ସୂର୍ଯ୍ୟ ଉଠି ନଥା’ନ୍ତି। ପୂର୍ବ ଦିଗ ଉଜ୍ଜ୍ବଳ ଦିଶିଲାଣି। ଖରାଦିନ। ମଟର ବସ୍ କଟକ ଷ୍ଟେସନ୍ ଛାଡ଼ିଲା। ଛୁଟିଲା ପୂର୍ବମୁହାଁ ହୋଇ ଜୟପୁର ରାହାମା। ମୋର ସେଇଆଡ଼େ କାମ ଥାଏ।
ବସ୍ରେ ପଚିଶି ଜଣଙ୍କ ପାଇଁ ବସିବାର ସ୍ଥାନ, କିନ୍ତୁ ସେଦିନ ଲୋକ ଭିଡ଼ ହେତୁ ଆହୁରି ଦୁଇ ତିନିଜଣ ଅଧିକା ବସିଥାନ୍ତି। ଛାତ ଉପରେ ସାଇକେଲ ଓ ଅନ୍ୟାନ୍ୟ ଜିନିଷପତ୍ର ଯାହା ତ ଅଛି, ତା’ଛଡ଼ା ଭିତରେ ମଧ୍ୟ ଜିନିଷପତ୍ର ଖୁନ୍ଦା ହୋଇଛି। ଗୋଡ଼ ରଖିବାକୁ ସ୍ଥାନ ନାହିଁ।
ଆଉ ଦଶଜଣଙ୍କ ପରି ମୁଁ ମଧ୍ୟ ଜଣେ ସାଧାରଣ ଯାତ୍ରୀ। ବଡ଼ ବ୍ୟସ୍ତ ହୋଇ ପଡ଼ୁଥାଏ, କେତେବେଳେ ଆମର ଏ ଦୁଃଖ ଯିବ।
ବସ୍ ଛୁଟିଛି। ଦୁଇପାଖର ଦୁଇଧାଡ଼ି ଗଛ ସତେ କି ଗତିଶୀଳ ହୋଇ ପଡ଼ିଛନ୍ତି। ଦୁଇ ପାଖର ଦିଗହଜା ବିଲ ହତଶ୍ରୀ ଦେଖାଯାଉଛି। ମନ କିପରି ତିକ୍ତ ହୋଇ ଉଠିଲାଣି। ପାଖର ଲୋକଟି ଘନ ଘନ ବିଡ଼ି ଟାଣୁଛି ଓ ଧୂଆଁ ଛାଡ଼ୁଛି ସମସ୍ତଙ୍କ ମଝିରେ। ଆଗର ଲୋକଟି ତା’ର ଘାଗଡ଼ା କଣ୍ଠରେ ଗୋଟିଏ ଅଶ୍ଳୀଳ ସଙ୍ଗୀତର ପଦକୁ ଆବୃତ୍ତି କରୁଛି। ଆଉ, ମନେ ମନେ କେଡ଼େ ଆନନ୍ଦ ଅନୁଭବ କରୁଛି। ସେ ପାଖରେ ସେ କଲିକତିଆ ବନ୍ଧୁଟି, ଅନର୍ଗଳ ବକ୍ତୃତା ଦେବାରେ ବ୍ୟସ୍ତ। ଦାନ୍ତରେ ସୁନାଖିଲ, ହାତରେ ଗୋଟିଏ ପୁରୁଣା ରିଷ୍ଟ୍ୱାଚ୍। ବେଳେବେଳେ ପକେଟ୍ରୁ ଛୋଟ ପାନିଆଁଟି କାଢ଼ି ମୁଣ୍ଡ ସାଉଁଳି ନେଉଛି। ଆର ପାଖକୁ ବସିଛି ଯେଉଁ ବୁଢ଼ାଟି, ମୁଣ୍ଡରେ ଚୁଟି, କାନରେ ନୋଳି, ଘୁମେଇ ପଡ଼ୁଛି ପାଖ ସିଲ୍କ ପଞ୍ଜାବିପିନ୍ଧା ବାବୁଟି ଉପରେ। ଚୁଟି ଝିଙ୍କା, କହୁଣି ଗେବା ଓ ଗାଳି ଖାଇ ମଧ୍ୟ ବୁଢ଼ାର ନିଦ ଭାଙ୍ଗୁନ ନାହିଁ। ଏମିତି-
ବସ୍ ଛୁଟିଛି। ସୂର୍ଯ୍ୟ ଉଠିଲେ ଦୂର ବରଗଛ ଗହଳି ଭିତରୁ। କେହି ଚାହିଁଲେ ନାହିଁ ତାଙ୍କ ଆଡ଼କୁ। ଥରଟିଏ ଚାହିଁ ମୁଁ ମଧ୍ୟ ଆଖି ଫେରାଇଲି। ମୋର ବନ୍ଧୁମାନଙ୍କର କ୍ରିୟାକଳାପ ଲକ୍ଷ୍ୟ କରି ତା’ରି ଭିତରେ ମନ ହଜାଇଦେବାକୁ ଚେଷ୍ଟା କଲି।
ହଠାତ୍ ବସ୍ ବନ୍ଦ ହୋଇଗଲା। ଡ୍ରାଇଭର ଯେତେ ଚେଷ୍ଟା କଲା ଚଳାଇବାକୁ, ହେଲାନାହିଁ। ହତାଶ ହୋଇ କହିଲା, ଆପଣମାନେ ଟିକିଏ ଓହ୍ଲାନ୍ତୁ, ମୁଁ ଦେଖେ।
ବିରକ୍ତ ଲାଗିଲା। ହେଲେ ଉପାୟ ନାହିଁ। ବସ୍ ଯଦି ଠିକ୍ ନହୁଏ, କେଜାଣି କେତେ ସମୟ ବାଟରେ ପଡ଼ି ରହିବାକୁ ହେବ। ହେ ଭଗବାନ୍। କି ଦୁର୍ଯ୍ୟୋଗ ଆଜି।
ସମସ୍ତେ ଓହ୍ଲାଇଲେ।
ରାସ୍ତା କର ଝଙ୍କାଳିଆ ବରଗଛ ତଳେ ବସିଲି। ରାସ୍ତା ପାଖରୁ କିଛି ଦୂର ଛାଡ଼ି ବିଲ ମଝିରେ ଛୋଟ ପୋଖରୀଟିଏ। ଦଳ ଭିଡ଼ି ରହିଛି। ପୋଖରୀ ହୁଡ଼ାରୁ ବଙ୍କେଇ ବଙ୍କେଇ ଚଲା ବାଟଟିଏ ପଡ଼ିଛି ପାଖ ଗାଁ ଆଡ଼କୁ। ମୋର ଆଖି ସେହି ବାଟ ଉପରେ ଲାଗି ରହିଲା।
ସକାଳର ସୁନେଲି କିରଣ ପଡ଼ୁଥିଲା ତା’ର ସୁନ୍ଦର ପୂରିଲା ପୂରିଲା ମୁହଁ ଉପରେ। ଅମଳିନ ସଦ୍ୟଫୁଟା ପଦ୍ମଫୁଲଟି ଯେପରି ଧୀର ମନ୍ଥର ଗତିରେ ଚାଲି ଚାଲି ଆସୁଛି। ଲୀଳାୟିତ ଗତି, ନାଲି ରଙ୍ଗୀନ୍ ଲୁଗାର ଓଢ଼ଣା କପାଳର ଅଧେ ଘୋଡ଼ାଇ ରଖିଛି। ଝୁମୁ ଝୁମୁ ବାଜୁଥିଲା ନୂପୁର। ସଙ୍ଗରେ ତା’ର ଆଉ ଜଣେ ଝିଅ।

ଦୃଷ୍ଟି ମୋର ଟାଣି ହୋଇଗଲା। ସତେ କେଡ଼େ ସୁନ୍ଦର! କବିତାର ମୂର୍ଚ୍ଛନା ଉଠିଲା ଛାତିରେ। କାହାର ପ୍ରେୟସୀ? କିଏ ସେ ଭାଗ୍ୟବାନ୍! ମନ ଉଚ୍ଛନ୍ନ ହେଲା ଜାଣିବାକୁ। କାହାକୁ ପଚାରିବି? ସଂସ୍କୃତି ଚେଇଁ ଉଠିଲା ମନରେ। ପର ଦାରେସୁ ମାତୃବତ୍। ଆଖି ଫେରାଇଲି। ପକେଟ୍ରୁ ଖବରକାଗଜ କାଢ଼ି ପଢ଼ିବାକୁ ଚେଷ୍ଟା କଲି। ଆଖି ଆଗରେ ଅକ୍ଷରଗୁଡ଼ାକ କେବଳ ଗତି କରିଗଲା, କିଛି ବୁଝିଲି ନାହିଁ। ମନଭିତରୁ ଇଙ୍ଗିତ ଦେଲା କିଏ, ଫେରି ଚାହାଁ। ଲାଜ ମାଡ଼ିଲା ନିଜକୁ। ମୋର ଅପରିଚିତ ବନ୍ଧୁମାନଙ୍କ ଆଡ଼କୁ ଥରେ ଚାହିଁଲି। କେତେଜଣ ବସ୍ ମରାମତି କରିବାରେ ବ୍ୟସ୍ତ। ଆଉ କେତେଜଣ ବାଁଆରେଇ ହୋଇ ବରଗଛ ଆଡ଼କୁ ମୋହିଛନ୍ତି।
କଣେଁଇ ଚାହିଁଲି ପୋଖରୀଆଡ଼କୁ। ପୋଖରୀର ଶେଷ ପାହାଚରେ ବସିଚି, ସେହି ଅପରିଚିତା। ଗୋଡ଼ ଦିଓଟି ପାଣି ଭିତରକୁ ଲମ୍ବାଇ ଦେଇଛି। ମୁଣ୍ଡରେ ଆଉ ଲୁଗା ନାହିଁ। ଖଣ୍ଡେ ଗାମୁଛାରେ ଫୁଙ୍ଗୁଳା ହାତକୁ ଘଷି ପରିଷ୍କାର କରୁଛି। ତା’ର ସଙ୍ଗରେ ଆସିଥିବା ଝିଅଟି, ଯୌବନ ଯାହାର ପାଖେଇ ଆସିଲାଣି, ଚଳ ଚଳ କରି ପାଣି ପକାଉଛି ତା’ ଉପରକୁ। ହସି ହସି ପାଣିକୁଆ ପରି ମୁଣ୍ଡ ବୁଡ଼ାଇ ଓଦା ସରସର ହୋଇ ଉଠୁଛି ଉପରକୁ। କହୁଛି, ଆସୁନ ନୂଆଊ’ ଉଛୁର ହେବ ଯେ-ହାତ ଧରି ଟାଣୁଛି ପାଣି ଭିତରକୁ।
ଓଠ ପାଖୁଡ଼ାରେ ଚମକି ଉଠୁଚି ହସ। ରହ ମ, ଏ ଗାଡ଼ିଟି ଯାଉ, ମିଣିପଗୁରା ପରା। କଥା ଅଧା କରି ତେରଛା ଚାହିଁଲା। ମୁହୂର୍ତ୍ତେ ଆଖି ଦୁଇଟିର ଭୀତିଜଡ଼ିତ କୌତୂହଳ ଚାହାଣି ମୋର ମୋହଗ୍ରସ୍ତ ପିପାସାକୁଳ ଆଖିରେ ମିଶିଲା। ମନେ ହେଲା ଯେପରି ସେ ଦୃଷ୍ଟି ମୋର ଅନ୍ତର ଭେଦ କରିଛି। ସେ ଦୃଷ୍ଟି ଆନତ କଲା।
ତା’ର ସଙ୍ଗୀ କହିଲା, ଆସ ମ, ମିଣିପଗୁରା କଅଣ ତମକୁ ଅନେଇ ବସିଛନ୍ତି କି?
ଷୋଡ଼ଶୀ ଓହ୍ଲାଇଲା ପାଣି ଭିତରକୁ।
ସେହି କଲିକତିଆ ବାବୁଟି-ଦାନ୍ତରେ ଯାହାର ସୁନାଖିଲ, ପାଖକୁ ଆସି କହିଲା, ବାବୁ କ’ଣ ଖବର? ଟିକିଏ ପାଟି କରି ପଢ଼ିବେ ନାହିଁ? ସେ ମୋ ଆଗରେ ବସିଲା। ନିଜକୁ କିପରି ଅପରାଧୀ ମନେକଲି। ପୋଖରୀ ଆଡ଼କୁ ଆଉଥରେ ଚାହିଁବାକୁ ଇଚ୍ଛା ହେଉଥିଲେ ମଧ୍ୟ ଭଦ୍ରତା ଖାତିରରେ ଖବର କାଗଜ ପଢ଼ିବାକୁ ଲାଗିଲି… ‘କଟକରେ ଭୀଷଣ ଘର ପୋଡ଼ି-’
କଲିକତି ବାବୁଟି ଖାଲି ହୁଁ ମାରୁଥାଏ। ମଜା ଦେଖିବାକୁ ତାକୁ କଣେଇଁ ଚାହିଁ ପଢ଼ିବାର ଛଳନା କରି କହିବାକୁ ଲାଗିଲି, ‘ଗୋପାଳ ବାବୁଙ୍କର ଗାଈ ତିନୋଟି ମଣିଷ ଛୁଆ ଜନ୍ମ କରିଛି’। ‘ଦୁଇଦିନ ତଳେ କଲିକତାରେ ଯୋତା ବୃଷ୍ଟି ହୋଇଥିଲା।’
ହୁଁ, ହୁଁ-
ବାବୁଟି ଏକଆଖିରେ ପୋଖରୀ କୂଳକୁ ଚାହିଁ ରହିଛନ୍ତି। ଆପେ ଆପେ ପକେଟ୍ରୁ ପାନିଆଟା କାଢ଼ି ହୋଇ ଯାଉଛି ଓ ମୁଣ୍ଡ ସାଉଁଳିବାରେ ବ୍ୟସ୍ତ ଅଛି।
ମୁଁ ପଢ଼ା ବନ୍ଦ କଲି, ତଥାପି ବାବୁଟି ଦୁଇଥର ହୁଁ ହୁଁ କହି କ’ଣ ଯେପରି ଶୁଣୁଛନ୍ତି ତା’ର ପ୍ରମାଣ ଦେବାକୁ ବ୍ୟସ୍ତ। ତାଙ୍କର ଆଖି ଲାଖି ରହିଥିଲା ପାଣି ତୁଠରେ। ସେହି ବୋହୂଟିର ପିଠିରୁ ଲୁଗା କାଢ଼ି ଫୁଙ୍ଗୁଳା ପିଠିରେ ଆର ଝିଅଟି ହଳଦି ଲଗାଇ ଦେଉଛି। ମୋର ଭାରି ରାଗ ହେଲା। ଅନୁଭବ କଲି ସତେ ଯେପରି ଲୋକଟା ମୋତେ ନିର୍ବୋଧ ଭାବୁଛି।
ମନେ ହେଲା, ସତେ ଯେପରି ସେହି ଅଜଣା ବୋହୂଟିକୁ ଦେଖିବାର ଓ ତା’ର ଅଧଲଙ୍ଗଳା ଦେହର ସବୁ ଶୋଭା, ସବୁ ମଧୁରତା ଉପଭୋଗ କରିବାର ଏକମାତ୍ର ମୋଓରି ଅଧିକାର। ମୋର କେହି ପ୍ରତିଦ୍ବନ୍ଦୀ ହେବ, ଏହା ମୁଁ ସହି ପାରିବି ନାହିଁ। ମୋଓରି ଭିତରୁ ଯେପରି କିଏ କହି ଉଠିଲା, ମୋର, ସେ ମୋର-
କଲିକତିଆ ବାବୁଟିର ହାତ ଧରି ଟିକିଏ ଜୋର୍ରେ ହଲାଇ ଦେଇ କହିଲି- ନିଅ, ତମେ ନିଜେ ଏ କାଗଜ ପଢ଼। ମୁଁ ପଢ଼ି ପାରିବି ନାହିଁ।
ସେ ଟିକିଏ ଚମକି ପଡ଼ିଲା ପରି ହୋଇ ମୋତେ ଅନାଇ କହିଲା, ଥାଉ, ରଖନ୍ତୁ, ମଟରରେ ପଢ଼ିବା। ପୁଣି ଚାହିଁଲା ପୋଖରୀ କୂଳକୁ। ବୋହୂଟି ପାଣି ଭିତରେ ପଶିଲାଣି। କେଡ଼େ ନିରୀହ ଆଖିରେ ମୋର ଆଡ଼କୁ ଚାହିଁ ରହିଛି। ହୁଏତ ମୁଁ ଭାବୁଥିଲି ସେହିପରି। କଲିକତିଆ ବନ୍ଧୁଟି ମଧ୍ୟ ସେଇ କଥା ଭାବୁଥିବ। ଆରପାଖ ହୁଡ଼ାରେ ଟହଲ ମାରୁଛି ଯେଉଁ ଲୋକଟି, ଘାଗଡ଼ା କଣ୍ଠରେ ଗାଉଛି ଅଶ୍ଳୀଳ ଗୀତ, ସେ ମଧ୍ୟ ଭାବୁଛି ସେଇ କଥା। ମୁଣ୍ଡରେ ଚୁଟି, କାନରେ ନୋଳି, ବୟସ ଷାଠିଏ ପାଖାପାଖି, ହାତରେ ନୋଟାଟିଏ ନେଇ ପାହାଚରେ ଓହ୍ଲାଇଲାଣି, ବୟସ ଗଲାଣି, ଶୋଷ ମରିନାହିଁ। ସେ ବି ଭାବୁଛି।
ମଟର ପାଖରୁ ଆଉ ଦୁଇ ଚାରି ଜଣ ବରମୂଳକୁ ଗଡ଼ିଲେଣି। ଆରେ ଆରେ, ଏ ଲୋକଗୁଡ଼ାକ ବଡ଼ ଅଭଦ୍ର ତ, ବିଚାରୀ କ’ଣ ଜାଣିଥିଲା ଆଜି ମଟର କଳ ବିଗିଡ଼ିବ, ଆଉ ସେ ଏପରି ହଇରାଣ ହେବ? ଗାଁ ବାହାରେ ବିଲ ମଝି ଏକୁଟିଆ ପୋଖରୀରେ ନିରୋଳାରେ ଗାଧୋଇବାର ଯେଉଁ ଆନନ୍ଦ, ଯେଉଁ ସ୍ବାଧୀନତା, ସେତକ ତା’ର ଆଜି ସରିଛି। ଭରା ଯୌବନ ଓ ଝରା ଲଜ୍ଜା, ଦମକା ଛାତି ଓ ଚମକା ସଙ୍କୋଚ, ଉଛୁଳା ପ୍ରେମ ଓ ତୀକ୍ଷ୍ଣ କଟାକ୍ଷ ଧରି ସେ କେବେ ଆସିବ ନାହିଁ ଏପରି।
ଝିଅଟି ଉପରକୁ ଉଠି ଲୁଗା ପାଲଟି ଡାକିଲାଣି, ଆସୁନା ନୂଆଊ’, କେତେ ଡେରି ହେଲାଣି?
ବୋହୂଟି ବେକଯାଏ ପାଣିରେ ବୁଡ଼ାଇ ରଖିଛି। ପାଣି ଉପରକୁ ଯେଉଁ ମୁଣ୍ଡଟି ଉଠିଛି ସେ ମଧ୍ୟ ଗୋରା ହୋଇଛି ରଙ୍ଗୀନ୍ ପଣତରେ। ପୋଖରୀରେ ଫୁଟିଥିବା ଦୁଇଚାରିଟା ନାଲି କଇଁଫୁଲ ପରି ସେ ମଧ୍ୟ ଯେପରି ଗୋଟିଏ। ମୁହଁ ବୁଲାଉଛି ନଣନ୍ଦ ଆଡ଼କୁ।
ଆସୁନା!
ରହ!
ମୁଁ ତେବେ ଆଗରେ ଯାଉଛି। ଦୁଇ ପାହାଚ ଉଠୁଛି ଝିଅଟି। ହାତରେ ତା’ର କଇଁଫୁଲ।
ରହ ମ!
ଅଟକି ରହୁଛି ଝିଅଟି। ଜାଣେ ନା ସେ, କାହିଁକି ତା’ର ନୂଆବୋଉ ପାଣିରୁ ଉଠିବାକୁ ଉଛୁର କରୁଛି। ଜାଣେ ନା ସେ, କାହିଁକି ଏତେ ଅପରିଚିତ ଲୋକ ସେହି ସୁନା ପ୍ରତିମାର ପାଣିରୁ ଉଠିବା ମୁହୂର୍ତ୍ତକୁ ଚାହିଁ ରହିଛନ୍ତି। ହୁଏତ ସମସ୍ତ ବିବାହିତ, ହୁଏତ ସମସ୍ତେ ନାରୀ ଦେହ ସଙ୍ଗେ ଘନିଷ୍ଠ ଭାବରେ ପରିଚିତ, ତଥାପି ସେଥିରେ କ’ଣ ନୂତନତ୍ବ ଅଛି?
ଅଥବା, ନୂତନତ୍ବ ମଣିଷର ମନରେ?
ନ ଯଯୌ ନି ତସୌଃ!
ମଟର ଡ୍ରାଇଭର ହର୍ଣ୍ଣ ଦେଲା।
ଇଚ୍ଛା ନାହିଁ, ବାଧ୍ୟ ହୋଇ ଯେପରି ସମସ୍ତେ ବସ୍ ଭିତରକୁ ଆସିଲେ। ଯିବାକୁ ହିଁ ତ ହେବ।
ସ୍ବପ୍ନ ଭାଙ୍ଗିଲା-ବସ୍ ଚାଲିଲା।
ସେହିବାଟେ ନିତି ଚାଲିଛି କେତେ ବସ୍। କେତେଥର ମୁଁ ଯାଇଛି। ବରଗଛ ପାଖେଇ ଆସିଲେ ଆଖି ଦୁଇଟା ଆପେ ଆପେ ଟାଣି ହୋଇଯାଏ ସେହି ପୋଖରୀ ଘାଟକୁ। ଭରାପାଣି, ଦଳ, ନାଲିକଇଁ, ପାହାଚ ହୁଡ଼ା, ଲମ୍ବି ଯାଇଛି ବାଟଟି ବଙ୍କେଇ ଗାଁ ଭିତରକୁ।
ସବୁ ପଡ଼େ ଆଖିରେ। ପଡ଼େ ନାହିଁ ସେହି ହସକୁରି ନିର୍ବୋଧ ଝିଅଟି, ଆଉ ଶରତ ପୁନେଇଁର ଅନାବିଳ ଉଜ୍ଜ୍ବଳ ଚାନ୍ଦପରି ଉଇଁଥିଲାଯେଉଁ ଯୁବତୀ ରୂପର ଢେଉ ଖେଳାର ଦେଇଥିଲା- ସେହି କ୍ଷଣିକା! ଯାହାକୁ ମୋ’ର ବୋଲି କହିବାକୁ ଉଚ୍ଛନ୍ନ ହୋଇଥିଲା ମନ!
ବସ୍ ଚାଲିଯାଏ। ଅଦୃଶ୍ୟ ହେବାଯାଏ ଗଛଟିକୁ ପଛେଇ ଚାହେଁ। ଛପିଯାଏ ଗଛ। କିପରି ଖରାପ ଲାଗେ। ପ୍ରଶ୍ନଉଠେ ଭିତରେ, କାହିଁ ସେ?