ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କାହ୍ନୁଚରଣ ମହାନ୍ତି
ସନ୍ୟାସୀ ନାୟକ
ସେନାପତି ପ୍ରଦ୍ୟୁମ୍ନ କେଶରୀ
ଅକ୍ଷୟ ମହାନ୍ତି
ବ୍ରଜନାଥ ରଥ
ବିପ୍ର ଆଚାର୍ଯ୍ୟ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଶିକାର
 |- ଭଗବତୀ ଚରଣ ପାଣିଗ୍ରାହୀ
 
 
ତା: ଅକ୍ଟୋବର୍ ୨୫, ୨୦୧୧  
 

ସେ ଅଞ୍ଚଳରେ ଘିନୁଆର ନାମ ବିଖ୍ୟାତ୤ ଶିକାରୀ ହିସାବରେ ଜଣା୤ ତା’ର ପ୍ରଥମ ଅସ୍ତ୍ର ନିଜର ହାତ ତିଆରି ଧନୁଶର୤ ସେ ତୀର ମାରିଲା ବେଳେ ଚିତ୍‌ ହୋଇ ଶୋଇପଡ଼େ, ବାଁ ପାଦଟି ଧନୁରେ ଲଗାଇ ଦେଇ କାନ ପର୍ଯ୍ୟନ୍ତ ତୀରଟି ଟାଣି ନେଇ ଛାଡ଼ିଦିଏ୤ ମାଇଲିଏ ଦୂରରୁ ତୀର ମାରି ସେ ଲାଖ ବିନ୍ଧିପାରେ୤ ଏଇ ଧନୁଶର ସାହାଯ୍ୟରେ ସେ ହରିଣ, ସମ୍ବର, ବାରହା, ଭାଲୁ ମାରିଛି ଅଗଣନ; ଚତାବାଘ ବି ମାରିଛି ଅନେକ୤ କିନ୍ତୁ ମହାବଳ ମାରିଛି ମୋଟେ ଦୁଇଟି୤ ମହାବଳ ଦୁଇଟି ମାରି ସେ ଡେପୁଟି କମିଶନ୍ଙ୍କଠାରୁ ବେଶ୍‌ ପୁରସ୍କାର ପାଇଛି ମଧ୍ୟ୤

ସେଦିନ ଭୋରରୁ ସେ ଏକ ଅଦ୍ଭୁତ ଶିକାର ନେଇ ଡେପୁଟି କମିଶନରଙ୍କ ବଙ୍ଗଳା ପାଖରେ ହାଜର୤ ଗୋଟିଏ କାନ୍ଧରେ ତା’ର ଧନୁଟି ଝୁଲିଛି, ହାତରେ ଦି’ତିନିଟା ତୀର, ଆଉ କାନ୍ଧରେ ଟାଙ୍ଗିଆଟି ପଡ଼ିଛି୤ ଘିନୁଆକୁ ଏ ବେଶରେ ଦେଖି ଅର୍ଦ୍ଦଳି ପଚାରିଲା- ‘କିରେ, ଆଜି କି ଶିକାର ଆଣିବୁ ?’

ଘିନୁଆ ସଙ୍ଗେ ତା’ର ଭଲ ଜଣାଶୁଣା୤ ତା’ର ବକ୍‌ସିସର ଅଂଶୀଦାର ସେ କେତେଥର ହୋଇଛି୤ ଉତ୍ତରରେ ଘିନୁଆ ତା’ ମଇଳା ଦାନ୍ତ ଦୁଇଧାଡ଼ି କେବଳ ଦେଖାଇଲା୤ ସେ ହସିଲା କି ଖେଁକିଲା ଜାଣିବାର ଉପାୟ ନାହିଁ୤ ପ୍ରକୃତରେ ହସ ବୋଲି ଯାହାକୁ କୁହାଯାଏ, ଘିନୁଆ ଠାରେ ତାହା କେହି କେବେ ଦେଖି ନାହିଁ୤ ବେଳେବେଳେ ସେ ଏହିପରି ଦାନ୍ତ ଦେଖାଏ୤ ତାହା ହସ ନୁହେଁ କି କାନ୍ଦ ନୁହେଁ- କେବଳ ଦାନ୍ତ ଦେଖା୤

ଅର୍ଦ୍ଦଳି ପଚାରିଲା, ‘କି ବେ, କି ଶିକାର ଆଣିଚୁ ?’

ଘିନୁଆ ତାହାର ଗାମୁଛାରେ ବନ୍ଧା ହୋଇଥିବା ଗୋଟିଏ ପଦାର୍ଥକୁ ଦେଖାଇ କହିଲା ଯେ ସେ ଆଜି ଏକ ମସ୍ତ ଜାନୁଆର ଶିକାର କରିଛି୤
ଅର୍ଦ୍ଦଳି ପଚାରିଲା, ‘ବାଘ’ ?
ଘିନୁଆ ମୁଣ୍ଡ ହଲାଇ ନାହିଁ ଜଣାଇଲା୤
‘ତେବେ କ’ଣ, ଚିତା… ଭାଲୁ…ବାର୍‌ହା.. ?’
ଘିନୁଆ କେବଳ ମୁଣ୍ଡ ହଲାଇଗଲା୤
‘ଆଉ ତେବେ କ’ଣ ବେ ?’

ଗୋଳମାଳ ଶୁଣି ସାହେବ ବଙ୍ଗଳା ଭିତରୁ ବାହାରି ଆସିଲେ୤ ଘିନୁଆ ମୁଣ୍ଡିଆମାରି ସାହେବଙ୍କୁ ସେହିପରି ଦାନ୍ତ ଦେଖାଇଲା୤ ସାହେବ ଶିକାରର ଚେହେରାକୁ ଦେଖିବାକୁ ଔତ୍ସୁକ୍ୟ ପ୍ରକାଶ କରିବାରୁ ଘିନୁଆ ଗାମୁଛା ଭିତରୁ ବାହାରକରି ସାହେବଙ୍କ ପାଦ ତଳେ ଥୋଇଲା ଗୋଟିଏ ସଜକଟା ମଣିଷ ମୁଣ୍ଡ୤ ସାହେବ ଚମକି ପଡ଼ି ପାହୁଣ୍ଡେ ହୁଇ ପାହୁଣ୍ଡେ ପଛେଇଗଲେ୤ ଘିନୁଆ ହାତ ବଢ଼ାଇ ମାଗିଲା, ‘ସାହେବ, ବକ୍‌ସିସ୍‌୤’ କିଛିକ୍ଷଣ ପରେ ମନକୁ ସମ୍ଭାଳିନେଇ ସାହେବ ଘିନୁଆକୁ ବକ୍‌ସିସ୍‌ ପାଇଁ ଅପେକ୍ଷା କରିବାକୁ ଇସାରା କଲେ ଏବଂ ଭିତରକୁ ଯାଇ ଫୋନ୍‌ ଦ୍ବାରା ସଶସ୍ତ୍ର ପୋଲିସ ଫୌଜ ଡକାଇଲେ୤ ଏହା ବ୍ୟତୀତ ଘିନୁଆକୁ ଜବତ୍‌ କରିବାର ଉପାୟ ନାହିଁ୤ ଦେହରେ ତା’ର ଗୋଟାଏ ଅସୁରର ବଳ୤ ହାତରେ ପୁଣି ତା’ର ଧନୁଶର ଓ ଟାଙ୍ଗିଆ ରହିଛି୤

ଯେତେବେଳେ ହାତକଡ଼ି ଗୋଡ଼କଡ଼ି ପିନ୍ଧି ଘିନୁଅକୁ ହାଜତରେ ରହିବାକୁ ହେଲା, ସେ କିଛି ବୁଝିପାରିଲା ନାହିଁ୤ ତାକୁ ଏପରି ଭାବରେ ଅଟକାଇ ରଖିବାର ମତଲବ କ’ଣ ? ସୁବିଧା ପାଇଲେ ସେ କାହାରି କହାରିକୁ ଏ ବିଷୟରେ ପଚାରେ୤ କିଏ କହେ ତା’ର ଫାଶୀ ହେବ, କିଏ କହେ ସେ ଯିବ କଳାପାଣି୤ କାହିଁକି ? ସେ ଏମିତି କି ଅପରାଧ କରିଛି କି ? କିଛି ବୁଝି ନପାରି ସେମାନଙ୍କ କଥାକୁ ସେ ବିଶ୍ବାସ କରିପାରିନାହିଁ୤ ଶେଷରେ ଦିନେ ଡେପୁଟି କମିଶନର ପରିଦର୍ଶନ କରିବାକୁ ଆସିଥିଲେ୤ ସେ ତାଙ୍କୁ ହିଁ ସବୁ ହାଲ୍‌ ପଚାରିଲା୤ ସେ କହିଲେ ଯେ ପୂର୍ବରୁ ସେ ବାଘ, ଭାଲୁ ମାରୁଥିଲା ବୋଲି ସଙ୍ଗେ ସଙ୍ଗେ ବକ୍‌ସିସ୍‌ ପାଉଥିଲା୤ ଏବେ ମାରିଛି ମଣିଷ୤ ଏଥର କି ବକ୍‌ସିସ୍‌ ପାଇବ ତାହା ପାଞ୍ଚ, ଛ’ଜଣ ତ ଫେର ବୁଝିବିଚାରି ଠିକ୍‌ କରିବେ୤ ଏହି କଥାଟା ହିଁ ଘିନୁଆ ମନକୁ ମାନିଲା୤

ଯେଉଁଦିନ ତା’ର ବିଚାର ହେଲା, ଘିନୁଆ ମନେ ମନେ ଭାବିଲା, ସେଦିନ ତାକୁ ବକ୍‌ସିସ୍‌ ମିଳିବ୤ ସେ ଉତ୍ସାହିତ ହୋଇ ଜଜ୍‌ଙ୍କ ଆଗରେ ସବୁ ବିବରଣ କହିବାକୁ ଲାଗିଲା୤ ସେ ଯେ ଗୋବିନ୍ଦ ସର୍ଦାରକୁ ହାଣିଲା, ସେଥିପାଇଁ ତାକୁ କମ୍‌ କଷ୍ଟ କରିବାକୁ ପଡ଼ିନାହିଁ୤ ଆଉ ଅନେକ ଲୋକ ତାକୁ ମାରିବାକୁ ଛକିଥିଲେ, କିନ୍ତୁ କେହି ପାରିନଥିଲେ୤ ଗୋବିନ୍ଦ ସରଦାର, ଯେ ସବୁବେଳେ ମଟରରେ ଯିବାଆସିବା କରେ୤ ସେ ତା’ର ଧନ ସମ୍ପତ୍ତି କମେଇଛି ଅନ୍ୟ ସମସ୍ତଙ୍କୁ ଲୁଟିକରି୤ ବଡ଼ ସଇତାନ ଲୋକ ଥିଲା ସେ୤ କେତେ ଲୋକଙ୍କୁ ସେ ମାରିଛି, କେତେ ଲୋକଙ୍କୁ ଉଚ୍ଛନ୍ନ କରିଛି, କେତେ ସ୍ତ୍ରୀ ଲୋକଙ୍କର ଇଜ୍ଜତ ନେଇଛି, ତାହାର ଠିକଣା ନାହିଁ୤ ଘିନୁଆର ସବୁ ଜମିବାଡ଼ି ମଧ୍ୟ ନେଇ ନିଜର କରିଛି୤ ସେଦିନ ସନ୍ଧ୍ୟାରେ ଘିନୁଆର ସ୍ତ୍ରୀ ଉପରେ ଅତ୍ୟାଚାର କରିବାକୁ ବସିଥିଲା୤ ଏତେବଡ଼ ବହପ ! ଘିନୁଆକୁ ଦେଖି ମଟରରେ ପଳାଉଥିଲା୤ ତା’ ହାବୁଡ଼ରୁ ଖସି ଚାଲିଯିବ ! ତା’ର ମଟର ଚକକୁ ତୀର ମାରି ଘିନୁଆ ମଟରକୁ ଅଚଳ କରିଦେଲା୤ ତା’ପରେ ଟାଙ୍ଗିଆରେ ତା’ର ମୁଣ୍ଡଟି କାଟିଦେଇ ସିଧା ଦୌଡ଼ିଲା, ରାତାରାତି ବଣ ଜଙ୍ଗଲ ଭିତରେ ଦେଇ୤ ତିରିଶ ମାଇଲ୍‌ ରାସ୍ତା ଏକା ନିଶ୍ବାସକେ ଦୌଡ଼ି, ସେ ଡେପୁଟି କମିଶନରଙ୍କ ବଙ୍ଗଳା ପାଖରେ ହାଜର ହେଲା୤

ଗୋବିନ୍ଦ ସର୍ଦାର ସାମାନ୍ୟ ଲୋକ ନୁହେଁ୤ ହାତରେ ତା’ର ଥାଏ ସବୁବେଳେ ବନ୍ଧୁକ୤ ବାଘ ଭାଲୁଙ୍କ ଅପେକ୍ଷା ଲୋକେ ତାକୁ ବେଶୀ ଭୟ କରନ୍ତି୤ ବାଘ-ଭାଲୁଙ୍କ ଅପେକ୍ଷା ସେ ଲୋକଙ୍କର କ୍ଷତିକରେ ଢେର ବେଶୀ୤ ତାକୁ ମାରିବା ପାଇଁ ଘିନୁଆ କମ୍‌ ସାହସ ଓ ବିଚକ୍ଷଣତା ଖର୍ଚ୍ଚ କରିନାହିଁ୤ କିଛି ବର୍ଷ ତଳେ ମେଳିଆ ଝପଟ ସିଂର ମୁଣ୍ଡ କାଟିଥିବାରୁ ସାହେବ ଡୋରାକୁ ପାଁଶ ଟଙ୍କା ବକ୍‌ସିସ୍‌ ଦେଇଥିଲା୤ ଝପଟ ସିଂ ତ ଏକରକମର ଭଲ ଲୋକ ଥିଲା୤ ସେ ସ୍ତ୍ରୀଲୋକଙ୍କ ଇଜ୍ଜତ ନେଇ ନାହିଁ କି କାହାରି ଜମିବାଡ଼ି ଦଖଲ କରି ନାହିଁ୤ ସେ କେବଳ ଖଜଣାଖାନା ଲୁଟି କରିଥିଲା, ଆଉ କେତେଜଣ ସିପାହିଙ୍କୁ ମାରିଥିଲା୤ ଗୋବିନ୍ଦ ସର୍ଦାର କିନ୍ତୁ ବଡ଼ ଭୟଙ୍କର ଲୋକ୤ ତାକୁ ମାରିଥିବାରୁ ଘିନୁଆକୁ ଅଧିକ ବକ୍‌ସିସ୍‌ ମିଳିବା ଉଚିତ୍‌୤

ଘିନୁଆର ଗଳ୍ପ ଶୁଣି ସମସ୍ତେ ହୋ ହୋ ହୋଇ ହସି ଉଠିଲେ୤ ଜଜ୍‌ ସାହେବ ହସି ହସି କହିଲେ, ‘ହଁ ଉପଯୁକ୍ତ ବକ୍‌ସିସ୍‌ ଦିଆଯିବ୤’ ସରକାରୀ ଓକିଲ କହିଲେ, ‘ତତେ ଏଠାକୁ ଖାସ୍ ଅଣାଯାଇଛି ବକ୍‌ସିସ୍‌ ଦିଆଯିବା ଲାଗି୤’

ଘିନୁଆ ଏହାକୁ ପରିହାସ ନମଣି ସତ ବୋଲି ମନେକଲା୤ କାରଣ ହସ କୌତୁକ, ଥଟ୍ଟା ପରିହାସ ସେ ଜାଣେନାହିଁ୤ ତା’ର ଯେ ନିତାନ୍ତ ନିପଟ ରସଶୂନ୍ୟ ପ୍ରକୃତି୤ ଶେଷରେ ରାୟ ଦିଆଗଲା – ପ୍ରାଣଦଣ୍ଡ୤ ଘିନୁଆ ଏହାର କୌଣସି ଅର୍ଥ ବୁଝିଲା ନାହିଁ୤ ପୁଣି ଜେଲ୍‌କୁ ଫେରାଇ ତାକୁ ବୁଝାଇ ଦିଆଗଲା ଯେ, ତା’ର ବକ୍‌ସିସ୍‌ ପାଇବାର ଦିନ ଆସୁଛି୤

ଘିନୁଆ ସେ ପର୍ଯ୍ୟନ୍ତ ବୁଝିଲାନାହିଁ ଯେ ସେ ଜଣେ ଅପରାଧୀ ଓ ସେଥିଲାଗି ତାକୁ ପ୍ରାଣଦଣ୍ଡ ଆଦେଶ ହୋଇଛି୤ ଝପଟ ସିଂକୁ ମାରିବା ଓ ଗୋବିନ୍ଦ ସର୍ଦାରଙ୍କୁ ମାରିବା ଯେ ଏକାକଥା ନୁହେଁ, ତାହା ସେ ବୁଝିବ କାହୁଁ ? ସେ ଜାଣିଲା ନାହିଁ ଯେ ଗୋଟିଏ ଗୌରବର ବିଷୟ, ଅନ୍ୟଟି ଦୋଷାବହ ! ଆଇନର ସୂକ୍ଷ୍ମ ଜାଲ ଭିତରେ ପଶିବାକୁ ତା’ର ମୁଣ୍ଡ ନାହିଁ୤ ସେ ଯେ ବଣୁଆ ସାନ୍ତାଳ !

ସେ ମନେ ମନେ ଭାବେ, ଡୋରା ପାଁଶ ଟଙ୍କା ପାଇଛି ଝପଟ ସିଂକୁ ମାରି୤ ସେଥିରୁ ବେଶି ନଦେଲେ କାହିଁକି ନେବ ? ସବୁ ଫେରାଇଦେଇ କହିବ, ‘କିଛି ନ ଦିଅ ପଛେ ସାହେବ, ଡୋରା ଠାରୁ ବେଶୀ ପାଇବାର ମୋର ହକ୍‌୤’ ଜେଲ୍‌ରେ ଅନ୍ଧାରିଆ ନିର୍ଜନ ଗୁମ୍ଫାରେ ରହି ସେ କେତେ କ’ଣ ଭାବେ୤ କଥାବାର୍ତ୍ତା କରିବାକୁ ସେ କାହାରିକି ଦେଖେ ନାହିଁ୤ କଥାବାର୍ତ୍ତା କରିବାକୁ ବି ତା’ର ଆଗ୍ରହ ନଥାଏ୤ କେବଳ ବକ୍‌ସିସ୍‌ ପାଇ ଘରକୁ ଫେରିବାକୁ ତା’ର ମନ ଛଟପଟ ହେଉଥାଏ୤

ଶେଷରେ ତା’ର ଫାଶୀର ଦିନ ଆସିଲା୤ ତାକୁ ପଚରାଗଲା, ତା’ର ଶେଷରେ କ’ଣ ଦରକାର୤ ସେ କହିଲୋ, ‘ମୋର ବକ୍‌ସିସ୍‌୤’ ‘ଆଚ୍ଛା, ବକ୍‌ସିସ୍‌ ପାଇବୁ ଆ’ କହି ତାକୁ ନେଇଗଲେ୤ ମୁଣ୍ଡରେ ତା’ର ଗୋଟିଏ କଳାକନାର ଖୋଳ ପିନ୍ଧାଇ ଦିଆଗଲା୤ ଘିନୁଆ ମନେ ମନେ ବିଚାରିଲା – ଆଖିରେ ଅନ୍ଧ ପୋଟଳି ଦେଇ ହାତରେ ତା’ର ସୁନାରୂପା ଢାଳି ଦିଆଯିବ୤ ସରକାର ଘରର କେତେ ଫନ୍ଦିଫିକର, କାଇଦା କଟକଣା ଅଛି, ଖାଲି ସିମିତି କ’ଣ ବକ୍‌ସିସ୍‌ ଦିଆଯିବ ? ସେ ଘରକୁ ଫେରି ସବୁ ଦେଖାଇବ୤ କି ଖୁସି ହେବ ସ୍ତ୍ରୀ ତା’ର ସେ ସବୁ ଦେଖି ! ଭଲ ଘରଦ୍ବାର କରି, ଜମିବାଡ଼ି ଚଷି ସେ ସୁଖରେ ରହିବ୤ ଆଉ ତ ଗୋବିନ୍ଦ ସର୍ଦାର ନାହିଁ ଯେ ସବୁ ଲୁଟିକରି ନେବ୤

ହଠାତ୍‌ କ’ଣ ଗୋଟିଏ ଆସି ତା’ ବେକରେ ବାଜିଲା୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଭଗବତୀ ଚରଣ ପାଣିଗ୍ରାହୀ
ଭଗବତୀ ଚରଣ ପାଣିଗ୍ରାହୀ
କବିଚନ୍ଦ୍ର କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ କନିଷ୍ଟ ଭ୍ରାତା ତଥା ଓଡ଼ିଶାରେ ବାମପନ୍ଥୀ ଆନ୍ଦୋଳନର ଜଣେ କର୍ଣ୍ଣଧାର ସହିତ ଜଣେ ପ୍ରଗତିଶୀଳ ଲେଖକ ଭାବେ ଭଗବତୀ ଚରଣ ପାଣିଗ୍ରାହୀ(୧୯୦୮-୧୯୪୩) ପରିଚିତ୤ ମାତ୍ର ୩୫ ବର୍ଷର ଜୀବନକାଳ ମଧ୍ୟରେ ଓଡ଼ିଶାର ଦଳିତ, ନିଷ୍ପେ‍ଷିତ ଏବଂ ଜନଜାତିମାନଙ୍କ ପାଇଁ ସଂଗ୍ରାମ କରିଥିବା ଭଗବତୀ ଚରଣଙ୍କ ଶିକାର ସମେତ ମିମାଂଶା, ମୃତ୍ୟୁର ଚେତନା, ଝଡ଼ ଓ ମଜଲିସ୍‌ ଆଦି କ୍ଷୁଦ୍ରଗଳ୍ପ ବେଶ୍‌ ଲୋକପ୍ରିୟ୤ ତାଙ୍କର ଗଳ୍ପଗୁଡ଼ିକ ସେତେବେଳର ବୁର୍ଜୁଆମାନଙ୍କର ଭିତ୍ତିଭୂମିକୁ ଗଭୀର ଭାବେ ଆଘାତ କରିଥିଲା୤
 

ମତାମତ ସଂଖ୍ୟା - ୧୦ ଆପଣଙ୍କ ମତାମତ ?

  • ୧. ଶ୍ରୀକାନ୍ତ ତ୍ରିପାଠୀ, ସ୍ବାମପାଟଣା, କେନ୍ଦୁଝର, ଓ଼ଡିଶା |  ଅକ୍ଟୋବର୍ ୨୭, ୨୦୧୧ - ୬:୧୬ ପୂର୍ବାହ୍ନ

    ଅତି ସୁନ୍ଦର , ଧନ୍ୟବାଦ

  • ୨. ତନ୍ମୟ ମିଶ୍ର |  ଅକ୍ଟୋବର୍ ୨୮, ୨୦୧୧ - ୮:୪୦ ପୂର୍ବାହ୍ନ

    ବହୁତ ଦିନ ତଳେ ସ୍କୁଲ୍ ରେ ପଢିଥିଲି, ଆଉଥରେ ପଢିବାର ଅଦମ୍ୟ ଇଚ୍ଛା ଥିଲା, ବହୁତ ଧନ୍ୟବାଦ୤ ଘିନୁଆର ସରଳ ନିସ୍କପଟ ପ୍ରାଣ କଣ ଜାଣିଥିଲା ବକ୍ସିସ୍ ବଦଳରେ ତାକୁ ପ୍ରାଣଦଣ୍ଡ ମିଲିବ ବୋଲି?

  • ୩. ସୁରେନ୍ଦ୍ର କୁମର ମିସ୍ର |  ଅକ୍ଟୋବର୍ ୨୯, ୨୦୧୧ - ୭:୧୧ ପୂର୍ବାହ୍ନ

    ଅତି ସୁନ୍ଦର

  • ୪. ଆନାରଂଜନ |  ଅକ୍ଟୋବର୍ ୩୦, ୨୦୧୧ - ୨:୧୬ ପୂର୍ବାହ୍ନ

    ଧନ୍ୟବାଦ

  • ୫. ଆନାରଂଜନ ବେହେରା କଳକଳା ଯାଜପୁର |  ଅକ୍ଟୋବର୍ ୩୦, ୨୦୧୧ - ୨:୨୪ ପୂର୍ବାହ୍ନ

    ଧନ୍ୟବାଦ, ବହୁତ ଭଲ ହୋଇଥିଲା ଗଳ୍ପଟି, ଆଗକୁ ଏହିଭଳି ଗଳ୍ପ ଗୁଡିକୁ ଅନ୍ତର୍ଭୁକ୍ତ କରିବାକୁ ଅନୁରୋଧ,ନମ୍ସ୍କାର ।

  • ୬. ସୁରେନ୍ଦ୍ର କୁମର ମିସ୍ର |  ନଭେମ୍ବର୍ ୧, ୨୦୧୧ - ୩:୧୫ ପୂର୍ବାହ୍ନ

    ପ୍ରଣାମ୍ ନେବେ,

  • ୭. ରଶ୍ମି ରଞ୍ଜନ |  ନଭେମ୍ବର୍ ୧, ୨୦୧୧ - ୧:୨୭ ଅପରାହ୍ନ

    ଏହି ଗଳ୍ପକୁ ଆଧାର କରି ମୃଣାଲ ସେନ୍ ପ୍ରସ୍ତୁତ କରିଥିଲେ ମିଥୁନ୍ ଚକ୍ରବର୍ତ୍ତୀଙ୍କର ପ୍ରଥମ ଚଳଚ୍ଚିତ୍ର “ମୃଗୟା”, ତାକୁ ଦେଖିଥିଲି ୤ ଆଜି ପ୍ରଥମ୍ ଥର ପଢିଲି ଏଇ ଗଳ୍ପ ୤
    ଧନ୍ୟବାଦ ୤

  • ୮. ପ୍ରତାପ ଚନ୍ଦ୍ର ଭଞ୍ଜ, ଖୋରଧା |  ନଭେମ୍ବର୍ ୩, ୨୦୧୧ - ୭:୪୯ ପୂର୍ବାହ୍ନ

    ଓଡିଆ ସାହିତ୍ୟର ଏ ଗଳ୍ପଟି ଗୋଟେ ମାଇଲ୍ ଖୁଣ୍ଟ ୤ ଧନ୍ୟବାଦ୍ ଏଇଟିକୁ ପୁଣି ପରସି ଥିବାରୁ ୤ ତେବେ ଲେଖକଙ୍କର ଫଟୋଟେ ଦେଇଥିଲେ ଖୁବ୍ ଭଲ ହେଇଥାଆନ୍ତା ୤ ତା ସହିତ ଗଳ୍ପର ରଚନାକାଳ, ଏବଂ ଅନ୍ୟାନ୍ୟ ବିବରଣୀ ଥିଲେ ଆହୁରି ଭଲ ହେଇଥାଆନ୍ତା ୤

  • ୯. ମହେଶ ପ୍ରସାଦ ଦାଶ |  ନଭେମ୍ବର୍ ୧୭, ୨୦୧୧ - ୪:୨୬ ପୂର୍ବାହ୍ନ

    ମନେହୁଏ ଗଳ୍ପଟି ଅଗରୁ ପଢିଲା ପରି ୤ କିନ୍ତୁ କେଉଁଠି ମନେ ପଡୁ ନାହିଁ ୤ ଅତ୍ୟନ୍ତ ମର୍ମସ୍ପଶୀ କହାଣୀ ଟିଏ ୤ ଅନେକ ସାଧୁବାଦ୍ ୤ ଅନେକ ବର୍ଷ ବାହାରେ ରହି ନିଜ ଭାଷା ରେ ପଢି ପରିବା ଏବଂ କମ୍ପୁଟର୍ ରେ ଲେଖି ପାରୁ ଥିବାରୁ ବହୁତ୍ ଖୁସି ଲଗିଲା ୤

  • ୧୦. Mr. Santosh Kumar Panda(M.Pharm) |  ମାର୍ଚ୍ଚ୍ ୬, ୨୦୧୨ - ୫:୨୭ ପୂର୍ବାହ୍ନ

    emiti kalatita kalajayi lekhani odia sahitya ra prustha ku sashakta karichhi

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤