ସଫଳ ଜନମ ସଫଳ ଜୀବନ
ମୁଁ ପରା ଭାରତ ରମଣୀ
ମୋ ତ୍ୟାଗ ପୁଣ୍ୟ ସହିଷ୍ଣୁତା ଗୁଣେ
ମୋହିବି ନିଖିଳ ଧରଣୀ।
ନାରିତ୍ୱର ପୂଜା ନାରୀତ୍ୱେ ଆଦର
ଲଭି ଶେଷ୍ଠାସନ ଜାୟା ଜନନୀର
ବିଧି ବିଧାନେ ମୁଁ ଶକତି, ସାବିତ୍ରୀ
ମୁଁ ଶାରଦା, ଲକ୍ଷ୍ମୀ ରୂପିଣୀ।
ପ୍ରବୃତ୍ତି ନେହେଁ ମୋ’ ନିବୃତ୍ତି ପନ୍ଥା,
ସଂଯମ, ଶାନ୍ତି ଜୀବନେ ଗୁନ୍ଥା
ବୈଧବ୍ୟ ବସନେ, ଚିତାର ଦହନେ;
ମୂର୍ତ୍ତିମତୀ ଧର୍ମ ଧାରିଣୀ।
ଆତ୍ମଶକ୍ତି ଲୀଳା ନର କଳେବରେ
ଉଠିବ ବିଶ୍ୱ କଟାକ୍ଷ ମାତରେ
ମୁଁ ତ ଆଦ୍ୟାଶକ୍ତି
ଭକତି ଆରତି ଅନ୍ତିମ ମୁକ୍ତି ସରଣୀ।
-x- -x- -x-
ବି.ଦ୍ର: ଉକ୍ତ କବିତାଟି ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କଦ୍ୱାରା ୧୯୨୯ ମସିହାରେ ଲିଖିତ ଓ ପ୍ରକାଶିତ ପୁସ୍ତକ “ସ୍ଫୁଲିଙ୍ଗ”ରୁ ଆନୀତ।