ଗୋଟେ ବୋଲି ପୁଅ। ଘରକୁ ନ ଫେରିବା ଯାଏଁ ବସିଥାଏ ଫାତିମା। ଚାରିଟାଯାକ ଝିଅ ଯାହାତାହା ଖାଇଦେଇ ଶୋଇବାକୁ ଚାଲିଯାନ୍ତି। ଶେଯକୁ ଯାଆନ୍ତି ସିନା, ତାଙ୍କୁ ନିଦ ନ ଥାଏ। ନିଜ ନିଜ ଭିତରେ କେତେ କ’ଣ ବଜର ବଜର ହେଉଥାନ୍ତି। ଫାତିମା କାନରେ କିଛି ପଡ଼େ, କିଛି ପଡ଼େନା। ଅତି ବିରକ୍ତ ଲାଗିଲେ ପାଟିକରେ, କିଛି ସମୟ ପାଇଁ ଘରଟା ଶୂନ୍ଶାନ୍ ହୋଇଯାଏ।
ଶବ୍ଦଗୁଡ଼ା ସତେ ଅବା ଚେମେଣିଆ ସାଜି ଗୁଞ୍ଜି ହୋଇଯାଆନ୍ତି ଚାଳସନ୍ଧିରେ।
ବଡ଼ ଝିଅକୁ ସତର। ତା’ ତଳକୁ ପନ୍ଦର। ତା’ ତଳ ତେର। ତା’ ତଳ ଏଗାର।
ପୁଅ- ଶାମସୁଦ୍ଦିନ, ସ୍ନେହରେ ଫାତିମା ଡାକେ ଶାମା, ନ ବର୍ଷ ଚାରିମାସ।
ଶାମାର ବାପା, ଗାଁର ଗୋଟେ ଲୋକ ସାଙ୍ଗରେ ଅଧିକ ରୋଜଗାର କରିବ ବୋଲି ସୁରଟ ଯାଇଛି, ଛ’ ମାସରୁ ବେଶୀ ହେଲାଣି। ନା ଟଙ୍କା ଆସୁଚି, ନା ସେ ନିଜେ। ନା ଚିଠି ଆସୁଚି, ନା କିଛି ଖବର।
ଏଇ ମାସେ ହବ ଫାତିମା ଚାରିଟା ଘର ଧରିଛି।
ବାସନ ମାଜୁଚି, ଲୁଗା କାଚୁଛି।
ଚାରିଘରୁ ପାଇଥିଲା ଛ’ଶ ଟଙ୍କା। ଗୋଟେ ମାଲିକାଣି ଦେଇଥିଲା ଖୁସିରେ ସେରେ ଚାଉଳ, ପୁରୁଣା ଫ୍ରକ୍। ଆଉ ଜଣେ ଦେଇଥିଲା ପୁରୁଣା ଶାଢ଼ିଟେ।
ଟୋକାଟା ସ୍କୁଲ ଯାଉଥିଲା। ଫାତିମାର ଇଚ୍ଛା ଥିଲା, ଯାହା ବି ହଉ, ଟୋକାଟାକୁ କିଛି ପଢ଼େଇବ। ଝିଅଗୁଡ଼ା ତେଣିକି କିଛି ନ ପଢ଼ିଲେ ନାଇଁ। ହେଲେ ଆଲ୍ଲାଙ୍କର ଦୟା ହେଲାନି।
ଟୋକାଟା ଦିନେ ଗେହ୍ଲେଇ ହେଇ କହିଲା, ‘ବୁଝିଲ ଅମ୍ମି, ମୁଁ ଆଉ ସ୍କୁଲ ଯିବିନାଇଁ।’
: ‘କ’ଣ କରିବୁ?’
: ‘ଗ୍ୟାରେଜରେ କାମ କରିବି, କାମ ଶିଖିବି, ବଡ଼ହେଲେ ନିଜର ଗ୍ୟାରେଜ୍ କରିବି।’
ଭିତରେ ଛାତି ଜଳୁଥିଲେ ବି ଫାତିମା କହିଲା, ‘ତୁ ଚାଲ, ଗ୍ୟାରେଜବାଲା ସହ ମୁଁ ପ୍ରଥମେ କଥାବାର୍ତ୍ତା କରି ଆସିବା, ପରେ ଯାହା ହବ।’
ଫାତିମା ଗଲା କମାଲୁଦ୍ଦିନ ମିଆଁ ଗ୍ୟାରେଜକୁ। ତାକୁ ସବୁ କହିଲା। ପୁଅ ଦେହରେ ଟିପ ନ ଲଗେଇବା ପାଇଁ କଡ଼ା କରି ତାକୁ କହିଲା। ମାସକୁ କେତେ ଦବ, ସେକଥା ଛିଣ୍ଡାଇଲା। ହେଲେ ସେକଥା ଉଠିବା ବେଳକୁ କମାଲମିଆଁ କହିଥିଲା, ‘ବେଟା ତ ଏବେ କାମ ଶିଖିବ, ଦବା ନବା କ’ଣ? ଖାଲି ଭଲକରି ଖାଇବାକୁ ଦେବି।’
ଗ୍ୟାରେଜରୁ ଆସିବାବେଳେ ଫାତିମା ଶେଷଥର ପାଇଁ ଶାମାର ପାପୁଲି ଦି’ଟାକୁ ଧରି ଦେଖିଥିଲା। ତା’ ଆଖି ଛଳଛଳ ହୋଇ ଆସିଥିଲା। ଫୁଲପରି ପାପୁଲି ଦି’ଟା ଆଉ ଫୁଲ ହୋଇ ରହିବ ନାହିଁ। ଧୀରେ ଧୀରେ ଟାଣ, ପଥର ହୋଇଯିବ। ନିତି କଳା ହବ। ଗ୍ୟାରେଜ୍ରେ ଯାବତୀୟ ବଜ୍ଜାତ୍ କଥା ଶିଖିବ।
ଆଲ୍ଲା-ତୁମେ ହିଁ ବଡ଼ ଲୋକ। ତୁମର ଇଚ୍ଛା ମହାନ୍।
ଝିଅଗୁଡ଼ାଙ୍କ କଥା ଭାବିଲେ ମୁଣ୍ଡ ଝାଇଁ ଝାଇଁ ହେଇଯାଏ। ରୋଜଗାର କରୁ ନ କରୁ, ମର୍ଦ୍ଦଟା ଘରେ ଥିଲେ କେତେ ସାହସ ଥାଆନ୍ତା। ଘରେ ମର୍ଦ୍ଦ ନ ଥିବା କଥା ଜାଣି ଲୋକମାନେ ଠାରରେ କେତେ କ’ଣ କହୁଛନ୍ତି। ଏବେ ଗାଁର ଗୋଟେ ଲୋକ ସାଙ୍ଗରେ ଆଲିଗଡ଼ର ଗୋଟେ ମିଆଁ ଆସିଥେଲେ। ବହୁତ ବୁଝାଇଥିଲା। ବଡ଼ଝିଅକୁ ସେ ନବ। ସିଆଡ଼େ ତା’ର ନିକାହ୍ ହବ, ବେଗମ ପରି ରହିବ। ଗାଡ଼ି-ଘୋଡ଼ା ସବୁର ମାଲିକାଣୀ ହବ।
ଫାତିମାର ସାହସ ହେଇ ନ ଥିଲା।
ଏଣିକି ରାତିରେ ଫାତିମାକୁ ଭଲ ନିଦ ହୁଏ ନାହିଁ। ରାତିରେ କେତେଥର ନିଦ ଭାଙ୍ଗିଯାଏ। ସତେ ଯେମିତି ଘର ଚାକିକଡ଼େ କିଏ ଚାଲବୁଲ କରୁଥିବା ପରି ଲାଗେ। ଜଣକର ନୁହେଁ, ଦୁଉ/ତିନିଜଣଙ୍କର ପାଦ ଶବ୍ଦ ଶୁଭେ। ପୁଣି ଲାଗେ, ସତେ ଅବା କେହି ଯେମିତି ଖୁବ୍ ଧୀରେ, ଫୁସ୍-ଫାସ୍ ହୋଇ କଥାବାର୍ତ୍ତା ହେଉଛି।
କିଏ?
ଆଲ୍ଲା ହିଁ ଜଗିଛନ୍ତି ମତେ, ମୋ ପୁଅକୁ, ମୋ ଝିଅମାନଙ୍କୁ।
ତୁମେ ସବୁ ଦେଖ ଆଲ୍ଲା, ତୁମେ ହିଁ ସବୁ କରାଉଥାଅ।
ତୁମେ ଆଉ କାହାର ନ ହୁଅ ପଛକେ, ତୁମେ ଗରିବର – ତୁମେ ଅସହାୟର ନିଶ୍ଚୟ।
ସେଇ ଗୋରା ତକ୍ତକ୍ ସୁନାମୁହାଁ ଟୋକାଟା ଦିନେ କହେ; ‘ଅମ୍ମି, ପୂରା ଗାଡ଼ିଧୁଆ ଶିଖିଗଲିଣି!’
କେତେଦିନ ପରେ କହେ, ‘ଅମ୍ମି, କ୍ଳଚ୍ ତାର ଲଗେଇ ପାରୁଚି।’
ପୁଣି କହେ, ‘ଚକା ଖୋଲି ଭିତରକାମ କରୁଚି ଅମ୍ମି।’
ସେ କେତେ କଣ କହେ। ଫାତିମା ଚାରଣା ବୁଝେ, ବାରଣା ବୁଝି ପାରେନା।
ମଝିରେ ମଝିରେ ଦଶଟଙ୍କା, କେବେ କୋଡ଼ିଏ ଟଙ୍କା ଦିଏ।
ମାସ ଶେଷରେ ଦରମା ଟଙ୍କା ଯେତିକି ପାଇଥାଏ, ସବୁତକ ଆଣି ଫାତିମା ହାତରେ ଦିଏ।
ବଡ଼ଝିଅକୁ ଏ ଭିତରେ ପଚିଶ ହେଲାଣି।
ତା ତଳକୁ ତେଇଶ।
ତା ତଳକୁ ଏକୋଇଶ।
ଲୋକ ଆସୁଛନ୍ତି, ଯାଉଛନ୍ତି ନିକାହ ହୋଇପାରୁନାହିଁ।
ଶାମାର ରୋଜଗାର ବଢ଼ୁଛି, ହେଲେ ସେ ତା ସ୍ବପ୍ନର ନିଜର ଗ୍ୟାରେଜ୍ କରିପାରି ନାହିଁ।
ଆଲିଗଡ଼, କାନପୁର, ଗାଜିଆବାଦରୁ ମଝିରେ ଲୋକ ଆସୁଛନ୍ତି। ଦଶ ହଜାର, କୋଡ଼ିଓ ହଜାର ଯାଚୁଛନ୍ତି। ଝିଅମାନେ ଯିବେ। ପ୍ରାସାଦରେ ରହିବେ, ରାଣୀ ବନିଯିବେ।
ଫାତିମା ଆକାଶକୁ ଚାହେଁ। ଗାଁ ଭିତରେ ଗଲାବେଳେ ମସ୍ଜିଦ୍କୁ ଚାହେଁ। ରାତିରେ ଝିଅମାନେ ଲଗାଲଗି ହୋଇ ଶୋଇଥିବାବେଳେ ସେମାନଙ୍କ ମୁହଁକୁ ଚାହେଁ। ଦଶବର୍ଷ ତଳେ ଝିଅମାନେ ଫୁଲ, ସକାଳର ଫୁଲ ପରି ସତେଜ ଦିଶୁଥିଲେ। ଏବେ କେତେଦିନ ହବ ବଡ଼ ଦି’ଟା କେତେ ଶୁଖିଲା ଦିଶୁଛନ୍ତି। ସେମାନେ ସବୁ ବୁଝୁଛନ୍ତି, ସବୁ ଜାଣୁଛନ୍ତି।
ଦିନେ,ଘର କାମଦାମ ସାରି, ବାସନମାଜି, କବାଟ ଦେଇ ଶୋଇବାକୁ ଯାଇ ଦେଖିଲାବେଳକୁ ବଡ଼ଝିଅ ଚାହିଁଛି। ସାନଟା ବି ଚାହିଁଥାଏ କି କ’ଣ, ପାଞ୍ଚ ମିନିଟ୍ରେ ତିନିଥର କଡ଼ ଲେଉଟାଉଥାଏ। ଶାମା ବାରଣ୍ଡା କଡ଼କୁ ଏବେ ନୂଆ କରି ହୋଇଥିବା କଣି ବାଉଁଶ ଘେରା ଛୋଟିଆ ଘରଟିରେ ଶୋଇଥାଏ, ତା’ ଘୁଙ୍ଗୁଡ଼ି ସ୍ପଷ୍ଟ ଶୁଭୁଥାଏ।
ଶେଯରେ ବସି ଫାତିମା ଆଲ୍ଲାଙ୍କୁ ଡାକିଲା। ତୁମେ ହିଁ ମୋ ଝିଅମାନଙ୍କର ରକ୍ଷାକାରୀ। ତୁମେ ହିଁ ମୋ ପୁଅକୁ ଆଜିଯାଏ ଭଲ ବାଟରେ ରଖିଛ।
: ‘ଅମ୍ମି!’ ବଡ଼ଝିଅ ଧୀରେ ଡାକିଲା, ‘ଟିକେ ବାହାରକୁ ଯିବା।’
: ‘କାହିଁକି?’ ଫାତିମା ପଚାରିଲା।
: ‘ତମେ ଚାଲନା ଅମ୍ମି!’
ମା-ଝିଅ ଅଗଣାକୁ ଆସିଲେ। ତୋଫା ଜହ୍ନ ପଡ଼ିଛି। ଚାଳର ମଥାନ ଉପରୁ ଦିଶୁଚି ପଡ଼ିଶା ଘରର ନଡ଼ିଆଗଛ। କି ଗୋଟେ ବାସ୍ନା ଖେଳିବୁଲୁଚି ପବନରେ – ବୋଧେ ଆମ୍ବ ବଉଳର ବାସ୍ନା।
: ‘ମୁଁ କ’ଣ କହୁଚି, ବଡ଼ ଝିଅ ଆରମ୍ଭ କଲା, ‘ଏଥରକ ରହିମ୍ ଚାଚା ଆସିଲେ ତମେ ମନା କରିବନି ଅମ୍ମି, ଆଲିଗଡ଼ ହେଉ କି ଲକ୍ଷ୍ନୌ ହଉ, ମୁଁ ଯିବାକୁ ରାଜି। କିଛି ବିପଦ ଆସିବ ନାହିଁ। ଆଲ୍ଲା ଅଛନ୍ତି। ଯୋଉ ପନ୍ଦର/କୋଡ଼ିଏ ହଜାର ଟଙ୍କା ମିଳିବ, ଶାମାକୁ ଦେଲେ ସେ ନିଜର ଗୋଟେ ଗ୍ୟାରେଜ କରିବ। ତମେ ଏଥରକ ମନା କରିବନି ଅମ୍ମି।’
ଝିଅର ମୁହଁକୁ ଚାହିଁ ପାରୁ ନଥିଲା ଫାତିମା।
ଅଭାବ ଦୂର କରିବା ପାଇଁ ଏମିତି କଥା କହୁଥିଲା କି ସେ?
ନା ତିନିଝିଅ ବୋଝରୁ ନିଜକୁ ଆଡ଼େଇଦେଇ ବୋଝ ହାଲ୍କା କରିବାର ଇଚ୍ଛା?
ନା ସତକୁ ସତ ତା’ର ବାହା ହବାର ଇଚ୍ଛା ପ୍ରବଳ ହେଲାଣି?
‘ତୁ ଚିନ୍ତା କରନା ବେଟୀ’, ଫାତିମା ଝିଅର ମୁଣ୍ଡ ଆଉଁସି ଦେଉ ଦେଉ କହିଲା, ‘ମୁଁ ତମମାନଙ୍କ ପାଇଁ ଅଛି। କିଛି ନା କିଛି ରାସ୍ତା ନିକିଲିଯିବ। ଆଲ୍ଲା ମତେ ଏତେ ବାଟ ଆଣିବା ପରେ ନିଶ୍ଚେ କୂଳରେ ଲଗେଇବେ। କେତେ ଦୁଃଖ ଆଉ ଦେବେ ମତେ?’
ମା-ଝିଅ ଘର ଭିତରକୁ ଆସିଲେ।
ଦିନ ପରେ ଦିନ, ରାତି ପରେ ରାତି ବିତିଯିବାକୁ ଲାକିଲା।
ଦିନେ ମଝିଆଁ ଝିଅ ରାତିରେ ସେଇ ଏକା କଥା ମା’କୁ କହିଲା।
ସବୁ ଶୁଣି ଫାତିମା କେବଳ ମନେ ମନେ କହିଥିଲା: ‘ହେ ଆଲ୍ଲା!’
ମୁଁ ତ କେତେ ଦୁଃଖ ସହିଛି, କେତେ ବିପଦର ସାମ୍ନା କରିଛି, କେତେ ଗରିବୀ ଦେଖିଛି, ସବୁ ଏଇ ଅଙ୍ଗେ ନିଭେଇଚି, ଆଜି ହାରିଯିବି କାହିଁକି?
କଥାଟା ଅବଶ୍ୟ ଫାତିମା କେବେଠୁ ଶୁଣିଥିଲା। ପଡ଼ିଶା ଘରକୁ ଅଖ୍ବାର ଆସେ। ସେଇ କହୁଥିଲା କି କ’ଣ! ହେ ହାଲ୍ଲା, ତୁମେ ହିଁ ଭରସା, ତୁମେ ମୋତେ ସାହସ ଦିଅ।
ବହୁତ ଥର ଏଣିକି ଫାତିମାକୁ ଦେଖିବାକୁ ମିଳିଲା ଗାଁର ସରପଞ୍ଚ ସହ। ତାକୁ କୁହାବୋଲା କରି, ପୁଅଠୁ ପାଁଶ ଟଙ୍କା ଆଣି ବଜାରର ବ୍ୟାଙ୍କରେ ନିଜ ନାଁରେ ଗୋଟେ ଖାତା ଖୋଲିଲା।
ଶାମା ମଜାରେ କହିଲା; ‘ଅମ୍ମି, ଲୁଚେଇ ଲୁଚେଇ କେତେ ଟଙ୍କା ରଖିଚ?’
ଶାମା ତ ସକାଳୁ ଯାଏ, ରାତିରେ ଆସେ, ଅତି ଭଲ ନହେଲେ ବି ଭଲ ରୋଜଗାର ହଉଚି ତା’ର, ତା’ ପଇସା ସେ ତା’ର ବ୍ୟାଙ୍କରେ ରଖୁଚି, ଭଲ ଗ୍ୟାରେଜ କରିବ, ମଝିରେ ମଝିରେ ଭଉଣୀମାନଙ୍କ ପାଇଁ ଡ୍ରେସ୍ ଆଣୁଚି। ଗୋଟିଏ ଡ୍ରେସ୍ରେ ବର୍ଷ ବର୍ଷ ବିତେଇଥିବା ଭଉଣୀମାନେ ଟିକେ ଭଲରେ ତ ବାହାରକୁ ବାହାରି ପାରୁଛନ୍ତି।
ଝିଅମାନେ ଦେଖନ୍ତି: ଅନେକ ସମୟ ମା’ କରିମ୍ ଚାଚା, ହଲିମ୍ ଚାଚା, ପୁଣି ସରପଞ୍ଚ, ପୁଣି ଜମିଲ ଖାଁ – ସମସ୍ତଙ୍କ ସହ ମିଶି ଫୁସ୍ଫାସ୍ ଟୁପ୍ଟାପ୍ ହେଉଛି, କିଛି ଗୋଟେ ଯୋଜନା କରିବାରେ ଲାଗିଚି, ପଚାରିଲେ ‘ସବୁର୍ କର’ ବୋଲି କହି ମୂଳକଥାଟାକୁ ଆଡ଼େଇ ଯାଉଚି। କି ଯୋଜନାରେ ଅଛି କେଜାଣି!
ଶେଷରେ ଦିନେ ଫାତିମା ସକାଳୁ ସକାଳୁ ସଫା ଶାଢ଼ି ପିନ୍ଧି କୁଆଡ଼େ ବାହାରିଲା। ଶାମା ସେତେବେଳକୁ ଗ୍ୟାରେଜ୍କୁ ଯାଇ ସାରିଥିଲା।
ଝିଅମାନେ ପଚାରିଲେ: ‘କୁଆଡ଼େ ଯାଉଚ ଅମ୍ମି?’
ଫାତିମା କହିଲା, ‘ଗୋଟେ କାମରେ ଯାଉଚି, ସନ୍ଧ୍ୟାବେଳକୁ ଫେରିଆସିବି।’
କରିମ୍ ଚାଚା ଓ ଜମିଲ୍ ଖାଁ ବି ବାହାରିଥିଲେ।
ସେମାନେ ସେଦିନ ଫେରିଲେ ନାହିଁ। ତା’ ପରଦିନ ଫେରିଲେ ନାହିଁ।
ସାତଦିନ ପରେ ଗୋଟେ କାର୍ରେ ସେମାନେ ଫେରିଲେ। ଫାତିମାକୁ କରିମ୍ ଚାଚା ଧରି ଧରି ଘରକୁ ଆଣିଲେ। କହିଲେ, ‘ତା ’ର ଏବେ ଆଉ କିଛି ଦିନ ରେଷ୍ଟ ଦରକାର।’
ବୁଝାପଡ଼ିଲା, ଫାତିମା କଲିକତା ଯାଇଥିଲା। ନିଜର କିଡ଼୍ନୀ ଲକ୍ଷେ ଟଙ୍କାରେ ଓ ଗୋଟେ ଆଖି ଦେଢ଼ଲକ୍ଷ ଟଙ୍କାରେ ବିକିଦେଇ ଆସିଲା। ‘ଏଣିକି ମୋ ପିଲାଙ୍କର ଅଭାବ ଦୂର ହେବ!’ ସେ କହୁଥିଲା।