(ରାଗ-ପଞ୍ଚମ ବରାଡ଼ି)

ବିଚାରଇ ମାଳ ଯମକରେ କବି ମନେ
ବୁଲେ ରାମ-ରାମ ରାମନେତ୍ରୀ ଘେନି ବନେ ଯେ।
ବୃଷଭାନୁ ଭାନୁ ଭାନୁ ପ୍ରଭା ତାପ ନାହିଁ।
ବୃତ ତମାଳମାଳ ମାଳତୀଲତା ତହିଁ ଯେ ।୧।

ବହଇ ନିର୍ଝର ଝରଝର ଅବିରତ।
ବିଶେଷ ତରଙ୍ଗ ରଙ୍ଗ ରଙ୍ଗଣୀ ଶୋଭିତ ଯେ।
ବହି ଚନ୍ଦ୍ର ଚନ୍ଦ୍ର ଚନ୍ଦ୍ର ଶୀତଳକୁ ବାତ।
ବହେ ମନ୍ଦ ମନ୍ଦ ମନ୍ଦସୁତ କରେ ରୁତ ଯେ। ।୨।

ବିଞ୍ଚେ ଘନ ଘନ ଘନ କୁଶକଣ ଯଥା।
ବୃଷ୍ଟି ମଧୁର ମଧୁର ମଧୁରଜେ ତଥା ଯେ।
ବିଭ୍ରାଜିତ ଭୃଙ୍ଗ ଭୃଙ୍ଗ କରେ କେଳି।
ବନୀ ବନୀ ବନିତା କି ପୁଷ୍ପହାସେ ଝଳି ଯେ। ।୩।

ବୋଧେ ଶୃଙ୍ଖଳାରେ ରଘୁନାଥ ସୀତା ମତି।
ବିଚିତ୍ର ଚିତ୍ରକୂଟ ଯେ କୁଟଯେ ବ୍ରତତୀ ଯେ।
ବ୍ରତତୀତତି ଜୟନ୍ତୀ ଅତିଭା ବାସନ୍ତି ଯେ।
ବାସନ୍ତୀ ସତିରେ ଫୁଲ୍ଲ ଫୁଲରେ ପ୍ରବର୍ତ୍ତି ଯେ। ।୪।

ବର୍ତ୍ତିକ ତିକ ଆଳି ଆଳି ଯେ ବିହରିତ।
ବିହରିତ ମାନ ମାନ ଶୁକ ସୁକବିତ ଯେ।
ବିତର ତରଳ ନେତ୍ର ନେତ୍ର ସୁବାସିନୀ।
ବାସିନୀ ସୁଜାତି ଜାତୀ ସ୍ୱଭାବ ଭାବିନୀ ଯେ। ।୫।

ବିନିସ୍ୱତ ସ୍ୱତ ଶୋଭିତ ଭୀତ ବୈଭ୍ରାଜ।
ବୈଭ୍ରାଜ ସୁରସା ରସା କରକର ବୀଜ ଯେ।
ବିଜନ ମିତ ସିତ ହରଷ ରସବାର।
ବାରଣ ବୃଷା ବୃଷାଳ ସାଳ ପୁର ପୁର ଯେ। ।୬।

ବୋଧନ୍ତି ରାମ ସିଂହାବଲୋକନେ ଅବଳା।
ବଳାକାପନ୍ତି କରିଛି ଧ୍ରୁବକୁ ଧବଳା ଯେ।
ବଳାଇ ମାନସ ମାନ ଅନା ପ୍ରାଣବନ୍ଧୁ।
ବନ୍ଧୁକ ରଞ୍ଜନ ଅତି ରଙ୍ଗ ନିରବନ୍ଧୁ ଯେ। ।୭।

ବନ୍ଧୁର ପଥଟି ହେଜି ହେଜି ପଦ ବଳା।
ବଳା ଧ୍ୱନି ପ୍ରାୟେ ଝିଲ୍ଲୀ ଶବଦ ପ୍ରବଳା ଯେ।
ବଳାପନ୍ତି ଫଳବତୀ ପ୍ରଫୁଲ୍ଲ ସେବତୀ।
ବତିଶଲକ୍ଷଣା ଦେଖ ବିହରେ ପାର୍ବତୀ ଯେ। ।୮।

ବତୀର୍ଣ୍ଣ ଅପୂର୍ବ ହୋଇ କେତେ ନାଗବଲ୍ଲୀ।
ବଲ୍ଲିକାତଳେ ଶୟନ ଚାମର ଆବଳୀ ଯେ।
ବଳିବ ଚଇତ୍ର ରଥୁଁ ଏମନ୍ତ ଭାବନା।
ବନାଳୀ ପ୍ରଭୁ କରିଣ କର ସମ୍ଭାବନା ଯେ। ।୯।

(ଉକ୍ତ କବିତାଟି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ବୈଦେହୀଶ ବିଳାସର ଉନବିଂଶ ଛାନ୍ଦରୁ ଆନୀତ। ଶ୍ରୀରାମ ଓ ସୀତାଙ୍କ ସମ୍ପର୍କୀତ ରାମାୟଣର କଥାବସ୍ତୁକୁ ନେଇ ବୈଦେହିଶ ବିଳାସ ହେଉଛି ଏକ ଛାନ୍ଦ କାବ୍ୟ। ଏହି କାବ୍ୟର ସମସ୍ତ ପଦଗୁଡ଼ିକର ଆଦ୍ୟ ଅକ୍ଷର ହେଉଛି ‘ବ’)