ଅଧ୍ୟାପକ ସୁମନ୍ତ ମହାନ୍ତି ମନ୍ଦାରଗଡ଼ର ସାମନ୍ତ ଶ୍ରୀଚନ୍ଦନ ରାୟ ମହାପାତ୍ରଙ୍କ ବାଟଘର ତକ୍ତପୋଷ ଉପରେ ନିଘୋଡ଼ ନିଦରୁ ଉଠିପଡ଼ିଲା। କ’ଣ ଗୋଟେ ବିକଟାଳ ରଡ଼ି ଶୁଣିବା ପରି ଲାଗିଲା। ଆରପଟ ଖଟରେ ଶ୍ରୀଚନ୍ଦନ ମଧ୍ୟ ବସିପଡ଼ିଲା ପରି ତାକୁ ଦିଶିଗଲା। ଘନ ଘନ ବିଜୁଳି। ଘଡ଼ଘଡ଼ି। ସାଇଁ ସାଇଁ ପବନ! କିଟି କିଟି ଅନ୍ଧାର। ସକାଳୁ ପ୍ରାୟ ଦୁଇଶ କିଲୋମିଟର ଆସିଚି। ପ୍ରତାପପୁର କଲେଜ୍‌ର ମୁଖ୍ୟ ଅତିଥି। ଖାଲି କଥା ଦେଇଥିଲା ବୋଲି ସେ ସକାଳୁ ଭୁବନେଶ୍ୱର ଛାଡ଼ିଥିଲା, ଯଦିଓ ଜାଣିଥିଲା ଯେକୌଣସି ମୁହୂର୍ତ୍ତରେ ଝଡ଼ଟା ଆସିଯିବ। ପ୍ରତାପପୁର ଆଉ ସତର କିଲୋମିଟର ଅଛି, ଗାଡ଼ିଟା ବିଗିଡ଼ିଗଲା। ସେ ଓ ଡ୍ରାଇଭର୍‌ ବର୍ଷା ଭିତରେ ଗାଡ଼ିଟା ଠେଲି ଠେଲି ଅଧକିଲୋମିଟର ନେଲା ପରେ ଅଟକିବାକୁ ବାଧ୍ୟ ହେଲେ। ରାସ୍ତାଟା କଟିଯାଇଥିଲା। ହାତେ ଗହୀର ଦିହାତ ଚଉଡ଼ାରେ ଘୁ ଘୁ ହୋଇ ପାଣିସୁଅ ଛୁଟୁଥିଲା। ତିନ୍ତିବୁଡ଼ି ସାହାଯ୍ୟ ସନ୍ଧାନରେ ଦେଢ଼ କିଲୋମିଟର ଚାଲି ମନ୍ଦାରଗଡ଼ର ଶ୍ରୀଚନ୍ଦନ ଦୁଆରେ ଛିଡ଼ା ହୋଇଥିଲା।

ସାମନ୍ତ ଶ୍ରୀଚନ୍ଦନ ରାୟ ମହାପାତ୍ର। ତ୍ରିପଣ୍ଡ କଳା। ଠିଆ ଠିଆ ଟାଆଁସା ବାଳ, ଚିତାବାଘ ଆଖିପରି ସ୍ଥିର, ଗଭୀର ଜଳନ୍ତା ଦିଇଟା ଆଖି। ବାଘୁଆ ନିଶ ମେଦବର୍ଜିତ ସୁଗଠିତ ସୁଠାମ ବୃଷସ୍କନ୍ଧ ଶାଳପ୍ରାଂସ ଭୁଜ ପୁରୁଷର୍ଷଭ। କଣ୍ଠସ୍ୱର ବଜ୍ର ନିର୍ଘୋଷ। ମିତବାକ୍‌। ପଦେ ଦିପଦ କଥାରେ ଏମନ୍ତ ପାଗରେ ସୁମନ୍ତର ଘରୁ ଗୋଡ଼ କାଢିବାର ହେତୁ, ରାସ୍ତାର କଦର୍ଥନା ଓ ଏବର ଅସହାୟତା ବୁଝି, ଦିଇଟା ମଜ୍‌ବୁତ୍‌ ମୋଟା ତାଗ୍‌ଡ଼ା ତିନିଜଣ ଭେଣ୍ଡା ଓ ଗୋଟେ ଟର୍ଚ୍ଚ ଯୋଗାଡ଼ କରି ଗାଡ଼ିଟାକୁ ଉଦ୍ଧାର କରି ବାହାର ଅଗଣାରେ ପହଞ୍ଚାଇଥିଲେ। ରାତି ନଅଟା। ଜଣକୁ ପ୍ରତାପପୁର ପଠେଇ ଦେଇଛି। ଆଜି ଆଉ କି ସଭା? ଆପଣ ବରଂ ରାତିଟା ଏଇଠି ରହନ୍ତୁ।

ସୁମନ୍ତ ଅଗତ୍ୟା ରାଜି ହୋଇଥିଲା। ରାତିରେ ରୁଟି ଓ କୁକୁଡ଼ା ଝୋଳ । ତକ୍ତପୋଷ ଉପରେ ମୋଟା ନଡ଼ିଆକତା ଗଦି। ତା ଉପରେ ମଖମଲି ତୋଷକ। ସୁମନ୍ତକୁ ଖଣ୍ଡେ ହଳଦିଆ ଦୋସୂତି ଘୋଡ଼ିହେବା ବଢ଼େଇ ଦଉ ଦଉ ଶ୍ରୀଚନ୍ଦନ କହିଲେ,
ରାତିବିକାଳି କାଳେ ଡରିବେ। ଅନୁମତି ହେଲେ ମୁଁ ସେପଟେ ଖଟଟାରେ ଶୋଇବି।
ସୁମନ୍ତ ଆଶର୍ଯ୍ୟ । କି ଅଦ୍ଭୁତ ଲୋକ। ବଳେପଶା ଅତିଥିର ଅନୁମତି ଲୋଡ଼ୁଛନ୍ତି! କହିଲା,
ମୋର ଡରଭୟ ନାହିଁ ଆଜ୍ଞା
ଭୂତପ୍ରେତ?
ହସି ଉଠିଥିଲା ସୁମନ୍ତ।
ଭୂତପ୍ରେତ ଯଦିବା କେବେ ଥିଲେ ଆଉ ନାହାଁନ୍ତି। ସବୁଗୁରା ମଣିଷ ହୋଇଯାଇଚନ୍ତି। ନ ହେଲେ ଏତେ ହାଉଯାଉ ହୁଅନ୍ତେ କିମିତି?
ଆପଣଙ୍କ କଥାକୁ ତାରିଫ୍‌ କଲେ ବି ମତେ କହିବାକୁ ହଉଛି ଯେ, ଭୂତ ସତରେ ଅଛନ୍ତି। ଆଜି ହୁଏତ ଆପଣ ଜାଣିବେ।
ଜାଣିବି ନା ଦେଖିବି? ସେମାନେ କ’ଣ ଏଇଘରେ ଚଳପ୍ରଚଳ ହଉଚନ୍ତି? ଶ୍ରୀଚନ୍ଦନଙ୍କ ଆଖି ଦି’ଟା ଆହୁରି ଜଳି ଉଠିଲା,
ମତେ ବା ଏ ଘରର ଲୋକଙ୍କୁ ପହଳରେ ବି ଭୂତ କହିବା ଶୋଭା ପାଇଲା ନାହିଁ ମହାଶୟ। ଛାଡ଼ନ୍ତୁ ଆପଣ ନୂଆ ଲୋକ। ଏ ଘର ନୁହେଁ। ଏଇ ଗାଁରେ। ସବୁଦିନେ ନୁହେଁ। ବର୍ଷରେ ଥରେ। ଦଶବର୍ଷ ହେଲା। ଶ୍ରାବଣ ଅମାବାସ୍ୟା ରାତିରେ। ସୁମନ୍ତ ଅନୁତପ୍ତ ହେଲେ ବି ଭୂତ ସ୍ୱୀକାର କରିବାକୁ ନାରାଜ। ପଚାରିଲା,
କେଉଁ ବିଦେହୀ ଆତ୍ମା।
ମନେ ହେଉଛି ଆପଣ ପ୍ରେତତ୍ତ୍ୱରେ ଅବଗ୍ରାହୀ। ତଥାପି ଏପରି ପ୍ରଗଳ୍ଭ କାହିଁକି? କେବଳ ମୁଁ ନୁହେଁ। ଏ ଖଣ୍ଡମଣ୍ଡଳରେ ସମସ୍ତେ ଜଣନ୍ତି। ଆମ ସାନ ସାଆନ୍ତାଣୀ ଏପରି ମମତାମୟୀ କମ୍‌ ଥିବେ। ଦୁର୍ଘଟଣାରେ ଦଶବର୍ଷ ତଳେ କାଳ ହୋଇଗଲା, ଶ୍ରାବଣ ଅମାବାସ୍ୟା ଉପରଓଳି। ସେଇ ରାତିରେ ସେ ଆଉ ଗୋଟିଏ ପ୍ରାଣୀ ଦେହରେ ଆବିର୍ଭୂତା ହେଲେ। ସେଇ ଆରମ୍ଭ । ୟା ଭିତରେ ନାନା ଗୁଣିଗାରେଡ଼ି, ମନ୍ତ୍ର ଯନ୍ତ୍ର, ଶାନ୍ତି-ସ୍ୱସ୍ଥ୍ୟୟନ।, ପୂଜା-ଅର୍ଚ୍ଚନା, ଯାଗଯଜ୍ଞ କରାଯାଇଛି। ଏଇଟା ଦଶମ ବର୍ଷ। ଅନେକଙ୍କର ବିଶ୍ୱାସ ଯେ, ଦଶବର୍ଷରେ ପ୍ରେତଯୋନିରୁ ମୁକ୍ତି ସମ୍ଭବ। ଆଉ ହୁଏତ ତାଙ୍କର ଆବିର୍ଭାବ ହେବନାହିଁ। ତଥାପି ମହାଶୟ, ହନୁମାନ ଚାଳିଶା ଆବୃତ୍ତି କରୁଛି। ଅନୁରୋଧ, ଆବୃତ୍ତିର ଅନୁସରଣ କରିବା ହେବେ।

ଶ୍ରୀଚନ୍ଦନ ହନୁମାନ ଚାଳିଶା ଗାଇଲେ। ତାଙ୍କ ପଛେ ପଛେ ସୁମନ୍ତ। “ଭୂତ ପିଚାଶ ନିକଟ ନେହିଁ ଆୱେ, ମହାବୀର ଜବ ନାମ ଶୁନାୟେ।” ପଦଟି ଆଉଡେଇଲା ବେଳେ ସୁମନ୍ତ ଏକ ପରମ ନିଶ୍ଚିନ୍ତତା ଅନୁଭବ କଲା। ପରେ ପରେ କ୍ଳାନ୍ତ ଅବସନ୍ନ ସୁମନ୍ତ ପ୍ରାୟ ସାଙ୍ଗେ ସାଙ୍ଗେ ଶୋଇପଡ଼ିଲା।

ଶବ୍ଦଟା ଶୁଣି ଉଠିପଡ଼ି ସୁମନ୍ତ ଟର୍ଚ୍ଚଟା ଟିପିଦେଲା ବେଳକୁ ଶ୍ରୀଚନ୍ଦନ କହିଲେ;
ଅଧ୍ୟାପକ ମହାଶୟ, ଆଜି ଶ୍ରାବଣ ଅମାବାସ୍ୟା ମନେ ଅଛି? ଆମର ସବୁ ପ୍ରଚେଷ୍ଟା ବ୍ୟର୍ଥ ହୋଇଛି। ସାଆନ୍ତାଣୀ ପ୍ରେତ ଯୋନିରେ ହିଁ ଅଛନ୍ତି।
ଶ୍ରୀଚନ୍ଦନ ମହାଶୟ, ଆପଣତ ଏଇ ମାତ୍ର ଉଠିଲେ। ଜାଣିଲେ କିପରି?
ସୁମନ୍ତବାବୁ, ଆପଣ କାହିଁକି ଉଠିପଡ଼ିଲେ?
କ’ଣ ଗୋଟେ ବିକଟାଳ ଶବ୍ଦ ଶୁଣିଲାପରି ଲାଗିଲା।
ବିକଟାଳ! ମତେ ତ ବିକଳ କ୍ରନ୍ଦନ ପରି ଶୁଭିଲା। ଶୁଭେ। ଆଉ ଟିକକ ପରେ ଶୁଣିବେ। ବିରାମହୀନ ଆକୁଳ କ୍ରନ୍ଦନ। ନାନା ସ୍ୱରଗ୍ରାମରେ। ସମୁଦ୍ରର ପାଣି ଗୋଟିଏ ଆବର୍ତ୍ତରେ ରସାତଳଗାମୀ ହେଲେ ବା ପୃଥିବୀର ସବୁ ପବନ ଗୋଟିଏ ରନ୍ଧ୍ରରୁ ବିନିର୍ଗତ ହେଲେ କିପରି ଶୁଭନ୍ତା ସୁମନ୍ତ ବାବୁ?
ବୁଝିପାରିଲେ ନାଇଁ ଆଜ୍ଞା।
ସୁମନ୍ତ ସତରେ ବୁଝିପାରୁ ନ ଥିଲା। ଭାବୁଥିଲା – କି କଳ୍ପନାରେ ବାବା! କି ଭାଷା ! କିନ୍ତୁ ତା’ ପାଇଁ ଅସଲ ପ୍ରହେଳିକା ସେଇ ମମତାମୟୀଟି। ଦୁର୍ଘଟଣାରେ ମଲେ। କି ଦୁର୍ଘଟଣା? ପ୍ରେତ କାହିଁକି ହେଲେ? ପୁଣି କୋଉ ପ୍ରାଣୀଟିକି ଆଦରିଚନ୍ତି ? ସେଇ ନିର୍ଦ୍ଦିଷ୍ଟ ପ୍ରାଣୀଟି କ’ଣ ଦଶବର୍ଷ ହେଲା ବଞ୍ଚିଚି ? ତା ପ୍ରଶ୍ନ ଶୁଣିଲାପରି ଶ୍ରୀଚନ୍ଦନ କହି ଚାଲିଲେ,

ସାନ ସାଆନ୍ତାଣୀ ପଚିଶ ବର୍ଷରେ ବିଧବା ହେଲେ। ସତୀ ହେବାକୁ ଚାହୁଁଥିଲେ। ଦଶବର୍ଷର ଏକାମାତ୍ର ପୁଅଟି ପାଇଁ ବଞ୍ଚିଲେ। ପୁଅ ଯୋଗ୍ୟ ହୋଇ ବିଦେଶ ଗଲେ। ସେଠାରେ ଘର ସଂସାର କରି ରହିଲେ। ସାଆନ୍ତାଣୀ ଆରମ୍ଭରୁ ଦିଅରକୁ ବହୁତ ସ୍ନେହ କରୁଥିଲେ। ପୁଅ ନ ଫେରିବାରେ ଆହୁରି ବେଶୀ ସ୍ନେହ କଲେ। କ’ଣ କିମିତି ହେଇଗଲା ! ସାଆନ୍ତାଣୀ ଗର୍ଭବତୀ ହେଇଗଲେ। ଗୋଟେ କାହାକୁ ଡକେଇ ଗର୍ଭନଷ୍ଟ କରାଇବାରେ ପ୍ରଚୁର ରକ୍ତଶ୍ରାବ ହେଲା। ମରିଗଲେ। ଆମେ ସବୁ କୁଳକୁଟୁମ୍ବ ଲାଜରୁ ଚୁପ୍‌ଚାପ୍‌ ଶବସତ୍କାର କରିଦେଲୁ। ସେଇ ରାତିରେ ସାରସଟିଏ ମଶାଣିର ଓସ୍ତଗଛରେ ବସି ବିଳାପ କରିବାରେ ଲାଗିଲା। ବାସ୍‌ ଖାଲି ରାତିଟା। ସକାଳୁ ନ ଥିଲା। ପ୍ରତିବର୍ଷ ଶ୍ରାବଣ ଅମାବାସ୍ୟାରେ ଏପରି ଘଟିଲା। ସାରସ ଡାକ ଶୁଣିଛନ୍ତି ଆଜ୍ଞା? ତୁରୀପରି ! ତୁର୍‌ ତୁର୍‌ ତୁର୍‌ ତୁରର୍‌ । ସାଆନ୍ତାଣି-ସାରସଟା କିନ୍ତୁ ମଣିଷ ପରି ବାହୁନେ। ଅବଶ୍ୟ ଭୟଙ୍କର ବଡ଼ପାଟିରେ ।
କ’ଣ ସେଇ ଏକା ସାରସ?
ନାଇଁ ଆଜ୍ଞା। ପ୍ରତିବର୍ଷ ଗୋଟିଏ ନୂଆ ସାରସ ବୋଧହୁଏ। ଦି ତିନିବର୍ଷ ଆମେ ବାଣୁଆ ଲଗେଇଲୁ। ଚାରି ଚାରିଟା ସାରସ ମରାହେଲେଣି। ସାରସ ଦେଖିଛନ୍ତି ଆଜ୍ଞା? ମଣିଷ ଉଞ୍ଚା ବିରାଟ ପକ୍ଷୀ । ଲମ୍ବା ଲମ୍ବା ନାଲିଗୋଡ଼। ମୁଣ୍ଡ ଓ ପାଖକୁ ଲାଗିଥିବା ବେକ ବି ନାଲି। ନାଲି ପଗଡ଼ି ପିନ୍ଧିଥିବା ମଣିଷ ଯେମମିତି! ଆଶ୍ଚର୍ଯ୍ୟ କଥା କ’ଣ କହିବି ଆଜ୍ଞା, ଆମେ ଯଉଗୁରାଙ୍କୁ ମରେଇଲୁଣି ସବୁଗୁଡ଼ାଙ୍କ ଥଣ୍ଟ ବକଟେ ବକଟେ। ବେକମୁଣ୍ଡ ମିଶାମିଶି। ଢିମାଢିମା ଗୋଲ ଆଖି। ପେଚାପରି ମୁହଁ, ଅବିକଳ ମଣିଷ ପରି। ଦେଖିଲେ ଡର ମାଡ଼େ।

ସୁମନ୍ତ ମନରେ ନାନା ପ୍ରଶ୍ନ। ସାରସମାନେ ଯୋଡ଼ିବାନ୍ଧି ରହନ୍ତି। ଜଳା ଭୂମିରେ ବସା ବାନ୍ଧନ୍ତି। ଭୁଲ ବୁଝିଛନ୍ତି ଶ୍ରୀଚନ୍ଦନ। ଆଉ କି ଚଢ଼େଇ ହେଇଥିବ। ଅମାବାସ୍ୟା ଦିନ ଚଢ଼େଇଦଳ ଏଇ ବାଟଦେଇ ଉଡ଼ିଯାଉଥିବେ। ଗୋଟିଏ ଦଳଛଡ଼ା ହେଇ ଅଟକି ଯାଇଥିବ। କହିଲା।
ଆଉ କୋଉ ଚଢେଇ ହେଇଥିବ ଆଜ୍ଞା। ସାରସ ଗଛରେ ରହେନା। ଏକୁଟିଆ ବି ନୁହେଁ। ସୁମନ୍ତ ବାବୁ! ସାରସ ଚିହ୍ନିବାରେ ଆମର ଭୁଲ୍‌ ହେବ? ଆମ ପାଟରେ ଭେଳା ଭେଳା ସାରସ ଆଜ୍ଞା। ଅନ୍ୟ ଚଢ଼େଇ ନୁହେଁ, ସାଆନ୍ତାଣୀ ଗୋଟେ ବେଯୋଡ଼ ସାରସ ବାଛି ବିଜେ ହୋଇ ପଡ଼ୁଛନ୍ତି। ଭାରି ଭଲ ଗାଉଥିଲେ ସିଏ। କେତେଥର ମୁଁ ନିଜେ ଦୂରରୁ ଶୁଣିଛି, ଗୋପାଳକୃଷ୍ଣଙ୍କ ‘‘ସାର ସଜ ସାରସ ଲପନାରେ’’। ଦିଅରର ନାଆଁ ମଧ୍ୟ ସାରଙ୍ଗ। ଯୋଉଥିରେ ହେଉ, ସାଆନ୍ତାଣୀ ଜାଣିଶୁଣି ଏଇ ଚଢ଼େଇଟିକୁ ବାଛିଛନ୍ତି।

ସୁମନ୍ତ କହିବାକୁ ବାହାରୁଥିଲା ଯେ, ‘ ସାରସ ଲପନା’ ର ସାରସାଟା ଚଢେଇ ନୁହଁ, ଫୁଲ। ପଦ୍ମଫୁଲ। ମାତ୍ର ତା’ର ମନେ ପଡ଼ିଗଲା, ସାରସ ଓ ସାରଙ୍ଗ ଉଭୟ ଶବ୍ଦ ପଦ୍ମ ଓ ରାଜହଂସ ପାଇଁ ମଧ୍ୟ ପ୍ରଯୁଜ୍ୟ। ଠିକ୍‌ ସେତିକିବେଳକୁ ତାକୁ ଲାଗିଲା, ଚାରିଆଡ଼େ ଗୋଟେ ଅଦ୍ଭୁତ ସ୍ତବ୍‌ଧତା ଛାଇଯାଉଛି। ମେଘ, ପବନ, ବିଜୁଳି ସବୁ ଯେମିତି ହଠାତ୍‌ ବନ୍ଦ ହେଇଯାଇଚି। ସେଇ ନିମିଷକର ଅଖଣ୍ଡ ନିରନ୍ଧ୍ର ସ୍ତବ୍‌ଧତାକୁ ଚୂର୍‌ମାର କରି ଗୋଟେ କ୍ରମବର୍ଦ୍ଧିଷ୍ଣୂ ବିଳାପ ଧ୍ୱନି ଦିଗବିଦିଗ ବ୍ୟାପିଗଲା- ଆଁ ଆଁ ଆ ଆ ।

ହଠାତ୍‌ ଆଉ ଗୋଟେ ଶବ୍ଦ। ଗୁଳି। ଶ୍ରୀଚନ୍ଦନ ଖଟରୁ ଡେଇଁପଡ଼ି ଦଉଡ଼ିଲେ। ପଛେ ପଛେ ସୁମନ୍ତ। ଆଗରେ ବିରାଟ ଓସ୍ତଗଛ। ଚଢ଼େଇ ଡେଣାର ଫଡ଼ଫଡ଼ ସାଙ୍ଗକୁ ଗୋଟିଏ ମଣିଷର ଗଁ ଗଁ ଶବ୍ଦ। ସୁମନ୍ତ ଟର୍ଚ୍ଚଟା ଜାଳିଲା। ସବୁ ଶବ୍ଦ ବନ୍ଦ ହୋଇଗଲା। ଓସ୍ତମୂଳେ ଗୋଟେ ବିରାଟ ଚଢ଼େଇ। ତା ତଳେ ମଣିଷଟିଏ। ମଣିଷଟିଏ ଚିତ୍‌ହୋଇ ପଡ଼ିଛି। ତା ମୁହଁ ଉପରେ ଚଢ଼େଇ ମୁହଁ। ଦେହ ଉପରେ ଚଢ଼େଇ ଦେହ। ଗୋଡ଼ ଉପରେ ଚଢ଼େଇର ଗୋଡ଼। ଚଢ଼େଇ ଡେଣା ଦି’ଟା ତେର୍ଚ୍ଛେଇ ଯାଇ ମଣିଷଟାକୁ ଆବୋରି ପକେଇଚି। ଉଭୟ ରକ୍ତ ଜୁଡ଼ୁବୁଡ଼ୁ। ଖଣ୍ଡେ ଦୂରରେ ଗୋଟେ ଶକ୍ତିଶାଳୀ ରାଇଫଲ୍‌। ସୁମନ୍ତ ଅନୁମାନ କଲା ଯେ, ଲୋକଟା ଚଢ଼େଇ ମାରିବାକୁ ରାଇଫଲ୍‌ ଫୁଟେଇଚି। ଚଢ଼େଇଟା ଖସି ପଡ଼ିଚି ଠିକ୍‌ ତା’ରି ଉପରେ। ଚଢ଼େଇ ମରିଚି ଗୁଳିରେ। ଲୋକଟା ମରିଚି ଗଛ ଶିଅରେ ମୁଣ୍ଡ ପିଟିହେଇ। ଶ୍ରୀଚନ୍ଦନ ଆଗେଇଯାଇ ଚଢ଼େଇ ଡେଣାଟା ଆଡ଼େଇଦେଇ ଚିତ୍କାର କରିଉଠିଲେ ସାରଙ୍ଗ!