
ସ୍ମୃତିର ଆଖିରେ ଲୁହ ଆସିଯାଇଥିଲା। ମ୍ଳାନ ନୀଳ ଆଲୋକରେ ନିଜ ଲୁହକୁ ଲୁଚାଇଦେବା ତା’ ପକ୍ଷରେ କଷ୍ଟକର ହେଲା ନାହିଁ। ସେ ପଚାରିଲା-ସବୁ କଥା ଜାଣିବା ପରେ ତମର ମୋ ଉପରେ କ୍ରୋଧ ହୁଏ ନାହିଁ?
-ହୁଏ। ବେଳେବେଳେ ହେଉଥିଲା। କିନ୍ତୁ ସବୁ କିଛି ନ ଜାଣି କ୍ରୋଧ କରିବା ଦ୍ବାରା ମୋ ନିଜର କ୍ଷତି ସିନା!
-ତମେ ତ କହିଲ, ତମେ ସବୁ କିଛି ଚାଣିଚ!
-ସବୁ କିଛି ଜାଣିଚି ବୋଲି କେତେବେଳେ କହିଲି? ତା’ଛଡ଼ା ମୁଁ ଏମିତି ଭାବେ ଜାଣିଥିଲି, ଯାହା ପ୍ରକୃତରେ କିଛି ନ ଜାଣିଥିବା ସହିତ ସମାନ। ତମ ସହ ମୋର ନିର୍ବନ୍ଧ ହୋଇସାରିବା ପରେ ମୁଁ ଗୋଟିଏ ବେନାମୀ ଚିଠି ପାଇଥିଲି।
-ବେନାମୀ ଚିଠି! ସ୍ମୃତି ଅସ୍ପଷ୍ଟ ଧ୍ବନି ଉଚ୍ଚାରଣ କଲା।
-ହଁ। କିଏ ଜଣେ ଲେଖିଥିଲା। କିଛି ଆଜେବାଜେ କଥା। ଅବଶ୍ୟ ସିଏ ଏକଥା ମଧ୍ୟ ଲେଖିଥିଲା ଯେ, ତା’ପରେ ବି ଯଦି ମୋର ତମ ସହିତ ବାହାଘର ହୁଏ, ତେବେ ତୁମକୁ ସେଇ ଚିଠିଟି ମୁଁ ଯେମିତି ନ ଦେଖାଏଁ! କାରଣ ତମେ ତା’ର ହସ୍ତାକ୍ଷର ଚିହ୍ନିପାରିଥାନ୍ତ!
: ତମେ ସେ ଚିଠିଟି କେଉଁଠି ରଖିଚ? ସ୍ମୃତି ଉଦ୍ବେଗରେ ପଚାରିଦେଲା।
-ରଖିନାଇଁ। ଚିରିଦେଇଚି।
ସ୍ମୃତି ନିଜ ଭିତରେ ଯେମିତି କି ମନ୍ଥିହେଇଯାଉଥିଲା। ଭିଡ଼ ଭିତରେ ଠେଲାପେଲା ହେଉଥିବା ହଜାର ହଜାର ମଣିଷଙ୍କ ପାଦତଳେ ଯେମିତି ଦଳି ଚକଟିହେଇ ଆପ୍ରାଣ ଉଦ୍ୟମରେ ନିଃଶ୍ବାସ ନେଇପାରୁ ନ ଥିଲା!
କିଛି ସମୟ ନୀରବରେ ମୁଣ୍ଡ ପୋତି ବସିରହିବା ପରେ ଖୁବ୍ କଷ୍ଟସାଧ୍ୟ ଭାବେ ମ୍ରିୟମାଣ କଣ୍ଠରେ ସେ ପ୍ରଶ୍ନକଲା-ଚିଠିଟି ମତେ ଦେଖାଇବା ପୂର୍ବରୁ ଚିରିଦେଲ?
ଶ୍ରୀଦେବ ତା’ ସ୍ବରର ଅଭିମାନକୁ ଚିହ୍ନିଲେ। କହିଲେ-ହଁ । ପାଇସାରି ପଢ଼ିବାପରେ ହିଁ ମୁଁ ସେଇଟିକୁ ଚିରିଦେଇଚି। କାରଣ ମୁଁ ଅଯଥା ଦୁଶ୍ଚିନ୍ତା ଭିତରେ ରହିବାକୁ କେବେ ହେଁ ପସନ୍ଦ କରେନା। ତା’ ଛଡ଼ା, ତମ ସହିତ ମୋର ନିର୍ବନ୍ଧ ହେଇସାରିଥିଲେ ବି ବିବାହ ହୁଏତ ନ ହେଇପାରିଥାନ୍ତା ମଧ୍ୟ ! ଏବଂ ମୁଁ ତୁମକୁ ବିବାହ କରିବାକୁ ଚାହୁଁଥିଲି।
-ଚିଠି ପାଇବା ପରେ ବି?
-ଚିଠି ଲେଖିଥିବା ଲୋକକୁ ମୁଁ ଜାଣେନାହିଁ। ତା’ର ଉଦ୍ଦେଶ୍ୟ ମଧ୍ୟ ଜାଣେନା। ସେ ଲେଖିଥିବା କଥା ମିଛ ବି ହେଇପାରିଥା’ନ୍ତା! ଏମିତି କି ମୁଁ ଯଦି ତୁମକୁ ପଚାରିଥାନ୍ତି, ସୋମୁ ସହ ତମ ସମ୍ପର୍କ କଥା, ତମେ ମଧ୍ୟ ନିର୍ବିକାର ଭାବେ କହି ପାରିଥା’ନ୍ତ ଯେ, ତମେ ସେଇ ନାଁର କୌଣସି ଲୋକକୁ ଚିହ୍ନିନାହଁ। ହଁ, ଅବଶ୍ୟ ସେ ଚିଠିରେ ଲେଖାଥିଲା, ମୁଁ ଯଦି ତୁମକୁ ସୋମୁ କଥା ପଚାରେ କେବେ, ତା’ହେଲେ ତମେ ସେଇ ନାଁରେ ଜଣେ ଲୋକକୁ ଏମିତି କେବଳ ଚିହ୍ନିଚ ବୋଲି କହିପାର, ଯେମିତି ସମସ୍ତଙ୍କର କିଛି ଚିହ୍ନାଲୋକ ଥାଆନ୍ତି, ଅଥଚ ସମ୍ପର୍କ ପ୍ରାୟ ନ ଥାଏ। କାହିଁ? ବରଂ ମୁଁ କିଛି ପଚାରିବା ପୂର୍ବରୁ ତମେ ନିଜେ ସେଇ କଥା କହୁଚ! ମୁଁ ଜାଣିପାରିଚି, ତମେ ଖୁବ୍ ନିର୍ମଳ ଓ ଉଜ୍ଜ୍ବଳ। ମୁଁ ଖୁସି।
ସ୍ମୃତି କାନ୍ଦକାନ୍ଦ ହେଇଗଲା। ଏତେ ଦିନ ପରେ ପ୍ରଥମ ଥର ପାଇଁ ସ୍ବେଚ୍ଛାକୃତ ଭାବେ ସେ ଶ୍ରୀଦେବଙ୍କ ଛାତିରେ ଆଉଜିପଡ଼ିଲା।
ଶ୍ରୀଦେବ କହିଲେ-ସ୍ମୃତି ! ତଥାପି ବିବାହ ବେଦୀ ପର୍ଯ୍ୟନ୍ତ ବି ମୁଁ ପ୍ରସ୍ତୁତ ଥିଲି, କାଳେ କିଛି ଅଘଟଣ ଘଟିପାରେ। କିନ୍ତୁ ମୁଁ ଆଶା କରୁଥିଲି, ନିର୍ବନ୍ଧ ପାଇଁ ତମେ ଯେତେବେଳେ ରାଜି ହେଇଚ, ବିବାହ କରିବାରେ ବି ତମର କିଛି ଆପତ୍ତି ନ ଥିବ। ଆଉ ମଧ୍ୟ, ତମେ ତ ଜାଣିଚ, ବିବାହ ବେଦୀରେ ଶିଶୁପାଳ ହେବା ଓ ନିର୍ବନ୍ଧ ପରେ ଶିଶୁପାଳ ହେବା ଏକାକଥା। ସେମିତି କୌଣସି ଅଘଟଣ ଘଟିବାକୁ ପ୍ରଶ୍ରୟ ନ ଦେଇ ତମେ ମତେ ଯେତେ ଦୂର ଅସମ୍ମାନିତ ହେବାରୁ ବଞ୍ଚାଇଛ, ସେଥିପାଇଁ ମୁଁ ତମଠାରେ କୃତଜ୍ଞ।
ଏଥର ସ୍ମୃତି ପ୍ରକୃତିରେ କାନ୍ଦିପକାଇଲା ଅସହ୍ୟ ଭାବାବେଗରେ।
ଶ୍ରୀଦେବ ତା’ର ମୁଣ୍ଡ ଆଉଁଷିଲେ। କହିଲେ-ପ୍ରେମର କୌଣସି ପରିଭାଷା ଦେବାପାଇଁ ମୁଁ ନିହାତି ଅକିଞ୍ଚନ। କିନ୍ତୁ ମୁଁ ଗୋଟିଏ ବିଚିତ୍ର ପ୍ରେମ କାହାଣୀ ଶୁଣିଚି। ଏମିତି ଭାବେ ମଧ୍ୟ ପ୍ରେମ ସମ୍ପର୍କ ଗଢ଼ିଉଠିପାରେ। ଝିଅ ଦେଖା କରିବାକୁ ଆସୁଥିବା ଲୋକମାନଙ୍କ ସାମନାକୁ ବାରମ୍ବାର ଆସି ସୁଦ୍ଧା ବିବାହଯୋଗ୍ୟ ଝିଅଟିଏ କୌଣସି ନା କୌଣସି କାରଣରୁ ନିଜର ଯୋଗ୍ୟତା ପ୍ରମାଣ କରିପାରୁ ନ ଥିଲା। ଶେଷରେ ସେ ଏମିତି ଏକ ବରପାତ୍ର ସାମନାକୁ ଆସିଲା, ଯା’ର ଗୁରୁଜନମାନେ ତାକୁ ପସନ୍ଦ ନ କଲେ ବି ନିଜେ ବରପାତ୍ରଟି ତାକୁ ପସନ୍ଦ କରିଥିଲା ଓ ଭଲପାଇବା ଆରମ୍ଭ କରିଦେଲା। ଝିଅଟି ତା’ର ସେଇ କୁଟାଖିଅ-ପ୍ରେମିକଟିକୁ ଅନେକ ଚିଠି ଲେଖିଲା, ଆବେଗର ଲୁହରେ ଭିଜାଇ ଦେଲା ତା’ ହୃଦୟ! ଅବଶ୍ୟ ସେ ଦୁହେଁ ପରସ୍ପରକୁ ବାହା ହେଇପାରିଲେ ନାହିଁ।
ଶ୍ରୀଦେବ ବିରାମ ନେଲେ ଓ କହିଲେ-ଧରିନିଅ ଖଣ୍ଡେ ଜାମା କିଣିବା ପାଇଁ ମୁଁ ଦୋକାନକୁ ଗଲି। ମୁଁ ଯେଉଁ ଜାମାଟି ପସନ୍ଦ କଲି, ତାହା କିଣିପାରି ନ ଥିଲେ ବି ଅନ୍ୟ କେହି ଯେ ସେ ଜାମାଟିକୁ ପସନ୍ଦ କରି ନ ଥିବ, ଏମିତି ତ କିଛି ମାନେ ନାଇଁ ! ତେବେ କଥା କହିପାରୁଥିଲେ, ହୁଏତ ଜାମାଟି କହିଥାନ୍ତା, ମୋର ଶୋଭା ବର୍ଦ୍ଧନ କରିବାକୁ ସେ ମୋ ସହିତ ରହନ୍ତା; ଯେମିତି ତମେ ଏଇନା ମୋର ମର୍ଯ୍ୟାଦା ବଢ଼ାଉଛ! କହିସାରି ଶ୍ରୀଦେବ ପ୍ରାଣ ଖୋଲି ହସିଲେ।
ସ୍ମୃତି ଲୁହ ପୋଛି କହିଲା-ଦେବ୍! ମୁଁ ଏତେ ବେଶୀ ଉଦାରତା ସହିପାରୁ ନାହିଁ!
ଶ୍ରୀଦେବ ଗମ୍ଭୀର ହେଲେ। କହିଲେ-ଉଦାରତା ନୁହେଁ ସ୍ମୃତି, ମୋର ବରଂ ଗୋଟେ ପ୍ରକାର ବ୍ୟାକୁଳ ଅଭିଳାଷ ଥିଲା, ମୋର ତମ ଭଳି ପ୍ରେମିକାଟିଏ ଥାଆନ୍ତା! କାରଣ ବେନାମୀ ଚିଠିଟି ପାଇବା ପରେ ମୁଁ ସୋମୁ ପାଖକୁ ଯାଇଥିଲି।
ସ୍ମୃତି ଅଚାନକ ପଚାରିଦେଲା-ଚିଠିଟି କ’ଣ ସୋମୁ ଲେଖିଥିଲେ?
ଶ୍ରୀଦେବ ଆଶ୍ଚର୍ଯ୍ୟାନ୍ବିତ ହେଲେ-ସୋମୁ ସମ୍ପର୍କରେ ତମ ଧାରଣା କ’ଣ ପ୍ରକୃତରେ ଏତେ ନ୍ୟୂନ? ତମେ କ’ଣ ପ୍ରକୃତରେ ଭାବିପାରୁଚ ଯେ, ସୋମୁ ଏମିତି ଗୋଟିଏ ଚିଠି କେବେ ଲେଖିପାରନ୍ତି?
ସ୍ମୃତି ଟିକିଏ ମ୍ଳାନ ଜଣାପଡ଼ିଲା।
ଟିକିଏ ବିରାମ ନେଇ, ସ୍ମୃତିର ଆଖିରେ ଆଖି ରଖି, ଶ୍ରୀଦେବ କହିଲେ-ଜାଣ ସ୍ମୃତି? ସୋମୁ ତାଙ୍କ ଘରର କାନ୍ଥରେ ଗୋଟିଏ ତୈଳଚିତ୍ର ଟାଙ୍ଗିଛନ୍ତି! ଚିତ୍ରଟି ତୁମର। ଚିତ୍ର ତଳେ ଲେଖାହେଇଚି, “ତମେ ହେଲେ ମୋ ମାଆ ହେଇ ଜନ୍ମ ହେଇଥା’ନ୍ତ।”