ଗଙ୍ଗା ଜେଟୀରେ ଗୋଟିଏ ଷ୍ଟୀମର୍ରେ ଅଶାନ୍ତି ଚିତ୍କାର ଶୁଭୁଛି।
ଚୌରଙ୍ଗୀର ଜନବିହୀନ ରାସ୍ତା ବିଜୁଳିବତୀର ନିର୍ଜନ ଆଲୋକରେ ଦିଶୁଛି ପ୍ରେତପୁରୀ ପରି ଅଶରୀରୀ ଓ ରହସ୍ୟାବୃତ।
ଚୌରଙ୍ଗୀ-ବଣିଆ ସଂସ୍କୃତିର ମକ୍କାମଦିନା !
ଟ୍ରାମ୍ରାସ୍ତାର ସେପାଖେ ଦଳ ଦଳ ହୋଇ ଶରଣାର୍ଥୀ ଶୋଇଛନ୍ତି ମାଟିରେ- ତଳେ ମହାନଗରୀର ଧୂଳି, ଉପରେ ରାତିର ନିଶୀଥ ଆକାଶ। କୋଉଠି କୋଉଠି ବିଡ଼ିରୁ ଏ ପର୍ଯ୍ୟନ୍ତ ନିଆଁ ନିଭି ନାହିଁ, ରାସ୍ତା କଡ଼ ଚୁଲୀରେ ରଡ଼ନିଆଁ ଧପ୍ଧପ୍ କରୁଚି।
ଆକାଶରେ ଶୁକ୍ଳ ଚତୁର୍ଦ୍ଦଶୀ ତିଥିର ନିଃସଙ୍ଗ ଚନ୍ଦ୍ର ମାତାଲ ପରି ଢଳିଢଳି ଚାଲିଛି ଆକାଶର ରାଜପଥରେ। ପାଖରେ ଗୋଟିଏ ବିଲାତି ହୋଟେଲ୍ରୁ ନାଚର ଆଡ୍ଡା କେତେବେଳୁ ଭାଙ୍ଗିଲାଣି। ଜଣେ ଜଣେ ବିଲାତି ପୋଷାକ-ପିନ୍ଧା ସାହେବ ପାଞ୍ଚ ଦଶ ମିନିଟ୍ ଅନ୍ତରରେ ହୋଟେଲ ଭିତରୁ ବାହାରି ଆସୁଛନ୍ତି ହୁଇସିଲ ମାରି ମାରି।
ଚୌରଙ୍ଗୀ ପେଭ୍ମେଣ୍ଟ।
‘ସଲାମ ସାହେବ।’ ‘ସଲାମ୍’
‘ଛୋକ୍ରୀ ମାଙ୍ଗ୍ତେ ହେଁ?’
‘ନନ୍ସେନ୍ସ! କ’ଣ କହୁଛ?- କଡ଼ା ଗଳାରେ ପଚାରିଲି। ମାତ୍ର ତା’ର ଏହାହିଁ ବ୍ୟବସାୟ। ଲୋକଟା ଟିକିଏ ଶଙ୍କି ଯାଇଁ କହିଲା, ‘ବେଶୀ ଦୂର ନୁହେଁ, ଏଇ ପାର୍କ ଷ୍ଟ୍ରୀଟ୍ ମୋଡ଼ରେ ସାହେବ !’
ଆଗକୁ ଆଗକୁ ଚାଲିଲି। ଘୃଣା ଓ ଲଜ୍ଜାରେ ମୋର ଦେହ ଥରିଗଲା। ସେ ଲୋକଟିକୁ ଯଦି କୁକୁର ପରି ଗୁଳି କରି ମାରି ପାରନ୍ତି ! କି ନୀଚ, କି କଦର୍ଯ୍ୟ ! ଅଥଚ ଏ ଦଲାଲୀ ସଭ୍ୟତାର ସେ ତ ଜଣେ ପ୍ରତିନିଧି ! ରାଷ୍ଟ୍ର ଓ ବ୍ୟକ୍ତି ମଧ୍ୟରେ ଦଲାଲୀ କରି ଯଦି ନେତାର ସମ୍ମାନ ମିଳେ, ନ୍ୟାୟବିଚାର ଓ ବ୍ୟକ୍ତି ମଧ୍ୟରେ ଦଲାଲୀ କରି ଯଦି ଓକିଲର ପ୍ରତିଷ୍ଠା ମିଳେ, ଭଗବାନ ଓ ବ୍ୟକ୍ତି ମଧ୍ୟରେ ଦଲାଲୀ କରି ଯଦି ମହାପୁରୁଷ ଓ ମହାତ୍ମାର ପଦବୀ ମିଳେ, ତା’ହେଲେ କେଉଁ ହତଭାଗିନୀର ମାଂସ ଓ କେଉଁ କାମୁକର ଜାନ୍ତବ କ୍ଷୁଧା ଭିତରେ ଦଲାଲୀ କଲେ, ତାହା ନିନ୍ଦନୀୟ ହେବ କାହିଁକି? ବିଚିତ୍ର ଏହି ଦଲାଲୀ ସଭ୍ୟତା ଓ ବଣିଆ ସଂସ୍କୃତି!
ଶେଷକୁ କେଉଁଦିନ ଏ ଦେଶର ଆତ୍ମାକୁ ନେଇ ଯେ ଏମାନେ ବିକ୍ରୀ କରିଦେବେ, ତା’ର ଠିକଣା ନାହିଁ! ଦଲାଲୀ ପରସେଣ୍ଟଜ୍ ଟା ତ ମିଳିବ- କ୍ଷତି କ’ଣ?
ଜଣେ କିଏ ଗୋଟିଏ ଖୁମ୍ବର ଉଢ଼ାଳ ଛାଇରେ ଠିଆ ହୋଇଥିଲା। ମୋତେ ଦେଖି ଶିକାରୀ ପରି ଝାମ୍ପ ଦେଇ ମୋ ଆଗରେ ଆସି ଠିଆ ହୋଇଗଲା।
ସେହି ଏକା ବିଜ୍ଞାପନ; ‘ବେଶୀ ଦୂର ନୁହେଁ ବାବୁ, ଏଇ ପାର୍କଷ୍ଟ୍ରୀଟ୍ ମୋଡ଼ ଉପରେ!’
ପଛକୁ ଫେରି ଚାହିଁଲି, ସେ ପ୍ରଥମ ଲୋକଟା ଜଣେ ସାହେବୀ-ପୋଷାକ ପରିହିତ ବିଳାସୀଙ୍କୁ ଧରି ଗୋଟାଏ ଟାକ୍ସିରେ ଉଠୁଛି!… ଆଗକୁ ଆଗକୁ ଅନାସକ୍ତ ଭାବରେ ଚାଲିଲି; ଯେମିତି କିଛି କଥା ଶୁଣିନାହିଁ! ସେ ଲୋକଟା ମୋ ପଛରେ କେଇ ପାହୁଣ୍ଡ ଆସି ପୁଣି ଫେରିଗଲା। ଗୋଟିଏ ଘୋଡ଼ାଗାଡ଼ିବାଲା, ରାସ୍ତା ଉପରେ ବଗି ଛୁଟାଇ ନେଉ ନେଉ ଦିଲ୍ଦାରିଆ କଣ୍ଠରେ ଡାକିଲା … ‘ଆଇୟେ ସା’ବ୍, ବଡ଼ାବଜାର! ବଡ଼ାବଜାର ସା’ବ୍।’
ପୁଣି ଆଉ ଜଣେ। ସେଇ ଏକ କଥା… ‘ଏଇ ପାର୍କଷ୍ଟ୍ରୀଟ୍ ମୋଡ଼ ଉପରେ!’ ସେ ଲୋକଟା ଆଡ଼େ ଥରେ ଚାହିଁଲି!- ପାର୍କଷ୍ଟ୍ରୀଟ୍ ମୋଡ଼ର କଥା, ସେ ବିଷଦ ଭାବରେ ବର୍ଣ୍ଣନା କରିବାକୁ ଲାଗିଲା।
ପଚାରିଲି… ‘ଏହା କ’ଣ ରୋଜଗାର?’
ସେ ଲୋକଟା ନିର୍ବିକାର ଭାବରେ ଜବାବ ଦେଲା…
‘ହଁ ବାବୁ, ପରସେଣ୍ଟଜ୍ ଆଉ ବକ୍ସିସ୍ରୁ ରୋଜଗାର ମନ୍ଦ ହୁଏ ନାହିଁ!’
ତା’ପରେ ଚାଲିଲା ପାର୍କଷ୍ଟ୍ରୀଟ୍ ମୋଡ଼ର ଲୋଭନୀୟ ବିଜ୍ଞାପନ!
ପାର୍କଷ୍ଟ୍ରୀଟ୍ ମୋଡ଼ ନୁହେଁ, ତା’ର ଆହୁରି ଆଗକୁ।
ମାର୍ଚ୍ଚ ମାସର ରାତି! ତଳର ମାଟି ଉପରୁ ଗୋଟାଏ ଗରମ ବାଷ୍ପ ବାହାରୁଛି। ସର୍ବଂସହା ଧରଣୀର ମର୍ମଭେଦୀ ଦୀର୍ଘଶ୍ବାସ! ନିଶ୍ବାସ ରୁନ୍ଧି ହୋଇ ଆସିଲା ପରି ଲାଗୁଛି। ରାସ୍ତାର ଡାହାଣ ପାଖରେ ଶିମିଳି ଗଛଗୁଡ଼ାକରେ ଧରିଛି ଅସୁମାରି ଫୁଲ, ପାରାଭାଡ଼ି ପରି ଉଞ୍ଚା କୋଠାଗୁଡ଼ାକରେ କେତେ ହଜାର ହଜାର ପରିବାର ଅବିକା ହୁଏତ ନିଦ୍ରା ଅଚେତନ ହୋଇ ପଡ଼ିବେଣି.. ସ୍ବାମୀ, ସ୍ତ୍ରୀ, ଭାଇ, ଭଉଣୀ, ବାପ, ଝିଅ, ସମସ୍ତେ!
ଗୋଟାଏ ଗଳି, ତା’ପରେ ଗୋଟାଏ ଉପଗଳି, ସେଇ ଉପଗଳି ଯେଉଁଠି ଶେଷ ହୋଇଛି, ସେଠି ତଳ ମହଲାର ଗୋଟାଏ ଫ୍ଲାଟ୍। ଉପରେ ଫ୍ଲାଟ୍ଗୁଡ଼ାକରେ ଶୁଭୁଛି ଉଚ୍ଛୃଙ୍ଖଳ ହସ, ମାତାଲ କଣ୍ଠର କୋଳାହଳ…! ଏଇ ତା’ହେଲେ ପାର୍କଷ୍ଟ୍ରୀଟ୍ ମୋଡ଼!
ସେ ଲୋକଟା ବାହାରୁ ଦରଜା ଶିକୁଳୀ ହଲାଇ ଡାକିଲା। ଦରଜା ଖୋଲିଗଲା। ଯିଏ ଦରଜା ଖୋଲିଲେ, ସେହି ହୁଏତ ପାର୍କଷ୍ଟ୍ରୀଟ୍ମୋଡ଼ର ବିଳାସିନୀ ! ଲଜ୍ଜାରେ ମୁଣ୍ଡ ତଳକୁ କରିନେଲି! ତଳକୁ ଚାହିଁ କ’ଣ ଯେ ଭାବୁଥିଲି, ନିଜେ ଜାଣେନା। ଲୋକଟା ମୋତେ ସାମାନ୍ୟ ଠେଲିଦେଇ କହିଲା… ‘ବାବୁ, ବକ୍ସିସ୍!’ ପକେଟ୍ରୁ ଖଣ୍ଡେ ପାଞ୍ଚଟଙ୍କିଆ ନୋଟ୍ କାଢ଼ି ସେ ଲୋକଟାର ହାତରେ ଗୁଞ୍ଜିଦେଲି। ସେ କୃତକୃତ୍ୟ ହୋଇ ନିତ୍ୟଅଭ୍ୟସ୍ତ ଭଙ୍ଗୀରେ କହିଲା… ‘ସଲାମ୍!’ ତା’ପରେ ପାର୍କଷ୍ଟ୍ରୀଟ୍ ମୋଡ଼ର ଅଧିବାସୀଙ୍କ ଆଡ଼େ ଚାହିଁ କହିଲା, ‘ମୋତେ ମିଳିଯାଉ ଦିଦି !’
ମୁଁ ପଚାରିଲି… ‘ଆଉ କ’ଣ?’
ସେ ଲୋକଟା କହିଲା,… ‘ମୋର ପର୍ସେଣ୍ଟେଜ୍!’
ଆଉ ଖଣ୍ଡେ ପାଞ୍ଚଟଙ୍କିଆ ନୋଟ୍ ସେ ଲୋକଟା ହାତରେ ଗୁଞ୍ଜି ଦେଇ କହିଲି,… ‘ଯାଅ ଏଥର!’
ସେ ଲୋକଟା ହୁଇସିଲ ମାରି ମାରି ବେପରୁଆ ଭାବରେ ଚାଲିଗଲା। ପାର୍କଷ୍ଟ୍ରୀଟ୍ ମୋଡ଼ର ଅଧିବାସିନୀ ମୋ ଆଡ଼େ କିଛି ସମୟ ବିସ୍ମିତ ଆଖିରେ ଚାହିଁ କହିଲେ, ‘ଭିତରକୁ ଆସନ୍ତୁ।’
ଶୋଷରେ ତଣ୍ଟିଟା କିପରି ଶୁଖି ଆସିଛି। ଭିତରକୁ ଯାଇ ପଚାରିଲି, ‘କିଛି ପିଇବାକୁ ଦେଇ ପାରିବ?’
ସେ ସ୍ତ୍ରୀ ଲୋକଟି କହିଲା, ‘ନିଶ୍ଚୟ।’ ତା’ପରେ ଗୋଟିଏ ଝିଅର ନାଁ ଧରି ଡାକିଲା-
‘ମିନୁ, ମିନୁ!’
କିଛି ସମୟ ପରେ ତେର ଚଉଦ ବର୍ଷର ଝିଅଟିଏ ଆସିଲା ନିଦ ମଳମଳ ଆଖିରେ, ମୁହଁରେ ତାର ବିରକ୍ତିର ଚିହ୍ନ ସୁସ୍ପଷ୍ଟ। ମାତ୍ର ସେଥିରେ ତାର ଉଦ୍ଭିନ୍ନ କମଳ ପରି ମୁଖମଣ୍ଡଳର ସୌନ୍ଦର୍ଯ୍ୟ ଯେପରି ଆହୁରି ଶତଗୁଣ ବଢ଼ି ଉଠିଛି। ସେ ସ୍ତ୍ରୀଲୋକଟି କହିଲା… ‘ଗୋଟାଏ ବିୟରରେ ବରଫ ଦେଇ ନେଇ ଆ’ ତ, ମିନୁ।’
ଯାହା ହେଉ, ଭଦ୍ର ମହିଳାଙ୍କର ରୁଚି ଅଛି। ଆଶ୍ବସ୍ତ ହେଲି! ମିନୁ ଚାଲିଗଲା। ନିଦ୍ରାଶିଥିଳିତ ବେଣୀ, କେଉଁ କାମୁକର ବ୍ୟଗ୍ର ବାହୁ ପରି, ମାଂସଳ ନିତମ୍ବକୁ ତା’ର ବାରମ୍ବାର ବେଷ୍ଟନ କରି ଯାଉଥିଲା। ବେଣୀରେ ବାନ୍ଧିଥିଲା ପୁଣି ଗୋଟିଏ ରକ୍ତ ଗୋଲାପ। ତାହା କିନ୍ତୁ ମଥିତ, ମଳିନ ଦିଶୁଥିଲା!
ସେଇଆଡ଼େ ଚାହିଁ ରହିଥିଲି ମୁଗ୍ଧ ଆଖିରେ। ସେ ସ୍ତ୍ରୀ ଲୋକଟି କହିଲା, ‘ସେ ମୋର ଭଉଣୀ ବାବୁ। କିନ୍ତୁ ତାର ଶୁଭବଳି ହୋଇନାହିଁ।’
ସେ ହୁଏତ ଆଶଙ୍କା କରୁଥିଲା, ମୁଁ ମିନୁର ମାଂସ ପାଇଁ ଅଡ଼ି ବସିବି। ମାତ୍ର ଏ ମାଂସ କ’ଣ, ଦେହର କ୍ଷୁଧା ମେଣ୍ଟାଇଛି କେବେ? ଏ ମାଂସ କେବଳ ମନର କ୍ଷୁଧାପାଇଁ। ନିଜର କନ୍ୟା ପରି ମିନୁକୁ ସ୍ନେହ କରିହୁଏ, କିନ୍ତୁ ବାରବିଳାସିନୀ ପରି ତାକୁ ଉପଭୋଗ କରିହେବ ନାହିଁ।
ମିନୁ ଗୋଟିଏ ଟ୍ରେରେ ବରଫ ମିଶା ଗୋଟିଏ ବିୟର ଗ୍ଲାସ୍ ଆଣି ରଖି ଦେଇଗଲା।
ସେ ସ୍ତ୍ରୀ ଲୋକଟି କହିଲା, ‘ସିଗାରେଟ୍ ଆଣିଲୁ ନାହିଁ ଯେ!’
ମିନୁ ସିଗାରେଟ୍ ଆଣିବା ପାଇଁ ଚାଲିଯାଉଥିଲା। ମୁଁ କହିଲି, ‘ମୋ ପାଖରେ ସିଗାରେଟ୍ ଅଛି, ବସ ତମେ।’
ମିନୁ ବସିଲା। ନିଦରେ ଆଖି ଦୁଇଟା ତା’ର ଭାଙ୍ଗିପଡ଼ୁଥିଲା! ଇଚ୍ଛା ହେଉଥିଲା, ମିନୁର ମୁଣ୍ଡକୁ କୋଳରେ ରଖି ତା’କୁ ଶୁଣାଇବା ପାଇଁ ଉପକଥାର ରାଜପୁତ୍ର ଓ ରାଜକନ୍ୟାର କଥା। ମନପବନ ଘୋଡ଼ା ଉପରେ ବସିଛି ରାଜକୁମାର। କୋଳରେ ତା’ର ରାଜକୁମାରୀ! ମନପବନ ଘୋଡ଼ା ତୀର ବେଗରେ ଉଡ଼ି ଚାଲିଛି। ଆଉ ପଛରେ ଛୁଟିଛି ଗୁହାଫେରନ୍ତା କ୍ଷୁଧାର୍ତ୍ତ ଦୁର୍ଦ୍ଦାନ୍ତ ରାକ୍ଷସ।
ମିନୁ ଭିଡ଼ିମୋଡ଼ି ହୋଇ କହିଲା, ‘ମୁଁ ଯାଉଛି ଦିଦି, ମୁଣ୍ଡ ବିନ୍ଧିଲାଣି।’
ମିନୁ ଉଠିଗଲା।
ଉଚ୍ଛଳ ସେଇ ଦୁଇ ବର୍ତ୍ତୁଳ ନିତମ୍ବ ଉପରେ ନର୍ତ୍ତିଳ ଦୀର୍ଘ କବରୀ। ମିନୁ କିନ୍ତୁ ପଛରେ ରଖିଗଲା କରୁଣା, ସମବେଦନା, ବାତ୍ସଲ୍ୟ, ଘୃଣା, ସ୍ନେହ ଓ ପ୍ରବୃତ୍ତି ପ୍ରଭୃତି କେତେଗୁଡ଼ିଏ ପରସ୍ପର-ବିରୋଧୀ ଆବେଗର ମିଳିତ ଆବେଶ।
ମିନୁ ଚାଲିଯିବା ପରେ, ଚାହିଁଲି ସେ, ସ୍ତ୍ରୀ ଲୋକଟି ଆଡ଼େ। ବୟସ ଚାଳିଶିର ପାଖାପାଖି ହେବ। ଦେହର ଚମ ଶିଥିଳ ହୋଇଗଲାଣି। ମୁହଁ ଉପରେ, ଦୁଇ ଆଖି କୋଣରେ ବୟସ କେତୋଟି କୁଟିଳ ରେଖା ଟାଣି ଦେଇ ଗଲାଣି। ତଥାପି ଚେଷ୍ଟାକରି ସେ ନିଜକୁ ଯୁବତୀ କରିବାରେ କାର୍ପଣ୍ୟ କରିନାହିଁ। ମୁହଁ ଉପରଯାକ ବୋଳା ହୋଇଛି ପେଣ୍ଟ୍।
ଓଠରେ ଲିପିଷ୍ଟିକ୍, ଗାଲରେ ରୁଜ୍, କିନ୍ତୁ ଏହା ଫଳରେ ବୟସ ତା’ର ଯେମିତି ଆହୁରି ଦଶବର୍ଷ ଆଗେଇ ଯାଇଛି। ପୁଅ ଥିଲେ ତା’ର କେଜାଣି, ମୋରି ବୟସର ହୁଅନ୍ତାଣି।
ଅଥଚ ଆଜି ସେ ଆଉ ମୁଁ… ପାର୍କଷ୍ଟ୍ରୀଟ୍ ମୋଡ଼ର ଏଇ ଫ୍ଲାଟ… ସୋଫା ତଳେ ବିୟର ବୋତଲ ଦୁଇଟା ପଡ଼ିଛି ଖାଲିହୋଇ… ପାଖର ଆସ୍ଟ୍ରେ ଟା ଖଣ୍ଡିଆ ସିଗାରେଟ୍ରେ ରୁନ୍ଧି ହୋଇଗଲାଣି।
କି ଭୀଷଣ ଏ ନାରୀମୂର୍ତ୍ତି! ଏ ଶିଥିଳ ଲୋଳଚର୍ମ ତଳେ ଦିନେ ବଞ୍ଚିଥିଲା ଯେଉଁ କନ୍ୟା, ବଧୂ ଓ ମାତା, ତାକୁ ବଞ୍ଚିବାର ଏକ ବିକଟ ବାସ୍ତବତା ଅତି ନିର୍ମମ ଭାବରେ ହତ୍ୟା କରି ଆଜି ବଞ୍ଚାଇ ରଖିଛି ଯାହାକୁ, ସେ ନାରୀ ରୂପିଣୀ ବୀଭତ୍ସ ମହାକ୍ଷୁଧା। ମନୁଷ୍ୟର ଆତ୍ମାକୁ ଗ୍ରାସକରି ସୁଦ୍ଧା ତାହାର କ୍ଷୁଧା-ନିବୃତ୍ତ ହୋଇନାହିଁ। କି ଭୀଷଣ! କି ବିକଟ! ଲୋମ ମୋର ତଥାପି ଟାଙ୍କୁରି ଉଠିଲା, ଘୃଣାରେ।
ପ୍ରତ୍ୟେକର ଚେହେରାରେ ଏମିତି କିଛି ନା କିଛି ଥାଏ, ଯାହା ମନେ ପକାଇଦିଏ ଆଉ ଜଣକର କଥା। ସେହିପରି ସେ ସ୍ତ୍ରୀଲୋକଟିର ଦୁଇ ନାକପୁଡ଼ାଠାରୁ ଚିବୁକ ପର୍ଯ୍ୟନ୍ତ ଅର୍ଦ୍ଧବୃତ୍ତାକାରରେ ଲମ୍ବି ଆସିଥିବା ଦୁଇଟି ଗଭୀର ରେଖା, ମନେ ପକାଇ ଦେଲା ମୋର ଆଉ ଜଣେ ସ୍ତ୍ରୀଲୋକର କଥା।
ହାଓଡ଼ାଠାରୁ ସେଥର ଯାଉଥିଲି ଦିଲ୍ଲୀ-ପଞ୍ଜାବ ମେଲ୍ରେ। ଇଣ୍ଟରକ୍ଲାସ୍ ଡବାରେ ଭୀଷଣ ଭିଡ଼। ତିଳଧାରଣ ପାଇଁ ସ୍ଥାନ ନ ଥିଲା। ହାଓଡ଼ାଠାରୁ ଆସାନ୍ସୋଲ ପର୍ଯ୍ୟନ୍ତ ଯାଇଥିଲି ଠିଆ ହୋଇ। ଗୋଟିଏ କୋଣରେ ଲମ୍ବା ବର୍ଥର ଶେଷକୁ ଜଣେ ହିନ୍ଦୁସ୍ଥାନୀ ମହିଳା ବସିଥିଲେ କମ୍ବଳ ବିଛାଇ। ମୋତେ ଦେଖି କହିଲେ… ‘ଆଉ କେତେ ଠିଆ ହୋଇ ଯିବ ବାପା! ବସିପଡ଼ ଏଇଠି।’
ସଙ୍କୋଚରେ ତାଙ୍କ ପାଖରେ ଜାକିଜୁକି ହୋଇ ବସିଥିଲି। ସ୍ବଚ୍ଛନ୍ଦ ଭାବରେ ବସିବା ପାଇଁ ସେ ମୋତେ ଅଭୟ ଶୁଣାଇ କହିଲେ…
‘ଲଜ୍ଜା କ’ଣ ବାବୁ! ତମେ ତ ମୋ ପୁଅ ବୟସର। ମୋ ପୁଅ ବି ଅଛି ଦିଲ୍ଲୀରେ। ମୁଁ ତା’ପାଖକୁ ଯାଉଛି ଯେ!’
ତାଙ୍କର ମଧ୍ୟ ଦୁଇ ନାକପୁଡ଼ା ତଳୁ ଚିବୁକ ପର୍ଯ୍ୟନ୍ତ ଲମ୍ବି ଆସିଥିଲା ଦୁଇଟି ଅର୍ଦ୍ଧବୃତ୍ତାକାର ରେଖା। ସେ ରେଖା କିନ୍ତୁ ଥିଲା କୋମଳ ଓ ମସୃଣ, ଏପରି କଠୋର ନୁହେଁ। ଏ ସ୍ତ୍ରୀଲୋକଟି ମୋତେ ସେମିତି କେଉଁଠି ବାଟରେ ଘାଟରେ ଦେଖିଥିଲେ, ନିଶ୍ଚୟ ସମ୍ବୋଧନ କରିଥାନ୍ତା ‘ବାପା’ ବୋଲି।
ଆଜି କିନ୍ତୁ ଏଇ ପାର୍କଷ୍ଟ୍ରୀଟ୍ ମୋଡ଼, ରାତି ଦୁଇଟା ବାଜିବାକୁ ପନ୍ଦର ମିନିଟ୍ ବାକି, ମୋ ଆଗରେ ବସିଛି ସେ ମୁହଁରେ ରୁଜ୍ ପାଉଡ଼ର ମାଖି!
ନୀରବତା କ୍ରମେ ଅସହ୍ୟ ହୋଇ ଉଠୁଛି। ଏଠୁ ପଳାଇ ପାରିଲେ ଯେପରି ରକ୍ଷା।
ପଚାରିଲ ‘ତୁମ ନାଁ କ’ଣ?’
ସେ କହିଲା- ‘ଚନ୍ଦ୍ରା’! ତା’ପରେ ଅଭ୍ୟସ୍ତ କଣ୍ଠରେ କହିଲା… ‘ଭିତରକୁ ଆସନ୍ତୁନା! ଏଠି ଆଉ କେତେବେଳ ଯାଏ ବସିବେ?’
ଦୁଇଖଣ୍ଡ ନୋଟ୍ କାଢ଼ି ଚନ୍ଦ୍ରା ହାତରେ ଗୁଞ୍ଜିଦେଇ କହିଲି… ‘ରାତି ଅନେକ ହେଲାଣି। ଯାଉଛି ମୁଁ!’
ଚନ୍ଦ୍ରା ହୁଏତ ମନେମନେ ଭାବୁଥିଲା ଏ ଅପ୍ରତ୍ୟାଶିତ ଅର୍ଥ ଉପରେ ତା’ର କୌଣସି ନୈତିକ ଅଧିକାର ନାହିଁ। ତେଣୁ ସେ ପୁଣି କ’ଣ କହିବାକୁ ବସିଥିଲା, ସେତିକିବେଳେ ଦରଜା ଖୋଲି, ମୁଁ କହିଲି…
‘ମିନୁକୁ ଅଧେ ଦେଇଦେବ ସେଥିରୁ!’
ଚନ୍ଦ୍ରା କହିଲା… ‘କିନ୍ତୁ ତା’ର ଶୁଭବଳି ପଡ଼ିନାହିଁ ଯେ!’
ଚାଲି ଯାଉଁ ଯାଉଁ ମୁଁ ଶୁଣିଲି।
ମାର୍ଚ୍ଚର ଜ୍ୟୋତ୍ସ୍ନା ଚପଳ ରାତ୍ରି ମୁହୂର୍ତ୍ତକ ମଧ୍ୟରେ ବିଷାକ୍ତ ହୋଉଠିଲା। ଦିନେ ମିନୁର ଶୁଭବଳି ପଡ଼ିବ। ତା’ପରେ ତାର ମାଂସ ବାଣ୍ଟି ଖାଇବେ ମହାନଗରୀର ବିଳାସୀମାନେ! ଯେଉଁଦିନ ସେ ମାଂସ ସରିଯିବ, ସେଦିନ ସେ ଫିଙ୍ଗାହେବ ଉଚ୍ଚିଷ୍ଟ ମାଂସହାଡ଼ ପରି କେଉଁଠି କେଉଁ ନର୍ଦ୍ଦମାରେ!
ତା’ପର ଦିନ ରାତି ବାରଟା। ସେଇ ଚୌରଙ୍ଗୀ ପେଭ୍ମେଣ୍ଟ, ସେଇ ପ୍ରଶ୍ନ… ‘ଛୋକ୍ରୀ ମାଙ୍ଗ୍ତେ ହେଁ ସାହେବ?’
ମୁଁ ଚାଲିଛି ପାର୍କଷ୍ଟ୍ରୀଟ୍ ମୋଡ଼ ଉପରେ ସେଇ ଫ୍ଲାଟ୍ ଆଡ଼େ!
ସେଇ ଫ୍ଲାଟ୍। ଭିତରୁ ଦରଜା ବନ୍ଦ। କଡ଼ା ଝଣ ଝଣ କଲି। ଦରଜା ଫିଟିଲା। ମିନତି କହିଲା… ‘ଆସନ୍ତୁ।’ ଭିତରକୁ ଯାଇଁ ଗତ ରାତିର ସେଇ ସୋଫା ଉପରେ ବସି ପଡ଼ିଲି। ମିନତିର ଉଦ୍ଭିନ୍ନ-କମଳ-ମୁଖ, କାଲିଠାରୁ କିନ୍ତୁ ଆହୁରି ସୁନ୍ଦର, ଆହୁରି ପ୍ରସନ୍ନ!
ମିନତି କହିଲା… ‘ଭିତରେ କିଏ ଦୁଇଜଣ ଅଛନ୍ତି। ଦିଦି ଅବିକା ଆସିବେ, ଆପଣ ବସନ୍ତୁ। ମୁଁ ବିୟର୍ ନେଇ ଆସେ!’
ମୁଁ କହିଲି… ‘ନାଁ, ଖାଲି ପାଣି ଆଣ ମିନୁ।’
କିଛି ସମୟ ପରେ ମିନତି ଗୋଟିଏ ଗ୍ଲାସ୍ରେ ପାଣି ଆଣି ପାଖରେ ଟି’ପୟ ଉପରେ ରଖିଦେଇ ଚାଲି ଯାଉଥିଲା। ମୁଁ କହିଲି… ‘ବସ ମିନୁ!’
ଦ୍ବିଧା ଓ ସଙ୍କୋଚରେ ମିନୁ ମୋରି ସୋଫାର ଗୋଟିଏ କୋଣରେ ବସିଲା।
ମୁଁ ପଚାରିଲି… ‘ତମ ଘର କେଉଁଠି ମିନୁ?’
ମିନୁର ଦୁଇଆଖି ଏଇ ପ୍ରଶ୍ନରେ ଛଳଛଳ ହୋଇ ଉଠିଲା। କ୍ରମେ ତା’ର ଦୁଇ ନିଟୋଳ ଗଣ୍ଡ ଉପରେ ବହି ଆସିଲା ଦୁଇ ଧାର ଲୁହ!
ମୁଁ ପଚାରିଲି… ‘କାନ୍ଦିଲ ଯେ!’
ସେ କହିଲା… ‘ଆମ ଘର ଏଠୁ ଅନେକ ଦୂର, ବାବୁ! ଆମେ ପଳାଇ ଆସୁଥିଲୁ। ମୋ ବାପା କେଉଁଠି ହଜିଲେ। ଭାଇ ହାଣ ମୁହଁରେ ମଲା।’
‘ମା ଶେଷକୁ ମୋତେ ଏଇଠି…’ ଆଉ କିଛି କହିପାରିଲା ନାହିଁ। ହତଭାଗିନୀ ମାତା ଶେଷକୁ ନିଜ ଜୀବନର ଭାରକୁ ଉଶ୍ବାସ କରିବା ଲାଗି, ତାକୁ ବିକ୍ରୀ କରି ଦେଇ ଯାଇଛି, ଏଇ ପାର୍କଷ୍ଟ୍ରୀଟ୍ ମୋଡ଼ରେ।
ଏ ପୃଥିବୀରେ ଆଜି କାନ୍ଦିବା ପାଇଁ ଏତେ ଉପାଦାନ ମିଳୁଛି ଯେ, କାନ୍ଦିବା ଅତି ସ୍ବାଭାବିକ ହୋଇ ଉଠିଛି। ଆଉ ଲୁହ ନାହିଁ; ସେଇଥିପାଇଁ ମିନୁ ସଙ୍ଗରେ ଆଖିର ଲୁହ ମିଶାଇ କାନ୍ଦି ପାରିଲି ନାହିଁ।
ପଚାରିଲି, ‘ତୁମେ ପାଠ ପଢ଼ିଛ ମିନୁ?’
ମିନୁ କହିଲା, ‘ହଁ, ବହି ପଢ଼ିପାରେ।’
ପକେଟ୍ରୁ ଖଣ୍ଡେ ଛୋଟ ରୂପକଥାର ବହି କାଢ଼ି ତା’ ହାତରେ ଦେଇ କହିଲି… ‘ମନ ଯେତେବେଳେ ବେଶୀ ଖରାପ ହେବ, ସେତେବେଳେ ବହି ଖଣ୍ଡକ ପଢ଼ିବ ମିନୁ, ରଖ।’
କୁମାରୀସୁଲଭ ଚପଳତାରେ ମିନୁ ବହିର ସୁନ୍ଦର ମଲାଟଟା ଉପରେ କେଇଥର ହାତ ବୁଲାଇ ନେଲା। ବହିର ମଲାଟ ଉପରେ କେଉଁ ସେ ନାଁ ଅଜଣା ଦେଶର ରାଜକୁମାରର ଚିତ୍ର। ମନପବନ ଘୋଡ଼ାରେ ଉଡ଼ି ଚାଲିଛି, ବନ୍ଦିନୀ ରାଜକନ୍ୟାକୁ ମୁକ୍ତ କରିବା ପାଇଁ।
କେଜାଣି ମିନୁ ହୁଏତ ଭାବୁଥିଲା ତା’ର ସ୍ବପ୍ନର ରାଜକୁମାର କେବେ ଆସିବ କି? ନା, ହୁଏତ ଆସିବ ନାହିଁ। ମହାନଗରୀର ଉପକଣ୍ଠର ଅଗନାଗ୍ନି ବନସ୍ତ ମଝିରେ ମନପବନ ଘୋଡ଼ାର ପକ୍ଷ ଭାଙ୍ଗିପଡ଼ିଛି।
ଶିଡ଼ିରେ ଚନ୍ଦ୍ରା ଆଉ ତା’ର ଦୁଇ ମଦ୍ୟପ ବିଳାସୀଙ୍କର ଉଚ୍ଛୃଙ୍ଖଳ ପାଦଶବ୍ଦ ଶୁଭିଲା। ମିନତି ଉଠି ଚାଲିଗଲା।
ସେ ଦୁଇଜଣ ଚାଲିଗଲେ। ଚନ୍ଦ୍ରା ଦରଜା ବନ୍ଦକରି ମୋ ପାଖରେ ଆସି ବସି ପଡ଼ିଲା। ଦେହରୁ ତା’ର ବାହାରୁଥିଲା ଶସ୍ତା ଜୀନ୍ର କଡ଼ା ଗନ୍ଧ। ଘୃଣାରେ ଘୁଞ୍ଚି ଆସିଲି।
ଚନ୍ଦ୍ରା କହିଲା- ‘ଆଜି ଆଉ ଏଠି ନୁହେଁ ବାବୁ, ଉପରକୁ ଆସନ୍ତୁ।’
ଇଚ୍ଛା ନଥିଲା; ମାତ୍ର ଅଦମ୍ୟ କୌତୂହଳ ଦମନ କରି ନ ପାରି ଚନ୍ଦ୍ରାର ପ୍ରସ୍ତାବରେ ସମ୍ମତ ହୋଇ ତା’ ପଛେ ପଛେ ଉପରକୁ ଆସିଲି। ଉପର ମହଲାରେ ଚନ୍ଦ୍ରାର କେଳି ମନ୍ଦିର। ଭିତରଟାଯାକ ହୁଇସ୍କି, ସୋଡ଼ା ବୋତଲ, ଆଉ ସିଗାରେଟ୍ ଭୁଣ୍ଡି।
ଚନ୍ଦ୍ରା ଖଣ୍ଡେ ସୋଫା ଉପରେ ବସି ପଡ଼ିଲା। ଜୀନ୍ ଓ ହୁଇସ୍କି ନିଶାରେ ତା’ର ମୁଣ୍ଡ ଧରିଥିଲା।
ହଠାତ୍ ଆଖି ପଡ଼ିଲା ମୋର, ଚନ୍ଦ୍ରାର ଡ୍ରେସିଂ ଟେବୁଲ ଉପରେ ଖଣ୍ଡେ ଫ୍ରେମବନ୍ଧା ଫଟୋ ଉପରେ। ଫଟୋଟି ଜଣେ ସୌମ୍ୟ-ଦର୍ଶନ ଯୁବକର। ପାଖକୁ ଯାଇଁ ସେ ଫଟୋଟିକୁ ଦେଖିଲି।
ଚନ୍ଦ୍ରା ଝଡ଼ ପରି ସୋଫା ଉପରୁ ଉଠିଆସି, ସେ ଫଟୋ ଖଣ୍ଡକ ଡ୍ରୟାର ଭିତରେ ପୂରାଇ ବନ୍ଦ କରିଦେଲା। ମୁଁ ବିସ୍ମିତ କଣ୍ଠରେ ପଚାରିଲି- ‘ଭୟନାହିଁ ଚନ୍ଦ୍ରା। ତୁମର ପ୍ରେମିକ ଶିରୋମଣିଙ୍କୁ ଥରେ ଭଲକରି ଦେଖିଲେ କ୍ଷତି କ’ଣ?’
ଚନ୍ଦ୍ର ଅଶ୍ରୁ ଉଦ୍ବେଳିତ କଣ୍ଠରେ କାନ୍ଦି କାନ୍ଦି କହିଲା- ‘ଜାଣ, ଜାଣ ବାବୁ, କିଏ ସେ!
ସେ ମୋର ନିଜର ପୁଅ-ଜନ୍ମ ଦେଇଥିଲି ଯାହାକୁ ଦଶମାସ ଗର୍ଭରେ ଧରି! ଜାରଜ ନୁହେଁ ସେ ବାବୁ, ତା’ ବାପର ପୁଅ। ଓଃ ସେଦିନ ତାକୁ ମୋ’ରି ଆଖି ଆଗରେ ହାଣି ପକାଇଲେ। ମଣିଷ କେମିତି ପଶୁ ହୁଏ, ସେହିଦିନ ମୁଁ ଦେଖିଛି। ସ୍ବାମୀକୁ ମାରିଲେ ସେମିତି। ତା’ପରେ ମୋତେ କେବଳ ବଞ୍ଚାଇଲେ, ମୋର ଦେହଲାଗି। ସେହି ଭୁକ୍ତାବିଶିଷ୍ଟ ଦେହକୁ କୌଣସି ମତେ ବଞ୍ଚାଇ ମୁଁ ପଳାଇ ଆସିଛି ଏଠିକି!’
ଚନ୍ଦ୍ରା ମୋର ଛାତି ଉପରେ ମୁହଁ ଲୁଚାଇ ଅବୋଧ ବାଳିକା ପରି କାନ୍ଦିବାକୁ ଲାଗିଲା। ଜୀନ୍ର କଦର୍ଯ୍ୟ ଗନ୍ଧ ଯୋଗୁଁ ଇଚ୍ଛା ହେଉଥିଲା ତାକୁ ଠେଲି ଫିଙ୍ଗି ଦେବା ପାଇଁ। ତଥାପି, ଯେତେ ଇଚ୍ଛା ହୁଏ କାନ୍ଦ, କାନ୍ଦ ଚନ୍ଦ୍ରା- କାନ୍ଦିଲେ ଯଦି ତୁମର ଅତ୍ୟାଚାରିତ ଆତ୍ମା ଶାନ୍ତି ପାଇପାରେ!
କିଛି ସମୟ ପରେ ଚନ୍ଦ୍ରା ମୋ ଛାତି ଉପରୁ ମୁହଁ ଉଠାଇ ଲୁହ ପୋଛିଲା। ମୁହଁର ପେଣ୍ଟ୍ ଲୁହରେ ଠାଏଁ ଠାଏଁ ଧୋଇଯାଇ ଦିଶୁଥିଲା ତଳର କଳା ଶେତ ଚମଡ଼ା… ଅତି କଦର୍ଯ୍ୟ ଓ ବୀଭତ୍ସ। କଲେଇଛଡ଼ା ଟିଣପରି। ଚନ୍ଦ୍ରାର ଦୁଇ ଆଖିରେ ଦୁଇବିନ୍ଦୁ ଲୁହ ଜଳୁଥିଲା, ଦୁଇମୁଣ୍ଡା ରଡ଼ନିଆଁ ପରି।
ପକେଟ୍ରୁ କେଇ ଖଣ୍ଡ ନୋଟ୍ କାଢ଼ି, ଚନ୍ଦ୍ରା ହାତରେ ଗୁଞ୍ଜି ଦେଇ କହିଲି- ‘ମୁଁ ଆସୁଛି ଚନ୍ଦ୍ରା।’
ଚନ୍ଦ୍ରା କହିଲା- ‘ନା ବାବୁ ଆଜି ଛାଡ଼ିବି ନାହିଁ ତମକୁ, ସେ ମାତାଲ ଦୁଇଟା…।’
ରାତି ଦୁଇଟା ବାଜିବାକୁ ପାଞ୍ଚ ମିନିଟ୍ ବାକି।
ମୁଁ କହିଲି-‘ନାଁ, ମୁଁ ଯିବି ଚନ୍ଦ୍ରା!’
ଚନ୍ଦ୍ରା ମୋ ମୁହଁ ଉପରେ ତା’ର ଲିପ୍ଷ୍ଟିକ୍ ମଖା ଓଠ ଚାପି ଧରି କହିଲା, ‘ନା ତମେ ଯାଇ ପାରିବ ନାହିଁ ବାବୁ।’
ଦେହ ଉପରେ ମୋର କିଏ ଯେପରି ମାଡ଼ି ଧରିଥିଲା ଖଣ୍ଡେ ଜଳନ୍ତା କୋଇଲା। ଚନ୍ଦ୍ରାର ରଙ୍ଗଛଡ଼ା ଗାଲ ଉପରେ ଗୋଟାଏ ଚଟକଣା ମାରି କହିଲି- ‘ଛାଡ଼ ମୋତେ।’
ଚନ୍ଦ୍ରା ବିସ୍ମିତ ଓ ଆହତ କଣ୍ଠରେ କହିଲା- ‘ବାବୁ’।
ମୁଁ କହିଲି-‘ବାବୁ ନୁହେଁ। ଡାକିବା ପାଇଁ ଇଚ୍ଛା ହୁଏ ତ କୁହ ବାପ ବୋଲି-ତମର ପୁଅ ବଞ୍ଚିଥିଲେ…।’
ଚନ୍ଦ୍ରା ମୋ ଛାତି ଉପରେ ମୁହଁ ମାଡ଼ି କାନ୍ଦି କାନ୍ଦି କହିଲା- ‘ହେ ଭଗବାନ।’
ବାହାରେ ମହାନଗରୀର ରାତ୍ରି ଉପବାସ କରି ଉଠୁଥିଲା… ‘ହେ ଭଗବାନ।।।।’
ଗଙ୍ଗା ଜେଟୀରେ କୁଳଛଡ଼ା ଷ୍ଟିମର୍ର ସେହି ଅଶାନ୍ତ ଚିତ୍କାର ଭିତରେ ତାହାର ପ୍ରତିଧ୍ବନି ଶୁଭୁଥିଲା।
ବିଶିଷ୍ଟ କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଅନେକ ଗଳ୍ପ ମଧ୍ୟରୁ ମହାନଗରୀରେ ରାତ୍ରି ଏକ ପ୍ରସିଦ୍ଧ ଗଳ୍ପ। ୧୯୪୯ ମସିହାରେ ଲିଖିତ ଏହି ଗଳ୍ପର ସ୍ଥାନ କାଳ ପାତ୍ରରେ ଆଜି ମଧ୍ୟ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ।