(ରାଗ-ଆଷାଢ଼ ଶୁକ୍ଳ)
ଜଗତେ କେବଳ,
ଜନେ ହସିବେ ଏହି ତହୁଁ ଫଳ।
କଟିଳ କରି ସ୍କନ୍ଧ ରୋମରାଜି,
ଶିଖରୀ ଦରୀରେ ମରୁ ଗରଜି
କୁଟିଳ କରି ଭ୍ରୁକୁଟିକୁ ଚାହୁଁ,
ସରମା କଣ୍ଠିରବ ହେବ କାହୁଁ।
ଅଲକତ ଦ୍ରବ ନୟନେ ବୋଳି,
ରସାଳ ଗହଳ ଶାଖାରେ ଖେଳି
କବଳ କରୁ ତା କଳି କଳାପ,
କାକ କି କରିବ ପଞ୍ଜମାଳାପ।
ବରଜୀବ ରସେ ଦେଇ ମାନସ,
ବରଜି ବରଷେ ଅମେଧ୍ୟ ଗ୍ରାସ
ଦେହେ ମନ୍ଦାକିନୀ ରଜ ଲଗାଇ,
ଗ୍ରାମ ଶୂକର କି ହୋଇବ ଗାଈ।
ଚଞ୍ଚୁ ଚରଣେ ଲଗାଇ ହିଙ୍ଗୁଳ,
ନିଜ ତୁଣ୍ଡେ ମଣ୍ଡି ଖଣ୍ଡ-ମୃଣାଳ
ଚାଲୁଁ ପୂର୍ବ ଅଙ୍ଗ ବୁଲାଇ ବକୀ,
ତେବେ ସେ ମରାଳୀ ବୋଲାଇବ କି।
ରଞ୍ଜି ନାୟକ ରଙ୍ଗେ ଚୋପଦାର,
ଖଞ୍ଜିଲେ ହେଲେ ଚାବୁକ ସବାର
ଖିଲାଇଲେ ହେଲେ ନାନା ମସଲା,
ତୁରଙ୍ଗ ହୁଏ କି ରାସଭ ପିଲା।
ବଦରିକା ବନେ ନିତ୍ୟ ନିବାସ,
କରି ଆଚରି ବ୍ରତ ଉପବାସ
ପ୍ରଯତ୍ନ କଲେ ହେଁ ନାନା ପ୍ରକାର,
ଖଦ୍ୟୋତ ହୋଇବ କି ପ୍ରଭାକର।
ଯାହାକୁ ଯାହା କରିଛି ଦଇବ,
ତହୁଁ ନି କି ସେ ଅନ୍ୟଥା ହୋଇବ
ଘେନିଲେ ହେଲେ ଯତ୍ନେ କୋଟି ପୁଟ,
ପିତ୍ତଳୁଟି କେହି ହେବ ପୁରଟ।
ଦେବ ଉପବନେ ହୋଇ ଜନିତା,
ସ୍ବବାସ ମଦରୁ ଜବସ ଲତା
ତୁଳସୀ ତୁଲେ ହେଲେ ମିଶାମିଶି,
ତାହାକୁ ଯେବେ ବୋଲିବା ତୁଳସୀ।
ସମଜଇ ନାହିଁ ସ୍ବଜାତି ଭାଷା,
କହିଲେ ଯେ ହୁଅଇ ଲୋକହସା
ଜଡ଼ ମୁଁ ବୋଲି ନ ଜନ୍ମି ନିର୍ବେଦ,
ଷଡ଼ଦର୍ଶୀ ତୁଲେ କଲେ ବିବାଦ।
ଦେହରେ ବାଜିଲେ ପର ନିଶ୍ବାସ,
ସମ୍ଭାଳିବାକୁ ନ ଥାଇ ବିଶ୍ବାସ
ନିର୍ଲ୍ଲଜ ଅଭିମାନେ ଡେରି ଛାତି,
ହାତୀ ଲଢ଼ାଇକି ବାନ୍ଧିଲେ କାତି।
କରମରେ ତ ହୋଇଅଛି ଲେଖା,
କରମର୍ଦ୍ଦକ ଯୋଗ୍ୟ ତୋର ଶିଖା
ହର ମଉଳ ଯୋଗ୍ୟ ଚମ୍ପକକୁ,
ଭରମରେ ବୃଥା ପଡ଼ି ଯା ଟାକୁ।
ଚାରୁ ଚନ୍ଦ୍ରୋଦୟା ମଶାଲ ପାଖେ,
ବହ୍ନି ଜାଳିବ ଯେବେ ଦିଶା ମୁଖେ
ଧାତା ତ କରିନାହିଁ ତା ନିକାଶେ,
କି ରୂପେ ହେବ ସେପରି ପ୍ରକାଶ।
ବୋଳିହୋଇ ଭୂତି ଧରି ପରଶୁ,
ବଳୀବର୍ଦ୍ଦବର ଚରମେ ବସୁ
ଗଉରୀ-ପ୍ରାଣନାଥ ଅନୁଭାବ,
ଠଉରି ପାରିବନାହିଁ ତ ଲବ।
ସର ପର୍ପଟି ଯାହାକୁ ମିଳଇ,
ସେ ସୁଖେ ତା ଭୋଜନେ ପ୍ରଚଳଇ
ସଢ଼ାଇବାକୁ ତା ବଡ଼ାଇ ବସି,
ଦୁର୍ମତି ଯେବେ ଚୋବାଇବ ଘଷି।
ଚିର ତପବଳୁ କେଉଁ ପୁରୁଷ,
ସମ୍ପାଦି ଯୋଗ୍ୟ ଗୁଣ ପଉରୁଷ
କରିଷେ ସଞ୍ଚରିବା ନ ସହିବ,
କରୀଷକଟେ ଯେବେ ଆରୋହିତ।
ଗଙ୍ଗାର ପ୍ରବାହେ ଅଳପେ ବୁଡ଼ି,
ଅଙ୍ଗାର ନିକି ନିଜ ବର୍ଣ୍ଣ ଛାଡ଼ି
ବଳାହିତ ରତ୍ନ ପରି ଦିଶିବ,
ବାଳା ପୟୋଧର ହାରେ ମିଶିବ।
ସତରବୟସୀ ସତତ ମନ,
କରଇ ଯାହାକୁ ଅନୁଗମନ
ଛବି-ଶୂନ୍ୟ; ଷଣ୍ଡ ବୃଦ୍ଧ ତା ତୁଲେ,
ଅବିବେକଦଶୁ ବିବାଦୀ ହେଲେ।
ଗୁଞ୍ଜର କେଉଁ ପୁଣ୍ୟବଳୁ ସିନା,
ସଙ୍ଗକୁ ଅଙ୍ଗୀକାର କଲା ସୁନା
ହୋଇଲି ତ ବୋଲି କନକ ତୁଲ୍ୟ,
ଲୋଡ଼ିବ ଯେବେ ତାହା ତୁଲ୍ୟ ମୂଲ୍ୟ।
ଗଜପତି କୁମ୍ଭସ୍ଥଳେ ବିଦାରି,
ସଜ ପଲକ ଭୁଞ୍ଜିବାରୁ ହରି
ଦୃଷ୍ଟି ନ ଦେଲା ବୋଲି ଅନ୍ୟ ଶବେ,
ଜମ୍ବୁକେ ଯଶସ୍ବୀ ବୋଲିବା ଯେବେ।
ମାନୋଦ୍ଧାରଣ ଶରଣପଞ୍ଜର,
ବଘେଇ ବାଦଶା ନୃପକୁଞ୍ଜର
ରାଜା ଜଗଦ୍ଦେବ ହରିଚନ୍ଦନ,
ଲଙ୍ଘିଲେ ତାକୁ ନ କରି ଚନ୍ଦନ।
ତାଙ୍କ ସୁଧର୍ମା ତୁଲ୍ୟ ସଭା କବି,
ଭଣିଲେ ରାୟଗୁରୁ କବିରବି
ଶ୍ରବଣ-ସର୍ବାବୟବୀ ମାନବ,
ସହସ୍ରାକ୍ଷ ସାମ୍ୟ ଯେବେ ଲୋଡ଼ିବ।
ଜଗତେ କେବଳ,
ଜନେ ହସିବେ ଏହି ତହୁଁ ଫଳ।
ଜଗତେ କେବଳ, ଜଗତେ କେବଳ, ଜଗତେ କେବଳ ଜଗତେ,
ଆନଲେଖା ନାହିଁ ପଢ଼ିବାକୁ ଆଉ, ପଢ଼ିଯାଅ ଥରେ ଭକତେ ।
ମୂରୁଖ ରୁ ଜ୍ଞାନୀ, ଆଉ ଶବ୍ଦଧନୀ ପିଇଯାଅ ଆଷାଢ଼ ଶୁକ୍ଳ କୁ,
ସଂସାର ବାଆ ରେ ଧନ୍ଦାର ମୋହରେ ବୁଝିଯାଆ ଜ୍ଞାନସାର କୁ ।
କବିସୂର୍ଯ୍ୟ ଲେଖା ଅତି ମନଯୋଖା ଭେଦି ଯାଉଅଛି ମରମ,
ଖୋଲିଦେବ ଆଖି, ନିଅ ହେ ପରଖି ଅଜ୍ଞାନ ର ସବୁ ଭରମ ।
ମନ ପ୍ରାଣ ଆତ୍ମା ଆଲୋକିତ ହେବ ସୁଧା ଶୁଦ୍ଧ ଅଟେ ଏ ଗୀତ,
ସତ୍ୟ ଏ ବଚନ, ବୁଝ ଓ ବୁଝାଅ ଭୂଲି ସେ ଅଜ୍ଞାନ ଅତୀତ ।
କବିସୂର୍ଯ୍ୟ ବଳଦେବ ରଥଙ୍କର ସବୁ ଲେଖା ଏତେ ଉଚ୍ଚକୋଟୀର ତଥା ସରଳ ଯେ ଏହା ଅକ୍ଳେଶରେ ପାଠକ ମାନଙ୍କର ହ୍ରୁଦୟ୍ ସ୍ପର୍ଷ
କରିପାରେ
ଧନ୍ୟବାଦ ଦଶମ ରେ ପଢିଥିଲି ସାହିତ୍ୟ ବହୁତ ଭଲ ଲାଗେ । ଖୋଜିକି ପାଇଲି ବହୁ କବିତା । ଦୟାକରି ଫକୀର ମୋହନଙ୍କ ଗଳ୍ପ ଓ କବିତା ଖୋଜିବାରେ ସାହାଯ୍ୟ କରନ୍ତୁ ।
କବିସୂର୍ଯ୍ୟ ବଳଦେବ ରଥ ଙ୍କର କବିତା ଗୁଡିକ ଓଡ଼ିଆ ଭାଷା ସାହିତ୍ୟର ମୁକ୍ତା ସଦୃଶ। ତାଙ୍କର ରଚନା ଯୁଗ ଯୁଗ ଧରି ଓଡ଼ିଆ ସମାଜକୁ ପ୍ରଭାବିତ କରୁ ଥିବ। କବିଙ୍କର “ଜଗତେ କେବଳ ଜନେ ହସିବେ” କବିତା ପ୍ରତ୍ୟକ ବ୍ୟକ୍ତିର ଥିବା ସିମାବଦ୍ଧତାକୁ ସର୍ବଦା ସୂଚାଇ ଥାଏ ଓ ବ୍ୟକ୍ତି ର ଅଯଥା ଅହମିକା ତାକୁ କେମିତି ଜନ ମାନସରେ ଉପହାସିତ କରେ ତାହା ଦର୍ଶାଇଛନ୍ତି।
ପୃଥିବୀର ଅନାନ୍ୟ ଭାଷାରେ ଅନୁଦିତ ହେବା ଉଚିତ।
ହେ କବିସୂର୍ଯ୍ୟ ତୁମକୁ ମୋର ପ୍ରଣାମ।
କବିସୂର୍ଯ୍ୟ ବଳଦେବ ରଥ ତାଙ୍କର ଗୋଟିଏ ପଦରେ ସେ ଲେଖିଛନ୍ତି
କବି ହୋଇଗଲେ ସମସ୍ତ ଲୋକ,
ରବି ହୋଇଯିବେ ଜୋତିର୍ଗଣ ପୋକ।।
ଆମେ ସ୍କୁଲରେ ପଢିବା ବେଳେ ଏହି କବିତାଟି ମୋର ଅତ୍ୟନ୍ତ ପ୍ରିୟ କବିତା ଥିଲା
ତେଣୁକରି କବିତା ଲେଖିବା ଆମ ପାଇଁ ଏକ ଧୃଷ୍ଟତା ମାତ୍ର। ଯେତେବେଳେ ମୁଁ ମନରେ ଗର୍ବ ଓ ଅହଂକାର ଅନୁଭବ କରେ ସେତେବେଳେ ମୁଁ କବିସୂର୍ଯ୍ୟ ବଳଦେବ ରଥଙ୍କ ଦ୍ଵାରା ରଚିତ ଏହି ଜଗତେ କେବଳ ଜନେ ହସିବେ କବିତାଟିକୁ ସ୍ମରଣ କରେ।
ଅଜ୍ଞାନରେ ଯେବେ ହୁଏ ମଦ-ମତ୍ତ
ମନେପଡ଼େ ମୋର ବଳଦେବ ରଥ ।।
କବିତାକୁ ଥରେ ଦେଲେମୁ ସ୍ମରି
ଆଲୋକର ଢେଉ ହୃଦେ ମୋହରି।।
ଗର୍ବ ଦମ୍ଭ ମୋର ଯାଏ ଉଭେଇ
ପ୍ରେମାନନ୍ଦ ଦାସ ତାଇ ଭଣଇ ।।
ପିଲାଦିନେ ହାଇସ୍କୁଲ ପାଠ୍ୟକ୍ରମରେ ଉକ୍ତ କବିତାଟିକୁ ଶିକ୍ଷକ ମହୋଦୟ ଏତେ ସୁନ୍ଦର ଭାବେ ବୁଝାଇ ଥିଲେଯେ , ଆଜି ଯାଏ ମନେ ଅଛି । କାଲି ରାତ୍ରୀରେ ‘ତୁଳସୀ’ ସହ ତୁଳନା ପାଇଁ ପଦଟିକୁ ମନେ ପକାଇଲି ,କାଳେ ଭୂଲ୍ ହେଉଛିକି ଏତିକି ମିଳାଇବା ପାଇଁ ଗଗୁଗୁଲ୍ ରସହାୟତା ନେଲି । ଅନ୍ୟ ମାନଙ୍କ ମନ୍ତବ୍ୟ ପଢିଲା ପରେ ପଦେ ଅଧେ ଲେଖିଦେଲି । କବି ଙ୍କର କି ଶାଣିତ ବକ୍ରୋକ୍ତି , ପାଖଣ୍ଡି ମାନେ ସଳଖି ଯିବେ।
ନମସ୍କାର, ରସସ୍ରାଵି ଵାକ୍ୟ ହିଁ କବିତା। ଏହା ଯଥାର୍ଥରେ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ ଓ ବଳ ପ୍ରଦାନ କରୁଥିବା ମହାନ୍ ଯଶସ୍ବୀ କବିସୂର୍ଯ୍ୟ ବଳଦେବ ରଥ ମହୋଦୟ ପ୍ରମାଣ କରି ଯାଇଛନ୍ତି।
ସୁନ୍ଦର ଓଡ଼ିଆ ଭାଷା ର ସମାହାର, ନୂତନ ପିଢ଼ି ନିଜ ଭାଷାକୁ ଜାଣନ୍ତୁ, ଆମେ ବଳଦେବ ରଥ ମହାଶୟଙ୍କ କାବ୍ୟ କବିତା ପଢ଼ିଛୁ ଓ ଅଳ୍ପ ବୁଝିଛୁ, ଅଧିକ ଆଲୋଚନା ଆବଶ୍ୟକ।
ବିରଜା ମିଶ୍ର
ଅଧିବକ୍ତା
ହାଇସ୍କୁଲ ରେ ପଢ଼ିଥିଲି l କର୍ମରତ ଜୀବନରେ ସବୁ ଭୁଲି ଯାଉଥିଲି କିନ୍ତୁ ପଡ଼ିଲେଖା ମୋର ସବୁବେଳେ ମନେ ରହୁଥିଲା “ବରଜୀବ ରସେ ଦେଇ……… ହୋଇବ ଗାଈ l ତାଙ୍କ ଲେଖା ଟି ଜଗତରେ ରହୁଥିବା ମନୀଷ ପ୍ରକୃତି କୁ ଅତି ବ୍ୟଙ୍ଗାତ୍ମକ ଭାବେ ପ୍ରତିପାଦନ କରାଯାଇଛି