ଅପର୍ତ୍ତି କ୍ଷେତରେ ହଳ କରୁଛି। ତା’ର ଚିକିଣା ବଳିଷ୍ଠ କଳା ଦେହରୁ ଝାଳ ପାଣିଭଳି ବୋହିଯାଇଛି। ହଳ କରୁ କରୁ ଅପର୍ତ୍ତି କେତେ କ’ଣ ଭାବି ଭାବି ଯାଉଛି। ଭାବୁ ଭାବୁ ଲଙ୍ଗଳକଣ୍ଟି ଉପରେ ତା’ ହାତ କୋହଳ ହୋଇଗଲେ, ବଳଦ ଦି’ଟା ଧିମେଇ ଚାଲୁଛନ୍ତି। ଅପର୍ତ୍ତି ଡାହାଣ ହାତରେ ପାଞ୍ଚଣଟାରେ ବଳଦ ଦି’ଟାକୁ ପିଟୁ ପିଟୁ କହିଉଠେ, ଗୋସେଇଁଖିଆ-ଚଙ୍କୁ ନାହାନ୍ତି ମୋଟେ।

ବଳଦ ଦି’ଟା ଟିକିଏ ଜୋର୍‌ରେ ଚାଲିବାକୁ ଆରମ୍ଭ କଲେ ଅପର୍ତ୍ତି ପୁଣି ତା’ ଭାବନା ରାଜ୍ୟକୁ ଫେରିଯାଏ। ତା’ର ଭାବିବାକୁ ଆଜି ଅନେକ କଥା। ଆଠ ନଅ ବର୍ଷର ଘଟଣା। ଛବି ଭଳି ସେଗୁଡ଼ିକ ଆଖି ଆଗରେ ଭାସିଯାଉଛି। କାଲି ଭଳି ମନେହେଉଛି ସେସବୁ କଥା। ଅପର୍ତ୍ତିକୁ ଆଶ୍ଚର୍ଯ୍ୟ ବି ଲାଗୁଛି। ଏଇ ଆଠ-ନଅଟା ବର୍ଷ ଆଗରୁ ସବୁ ଯେମିତି ଭଲ ଥିଲା। ଲୋକେ ଦୁଃଖେ ସୁଖେ ଶାଗ ପେଯ ଖାଇ ଆରାମରେ ଚଳି ଯାଉଥିଲେ।

କୁଆଡ଼ୁ ଆସିଲା ଏ ହୀନିମାନିଆ ଲଢ଼େଇ-ସବୁ ବଦଳେଇ ଦେଇ ଗଲା। ଇଂରେଜ ସରକାର ସିଆଡ଼େ କେଉଁ ଜରମାନୀ ନା କଅଣ ତା’ ସାଙ୍ଗରେ ଯୁଦ୍ଧ ଲାଗିଲା- ଆମର କଅଣ ଗଲା ସେଇଠୁ?
କହିଲେ କଅଣ ନା ଜାପାନୀ ମାଡ଼ିଆସୁଛି। ଆମ ଦେଶକୁ ନେଇଯିବ। ଲଢ଼େଇକି ବାହାରିପଡ଼।

କିହୋ-ଜାପାନୀ ନେଲେ କେତେ, ଇଂରେଜ ନେଲେ କେତେ- ଆମର କୋଉ ଦୁଃଖ ଯାଉଚି? ଯିଏ ଆମ ଉପରେ ରାଜା ହେବ, ସିଏ ତା’ ଦେଶକୁ ସବୁ ଲୁଟ୍‌କରି ବୋହିନେବ।
ଏବେ ଯୁଦ୍ଧ ସରିଲାଣି ତିନି କି ଚାରି ବର୍ଷ ହେଲା, ଜିନିଷପାତିର ଦରଦାମ୍‌ କମନ୍ତା କଅଣ, ନା ଆହୁରି ବଢ଼ୁଛି।

ଅପର୍ତ୍ତିକୁ ବଡ଼ ଆଶ୍ଚର୍ଯ୍ୟ ଲାଗେ-ଯୁଦ୍ଧ ହଉଚି କୋଉଠି, ଜିନିଷ ମହଙ୍ଗା ହଉଚି କୋଉଠି। ଆଗ ଆଗ ଅପର୍ତ୍ତି ଆଉ ଅପର୍ତ୍ତି ଭଳି ଲକ୍ଷ ଲକ୍ଷ ଚାଷୀ ୟାର ଭଦ ପାଇଲେନି। ଲଢ଼େଇ ହବାର କେତେ ମାସ ପରେ ଯେତେବେଳେ ଉଡ଼ାଜାହାଜଗୁଡ଼ାକ ଅପର୍ତ୍ତି ହଳ କଲାବେଳେ ତା’ ମୁଣ୍ଡ ଉପର ଦେଇ ଘଁ ଘଁ କରି ଉଡ଼ିଯାଆନ୍ତି, ସେ ହଳ ଛାଡ଼ିଦେଇ ହିଡ଼ ପାଖ ବୁଦା ମୂଳେ ଲୁଚିଯାଇ ଭୟାର୍ତ୍ତ ଆଖିରେ ସେଗୁଡ଼ାକ ଆଡ଼େ ଚାହିଁରହେ। ବଳଦ ଦି’ଟା ବି କାନ ତରାଟି ଅତର୍ଚ୍ଛିଆ ଅମୁହାଁ ଦୌଡ଼ନ୍ତି, ହଳ ଜୁଆଳି ସାଥିରେ।
କିଛିଦିନ ପରେ ତା’ ଭୟ କଟିଗଲା। ଏକ ସଙ୍ଗେ ଆଠ ଦଶଟା ଉଡ଼ାଜାହାଜ ତା’ କ୍ଷେତ ଉପର ଦେଇ ଉଡ଼ିଗଲାବେଳେ ତାକୁ ଭାରି ଖୁସି ଲାଗେ। ତା’ର ମନହୁଏ, ଉଡ଼ାଜାହାଜଗୁଡ଼ାକ ତା’ ଗାଁ’ ଉପର ଦେଇ ଯେତେବେଳେ ଉଡ଼ିଯାଉଛନ୍ତି, ନିଶ୍ଚୟ ଏଇ ପାଖରେ କେଉଁଠି ଯୁଦ୍ଧ ଲାଗିଛି- ଆଉ ସେ ଯୁଦ୍ଧରେ ତାଙ୍କ ଗାଁ’ର ସମସ୍ତେ ଯିମିତି ଭାଗ ନେଇଛନ୍ତି।

ଯୁଦ୍ଧର ଏଇ କାଳ୍ପନିକ ଅନୁଭୂତି ତା’ ମନରେ ଖୁବ୍‌ ଉତ୍ତେଜନା ଆଉ ଆନନ୍ଦ ଖେଳେଇ ଦେଇଛି। କ୍ରମେ ସେ ଉତ୍ତେଜନା ତା’ର ସ୍ବାଭାବିକ ଗତିରେ କମିଆସିଛି। ଦିନେ ଅଧେ ନୁହେଁ, ବର୍ଷ ବର୍ଷ ଧରି ଯୁଦ୍ଧ ଲାଗିଚି, କିନ୍ତୁ ଯୁଦ୍ଧର ଚିତ୍ର ଅପର୍ତ୍ତି ଦେଖିବାକୁ ପାଉନି। କେତେ ଦିନ ବା ସେ ଉତ୍ତେଜନା ରହନ୍ତା!

ଲଢ଼େଇ ଯେଉଁଠି ଲାଗୁ, ଅପର୍ତ୍ତି ମନରେ ଆସିଛି ବିଷାଦ। ସବୁ ଜିନିଷର ଦାମ୍‌ ବଢ଼ିଗଲା। କିରୋସିନ, ଚାଉଳ, ଲୁଗା ବି ଆଉ ମିଳିବାକୁ ନାହିଁ। ଚାଉଳ ଟଙ୍କାକୁ ଦି’ ସେର, ସେ ଠିକ୍‌ ଘୋଡ଼ାଦାନା। ସେଥିରେ ବି କିଳାପୋତେଇ। ଡିବିରି ଖଣ୍ଡିକରେ ଧୂଳି ଆଙ୍ଗୁଠି ବହଳରେ ଜମିଗଲାଣି। ଟୋପେ କିରୋସିନି ବି ତାକୁ ମିଳୁନି। ରାତି ଅନ୍ଧାରରେ ଯିବାଆସିବା କରିବାକୁ ତା’ ନିଜର କିଛି ଅସୁବିଧା ହେଉନି, କିନ୍ତୁ ତା’ ବୁଢ଼ୀମା’! ଦିନବେଳେ ବି ଆଖିକୁ ଭଲ ଦିଶୁନି- ସନ୍ଧ୍ୟା ହେଲା ପରେ କୁଆଡ଼େ ଟିକେ ଗୋଡ଼ ବଢ଼ାଇଲେ କଚଡ଼ା ଖାଏ। ଅପର୍ତ୍ତି କେତେଥର ବୁଢ଼ୀମା’କୁ ଉଠେଇ ଧରିଛି। ଦେହର ପୀଡ଼ା ଉଣା କରିବାକୁ ତେଲ ମାଲିସ୍‌ କରିଦେଇଚି।

ତା’ ବୁଢ଼ୀମା’ର ଏଇ ଦୁଃଖ ସେ ଆଉ ସହିପାରେନି। ଧନୀ ସାହୁ ପାଖରେ ଟୋପାଏ କିରୋସିନି ପାଇଁ କେତେ ନେହୁରା ହୁଏ, କିନ୍ତୁ ପାଏନି।
ଦିନେ ଅନ୍ଧାରରେ ସେମିତି ଗୋଡ଼ ଖସି ତା’ ବୁଢ଼ୀମା’ ଆଖି ବୁଜିଲା।

ଅପର୍ତ୍ତିର ଶାନ୍ତ ନିରୀହ ମନ ବିଦ୍ରୋହ କରିଉଠିଲା। ଅବାରିତ ଅଶ୍ରୁ ବର୍ଷଣ କରି ସେ ତା’ର ଉଦ୍‌ବେଳିତ ଚିତ୍ତକୁ ଲଘୁ କରିବାକୁ ଚେଷ୍ଟା କଲା। ଅପର୍ତ୍ତିର ଭାରି କ୍ଷୋଭ-ସେ ଯେଉଁ ଭୂଇଁରେ ଫି ବର୍ଷ ସୁନା ଫଳାଏ, ସେ ଭୂଇଁର ଫସଲ ଖାଏ ତା’ ସାଉକାର। ତା’ ଉପାସିଆ ପେଟକୁ କିଛି ଯୋଗାଏନି।

ସମସ୍ତେ କହିଲେ ଅପର୍ତ୍ତିକୁ, ‘ବାହା ହ’।

ଅପର୍ତ୍ତି ବି ଭାବୁଥିଲା ସେଇଆ। ବୁଢ଼ୀମା’ ଆଖି ବୁଜିଲା ଦିନଠାରୁ ଗଣ୍ଡେ ଫୁଟେଇ ଦେବାକୁ ନାହାନ୍ତି। କିନ୍ତୁ ଯୁଦ୍ଧବେଳେ ଚିଜପାତି ମହଙ୍ଗାରେ ତା’ର ସାହସ ହେଲାନି। କେହି କହିଲେ ଉତ୍ତର ଦିଏ- ଲଢ଼େଇଟା ସରିଯାଉ, ନିଜେ ତ ଖାଇବାକୁ ପାଉନି, ଘରେ ଆଣି ହାତୀ ବାନ୍ଧିବି।

ମୁଁହଁ ଜୋରରେ କିଛିଦିନ ଏମିତି ମାରିଦେଲା ସିନା, କିନ୍ତୁ ମନର ଗୋଟିଏ ନିଭୃତ କୋଣରେ ଗୁରେଇର ଛବି ମଝିରେ ମଝିରେ ଝଲସି ଉଠି ତାକୁ ଅସ୍ଥିର କରିପକାଏ।

ସବୁଦିନ ବଡ଼ିଭୋରରୁ ହଳଳ ବଳଦ ଧରି ଅପର୍ତ୍ତି ବିଲକୁ ଗଲାବେଳେ ଗୁରେଇ, ସାନ ସାଆନ୍ତଙ୍କ ପୋଖରୀରୁ ଗାଧୋଇ ଫେରୁଥାଏ-ମୁଣ୍ଡରେ ଗୋଟିଏ ପାଣି ଭର୍ତ୍ତି ଗରା- କ୍ଷୀଣ କଟି ଓ ବାଁ ହାତର ବେଷ୍ଟନୀ ଭିତରେ ଆଉ ଗୋଟିଏ ଗରା ଧରି ଗୁରେଇ ତା’ ପାଖ ଦେଇ ଚାଲିଯାଏ। ଅପର୍ତ୍ତି ମୁହଁ ଫେରାଇ ଚାହେଁ। କେତେ ଥର ସେ ଗୁରେଇ ପାଖରେ ଧରା ପଡ଼ିଯାଇଛି- କିନ୍ତୁ ଗୁରେଇ ଭର୍ତ୍ସନା କରିବା ବଦଳରେ ତା’ର ମୌନ ହସ ଦ୍ବାରା ବରଂ ଉତ୍ସାହିତ କରିଛି।

ଅପର୍ତ୍ତି ଆଉ ବେଶି ଦିନ ଏକା ଚଳିପାରିଲା ନାହିଁ- ଦିନେ ଗୁରେଇ ଗାଧୋଇ ଫେରିଲାବେଳେ ସେ ତାକୁ ଅଟକାଇ ପଚାରିଲା। ଗୁରେଇ କୌଣସି ଆପତ୍ତି ନ କରି ମୁଁ ଭରିଲା… ଘମାଘୋଟ ଯୁଦ୍ଧବେଳେ ଅପର୍ତ୍ତି ବାହା ହେଲା। ଯେତେବେଳେ ପେଟକୁ ଦାନା କି ପିଠିକୁ କନା ମିଳୁନି, ଜାପାନୀ ମାଡ଼ିଆସୁଛି ସିଆଡ଼ୁ। ବାହାଘର ପ୍ରଥମ ନିଶା କଟିଯାଏ ତାଙ୍କର ଦରିଦ୍ର ସଂସାରର, ଅଭାବଗୁଡ଼ିକ କ୍ରମେ ସ୍ପଷ୍ଟତର ହୋଇଉଠେ। କିଛିଦିନ ପରେ ଅପର୍ତ୍ତି ଦେଖିଲା ଗୁରେଇ ଖଦି ଦି’ଖଣ୍ଡ କେତେଠେଇଁ ଚିରିଗଲାଣି। କେତେ ଚେଷ୍ଟା କରି ମଧ୍ୟ ଅପର୍ତ୍ତି ଗୁରେଇ ପାଇଁ ଖଣ୍ଡେ ଖଦି କିଣିପାରେନି। ଅପର୍ତ୍ତି ଆଉ ଚାହିଁପାରୁନି ଗୁରେଇ ଆଡ଼େ। ଯୁଦ୍ଧ ବଜାରରେ କିଳାପୋତେଇ କରି ଧନୀ ସାହୁ କୋଠା ବନେଇବାକୁ ବସିଲାଣି। ପଇସା ଯାଚି ମଧ୍ୟ ଧନୀ ସାହୁଠୁଁ ସେ ଖଦିଖଣ୍ଡେ ପାଇପାରିଲା ନାହିଁ। କେଡ଼େ ନେହୁରା ହେଲେ ବି କିଳାପୋତେଇ ବା ପଇସା କାହିଁ।

ବେଳେବେଳେ ଅପର୍ତ୍ତ ମନରେ ଭାରି ରାଗ ହୁଏ। ଭାବେ, ଧନୀ ସାହୁ ଦୋକାନରେ ନିଆଁ ଲଗେଇଦେବ- କିନ୍ତୁ କ’ଣ ଭାବି ପୁଣି ଦବିଯାଏ।

ଦିନେ ଗାଁ’ର ସମସ୍ତେ ଖବର ପାଇଲେ ସରକାର ଜିତିଛନ୍ତି। ସରକାରୀ କର୍ମଚାରୀମାନେ ଗାଁ ଗାଁ ବୁଲି ଖବରଟା ଶୁଣେଇଦେଇ ଗଲେ। ପ୍ରଚାର ବିଭାଗର ଲାଉଡ଼୍‌ସ୍ପିକର ଗାଁ’ଗଣ୍ଡା ଫଟେଇ ପକାଇଲେ। ସମସ୍ତେ ଶୁଣି ଖୁସି ହେଲେ। ଅପର୍ତ୍ତି ଖୁସିହୋଇ ଭାବିଲା ଏଥର ନିଶ୍ଚେ ତା’ ଦୁଃଖ ଯିବ। ଲୁଗାପଟା ଶସ୍ତା ହେବ। ତା’ ଗୁରେଇ ଆଉ ସତରଗଇଁଠା ଖଦି ପିନ୍ଧିବନି। ଗୁରେଇ ଖଦିରେ ନଖ ବହଳରେ ମଇଳା ଜମିଲାଣି, କିନ୍ତୁ କ’ଣ କରାଯିବ? ସଫା କରିବାକୁ ବସିଲେ ତା’ ଖଦି ପୁର୍‌ ପୁର୍‌ ହୋଇ ଚିରିଯିବ। ସରକାର ଜିତିଛନ୍ତି ବୋଲି ଗାଁ’ରେ ଗରିବଗୁରୁବାଙ୍କୁ ଲୁଗା ବଣ୍ଟା ହେବାପାଇଁ ଡେଙ୍ଗୁରା ଦିଆଗଲା। ଅପର୍ତ୍ତି ପଚାରିଲା ଗୁରେଇକୁ।

“ଗୁରେଇ ଲୋ, ଯିବୁ? ଲୁଗା ବଣ୍ଟା ହଉଚି।” ଏତ ଦୁଃଖରେ ବି ଅପର୍ତ୍ତି ଉପରେ ଟିକିଏ ହେଲେ ବିରକ୍ତ ନ ହୋଇ ଗୁରେଇ କହିଲା, “ମୁଁ କିମିତି ଯିବି ମ, ଏଇ ଛିଣ୍ଡା ଲୁଗା ପିନ୍ଧି? ମୁଣ୍ଡ ଛିଣ୍ଡିପଡ଼ିବ ଏତେ ଲୋକଙ୍କ ଭିତରେ।”
ଅପର୍ତ୍ତି ବୁଝିଲା-ତେଣୁ ସେ ଏକା ଗଲା। ଖଣ୍ଡିଏ ଷ୍ଟାଣ୍ଡାର୍ଡ଼ ଧୋତି ମିଳିଲା ତାକୁ। ଫେରିଆସି ଗୁରେକି ଧୋତିଟି ଦେଇ କହିଲା, “ଯାଇଥିଲେ ଖଣ୍ଡେ ଲୁଗା ପାଇଥା’ନ୍ତୁ। ନେ, ପିନ୍ଧ ଏଇଟାକୁ-ମୋର ଚଳିଯିବ।” ଯୁଦ୍ଧ ସରିଗଲା। ସାଉକାର କ୍ଷେତରେ ହଳ କଲାବେଳେ ଅପର୍ତ୍ତି ଆଉ ଉଡ଼ାଜାହାଜର ଘଁ ଘଁ ଶବ୍ଦ ଶୁଣିବାକୁ ପାଇଲା ନାହିଁ। ଦିନ ଗଡ଼ିଚାଲିଲା- କିନ୍ତୁ ଚାଉଳ, ଲୁଗା ଆଉ କିରୋସିନି ଦର କମିଲା ନାହିଁ। ଅନାହାର, ଅର୍ଦ୍ଧାହାର ଓ ଅଯତ୍ନରେ ଗୁରେଇର ସୁନ୍ଦରପଣିଆ କମି ଆସିଲାଣି। ଦେଢ଼ ବର୍ଷ ଆଗରୁ ଯେଉଁ ମିଣିପି ପିନ୍ଧା ଖଦିଖଣ୍ଡିକ ଅପର୍ତ୍ତି ଦେଇଥିଲେ ଗୁରେଇକି, ସେ ଖଣ୍ଡ ବି ଚିରି ଆସିଲାଣି।

କେତେ ଦିନେ ଫେର୍‌ ସିଏ ପଇସା ଧରି ଯାଇ ଧନୀ ସାହୁ ଦୋକାନ ମୁହଁରେ ଠିଆ ହେଲା। ଧନୀ ସାହୁ କହିଲା, “ଯା, ଯା ଲୁଗା ନାହିଁ। ତିନିଟା ଟଙ୍କାରେ ଶାଢ଼ି କିଣିବ।”

ଅପର୍ତ୍ତି ନମ୍ର ସ୍ବରରେ କହିଲା, “ସାହୁଏ, କେତେଥର ଫେରାଇ ଦେଲଣି। ଘରେ ସିଆଡ଼େ ଉଧୁ ନଙ୍ଗଳା-ପାଣି ମାଠିଏ ଆଣିବାକୁ ପଦାକୁ ବାହାରିପାରୁ ନାହାଁନ୍ତି।”

ଧନୀ ସାହୁ ଅପର୍ତ୍ତି ପ୍ରତି ସହାନୁଭୂତି ଦେଖାଇବା ଦୂରେ ଥାଉ, ଓଲଟି ତାକୁ ଭାରି ଅପମାନିଆ ଭାଷାରେ ଗାଳି ଦେଲା। ତା’ କଥା ଶୁଣି ଅପର୍ତ୍ତିର ଶିରାପ୍ରଶିରାଗୁଡ଼ାକ ରାଗରେ ଫୁଲିଉଠିଲା। ଆଖି ଯୋଡ଼ାକ ଜଳିଉଠିଲା। ଏଇ ଧନୀ ସାହୁ-ଯୁଦ୍ଧ ଆଗରୁ ବ୍ରାହ୍ମଣ ସାହି, କେଉଟି ସାହି, ସାହିକି ସାହି ଘରଘର ବୁଲି ପାଟଫୁଲି, ଛୁଞ୍ଚିସୂତା, ଗନ୍ଧକର୍ପୂର ବିକୁଥିଲା। ତା’ର ଫେର୍‌ ମୁହଁ ଉପରକୁ ହେଲାଣି। ଦାନ୍ତ ଚିପି ରାଗ ବନ୍ଦ କରି ଫେରିଆସିଲା ଅପର୍ତ୍ତି।

ଗାଁ’ ଗାଁ’ ବୁଲି ଦେଶ ସେବକମାନେ ପ୍ରଚାର କଲେ- ସୂତା କାଟି ଲୁଗା ଅଭାବ ଦୂର କରି ନିଜ ଗୋଡ଼ରେ ନିଜେ ଠିଆ ହୁଅ। ତା’ ନହେଲେ ଦାସତ୍ବର ବେଡ଼ିରୁ ମୁକ୍ତିଲାଭ କରିପାରିବ ନାହିଁ। କେଡ଼େ କେଡ଼େ ଚାଷୀ ମୂଲିଆ ସଭା ହେଲା। କିଏ କହିଲା- ଜମିଦାରଙ୍କୁ କର ଦିଅନି। କିଏ କହିଲା- ‘ଧର୍ମଘଟ କର।’

ଅପର୍ତ୍ତି ସବୁ ଶୁଣେ, କିନ୍ତୁ କେହି ତାକୁ ଖାଦ୍ୟପୋଷାକର କାର୍ଯ୍ୟକାରୀ ପନ୍ଥା ଦେଖାନ୍ତି ନାହିଁ। ବିଭିନ୍ନ ରାଜନୀତିକ ଦଳର ବିଭିନ୍ନ ମତବାଦ ପ୍ରଚାରିତ ହୁଏ। ଅପାଠୁଆ ଅଳ୍ପ ଜ୍ଞାନୀ ଅପର୍ତ୍ତି ମୁଣ୍ଡରେ ସେସବୁ ଢୁକେ ନାହିଁ। ଗୁରେଇର କ୍ଲିଷ୍ଟ, ଅର୍ଦ୍ଧନଗ୍ନ ଦେହ ତାକୁ ଅହରହ ପୀଡ଼ା ଦିଏ। ସନ୍ଧ୍ୟା ହେଲେ ଗୁରେଇ ଯାଏ ପଡ଼ିଆକୁ କିମ୍ବା କୂଅରୁ ପାଣି ଆଣିବାକୁ ଅତି ସନ୍ତର୍ପଣରେ।

ଅପର୍ତ୍ତି କଳ ପରି ତା’ ସାଉକାର ପାଇଁ ହଳ କରେ। ପରସ୍ପରରେ ଅପର୍ତ୍ତି ଶୁଣିପାରେ ତା’ ଦେଶ ସ୍ବାଧୀନ ହେବ- ବୁଝିପାରେନି। ୟା’କୁ ତାକୁ ପଚାରି କେବଳ ଏତିକି ବୁଝେ- ଆଉ କେଇଟା ଦିନ ଗଲେ ଗୋରା ଲୋକ ଆମ ଦେଶରେ ଆଉ ରହିବନି। ଆମରି ଦେଶ ଲୋକେ ଆମ ରାଇଜ ଚଳାଇବେ। କିଳାପୋତେଇ, ଚୋରା କାରବାର ବନ୍ଦ ହୋଇଯିବ। ଲୁଗା, କିରୋସିନି, ଚାଉଳ ଶସ୍ତା ହବ-ଲାଞ୍ଚ ମିଛ ଆଉ ଦେଶରେ ରହିବନି।

ଅପର୍ତ୍ତି ଭାରି ଖୁସି ହୋଇଯାଏ।

ଆନନ୍ଦରେ ଗୁରେଇକି ଯାଇ କହେ- “ଗୁରେଇ ଲୋ, ଆମ ଦୁଃଖ ଏଇଥର ଯିବ। ଆମ ଲୋକମାନେ ଆମକୁ ଚଳେଇବେ ଏଥର। ଗୋରା ଲୋକମାନେ କୁଆଡ଼େ ତାଙ୍କ ନିଜ ଦେଶକୁ ଗଣ୍ଠିଲି ବୁଜୁଳା ବାନ୍ଧି ପଳେଇବେ…।”
ଅପର୍ତ୍ତି ଉତ୍ସୁକ ହୋଇ ଚାହିଁରହେ ସେଇ ଦିନକୁ-

ସତଚାଳିଶ ସାଲ ଅଗଷ୍ଟ ପନ୍ଦର ଉତ୍ସବ ହୁଏ ଘରେ ଘରେ, ଚକ୍ରଚିହ୍ନିତ ତ୍ରିରଙ୍ଗା ପତାକା ଉଡ଼େ ସ୍ବାଧୀନ ଜୀବନର ଉଦ୍ଦାମ ପ୍ରବାହର ସଙ୍କେତ ଘେନି, ସାମ୍ୟ ମେତ୍ରୀର ସଙ୍କେତ ଘେନି। ଅପର୍ତ୍ତି ଚାଳରେ ଦି ଖଣ୍ଡେ ତ୍ରିରଙ୍ଗା ପତାକା ଉଡ଼େ। ଅପର୍ତ୍ତି ହସି ହସି ସେହି ପତାକା ଆଡ଼େ ଚାହିଁରହେ ଅପଲକ ଆଖିରେ। ସେ ଯେପରି ଦେଖିପାରେ, ସେହି ପତାକା ଭିତରେ ତା’ ଗୁରେଇ ଭଲ ଭଲ ଖଦିମାନ ପିନ୍ଧି ହସି ହସି ତା’ ଆଡ଼େ ଚାହିଁଛି… ପୁଞ୍ଜିପତି ଧନୀ ସାହୁ ହାତରେ ପଡ଼ିଚି ବେଢ଼ି, କିଳାପୋତେଇ କରି ଧରାପଡ଼ିବାରୁ।

ଦିନ ଗଡ଼ିଚାଲେ। ଗାନ୍ଧି ବୁଢ଼ାକୁ ଦେଶ ଭୁଲିଯାଏ। ତା’ର ମହତ ଆଦର୍ଶକୁ ବି ଭୁଲିଯାଏ। ତ୍ରିରଙ୍ଗା ପତାକାଟିର କଚ୍ଚାରଙ୍ଗ ବାୟୁ ସଂଘାତରେ ଫିକା ପଡ଼ିଆସେ। ଅପର୍ତ୍ତି ସ୍ପଷ୍ଟଭାବରେ ବୁଝିପାରେନି ଦେଶର କି ପରିବର୍ତ୍ତନ ହେଲା- ଗାଁ’ଟା ତ ଠିକ୍‌ ଯିମିତି ଥିଲା ସେମିତି ଅଛି! ତ’ଗୁରେଇ ତ ସେମିତି ଛିଣ୍ଡାକନା ପିନ୍ଧୁଛି, କାନସିରି କଇଁବେଣ୍ଟ ଶିଝା ଖାଉଛି। ପରିବର୍ତ୍ତନ ତେବେ ହେଲା କେଉଁଠି? ହଳ ଛାଡ଼ିଦେଇ ଅପର୍ତ୍ତି ଆଣ୍ଠୁ ଉପରେ କହୁଣୀ ରଖି ହିଡ଼ ଉପରେ ବସି ଭାବେ-କିନ୍ତୁ କାହିଁ? ପରିବର୍ତ୍ତନ ତ କେଉଁଠି ଦେଖେନି? ଧନୀ ସାହୁର କଳାବଜାର ତ ଠିକ୍‌ ସେମିତି ଚାଲିଛି-ତାଙ୍କ ଗାଁ’ ପୋଖରୀଗୁଡ଼ାକରେ ତ ଦଳ ସେମିତି ଭର୍ତ୍ତି ହୋଇଛି- ମେଲେରିଆ, ହଇଜାରେ ଲୋକ ସେମିତି ମରୁଛନ୍ତି-ଗୁରେଇର ଛିଣ୍ଡା କବଟା ତ ସେମିତି ଦେଖାଯାଉଛି।

କେବଳ ଗୋଟିଏ ବିଷୟରେ ଅପର୍ତ୍ତି ପରିବର୍ତ୍ତନ ଲକ୍ଷ୍ୟ କରେ- ଦେଶ ସ୍ବାଧୀନ ହେବା ଆଗରୁ ଯେଉଁ ଲୋକମାନେ ଏଇ ଗାଁ’କୁ ମାସ ଭିତରେ ଅନ୍ତତଃ ଦି’ଥର ଆସି ସଭାସମିତି କରି ସେମାନଙ୍କୁ ରାମରାଜ୍ୟର କଳ୍ପନାପୁରୀକୁ ଘେନି ଯାଉଥିଲେ, ସ୍ବାଧୀନତା ପରେ ଆଉ ସେମାନେ ଦେଖା ନାହାନ୍ତି। ଯେଉଁ କର୍ମୀଜଣକ ଖାଲି ପାଦରେ ଆଣ୍ଠୁ ଉପରକୁ ଖଦି ଖଣ୍ଡିଏ ପିନ୍ଧି କାନ୍ଧରେ ଝୁଲାମୁଣି ଝୁଲେଇ ଏଇ ଗାଁ’ରେ କେତେଥର ସଭାସମିତି କରି ଗାନ୍ଧିଙ୍କର ନୀତି, ସରଳ ଜୀବନଯାବନ ଆଦର୍ଶ ପ୍ରଚାର କରିଯାଇଛନ୍ତି, ସିଏ କେବଳ ଥରେ ଏଇ ବାଟ ଦେଇ ଗୋଟିଏ ବଡ଼ ମଟର ଭିତରେ ବସି ଯାଉଥିବା ଅପର୍ତ୍ତି ଦେଖିଛି-ବେଦନା ଓ ନୈରାଶ୍ୟରେ ଅପର୍ତ୍ତିର ହୃଦୟତନ୍ତ୍ରୀଗୁଡ଼ିକ ଛିଡ଼ିଯିବାର ଉପକ୍ରମ କରନ୍ତି।

ଗୁରେଇର ଅନାହାର-କ୍ଳିଷ୍ଟ ଅର୍ଦ୍ଧନଗ୍ନ ଝାଉଁଳା ତନୁଲତାଟି ଆଡ଼େ ଚାହିଁ ତା’ ଆଖି ଜକେଇ ଆସେ। ଅପର୍ତ୍ତି କହେ-ମତେ ବାହାହୋଇ କେତେ ଦୁଃଖ ପାଇଲୁ ଗୁରେଇ! ଗୁରେଇ ଅପର୍ତ୍ତିର ଏଇ ଦୁଃଖମିଶା କଅଁଳ କଥାରେ କଇଁ କଇଁ ହୋଇ କାନ୍ଦି ଉଠେ। ଅପର୍ତ୍ତି ଏଇ ବିରାଟ ନଗ୍ନ ଦାରିଦ୍ର୍ୟ ଭିତରେ ବି ଏଇ ଯେଉଁ ଗୌରବ ଟିକକ ଲାଭ କରେ, ସେଥିରେ ତା’ର ମୁଖରେ ଫୁଟେ ପୁଲକର ପଦ୍ମ।

ଅପର୍ତ୍ତି ଭାବିବସେ ଏଇ କେତେ ବର୍ଷ ଧରି ସେ ଗୁରେଇକୁ କେତେ ଆଶା ଆଶ୍ବସନା ନ ଦେଇଛି! ଉଜ୍ଜ୍ବଳ ଭବିଷ୍ୟତର କେତେ ଚିତ୍ର ତା’ ଆଖି ଆଗରେ ନ ଦେଖେଇଚି। ସରଳ ମନରେ ଗୁରେଇ ସେସବୁ ବିଶ୍ବାସ କରିଛି। ଅପର୍ତ୍ତି ଭାବେ ତା’ର ଦୈନ୍ୟ ପାଇଁ ସେ ପ୍ରତିଶୋଧ ନେବ କାହା ଉପରେ?

ଅପର୍ତ୍ତି ଠିକ୍‌ କଲା ନିଜ ଦୁଃଖ ତାକୁ ନିଜେ ଘୁଞ୍ଚାଇବାକୁ ହେବ। ନୈଶ ଅନ୍ଧକାର ଭିତରେ ସେ ଦିନେ ଚାଲିଲା ଧନୀ ସାହୁ ଦୋକାନ ଆଡ଼େ। ନିଦ ମଳମଳ ଆଖିରେ ଗୁରେଇ ଉଠିବସି ଦେଖିଲା ଅପର୍ତ୍ତି ଦି’ଖଣ୍ଡ ମାଇପି ପିନ୍ଧା ଖଦି ଧରି ତା’ ପାଖରେ ବସିଛି। କିଛି ବୁଝି ନ ପାରି ପଚାରିଲା, “ଖଦି କେଉଁଠୁ ଆଇଲା?”

ଅପର୍ତ୍ତି ହସି ହସି କହିଲା- “ଯୋଉଠୁଁ ଆଇଁଲି- ତୁ ଗାଧୋଇ ପିନ୍ଧିବୁଟି ଆଗେ ଖଣ୍ଡେ ବେଗି। ମୁଁ ଆଉ ତୋ ଆଡ଼େ ଅନେଇ ପାରୁନି।”

ସନ୍ଦିଗ୍ଧ ଦୃଷ୍ଟିରେ ଗୁରେଇ ତା’ ଆଡ଼େ ଚାହିଁରହିଲା। “ଯେଉଁଠୁ ଆଇଁଲି କ’ଣ ମ? ରାତି ରାତି କ’ଣ ଚାଳବାଟ ଦେଇ ଆଇଲା?” ଅପର୍ତ୍ତି ଇତସ୍ତତଃ ହୋଇ ଶେଷକୁ କହିଲା, “ଧନୀ ସାହୁ ଦୋକାନରୁ ଚୋରି କରିଛି।”
ଚମକିପଡ଼ି ଗୁରେଇ କହିଲା- “ଚୋରି”?

“ହଁ, ଚୋରି… କଅଣ ହୋଇଗଲା ସେଇଠୁ? କିଏ ନ କରୁଚି ଚୋରି! ଧନୀ ସାହୁ କିଳାପୋତେଇ କରି ଟଙ୍କା ଜାଗାରେ ପାଞ୍ଚଟଙ୍କା ନଉଚି- ସେଟା କ’ଣ ଚୋରି ନୁହେଁ? ଯେଉଁ ବାବୁମାନେ ଜାଣିଶୁଣି ତାକୁ ଛାଡ଼ି ଦଉଛନ୍ତି, ସେମାନେ ସବୁ କଅଣ ଭଲ ନୋକ? ଯେଉଁ ସାହୁକାର ଆମକୁ ଖଟେଇ, ଆମ ତଣ୍ଟି ଚିପି ଖଜଣା ଅସୁଲ କରୁଛି, ସିଏ କ’ଣ ଚୋର ନୁହେଁ? ଆଉ ମୁଁ ଖାଇବାକୁ ପାଉନି, ପିନ୍ଧିବାକୁ ପାଉନି, ଚୋରି କଲି ତ କଅଣ ହେଲା?”
ଗୁରେଇ ଭୟାର୍ତ୍ତ ଗଳାରେ କହିଲା- “ଯଦି ଧରାପଡ଼?”

ଅପର୍ତ୍ତି ନିର୍ଭୀକ ଭାବରେ ଉତ୍ତର ଦେଲା- “ଧରାପଡ଼ିଲେ ପଡ଼ିବି। ତା’ ଆଗରୁ ତୁ ଖଣ୍ଡେ ଲୁଗା ହେଲେ ପିନ୍ଧି ପକେଇଥା। ଛିଣ୍ଡା ଲୁଗାଗୁଡ଼ିକ ଏଇ ଅଗଣାରେ ପକେଇଦେ, ଆଉ ଏଇ ଶାଢ଼ି ଖଣ୍ଡ ପାଉଁଶ ଗଦା ଭିତରେ ନୁଚେଇ ଦେଇ ଆ। ଯା- ବେଇଗି ସବୁ କରିପକା।” ଅପର୍ତ୍ତି କହିଲା ପ୍ରକାରେ ଗୁରେଇ ସବୁ କରିଗଲା ଶଙ୍କିତ ଚିତ୍ତରେ। ବାରଟା ବେଳକୁ ପୁଲିସ୍‌ ଆସି ଘର ଖାନ୍‌ତାଲାସ କଲା। ଗୁରେଇ ନୂଆ ଶାଢ଼ିଟା ପିନ୍ଧି ଲଜ୍ଜାବନତ ମୁଖରେ ଠିଆହେଲା ପୁଲିସ୍‌ ସାମ୍ନାରେ।
ଗୁରେଇ ପିନ୍ଧା ଶାଢ଼ିକୁ ଦେଖାଇ ପୁଲିସ୍‌ ପଚାରିଲା ଅପର୍ତ୍ତିକୁ-ଏ ଶାଢ଼ି କେଉଁଠୁ ପାଇଲୁ?

ଟିକିଏ ବି ଶଙ୍କି ନ ଯାଇ ଅପର୍ତ୍ତି ଉତ୍ତର ଦେଲା-କିଣିଛି।
ପୁଲିସ୍‌ ପଚାରିଲା- କେଉଁଠୁ କିଣିଲୁ?

-ହେଇ, ଯିଏ ଆପଣଙ୍କ ସାଥିରେ ଆଇଚି ଧନୀ ସାହୁ, କିଣିଚି ଏଇ ରବିବାର ଦିନ।
ଧନୀ ସାହୁ ଆଡ଼େ ଚାହିଁ ପୁଲିସ୍‌ ପଚାରିଲା-କିଓ ବିକିଚ?

ଆଖି ଦି’ଟା ବଡ଼ ବଡ଼ କରି ହାତଯୋଡ଼ି ଧନୀ ସାହୁ କହିଲା- ନାଇଁ ଆଜ୍ଞା! ଖାତା ଦେଖନ୍ତୁ ତା’ ଦସ୍ତଖତ ତ ଥିବ।
ଅପର୍ତ୍ତି ଶ୍ଳେଷମିଶା ଗଳାରେ କହିଲା-ଦସ୍ତଖତ ଆସିବ କେଉଁଠୁ ସାହୁଏ? ରାତି ବାରଟା ବେଳେ ଚୋରଙ୍କ ଭଳି ବାଡ଼ିପଟେ ତ ଲୁଗା ବିକିବ କିଳାପୋତେଇରେ। ଅଢ଼େଇ ଟଙ୍କାର ଖଦିଖଣ୍ଡକ ତ ମୋଠୁ ପାଞ୍ଚ ଟଙ୍କା ସୁଉକାଏ ନେଲ-ଅନ୍ଧାରିଆ ବେଉସା। ଅବିକା ମତେ ଚୋର କରିବାକୁ ବସିଛ କ’ଣ କିଏ ସାହୁ? ପୁଲିସ୍‌ ଆଡ଼େ ଚାହିଁ ପଚାରିଲା-ଆଜ୍ଞା ମୁଁ ଚୋର କି ନୁହେଁ ପଚାରନ୍ତୁ ସବୁ ଗାଁ’ବାଲାଙ୍କୁ। ଆଉ ସେମାନଙ୍କୁ ପଚାରନ୍ତୁ ଧନୀ ସାହୁ କିଳାପୋତେଇରେ ଲୁଗା ବିକେ କି ନାହିଁ? ତାଙ୍କରି ଭିତରୁ ବି କେତେ କିଣିଥିବେ। ପୁଲିସ୍‌ ଚାହିଁଲା ଗାଁ’ବାଲାଙ୍କ ଆଡ଼େ। ସମସ୍ତେ ନୀରବ ରହିଲେ। ପୁଲିସ୍‌ ଧନୀ ସାହୁକୁ ପଚାରିଲା-ତମର କେତେ ଯୋଡ଼ା ଲୁଗା ଚୋରି ଯାଇଛି?

ଧନୀ ସାହୁ ଥଙ୍ଗେଇ ଥଙ୍ଗେଇ ମନେପକାଇବା ଭଳି ଆଖି ଉପରକୁ କରି କହିଲା-ଆଜ୍ଞା ଦଶ ପନ୍ଦର ଯୋଡ଼ା।
ଧମକ ଦେଇ ସବ୍‌-ଇନିସ୍ପେକ୍ଟର କହିଲେ-ଠିକ୍‌ କେଇଟା ଜାଣିନ? କଣ୍ଟ୍ରୋଲ ଦୋକାନ ତମର, ଲୁଗା ହିସାବ ଠିକ୍‌ ରଖିନ?
ଧନୀ ସାହୁ ପାଟି ପାକୁ ପାକୁ କଲା। ପୁଲିସ୍‌ ଅପର୍ତ୍ତିର ଘରବାଡ଼ି ସବୁ ଟିକିନିଖି କରି ଖୋଜି କେଉଁଠୁ କିଛି ନ ପାଇ ଧନୀ ସାହୁକୁ ଚାହିଁ କହିଲେ-ଏୟାଡ଼େ ଚୋରିଯିବା ବାହାନା ଦେଖେଇ ସିଆଡ଼େ କିଳାପୋତେଇ ଚାଲିଛି, ନାଇଁ? ଆସ ତମ ଦୋକାନ ଖାନତଲାସ୍‌ କରିବି। ତମେ ବଡ଼ ସୁବିଧା ଲୋକ ନୁହଁ ତ?

ପୁଲିସ୍‌ ଆଗେଇ ଚାଲିଲା-ପଛେ ପଛେ ଧନୀ ସାହୁ ଚୋରଙ୍କ ଭଳି ଥରି ଥରି ହାତଯୋଡ଼ି ଚାଲିଲା।
ଅପର୍ତ୍ତି ଚାହିଁଲା ଗୁରେଇ ଆଡ଼େ ହସି ହସି।

ଗୁରେଇ ପଚାରିଲା ଆଶ୍ଚର୍ଯ୍ୟ ହୋଇ “ତମେ ଏତେଗୁଡ଼ାଏ ମିଛ କହିଗଲ ପୁଲିସ୍‌ ଆଗରେ? ମୋ ଛାତି ଥରୁଥେଲା ଖାଲି।”
ଅପର୍ତ୍ତି କହିଲା- “ନେଇ ଆଣି ଥୋଇ ଜାଇଁଲେ ଚୋରି ବିଦ୍ୟା ଭଲ।”

ଗୁରେଇ ବ୍ୟସ୍ତ ହୋଇ କହିଉଠିଲା- “ନାଇଁ, ନାଇଁ ଆମେ ଶୁଖି ଶୁଖି ମରିବା ପଛେ, ତେମ ଏମିତି କେଉଁଠୁ ଚୋରି କରନି। ମୋ ଛାତି ଧଡ଼ଧଡ଼ ହଉଚି।”
ଅପର୍ତ୍ତି କିଛି ସମୟ ଚୁପ୍‌ହୋଇ ବସି ରହିଲା। ତା’ପରେ ଆଖି ଛଳଛଳ କରି ବ୍ୟଥାତୁର କଣ୍ଠରେ କହିଲା- “ଗୁରେଇ ଚୋରି କ’ଣ ମୁଁ ସଉକରେ କଲି? ବଡ଼ ଲୋକମାନେ ସଉକରେ ହଜାର ହଜାର ଚୋରି କରୁଛନ୍ତି। ଆମେ ହୀନସ୍ଥା ହଉଚେ। ଦି’ଖଣ୍ଡ ଲୁଗା ବି ଆମେ ଚୋରି କରିପାରିବାନି ଖାଲି ନିଜର ମାନମହତ ଘୋଡ଼ାଇବା ଲାଗି?”

“ସମସ୍ତେ କହିଲେ, ଆମ ଦେଶ ସ୍ବାଧୀନ ହେଲା, ଆମ ଦୁଃଖ ପାଣି ପରି ବୋହିଯିବ। କିନ୍ତୁ କାହିଁ?”
ଗୁରେଇ ଉତ୍ତ୍ୟକ୍ତ ଅପର୍ତ୍ତି କାନ୍ଧରେ ହାତ ରଖି କହିଲା- “ନାଇଁ, ତମେ ମୋ ମୁଣ୍ଡ ଖାଅ- ଯିଏ ଯାହା କରୁ, ତମେ ସେସବୁ ନିଉଛଣା କାମ ଆଉ କରିବନି। ଦୁଃଖ ଆମର ଦିନେ ନା ଦିନେ ଘୁଞ୍ଚିବ। ସବୁଦିନ କ’ଣ ଆଉ ଏକା ଯାଉଥିବ?”
ଅପର୍ତ୍ତି ତା’ ଆଡ଼େ ଚାହିଁ ରହିଲା- “ଗୁରେଇ, ଭଲ ନୋକ ହେଲେ ଦୁଃଖ ଭୋଗିବାକୁ ହୁଏ।”

ଗୁରେଇ କହିଲା- “ହଉ ଦୁଃଖ।”