
ଜେଜେ ଦିନେ ମୋତେ ଡାକି କହିଲେ, ‘ମୋ ହାତ ବାକ୍ସଟା ଆଣ ତ’।
ଛୋଟ ହାତ ବାକ୍ସଟି ଖଟ ଉପରେ ଗୋଟେ ପାଖକୁ ଥୁଆ ହୋଇଥିଲା, ଆଣି ତାଙ୍କୁ ଦେଲି।
ସେ ତାକୁ ଖୋଲି ତା’ ଭିତରୁ ତିନୋଟି ଜିନିଷ ବାହାର କଲେ-ରେଶମୀ ଫିତାରେ ବନ୍ଧା ହୋଇଥିବା ଗୋଟେ ରୂପାର ମେଡାଲ, ଚଉତା ହୋଇ ରଖା ଯାଇଥିବା ଖଣ୍ଡିଏ ପ୍ରଶଂସା ପତ୍ର ଏବଂ ଗୋଟିଏ ସୁନା ଫାଉଣ୍ଟେନ୍ ପେନ୍।
ମୋତେ କହିଲେ, ମୁଁ ସବ୍ଡେପୋଟି କଲେକ୍ଟର ଭାବେ ଚାକିରିରେ ଯୋଗ ଦେଇଥିଲି, ଡେପୋଟି କଲେକ୍ଟର ହୋଇ ରିଟାୟାର କଲି। ସେତେବେଳେ ଡେପୋଟି କଲେକ୍ଟର ହେବା ଅନେକ ବଡ଼ କଥା। ରାଧାନାଥ ଲେଖିଛନ୍ତି:-
‘‘ଆନ ବୋଲେ ମୁହିଁ ଅଟଇ ଡେପୋଟି
କଳା ଲୋକଙ୍କର ଉନ୍ନତିର କୋଟି’’
ଡେପୋଟି କଲେକ୍ଟର ଥିଲାବେଳେ, ମୋ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ସରକାର ମହୋଦୟ ମୋତେ ‘ରାୟ ସାହେବ’ ଉପାଧି ପ୍ରଦାନ କରିଥିଲେ, ଏଇ ମେଡାଲ୍ଟି ମିଳିଥିଲା, ଏଇ ପ୍ରଶଂସା ପତ୍ର ବି। ଏହାକୁ ମୁଁ ସାଇତି ରଖିଛି। ମଝିରେ ମଝିରେ କାଢ଼ି ଦେଖେ ଓ ସେସବୁ ଦିନକୁ ସ୍ମରଣ କରେ, କେତେ ପ୍ରତିଷ୍ଠା ଓ ସମ୍ମାନ ନ ଥିଲା। ଚାକିରିରୁ ଅବସର ନେବା ପରେ ଅଫିସ୍ ତରଫରୁ ଏହି ଫାଉଣ୍ଟେନ୍ ପେନ୍ଟି ମୋତେ ପ୍ରେଜେଣ୍ଟ କରା ହୋଇଥିଲା। ଏସବୁ ସ୍ମୃତି କେବଳ।
ମୋତେ କେତେଜଣ କହିଲେ, ପ୍ରଶଂସା ପତ୍ରଟି କାଚ ବନ୍ଧେଇ କରି ରଖିଦେବାକୁ। ମାତ୍ର ମୁଁ ତା’ କରିନି, ନିଜର ବିଜ୍ଞାପନ ଦେବାକୁ ଚାହିଁନି। କିନ୍ତୁ ଏସବୁ ହାତ ବାକ୍ସରୁ କାଢ଼ି ମଝିରେ ମଝିରେ ଦେଖିବାର ଲୋଭ ସମ୍ବରଣ କରିପାରେନା। ମୁହୂର୍ତ୍ତକ ପାଇଁ ହେଉ ପଛେ, ମନ ଆନନ୍ଦରେ ଭରିଯାଏ। ମୋ ଅନ୍ତେ ଏ ସବୁ କିଏ କ’ଣ ଚାହିଁବ ସାଇତି ରଖିବାକୁ। କହୁ କହୁ ଆଖି ତାଙ୍କର ଲୁହରେ ଛଳଛଳ ହୋଇଯାଇଥିଲା।
ତା’ପରେ ସେ ମୋର ଦୃଷ୍ଟି ଆକର୍ଷଣ କରିଥିଲେ, ତାଙ୍କର ପୁରୁଣା ଟ୍ରଙ୍କ ପାଖରେ ଧୂଳି ଧୂସରିତ ଅବସ୍ଥାରେ ଥୁଆ ହୋଇଥିବା ହଳେ ପୁରୁଣା ଫୁଲ ସୁ’ ପ୍ରତି। ମୁଁ ଆଗରୁ ଜାଣିଥିଲି, ଜେଜେ ଚାକିରିରେ ଥିଲାବେଳେ ଏଇ ଜୋତା ପିନ୍ଧୁଥିଲେ।
ମୁଁ ଜେଜେଙ୍କୁ ପ୍ରତିଶ୍ରୁତି ଦେଇଥିଲି, ମାତ୍ର ମୋର ପ୍ରତିଶ୍ରୁତି ରକ୍ଷା କରି ପାରିଥିଲି କି?
‘‘ସ୍ମୃତିର ସନ୍ତକ ସ୍ୱରୂପ ରଖି ଦେଇଛି ଏହି ଜୋତା ହଳକ ବି। ଚାକିରିରୁ ଅବସର ନେବା ପରେ ଆଉ କେବେ ପିନ୍ଧିନି। କାରଣ ବାତ ଜ୍ୱରରେ ଦି’ ଗୋଡ଼ ମୋର ଗୋଦର ହୋଇଗଲା। ଜୋତା ହଳକ ଅନେକ କଥା ମନେ ପକାଇ ଦିଏ’’। ଜେଜେଙ୍କ ଆଖି ଲୁହରେ ଭର୍ତ୍ତି ହୋଇଯାଇଥିଲା। ‘‘ମୋ ଅନ୍ତେ ଏ ଜୋତା ହଳକ ଫିଙ୍ଗି ଦିଆଯିବ, ଏଥିରେ କୋଣସି ସନ୍ଦେହ ନାହିଁ’’।
ଜେଜେ ମୁହୂର୍ତ୍ତେ ରହି ବାଷ୍ପ ଗଦ୍ଗଦ୍ କଣ୍ଠରେ ପୁନଶ୍ଚ କହିଲେ, ‘‘ତୋ ବାପାକୁ ଏ ସବୁ କଥା କେବେ କହିନି, କାରଣ ମୋ ମନର ଆବେଗ ବୁଝିବା ଭଳି ତା’ର ହୃଦୟ ନାହିଁ। ସେ ଭଲ ତ ତା’ର ଓକିଲାତି ଭଲ। ତୋତେ କହିଲି, ଯଦି ପାରିବୁ, ଏସବୁକୁ କିଛି ଦିନ ହେଲେ ସାଇତି ରଖିବୁ’’।
ଜେଜେଙ୍କ ମନର ସ୍ପନ୍ଦନକୁ ପୃଥିବୀର କେଉଁ ମହାର୍ଘ ରତ୍ନ ସହିତ ତୁଳନା କରିହେବ?
ମୁଁ ଜେଜେଙ୍କୁ ପ୍ରତିଶ୍ରୁତି ଦେଇଥିଲି, ମାତ୍ର ମୋର ପ୍ରତିଶ୍ରୁତି ରକ୍ଷା କରି ପାରିଥିଲି କି?
ଜେଜେଙ୍କର ଦେହାନ୍ତ ହୋଇଯିବା ପରେ, ଅନେକ ଦିନ ଧରି ରହିଥିଲା ହାତବାକ୍ସ ଭିତରେ ସୁନା ଫାଉଣ୍ଟେନ ପେନ୍, ରୂପା ମେଡାଲ ଓ ପ୍ରଶଂସା ପତ୍ରଟି। ମାତ୍ର ଦିନେ ମୋ ସାନଭାଇ ମାଗିନେଲା ସେ କଲମଟି, ପରେ ଶୁଣିଲି, ସେ ତାହା ହଜାଇ ଦେଇଛି।
ରୂପା ମେଡାଲ ଓ ପ୍ରଶଂସା ପତ୍ର କେମିତି କୁଆଡ଼େ ଯେ, ହାତବାକ୍ସରୁ ଉଭାନ ହୋଇଗଲା, ମୁଁ ଜାଣି ପାରିଲିନି।
ଜେଜେଙ୍କ ଜୋତା ହଳକ କିନ୍ତୁ ସଯତ୍ନେ ରଖିଥିଲି ଅନେକ ଦିନ। ଦିନେ ହଠାତ୍ ଦେଖିଲି ଜୋତା ହଳକ ଆଉ ନାହିଁ। ପୁରୁଣା ଯୋତା ଭାବି କେହି ନିଶ୍ଚେ ଫୋପାଡ଼ି ଦେଇଛି। ଘରେ ସମସ୍ତଙ୍କୁ ପଚାରିଲି, କିନ୍ତୁ କେହି ମାନିଲେନି।