ଗଣକବି ବୈଷ୍ଣବ ପାଣି ଓଡ଼ିଆ ସାହିତ୍ୟରେ ଏକ ଅନବଦ୍ୟ ଓ ଅବିସ୍ମରଣୀୟ ପ୍ରତିଭା। ଅସଂଖ୍ୟ ଗୀତିନାଟ୍ୟ, ସୁଆଙ୍ଗ, କାବ୍ୟ, ସଙ୍ଗୀତ, ଭଜନ, ଜଣାଣ, ଗୀତିକବିତା ଓ ଗଦ୍ୟସାହିତ୍ୟ ରଚନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଯାଇଛନ୍ତି। ଗଣକବି ବୈଷ୍ଣବ ପାଣି ୧୮୮୨ ମସିହା କୁମାର ପୂର୍ଣିମା ଗୁରୁବାର ଦିନ ମାହାଙ୍ଗା ଥାନାର ଚକାପଦ ଗ୍ରାମରେ ସୁଦର୍ଶନ ପାଣିଙ୍କ ଔରସ ଏବଂ ମାତା ଚାନ୍ଦଦେବୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ। ବାଲ୍ୟକାଳରୁ ରୋଗାକ୍ରାନ୍ତ ହେତୁ ତାଙ୍କ ପିତାମାତା ଜଗନ୍ନାଥଙ୍କ ବଡ଼ଛତା ମଠ ତଳେ ବୈଷ୍ଣବ କରିଦେବାରୁ ସେ ବୈଷ୍ଣବ ନାମରେ ପରିଚିତ। ହେଲେ ତାଙ୍କର ପ୍ରକୃତ ନାମ ଶତ୍ରୁଘ୍ନ ଥିଲା। ଦାରିଦ୍ରତା ଥିଲା ତାଙ୍କର ଚିର ସହଚର। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅଭାବଅନାଟନ ଲାଗିରହିଥିଲେହେଁ ନିଜର ଲକ୍ଷ୍ୟ ପଥରୁ ସେ କକ୍ଷଚ୍ୟୁତ ହୋଇନାହାଁନ୍ତି। ଏଗାର ବର୍ଷ ବୟସରେ ସେ ବ୍ରତୋପନୟନ କର୍ମ ଶେଷ ପରେ ସେ କୋଠପଦା ମହନ୍ତଙ୍କ ଅଧୀନରେ ଫୁଲତୋଳା, ଫୁଲଗୁନ୍ଥା କାର୍ଯ୍ୟରେ ନିଯୁକ୍ତ ହେଲେ। ତଥାପି ପରିବାରର ଅବସ୍ଥା ଦିନକୁ ଦିନ ଖରାପ ହେବାରୁ ମଠକାର୍ଯ୍ୟ ଛାଡ଼ି ଗୋରୁ ଚରାଇବା କାମରେ ରହିଲେ।
ପିଲାଟି ଦିନରୁ ବୈଷ୍ଣବ ପାଣି ନୃତ୍ୟଗୀତ ପ୍ରତି ଅଧିକ ଆସକ୍ତ ଥିଲେ। କୋଠପଦାର ମହନ୍ତ ବୈଷ୍ଣବ ପାଣିଙ୍କୁ ଡୋରାବିଶ ନିବାସୀ ସ୍ବର୍ଗତ ଶିବରାମ ସିଂହଙ୍କ ତତ୍ତ୍ବାବଧନରେ ଛାଡ଼ିଲେ। ସେହିଦିନଠାରୁ ପାଣିଙ୍କର ନାଟକ ପ୍ରତି ଆଗ୍ରହ ବୃଦ୍ଧି ପାଇଲା। ଫୁଲଗୁନ୍ଥା ଗୋରୁଚରା କାମ ପରେ ଟ୪.୦୦ ଙ୍କା ବେତନରେ ଇଂରାଜୀ ବିଦ୍ୟାଳୟରେ ପାଚକରୂପେ ନିଯୁକ୍ତି ପାଇଲେ। ତେବେ ପ୍ରଧାନ ଶିକ୍ଷକ ସ୍ବର୍ଗତ ଭୋଳାନାଥ ମିଶ୍ର ତାଙ୍କୁ ୪ର୍ଥ ଶ୍ରେଣୀରେ ନାମଲେଖାଇ ଅବୈତନିକ ଶିକ୍ଷା ପ୍ରଦାନ କଲେ। ଶିକ୍ଷା ସମାପନ ହେଲା ଷଷ୍ଠ ଶ୍ରେଣୀରେ। ମାସିକ ବେତନ ୪ ଟଙ୍କାରେ ସେ ଗୃହଶିକ୍ଷକ ହେଲେ ଓ ଜୀବନର ନୂତନ ଅଧ୍ୟାୟ ଆରମ୍ଭ କଲେ।
୧୯ ବର୍ଷ ବୟସରେ ସେ ବିବାହ କରିଥିଲେ। ପରେ ସେ, ସ୍ତ୍ରୀଙ୍କୁ ଛାଡ଼ି ଅସବର୍ଣ୍ଣ ବିବାହ କରି ସମାଜରୁ ବାସନ୍ଦ ହୋଇଥିଲେ। ନାଟକ ଜୀବନର ଆରମ୍ଭ ହେଲା ମାଳିହତା ଗ୍ରାମରେ ଓସ୍ତାତିରୁ। ଓସ୍ତାତ୍ ତଥା ନାଟ୍ୟକାର ହିସାବରେ କ୍ରମେ ପ୍ରସିଦ୍ଧି ଅର୍ଜନ କଲେ। ଗଡ଼ଜାତର ଅଧିକାଂଶ ରାଜ୍ୟ କଲିକତା, ଟାଟା ଇତ୍ୟାଦି ସ୍ଥାନରେ ଅଭିନୟ କରି ସୁନାମ ଅର୍ଜନ କଲେ। ଏପରିକି ମୋହନ ଗୋସ୍ବାମୀ, ଗୋପାଳ ଦାଶ, କବି ମଞ୍ଚୁଳ କୃଷ୍ଣପ୍ରସାଦ ବସୁ, ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣ ମହାନ୍ତିଙ୍କ ସହ ତାଙ୍କର ବାଦୀଯାତ୍ରା ଅନେକଥର ହୋଇଛି। ଗଣକବି ବୈଷ୍ଣବ ପାଣି ଓଡ଼ିଆ ଯାତ୍ରା ଓ ଗୀତାଭିନୟ କ୍ଷେତ୍ରରେ ଏକ ଅବିସ୍ମରଣୀୟ ପ୍ରତିଭା। ବିପୁଳ ସୃଷ୍ଟି ଓ ବ୍ୟାପକ ବୃଷ୍ଟି ପାଇଁ ସେ ଆଜି ଉତ୍କଳବାସୀଙ୍କ ବରପୁତ୍ର ଏବଂ ଅଗଣିତ ନାଟ୍ୟ ପ୍ରେମିଙ୍କ ହୃଦୟ ସିଂହାସନରେ ମୁକୁଟ ବିହୀନ ସମ୍ରାଟ।
ମାତ୍ର ୨୧ ବର୍ଷ ବୟସରେ ତାଙ୍କ ଲେଖନୀରୁ ସୃଷ୍ଟିହେଲା ପ୍ରଥମ ନାଟକ ଗୀତାଭିନୟ ‘ମେଘନାଦ ବଦ୍ଧ’। ତା’ପରେ ଲେଖି ଚାଲିଲେ ନାଟକ ପରେ ନାଟକ ଏବଂ ଓଡ଼ିଶା ସହିତ ଓଡ଼ିଶା ବାହାରେ ମଧ୍ୟ ନିଜକୁ ପ୍ରତିଷ୍ଠା କରାଇପାରିଲେ।
ଗଣ କବିଙ୍କ ସାରସ୍ବତ କୃତି :-
(୧) ଗୀତିନାଟ୍ୟ, ଗୀତାଭିନୟ/ସୁଆଙ୍ଗ ମଧ୍ୟରେ (ପୌରାଣିକ) ରଙ୍ଗସଭା, ବ୍ରଜଲୀଳା ସୁଆଙ୍ଗ, ଧ୍ରୁବ ଚରିତ ସୁଆଙ୍ଗ, କୀଚକବଧ ସୁଆଙ୍ଗ, ପ୍ରହଲ୍ଲାଦ ଚରିତ ଗୀତାଭିନୟ, ଦାଣ୍ଡୀପର୍ବ ଗୀତାଭିନୟ, ଦାନବୀର ହରିଶ୍ଚନ୍ଦ୍ର ସୁଆଙ୍ଗ, ନଳଦମୟନ୍ତୀ ଗୀତିନାଟ୍ୟ, ରାବଣ ବଧ ଗୀତିନାଟ୍ୟ, ମହିଷାସୁର ବଧ, ସହସ୍ରା ରାବଣ ବଧ, ବାଲ୍ୟଲୀଳା, ସୁଭଦ୍ରା ହରଣ, ଜଳକେଳି, ମାଧବ ସୁଲୋଚନା, ସାବିତ୍ରୀ ସତ୍ୟବାନ ସୁଆଙ୍ଗ, ନିକୁଞ୍ଚ ମିଳନ ସୁଆଙ୍ଗ, ଶ୍ରୀବତ୍ସ ରାଜା ବା ଶନି ଲକ୍ଷ୍ମୀ କଳି, ପାର୍ବତୀ ବିବାହ ସୁଆଙ୍ଗ, ରଘୁ ଅରକ୍ଷିତ, ନାବକେଳି ସୁଆଙ୍ଗ, ଲକ୍ଷ୍ମୀ ପୂଜା ଗୀତାଭିନୟ, ବକାସୁର ବଧ ଗୀତିନାଟ୍ୟ, ଦୁର୍ଯ୍ୟୋଧନ ବଧ, ହରପାର୍ବତୀ ବିଭା ସୁଆଙ୍ଗ, ଜରାସନ୍ଧ ବଧ ଓ ମୁକ୍ତାଚୋରୀ ସୁଆଙ୍ଗ ପ୍ରଧାନ। ତାଙ୍କ ରଚିତ କିମ୍ବଦନ୍ତୀମୂଳକ ରଚନା ମଧ୍ୟରେ (୨) ଯଯାତି କେଶରୀ ଗୀତାଭିନୟ, ଲାବଣ୍ୟ-ବତୀ ଚନ୍ଦ୍ରଭାନୁ ପରିଣୟ ଗୀତିନାଟ୍ୟ, ସାକ୍ଷୀଗୋପାଳ ଗୀତିନାଟ୍ୟ, ଶ୍ବେତ ବସନ୍ତ ସୁଆଙ୍ଗ, କେଦାର ଗୌରୀ ଗୀତିନାଟ୍ୟ, ଉଷା-ବୟନ୍ତ ଗୀତିନାଟ୍ୟ ପ୍ରଧାନ। (୩) ଚରିତ୍ର ଧର୍ମୀ ରଚନା ମଧ୍ୟରେ-କାଳିଦାସ ଗୀତାଭିନୟ, ମିରାବାଇ, କଳାପାହାଡ଼ ଗୀତିନାଟ୍ୟ, ଚନ୍ଦ୍ରଗୁପ୍ତ ଗୀତିନାଟ୍ୟ, ସଂଯୁକ୍ତା ପରିଣୟ ଇତ୍ୟାଦି ପ୍ରଧାନ। (୪) କାଳ୍ପନିକ ରଚନା ମଧ୍ୟରେ ଠକପୁରାଣ ସୁଆଙ୍ଗ, ଜୟନ୍ତ ଜୟପାଳ ସୁଆଙ୍ଗ, ନିର୍ବାସିତ ରାଜପୁତ୍ର, ଅମରବିଳାସ ବେସ୍ ଲୋକପ୍ରିୟ। ଏଭଳି ଅସଂଖ୍ୟ ଗୀତିନାଟ୍ୟ ଗୀତାଭିନୟ ଓ ସୁଆଙ୍ଗ ରଚନା କରି ଗଣକବି ପ୍ରସିଦ୍ଧି ଲାଭ କରିଛନ୍ତି।
ବୈଷ୍ଣବ ପାଣି ମଧ୍ୟ ଫାର୍ଶ ରଚନା କରିବାରେ ସିଦ୍ଧହସ୍ତ ଥିଲେ। ତାଙ୍କ ଲେଖନୀରୁ ସୃଷ୍ଟି ହୋଇଛି ଅସଂଖ୍ୟ ଫାର୍ଶ। ସେ ମଧ୍ୟରୁ ସୌଦାଗର ଫାର୍ଶ, ନାଟୁଆ ମହାନ୍ତି ଫାର୍ଶ, ଆଲିବାବା ଫାର୍ଶ, ଗୋପାଳଭାଣ୍ଡ ପ୍ରହସନ, କେଳାକେଳୁଣୀ ଫାର୍ଶ, ମା ଡାଆଣୀ-ପୁଅ ମଦୁଆ, କଲିକତିଆ ଜୋଇଁ, ବୁଢ଼ାବୁଢ଼ୀ ଫାର୍ଶ ଓ ଭୀମାବାୟୀ ଫାର୍ଶ ଓଡ଼ିଶା ପୁରପଲ୍ଲୀରେ ବେସ୍ ଲୋକପ୍ରିୟ।
ଗଣକବି ପାଲା ଗାୟକ ଥିବା ସମୟରେ ପ୍ରାଚୀନ ସାହିତ୍ୟକୁ ତନ୍ନ ତନ୍ନ କରି ଅଧ୍ୟୟନ କରିଥିଲେ। ରାମାୟଣ, ମହାଭାରତ, ସାରଳା ମହାଭାରତ, ଭାଗବତ, ନୃସିଂହପୁରାଣ, ଦାଣ୍ଡି ରାମାୟଣ, ବିଲଙ୍କା ରାମାୟଣ ଆଦି ସେ ଅଧ୍ୟୟନ କରିଥିଲେ ଓ ସେଥିରୁ ଉପାଖ୍ୟାନ ମାନ ଗ୍ରହଣ କରି ସ୍ବ-ପାଣ୍ଡିତ୍ୟ ବଳରେ ଲେଖନୀ ମୁନରେ ରୂପ ଦେଉଥିଲେ। ତାଙ୍କର ପ୍ରତିଟି ରଚନାରେ ପାଣ୍ଡିତ୍ୟ ପ୍ରବାହ ସଞ୍ଚାରିତ। ଗଣକବି ବୈଷ୍ଣବ ପାଣିଙ୍କ ଲେଖନୀ ଅବସ୍ରାବୀ। ସେ ଆଶୁକବି, ଗଣକବି ଓ ବିଦଗ୍ଧ କବି। ପ୍ରଥମେ ସେ ଆଶୁକବି। ତାଙ୍କର ଆଶୁକବିତା ଗୁଡ଼ିକ କବିତ୍ବପୂର୍ଣ୍ଣ ଓ ରସସିକ୍ତ। ପାଲାକାର ଜୀବନରୁ ଏହି ଆଶୁ କବିତ୍ବର ଉଦ୍ରେକ ଘଟିଛି। ତାଙ୍କର ଗୀତାଭିନୟ ପ୍ରହସନ ଗୁଡ଼ିକରେ ସଂଯୋଜିତ ସଙ୍ଗୀତ ଗୁଡ଼ିକ ତାଙ୍କର ଗଣ କବିତ୍ବର ପରିଚୟ। ଏଥିରେ ଗଣ ଜୀବନର ଭାଷା, ସୁଖ ଦୁଃଖ, ପଲ୍ଲୀ ପ୍ରାଣତା ଓ ବାସ୍ତବ ଜୀବନର ଚିତ୍ର ପରିଲକ୍ଷିତ। ଶକୁନ୍ତଳା, ଛାନ୍ଦ କିଶୋର ବିଳାପ ଓ ସପ୍ତାହ ଭାବବତରେ ତାଙ୍କର ବିଦଗ୍ଧ କବି ପ୍ରାଣର ପରିଚୟ ମିଳେ।
ଶକୁନ୍ତଳା ଓ ଛାନ୍ଦ କିଶୋରୀ ବିଳାପ ତାଙ୍କର ଦୁଇଟି ଗାଥାକାବ୍ୟ। ଏଥିରେ କବି ପ୍ରାଣର ବିଦଗ୍ଧ କାବ୍ୟିକତା ପରିଲକ୍ଷିତ। ମହାକବି କାଳିଦାସଙ୍କ ଅଭିଜ୍ଞାନ ଶକୁନ୍ତଳମ୍ ଓ ସ୍ବଭାବ କବି ଗଙ୍ଗାଧରଙ୍କ ‘ପ୍ରଣୟ ବଲ୍ଲରୀ’ କାବ୍ୟ ଅନୁସରଣ କରି ବୈଷ୍ଣବ ପାଣି ରଚନା କରିଛନ୍ତି ‘ଶକୁନ୍ତଳା’ କାବ୍ୟ। ଛାନ୍ଦ କିଶୋରୀ ବିଳାପ ଗଣକବିଙ୍କ ମର୍ମସ୍ପର୍ଶୀ ରଚନା। ବିଭିନ୍ନ ରାଗରାଗୀଣି ସମ୍ବଳିତ ଛନ୍ଦ ଏହି କାବ୍ୟର ଗୀତିଧର୍ମ କାବ୍ୟିକତାର ସ୍ବରୂପ ବହନ କରିଛି। ଚଉତିଶା, ଚଉପଦୀ, ଭଜନ, ଜଣାଣ, ମାହାତ୍ମ୍ୟ, ମାଳିକା, ଶୋକଗୀତି, କୀର୍ତ୍ତନ ଆଦି ବିବିଧ କବିତା ରଚନା କରି ସେ ଓଡ଼ିଆ ପଦ୍ୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ବୈଷ୍ଣବ ପାଣି ଜଣେ ସଫଳ ଗୀତିକବି, ସ୍ବତଃସ୍ପ୍ବର୍ତ୍ତ ତାଙ୍କର କବିତ୍ବ। ଅନ୍ତରର ଭାବହିଁ ତାଙ୍କ କବିତାର ଭାବବିନ୍ଦୁ। ଗଣକବି ବୈଷ୍ଣବ ପାଣି ମଧ୍ୟଯୁଗୀୟ କବିମାନଙ୍କର ପରି ଚଉତିଶା ରଚନା କରିଛନ୍ତି। ଦୀନକୃଷ୍ଣ ଦାସଙ୍କ ଆର୍ତ୍ତତ୍ରାଣ ଚଉତିଶା ପରି ଗଣକବି ‘ନୀଳାଚଳ ଚଉତିଶା’ ରଚନା କରିଛନ୍ତି ଯାହା ଖୁବ୍ ହୃଦ୍ୟ ଓ ଭକ୍ତିଭାବପୂର୍ଣ୍ଣ। ଏତଦ୍ ବ୍ୟତୀତ ତାଙ୍କର ସାରଳା ଦେବୀ ଜଣାଣ ଚଉତିଶା, ଓଲଟ ଚଉତିଶା, ରାଧାକୃଷ୍ଣ ଚଉତିଶା, ମଙ୍ଗଳା ଚଉତିଶା ଆଦି ଲୋକପ୍ରିୟ। ତାଙ୍କର ଭଜନ ଓ ଜଣାଣ ଭିତରୁ କବିଙ୍କର ଭକ୍ତିଭାବର ମାର୍ମିକ ପରିଚୟ ମିଳେ। ସେ ମଧ୍ୟ ରଚନା କରିଛନ୍ତି ଅନେକ ପ୍ରେମ ଗୀତି କବିତା। ପ୍ରେମିକର ପ୍ରେମିକା ପ୍ରତି ଓ ପ୍ରେମିକା ପ୍ରତି ପ୍ରେମିକର ନିବିଡ଼ ପ୍ରେମାନୁଭୂତିର ପରିଚୟ ବହନ କରିଛି ତାଙ୍କର ପ୍ରେମଗୀତିକା।ଏଥିରେ ପ୍ରକାଶ ପାଇଛି କବି ହୃଦୟର ଗଭୀର ଅନୁଭୂତି ଓ ମାଧୁର୍ଯ୍ୟ ସ୍ମୃତି। ବିଚ୍ଛେଦ ଓ ଅଶ୍ରୁର ସ୍ପନ୍ଦନ ଏଥିରେ ନିବିଡ଼। ଦେହରୁ ଦେହାତୀତ ଆଡ଼କୁ ଗତିକରିଛି ତାଙ୍କ ପ୍ରେମ ଭାବନା। ସେ ମଧ୍ୟ ଅନେକ ଗୁଡ଼ିଏ ଶୋକ ଗୀତି କବିତାର ସ୍ରଷ୍ଟା। ତାଙ୍କ ଶୋକ ଗୀତି କବିତା ମଧ୍ୟରେ ଉତ୍କଳମଣି ଗୋପବନ୍ଧୁ ଶୋକ, ପଞ୍ଜାବ କେଶରୀ ବିୟୋଗ ଓ ଅନ୍ତିମ ଶଯ୍ୟାରେ ମର୍ଦ୍ଦାରବୀ ଅନ୍ୟତମ। ସ୍ବରାଜ୍ୟ ପ୍ରଶଂସା, ସତ୍ୟାଗ୍ରହୀ, ଜାତୀୟ ଗୀତିକା, ବାପୁଜୀ ଓ ଉତ୍କଳକୁ ନେ ସେ ବହୁ ଜାତୀୟବାଦୀ ଗୀତି କବିତା ରଚନା କରିଛନ୍ତି।
ଗଣକବିଙ୍କ ସୃଷ୍ଟି ସାମାଜିକ ସଚେତନତା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଜାତୀୟଭାବ ଉଦ୍ରେକ କରିବାରେ ସହାୟକ ହୋଇଥିଲା। ପାଣି ସାହିତ୍ୟରେ ଥିଲା ଓଡ଼ିଆ ଜାତୀୟ ଜୀବନର ଆଲେଖ୍ୟ। କବି ବୈଷ୍ଣବ ପାଣି ଗଣଙ୍କ ପାଇଁ ଲେଖିଛନ୍ତି। ଏ ଗଣ ଉଭୟ ପଲ୍ଲୀ ଓ ନଗର ପରିବେଷରେ ‘ଗଣ’। ସେ ଯଥାର୍ଥରେ ଗଣକବି। ତେଣୁ ତାଙ୍କ ସାହିତ୍ୟରେ ମିଳେ ଗଣଜୀବନର ଛବି। ଗଣଜୀବନର ହସ-କାନ୍ଦ, ଆଶା-ଆକାଙ୍କ୍ଷା, ଅଭାବ-ଅନାଟନ, ନୀତି-ଅନୀତି, ନ୍ୟାୟ-ଅନ୍ୟାୟ, ପାପ-ପୁଣ୍ୟ, ଧର୍ମ-ଅଧର୍ମ ତାଙ୍କ ସାହିତ୍ୟର ମୂଳ ବିଷୟ। ସାମାଜିକ ନୈତିକତା ବୋଧ ସୃଷ୍ଟି କରିଛନ୍ତି ଧର୍ମକୁ ମୁଖ୍ୟ ପ୍ରାଣସ୍ପନ୍ଦନ ଭାବରେ ଗ୍ରହଣ କରି ଚିତ୍ତବିନୋଦନ ମଧ୍ୟରେ ବଞ୍ଚିବାର ନୂତନ ସ୍ପନ୍ଦନ ସୃଷ୍ଟି କରିବା ଥିଲା ତାଙ୍କର ମୁଖ୍ୟ ଲକ୍ଷ୍ୟ।
ଗଦ୍ୟ ରଚନା ରେ ମଧ୍ୟ ସେ ଥିଲେ ସିଦ୍ଧହସ୍ତ। କବି ବୈଷ୍ଣବ ପାଣିଙ୍କର ଆତ୍ମଜୀବନୀ ପୃଥିବୀର ବୋଧହୁଏ ଏକମାତ୍ର ଆତ୍ମକାହାଣୀ ଯେଉଁଥିରେ ସେ ନିଜର ଦୁର୍ଗୁଣକୁ ବର୍ଣ୍ଣନା କରିବାରେ ପଛେଇ ଯାଇନାହାନ୍ତି। ତାଙ୍କ ଅତ୍ମକାହାଣୀରେ ରହିଛି ଜଣେ ସତ୍ୟଧର୍ମାଙ୍କର ସ୍ପଷ୍ଟ ଉଚ୍ଚାରଣ। ଯେଉଁ ଉଚ୍ଚାରଣରେ ଗୋଳି ହୋଇଯାଇଛି ଜୀବନାନୁଭୂତି, ଜୀବନ ଜିଜ୍ଞାସା, ସମସାମୟିକ ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟ ବିଶେଷ କରି ପଶ୍ଚିମବଙ୍ଗର ଭୌଗଳିକ ରୂପରେଖ। ବୈଷ୍ଣବ ପାଣିଙ୍କର ଆତ୍ମଜୀବନୀ ଓଡ଼ିଆ ସାହିତ୍ୟରେ ସ୍ବତନ୍ତ୍ର ଆସନ ଅଧିକାର କରେ।
କଥାକାର ଭାବରେ ବୈଷ୍ଣବ ପାଣି ଆଦ୍ୟ ଓଁକାର ତୋଳିଛନ୍ତି ତାଙ୍କର ପ୍ରଥମ ସୃଷ୍ଟି ‘ଦୁଃଖିନୀ ଗୋବର ଗୋଟେଇ’ ଉପନ୍ୟାସ ମାଧ୍ୟମରେ। ଜାତି, ଜାତକ ଓ ଯୌତୁକ ବିହୀନ ସମାଜର ଏକ ଅସମାହିତ ପ୍ରଶ୍ନକୁ ସଜୀବ ଓ ସରଳ ପ୍ରଣାଳୀରେ ସମାଧାନ କରିବାରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ଅସୀକୁ ମସୀର ସମ୍ମାନ ଦେଇ ତାଙ୍କ ସୃଷ୍ଟିରୁ ନିର୍ଗତ ହୋଇଛି ଭି.ପି. ବର ଉପନ୍ୟାସ। ଏହା ଏକ ବ୍ୟଙ୍ଗ ଧର୍ମୀ ଉପନ୍ୟାସ ଭାବରେ ସ୍ବକୀୟତା ପ୍ରତିପାଦନ କରେ। ତାଙ୍କର ସଚିତ୍ର ସ୍ବାମୀ ସ୍ତ୍ରୀ ଓ ଉତ୍କଳ ‘ଗୃହଲକ୍ଷ୍ମୀ’ ପ୍ରମୁଖ ଉପନ୍ୟାସ ନାରୀସମାଜ ପାଇଁ ଏକ ଦର୍ପଣ ଶିଳା। ତାଙ୍କର ଗଦ୍ୟ ରଚନାରେ ପ୍ରାଣବନ୍ତ ବର୍ଣ୍ଣନାଶୈଳୀ ଯେପରି ପରିଚ୍ଛନ୍ନ ସେପରି ହୃଦ୍ୟ।
ଅସଂଖ୍ୟ ଜନତାଙ୍କ ହୃଦୟରେ ସେ ଜଣେ ସୁରସିକ ପ୍ରତିଭାଧାରୀ ଅଭିନେତା, ନିର୍ଦ୍ଦେଶକ, କବି ଓ ସ୍ରଷ୍ଟା ଭାବରେ ଆବରର ସିଂହାସନ ଅରୋହଣ କରି ଗଣକବିର ସମ୍ମାନ ଲାଭ କରିଛନ୍ତି। ଗଣକବିଙ୍କର ତିରୋଧାନ ହେଲା ୧୦.୫.୧୯୫୬ ମସିହା ଅମାବାସ୍ୟା ତିଥିରେ। ସେ ନାହାଁନ୍ତି ସତ ହେଲେ ତାଙ୍କର ସୃଷ୍ଟି ଓ ସାଧନା ପାଇଁ ସେ ଅମର ହୋଇ ରହିଛନ୍ତି ଓ ରହିବେ ମଧ୍ୟ। ଗଣକବି କାଳଜୟୀ। ଓଡ଼ିଆ ସାହିତ୍ୟ ଇତିହାସରେ ତାଙ୍କର ସ୍ଥାନ ସ୍ବତନ୍ତ୍ର। ସେ ଯଥାର୍ଥରେ ଗଣକବି ଓ ଓଡ଼ିଆ ଜାତିର ଗୌରବ।