ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଶୈଳେନ୍ଦ୍ର କୁମାର ଜେନା
ସୌଭାଗ୍ୟ ମିଶ୍ର
ଚନ୍ଦ୍ରଶେଖର ରଥ
ଲକ୍ଷ୍ମୀଧର ନାୟକ
ଭକ୍ତକବି ମଧୁସୂଦନ ରାଓ
ଭୁବନେଶ୍ବର ବେହେରା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବାଘ
  ଦେବବ୍ରତ ମଦନରାୟ, ବିହାରୀବାଗ, କଟକ
 
 
ତା: ମେ ୫, ୨୦୧୧  
 

ଗାଡ଼ି ବୁଲିଲା୤ ନାଲି ଗୋଡ଼ି ରାସ୍ତା ଟପି ଗାଆଁ ମଝିରେ ଗାଡ଼ି ଅଟକିଗଲାବେଳେ ଆକାଶ ଦେଖାଗଲା ନାହିଁ ମେଘୁଆ, ବରଂ ମେଘୁଆ ଦେଖାଗଲା ସମୁଦାୟ ଘର ଓ ଗାଁ ଲୋକଙ୍କ ଭବିଷ୍ୟତ୤ ପିଣ୍ଡା ଉପରେ ବସିଥିବା ଲୋକ କେତୋଟି ଦେଖାଗଲେ ମଳିନ, ରୁଗ୍‌ଣ୤ ଡ୍ରାଇଭର ଡାକିବାରୁ ସେମାନେ ଗାଡ଼ି ପାଖକୁ ଆସିଲେ୤ ସେମାନଙ୍କ ସହ କଥା ହେଲି୤ ଚାଷବାସ ଓ ଋଣର କଥା୤ ସେମାନଙ୍କ କଥାରୁ ବୁଝିଲି ଋଣ ଶୁଝିବା ସକାଶେ ସମସ୍ତେ ଅସମର୍ଥ୤ ଚାଷରୁ ଯାହା ମିଳୁଚି ସେଥିରେ ଗୁଜୁରାଣ ମେଣ୍ଟିବା ଯଥେଷ୍ଟ ନୁହେଁ୤ କଥା ଶେଷରେ ବାଘ ପଧାନର ଘର କେଉଁଠି ପଚାରିବାରୁ ଜଣେ ଲୋକ ଦେଖାଇଦେଲା ଭାଙ୍ଗିପଡ଼ିଥିବା କାନ୍ଥ ଆଡ଼କୁ୤ ବର୍ଷାମାଡ଼ରେ ମାଟି ଖସିପଡ଼ିଥିବା ଘରଟି ନିଜ ବୋଝ ଧରିରଖିବା ପାଇଁ ଏବେ କ୍ଳାନ୍ତ, ଅସମର୍ଥ୤
ସେହି ଘର ଭିତରୁ ଜଣେ ଦୁର୍ବଳ ସ୍ତ୍ରୀଲୋକ ବାହାରିଆସି ନିଜର ପରିଚୟ ଦେବା ଯୋଗୁଁ ହିଁ ଜାଣିଲି, ସେ ହେଉଛନ୍ତି ବାଘ ପଧାନର ମାଆ୤ ବାଘ ପଧାନ ସେଠି ରହୁନାହିଁ୤ ରହୁଚି ପଚାଶ କିଲୋମିଟର ଦୂରରେ, ଏକ ମଠରେ୤ ତାଙ୍କ କଥାକୁ ବିଶ୍ବାସ କରିପାରିଲି ନାହିଁ୤ ବାଘ ପଧାନର ମାଆ ବି ବିଶେଷ କିଛି କହିବା ପାଇଁ ଇଚ୍ଛା ପ୍ରକାଶ କଲେ ନାହିଁ ବୋଧେ୤ ପଦେ ଅଧେ କଥା କହି ସେ ସେଠୁ ପଳାଇଗଲେ୤ ସମୁଦାୟ ପରିବେଶ ମୋତେ ଲାଗିଲା ରହସ୍ୟମୟ୤

ଫେରିଆସିଲି କ୍ଳାନ୍ତି ଓ ଅନିଶ୍ଚିତତା ଭିତରେ୤ ବାଟସାରା ଯେତେ ଚେଷ୍ଟା କଲେ ବି ସମୁଚିତ ଉତ୍ତରଟିଏ ମୋତେ ମିଳିଲା ନାହିଁ୤
ଶେଷରେ ମନେ ମନେ ସ୍ଥିର କଲି ସେଇ ମଠକୁ ଯିବାକୁ ହେବ ମୋତେ୤ ସେଠି ପାଇବି ସମୁଚିତ ଉତ୍ତର୤ ଶାଳ ଜଙ୍ଗଲ ଘେରା ଗାଁଆଟି ଭିତରେ ଲୁଚିରହିଥିବା ରହସ୍ୟମୟ କଥାଟିର ଖିଅ ମୋତେ ମିଳିଯିବ ନିଶ୍ଚେ୤

ସେଠିକୁ ଯିବି ଯିବି ବୋଲି ଯାଇପାରିଲି ନାହିଁ୤ ବ୍ୟାଙ୍କ୍ କାର୍ଯ୍ୟରେ ବ୍ୟସ୍ତ ରହିବାରୁ ବିତିଗଲା କିଛିଦିନ୤ ମୋ’ ମନ ଭିତରୁ ବାଘ ପଧାନ ମୁହଁଟି ଅସ୍ପଷ୍ଟ ହୋଇଆସିବା ପୂର୍ବରୁ ହଠାତ୍‌ ଦିନେ ପହଞ୍ଚିଗଲା ସେ୤ ବ୍ୟାଙ୍କରେ୤ ସମୟ ବାରଟା ପାଖାପାଖି୤ ଡୋର୍‌ ଠେଲି ଗେରୁଆ ଲୁଗା ଆଉ ଚାଦର ପରିହିତ ବ୍ୟକ୍ତି ଜଣକ ବାଘ ପଧାନ ବୋଲି ଚିହ୍ନିବାରେ ମୋତେ ଅଳ୍ପ ସମୟ ଲାଗିଥିଲା୤ ଅବଶ୍ୟ ତା’ ମୁହଁରେ ଥିବା ବହଳିଆ ଦାଢ଼ି ତାକୁ ଅଚିହ୍ନା କରିଦେବାରେ ସହାୟକ ହେଇଥିଲା୤ ମାତ୍ର ତା’ ଚକ୍‌ଚକ୍‌ ଆଖି ଦୁଇଟିକୁ ଦେଖି ମୁଁ ତାକୁ ଚିହ୍ନିପାରିଲି୤
ସେ ଗମ୍ଭୀର ସ୍ବରରେ କହିଲା, ‘ଆରେ ଚାହିଁରହିଚୁ କ’ଣ ? ମୁଁ ହେଉଛି ବାଘ ପଧାନ୤ ମୋ’ ଘର ସୁଆଗିନାଳି୤ ଯେଉଁ ଗାଆଁକୁ ଯାଇ ତୁ ମୋତେ ଖୋଜିଆସିଚୁ୤ ଜାଣିଚୁ, ସାଧୁସନ୍ନ୍ଯାସୀ ନିଜ ପରିଚୟ ସହ ଗାଁ କେଉଁଠି କହନ୍ତି ନାହିଁ, ମାତ୍ର ମୁଁ ତୋତେ କହିଲି୤ ମୋ’ ନିଜ ପରିଚୟ ଦେଲି୤ କାରଣ ମୁଁ ସନ୍ନ୍ଯାସୀ ନୁହେଁ୤’

ତା’ପରେ ଅସ୍ବାଭାବିକ ଭାବେ ସେ ହସିଉଠିଲା୤ ତା’ କଥା ଆଉ ତା’ର ପୋଷାକ ମୋତେ ବିସ୍ମିତ କରିଦେଲା୤ ତାକୁ ବସିବାକୁ କହିଲି୤ ସେ ବସିଲା ସିଧା ହୋଇ୤ ଏକ ଅପୂର୍ବ ଠାଣିରେ୤ ବୋଧେ ବାଘ ବସିବା ପରି ଥିଲା ସେଇ ଠାଣି୤
କିଛି ସମୟ ନୀରବ ରହିବା ପରେ ପଚାରିଲି, ‘ତୁ ସନ୍ନ୍ଯାସୀ ନୁହଁ, ତେବେ ଏ ପୋଷାକ ପିନ୍ଧିଚୁ କାହିଁକି ?’
ମୋ’ ପ୍ରଶ୍ନ ଶୁଣି ସେ ବୋଧେ ଅଣନିଶ୍ବାସୀ ହୋଇଉଠିଲା୤ ଗୋଟେ ତୀକ୍ଷ୍ଣ ଛୁରୀ ଯେପରି ଖଣ୍ଡ ଖଣ୍ଡ କରିଦେଲା ତା’ ଭିତର ସତ୍ତାକୁ୤

କାନ୍ଥ ଆଡ଼କୁ ଚାହିଁ କହିଲା, ‘ମୋ’ ବାପାଙ୍କ ପାଇଁ୤ ପିଲାଦିନେ କ’ଣ ଗୋଟେ ରୋଗ ଧରିଥିଲା ଯେ ସେଇ ରୋଗରେ ମୁଁ କୁଆଡ଼େ ମରିଯାଇଥାଆନ୍ତି୤ ତେଣୁ ସେ ମଠକୁ ନେଇ ମୋତେ ଗୋଟେ ସନ୍ନ୍ଯାସୀକୁ ଦାନ କରିଦେଲେ୤ ଆଉ ମୁଁ ବଞ୍ଚିଗଲି୤ ବାହାଘର ପ୍ରସ୍ତାବ ଯେତେବେଳେ ଆସିଲା ସେଇ କଥାଟିକୁ ମୋତେ ବୋଉ ମନେ ପକାଇଦେଲା୤ ଆଉ ତା’ ସହ ମଠକୁ ଯାଇ ଅନୁମତି ଆଣିବା ପାଇଁ ଚେତେଇଦେଲା୤ ସେଠିକି ଗଲି୤ ଯାହାକୁ ବାପା ମୋତେ ଦାନ କରିଦେଇଥିଲେ ସେ ମୋତେ ମୁକୁଳାଇଦେବା ନିମନ୍ତେ ଗୋଟେ ଚିଠା ଧରାଇଦେଲେ୤ ସେଇ ଚିଠାରେ କ’ଣ ଲେଖାଯାଇଥିଲା ଜାଣିଚୁ ? ଶହେ ସନ୍ନ୍ଯାସୀଙ୍କୁ ଖାଇବାକୁ ଦେବାକୁହେବ୤ ସେମାନଙ୍କ ପାଇଁ ନୂଆ ଲୁଗା ଆଉ ଦକ୍ଷିଣା୤ ଦକ୍ଷିଣା ବି କମ୍‌ ନୁହେଁ ରେ୤ ଦଶ ହଜାର ଟଙ୍କା୤ ଯଦି ଏତକ ନ ଦିଏ ତେବେ ବର୍ଷଟିଏ ମଠରେ ରହି ତାଙ୍କର ସେବା କରିବି୤ ତା’ ପରେ ସେ ଯାହା ବିଚାର କରିବେ୤ ମୁଁ ଆଉ କ’ଣ କରିଥାନ୍ତି ? ତାଙ୍କରି ସେବା ଏବେ କରୁଚି ସେଇ ମଠରେ ରହି୤ ଗେରୁଆ ପୋଷାକ ପିନ୍ଧି୤’

କଥା ସରିବା ପରେ ତା’ର ଦୀର୍ଘଶ୍ବାସ କମ୍ପିଉଠିଲା୤ ବୋଧେ ହୃଦୟ ଭିତରେ ହୋଇଥିବା କ୍ଷତରେ ଅସହ୍ୟ ଯନ୍ତ୍ରଣା୤ ପୁଣି ରହି ରହି କହିଲା, ‘ମୋ’ ଭାଗ୍ୟ ଛୋଟ୤ ସେଦିନ ମୁଁ ରୋଗରେ ମରିଯାଇଥିଲେ ଭଲ ହୋଇଥାଆନ୍ତା୤ ହେଲେ, ମୋ’ ପାଇଁ କେବଳ ଦୁଃଖ ଅଛି୤ ପାଠ ପଢ଼ିପାରିଲ ନାହିଁ ଟଙ୍କା ଅଭାବରୁ୤ ଖେଳୁଥିଲି ଯେ ତାହା ବି ଭଲ ଭାବରେ ଖେଳିପାରିଲି ନାହିଁ୤ ଗୋଟେ ଝିଅକୁ ଭଲ ପାଉଚି ଯେ ତାକୁ ବାହା ହୋଇପାରୁ ନାହିଁ୤ ଜାଣିଛୁ, ବାହାଘର ପ୍ରସ୍ତାବଟି ମୋ’ ପ୍ରରୋଚନାରେ ତା’ ବାପା ଆମ ଘରକୁ ନେଇ ଆସିଥିଲେ୤ ମାତ୍ର ସେ କେତେଦିନ ଅପେକ୍ଷା କରିବେ ବଢ଼ିଲା ଝିଅକୁ ଘରେ ରଖି ?’

କିଛି ସମୟ ନିସ୍ତବ୍ଧ୤ ମୋର କ’ଣ କହିବା ପାଇଁ ଅଛି ବାଘ ପଧାନକୁ ମନେ ମନେ ଭାବିଲି୤ ଅନୁଭବ କଲି, ତା’ଭିତରେ ଥିବା କୋମଳ, ସୁକୁମାର ଜିନିଷଟି ମରି ହଜିଯାଉଚି୤ ଗୋଟେ ଅନ୍ଧବିଶ୍ବାସର ଶିକାର ହୋଇଚି ସେ୤ ଏହା ଛଡ଼ା ଆଉ କିଛି ନୁହେଁ୤ ଦୋଛକିରେ ଛିଡ଼ା ହୋଇଥିବା ମଣିଷଟି ଯେ ବାଟବଣା ହେବାର ଉଦାହରଣ ଅନେକ ରହିଛି ସେ କଥା କହି ତାକୁ ବୁଝାଇବା ସକାଶେ ଚେଷ୍ଟା କରି ନାହିଁ୤ ବରଂ ପଚାରିଲି, ‘ହଇରେ, ଯାହାକୁ ଭଲ ପାଉଛୁ, ସେ ଦେଖିବାକୁ କେମିତି ?’

ଚହଲିଗଲା ହଠାତ୍‌ ସେ୤ କ’ଣ ଉତ୍ତର ଦେବ ତାହା ଚିନ୍ତା କରିପାରିଲା ନାହିଁ ବୋଧେ୤ ଟାଣ ଦିଶୁଥିବା ଲାଜଲାଜ ଦିଶିଲା୤ ବେକର ମାଂସପେଶୀ କୋହଳ ହୋଇଗଲା୤ ଗୋଟେ ଚମତ୍କାର ହସ ଖେଳିଗଲା ତା’ ମୁହଁରେ୤ ଝୁଲାମୁଣିରୁ ବାହାର କଲା ଫଟୋ୤ ମୋ’ ଆଡ଼କୁ ବଢ଼ାଇ କହିଲା, ‘ତୁ କହ, କର୍ପୂରୀ ସୁନ୍ଦରୀ ନା ଅସୁନ୍ଦରୀ୤’
ଫଟୋଟିକୁ ତା’ ହାତରୁ ନେଲି୤ ସବୁ ସୁଖ ଭରିରଖିଥିବା ଗୋଟେ ଝିଅର ସୁନ୍ଦର ରୂପ୤ ଝଲସିଗଲା ଆକାଶରେ ଚିତ୍ରମୟ ଇନ୍ଦ୍ରଧନୁ ପରି୤ କେଉଁଠି ସୁଖ ଅଛି ପଚାରିଲେ ଯେ କେହି କହିଦେବ ସଙ୍କୋଚହୀନ ଭାବରେ ସେଇ ଝିଅଟି ଭିତରେ୤ ଅଳ୍ପ ହସିଦେଲି୤ କହିଲି, ‘ଏମିତି ସୁନ୍ଦରୀ ଝିଅକୁ ଭଲ ପାଇ କେହି କେବେ ସନ୍ନ୍ଯାସୀ ହୋଇପାରେ ?’

ବାଘ ପଧାନର ବେକର ଶିରାପ୍ରଶିରା ଟାଣିହୋଇଗଲା ହଠାତ୍‌୤ ହାତମୁଠା ଶକ୍ତ ହୋଇଗଲା ତା’ ଅଜାଣତରେ୤ ମୋ’ ହାତରୁ ଫଟୋଟିକୁ ନେଇ କହିଲା, ‘ତୁ ଯାହା କହୁଚୁ, ତାହା ଠିକ୍‌୤ ମୁଁ ଚାହେଁ ସୁଖମୟ ହେଉ ମୋ’ ସଂସାର୤ ପିଲାଦିନଟି କେମିତି କଟିଚି, ତୁ ତାହା ଜାଣିଚୁ୤ ଖାଲି ଦୁଃଖ୤ ଦୁଃଖ ଛଡ଼ା ଆଉ କାହାକୁ ଭେଟିନି୤ ଏବେ ଟିକିଏ ସୁଖ ଆସିଲା ଯେ ସନ୍ନ୍ଯାସୀଟା ପ୍ରତିବନ୍ଧକ ହୋଇ ଛିଡ଼ା ହୋଇଚି୤ ଖାଲି ମୋ ବୋଉ ପାଇଁ୤ ତା’ ସୁଁସୁଁ କାନ୍ଦ ପାଇଁ ଆଜି ଏତେ କଥା୤ ଆଉ ପୁଣି ଆମ ଜାତି କଥା ଅଛି୤ ବାଛନ୍ଦ ହୋଇଯିବାର ଭୟରେ ମୁଁ କିଛି ପଦକ୍ଷେପ ନେଇପାରୁନି୤ ଜାଣିଚୁ, ଆଉ ପନ୍ଦର ଦିନ ଅଛି, ବର୍ଷଟିଏ ପୂରିବାକୁ୤ ସେ କ’ଣ ବିଚାର କରିବେ ତାହା ଅପେକ୍ଷାରେ…’

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଦେବବ୍ରତ ମଦନରାୟ, ବିହାରୀବାଗ, କଟକ
author photo
୧୯୫୭ ମସିହାରେ ଜନ୍ମଗ୍ରହଣ କରିଥିବା ଗାଳ୍ପିକ ଦେବବ୍ରତ ମଦନରାୟ ସ୍ବତନ୍ତ୍ର ଓ ସାବଲୀଳ ଶୈଳୀରେ ଗଳ୍ପ ରଚନା କରି ପାଠକଙ୍କୁ ନୂତନ ସ୍ବାଦ ଦେଇପାରିବାର ସାମର୍ଥ୍ୟ ରଖନ୍ତି୤ ୧୫ଟି ଗଳ୍ପ ସଙ୍କଳନର ରଚୟିତା ଶ୍ରୀ ମଦନରାୟଙ୍କର ଉଲ୍ଲେଖନୀୟ କୃତିଗୁଡିକ ମଧ୍ୟରେ ଆଲୁଅର ଛାଇ, ସୂର୍ଯ୍ୟର ଅନେକ ରଙ୍ଗ, ଦୁଃଖ ଅରଣ୍ୟ, କହ୍ନେଇର ବଂଶୀ, ସ୍ବର୍ଗାରୋହଣ, ସପ୍ତଲୋକ, ସାରାରାତି ଜହ୍ନରାତି, ଜଳପରୀ, ସହଯାତ୍ରୀ, ଅସୁନ୍ଦରୀ, ପ୍ରିୟ ସଖୀ, ଚିତ୍ରମାଟି, ବର୍ଣ୍ଣମାଳା ଓ ମହାଦେବୀ ଆଦି ଅନ୍ୟତମ୤ ଦୁଇଟି ଉପନ୍ୟାସ ମଧ୍ୟରେ କ୍ରୁଶବିଦ୍ଧ ଓ ନିର୍ବାଣ ଉଲ୍ଲେଖନୀୟ୤ ତାଙ୍କର ସମ୍ପାଦନାରେ ଆମ ସମୟର ସ୍ବନିର୍ବାଚିତ ଶ୍ରେଷ୍ଠକଥା, ଶେଷକଥା ଓ ଭୋକକଥା ଆଦି ସଙ୍କଳନ ତଥା ସାହିତ୍ୟ ପତ୍ରିକା ନବଲିପି ଓଡ଼ିଆ ସାହିତ୍ୟର ପ୍ରତିନିଧିତ୍ବ କରେ୤ ଶ୍ରୀ ମଦନରାୟ ଭୁବନେଶ୍ବର ପୁସ୍ତକମେଳା ପୁରସ୍କାର, ପ୍ରଜାତନ୍ତ୍ର ଓ ଝଙ୍କାର ପୁରସ୍କାର, ଅଖିଳମୋହନ କଥା ସମ୍ମାନ ତଥା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ୤ ସାମୟିକ ଅଧ୍ୟାପନା ପରେ ୧୯୮୪ ଠାରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌‌ରେ କାର୍ଯ୍ୟରତ୤
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. fanibhusan ratha |  ଜୁନ୍ ୨୧, ୨୦୧୧ - ୭:୩୫ ପୂର୍ବାହ୍ନ

    debabrata madanray odia galpa sahityara eka utunga uchharana. mora sasradha pranam.

  • ୨. ତ୍ରିଲୋଚନ ଦାଶ |  ଜୁଲାଇ ୨୬, ୨୦୧୧ - ୨:୦୧ ଅପରାହ୍ନ

    ଚରିତ୍ର ମାନଙ୍କର ସଠିକ ମୁଲ୍ୟାୟନ ଲେଖକଙ୍କ ଦ୍ବାରା ହୋଇ ପାରିଥିବା ଯୋଗୁଁ ଲେଖାଟି ଅତି ଉଚ୍ଚକୋଟୀର ପ୍ରତୀୟମାନ ହେଉଚି ଓ ଏହା ଅତୀବ ଉଚ୍ଚଲକୋଟିର ମଧ୍ୟ, ଏହାକୁ ନିଶ୍ଚିତ ପାଠକ ମାନେ ପଢିବା ଉଚିତ୍ ୤

  • ୩. ଅମିତ୍ରଜିତ୍ |  ଅଗଷ୍ଟ୍ ୩୧, ୨୦୧୧ - ୭:୨୮ ପୂର୍ବାହ୍ନ

    ହୃଦୟବିଦରକ

  • ୪. rasmi |  ସେପ୍ଟେମ୍ବର୍ ୨୯, ୨୦୧୧ - ୧:୪୯ ଅପରାହ୍ନ

    ସୁନ୍ଦର ଗଳ୍ପ ଟିଏ ୤

  • ୫. ସୁଦାମବଂଧୁ ଭଟ୍ଟମିଶ୍ର |  ଅକ୍ଟୋବର୍ ୧୮, ୨୦୧୧ - ୫:୦୦ ପୂର୍ବାହ୍ନ

    ଭଲ ଗପଟିଏ ପଢ଼ିଲି୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤