ସମୁଦ୍ରର ବାଲିପନ୍ତା ଉପରେ ସେ ଗୋଟାଏ ଲମ୍ବ ଲଟା, ତା ଚେର ପାଇଁ ମାଟି ନାହିଁ, ଖାଲି ଘୁଙ୍ଗା ବାଲି, ମିଠା ପାଣି ନାହିଁ। ସମୁଦ୍ରର ଉଛୁଳା ଲୁଣିପାଣି, ତଥାପି ସେ ବି ଗୋଟିଏ ଶାଗୁଆ ଛନଛନିଆ ଉଦ୍ଭିଦ। ନାଁ ତା’ର ଗୁଡ଼କଙ୍କ।
କିଏ କାହିଁକି ତାକୁ ଚାହୁଁ ଚାହୁଁ ଗୁଡ଼ କଥା ଭାବିଥିଲା ତା ଜଣା ନାହିଁ, ଝିଙ୍କକାଠି ପରି ଠିଆ ଠିଆ ଲମ୍ବ ଲମ୍ବ, ଶୁଖିଲା ବାବୁଲ୍ କଣ୍ଟା ପରି ସରୁ ସରୁ ଆଉ ନିରସ, ଆକୃତିରେ କଦମ୍ବ ଫୁଲ ପରି, ଆକାରରେ ଫୁଟ୍ବଲ୍, ସେହି ତା’ର ଫୁଲ, କେତେବେଳେ କଢ଼ ଧରେ କେତେବେଳେ ଫୁଟେ ଆଉ ଶୁଖେ, ତା’ପରେ ଗୋଟାଛାଏଁ ସେହି କଣ୍ଟାଳିଆ ପିଣ୍ଡୁଳା କେତେବେଳେ ବୃନ୍ତଚ୍ୟୁତ ହୁଏ, ଏଣେ ତେଣେ ଧାଇଁବୁଲେ। ଗୁଡ଼କଙ୍କ କହିଲେ ଆଖି ଆଗରେ ଉଭା ହୁଏ ସେହି ଶୁଖିଲା ଟାଆଁସିଆ ସରୁ ସରୁ କଣ୍ଟା କାଠିଖଞ୍ଜା ଫୁଲଟିମାନ। କଣ୍ଟାମୁନରେ ଭରାଦେଇ ଭୂଇଁ ଉପରେ ଠିଆ ହୋଇଥାନ୍ତି, କେତେବେଳେ ତାଙ୍କ ଦେହରେ ଲାଗେ ସାମାନ୍ୟତମ ପବନର ହାବୁକା, ହଠାତ୍ ଦୌଡ଼ନ୍ତି। ଟଳି ଟଳି ଦୌଡ଼ିଲାବେଳେ, ଅନାଇଁଲେ ଲାଗେ ସତେ ଅବା ସେଗୁଡ଼ାକ କଣ ଜୀଅନ୍ତା ପ୍ରାଣୀ, ନିଜ ଇଚ୍ଛାରେ ନିଜ ନିଷ୍ପତ୍ତି ପ୍ରକାରେ ଦୌଡ଼ନ୍ତି ଅଥବା ବିଶ୍ରାମ କରନ୍ତି। ଏଠିକି ଯାଆନ୍ତି କି ସେଠିକି ଯାଆନ୍ତି, ପରାଧିନ ନୁହଁନ୍ତି, ସ୍ୱାଧୀନ।
ଦି’ପହର ଗଡ଼ିଆସୁଥାଏ। ନିଛାଟିଆ ବାଲିପନ୍ତା। ଶାଗୁଆ ସମୁଦ୍ର ମଠେଇ ମଠେଇ ଗଡ଼େଇ ଲାଗିଥାଏ କାଚପରି ଢେଉ। ମୁଁ ଯେଉଁଠି ବସିଥାଏ ସେପଟେ ଚଢ଼େଇଟିଏ ବି ଉଡ଼ୁ ନ ଥାଏ। ଖାଲି ବାଲି, ପାଣି, ଉପରେ ଆକାଶ, ଦ୍ରଷ୍ଟା ଏକା ମୁଁ।
ସେତିକିବେଳେ ମୁଁ ଲକ୍ଷ କଲି ସେମାନଙ୍କୁ। ବାଲିବନ୍ତ ଉପରେ ଧାଡ଼ି ହୋଇ ସାତଟି ଗୁଡ଼କଙ୍କ ଫୁଲ। ସେମାନେ ସତେକି ନିଶ୍ୱାସ ରୋଧି ଉତ୍ସୁକ ହୋଇ ଅପେକ୍ଷା କରିଥିଲେ, ସେଉଠୁ କାହା ନିର୍ଦ୍ଦେଶ ପାଇଲେ କେଜାଣି ଦୌଡ଼ିବାକୁ ଆରମ୍ଭ କଲେ। ଭାରି ଉତ୍ସାହ ଲାଗୁଥାଏ ସେ ଦଉଡ଼ ଦେଖିବାକୁ। ଏକା ସମୟରେ ଏକାଠି ସେମାନେ ବାହାରିଛନ୍ତି, ସତେ ଯେମିତି ଏକା ଦିନ ଏକା ମୁହୂର୍ତ୍ତରେ ଏ ସଂସାରରେ ଜନ୍ମ ହୋଇଥିବା ସାତଟି ଛୁଆ। ଏକା ଜୀବନ- ଦ୍ୟୋତନାରେ ପ୍ରତ୍ୟେକ ପରିଚାଳିତ, ସତେ ଅବା ସମାନ ସୁଯୋଗ ସୁବିଧା ସମସ୍ତିଙ୍କର। ସେମିତି ସମସ୍ତଙ୍କ ସାମ୍ନାରେ ପଟା ପରି ବାଲି ଲମ୍ବିଛି, ଅଟକେଇବାକୁ କିଛି ନାହିଁ।
ଅଳ୍ପବାଟ ଯାଇ ଗୋଟାଏ ମାଦଳ ହୋଇ ପଡ଼ି ରହିଲା। ଆଉ ଟିକିଏ ଗଲାରୁ ଦି’ଟା ଅଲଗା ଅଲଗା ହୋଇ ଗଡ଼ି ଗଲେ ସମୁଦ୍ର ପାଣିକି, ଆଉ ଖଣ୍ଡେ ଆଗରେ ଆହୁରି ଗୋଟାଏ ଅଟକିଗଲା। ଆହୁରି ଚାଲିଥାନ୍ତି ତିନିଟା, ହଠାତ୍, ଗୋଟଏ ଉପରକୁ ଉଠିଗଲା ଆଉ ଶୂନ୍ୟେ ଶୂନ୍ୟେ କୁଆଡ଼େ ଉଡ଼ି ଉଡ଼ି ଚାଲିଗଲା। ଦଉଡ଼ୁଥାନ୍ତି ଦି’ଟା, ଗୋଡ଼ିଆଗୋଡ଼ି ଆଗ ପଛ ଜଣେ ଆଉ ଜଣକୁ ଛୁଏଁ ନ ଛୁଏଁ। ଆଗଟାର କଣ ବିଗିଡ଼ିଗଲା ସେ ଅଟକିଗଲା। ଚାଲିଥାଏ ପଛଟା ଟଳିଟଳିକା, ସାତଜଣ ବାହାରିଥିଲେ, ଚାଲିଛି ସେ ଏକୁଟିଆ। କେହି ତା’ର ପ୍ରତିଦ୍ୱନ୍ଦି ବି ନାହାଁନ୍ତି।
ହଠାତ୍ ପଛରୁ ବିଜୁଳି ବେଗରେ ଧାଇଁ ଧାଇଁ ଆଇଲା ଆଗେ ଟଳି ପଡ଼ିଥିବା ଭିତରୁ ଗୋଟାଏ। କି ପରିବର୍ତ୍ତନ ତା’ଠିଁ। କଳ୍ପନାତୀତ। ଅଳ୍ପ ସମୟ ପରେ ଆଗର ଗୁଡ଼କଙ୍କକୁ ଟପି ଆଗେ ଆଗେ ଦୌଡ଼ିଲା।
କେଉଁଠି ଏ ଦଉଡ଼ା ଦଉଡ଼ିର ଶେଷ ମୁଁ ଜାଣିପାରିଲି ନାହିଁ। ଆଜି ଆଗ କାଲି ପଛ, ଆଜି ତଳେ କାଲି ଉପରେ।
ଚାହିଁ ରହିଥିଲି। ସମୁଦ୍ର ଫୁଲସ୍ତରା ମାରି ଉଠିଲା, ଲହଡ଼ି ଗଡ଼େଇଲା। କୂଳ ଉପରକୁ, ଆହୁରି ଉପରକୁ। ଗୁଡ଼କଙ୍କମାନଙ୍କ ଦଉଡ଼ ଖେଳରେ ବାଲି ବି ଗଲା ବୁଡ଼ି। ଗୋଟାଏ ଯୁଗ ଶେଷ ହେଲା।