ଆମ ଶାସ୍ତ୍ରକାରମାନେ ବହୁସ୍ଥଳରେ, ବହୁ ଭାବରେ ଗୋଟିଏ କଥା ଉପରେ ଜୋରଦେଇ ସାଧାରଣ ଲୋକଙ୍କୁ କହିଛନ୍ତି। ସେହି କଥାଟି ହେଲା-‘ଆଳସ୍ୟ ମନୁଷ୍ୟ ଶରୀରର ସବୁଠାରୁ ବଡ଼ ଶତ୍ରୁ ବା ମହାରିପୁ। ଆଳସ୍ୟ ଯେଉଁ ଦୁଷ୍ଟଚକ୍ର ସୃଷ୍ଟିକରେ, ଥରେ ଯଦି ଜଣେ ତା ଭିତରେ ପଡ଼ିଯିବ, ସେଥିରୁ ଉଧୁରି ବାହାରକୁ ଆସିବା ତାହା ପକ୍ଷରେ ଆଦୌ ସହଜ ହୁଏ ନାହିଁ। ପ୍ରାଚୀନ ଯୁଗର ସମାଜ ଶାସ୍ତ୍ରୀମାନେ ଲକ୍ଷ୍ୟ କରି ଦେଖିଛନ୍ତି ଯେ, ଯେଉଁ ଲୋକ ଉପାସ ଶୋଉଛି ବୋଲି କହୁଛି, ସେ ଆଳସ୍ୟର ଦାସ ହୋଇଯାଇଛି।’ ତେଣୁ କୋଟି କୋଟି ଲୋକ ଯେଉଁ ଭାଷାରେ ବୁଝିବେ ସେହି ଭାଷାରେ ସେମାନଙ୍କୁ କୁହାଯାଏ- ‘ଯିଏ ପାଟି ଚିରିଛି, ସେ ଦୁଇହାତ ଦେଇଛି।’ ଏହାର ତାତ୍ପର୍ଯ୍ୟ ହେଲା ପ୍ରକୃତିର ବ୍ୟବସ୍ଥା ଏଭଳି ଯେ, ଜଣେ ଯଦି ତାର ଦୁଇହାତକୁ କାମରେ ଲଗାଇବ ସେ ଉପାସ ଶୋଇବ ନାହିଁ।

ବ୍ୟକ୍ତି ଯଦି ଅଳସୁଆ ହେଲା ରକ୍ଷା ଅଛି। ସେ ନିଜର ବା ନିଜ ପରିବାରର କ୍ଷତି କଲା। କିନ୍ତୁ ଗୋଟାଏ ଜାତି ଯଦି ଅଳସୁଆ ହୋଇଗଲା କଥା ସରିଗଲା। ଥରେ ଆଳସ୍ୟ ଗୋଟାଏ ଜାତିକୁ ଗ୍ରାସିଗଲେ ଏତେ ଦିଗରୁ ତାର ଅଧଃପତନ ହୁଏ ଯେ ଶହ ଶହ ବର୍ଷ ପର୍ଯ୍ୟନ୍ତ ସେ ଆଉ ଉଠିପାରେ ନାହିଁ। ଜଣେ ପରିଶ୍ରମ କରିଲେ ତାହାର ଉପକାର ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କର ମଙ୍ଗଳ ହୋଇଥାଏ। ଆଳସ୍ୟ ଏହାର ଠିକ୍‌ ବିପରୀତ ଭାବରେ କାର୍ଯ୍ୟ କରେ।

ଲେଖକ ଓ ଶିକ୍ଷାବିତ୍‌ ବଟନ୍‌ଙ୍କ ଭାଷାରେ କହିବାକୁ ଗଲେ, ଆଳସ୍ୟ ହେଉଛି ଶରୀର ଓ ମନ ଉଭୟର ଧ୍ବଂସର କାରଣ। ଅନ୍ୟର ଅନିଷ୍ଟ କରିବା ପାଇଁ ଲୋକ ମନରେ ଯେଉଁ ଭାବନା ଜାଗ୍ରତ ହୁଏ, ତାହା ମୂଳରେ ଅଛି ଆଳସ୍ୟ। ଅଳସୁଆମିଟି ସତେ ଯେପରିକି ଗୋଟିଏ କଅଁଳ ଗଦି। ସଇତାନ ତାହା ଉପରେ ଆସି ସୁନ୍ଦର ଭାବରେ ଶୋଇଯାଏ। ମନକୁ ଭାରାକ୍ରାନ୍ତ କରିବା ସଙ୍ଗେ ସଙ୍ଗେ ଶରୀରକୁ ଯଦି କେହି ରୋଗଗ୍ରସ୍ତ କରିଦେଉଛି, ତାହା ହେଉଛି ମନୁଷ୍ୟର ଏହି ଦୋଷ। ଏକଥା ଭୁଲିଗଲେ ଚଳିବ ନାହିଁ ଯେ, ମନର ଧର୍ମ ହେଲା ସେ କିଛିନା କିଛି କରିବାକୁ ଧାଇଁବ। ଯଦି ସତ୍‌ କାମରେ ତାକୁ ଲଗାଇ ନ ପାରିଲ, ଅନିଷ୍ଟ ଚିନ୍ତାରେ ସେ ତତ୍ପର ହୋଇଉଠିବ।

ଦାର୍ଶନିକ ତଥା ସମାଜ ଶାସ୍ତ୍ରୀମାନେ ଆହୁରି ଲକ୍ଷ୍ୟ କରିଛନ୍ତି ଯେ, ଜୀବନ ଚାହେଁ ନୂତନତ୍ବ। ଠିକ୍‌ ଏକାଭଳି ସବୁଦିନେ ରହିବାଟାକୁ ଜୀବନ ପସନ୍ଦ କରେ ନାହିଁ। ଆଳସ୍ୟପରାୟଣ ଲୋକର ଜୀବନରେ ନୂତନତ୍ବର ସ୍ଥାନ ନାହିଁ କହିଲେ ଚଳେ। ଯେତେ ଧନ ସମ୍ପତ୍ତି ଥିଲେ ମଧ୍ୟ ଯଦି ନୂତନତା ବିଦାୟ ନେଇଗଲା, ପ୍ରକୃତ ସୁଖ କୁଆଡ଼େ ଉଭେଇ ଯାଏ। କାର୍ଲାଇଲ୍‌ ଯଥାର୍ଥରେ କହିଛନ୍ତି ଯେ- ଆଳସ୍ୟ ଭିତରେ ହିଁ ସ୍ଥାୟୀ ନୈରାଶ୍ୟ ବସା ବାନ୍ଧି ଯାଇଥାଏ। ତୁର୍କୀ ଦେଶରେ ସାଧାରଣ ଲୋକଙ୍କ ଭିତରେ ଗୋଟିଏ ପ୍ରବାଦ ଅଛି ଯେ- ‘ସଇତାନ୍‌ର ଏଭଳି ଶକ୍ତି ଯେ, ସେ ଅନ୍ୟମାନଙ୍କୁ ପ୍ରଲୋଭିତ କରି ନିଜ ସାଙ୍ଗକୁ ନେଇଯାଏ, କିନ୍ତୁ ଯେଉଁ ଲୋକ ଅଳସୁଆ, ସେ ସଇତାନ୍‌କୁ ପ୍ରଲୋଭନ ଦେଖାଇ ନିଜ ଦେହରେ ଆଣି ରଖିଦିଏ।’

ଲୋକ ତାହାର ପ୍ରକୃତ ଅର୍ଥରେ ଅଳସୁଆ ହୋଇଯିବାର ଦେଖାଯାଇଛି। ଆଜି ଆଖିକୁ ଦେଖିଲା ଭଳି କିଛି ଗୋଟିଏ କାମ ନ କରି ଆସନ୍ତାକାଲି ବା ସପ୍ତାହକ ପରେ ଅନେକ ଭଲ କାମ କରିବ ବୋଲି ଯେଉଁ ଲୋକ ଚିନ୍ତା କରୁଥାଏ ଓ ସେଥିପାଇଁ ଅପେକ୍ଷା କରୁଥାଏ, ସେ ଅଜାଣତରେ ଆଳସ୍ୟରେ ଶିକାର ହୋଇଯାଉଛି। ସେହି ଶ୍ରେଣୀର ଲୋକଙ୍କୁ ଦେଖିବ ଯେ ବହୁସ୍ଥାନକୁ ଯାଉଛନ୍ତି, ଅଥଚ କୌଣସି ଗୋଟାଏ ସ୍ଥାନକୁ କିଛି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖି ଯାଉନାହାନ୍ତି। ବହୁତ ପଢ଼ିଲା ଭଳି ହେଉଛନ୍ତି, କିନ୍ତୁ କିଛି ପଢ଼ୁନାହାନ୍ତି, ସେହିମାନଙ୍କୁ ଲକ୍ଷ୍ୟକରି ଚେଷ୍ଟର୍‌ଫିଲଡ଼୍‌ କହିଥିଲେ- ‘ଦୁର୍ବଳମନା ଲୋକଙ୍କର ଆଳସ୍ୟ ହେଉଛି ଏକମାତ୍ର ଆଶ୍ରା। ନିର୍ବୋଧ ଲୋକମାନେ ଆଳସ୍ୟ ଭିତରେ ହିଁ କାମରୁ ଛୁଟି ପାଇଛନ୍ତି ବୋଲି ଅନୁଭବ କରୁଥାନ୍ତି।’

ସକ୍ରେଟିସ୍‌ଙ୍କ ଭାଷାରେ କୁହ ମାର୍କସ୍‌ଙ୍କ ଭାଷାରେ କୁହ, ଗୋଟିଏ କଥା ଅତି ସ୍ପଷ୍ଟ। ଜଣେ ଯଦି କିଛି ନ କରୁଛି ଆମେ କହୁ ସେ ଅଳସୁଆ। କିନ୍ତୁ ଭୁଲିଯାଉ ଯେ, ଜଣେ ଯେତିକି କାମ କରିବାର କଥା ତାହା ସେ ଯଦି ନକଲା, ବା କରିବାର ସୁଯୋଗ ନ ପାଇଲା, ସେ ଆଳସ୍ୟରେ ସମୟ କଟାଉଛି ବୋଲି କୁହାଯିବ। ସକ୍ରେଟିସ୍‌ ତ ଏତେ ଦୂରକୁ କହିଛନ୍ତି ଯେ, ‘ଜଣେ ଯେଉଁ କାମ କରିଥିଲେ ସମାଜର ମଙ୍ଗଳ ହୁଅନ୍ତା, ସେ କାମ କରିବାର ସୁଯୋଗରୁ ବଞ୍ଚିତ ହୋଇ ସେ ଯଦି ଗୋଟାଏ ମାମୁଲି କାମ କରୁଛି ତେବେ ସେ ଜାଣିଜାଣି ବେକାର ବା ଅଳସୁଆ ହୋଇ ବସିଛି।’

ଓହଳିଙ୍କ ଭାଷାରେ କହିବାକୁ ଗଲେ ଆଳସ୍ୟ ଯେତେବେଳେ ପ୍ରଥମେ ଆସେ ସେ ବୁଢ଼ିଆଣୀ ସୂତାଭଳି ତୁମ ଦେହରେ ଗୁଡ଼ାଇ ହୋଇଯାଏ। ଶେଷକୁ ଦେଖିଲା ବେଳକୁ ତାହା ଲୁହା ଜଞ୍ଜିର ଭଳି ମୋଟ ଓ ଶକ୍ତ ହୋଇଗଲାଣି। ସେତେବେଳେ ତାହା ବନ୍ଧନରୁ ଖସିବା କଷ୍ଟହୁଏ। ମନୁଷ୍ୟ ଚାହେଁ ଅନ୍ୟମାନେ ନ ଜାଣନ୍ତୁ ଯେ, ସେ ଅଭାବ ଭିତରେ ରହିଛି। ତେଣୁ ସେ ଦାରିଦ୍ର୍ୟକୁ ଅନ୍ୟମାନଙ୍କଠାରୁ ଲୁଚାଏ। କିନ୍ତୁ ସଂସାରର ବୈଚିତ୍ର ହେଉଛି ଯେ, ସେ ନିଜଠାରୁ ଆଳସ୍ୟକୁ ଲୁଚାଏ, ଅର୍ଥାତ୍‌ ଆଳସ୍ୟବଶତଃ ସେ ଗୋଟାଏ କାମ ନ କଲେ ନିଜକୁ ନାନା ଯୁକ୍ତିଦେଇ ବୁଝାଇ ଦିଏ ଯେ, ସେ କାମଟା କରିବା ଦରକାର ନ ଥିଲା।

ଲୋକମାନଙ୍କୁ ଜଣେ ଦାର୍ଶନିକ ପଚାରିଥିଲେ- ତୁମେ ଜୀବନକୁ କ’ଣ ପ୍ରକୃତରେ ଭଲପାଅ? ଯଦି ଭଲ ପାଉଛ ସମୟ ନଷ୍ଟ କର ନାହିଁ କାରଣ ସମୟ ବା କାଳର ସମଷ୍ଟି ହିଁ ଜୀବନ। ଯେତିକି ଦରକାର ତାହା ଅପେକ୍ଷା ଅଧିକ ଶୋଇଲେ ଆୟୁଷ ହାନି ହେଲା ବୋଲି ବୁଝିବାକୁ ହେବ। କାରଣ ପୁଣି ଥରେ ଚେତାଇ ଦେଉଛି ଯେ ଆୟୁଷଟା ହେଉଛି କାଳର ସମଷ୍ଟି।

ଆଳସ୍ୟ ଭିତରେ ବୁଡ଼ି ରହିବା ଓ ନିଜକୁ ତିଳ ତିଳ କରି ମାରିବା ଏକା କଥା। ଜଣେ ଧର୍ମ ପରାୟଣ ଲୋକ ଥରେ କହିଥିଲେ-ଭଗବାନ ଓ ସଇତାନ ପୃଥିବୀକୁ ଆସିଲେ ଶିଷ୍ୟ ବାଛିବା ପାଇଁ ଯେଉଁମାନେ କାଠ କାଟୁଥିଲେ, ଜାଲ ବୁଣୁଥିଲେ, ହଳ କରୁଥିଲେ, ସେହିମାନଙ୍କ ଭିତରୁ ଭଗବାନ ତାଙ୍କର ଶିଷ୍ୟ ବାଛିନେଲେ। କିନ୍ତୁ ଯେଉଁମାନେ କିଛି ନ କରି ଅଳସୁଆ ହୋଇ ବସିଥିଲେ, ସଇତାନ ସେହିମାନଙ୍କ ଭିତରୁ ହିଁ ତାହାର ଶିଷ୍ୟ ବାଛିଲା।

ଯେଉଁମାନେ ମନୁଷ୍ୟ ସ୍ବଭାବକୁ ଭଲଭାବରେ ଲକ୍ଷ୍ୟ କରନ୍ତି, ସେମାନେ ଏହି ନିଶ୍ଚିତ ସିଦ୍ଧାନ୍ତରେ ଭଲ ଭାବରେ ପହଞ୍ଚିଛନ୍ତି ଯେ, କମ୍ କାମ ଦେଲେ ଯେ ଲୋକ କମ୍‌ ସମୟରେ ସେହି କାମକୁ ଭଲ ଭାବରେ କରିଦେବ ଏହାର କିଛି ଅର୍ଥନାହିଁ। କାରଣ ଅଳ୍ପ କାମ କରିବା ଅଭ୍ୟାସରୁ ତାହା ଭିତରେ ଆଳସ୍ୟ ପ୍ରବେଶ କରିବ। ସେ କ୍ରମେ ଅଭିଯୋଗ କରିବ ଯେ, ତାକୁ ଦିଆଯାଇଥିବା କାମତକ କରିବାକୁ ସେ ସମୟ ପାଉନାହିଁ। ଯେଉଁମାନଙ୍କ ହାତରେ ବହୁତ କାମ ଅଛି, ସେହିମାନେ ହିଁ ସେ ସବୁ କରିବା ପାଇଁ ସମୟ ପାଆନ୍ତି ଓ ଦକ୍ଷତାର ସହିତ କାମଗୁଡ଼ିକ କରିଦିଅନ୍ତି। ସେମାନେ ଏଭଳି କାର୍ଯ୍ୟବ୍ୟସ୍ତ ଥାଆନ୍ତି ଯେ ଆଳସ୍ୟ ତାଙ୍କ ପାଖ ପଶିବାକୁ ସାହାସ କରେ ନାହିଁ। ଆମ୍ଭମାନଙ୍କୁ ସତର୍କ କରିଦେଇ ପଣ୍ଡିତମାନେ କହିଛନ୍ତି- ସାବଧାନ ରହିବ, ନଚେତ୍‌ ଆଳସ୍ୟ ତୁମକୁ ଠକି ଦେବ। ସେ ଯଦି ତୁମକୁ ‘ଆଜି’ଟିକୁ ମାଗିଲା ଓ ତୁମେ ତାହାକୁ ଦେବାକୁ ରାଜି ହୋଇଗଲ, ସେ ହସି ହସି କହିବ ‘ଆସନ୍ତା କାଲିଟିକୁ ମତେ ଏହାସହିତ ଲାଭସ୍ବରୂପ ଦିଅ।’ ସେଇଥିପାଇଁ ଯୁବକମାନଙ୍କୁ କୁହାଯାଏ, ଟିକିଏ ସୁଦ୍ଧା ସମୟ ନଷ୍ଟ ନକରି ଯୌବନର ମଞ୍ଜି ପୋତ, ପ୍ରୌଢ଼ ଅବସ୍ଥାରେ ସେଥିରେ ଫୁଲ ଧରିବ ଓ ବାର୍ଦ୍ଧକ୍ୟ ବେଳକୁ ଫଳଭୋଗ କରିବ।