ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଅମରେଶ ବିଶ୍ବାଳ
କିଶୋରୀ ଚରଣ ଦାସ
ଗୋଦାବରିଶ ମିଶ୍ର
ଭକ୍ତକବି ମଧୁସୂଦନ ରାଓ
ଗୋପାଳ ଚନ୍ଦ୍ର ପ୍ରହରାଜ
ସୁରେନ୍ଦ୍ର ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଆଙ୍ଗୁଠି
 |- ସଚ୍ଚି ରାଉତରାୟ
 
 
ତା: ମାର୍ଚ୍ଚ୍ ୫, ୨୦୧୧  
 

ବଡିଭୋର୤ କଣ୍ଟା-ନଟିର ସାବଜା ପତ୍ର ପରେ ଜହ୍ନ ଆଲୁଅ ଶେତା ଦେଖାଗଲାଣି୤ ପଠାଣ ସାହିର ଗୋଟାଏ ଚାଳ ଉପରେ ବସି ତୋମିଜ୍‌ ମିଆଁର ଗଞ୍ଜାଟା ଚୁଳ ଝାଡି ଡାକ ଛାଡିଛି – ଚ-କ-ଅ-ଧ-ର-ର-ଖ-ଅ-ଅ…୤ ଓଦାମାଟିର ସୁରାକ ପାଇ କାନଶିରି ଗଛର ଅରମା ଭିତରୁ ଗୋଟାଏ ଝିଣ୍ଟିକା ବି ଚିଁ ଚିଁ ହୋଇ ଡାକ ପାରିଛି ତା ସାଥିରେ…୤

ମାଗୁଣୀ ଖାଁ ବହାରିଲା ହଳକୁ୤ କାଲି ଅସରାଏ ବର୍ଷା ହୋଇ ଛାଡି ଯାଇଛି; ନୁଖୁରା ବିଲ ମାଟିରେ ଗାର ଦେବା ପାଇଁ ଉତ୍ତମ ସୁଯୋଗ୤ ଗାମୁଛାଟାକୁ ଭଲକରି ମୁଣ୍ଡରେ ଗୁଡେଇ ଦେଇ ସେ ବାଡିପାଖ କନିଅର ଗଛରୁ ହାତ ବଢାଇ ଖଣ୍ଡେ ଡାଳ ଭାଙ୍ଗିଲା୤ ତା’ପରେ ବଟୁଆରୁ ଗୁଆକାତିଟା କାଢି ସେଥିରୁ ଗଣ୍ଠିପତ୍ରତକ ଭଲକରି ମାରିଦେଇ ଖଣ୍ଡେ ଦେଢହାତ ଲମ୍ବର ପାଞ୍ଚଣ ତିଆରି କଲା୤ ତହିଁଉତ୍ତାରୁ ମାମୁଲି ଅଭ୍ୟାସ ମୁତାବାକ ଗୋଟାଏ ଦରପାଶୋରା ହିନ୍ଦୁଆନୀ ଶଗଡିଆ ଗୀତରୁ ପଦେ ଗାଇ ଗାଇ ସେ ଜମି ଆଡକୁ ମୁହାଁଇଲା୤

“ରାମ ଯେ ଲଇକ୍ଷଣ ହୋ ଗଲେ ମୃଗମାରି୤”

ଗାଁ ତୋଟାର ଗଛର ଗହଳ ଭିତରେ କଣ୍ଠର ଆବାଜ୍‌ ତାର ପ୍ରତିଧ୍ବନିତ ହୋଇ ମରିଗଲା ନିଜଛାଏଁ୤
କିଛିଦୂର ଯାଇ ଯେ ମୁଣ୍ଡଉପରେ ଆମ୍ବଗଛରୁ ଖଣ୍ଡେ ଡାଳ ଭାଙ୍ଗି ଦାନ୍ତକାଠି ତିଆରି କଲା ଏବଂ ଦାନ୍ତକାଠି ଖଣ୍ଡିକ ଚୋବାଇ ଚୋବାଇ ଆଗକୁ ମାଡି
ଚାଲିଲା୤

ଗାଁମୁଣ୍ଡରେ ଗୋଟାଏ ବଡ ଅନ୍ଧାରଗଦାପରି ଯେଉଁ ଝାମ୍ପୁରା ବରଗଛଟା ଛିଡା ହୋଇଛି, ତାରି ମୂଳରେ ଗ୍ରାମଦେବତୀ ବାଉତୀ ଠାକୁରାଣୀଙ୍କର ଆସ୍ଥାନବେଦୀ୤ ଅଳ୍ପଦୂରରେ ମଶାଣି୤ କାଲିରାତିର ଗୋଟାଏ ଦରପୋଡା ମୁରୁଦାରକୁ ବୁକୁରେ ଧରି ଜୁଇ ନିଆଁ ଦୁକୁଦୁକୁ ହୋଇ ଜଳୁଛି୤ ହିନ୍ଦୁ ଦିଅଁ ଦେବତାଙ୍କ ଉପରେ ହଜାର ବିଶ୍ବାସ ନଥିଲେ କଣ ହେବ, ସେଇ ଗଛମୂଳରେ ପହଞ୍ଚିଲାକ୍ଷଣି ମାଗୁଣୀ ଖାଁର ଛାତିଟା କେଜାଣି କାହିଁକି ଭାରି ଜୋର୍‌ରେ ଦକ ଦକ ହୋଇ ପଡିବାକୁ ଲାଗିଲା୤ ବାଟରେ ଜନପ୍ରାଣୀର ସୋର-ଶବଦ ନାହିଁ୤ ଚାରିଆଡେ ନିଛାଟିଆ, ଅଜ୍ଞାତସାରରେ ମାଗୁଣୀ ଖାଁର ହାତ ପାପୁଲିଟା ଡାହାଣ ପଟ ବଳଦ ଲାଙ୍ଗୁଡକୁ ମୁଠେଇ ଧରିଲା୤

ହଠାତ୍‌ ଏପରି ସମୟରେ ଦେଖାଗଲା, ସେଇ ବରଓହଳ ତଳେ ଦୁଇଟି ମଣିଷର ଛାଇ୤ ମାଗୁଣୀ ଖାଁର ଦିହରୁ ଗୋଟାଏ ଘମାଘୋଟିଆ ଝାଳ ନିଗିଡି ଗଲା୤ ପାଟି ତାର ଅଠା ଅଠା ହୋଇ ଆସିଲା୤ ଠିକ୍‌ ଏତିକିବେଳେ ତାର ମନେପଡିଗଲା ଯେ ଆଜି ଶନିବାର୤
ଏ ଯାତ୍ରାରୁ ଭଲରେ ଭଲରେ ରକ୍ଷା ପାଇଲେ ଠାକୁରାଣୀଙ୍କୁ ଜାଆଁଳା କୁକୁଡା ଦେବ ବୋଲି ମନାସିଲା୤ ହିନ୍ଦୁ-ମୁସଲମାନ ଉଭୟ ଧର୍ମର ଶତାଧିକ ଦିଅଁ ଦେବତାଙ୍କ ନାମ ସେ ମନେ ମନେ ଉଚ୍ଚାରଣ କରିଗଲା ଏବଂ ସମସ୍ତଙ୍କୁ ନାନାରକମର ପ୍ରଲୋଭନ ଦେଖାଇ ଏ ମହାବିପଦରୁ ତାକୁ ରକ୍ଷା କରିବାପାଇଁ ଅନୁରୋଧ କଲା୤

କ୍ରମେ ଛାଇ ଦୁଇଟା ଦୂରକୁ ଦୂରକୁ ଘୁଞ୍ଚିଗଲେ୤ ମାଗୁଣୀ ଖାଁର ବୋଧହୁଏ ଚେତା ବୁଡିଯାଇଥାନ୍ତା ଆଉ ଟିକିଏ ଯାଇଥିଲେ; କିନ୍ତୁ ଠିକ୍‌ ଏତିକିବେଳେ ସେ ସେହି ଛାଇ ଦୁଇଟାର କଥାବାର୍ତ୍ତା ଶୁଣି ପାରିଲେ୤ ଟିକିଏ ଦମ୍ଭ ଆସିଲା ତାର୤ ଭାବିଲା ସତରେ ମଣିଷ ହେବେ ପରା!! ସେ କାନ ଦୁଇଟାକୁ ଟେକି ଖୁବ୍‌ ତନ୍ମୟ ହୋଇ ଶୁଣିବାକୁ ଲାଗିଲା୤ ପ୍ରଥମ ଛାଇ କହୁଛି –

“କାଣି ଆଙ୍ଗୁଠିର ଦାମ୍‌ କେତେ ?”

ଦ୍ବିତୀୟ କଣ୍ଠରୁ ଉତ୍ତର ଆସିଲା – “ଆଜ୍ଞା ଅମୂଲ ମୂଲ ହାଙ୍କୁଛି୤ କହୁଛି ଦେଢଶ’ ଟଙ୍କାରୁ ଗୋଟାଏ ପାହୁଲା ଉଣା ହେଲେ ସେ ଦନ ନାହିଁ୤”

“ବୁଢା ଆଙ୍ଗୁଠି କେତେନେଲେ ଦବ ?”

“ଆଜ୍ଞା, ପାଞ୍ଚଶହ୤”

“ଧେତ୍‌ !”

“ଆଜ୍ଞା, ହଁ , ହଜୁର ମା ବାପ, ମୁଁ କଣ ମିଛ କହୁଛି ?”

“ବଡ ଚଢା ଦାମ୍‌ ! ଦବାନବା କଥା କହ୤”

“ନାଇଁ ଆଜ୍ଞା ସେ ଏକା ରେଣ୍ଟି ଧରିଛି – ଦେଢଶ’ ଟଙ୍କା ନଗଦ ନହେଲେ ସେ କାଣି ଆଙ୍ଗୁଠିଟି ଦବ ନାହିଁ, ମୁଣ୍ଡଛିଡିଗଲେ ବି ନୁହେଁ୤”

ନିସ୍ତବ୍‌ଧତା – ଛାଇ ଦୁଇଟା ଚୁପ୍‌ଚାପ୍‌୤ କିଛିକ୍ଷଣ ପରେ ପ୍ରଥମ କଣ୍ଠରୁ ଉତ୍ତର ଆସିଲା –

“ଆଚ୍ଛା, ଦିଆଯିବ୤ ଏଇ ଆଗତୁରା କୋଡିଏ ଟଙ୍କା ନିଅ୤ ଗଣ, ଧର, ବାନ୍ଧ୤ ହଁ ସବୁକଥା ଯିମିତି ମନେ ରହେ୤ ବୁଝିଲୁ ? ହୁସିଆର୍‌ !!!

( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସଚ୍ଚି ରାଉତରାୟ
ସଚ୍ଚିଦାନନ୍ଦ ରାଉତରାୟ ପୁରୀ ଜିଲ୍ଲା ଅର୍ନ୍ତଗତ ଖୋର୍ଦ୍ଧା ନିକଟବର୍ତ୍ତୀ ଗୁରୁଜଙ୍ଗ ଗ୍ରାମରେ ୧୯୧୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ୤ ଆଧୁନିକ ଓଡ଼ିଆ ସାହିତ୍ୟରେ କବିତା ଓ ଗଳ୍ପ ଲେଖନୀ କ୍ଷେତ୍ରରେ ତାଙ୍କର କୃତିତ୍ବ ଅବର୍ଣ୍ଣନୀୟ୤ ସେ ପଲ୍ଲୀର ସାଧାରଣ ଜୀବନକୁ କେନ୍ଦ୍ର କରି ରଚନା କରିଥିବା କବିତାଗୁଡିକ ଓଡ଼ିଆ ସାହିତ୍ୟର ଅମୂଲ୍ୟ ସମ୍ପତ୍ତି ଭାବେ ସ୍ବୀକୃତ୤ ପାଥେୟ, ପଲ୍ଲୀଶ୍ରୀ, ପାଣ୍ଡୁଲିପି, ଅଭିଯାନ ପ୍ରଭୃତି ତାଙ୍କର ଉତ୍କୃଷ୍ଟ କବିତା ପୁସ୍ତକ୤ ତାଙ୍କର ବାଜି ରାଉତ କବିତା ସଙ୍କଳନ ବିଶେଷଭାବେ ଚର୍ଚ୍ଚିତ୤ ମଶାଣିର ଫୁଲ ଓ... [ କ୍ରମେ ସବିଶେଷ ]
ସଚ୍ଚି ରାଉତରାୟଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧

  • ୧. ତାପସ କୁମାର ପଣ୍ଡା |  ଜୁନ୍ ୪, ୨୦୧୧ - ୪:୩୬ ପୂର୍ବାହ୍ନ

    ବହୁତ ଭଲ ଲଗିଲା.