
ଦେବଲୋକରେ ଅଫିସରମାନେ ନୂଆ ନୂଆ ଆଇନ୍କାନୁନ୍ ବିଷୟରେ କିଛି ଖବର ରଖିଲେ ନାହିଁ। ସେହି ମାନ୍ଧାତା ଅମଳର ଆଇନ୍କୁ ଧରି ଦେଶ ଶାସନ କଲେ। ଫଳରେ ଦେବଲୋକରେ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ହେଲାନାହିଁ।
ଏକଥା ଅନୁଭବ କଲା ପରେ-ରାଷ୍ଟ୍ରପତି ବିଷ୍ଣୁ ଉପାୟ ଚିନ୍ତା କଲେ। ଗଣେଶ ତାଙ୍କୁ ପରାମର୍ଶ ଦେଇ କହିଲେ-“ଅଫିସରମାନଙ୍କର ଆଇନ-ଜ୍ଞାନ ପରୀକ୍ଷା କରିବା ପାଇଁ, ଥରେ ବିଭାଗୀୟ ପରୀକ୍ଷା ହେଉ। ପରୀକ୍ଷାରେ ଯେଉଁମାନେ ଶତକଡ଼ା ଷାଠିଏ ନମ୍ବରରୁ କମ୍ ରଖିବେ, ସେମାନଙ୍କୁ ଚାକିରିରୁ ବାହାର କରିଦିଆଯାଉ।”
ଏକଥା ରାଷ୍ଟ୍ରପତିଙ୍କ ମନପସନ୍ଦ ହେଲା। ସେ ସଙ୍ଗେ ସଙ୍ଗେ ପରୀକ୍ଷାର ଦିନବାର ସ୍ଥିର କରି ଇସ୍ତାହାର ପ୍ରକାଶ କଲେ।
ପରୀକ୍ଷା ଦେବା କଥା ଶୁଣୁଶୁଣୁ ଅଫିସରମାନଙ୍କର ପିଚା ପରାସ ହେଲା। ଅବକାରୀ କମିଶନର ମହାଦେବ କହିଲେ-“ ମୁଁ ସିଲେକ୍ସନ୍ ଗ୍ରେଡ୍ ପାଇସାରିଲିଣି। ମୋର କେତେ କାମ କରିବାକୁ ଅଛି। କେଉଁଠି ଗଞ୍ଜେଇ ଚାରା ଲଗାଯିବ, କେଉଁ ଶିଳରେ କେତେ ମସଲା ଦେଇ ଭାଙ୍ଗ ବାଟିଲେ, ଠିକ୍ ନିଶା ଧରିବ, କେଉଁ ଡିଜାଇନ୍ରେ ଚିଲମ ତିଆରି ହେଲେ ଧୂଆଁ ଠିକ୍ ବାହାରିବ, ଏସବୁ ଗବେଷଣା କରିବାକୁ ମୋର ବେଳ ଅଣ୍ଟୁ ନାହିଁ। ମୁଁ ପୁଣି ପରୀକ୍ଷା ଦେବି କେତେବେଳେ? କମାଣ୍ଡର-ଇନ୍-ଚିଫ୍ କାର୍ତ୍ତିକେୟ ରାଗିଉଠିଲେ-ଶାଲା ଗଣେଶ, ମୋ ଭାଇ ହେଲେ କ’ଣ ହେବ? ପରମ ଖୋସାମଦିଆ। ଏସବୁ ତାରି କାଣ୍ଡ। ତାକୁ ସୁବିଧା ପାଇଲେ ଅନ୍ଧାରିଆ ଉତ୍ତମ-ମଧ୍ୟମ ଦେବି।”
ପୁଲିସ କମିଶନର ଚିତ୍ରସେନ କହିଲେ- “ଦେଖ୍ ଲେଙ୍ଗେ-ଶାଲା ଥନ୍ତଲପେଟାକୁ-ବାଟରେ ପାଇଲେ ତା’ ନାଁରେ ପାଞ୍ଚ ଆଇନ୍ କେସ୍ ଠୁଙ୍କି ଦେବି। ନହେଲେ ଚୋର ପଠେଇ ତା’ଘରେ କଳାକନା ବୁଲେଇ ଦେବି।”
ଟ୍ରେଜେରି ଅଫିସର କୁବେର ଧମକ ଦେଲେ-ଏହି ମାସରୁ ଗଣେଶାର ଦରମା ବନ୍ଦ କରିଦେବି। ତା’ର ଯେତେ ଗସ୍ତ ଖର୍ଚ୍ଚ ବିଲ୍ ଟ୍ରେଜେରିରେ ପଡ଼ିରହିଛି, ସେ ସବୁକୁ ନର୍ଦ୍ଦମାରେ ଫିଙ୍ଗିଦେବି। ଜେଲ୍ଖାନା ସମୂହର ଡାଇରେକ୍ଟର ଯମରାଜ କହିଲେ-“ମୁଁ ଧର୍ମରାଜ। ମୋ ହେଡ୍କିରାନି ଚିତ୍ରଗୁପ୍ତ ଯାହା ଲେଖିଦିଏ, ମୁଁ ସେଥିରେ ଆଖିବୁଜି ସନ୍ତକ କରେ। ମୋର ପରୀକ୍ଷା ଦେବା କି ଦରକାର?
ଚିଫ୍ ଫାୟାର ଅଫିସର ଅଗ୍ନିଦେବ କହିଲେ-“ମୁଁ ପୋଡ଼ିବା ଜାଳିବା କାମ ଜାଣେ। କଲମ ସହିତ ପରୀକ୍ଷା ଖାତା ଜାଳିଦେବି।”
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅଶ୍ୱିନୀ କୁମାର କହିଲେ- “ଧନ୍ୱନ୍ତରୀଠାରୁ ଆରମ୍ଭ କରି ଚରକ ଶୁଶ୍ରୁତ ମୋ’ଠାରୁ ଡାକ୍ତରୀ ପାଠ ଶିଖିଛନ୍ତି। ମୋ ପାଇଁ ଗୋଟିଏ କି ପରୀକ୍ଷା ଦରକାର? ”
ଏହା ପରେ ଚିଫ୍ ଇଞ୍ଜିନିୟର(ସିଭିଲ୍) ବିଶ୍ୱକର୍ମା ଓ ଚିଫ୍ ଇଞ୍ଜିନିୟର(ଟେକ୍ନିକାଲ୍) ମୟଦୈତ୍ୟ, ଜଳସମ୍ପଦ ନିର୍ଦ୍ଦେଶକ ‘ବରୁଣଦେବ’ ଆକାଶପଥ ଓ ପରିବହନ ନିର୍ଦ୍ଦେଶକ ‘ମରୁତ’ ପ୍ରଭୃତି ଅଫିସରମାନେ ପରୀକ୍ଷା ଦେବାକୁ ନାପସନ୍ଦ କଲେ ଓ ପ୍ରତିବାଦ କଲେ। ଶେଷରେ ମୁଖ୍ୟ ଶାସନ ସଚିବ ଇନ୍ଦ୍ରଦେବ କହିଲେ-‘ମୋ ପକ୍ଷରେ ପରିକ୍ଷା ହଲରେ ବସିବା ଲଜ୍ଜାକର ବ୍ୟାପାର।”
ପରୀକ୍ଷା ପାଇଁ ବେଦବ୍ରହ୍ମାଙ୍କୁ କୁଳପତି ରୂପେ ବଛାଗଲା। ସେ ପରୀକ୍ଷାର ସିଲାବସ୍ ସ୍ଥିର କଲେ। ଦେବୀ ସରସ୍ୱତୀ, ଦେବଗୁରୁ ବୃହସ୍ପତି, ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ ପ୍ରଭୃତି ପ୍ରଶ୍ନପତ୍ର ତିଆରି କରିବାର ଦାୟିତ୍ୱ ନେଲେ। ଧ୍ରୁବଲୋକରୁ ଧ୍ରୁବଙ୍କୁ ଅଣାଯାଇ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ କରାଗଲା।”
ସପ୍ତର୍ଷିମଣ୍ଡଳରୁ କ୍ରତୁ, ପୁଲହ, ପୁଲସ୍ତ୍ୟ, ଅତ୍ରୀ, ଅଙ୍ଗିରା, ବଶିଷ୍ଟ ଓ ମରିଚଙ୍କୁ ପରୀକ୍ଷକ କରାଗଲା। ମହାମୁନି ବିଶ୍ୱାମିତ୍ର ମୁଖ୍ୟ ପରୀକ୍ଷକ ହେଲେ। ରମ୍ଭା, ମେନକା, ଉର୍ବଶୀ ପ୍ରଭୃତି ଅପ୍ସରାମାନେ ଇନ୍ଭିଜିଲେଟର ହେଲେ। ଦେବସଭା ହଲ୍କୁ ପରୀକ୍ଷା ହଲ୍ କରାଗଲା।
ପ୍ରଶ୍ନପତ୍ର ସବୁ ଗୋପନରେ ତିଆରି ହେଲା ପରେ, ସେ ସବୁକୁ ଗଣେଶ ଜଂଘ ତଳେ ମାଡ଼ି ବସିଲେ।
ଅଫିସରମାନେ ଭାବିଥିଲେ-ପ୍ରଶ୍ନପତ୍ର ସବୁ ଆଗତୁରା ପାଇଥିଲେ, ଦେଖିଲା କାମ କରିଥାନ୍ତେ। କିନ୍ତୁ ଗଣେଶ ପ୍ରଶ୍ନପତ୍ର ସବୁ ଜଂଘତଳେ ମାଡ଼ି ବସିବାରୁ କିଛି ସୁବିଧା ହେଲା ନାହିଁ। ସେଥିପାଇଁ ସମସ୍ତେ ଚିନ୍ତାରେ ପଡ଼ିଗଲେ। ଦେବର୍ଷି ନାରଦ ଦେବଲୋକରେ ଲୋକସମ୍ପର୍କ ଅଫିସର। ସେ ବୁଦ୍ଧି ଦେଲେ “ ଗଣେଶଙ୍କ ବାହନ ମୂଷିକ ମହାରାଜଙ୍କୁ ଧର, ସବୁ ସୁବିଧା ହୋଇଯିବ।”
କିନ୍ତୁ ମୂଷିକ ମହାରାଜଙ୍କୁ ଧରିବା ଏତେ ସହଜ ହେଲାନାହିଁ। ବଡ଼ଲୋକର ଡ୍ରାଇଭର ହେବାରୁ ତା’ର ଲାଙ୍ଗୁଳ ମୋଟା ହୋଇଯାଇଛି। ସେଇଠୁ ମୂଷିକରାଜକୁ କିଏ ଧରିପାରେ ସେମିତି ଲୋକ ଖୋଜା ପଡ଼ିଲା। ଖୋଜୁ ଖୋଜୁ ମୂଷିକରାଜର ଶଳାଭାଉଜକୁ ଦେଖା ମିଳିଲା। ତାକୁ ବହୁ ଟଙ୍କା ଓ ଗହଣା ଉପହାର ଦେବା ପରେ, ସେ ମୂଷିକରାଜକୁ ହାତ କରିବାକୁ ରାଜିହେଲା।
ସୁନ୍ଦରୀ ଶଳାଭାଉଜର ପାଲରେ ପଡ଼ି, ଶେଷକୁ ମୂଷିକରାଜ ପ୍ରଶ୍ନପତ୍ର ଚୋରି କଲା। ଅଫିସରମାନେ ଆଗତୁରା ପ୍ରଶ୍ନସବୁ ଜାଣି ଖୁସି ହେଲେ। କିନ୍ତୁ ପ୍ରଶ୍ନ ସବୁର ଉତ୍ତର ଜାଣି ପରୀକ୍ଷା ଖାତାରେ ସଠିକ ଉତ୍ତର ଲେଖିବା କାହାରି ଦ୍ୱାରା ହେଲା ନାହିଁ। ତେଣୁ ପରୀକ୍ଷାରେ ନିସ୍ତୁକ କପି କରିବାକୁ ସମସ୍ତେ ମିଳିମିଶି ସ୍ଥିର କଲେ।
ପରୀକ୍ଷା ଦିନ ସମସ୍ତେ ହାତଟେକି ବସିଛନ୍ତି। କପି କାଗଜ ଏ ପର୍ଯ୍ୟନ୍ତ କାହାରି ପାଖରେ ପହଞ୍ଚି ନାହିଁ। ବାହାରେ କଡ଼ାକଡ଼ି ବ୍ୟବସ୍ଥା। ତଥାପି ଅପ୍ସରାମାନେ ବ୍ଲାଉଜ୍ ଭିତରେ କପି ଲୁଚାଇ ଅଫିସରମାନଙ୍କୁ ଦେଇଗଲେ। ଦେଲାବେଳେ କେହି ଖିଆଲ କଲେ ନାହିଁ ଯେ-କାହାକୁ କେଉଁ ଉତ୍ତରଟିମାନ ଦିଆଯିବ। ଫଳରେ ଅଶ୍ୱିନୀକୁମାର ମେଡିସିନ୍ ବଦଳରେ ଇଞ୍ଜିନିୟରିଂ ଉତ୍ତର ପାଇଲେ। କୁବେର ଟ୍ରେଜେରିକୋଡ୍ ବଦଳରେ ମେଡିସିନର ଉତ୍ତର ପାଇଲେ। ଯମରାଜ ଜେଲ୍କୋଡ୍ ବଦଳରେ ଟ୍ରେଜେରି କୋଡ୍ର ଉତ୍ତର ପାଇଲେ। ଇତ୍ୟାଦି ଇତ୍ୟାଦି। ସବୁଗୁଡ଼ାକ ତ ଭୁସ୍ ପଣ୍ଡିତ। କିଛି ନ ବୁଝି ଆଖି ବୁଜି ଖାତାରେ ଟିପି ପକେଇଲେ। ଭୁଲ୍ ବୁଝିଲା ବେଳକୁ ପରୀକ୍ଷା ଶେଷ ହୋଇ, ଖାତା ସବୁ ଷ୍ଟ୍ରଙ୍ଗ୍ ରୁମ୍ରେ ରହିଗଲାଣି। ନାରଦ କହିଲେ-“କିଛି ପରବାୟ ନାହିଁ। ସେଣ୍ଟ୍ରାଲ୍ ଭାଲ୍ୟୁଏସନ୍ ହେବାବେଳେ ପରୀକ୍ଷକମାନଙ୍କୁ ଧରିନିଅ।”
କିନ୍ତୁ ସେଣ୍ଟ୍ରାଲ୍ ଭାଲ୍ୟୁଏସନ୍ ବେଳେ କୁଳପତି ବ୍ରହ୍ମା କୁଳବୁଡ଼ା କାମ କଲେ। କେତେଜଣ ଅର୍ବାଚୀନ ମୁନିଙ୍କୁ ଧରି ଆଣି ପରୀକ୍ଷକ କରିଦେଲେ।
ଏଥିରେ ମୁଖ୍ୟ ପରୀକ୍ଷକ ଟିକିଏ ଆପତ୍ତି କଲେ। କିନ୍ତୁ ଆଗନ୍ତୁକ ଅର୍ବାଚୀନ ପରୀକ୍ଷକମାନେ କହିଲେ-“ ବଶିଷ୍ଠ ମେଡିସିନ୍ ବିଷୟରେ କିଛି ଜାଣନ୍ତି ନାହିଁ, ଅଥଚ ସେ ମେଡିସିନ୍ ପେପର୍ ଦେଖୁଛନ୍ତି। ଅତ୍ରୀ ଇଞ୍ଜିନିୟରିଂର ଆଦ୍ୟ ଅକ୍ଷର ନ ଜାଣି ମଧ୍ୟ, ଇଞ୍ଜିନିୟରିଂ ପେପର୍ ଦେଖୁଛନ୍ତି। ଅଙ୍ଗିରା ଜେଲ୍କୋଡ୍ ଜୀବନରେ ଦେଖିନାହାନ୍ତି, ଅଥଚ ଜେଲ୍କୋଡ୍ର ସେ ପରୀକ୍ଷକ। ଏ ସ୍ଥଳରେ ସେମାନେ(ଅର୍ବାଚୀନ ଆଗନ୍ତୁକମାନେ) କାହିଁକି ଖାତା ଦେଖିବେ ନାହିଁ? ମୁଖ୍ୟ ପରୀକ୍ଷକ ବିଶ୍ୱାମିତ୍ର ଏବେ କେଉଁ ଭଲ ଲୋକକି? ତାଙ୍କ ଚରିତ୍ର ଖରାପ ବୋଲି ରେକର୍ଡ ଅଛି।”
ଦେଖୁ ଦେଖୁ ଖାତା ଦେଖା ସରିଗଲା। ନାରଦ ଗୋପନରେ ଖବର ନେଇ ଜାଣିଲେ ଯେ- ଅଫିସରମାନେ ସବୁ ଫେଲ୍ ହୋଇଛନ୍ତି। ତେଣୁ ସେ ଅଫିସରମାନଙ୍କୁ କହିଲେ-“ପାରିବ ଯଦି ଟାବୁଲେଟରମାନଙ୍କୁ ଧର। ସେମାନେ ଚାହିଁଲେ-ଏପାଖ ସେପାଖ କରିଦେବେ।”
କିନ୍ତୁ ଟାବୁଲେଟର ହେଲେ ଦୁର୍ବାସା ଓ ଧର୍ମରାଜ ଯୁଧିଷ୍ଠିର। ଏମାନଙ୍କ ପାଖରେ ହେର୍ଫେର୍ ଚଳିଲା ନାହିଁ। ନାରଦ କହିଲେ-“ଦେଖ ଏଥର ଆଉ ଗୋଟିଏ ବୁଦ୍ଧି କାଢ଼ିବାକୁ ହେବ।”
ନାରଦଙ୍କ ଯୋଜନା ଅନୁସାରେ ଦେବଲୋକରେ ଗୋଟିଏ ନାଚଗୀତର ବ୍ୟବସ୍ଥା ହେଲା। ମହାଦେବ ‘ଡିସ୍କୋ’ ଢଙ୍ଗରେ ତାଣ୍ଡବ ନାଚିଲେ। ତାଙ୍କ ସହିତ ସବୁ ଦେବାଦେବୀ ନାଚିଲେ। ଏହି ସୁଯୋଗରେ ନାରଦ ମାୟାବଳରେ ଚୁଟିଆ ମୂଷା ରୂପ ହେଲେ। ସୁଯୋଗ ଉଣ୍ଡି, ମହାଦେବଙ୍କର ଜଟାରୁ ପୁଳାଏ କାଟି ଦେଲେ। ଜଟା ଭିତରୁ ଗଙ୍ଗାଦେବୀ କୁଦାମାରି ତଳକୁ ଡେଇଁ ପଡ଼ିଲେ। ପାଣି ହାବୁକାରେ ନାରଦ ଛିଟିକିପଡ଼ି ଅଣ୍ଟା ଜଖମ କଲେ।
ଦେଖୁ ଦେଖୁ ଦେବଲୋକ ଜଳାର୍ଣ୍ଣବ ହେଲା। ପାଣିରେ ପରୀକ୍ଷା ଖାତା, ମାର୍କସିଟ୍ ସବୁ ଭାସିଗଲା। ମହାଦେବ ଆସି ଗଙ୍ଗାକୁ ଜଟା ଭିତରକୁ ଫେରେଇ ନେବା ପୂର୍ବରୁ ଗଙ୍ଗାଦେବୀ ବହୁତ କିଛି ଉତ୍ପାତ କରି ସାରିଥିଲେ।
ପରୀକ୍ଷା ଖାତା ସବୁ କିମିତି ପାଣିରେ ଡୁବିଲା, ସେ ବିଷୟରେ କୁଳପତି ତଦନ୍ତ କମିଶନ ବସେଇଲେ। ପୂରା ଏକ ବରଷ ପରେ, ତଦନ୍ତ କମିଶନ ରିପୋର୍ଟ ଦେଲେ-“ମହାଦେବଙ୍କ ଜଟା ପୁରୁଣା ହୋଇ ଆପଣାଛାଏଁ ଛିଡ଼ିଗଲା। ତେଣୁ ପାଣି ସେହି ବାଟେ ଲିକ୍ କରି, ଖାତାପତ୍ର ଭସେଇ ନେଲା। ଦୁର୍ଘଟଣା ନିତାନ୍ତ ଆକସ୍ମିକ। ଏଥିରେ କାହାରି ଦୋଷ ନାହିଁ।” ଏ ରିପୋର୍ଟ ପାଇଲା ପରେ କୁଳପତି ସବୁ ଅଫିସରମାନଙ୍କୁ ପାସ୍ ବୋଲି ଘୋଷଣା କଲେ।
ଏକଥା ଶୁଣି, ଦେବଲୋକର ଅଫିସରମାନେ ନାରଦଙ୍କ ବୁଦ୍ଧିକୁ ଧନ୍ୟ ଧନ୍ୟ କଲେ। ସେହି ଦିନଠାରୁ ଦେବଲୋକରେ ଆଉ ପରୀକ୍ଷା ପାଲା ହୋଇ ନାହିଁ।
(ଏହି ଗଳ୍ପଟି ବେଶ୍ କିଛିବର୍ଷ ପୂର୍ବେ ଲେଖାଯାଇଥିଲେ ମଧ୍ୟ ଲିଖିତ ପ୍ରସଙ୍ଗଟି ଆଜି ମଧ୍ୟ ପ୍ରାସଙ୍ଗିକ)