‘ରୁନୁ! ଗାନ୍ ଶିଖିବେ ଏସ’- ଆଶ୍ଚର୍ଯ୍ୟ ହୋଇଗଲି, ରୁନୁ ଫେର୍ କେବେଠୁଁ ଗୀତ ଶିଖିବାକୁ ଆରମ୍ଭ କଲା?- ମାଷ୍ଟରର ଗଳା ଶୁଣିପାରି ବୋଧହୁଏ ରୁନୁ ଆସି ଛିଡ଼ାହେଲା ମୋ ପାଖରେ। କହିଲି, ‘ତୁ ଗୀତ ଶିଖୁଛୁ ରୁନୁ? ଚାଲିଲୁ ଦେଖିବା, କିମିତି ଗାଇ ଶିଖିଛୁ’? କିନ୍ତୁ ସେ ମୋ କୋଳକୁ ଲାଗି ଠିଆ ହୋଇ ରହିଲା। ତା’ର ସୁନ୍ଦର ଛୋଟ ଆଖି ଦୁଇଟିରେ ଚାହିଁରହିଲା ମୋ ଆଡ଼େ। କିଛି ବୁଝିପାରିଲି ନାହିଁ। ଦାଣ୍ଡ ଦୁଆରକୁ ଯାଇ ଦେଖିଲି ମାଷ୍ଟର ଛିଡ଼ା ହୋଇଛି। ଚମକି ପଡ଼ିଲି ତା’ ଚେହେରା ଦେଖି। ଏଇ ଫେର୍ ଗୀତ ମାଷ୍ଟର। ଇସ୍! କି କଦାକାର ଚେହେରା! ଲୋକଟା ଫେର୍ ଅନ୍ଧ! ଗୋଟାଏ ଆଖିରୁ ପାଣି ଗଡ଼ୁଛି ଅନବରତ। ଆଉ ଗୋଟାଏ ସବୁବେଳେ ଖୋଲା, ଜ୍ୟୋତି ନାହିଁ, ଛୋଟ ପିଲାମାନେ ଦେଖିଲେ ଭୟ କରିବେ ଏପରି ଚେହେରାକୁ। କହିଲି- ଆପଣ ରୁନୁକୁ ଗୀତ ଶିଖାନ୍ତି?
ମାଷ୍ଟର ଓଡ଼ିଆ ବୁଝିପାରେ, କିନ୍ତୁ କହିପାରେ ନାହିଁ। ବଙ୍ଗଳାରେ କହିଲା- ହଁ ବାବୁ!- କିନ୍ତୁ ରୁନୁ କିଛି ଶିଖୁନି, ଯେତେ କହିଲେ ସୁଦ୍ଧା ଗାଇବ ନାହିଁ-
ମୁଁ କହିଲି-ଆଚ୍ଛା, ମୁଁ କହିଲେ ଗାଇବ ଯେ-
ମାଷ୍ଟର ହାରମୋନିୟମ୍ ନେଇ ବସିଲା-ରୁନୁ ବସିଲା ମୋ କୋଳରେ, ମତେ ଜାକିଧରି। ମାଷ୍ଟର କହିଲା-ରୁନୁ! ମା! କହ-ସା-ଆ-ଆ-ଆ। କିନ୍ତୁ ରୁନୁ ଚାହିଁରହେ ଅନ୍ଧମାଷ୍ଟର ଆଡ଼କୁ, ଆଖି ତରାଟି କରି।
ପୁଣି -ରୁନୁ! କହ-ସା-ଆ-ଆ-ଆ-କହ।
ଗୀତ ଶିଖେଇବାର ଆଗ୍ରହ, ବ୍ୟଗ୍ରତା ଫୁଟି ଉଠୁଥିଲା ମାଷ୍ଟରର ମୁହଁରେ। କିନ୍ତୁ ରୁନୁର ପାଟି ଫିଟୁ ନାହିଁ। ରୁନୁକୁ ଟିକିଏ ଆଦର କରି କହିଲି-କିଲୋ ରୁନୁ! ଗାଉନୁ-ମାଆଟା ପରା ଗାଆ। ଗାଆ ଲୋ-ଓ-ଓ। ମୁଁ ତୋ ସାଥିରେ ଆଉ କଥା କହିବି ନାହିଁ, ଯାଉଛି-ଉଠ୍ ମୋ କୋଳରୁ।
ରୁନୁ ଆହୁରି ଜୋରରେ ଜାକିଧରିଲା ମତେ, ତା’ କଅଁଳ ଛୋଟ ହାତ ଦୁଇଟିରେ। ଆଉ କରୁଣ ଆଖିରେ ଚାହିଁଲା ମୋ ଆଡ଼କୁ। ମୋଟେ ଚାରିବର୍ଷର ଝିଅ। କଅଣ ବା କହିବି ତାକୁ। ବୁଝିପାରିଲି ନାହିଁ।
-ମାଷ୍ଟରବାବୁ! ଆପଣ କେବେଠୁଁ ଗୀତ ଶିଖେବାକୁ ଆସୁଛନ୍ତି?
-ଏଇ ଛଅ ସାତ ଦିନ ହେଲା।
-ତା’ର ତ ଆପଣଙ୍କ ସାମନାରେ ମୁହଁ ଖୋଲୁ ନାହିଁ, ଏଇ କେତେ ଦିନ ତେବେ ସେ କଅଣ ଶିଖିଥିଲା?
-କିଛି ନାହିଁ, ମୋ ପାଖକୁ ମୋଟେ ଆସେନା, ମାଆ ତାକୁ କୋଳରେ ଧରି ବସନ୍ତି।
କହିଲି- ଛୁଆ କି ନା ଖୁଦ୍, ଗୀତରେ ମନ ଲାଗି ନାହିଁ, ଆଉ କିଛି ଦିନ ଗଲେ ଅବା-
ମାଷ୍ଟର କହିଲା- ଏଇ ବୟସରୁ ନ ଶିଖିଲେ ବଡ଼ ହେଲେ ଆଉ ଶିଖିବ କଅଣ? ଏଇଟା ତ ଝିଅମାନଙ୍କର ଗୀତ ଶିଖିବାର ସମୟ। ରୁନୁ! ଆ, ସୁନାଝିଅଟା, ସେ ଗାଇବନି କି ଇଲେ?-କହ- ସା-ଆ-ଆ-
କିନ୍ତୁ ରୁନୁ ପୂର୍ବବତ୍।
ମାଷ୍ଟରର ଗୀତ ଶିଖେଇବାର ଏତେ ଆଗ୍ରହ ଯେ କାହିଁକି, ସେ କଥା ମୁଁ ଅବଶ୍ୟ ବୁଝିପାରିଥିଲି। ତଥାପି କହିଲି-କାହିଁକି ଆଉ ମିଛରେ ଆପଣ ଏତେ ଜିଦ୍ କରୁଛନ୍ତି? ତା’ର ଶିଖିବାକୁ ଇଚ୍ଛା ନାହିଁ ଯେତେବେଳେ, ଚଗଲା ମନ ତା’ର ବର୍ତ୍ତମାନ, ଆଉ ଟିକିଏ ବଡ଼ ହଉ, ଶିଖିବ। ମୋ କଥାରେ ଟିକିଏ ତାହାର ବିରକ୍ତିଭାବ ପ୍ରକାଶ ପାଇଲା ପରି ମୋର ମନେ ହେଲା।
କିନ୍ତୁ ମୋ କଥାକୁ ନ ଧରି ମାଷ୍ଟର କହିଲା- “ଆପଣ ଏ କଅଣ କହୁଛନ୍ତି? ଆଜିଠୁଁ ଅଭ୍ୟାସ ନ କଲେ ହବ କିମିତି? ଏହିପରି ପ୍ରତିଦିନ ଅଧଘଣ୍ଟାଏ କରି ମୋ ପାଖରେ ବସୁ, ତା’ପରେ ଯାଇଁ ତା’ ମନ ଲାଗିବ ନା। ଏତେ ଶୀଘ୍ର କଅଣ ହୋଇଯିବ ଆପଣ ଭାବିଛନ୍ତି? ମୁଁ ଏପରି ପିଲାଙ୍କୁ ଶିଖେଇଛି…. ମୁଁ ପ୍ରତିଦିନ ଆସି ତାକୁ ଶିଖେଇବି, ଶିଖିବ ନାହିଁ ଯିବ କୁଆଡ଼େ? ….ରୁନୁ! ମାଆଟା ପରା, ଆସିଲୁ ମୋ ପାଖକୁ”-ହାତ ବଢ଼ାଇଲା। ରୁନୁ ମତେ ଆହୁରି ଜୋରରେ ଜାବୁଡ଼ି ଧରିଲା। ମନେହେଲା ମୋର, ମାଷ୍ଟରକୁ ଦେଖି ରୁନୁର ଖୁବ୍ ଭୟ ହେଇଛି।
“ରୁନୁ, କହ-ସା-ଆ-ଆ… ତୁ ନ ଗାଇଲେ ମା’ ମତେ ବକିବେ ଯେ-ମତେ ତଡ଼ିଦେବେ ଯେ।”
ଚାରିବର୍ଷର ଛୁଆ ଆଗେ ଫେରାଦ୍! କଅଣ ବୁଝେ ସେ! ହସର ବେଗକୁ ସମ୍ଭାଳି ରଖି ଚାଲିଆସିଲି ଭିତରକୁ। ରୁନୁ ମଧ୍ୟ ମୋ ପଛେ ପଛେ।
ଭାଉଜ ଲୁଚି ବେଲୁଥିଲେ-କହିଲି-କଅଣ ଭାଉଜ। ରୁନୁ ତ ମୁହଁ ଫିଟଉନି ମାଷ୍ଟର ପାଖରେ…. ସେ ବିଚରା କିନ୍ତୁ ଭାରି ଚେଷ୍ଟା କରୁଚି। ଭାଉଜ ହସି ହସି କହିଲେ-ତା’ ଆଖି ଦେଖି ରୁନୁ ଡରୁଛି। ତାକୁ ଆଉ ରଖିବି ନାହିଁ ଭାବୁଛି।
ରୁନୁ ତା’ର ସୁନ୍ଦର ଛୋଟ ମୋ ଆଣ୍ଠୁ ଭିତରେ ରଖି ମୋ ଆଡ଼କୁ ଚାହିଁ କହିଲା- ମୋ ବୋଉଲୋ- ଓ ଓ! ତା’ ଆଖି ଦି’ଟା ଦେଖିଲେ ମତେ ଭାରି ଡର ମାଡ଼ୁଛି, ଏ ଆଖିଟାରୁ ପୂଯ ବାହାରୁଛି, ଆଉ ଏ ଆଖିଟାରେ ଇମିତି ଚାହିଁଚି, କହି ସେ ହାତରେ ତା’ ବାଆଁ ଆଖି ପତାଟାକୁ ଟେକି ଧରିଲା। ତା’ର କଅଁଳ ଓଠରେ ଗୋଟିଏ ଚୁମା ଦେଇ କହିଲି-ନାହିଁ ମ। ତା’ ଆଖିକି କିଛି ଦିଶୁନି ବୋଲି ସେମିତି ହୋଇଚି ନା। ସେଥିପାଇଁ ତୁ ଆମର ଡରିବୁ କିଆଁ? ସେ ତତେ କେତେ ଗେଲ କରୁଛି କହିଲୁ?
ତହିଁ ଆରଦିନ ମାଷ୍ଟର ଆସିଲା, ଆଗଭଳି ଅନେକ ପ୍ରୟାସ କଲା। କିନ୍ତୁ ରୁନୁ ଗାଇବା ତ ଦୂରର କଥା, ତା’ ସାମନାକୁ ବି ଗଲା ନାହିଁ। ଦୂରଛଡ଼ା ହୋଇ ମୋ ନିକଟରେ ବସି ରହିଲା। ଅତି କଷ୍ଟରେ କେବଳ ‘ସା’ ପଦକ ଶୁଣି ବ୍ୟର୍ଥ ମନୋରଥ ହୋଇ ମାଷ୍ଟର ପ୍ରତିଦିନ ଭଳି ସେଦିନ ମଧ୍ୟ ଫେରିଲା। ଅନ୍ଧ, ତଥାପି ରାସ୍ତା ଚିହ୍ନି ଯାଇପାରେ ଭଲ ମଣିଷଙ୍କ ପରି। ଲକ୍ଷ୍ୟ କଲି-ଚାଲିଲାବେଳେ ସେ ମୁଣ୍ଡକୁ ହଲେଇ ହଲେଇ ଚାଲେ ଛତାଖଣ୍ଡି ବାଆଁ କାଖତଳେ ଜାକି। ରୀଡ଼୍ ଉପରେ ଆଙ୍ଗୁଳି ଚାଳନା କଲାପରି ଆଙ୍ଗୁଠିଗୁଡ଼ାକ ଚାଲୁଥାଏ, ଆଉ ଗୁଣୁଗୁଣୁ ଗାଉଥାଏ କଅଣ।
ଭାଉଜ କହିଲେ କାଲି ଆସିଲେ ତାକୁ ମନା କରିଦେବ ଆଉ ଆସିବ ନାହିଁ।
କହିଲ-ମନା କରିବା କାହିଁକି? ଆସୁ ଗରିବ ଅନ୍ଧଟିଏ, ଦି’ପଇସା ପାଇବ। ରୁନୁର ଏ ଭୟ କଅଣ ସବୁଦିନେ ଥିବ? ମନେକର ଯେ, ତୁମ ଗୋଟିଏ ଅନ୍ଧକୁ ମାସିକ ପାଞ୍ଚୋଟି ଟଙ୍କା ଦାନ କରୁଛ-ଆମର ଅଭାବ କଅଣ! ତା’ପରେ ସେ ତ ତା’ କର୍ତ୍ତବ୍ୟରେ ହେଳା କରୁନାହିଁ।
ଭାଉଜ ଭ୍ରୂକୁଟିରେ ହସ ମିଶାଇ କହିଲେ- ଏତେ ଦୟା କାହିଁକି ମ ତମର? ଏଠି ଟିଉସନ୍ ନ କରୁଥିଲାବେବେଳ ତା’ର ଫେର୍ ଚଳୁଥିଲା ତ, ନା ନାହିଁ?
କହିଲି-ଚଳେ ସବୁରି, ଏ ଦୁନିଆରେ ଅଚଳ ରହେ ନାହିଁ କାହାର। କିନ୍ତୁ ଅଭାବ ତ ଅଛି ମନୁଷ୍ୟର। କାହାର ବେଶି, କାହାର ବା କମ୍, କଅଣ ଭାବୁଛ? ତା’ର ଅଭାବ ନ ଥିଲେ ସେ ଆମର ଏଠି ରୁନୁକୁ ଏତେ ଆଗ୍ରହରେ ଗୀତ ଶିଖେଇବାର ପ୍ରୟାସ କରନ୍ତା?…. ମାଷ୍ଟରର ବେଦନାକ୍ଳିଷ୍ଟ ମୁହଁଟି ମୋ ଆଖି ଆଗରେ ଭାସିଉଠିଲା। ତା’ ଶରୀରର ପ୍ରତି ଅଣୁପରମାଣୁରେ ଫୁଟିଉଠିଛି ଅଭାବ, ଦାରିଦ୍ର୍ୟ। ମଇଳା ଛିଣ୍ଡା ତାଳିପକା କନାଗେଞ୍ଜି। ରୁକ୍ଷ କେଶ। ଛିଣ୍ଡା ଛତା, ଛିଣ୍ଡା ଲୁଗା, ଛିଣ୍ଡା ଚଟି।
ପରଦିନ ମାଷ୍ଟର ଆସିଲା। ତାକୁ କୁହାଗଲା ଯେ, ତା’ର ଆଉ ଆସିବାର ଦରକାର ନାହିଁ। ଦେଖିଲି, ତା’ ମୁହଁଟା ଫିକା ପଡ଼ିଗଲା। ଡାକିଲା-ରମୁବାବୁ!
ଏଇ ପଦକରେ କେତେ ଯେ କାତର ମିନତି ଝରି ପଡ଼ୁଥିଲା!!
କହିଲି- ମାଷ୍ଟରବାବୁ! ମୁଁ କଅଣ କରିବି?
-“ନା, ନା, ଆପଣ ଟିକିଏ ଯାଇ ମାଆଙ୍କୁ ବୁଝାଇ କହନ୍ତୁ। କେତେ କଷ୍ଟରେ ମୁଁ ଏ ଟିଉସନଟି ପାଇଛି। ମୋର ଯେ ଭାରି ଅଭାବ। ମୋର କଅଣ ଦୋଷ? ମୁଁ କଅଣ କର୍ତ୍ତବ୍ୟରେ ତ୍ରୁଟି କରୁଛି? ନା, ମୁଁ କେବେ ଏ ଟିଉସନ ଛାଡ଼ିବି ନାହିଁ।” ସ୍ବର ତା’ର କାନ୍ଦ କାନ୍ଦ ହୋଇ ଆସିଲା।
ଭାବପ୍ରବଣ ମନ ମୋର, ଅନ୍ୟର ଦୁଃଖ ଦେଖିଲେ ମୋ ଆଖି ମଧ୍ୟ ଛଳ ଛଳ ହୋଇଆସେ। କିନ୍ତୁ ମୁଁ ବା କଅଣ କରିପାରେ? କହିଲି-ଭାଇନାଙ୍କ ନିକଟକୁ ଯାଆନ୍ତୁ।
ମାଷ୍ଟର ଗଲା-କିନ୍ତୁ ରାୟ ଲେଖାର କଠୋର କର୍ତ୍ତବ୍ୟ ସାଗରରେ ନିଜକୁ ଯେ ବୁଡ଼ାଇ ରଖିଛନ୍ତି, ତାଙ୍କ କାନରେ ଦୀନର ଏହିତୁଚ୍ଛ(?) ମିନତି ବାଜିଲା ନାହିଁ ବୋଧହୁଏ।
ସେ କହିଲେ- ଏଁ? ଆପଣ ତା’ ମା’ ପାଖକୁ ଯାଆନ୍ତୁ।
-ମାଆ! ମୋର ଦୋଷ କଅଣ? ମତେ ତଡ଼ି ଦେଉଛନ୍ତି! ମୁଁ ତେବେ ଖାଇବି କଅଣ? ମୋର ଆଉ ଦୁଇଟି ଟିଉସନ ଛଡ଼ା ଅନ୍ୟ କୌଣସି ସଂସ୍ଥାନ ନାହିଁ। ରୁନୁକୁ ପିଲାବେଳୁଁ ଅଭ୍ୟାସ ନ କରାଇଲେ ବଡ଼ ହେଲେ ତା’ର କଅଣ ଗଳା ଫିଟିବ?
ଭାଉଜ କିଛି କହିଲେ ନାହିଁ, କେବଳ ତାଆଡ଼େ ଚାହିଁ ହସିଦେଇ ଟିକିଏ- ତା’ର ଏଇ କାକୁତି ମିନତି ଦେଖି ତାଚ୍ଛଲ୍ୟର ହସ। ଆହା! ବିଚରା କିଛି ଯେ ଦେଖିପାରୁ ନାହିଁ। ଖାଇବାକୁ ପାଉ ନାହିଁ, ତା’ର ଅଭାବ ଯୋଗୁଁ ସେ ଭିକ୍ଷା ଚାହୁଁଛି ପାଞ୍ଚଟଙ୍କାର ଟିଉସନଟି ଫେରାଇ ଦେବାକୁ। ଆଉ କିଛି ନୁହେଁ। ନିତି ଖଟିବ, ଆଉ ମାସରେ ପାଇବ ପାଞ୍ଚଟି ମାତ୍ର ଟଙ୍କା- ତା’ର ଅକ୍ଳାନ୍ତ ଚିତ୍କାରର ବିନିମୟରେ।
ଏକାନ୍ତ ଦୁଃଖ ଓ ସହାନୁଭୂତିର ଦୀର୍ଘଶ୍ବାସଟିଏ ବାହାରି ଆସିଲା ମୋ ବକ୍ଷ ଭେଦ କରି, ଚାଲିଆସିଲି ସେହି କରୁଣ ଦୃଶ୍ୟର ଅନ୍ତରାଳରୁ।
x x x x x
ମାଷ୍ଟରବାବୁ! ଭଲ ଅଛନ୍ତି ତ?
-ସେ କଥା ଆଉ କାହିଁକି ପଚାରୁଛନ୍ତି ରମୁବାବୁ!
ତା’ର କଥାରେ ଟିକିଏ ଅଭିମାନ ଫୁଟି ଉଠିଥଲା ପରି ମନେ ହେଲା।
-କୌଣସି ପ୍ରକାରେ ଦିନଟା କଟିଯାଉଛି। ବେଳାଏ ଖାଇଲେ ଆରଓଳି ଓପାସ।
ତା’ର ଜ୍ୟୋତିହୀନ ଆଖି କରୁଣ ହୋଇଉଠିଲା। – ଭାବିଛି ଆଉ ଏଠି ବେଶିଦିନ ରହିବି ନାହିଁ। ଅନେକ ଦିନ ରହିଗଲି ଏଠି, ପ୍ରାୟ ଦଶବର୍ଷ। ଆଦର କମିଗଲାଣି। ନିଜ ଦେଶକୁ ଯିବି ଚାଲି, ବରଂ ସେଠି କିଛି ଯୋଗାଡ଼ ଯତ୍ନ-
ଟିକି ହସ ମାଡ଼ିଲା ମତେ- ଏ ଫେର୍ ବଙ୍ଗଦେଶରେ ପାଇବ ଆଦର, ଯେଉଁଠି ଅନେକ ଭଲ ଭଲ ସଙ୍ଗୀତଜ୍ଞ ମଧ୍ୟ ପେଟରେ ଓଦାକନା ପକେଇ ବସିଛନ୍ତି।
ପଚାରିଲି- ନିଜ ଦେଶରେ ଆଉ କିଏ ଅଛି?
-କେହି ନାହିଁ। ମୁଣ୍ଡ ଗୁଞ୍ଜିବାପାଇଁ ଡିହଖଣ୍ଡିକ ଛଡ଼ା।
ବଡ଼ ଦୁଃଖରେ ତା’ ମୁହଁରୁ ଏଇ କେତେପଦ ବାହାରିଲା। ତଥାପି ତା’ ମୁହଁରେ ଗୋଟିଏ ମିଠା ହସ ଲାଗିରହିଛି। ମୁହଁଟା ତା’ର କଦାକାର, କିନ୍ତୁ ବାହାରର ଏହି କଦର୍ଯ୍ୟତା ତା’ ଭିତରେ ଯେଉଁ ରୂପକୁ ଘୋଡ଼େଇ ରଖଛି, ତାହା ପ୍ରକୃତରେ ଅତୁଳନୀୟ! ଢେଉଆଡ଼େ ଚାହିଁରହିଲି, କୌଣସି ଉପକାର କରିବାର ଶକ୍ତି ମୋର ନଥିଲା।
ଆଛା, ମୁଁ ଆସୁଛି ରମୁବାବୁ- କହି ଟିକିଏ ହସି ସେ ଚାଲିଲା- ଗୁଣୁଗୁଣୁ ସ୍ବରରେ ଗୋଟିଏ ଗୀତ ଗାଇ ଗାଇ। ଏଇ ଗୀତ ହିଁ ତା’ ବ୍ୟର୍ଥ ଜୀବନର ଏକମାତ୍ର ସମ୍ବଳ। ତଣୁ ଏତ ଦୁଃଖରେ ମଧ୍ୟ ସେ ଗୀତ ଗାଏ। ଏ ବିଶ୍ବ ସଂସାରରେ ତା’ର ନିଜର ବୋଲିବାକୁ କିଛି ନାହିଁ। ବାହା ମଧ୍ୟ ହୋଇ ନାହିଁ ସେ। ‘ମାଆ’ଟି ଛଡ଼ା ଆଉ କେହି ନାହିଁ ତା’ର, ଅଛି ଯୋଡ଼ିଏ ଟିଉସନ, ଆଉ କେତେଗୁଡ଼ିଏ ପୁରୁଣା ଗୀତର ପୁଞ୍ଜି।
ଆଉ ଦିନେ ଦେଖାହଲା- ପଚାରିଲା ନିର୍ବୋଧଙ୍କ ପରି- “ଆପଣ ବାହା ହୋଇନାହାନ୍ତି କାହିଁକି? ମାଷ୍ଟରବାବୁ!” ସେ ହସି ପକେଇଲା ଟିକିଏ, ତା’ପରେ ତାହା ହାତଟି ମୋ କାନ୍ଧ ଉପରେ ରଖି ଟିକିଏ ଚାପିଦେଇ କହିଲା-
-ବାହା? କିଏ ମତେ ବାହା କରନ୍ତା? କହନ୍ତୁ ଦେଖି। ଯିଏ ବା କରନ୍ତା ତା’ର ଭରଣପୋଷଣ ମୁଁ କରିପାରନ୍ତି ତ?
ବାସ୍ତବିକ୍ ଏପରି ପ୍ରଶ୍ନ କରିବା ହିଁ ମୋର ଅନ୍ୟାୟ। ବ୍ୟର୍ଥ ଜୀବନର କଥା ତାକୁ ମନେ କରେଦେଇ କେକତେ ବଡ଼ ଆଘାତ ମୁଁ ତାକୁ ଦେଲି, ଜାଣେ ନା….ହାୟ ଏମାନଙ୍କୁ ଫେର୍ ଭଗବାନ୍ ବଞ୍ଚେଇ ରଖନ୍ତି କାହିଁକି? ଯାହାଙ୍କ ଜୀବନ ପୂର୍ଣ୍ଣ କେବଳ ବ୍ୟର୍ଥତାରେ, ଦୁଃଖରେ, ନୈରାଶ୍ୟରେ, ଏମାନଙ୍କୁ ବଞ୍ଚେଇ ରଖି ତୁମେ କି ସୁଖ ପାଅ ଭଗବାନ୍! ଏପରି ନ କଲେ କଅଣ ତୁମର ସୃଷ୍ଟି ପୂର୍ଣ୍ଣଙ୍ଗ ହୁଏନା? ହୁଅନ୍ତା ନାହିଁ ବୋଧହୁଏ। ତାହାହେଲେ ମନୁଷ୍ୟକୁ ମନୁଷ୍ୟ କରନ୍ତା ନାହିଁ ଦୟା। ନ ଥା’ନ୍ତା ଅତ୍ୟାଚାରୀ ଧନୀର ଦଳ। ଆଉ ବୁଭୁକ୍ଷୁ ତା’ର ଦୁଃଖ ଓ ନିରାଶର ଭାରି ବୋଝ ବୋହି ସୃଷ୍ଟି ବରୋଧରେ ଯୁଦ୍ଧ ଘୋଷଣା କରନ୍ତା ନାହିଁ। ସୃଷ୍ଟିର ଆରମ୍ଭରୁ ଥାଆନ୍ତା ସମତା ବା ସାମ୍ୟବାଦ।
କେତେବେଳେ ଯେ ରାତି ହୋଇଗଲା, ବୁଝିପାରିଲି ନାହିଁ। ଅନ୍ଧାରରେ ମଧ୍ୟ ଦୂର ଢେଉଗୁଡ଼ାକ ରୂପା ପରି ଚକ୍ ଚକ୍ କରୁଥଲା। ପ୍ରତିଦିନ ବେଶି ରାତିଯାଏ ବସି ତାକୁ ହିଁ ଦେଖ, କିନ୍ତୁ ଆଜି ତାହା ମନେହେଲା ଅର୍ଥହୀନ, ମନୁଷ୍ୟର ସୁଖଦୁଃଖର ଅଂଶ ସେ ନିଏ ନାହିଁ। ଉଦାସୀନ! ଘରମୁହାଁ ଚାଲିଲି।
ପ୍ରତିଦିନ ଯେଉଁ ବାଟଦେଇ ଘରକୁ ଫେରେ, ସେଦିନ ସେ ବାଟେ ନ ଯାଇ ଫେରୁଥିଲି ଅନ୍ୟ ଗୋଟିଏ ବାଟରେ। ଗୋଟାଏ କୋଠା ସାମନାରେ ପହଞ୍ଚି ଶୁଣିଲି, କିଏ ଗୀତ ଗାଉଛି। ଝରକା ଖୋଲା ତଲା, ଚାହିଁ ଦେଖେଁ, ସହି ଅନ୍ଧ ମାଷ୍ଟର, ତା’ ସାମନାରେ ବସିଛି ଗୋଟିଏ ଝିଅ- ଆଠ ନଅ ବର୍ଷର। ତା’ ଛୋଟ ମୁହଁଟି ବିକୃତ, ଅସନ୍ତୋଷଭରା। ମନେହେଲା, ଯେପରି ସେ ମାଷ୍ଟରର ଗୀତକୁ ପସନ୍ଦ କରୁ ନାହିଁ। ତେଣୁ ସେ ତା’ ଛୋଟ ଭୂରୁ ଦିଓଟି ଟେକି ଚାହିଁରହିଛି ମାଷ୍ଟରର ମୁହଁକୁ। ଦୁଃଖ ହେଲା। ଆହା ତା’ର ଆଖି ଦିଓଟି ଯଦି ଭଲ ଥାଆନ୍ତା, ନେଞ୍ଜେରା ବହୁ ନଥା’ନ୍ତା, ପିଲାମାନେ କଅଣ ତାକୁ ଏତେ ଘୃଣା କରନ୍ତେ? ଗୀତ ବନ୍ଦ ହେଲା, ମାଷ୍ଟର କହିଲା- ସାବି! ତୁ ଏଇଟା ଗାଆ ତ ମା?
ସାବି କହିଲା- ମୁଁ ଗାଇପାରିବିନି। ଛେନା ଗୀତ।
ଏ ଧରଣର କଥା ମାଷ୍ଟରକୁ ଅନେକ ଶୁଣିବାକୁ ପଡ଼େ। ତା’ଛଡ଼ା ଛୋଟ ଛୋଟ ଝିଅଙ୍କର ଏସବୁ କଥାକୁ ଧରିବସିଲେ ତା’ର ଯେ କୃତ୍ୟ ଚଳିବ ନାହିଁ।
ଟିକିଏ କରୁଣ ହସ ହସି ମାଷ୍ଟର କହିଲା- ଅବାଧ୍ୟ କାହିଁକି ହେଉଛ? ସାବିତ୍ରୀ! ଗାଅନା!
ସାବି ତା’ କଥାକୁ ଭ୍ରୂକ୍ଷେପ ନ କରି ଚାଲିଗଲା ଭିତରକୁ। ଆଲୁଅ ଆଡ଼େ ଚାହିଁ ମାଷ୍ଟର ବସିରହିଲା, କିନ୍ତୁ କାହିଁ ଆଲୋକ? ତା’ ଆଖିରେ ଅନ୍ଧକାର ଛଡ଼ା ଯେ ଆଉ କିଛି ନାହିଁ। କେବଳ ଆଲୋକର ସ୍ପର୍ଶ ସେ ଯାହା ଅନୁଭବ କରୁଛି, ସେତିକି- ସେତିକିରେ ସେ ପାଏ ସୁଖ, ଜୀବନଟା ତା’ର ଅନ୍ଧକାରମୟ। ଏତେ ଦୁଃଖରେ ମଧ୍ୟ ମନୁଷ୍ୟ ବଞ୍ଚିରହେ। ଜଗତର ସୁଖରେ ଯାହାର ଟିକିଏ ମାତ୍ର ଦାବି ନାହିଁ, ତା’ର ପୁଣି ବଞ୍ଚି ରହିବାକୁ ସଉକ୍ ହୁଏ କାହିଁକି? ସତରେ କଅଣ ତା’ର ବଞ୍ଚି ରହିବାକୁ ସଉକ୍ ହୁଏ? ହୁଏତ ସେ ମୃତ୍ୟୁକାମନା କରେ, ତଥାପି ତାକୁ ବଞ୍ଚି ରହିବାକୁ ହେବ ଅଭିଶପ୍ତ ଜୀବନର ଦୁର୍ବିଷହ ବୋଝ ମୁଣ୍ଡାଇ। ସେ ମରିପାରେ ନାହିଁ କି କହିପାରେ ନାହିଁ- ମୁଁ ମରିଯାଆନ୍ତି ହେଲେ। ତା’ ଛଡ଼ା ତା’ର ଯେ ଗୋଟିଏ ବୃଦ୍ଧା ମାଆ ଅଛନ୍ତି। ସେ ଡୋର ସେ କାଟିବ କିପରି?
ଘରକୁ ଆସି ମୋର ଶେଷ ଚେଷ୍ଟା କଲି। କହିଲି- ଭାଉଜ! ଆସୁନା ଅନ୍ଧଟି, ରୁନୁକୁ ଗୀତ ଶିଖେଇବାକୁ?
ଭାଉଜ କହିଲେ- ବର୍ତ୍ତମାନ ନୁହେଁ, ରୁନୁ ଆଉ ଟିକିଏ ବଡ଼ ହୋଇଯାଉ, ସେ ଆସିବ।
କହିଲି- ତୁମେ ଚିରଦିନ ଏଇଠି ଥିବନା କଅଣ? ଭାଇନାଙ୍କ ଟ୍ରାନ୍ସଫର୍ ହବନି?
-ତେବେ ମୁଁ ଆଉ କଅଣ କରିବି କହ। ଆମକୁ ଯେତେବେଳେ ଏଠୁ ଯିବାକୁ ହବ, ତାକୁ ରଖି ଆଉ ଲାଭ କଅଣ?
କହିଲି- ଅନ୍ତତଃ ଯେତେ ଦିଯାଏ ଏଠି ଅଛ, ସେତକ ଦିନ ତ ତାକୁ ରଖାଯାଇପାରେ। ଆଚ୍ଛା, ତୁମେ ପାଞ୍ଚଟି କରି ଟଙ୍କା ଗୋଟିଏ ନିଃସହାୟ ଅନ୍ଧକୁ ଦାନ କରୁଛ ବୋଲି ମନେ କରିପାରୁ ନାହିଁ କାହିଁକି?
ହସି ହସି ଭାଉଜ କହିଲେ- ତା’ ମୁଁ କୋଉଠି ପାରୁଛି। କହ ରାମୁ! ପିଲାଝିଲା ନେଇ ଯେତେବେଳ ଘର କରୁଚି।- ଏହି ହସ ଭିତରେ ପ୍ରକାଶ ପାଉଥଲା ତାଙ୍କ ହୃଦୟର ପ୍ରକୃତ ପରିଚୟ।
ଦେଖିଲି, ଏତ କହି କିଛି ଲାଭ ହେଲା ନାହିଁ। ନୀରବ ରହିଲି।
x x x x x
ତା’ପରେ ପୂରା ଦିଓଟି ମାସ ବିତିଯାଛି। ରୁନୁର ମାଷ୍ଟର କଥା ମୁଁ ଏକ ପ୍ରକାର ଭୁଲି ଯାଇଛି। ସାଦିନ ହଠାତ୍ କଅଣ ଖିଆଲ ହେଲା, ଷ୍ଟେସନ୍ ଆଡ଼େ ବୁଲି ବାହାରିଗଲି। ପାସେଞ୍ଜର ଛାଡ଼ିବାର ସମୟ ହେଲାରୁ ଖଣ୍ଡିଏ ପ୍ଲାଟଫର୍ମ ଟିକିଟ୍ କାଟି ଭିତରକୁ ଗଲି। ଯାତ୍ରୀଙ୍କ ଭିଡ଼ ନାହିଁ, ଡବାଗୁଡ଼ାକ ଆଡ଼କୁ ଚାହିଁ ମୁଁ ଚାଲିଛି। ହଠାତ୍ ଅନ୍ଧ ମାଷ୍ଟର ଉପରେ ନଜର ପଡ଼ିଲା। ଚମକି ଠିଆହେଲି, ମନେ ପଡ଼ିଗଲା, ଦୁଇମାସ ତଳର ଅନ୍ଧର ଦୁଇପଦ କଥା- “ଭାବୁଛି, ମୁଁ ଆଉ ଏଠି ରହିବି ନାହିଁ-”
ଆଗେଇଯାଇ ପଚାରିଲି- କୁଆଡ଼େ ଚାଲିଛନ୍ତି ମାଷ୍ଟରବାବୁ?
-କିଏ? ରାମବାବୁ!- ଆଃ, ମୋର ଫେରିବି ନାହିଁ। ଜଗନ୍ନାଥଙ୍କ ପାଦତଳେ ସ୍ଥାନ କରି ନେଇଥିଲି। କିଛି କଲେ ନାହିଁ ସେ ମୋ ପାଇଁ-…. ଆଉ କିଛି କହିପାରିଲା ନାହିଁ। ତା’ର ଅନ୍ଧ ନିସ୍ତଜ ଆଖି ଦିଓଟିରୁ ବୋହିପଡ଼ିଲା ବଡ଼ ବଡ଼ ଦି’ଟୋପା ଗମର ଲୁହ। ତଥାପି ତା’ ମୁହଁରେ ଲାଗି ରହିଛି ସେଇ ଚିରନ୍ତନ ହସଟି!
ମନୁଷ୍ୟ ଯେତେବେଳେ ଦୁଃଖର ଶଷ ସୀମାରେ ପହଞ୍ଚେ, ସେ ଏହିପରି ବିଶ୍ବାସ ହରାଏ ଭଗବାନଙ୍କ ଉପରୁ! ଏହାହିଁ ସ୍ବାଭାବିକ।
ଅଲକ୍ଷ୍ୟରେ ମୋର ଦୁଇ ଗାଲବାଟେ ଦୁଇ ଟୋପା ଲୁହ ଗଡ଼ିପଡ଼ିଲା-
ପଚାରିଲି- ଆପଣଙ୍କ ମାଆ କାହାନ୍ତି?
ହେଇଟି ବସିଛନ୍ତି- ମା! ଇୟାଡ଼େ ଟିକିଏ ଆସିଲ, ରମୁବାବୁ ତମକୁ ଟିକିଏ ଦେଖିବେ। ଯାହାଙ୍କ କଥା ମୁଁ କହୁଥିଲି-
ବ୍ୟସ୍ତ ହୋଇ କହିଲି, – ନାହିଁ ଥାଉ ଥାଉ – ବୁଢ଼ୀଲୋକ କାହିଁକି ଅକାରଣରେ କଷ୍ଟ…।
-ନା, କଷ୍ଟ କଅଣ ବାପା? କହି ତା’ ମାଆ ଝରକା ନିକଟରୁ ଆସିଲେ।
କହିଲି- ଚାଲି ଯାଉଛନ୍ତି?
ବୃଦ୍ଧା କହିଲେ- କପାଳେ ନାହିଁ ବାପ ଏଠି ମରିବା ଲାଗି, ସେଥିପାଇଁ ନୀଳାଚଳନାଥ ତଡ଼ୁଛନ୍ତି ଏଠୁ। ବୁଝିଲ ବାପା। ବଡ଼ ଦୁଃଖୀ ଆମେ- କହି ଲୁଗାକାନିରେ ଆଖି ପୋଛିଲେ। ଏହି ଯିବାପାଇଁ ଭଡ଼ାଟା ମଧ୍ୟ କଅଣ କମ୍ କଷ୍ଟରେ ଯୋଗାଡ଼ ହୋଇଛି।
ଟ୍ରେନ୍ ଛାଡ଼ିବା ହ୍ବିସ୍ଲ(ସିଟି) ବାଜିଲା। ମନିବାଗଟା ବାହାରକରି ଦେଖିଲି, କିଛି ଖୁଚୁରା ପଇସା ଆଉ ଦଶ ଟଙ୍କାର ଖଣ୍ଡିଏ ନୋଟ୍। ନୋଟଟି ବାହାର କରି ଅନ୍ଧ ହାତରେ ଦେଇ କହିଲି,- ମାଷ୍ଟରବାବୁ, କିଛି ମନେ କରିବେ ନାହିଁ।
-କଅଣ ଏଇଟା? ରମୁବାବୁ?
-କିଛି ନାହିଁ, ଦଶ ଟଙ୍କାର ଖଣ୍ଡିଏ ନୋଟ୍। – ଅନ୍ଧ ବ୍ୟସ୍ତ ହୋଇ କହିଲା- “ଆହା ହା! ଆ-ଆ-ଆପଣ କାହିଁକି-ଇ-ଇ….”
ଅନ୍ଧର ହାତକୁ ଚିପିଧରି କହିଲି- ନା, ନା, ନବାକୁ ହେବ। ତା’ ନହେଲେ ମୋ ମନରେ ଭାରି ଦୁଃଖ ହେବ। ଗାଡ଼ି ଛାଡ଼ିଦେଲା, କହିଲି- ଯାଆନ୍ତୁ, ମାଷ୍ଟରବାବୁ। ମନେ ରଖିଥିବେ। ଆଉ କିଛି କହିପାରିଲି ନାହିଁ, ମୋ ଗଳା ରୁଦ୍ଧ ହୋଇ ଆସିଲା। ଚାହିଁ ଦେଖିଲି, ମାଷ୍ଟର ଆଖିରେ ଆହୁରି ଦୁଇଟୋପା ଲୁହ। ମତେ ତା’ର ଯାହା କହିବାର ଥିଲା, ସେ କହିଗଲା- ସେଇ ଦୁଇଟୋପା ଲୁହଦ୍ବାରା।
ଟ୍ରେନ୍ ପ୍ଲାଟଫରମ୍ ବାହାରକୁ ଚାଲିଗଲା- ସଂସାରର ଦିଓଟି ହେୟତମ ଦୁଃଖୀ ଜୀବଙ୍କୁ କୋଳରେ ଧରି। ତା’ପରେ ଟ୍ରେନ୍ ଟା ବାଙ୍କ ପଛଆଡ଼େ ଅଦୃଶ୍ୟ ହୋଇଗଲା। ଜଡ଼ ପଦାର୍ଥ ହେଲେ ମଧ୍ୟ ତା’ର ହୃଦୟ ଅଛି, ତେଣୁ ଏହି ଦୁହିଁଙ୍କ ପରି ଶତ ଶତ ନିରାଶ୍ରୟଙ୍କୁ ବୁକୁରେ ସ୍ଥାନ ଦେବାକୁ ମଧ୍ୟ ତାକୁ ବାଧୁ ନାହିଁ। ବାଧେ କେବଳ ତାଙ୍କୁ, ଯେଉଁମାନେ ସବୁ ବୁଝିପାରନ୍ତି, କିନ୍ତୁ କିଛି କରିପାରନ୍ତି ନାହିଁ। କିଛି କରିବାର ଇଚ୍ଛା ମଧ୍ୟ ତାଙ୍କର ନାହିଁ।
ବାହାରକୁ ଆସିଲି। କିଛି ସୁଖ ଲାଗୁ ନତଲା। ଜହ୍ନରାତି। ବସିଲି ଯାଇ ସମୁଦ୍ର କୂଳରେ। କାନରେ ବାଜିଲା ସେଇ ଚିରନ୍ତନ କାନଅତଡ଼ା ପକାଇବା ଗର୍ଜନ। କିନ୍ତୁ ସେଆଡ଼େ ମୋ ମନ ନଥଲା। ଭାବୁଥିଲି ସେଇମାନଙ୍କ କଥା- ଯେଉଁମାନେ ଅନ୍ଧକାରରେ ଶତ ଚେଷ୍ଟା କଲେ ମଧ୍ୟ ପଥ ପଆନ୍ତି ନାହିଁ। ଯାହାଙ୍କର ନାହିଁ ଆଶାର କ୍ଷୀଣ ଆଲୋକରେଖା। ଯେଉଁମାନଙ୍କର ଖତରା କଙ୍କାଳ ପର ଦେଇ ଅତ୍ୟାଚାରୀ ଧନିକ ଦଳ ଚାଲିଯାଆନ୍ତି, ସେମାନଙ୍କରନ ଥାଏ ଟିକିଏ ଦୟା, ମାୟା, ଅନୁଶୋଚନା।
ଛୋଟ ଛୋଟ ଢେଉଗୁଡ଼ାକ ମୋ ପାଦ ପାଖରେ ଆସି ଭାଙ୍ଗି ପଡ଼ୁଥିଲେ, ଫେରି ଯାଉଥିଲେ, ପୁଣି ଫେରି ଆସୁଥିଲେ। ମୋର ମନେହେଲା, ମୋ ପାଦତଳେ ଯେପରି ଏମାନେ ତାଙ୍କ ମୁଣ୍ଡ ପିଟି ମରୁଛନ୍ତି। ଟିକିଏ ଆଦର ସୁହାଗ ପାଇବାପାଇଁ! କ୍ଷତବିକ୍ଷତ ହୋଇ ଫେରିଯାଉଛନ୍ତି, କିନ୍ତୁ ମନ ବୁଝୁ ନାହିଁ- ଫେରିଆସୁଛନ୍ତି ପୁଣି ନୂତନ ଆଶା ନେଇ। ଠିକ୍ ତ! ଏହାହିଁ ତ ଜଗତର ନିୟମ ହତାଶ ହୋଇ ବିଚରା ଢେଉଗୁଡ଼ାକ ଫେରିଯିବେ ମୋ ପାଦପାକରୁ। ବିଚିତ୍ର କଅଣ? “ଯେଉଁମାନେ ଗରିବ, ନୀଚସ୍ତରର ସମାନ ଏହିପରି ତ ଫେରିଯାଆନ୍ତି ଧନୀର ଦୁଆରୁ ଅପମାନ, ଧକ୍କା, ଗୋଇଠା ମାଡ଼ ଖାଇ- ଆଖିରୁ ରକ୍ତର ଲୁହ ଗଡ଼େଇ- ଅଭିଶପ୍ତ ଜୀବନର ପୂତିଗନ୍ଧମୟ ବିଷାକ୍ତ ବୋଝ ବୋହି।”
-୦-