ମଦନ ଯେତେବେଳେ ଧୀରେ ଧୀରେ ଆଖି ଖୋଲି ଯନ୍ତ୍ରଣାରେ ଦୀର୍ଘ ‘ଉଃ’ ଶବ୍ଦ କଲା, ସେ ଜାଣିପାରିଲା ନାହିଁ ସେ କେଉଁଠି ଅଛି। ଡେବିରି ଆଣ୍ଠୁ ତଳକୁ ଗୋଡ଼ରେ ତା’ର ଜଳନ୍ତା ନିଆଁ ରଖାଗଲା ପରି ଦାରୁଣ ଯନ୍ତ୍ରଣା ବୋଧ ହେଉଥାଏ। ମୁଣ୍ଡ ପର୍ବତ ପ୍ରମାଣ ବୋଝ ଲାଗୁଥାଏ। ଅଜଣା ଔଷଧର ତୀବ୍ର ଗନ୍ଧ ତାକୁ ଅନୁଭୂତ ହେଉଥାଏ। ଅର୍ଧଚେତନ ଅବସ୍ଥାରେ ଭାବୁଥାଏ କେଉଁଠି ଅଛି ସେ? ଆଖିପତା ଖୁବ୍‌ ଭାରି ଲାଗୁଥାଏ। କାହିଁକି ଏତେ ଯନ୍ତ୍ରଣା? ଅସ୍ଫୁଟ, ଧୀର ଆର୍ତ୍ତନାଦ ତା’ର କଣ୍ଠରୁ ବାହାରିଲା ବେଳେ ତା’ର ମନେହେଲା ପାଟି କରିବାର ଶକ୍ତି ମଧ୍ୟ ତା’ର ନାହିଁ। ସେ ନିଜର ଯନ୍ତ୍ରଣାକୁ ଯେପରି ଉଚ୍ଚ ସ୍ବରରେ ପ୍ରକାଶ କରିବାକୁ ଚାହୁଁଥିଲା, ସେହିପରି ବିକଟ ସ୍ବରରେ ଆର୍ତ୍ତନାଦ ତା’ର ପାଟିରୁ ଶୁଣାଯାଉଥିଲା, ‘ଓଃ ମରିଗଲି’ ବୋଲି କହି ସେ ମୁହଁ ବିକୃତ କରି ପାଟି ବନ୍ଦ କଲା। ‘‘ମୁଁ କେଉଁଠି?’’ ଏହି କଥା ସେ କହିବାକୁ ଚାହୁଁଥିଲା। କିନ୍ତୁ ମୁଣ୍ଡ ଭିତରେ ବୋଝ ପରି ଲାଗୁଥିବାରୁ ସେ କଥାରେ ତାହା ପ୍ରକାଶ କରିପାରୁ ନ ଥାଏ।

ମନେହେଲା ତା’ର ହାତକୁ କିଏ ଧରି ଉଠାଉଛି। ମଦନ ପୁଣିଥରେ ଆଖି ଖୋଲିଲା। ଚୁଡ଼ିର ଝଣଝଣ ଶବ୍ଦ ତା’ର କାନରେ ଆସି ପଶିଲା। ନାରୀ କଣ୍ଠର କୋହ ତାକୁ ଶୁଣାଗଲା ଗୋଟିଏ ପ୍ରଶ୍ନ- ‘‘କେନ୍ତା (କେମିତି) ଲାଗୁଛେ?’’ ସେ ଚିହ୍ନିବାକୁ ଚେଷ୍ଟା କଲା। ସାମ୍‌ନାରେ ନାରୀ ମୂର୍ତ୍ତି। ‘‘କିଏ?’’ ବୋଲି ପଚାରିଲା ମଦନ। ଓଃ, ଏ ଯେ ସୀତା। ତା’ର ନିଜର ସ୍ତ୍ରୀ। ‘‘ମୁଁ ହିଁ ସୀତା’’ ବୋଲି ଉତ୍ତର ହେଲା, ଆଉ ତା’ ସଙ୍ଗେ ଶୁଣାଗଲା ଅସ୍ଫୁଟ ରୋଦନ।
ସେ ଦେଖିଲା ତା’ର ହାତ ହାତରେ ଧରି ସୀତା କାନ୍ଦୁଛି, ଡରି ଡରି, କାଳେ ପାଟିକରି କାନ୍ଦିଲେ କେହି ଗାଳି ଦେବେ। ଆଉ ପାଖରେ ତା’ର ଖଟିଆକୁ ଧରି ଠିଆ ହୋଇଛି ବାବୁ- ଦେଢ଼ ବର୍ଷର ପୁଅ, ଅମର।
‘‘ମୁଇଁ କେନେ (କେଉଁଠି) ଅଛେଁ?’’ ବୋଲି ପଚାରିଲା ମଦନ।
‘‘ଇଟା (ଏଇଟା) ବୁର୍ଲା ଆସ୍‌ପାତାଲ।’’ ସୀତା କହିଲା।
ମଦନ ବାସ୍ତବ ଜଗତକୁ ଫେରି ଆସୁଥାଏ। ଉପରେ ପଙ୍ଖା ବୁଲୁଥାଏ ଓ ବିଜୁଳିବତି ଜଳୁଥାଏ। ତା’ରି ପରି କେତେ ରୋଗୀ ତା’ର ବାମ, ଡାହାଣ ଦୁଇଆଡ଼େ ଖଟରେ ପଡ଼ି ଯନ୍ତ୍ରଣାରେ ଆର୍ତ୍ତନାଦ କରୁଛନ୍ତି।

‘‘ଓଃ ଶୋଷ।’’ କ୍ଷୀଣ କଣ୍ଠରେ କହିଲା ମଦନ। ସୀତା ଉଠିଗଲା ପାଣି ପାଇଁ। କିଛି ସମୟ ପରେ ଜଣେ ନର୍ସ ଫିଡ଼ିଂ କପ୍‌ରେ ପାଣି ଟିକିଏ ଆଣି ପିଇବାକୁ ଦେଇ ପଚାରିଲା, ‘‘କିମିତି ଲାଗୁଛି?’’
‘‘ଓଃ, ମରିଗଲି’’ ବୋଲି କହିଲା ମଦନ।
‘‘କେନ୍ତା (କେମିତି) ହେବା ଗୋ?’’ ବୋଲି କହି ନର୍ସ ଆଡ଼କୁ ଜିଜ୍ଞାସୁ ଦୃଷ୍ଟିରେ ଚାହିଁଲା ସୀତା। ଆଖିରୁ ତା’ର ଝରିପଡ଼ୁଥାଏ ଲୁହ। ‘‘କିଛି ନାଇଁ ହୁଏ। କିଛି ଚିନ୍ତା ନାଇଁ କର। ତୁମର ଭାଗ୍ୟ ଭଲ। ଆଉ ଡରବାର୍‌ (ଡରିବାର) କିଛି ନାଇଁ।’’ ଆଶ୍ବାସନାର ବାଣୀ ଶୁଣାଇଲା ନର୍ସ।

ମଦନ ଦେଖିଲା ଦୁଇ ଗୋଡ଼ରେ, ମୁଣ୍ଡରେ ତା’ର ପଟି ବନ୍ଧା ହୋଇଛି। ହଲ୍‌ଚଲ୍‌ ହେବାର ମଧ୍ୟ ଉପାୟ ନାହିଁ। ଯନ୍ତ୍ରଣାରେ ଗୋଡ଼ ଦୁଇଟି ପୋଡ଼ିଯାଉଛି। ଛଟପଟ ହେବାକୁ ମନ କହୁଛି। କିନ୍ତୁ ଗୋଡ଼ ଦୁଇଟି ଅବଶ ଓ ନିର୍ଜୀବ।

ଗୋଟିଏ ଭୟାନକ କଥା ତା’ର ମନେପଡ଼ିଲା। ସେ ଯାଇଥିଲା କାମକୁ। ହୀରାକୁଦ ବନ୍ଧରେ ପର୍ବତ ପ୍ରମାଣ ଉଚ୍ଚ ଶିଡ଼ି ଉପରେ ଉଠିଥିଲା ସେ, କୁଲିମାନଙ୍କର କାମ ଦେଖିବାକୁ। କାନରେ ତା’ର ଭାସି ଆସିଥିଲା ଦକ୍ଷିଣୀ ରେଜା କୁଲିମାନଙ୍କର ନିରର୍ଥକ ଓ ଶ୍ରୁତିକଟୁ ଐକ୍ୟତାନ ସଙ୍ଗୀତ। ମନେପଡ଼ିଲା ତା’ର ଗୋଟିଏ ଆକସ୍ମିକ ଚିତ୍କାର, ଦୌଡ଼ାଦୌଡ଼ି। ଆଉ ହଠାତ୍‌ ଶିଡ଼ି ଭାଙ୍ଗି କଟ୍‌କଟ୍‌ ଶବ୍ଦ ହେବାରୁ ଓ ବହୁତଗୁଡ଼ିଏ ରେଜା କୁଲିଙ୍କ ସଙ୍ଗେ ସେ ନିଜେ ମଧ୍ୟ ପଡ଼ିଯାଉଥିବାର ମନେପଡ଼ିଲା। ତଳେ, ବହୁତ ପଥର ଓ ବାଲିରେ ନିଜେ ପଡ଼ୁଥିବାର ଦେଖି ସେ ଚିତ୍କାର କରି ଉଠିଥିଲା ଓ ସେଇଠି ତା’ର ଚେତା ହଜିଯାଇଥିଲା। ସେଇ ମୁହୂର୍ତ୍ତକ ମଧ୍ୟରେ ତା’ର ସବୁ ଶେଷ ହୋଇଯିବ ବୋଲି ଭାବୁଥିଲା। ମାତ୍ର ଏବେ ସୁଦ୍ଧା ସେ ବଞ୍ଚିଛି।

‘ବଞ୍ଚିଛି? ସତେ?’ ସନ୍ଦେହରେ ସେ ପୁଣି ହାତ ବଢ଼ାଇଲା ସୀତାର ହାତ ଆଡ଼କୁ। ସୀତାର ହାତରେ ହାତ ଦେଇ ଦେଖିଲା, କେଡ଼େ ଦୁର୍ବଳ; କେଡ଼େ ପାତଳ ହାତଟି। ହାତରେ ତିନିପଟ ଝଲକି ଚୁଡ଼ି। ପୁଅର ମୁଣ୍ଡରେ ହାତ ବୁଲାଇଲା। କଅଁଳିଆ ରୁଖାଶୁଖା ବାଳ। ଆଖି ଦୁଇଟି ତା’ର ଲୁହରେ ଭରି ଉଠିଲା। ସୀତା ତା’ର ଗାଲରେ ବହିଯାଉଥିବା ଲୁହଧାର ଦୁଇଟି ପୋଛିଦେଲା।
‘‘କାଣା (କ’ଣ) ବଲୁଛ?’’ ପଚାରିଲା ସୀତା।

ମଦନର ମୁଣ୍ଡ ଭିତରେ ଯେପରି କିଏ ହାତୁଡ଼ିରେ ପିଟୁଛି। ସେ ପ୍ରଶ୍ନର ଉତ୍ତର ଦେବାକୁ ଚାହୁଁଥିଲା; କିନ୍ତୁ ଯନ୍ତ୍ରଣାରେ ପୁଣି ଓଃ ଶବ୍ଦ କରି ଆଖି ବୁଜିଲା। ସୀତାର ହାତଟିକୁ ଚିପି ଧରିଲା।

‘‘ମୁଁ ଯଦି ମରିଯାଏଁ?’’ ମନେ ମନେ ଭାବୁଥାଏ ମଦନ। ଆଉ ଭାବିପାରେ ନାହିଁ। ହୀରାକୁଦରେ କାମ କରୁଥିଲାବେଳେ ଶୂନ୍ୟରେ ଖସିପଡ଼ିଥିଲା ପରି, ପୁଣି ତା’ର ମନରେ ଗୋଟିଏ ଆତଙ୍କ ସୃଷ୍ଟି ହେଲା, ଯନ୍ତ୍ରଣାରେ ତା’ର ମୁହଁଟା ଖୁବ୍‌ ବିକୃତ ହୋଇଗଲା। ତାକୁ ଶୁଣାଗଲା, ସୀତା ହଠାତ୍‌ ପାଟିକରି କାନ୍ଦି ପକାଉଛି। ସେ ନିଦେଇଲା ପରି ଅଚେତ୍‌ ହୋଇଗଲା।
ସେପ୍ଟେମ୍ବର ୧୯ ତାରିଖ ଦୁଇପ୍ରହର। ବୁର୍ଲା ହାସ୍‌ପାତାଳରେ ମାଧ୍ୟାହ୍ନ ବିଶ୍ରାମରୁ ଆଖିଖୋଲି ଦେଖିଲା ମଦନ। ତା’ର ଜୀବନ ଓ ମୃତ୍ୟୁର ସଂଗ୍ରାମରେ ଜୟୀ ହୋଇଛି ଜୀବନ। କିନ୍ତୁ ଏ ଜୟ ପାଇଁ ତାକୁ ବହୁତ ମୂଲ୍ୟ ଦେବାକୁ ପଡ଼ିଛି। ରକ୍ଷାହେଲା ତା’ର ମୁଣ୍ଡର ବେଦନା ଆଉ ନାହିଁ। ମୁଣ୍ଡର ପଟି ଖୋଲା ହେଲାଣି। ଡାହାଣ ଗୋଡ଼ଟି ପ୍ଲାଷ୍ଟର୍‌ରେ ବନ୍ଧା ହୋଇଥିଲେ ମଧ୍ୟ ବେଦନା ବାରଅଣା କମିଗଲାଣି। କିନ୍ତୁ ବାଆଁ ଗୋଡ଼ର ଆଣ୍ଠୁ ତଳକୁ ବାକି ଅଂଶ ପୂରାପୂରି କାଟି ଦିଆଯାଇଛି। ବାଁ ଜଙ୍ଘରେ ଇଞ୍ଜେକ୍‌ସନ୍‌ ଦେବା ସତ୍ତ୍ବେ ଏବେ ସୁଦ୍ଧା ଭୀଷଣ ବେଦନା ଜଣାପଡ଼ୁଛି। ଜୀବନକୁ ରକ୍ଷା କରିବା ପାଇଁ ଗୋଟିଏ ଗୋଡ଼ର ମାୟା ଛାଡ଼ିବାକୁ ପଡ଼ିଛି ତାକୁ।

ହସ୍ପିଟାଲ୍‌ ନିଃଶବ୍ଦ ପ୍ରାୟ। ରୋଗୀମାନଙ୍କ ମଧ୍ୟରୁ କିଏ ଶୋଇ ଘୁଙ୍ଗୁଡ଼ି ମାରୁଛି ତ କିଏ ଛାତରେ ଝୁଲୁଥିବା ବିଜୁଳି ପଙ୍ଖାକୁ ଶୂନ୍ୟ ଦୃଷ୍ଟିରେ ଚାହିଁଛି। ହସ୍ପିଟାଲ୍‌ର ଚାରିଆଡ଼େ ଆଖି ବୁଲାଇ ଆଣିଲା ମଦନ। ତାହାରି ପରି କେତେ ହତଭାଗ୍ୟ ରୋଗୀ ଯନ୍ତ୍ରଣାମୟ ଜୀବନରେ ଟିକିଏ ସ୍ବସ୍ତିର ନିଦ ଭୋଗୁଛନ୍ତି। କେହି କେହି ହୁଏତ ସୁଖର ସ୍ବପ୍ନ ଦେଖୁଥିବେ। ତା’ର ଡାହାଣ ପାଖ ଖଟରେ ଶୋଇ ଘୁଙ୍ଗୁଡ଼ି ମାରୁଛି ରାମଚନ୍ଦ୍ରନ୍‌। ତାହାରି ପରି ଜଣେ ସୁପର୍‌ଭାଇଜର୍‌। ଭଙ୍ଗା ଭଙ୍ଗା ହିନ୍ଦୀରେ କେତେଥର ସୁଦୂର ତାମିଲ ଦେଶରେ ଥିବା ନିଜର ସ୍ତ୍ରୀ ଛନ୍ଦ୍ରାମ୍ମାର କଥା କହୁଛି। ଏବେ ହୁଏତ ରାମଚନ୍ଦ୍ରନ୍‌ ସ୍ବପ୍ନରେ ମାନ୍ଦ୍ରାଜ ପାଖରେ କେଉଁ ପଲ୍ଲୀରେ ସ୍ତ୍ରୀ ପାଖକୁ ଯାଇଥିବ। ମଦନ ଦେଖିଲା ତା’ର ଖଟ ପାଖରେ ତଳେ ଗୋଟିଏ ମସିଣାରେ ଶୋଇପଡ଼ିଛନ୍ତି, ସୀତା ଓ ପୁଅ ଅମର। ଜାଲିଚଟୁ ପରି ବସନ୍ତଚିହ୍ନ ଭରା ସୀତାର ମୁହଁଟି ନିଦରେ ଉଜ୍ଜ୍ବଳ ଓ ଚିତ୍ତାକର୍ଷକ ଦେଖାଯାଉଛି। ଗାଲରେ ଏବେ ସୁଦ୍ଧା ଲୁହଧାର ଶୁଖିଥିବାର ଚିହ୍ନ ଦେଖାଯାଉଛି। ତା’ର ଉନ୍ନତ ଛାତି ପାଖରେ ମୁହଁ ଗୁଞ୍ଜି ମଦନ ଆଡ଼କୁ ପଛକରି ଶୋଇଛି ଅମର। ସୀତା ପିନ୍ଧିଥିବା ଶସ୍ତା ସମ୍ବଲପୁରୀ ଶାଢ଼ୀଟି ଗୋଟିଏ ଦୁଇଟି ଜାଗାରେ ଚିରିଗଲାଣି। ଦେହଟି ପ୍ରାୟ ନିରାଭରଣ ପାଦ ଆଙ୍ଗୁଠିରେ ଝୁଣ୍ଟିଆ ଛଡ଼ା। ମଦନର ମନରେ କରୁଣା ଓ କାମନା ଏକ ସଙ୍ଗରେ ଜାତ ହେଲା। ଅତୀତର କେତେ ସ୍ମୃତି ଆଜି ତା’ର ପୁରୁଷକାରକୁ ଧିକ୍କାର କଲା।

ତା’ର ମନେପଡ଼ିଲା ପ୍ରାୟ ଦୁଇବର୍ଷ ତଳର କଥା, ଯେତେବେଳେ କି, ସୀତା ବସନ୍ତ ରୋଗରେ ପୀଡ଼ିତ ହୋଇ ପଡ଼ିଲା। ସେହିଦିନୁ ଆରମ୍ଭ ହେଲା ସୀତାର ଦୁର୍ଭାଗ୍ୟର ଦିନ। ସୀତାର ରୋଗ ସମୟରେ ସେ ବରାବର ତା’ଠାରୁ ଦୂରରେ ରହିଥିଲା ଏବଂ ତା’ର ଦେହ ଓ ମୁହଁର ବିକୃତି ଯୋଗୁଁ ସୀତକୁ ଘୃଣା ଚକ୍ଷୁରେ ଦେଖିବାକୁ ଆରମ୍ଭ କଲା। ସେତେବେଳେ ମଦନ ଜାଣିଥିଲା ସୀତା ଆହୁରି ଭବିଷ୍ୟତରେ ତା’ର ଭାବି ସନ୍ତାନର ମାତା ହେବ। ତଥାପି ସେ ତାକୁ ଅବଜ୍ଞା ଓ ତିରସ୍କାର କରିବାକୁ ଆରମ୍ଭ କରିଥିଲା ସେଇଦିନରୁ। ସେଇଦିନରୁ ତା’ର ପତ୍ନୀ ପ୍ରେମ କମିଗଲା। ସେଇଦିନଠାରୁ ଆରୋଗ୍ୟ ହେଲା ପରେ ସୁଦ୍ଧା ସୀତା କେତେ ତିରସ୍କାର, କେତେ ଅପମାନ ନିରବରେ ସହିବାକୁ ବାଧ୍ୟ ହେଲା। ‘ହଁ, ଜାଲିଚଟୁ ମୁହିଁ’ ବୋଲି ତିକ୍ତ ସମ୍ଭାଷଣ ସେହିଦିନଠାରୁ ଶୁଣି ସୀତା ବ୍ୟଥିତା ହୋଇଥିଲା। ସେ ସମୟରେ ବସନ୍ତ ରୋଗ ଯଦି ସୀତାକୁ ନ ହୋଇ ମଦନକୁ ହୋଇଥା’ନ୍ତା ତେବେ ସୀତା ହୁଏତ କେତେ ଆଦର ସହିତ ତାକୁ ସେବା ଶୁଶ୍ରୂଷା କରିଥା’ନ୍ତା। ଏମିତି ସବୁବେଳେ ଛାଇ ପରି ହୁଏତ ତାକୁ ଜଗିଥା’ନ୍ତା। କିନ୍ତୁ ସୀତା ସେ ସମୟରେ ନିଜର ଦୁର୍ଭାଗ୍ୟ ଯୋଗୁଁ ମଦନଠାରୁ କେତେ ଅନାଦର ପାଇଛି।

ତା’ପରେ ମଦନର ମନେପଡ଼ିଲା, ସୀତା ଆରୋଗ୍ୟ ଲାଭ କଲା ପରେ କେତେ ଦୁର୍ବଳ ହୋଇପଡ଼ିଥିଲା, କେତେ ଅସହାୟ ହୋଇପଡ଼ିଥିଲା। ଆଉ ସେହି ଦୁର୍ବଳ, ଅସହାୟ ଅବସ୍ଥାରେ କିପରି ମଦନ ତାକୁ ଘରୁ ତଡ଼ି ଦେଇଥିଲା କହିଲେ ଚଳେ। ମନେପଡ଼ିଲା, ସେହି ସମୟର ଗୋଟିଏ ରାତିର କଥା ଯେତେବେଳେ ମଦନ ତାକୁ କହିଥିଲା, ‘‘ତୋର ଦିହ ତ ଇନେ (ଏଠାରେ) ବଡ଼ା ଅସୁଖ୍ ହେଉଛେ। କିଛିଦିନ, ବାପଘରେ ଯାଇ ରହିଆସ୍‌ ତୁ (ଆସନ୍ତୁ) ବଏଲେ (ବୋଇଲେ) ଭଲ ହେତା (ହୁଅନ୍ତା)। ହାୱାପାନି ବଦଲି ହେଲେ ତୋର୍ ଦିହ ଭଲ୍ ହୋଇଯିବା।’’

ସେତେବେଳେ ସୀତା କହିଥିଲା, ‘‘ମୁହିଁ ବାପ୍ ଘର୍‌କେ ଗଲେ ତୁମ୍‌କେ ରାନ୍ଧିବାଢ଼ି ପରଷିବା କିଏ? ତୁମର କେତେ ଅସୁବିଧା ହେବା?’’

ମଦନ କହିଥିଲା, ‘‘କିଛି ଅସୁବିଧା ନାଇଁ ହୁଏ। ଘରେ ମାଆ ଅଛନ୍। ତୁଇ ଯାଆ, ମାଆଘରେ ଚାର୍ ଛ ମାସ୍‌ ରହିକରି ଆସ୍‌ବୁ। ସେନ୍‌କେ ଗଲେ ଏତେ ଦହଶତ୍‌ (ପରିଶ୍ରମ) ହେବାକେ ନାଇଁ ପଡ଼େ, ଆଉ ତୋର୍‌ ଦିହ ଭି ଭଲ୍‌ ହୋଇଯିବା।’’

ସୀତା ଅଭିମାନ ସ୍ବରରେ କହିଥିଲା, ‘‘କଥା ଅଛେ ‘ନୂଆଁ ନୂଆଁ ସୀତା କଏଁ ତା, ଜୁହ୍ନା ହେଲେ ପିତା’’, ନୂଆଁ ହେଇ କରି ଯେତେବେଳେ ତୁମର୍‌ ଘର୍‌କେ ଆସିଥିଲି, ସେତେବେଳେ କେତେ ଆଦର୍‌ କେତେ ଗେଲ୍‌ କରୁଥିଲ। ଏଭେ ସୀତାକେ ବନ୍‌ବାସ୍‌ ପଠାବାକେ ମନ୍‌ ହେଉଛେ ତୁମର୍‌?’’

‘‘ବାପ୍‌ ଘର୍‌ଟା କାଣା ବନ୍‌ବାସ୍‌ ତୁମର୍‌ ବିନା ଯାହିଁ ଗଲେ ମୋର୍‌ ଲେଖେଁ (ମୋ ପକ୍ଷରେ) ବନ୍‌ବାସ୍‌; ହଉ, ସୀତା-ଠାକୁରାଣୀ ସେତେବେଳେ ବନ୍‌ବାସ୍‌ ଗଲେ, ସେ ତ ବାପ୍‌ ଘରକେ ଯାଇଥିଲେ।’’

Pages: 1 2