(ରାଗ- ତୋଡ଼ି ପରଳ, ତାଳ-ଏକତାଳ)

ଜାଣୁ ଜାଣୁ ଖଣାରେ ମୁଁ ପଡ଼ିଲି ରେ
ଜଣାଶୁଣା ସରଣୀ ଛାଡ଼ିଲି ରେ।
ଉଣା ଟିଣା ବୁଦ୍ଧିରେ
ତେଲି ଘଣା ମଧ୍ୟରେ ଚଣା ପେଷାଇ ବଣା ଅଡ଼ିଲି ରେ।

ନବ ଧଉତ ତିଳ
ପେଷି ଏରଣ୍ଡ ଫଳ
ନାରୀକେଳକୁ ଯା ନ ପେଡ଼ିଲି ରେ।
ଯତି ଜପ ଧ୍ବଂସତି
କରିବା ରସବତି
ସତୀ ନାୟିକା ସଙ୍ଗ ଏଡ଼ିଲି ରେ।

ନିପଟ ମରକଟି
ବଜାର ନାହାକାଟି
ପାଦାନ୍ତି ରଥି ମୁଣ୍ଡ ମାଡ଼ିଲି ରେ।
ବହୁକାଳ ସୁରଙ୍ଗ
ପାତାଳ ଫୁଟା ଲିଙ୍ଗ
ଶିରେ ବାରୁଣୀ ଆଣି ଇଡ଼ିଲି ରେ।

କୁଶଳ କଥା ମୋର
ମୂଷଳ ମାନ ଗିର
ଗାଣ୍ଡିକି କରପତ୍ର ଯୋଡ଼ିଲି ରେ।

ରାତ୍ରିଟି ଉଜାଗର
ନିଦ୍ରାରେ ଗରଗର
ହୋଇ ଉଚ୍ଚେ ମୁଁ ଯେତେ ରଡ଼ିଲି ରେ।

ନ ଶୁଣିବା ମୋ ଗିର
ଯଦୁମଣି ଉତ୍ତର
କର୍ମ ଦୋଷରୁ ଏହା ବିଡ଼ିଲି ରେ।