ଏଇ ଗପ ସେଇ ସମୟର କାହାଣୀ ଯେତେବେଳକୁ ଗୋପପୁର ଆଉ ଗୋପପୁର ହେଇ ନାହିଁ। ଅର୍ଥାତ୍‌ ଗୋପପୁର ନାମରେ ଯେତେବେଳେ ପ୍ରଚାର, ଆଲୋଚନା ବା ଗୌରବ ଆଖପାଖ ଅଞ୍ଚଳରେ ଚର୍ଚ୍ଚିତ ହୋଇ ଆସୁଥିଲା ତାହା କେମିତି ଶିଥିଳ ପଡ଼ି ଆସିଛି। କୃଷ୍ଣ ଗୋପପୁର ଛାଡ଼ି ଚାଲିଯିବାର ଅନେକ ଦିନ ବିତିଯାଇଛି। ସେ ଯେତେବେଳେ ମଥୁରାରେ ରହୁଥିଲେ, ସେତେବେଳେ ତାଙ୍କ ସମ୍ପର୍କରେ କିଛି କିଛି କଥା ଶୁଣାଯାଉଥିଲା। ତାଙ୍କର ପ୍ରଶଂସା ବୀରତ୍ବ ବା କୀର୍ତ୍ତିର ଛିଟିକା ଆସି ପଡୁଥିଲା ଗୋପରେ। ଏବେ ଆଉ ସେ ଅବସ୍ଥା ନାହିଁ। କୃଷ୍ଣ ମଥୁରା ମଧ୍ୟ ଛାଡ଼ି ଦେଇଛନ୍ତି। କାହିଁ କେତେ ଦୂରରେ ଦ୍ବାରକାରେ ନିର୍ମାଣ କରିଛନ୍ତି ତାଙ୍କର ରାଜଧାନୀ। ଗୋପରୁ ଦ୍ବାରିକା ଏତେ ଦୂର ଯେ, କୃଷ୍ଣଙ୍କ କଥା ଆଉ ଶୁଭେ ନାହିଁ। ତା’ଛଡ଼ା ସମୟରେ ଦାଗ ବି ତ ଅଛି।

ଗୋପପୁର ଅବସ୍ଥା ଆସ୍ତେ ଆସ୍ତେ ଖରାପ ହୋଇଆସିଛି। ଗାଁ ଛାଡ଼ି ଲୋକମାନେ ଚାଲିଯାଇଛନ୍ତି ଦୂରଦୂରାନ୍ତକୁ। ଦିନେ ଯୋଉ ଗାଁଟି କୋଳାହଳମୟ, ଉତ୍ସବ ମୁଖରିତ ଥିଲା ତାହା କ୍ରମେ ଶ୍ମଶାନର ନିରବତାକୁ କାହିଁକି କେଜାଣି ଆବୋରି ବସିଛି, ତାହାର କାରଣ ଜାଣେ ନାହିଁ କେହି। ସେଇ ଗୋପପୁରୀର ଏକ ପରିତ୍ୟକ୍ତ ଘରେ ରହୁଛନ୍ତି ଜଣେ ପୁରୁଷ ଓ ଜଣେ ନାରୀ। ଆପାତତଃ ଯେଉଁମାନେ ଏକ କାହାଣୀର ନାୟକ ନାୟିକା। ପୁରୁଷଟିର ନାମ ଚନ୍ଦ୍ରସେଣା ଓ ସ୍ତ୍ରୀ ଲୋକଟିର ନାମ ରାଧା। ଗୋପପୁର ଅବସ୍ଥା ଆସ୍ତେ ଆସ୍ତେ ଖରାପ ହୋଇଆସିଛି। ଗାଁ ଛାଡ଼ି ଲୋକମାନେ ଚାଲିଯାଇଛନ୍ତି ଦୂରଦୂରାନ୍ତକୁ। ଦିନେ ଯୋଉ ଗାଁଟି କୋଳାହଳମୟ, ଉତ୍ସବ ମୁଖରିତ ଥିଲା ତାହା କ୍ରମେ ଶ୍ମଶାନର ନିରବତାକୁ କାହିଁକି କେଜାଣି ଆବୋରି ବସିଛି ତାହାର କାରଣ ଜାଣେ ନାହିଁ କେହି। ବୟସ ଭାରାରେ ଅବନତ ହୋଇ ଆସିଛନ୍ତି ସେମାନେ ଏବଂ ଏବେ ରାଧା ଶଯ୍ୟାଶାୟିନୀ। ରୋଗାକ୍ରାନ୍ତ ତାଙ୍କର କ୍ଷୀଣ ଶରୀର। ସେମାନଙ୍କର ଆର୍ଥିକ ଅବସ୍ଥା ଯେ କ୍ରମେ ଶୋଚନୀୟ ହୋଇଯାଇଛି, ଏହା ଜଣାପଡୁଛି ଘରର ପରିପାଟୀରୁ। ଗୋଟେ ଭଙ୍ଗା ପଲଙ୍କ ଉପରେ ମଳିନ ଶଯ୍ୟାରେ ଶୋଇ ରହିଛନ୍ତି ରାଧା ଓ ପ୍ରାୟାନ୍ଧକାର ଭିତରେ ଜଳି ରହିଛି ଗୋଟେ ଦୀପ।
ଚନ୍ଦ୍ରସେଣାଙ୍କର ପୋଷାକ ମଧ୍ୟ ମଳିନ ଓ ଶତଚ୍ଛିନ୍ନ।
ଚନ୍ଦ୍ରସେଣା କହିଲେ: ମୁଁ ବୈଦ୍ୟଙ୍କଠାରୁ ଔଷଧ ଆଣିଥିଲି। ତୁମେ ତାହା ଖାଇଲ ନାହିଁ କାହିଁକି?
ରାଧା ତତ୍‌କ୍ଷଣାତ୍‌ କୌଣସି ଉତ୍ତର ଦେଲେ ନାହିଁ। ଯେମିତି କି ସେ ଏ ପ୍ରଶ୍ନ ଶୁଣି ନାହାଁନ୍ତି କିମ୍ବା ଉତ୍ତର ଦେବା ଉଚିତ୍‌ ମନେ କରୁନାହାଁନ୍ତି। ପ୍ରଶ୍ନଟା ଯେମିତିକି ଅବାନ୍ତର ଓ ଅନାବଶ୍ୟକ ଗୋଟେ କୋଳାହଳ। ଏମିତିକି ସେ କୌଣସି ପ୍ରତିକ୍ରିୟା ବି ପ୍ରକାଶ କଲେନି। ଯେମିତି ଆଖି ଖୋଲିବା ବା ସାମାନ୍ୟ ଦୃଷ୍ଟିପାତ କରିବା ଓ ଆଖି ବନ୍ଦ କରିବା, ଅବା ଚନ୍ଦ୍ରସେଣାଙ୍କୁ ଚାହିଁବା, ଟିକେ ଚହଲି ଯିବା କିମ୍ବା କଡ଼ ଲେଉଟାଇବା ଅବା ଅତି ଅସ୍ପଷ୍ଟ ସ୍ବରରେ ‘ଉଁ’ ବୋଲି କହିବା।

ଚନ୍ଦ୍ରସେଣା ନିଜର ପ୍ରଶ୍ନ ପୁଣିଥରେ ଦୋହରାଇଲେ: ତୁମେ କ’ଣ ମୋ ପ୍ରଶ୍ନର ଉତ୍ତର ଦେବାକୁ ଅପମାନଜନକ ବୋଲି ମନେ କରୁଛ? ରାଧା କିଛି ବି କହିଲେନି।

ଚନ୍ଦ୍ରସେଣା ପ୍ରଶ୍ନ କରିବାକୁ ପଣ କରିଛନ୍ତି ଯେମିତି।

ପଚାରିଲେ: ମୁଁ କ’ଣ ଏତେ ଅଯୋଗ୍ୟ ଯେ, ପ୍ରଶ୍ନଟେ ପଚାରିଲେ ଉତ୍ତରଟେ ପାଇବାର ଯୋଗ୍ୟତା ମୋର ନାହିଁ।

ଏଥର ରାଧା ଓଠ ଖୋଲିଲେ।
ଖୁବ୍‌ ସଂକ୍ଷିପ୍ତ ତାଙ୍କର ଉତ୍ତର।
କହିଲେ: କ’ଣ କହୁଚ?
ପ୍ରଶ୍ନ ପାଇଁ ଏ ପୁଣି ଗୋଟେ ପ୍ରଶ୍ନ ହୋଇଗଲା।
ଚନ୍ଦ୍ରସେଣା ପଚାରିଲେ: ତୁମେ ଔଷଧ ସେବନ କଲ ନାହିଁ କାହିଁକି?
ରାଧା କହିଲେ: ମୋର ଇଚ୍ଛା ନାହିଁ।
ଚନ୍ଦ୍ରସେଣା ପଚାରିଲେ: ତୁମେ କ’ଣ ସୁସ୍ଥ ହେବାକୁ ଇଚ୍ଛା କରୁନାହଁ।
ରାଧା କହିଲେ: ମୋର ଅସୁସ୍ଥତା ନାହିଁ।
ଚନ୍ଦ୍ରସେଣା କହିଲେ: କିନ୍ତୁ ବୈଦ୍ୟରାଜ ଭାଗୀରଥି କହିଲେ ଯେ, ତୁମେ ଗୁରୁତ୍ତର ଅସୁସ୍ଥ। ତୁମର ଉପଯୁକ୍ତ ଉପଚାର ହେବା ଆବଶ୍ୟକ। ରାଧା ସେମିତି କ୍ଷୀଣ ଅଥଚ ସ୍ପଷ୍ଟ ସ୍ବରରେ କହିଲେ: ମୁଁ ଜାଣେ ମୋର କୌଣସି ଅସୁସ୍ଥତା ନାହିଁ।
ଚନ୍ଦ୍ରସେଣା ପୁଣି ପୁରୁଣା କଥା ଦୋହରାଇଲେ: କିନ୍ତୁ ବୈଦ୍ୟରାଜ କହୁଥିଲେ ଯେ….।
ରାଧା ଯୁକ୍ତି କଲେ: ମୁଁ ମୋ ନିଜକୁ ଯେତିକି ଜାଣେ, ବୈଦ୍ୟରାଜ କ’ଣ ସେତିକି ଜାଣନ୍ତି?
ଚନ୍ଦ୍ରସେଣା ପଚାରିଲେ: ମୁଁ ତେବେ କାହା କଥା ଶୁଣିବି? ବୈଦ୍ୟରାଜଙ୍କ କଥା ନା ତୁମ କଥା?
ରାଧା କହିଥିଲେ: ରୋଗ ଓ ନିଦାନ ସମ୍ପର୍କରେ ବୈଦ୍ୟରାଜଙ୍କ କଥା ଶୁଣିପାର। ମାତ୍ର ମୋ ସମ୍ପର୍କରେ ମୋ’ ନିଜର ମତ ହିଁ ଶେଷ କଥା।
ଚନ୍ଦ୍ରସେଣା ସମ୍ଭବତଃ ବୁଝିପାରିଲେ ନାହିଁ ରାଧାଙ୍କର ବକ୍ତବ୍ୟ।
ପ୍ରଶ୍ନ କଲେ: ଅର୍ଥାତ୍‌ !
ରାଧା ନୀରବ ରହିଲେ।

ରାଧା ଆଉ କିଛି କହି ନ ଥିଲେ। ସେ ଚିରକାଳ ଏମିତି। ସଂକ୍ଷିପ୍ତ ତାଙ୍କର ଉତ୍ତର। ଆହୁରି ସଂକ୍ଷିପ୍ତ ତାଙ୍କର ପ୍ରତିକ୍ରିୟା। ଅନାବଶ୍ୟକ କଥାଭାଷାକୁ ସେ ପ୍ରଶ୍ରୟ ଦିଅନ୍ତି ନାହିଁ। ଅକାରଣ ପ୍ରଗଳ୍ଭତାକୁ ତାଙ୍କର ପସନ୍ଦ ନାହିଁ। ସଂସାର କରିବାର ପଚିଶ ବର୍ଷ ଧରି ଚନ୍ଦ୍ରସେଣା ଏସବୁ ଦେଖି ଆସୁଛନ୍ତି ଓ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ, ଏମିତି ଗୋଟେ ପ୍ରତିକ୍ରିୟାହୀନ ନାରୀ କେମିତି ଥିଲା ଦିନେ କୃଷ୍ଣଙ୍କର ପ୍ରିୟତମା। ସେ ଯେତିକି ଶୁଣିଛନ୍ତି ବା ଜାଣିଛନ୍ତି, ଦିନେ ସମଗ୍ର ଗୋପପୁରୀ ସେଇମାନଙ୍କ ଗୋପନ ପ୍ରଣୟ କାହାଣୀରେ ମୁଖରିତ ହୋଇଉଠିଥିଲା। ସବୁରି ଓଠରେ ଥିଲା ସେମାନଙ୍କ କଳଙ୍କର ଆଲୋଚନା। ଛିଟିକା ଛିଟିକା କାଦୁଅ ଭଳି ନେସି ହେଇ ଯାଉଥିଲା ଏଣେ ତେଣେ। କଣ୍ଟାର ଆଘାତ ଭଳି ଚନ୍ଦ୍ରସେଣାଙ୍କ ଦେହରେ ବାଜିଥିଲା ଓ ତାଙ୍କୁ କ୍ଷତାକ୍ତ କରି ପକେଇଥିଲା। ଇଏ କ’ଣ ସେହି ନାରୀ?
ମନେ ଅଛି ପଚିଶ ବର୍ଷ ତଳର କଥା।
ସେ ଆହତ ହୋଇ, କ୍ରୁଦ୍ଧ ହୋଇ ଦିନେ ଆଦେଶ ଦେଇଥିଲେ: ତୁମେ ଯମୁନା ତୀରକୁ ଜଳ ଆଣିବାକୁ ଯିବ ନାହିଁ।
ରାଧା କୌଣସି ପ୍ରତିବାଦ କରି ନ ଥିଲେ।
ଚନ୍ଦ୍ରସେଣା ପୁଣି ପ୍ରତିବନ୍ଧକ ବସେଇଥିଲେ।
: ତୁମେ କ୍ଷୀର ଭାର ଧରି ମଥୁରାକୁ ଯିବ ନାହିଁ।
ମାନି ନେଇଥିଲେ ରାଧା।
:ତୁମେ ଘରର ସୀମାରେଖା ଛାଡ଼ି ବାହାରକୁ ଯାଇପାରିବନି।
ସ୍ବୀକାର କରିନେଇଥିଲେ ରାଧା। ନା ଓଠରେ ଥିଲା ପ୍ରତିବାଦର ସ୍ବର ନା ଆଖିରେ ଥିଲା ଅସନ୍ତୋଷର ଚିହ୍ନ। ନା କାର୍ଯ୍ୟକଳାପରେ ଥିଲା ବିଦ୍ରୋହର ଝଙ୍କାର।
ଚନ୍ଦ୍ରସେଣା କହିଥିଲେ: ତୁମେ ଅନ୍ୟ କୌଣସି ଗୋପବାଳା ସହ ମିଶି ପାରିବନି କିମ୍ବା କେହି ଗୋପବାଳା ଏ ଘରକୁ ଆସିପାରିବେନି।

ରାଧା ଘର ଭିତରେ ରହିଲେ।

ଦ୍ବାର ଜଗି ରହିଲେ ଚନ୍ଦ୍ରସେଣା। ସେ ମନେ କରିଥିଲେ ଏହିପରି ନୀତି ନିୟମ, ପ୍ରତିବନ୍ଧକ ଓ ଆଦେଶ ବଳରେ ସେ ସବୁ ଦୁର୍ନାମ, କଳଙ୍କ ଓ ଅପବାଦକୁ ଚାପି ଦେବେ।
କିନ୍ତୁ ସେମିତି ହୋଇଥିଲା କି?
ସେ କଂସଙ୍କ ସୈନ୍ୟବାହିନୀରେ ଜଣେ ବେତନଭୋଗୀ କର୍ମଚାରୀ ଥିଲେ। ଚାକିରିରୁ ସାମୟିକ ଅବ୍ୟାହିତ ନେଇ ସେ ଫେରିଥିଲେ ଗୋପପୁରୀକୁ ଓ ସେଇ ସମୟରେ ତାଙ୍କର ବିବାହ ସମ୍ପନ୍ନ ହୋଇଥିଲା ରାଧାରାଣୀଙ୍କ ସହିତ। ବିବାହର କିଛି ଦିନ ଉତ୍ତାରୁ ତାଙ୍କର ମଥୁରା କଟକ ଫେରିଯିବା କଥା ଓ ମଧ୍ୟେ ମଧ୍ୟେ ଗୋପପୁରୀ ଆସିବା କଥା।

କିନ୍ତୁ ତାହା ହୋଇପାରି ନ ଥିଲା।
ବିବାହର ଆନନ୍ଦ ଉଲ୍ଲାସ ଭିତରେ ତାଙ୍କୁ ନିରନ୍ତର ଆହତ କରିଥିଲା ରାଧାଙ୍କ ସମ୍ପର୍କରେ ଗୋପପୁରୀସାରା ଖେଳିବୁଲୁଥିବା ଅପବାଦ। ସମସ୍ତେ ଶତମୁଖ ହୋଇପଡ଼ିଥିଲେ ରାଧା ଓ କୃଷ୍ଣଙ୍କ ଗୋପନ ପ୍ରଣୟର ଚର୍ଚ୍ଚାରେ ଓ ଅପମାନରେ ପୋଡ଼ିଜଳି ଚନ୍ଦ୍ରସେଣା ନିଜର ଚାକିରି ତ୍ୟାଗ କରିଥିଲେ। ସେ ସୈନ୍ୟବାହିନୀରେ ଯୋଗ ଦେବାରେ ଅକ୍ଷମ ହେବାରୁ କଂସର ସେନାଧ୍ୟକ୍ଷ ପ୍ରଦ୍ୟୋତ, ଜଣେ ଚରକୁ ତା’ ନିକଟକୁ ପ୍ରେରଣ କରିଥିଲେ। ମାତ୍ର ତାଙ୍କୁ ଚନ୍ଦ୍ରସେଣା କ୍ଷମାପ୍ରାର୍ଥନା ସ୍ବରରେ ଫେରାଇ ଦେଇଥିଲେ। କହିଥିଲେ: ତୁମେ ଫେରିଯାଅ ବନ୍ଧୁ! ମୁଁ ଆଉ ଯାଇପାରିବି ନାହିଁ। ବନ୍ଧୁ ଜାଣିବାକୁ ଚାହିଁଥିଲେ ଏତେ ସମ୍ମାନସୂଚକ ସୈନିକର ଚାକିରି ଓ ସ୍ବଚ୍ଛନ୍ଦ ବେତନକୁ ଉପେକ୍ଷା କରିବାର କାରଣ।

ଚନ୍ଦ୍ରସେଣା କହିଥିଲେ: ମୁଁ ତୁମକୁ ସବୁକଥା ବୁଝାଇ କହିପାରିବି ନାହିଁ ବନ୍ଧୁ। କିନ୍ତୁ ଦାରୁଣ ସତ୍ୟଟି ହେଉଛି ମୁଁ ଆଉ ଏ ସ୍ଥାନ ଛାଡ଼ି ଯାଇପାରିବି ନାହିଁ।
ସୈନିକ ବନ୍ଧୁ ତିରସ୍କାର କରିଥିଲେ।

କହିଥିଲେ: ତୁମେ ତୁମର ନବପରିଣୀତା ପତ୍ନୀର ପ୍ରେମରେ ଅନ୍ଧ ହୋଇ ଏହିପରି କରୁଅଛ। ତୁମେ ଯେଉଁ ଅବସ୍ଥାରେ ଅଛ, ତାହା ପ୍ରତ୍ୟେକ ଲୋକର ଜୀବନରେ ଆସିଥାଏ। ମାତ୍ର ସବୁଲୋକ ଏହି କ୍ଷଣିକ ପ୍ରଣୟ ମୋହରେ ନିଜର କର୍ତ୍ତବ୍ୟ, ଭବିଷ୍ୟତ ବା ସମ୍ପଦକୁ ଜଳାଞ୍ଜଳି ଦେଇ ନ ଥାନ୍ତି। ତୁମର ନିଷ୍ପତ୍ତି ଭବିଷ୍ୟତରେ ତୁମପାଇଁ ଦୁଃଖଦାୟକ ସାବ୍ୟସ୍ତ ହୋଇପାରେ। ଚନ୍ଦ୍ରସେଣାଙ୍କର ସେଦିନର ସେଇ ନିଷ୍ପତ୍ତି ଠିକ୍‌ ଥିଲା କି ଭୁଲ୍‌ ଥିଲା ତାହା ସେ କେବଳ ବିଶ୍ଳେଷଣ କରି ନାହାଁନ୍ତି। କିନ୍ତୁ ଏକଥା ସତ୍ୟ ଥିଲା ଯେ, ସେଇ ନିଷ୍ପତ୍ତି ପାଇଁ ସେ ହରାଇ ବସିଥିଲେ ନିଜର ସମ୍ପଦ। କଂସଙ୍କ ସୈନ୍ୟବାହିନୀରୁ ସେ ପାଉଥିବା ସ୍ବର୍ଣ୍ଣମୁଦ୍ରା ହଜିଗଲା ଓ ସେ କ୍ରମେ ଦରିଦ୍ରରୁ ଦରିଦ୍ରତର ହୋଇଯାଇଥିଲେ।

ତେବେ ସେ ନିଷ୍ପତ୍ତିର ଯଥାର୍ଥତାକୁ ସେ କେବେ ବି ବାରମ୍ବାର ପ୍ରଶ୍ନ କରି ବିବ୍ରତ କରିନାହାଁନ୍ତି। ନିଜେ ନିଜେ ବିବଶ ହୋଇଛନ୍ତି ଯାହା। ସେ ସେଦିନ ବନ୍ଧୁକୁ ଶେଷ କଥା କିଛି ଶୁଣାଇଥିଲେ ଏହିପରି।

କହିଥିଲେ, ତୁମେ ଭୁଲ୍‌ ଅନୁମାନ କରୁଛ। ଅବଶ୍ୟ ସେହିପରି ଅନୁମାନ କରିବା ଯେ କୌଣସି ବ୍ୟକ୍ତି ପକ୍ଷରେ ଅସମ୍ଭବ ନୁହେଁ। ଜଣେ ତରୁଣୀ ପତ୍ନୀର ପ୍ରେମଫାଶରେ ଆବଦ୍ଧ ହୋଇ ମୁଁ ଯୁଦ୍ଧକୁ, ତରବାରୀକୁ କିମ୍ବା କର୍ତ୍ତବ୍ୟକୁ ଭୟ କରି ପଳାୟନ କରୁନାହିଁ। ମୋର ଏହି ପଶ୍ଚାଦଗତିର କାରଣ ଅନ୍ୟ କିଛି, ଯାହା ମୁଁ ତୁମ ସମ୍ମୁଖରେ ପ୍ରକାଶ କରିପାରିବି ନାହିଁ। ତେବେ ତୁମେ ମୋତେ ଭୀରୁ କାପୁରୁଷ ବୋଲି ଭର୍ତ୍ସନା ନ କରି ବନ୍ଧୁପଣରେ କ୍ଷମା ପ୍ରଦାନ କଲେ ଖୁସି ହେବି।

ସୈନିକ ବନ୍ଧୁ ଫେରିଯାଇଥିଲେ।

ସେତେବେଳେ ଗୋପର ଜନତା ଥିଲେ ମୁଖ୍ୟତଃ ଗୋପାଳ। ଗୋ-ପାଳନ ଥିଲା ସେମାନଙ୍କର ମୁଖ୍ୟ କାର୍ଯ୍ୟ ଏବଂ ତାହା ହିଁ ଥିଲା ଜୀବିକା ନିର୍ବାହର ପନ୍ଥା। କିନ୍ତୁ ଚନ୍ଦ୍ରସେଣା ନିଜର ଅଧ୍ୟବସାୟ ଓ ଅସ୍ତ୍ରଶିକ୍ଷା ବଳରେ କଂସର ସୈନ୍ୟବାହିନୀରେ ସ୍ଥାନ ପାଇପାରିଥିଲେ ଓ ତାଙ୍କର ଆର୍ଥିକ ଅବସ୍ଥା ସ୍ବଚ୍ଛନ୍ଦ ହୋଇ ଉଠିଥିଲା। ସମ୍ଭବତଃ ସେହି କାରଣରୁ ଅନ୍ୟତମ ସମ୍ଭ୍ରାନ୍ତବଂଶୀୟ ବୃଷଭାନୁ ତାଙ୍କର ଏକମାତ୍ର ସୁନ୍ଦରୀ କନ୍ୟା ରାଧାର ହାତ ତାଙ୍କ ହାତରେ ଦେଇଥିଲେ। ମାତ୍ର ପରିଣତି ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଥିଲା।

ସେଇସବୁ ଦିନ, ଯେତେବେଳେ କୃଷ୍ଣ ଗୋପାଳ ବାଳକମାନଙ୍କର ନେତା ହୋଇ ଗୋପପୁରରେ ସମସ୍ତ ପ୍ରକାର ପିଲାଳିଆମୀ ଖେଳ କୌତୁକ ଏପରିକି ଉପଦ୍ରବ କରିବା ଆରମ୍ଭ କରିଦେଲେ, ସେତେବେଳେ ଚନ୍ଦ୍ରସେଣା ଗଭୀର ମାନସିକ ଅଶାନ୍ତି ଭିତରେ କାଳାତିପାତ କରୁଥିଲେ। ସେ ରାତିରାତି ଜାଗ୍ରତ ରହି ରାଧାକୁ ଜଗି ରହୁଥିଲେ କିମ୍ବା ରାଧାକୁ ଘର ଭିତରେ ବନ୍ଦିନୀ କରି ରଖୁଥିଲେ।

ମାତ୍ର ସକାଳୁ ଅପବାଦର ବାଡ଼ବାଗ୍ନୀରୁ ତଙ୍କୁ ରକ୍ଷା ମିଳୁ ନ ଥିଲା। ତାଙ୍କର ଜଣେ ସମବୟସ୍କ ବନ୍ଧୁ, ପ୍ରସାଦ ତାଙ୍କୁ ପରାମର୍ଶ ବା ଦୁଃସମ୍ବାଦ ଶୁଣାଇବାର ଠାଣିରେ କହିଥିଲେ, ତୁମେ ନିଜେ ଟିକେ ସତର୍କ ହୁଅ, ଏ ସାମୟିକ ଦୁଷ୍ଟାମି ନିଶ୍ଚୟ ଦୂର ହୋଇଯିବ।
ଚନ୍ଦ୍ରସେଣା ଆଶ୍ବସ୍ତିର ସହ କହିଥିଲେ: ମୁଁ ସତର୍କ ଅଛି।
ପ୍ରସାଦ କହିଥିଲେ: କିନ୍ତୁ କାଲି ରାତିରେ ସେମାନେ ରାସଲୀଳା କରିଥିଲେ ଯେ?
ଚନ୍ଦ୍ରସେଣା ଆଶ୍ଚର୍ଯ୍ୟ ହୋଇଥିଲେ: କାଲି ରାତିରେ? ଏହା ଯେ ଅସମ୍ଭବ! କାଲି ରାତିରେ ଯେ ରାଧା ଘରେ ଥିଲେ। ମୁଁ ତାଙ୍କୁ ବନ୍ଦ ଘରେ ରଖି ଦ୍ବାରରେ ପ୍ରହରା ଦେଇଥିଲି।
ପ୍ରସାଦ କହିଥିଲେ, ନା ବନ୍ଧୁ ! ତାହା ନୁହେଁ। ମୁଁ ନିଜେ ଦେଖିଛି। ରାଧା କୃଷ୍ଣଙ୍କ ସହିତ ଚାଲିଯାଉଥିଲେ।
ଚନ୍ଦ୍ରସେଣା କହିଥିଲେ, ଅସମ୍ଭବ! ଏହା ମିଥ୍ୟା!
ପ୍ରସାଦ କହିଥିଲେ, କାଲି ରାତିରେ ତୁମେ କ’ଣ ବଂଶୀର ସ୍ବର ଶୁଣି ନାହିଁ ?
ଚନ୍ଦ୍ରସେଣା କହିଥିଲେ, ନା ! ମୁଁ ସାରା ରାତି ଜାଗ୍ରତ ଅଛି। କେବେ ବି କୌଣସି ବଂଶୀ ସ୍ବନ ଶୁଣାଯାଇ ନାହିଁ।
“ତେବେ ତୁମେ ଶୋଇଯାଇଥିଲ। କାଲି ସାରା ରାତି ବଂଶୀ ସ୍ବନ ଶୁଣାଯାଇଥିଲା। ଗୋପାଳ ବାଳକ ଓ ଗୋପୀମାନଙ୍କ କୋଳାହଳ ମଧ୍ୟ ଶୁଣାଯାଉଥିଲା। ଅଥଚ ତୁମେ ଶୁଣିପାରି ନାହଁ କିପରି?’’

ଏସବୁ ରହସ୍ୟମୟ ମନେ ହୋଇଥିଲା ଚନ୍ଦ୍ରସେଣାଙ୍କୁ। ପରବର୍ତ୍ତୀ ରାତିରେ ତାଙ୍କୁ ବଂଶୀ ସ୍ବନ ଶୁଣାଇଦେବେ ଓ ରାଧାଙ୍କ ଗୋପନ ରାତ୍ରି ଅଭିସାରକୁ ଧରେଇ ଦେବେ ବୋଲି ବାହାସ୍ଫୋଟ ମାରିଥିଲେ ପ୍ରସାଦ।

ପରବର୍ତ୍ତୀ ରାତ୍ରି ମଧ୍ୟ ସେମିତି ରହସ୍ୟମୟତାରେ ସମାପ୍ତ ହୋଇଯାଇଥିଲା। ଘରେ ନିଜର ମାତା ଓ ଭଗ୍ନୀଙ୍କୁ ରାଧାଙ୍କ ଉପରେ ଗୁପ୍ତଚର ବୃତ୍ତି କରିବାର ଦାୟିତ୍ବ ଦେଇ ଚନ୍ଦ୍ରସେଣା ଓ ପ୍ରସାଦ ଗୋପପୁରୀ ଉପକଣ୍ଠ କଦମ୍ବ ବନରେ ଏକାଠି ହୋଇଥିଲେ। କେତେ ଜଣ ଗୋପାଙ୍ଗନା ମଧ୍ୟ ସେମାନଙ୍କ ସହିତ ଯୋଗ ଦେଇଥିଲେ।

ଛାଇ ଆଲୁଅ। ଜହ୍ନ ରାତିରେ ସେମାନେ ଦୋଳି ଖେଳିଥିଲେ, ନାଚିଥିଲେ ଓ ଗୀତ ଗାଇଥିଲେ।
ଜଣେ ଗୋପାଙ୍ଗନାକୁ ଦେଖାଇ ପ୍ରସାଦ କହିଥିଲେ, ଦେଖ, ଦେଖ। ସିଏ ହିଁ ରାଧା। ଦେଖ ସେ କିପରି କୃଷ୍ଣଙ୍କ ସହିତ ଘନିଷ୍ଠ ହୋଇ ଦୋଳି ଖେଳୁଛି।

ଚନ୍ଦ୍ରସେଣା ଚମକି ଉଠି ଛାଇଛାଇଆ ଆଲୁଅରେ ରାଧାଙ୍କୁ ଚିହ୍ନିବାକୁ ଚେଷ୍ଟାକରି ବିଫଳ ହୋଇଥିଲେ ଓ ଅନ୍ତରାଳରୁ ବାହାରି ଆସି ସେମାନଙ୍କ ପାଖକୁ ଆସିଥିଲେ। ମାତ୍ର ସେ ରାଧା ବୋଲି କୁହାଯାଉଥିବା ବା ଦେଖାଯାଉଥିବା ନାରୀଟି ନିକଟରେ ପହଞ୍ଚିବା ପୂର୍ବରୁ କୃଷ୍ଣ ସମେତ ରାସ ନିମଜ୍ଜିତ ଚରିତ୍ରମାନେ ଦୂରକୁ ଦୂରକୁ ଯାଇ କେଉଁଆଡ଼େ ନିଶ୍ଚିହ୍ନ ହୋଇଗଲେ। ଚରମ କ୍ରୋଧ, ଘୃଣା ଓ ମାନସିକ ଅବସାଦରେ ଚନ୍ଦ୍ରସେଣା ଘରକୁ ଫେରି ଆସି ଦେଖିଲେ ଘରେ ତାଲା ଦିଆଯାଇଛି ଓ ଦୁଆରେ ପ୍ରହରୀ ଭଳି ଜଗିରହିଛନ୍ତି ତାଙ୍କର ମାତା।

ଚନ୍ଦ୍ରସେଣା ଗର୍ଜନ କରି କହିଥିଲେ, ମାତା ! ତୁମେ ଏଠାରେ ବୃଥାରେ କାହିଁକି ଜଗି ବସିଛ। ସେ ସିଆଡ଼େ ନଦୀକୂଳରେ ରାସଲୀଳାରେ ମାତିଛି। ଏହାପରେ ମାତା ଓ ପୁତ୍ର ତାଲା ଖୋଲି କବାଟ ମେଲାଇ ଦେଖିଥିଲେ ଯେ ରାଧା ଶୋଇଛନ୍ତି ଓ ଗଭୀର ନିଦ୍ରାରେ ଅଛନ୍ତି। ମାତା ଓ ପୁତ୍ର ଦୁହେଁ ବିସ୍ମୟାଭୂତ ହୋଇପଡ଼ିଥିଲେ।

ସେ ସବୁ ଅନେକ ଦିନ ତଳର କଥା।

ସେଇଦିନୁ ଏଇସବୁ କାହାଣୀ ପ୍ରହେଳିକାପରି ପଶ୍ଚାତାଧାବନ କରି ଆସିଛି ଚନ୍ଦ୍ରସେଣାଙ୍କୁ ଓ କୌଣସି ସ୍ଥିର ନିଷ୍ପତ୍ତିରେ ପହଞ୍ଚିପାରି ନାହାଁନ୍ତି ଚନ୍ଦ୍ରସେଣା। ଜନମୁଖରେ ରାଧାକୃଷ୍ଣଙ୍କ ପ୍ରଣୟଲୀଳାର ପ୍ରଚାର ଓ ଚନ୍ଦ୍ରସେଣାଙ୍କ ହାତରେ କୌଣସି ଚାକ୍ଷୁସ ପ୍ରମାଣର ଅଭାବ, ଚନ୍ଦ୍ରସେଣାଙ୍କ ସବୁପ୍ରକାର ପ୍ରତିବନ୍ଧକ ସ୍ଥାପନ ଓ ତା’ ସତ୍ତ୍ବେ ଅସମ୍ଭବ ଭାବରେ ରାଧାଙ୍କ ପ୍ରଣୟଲୀଳା ସମୁଦାୟ ଘଟଣାକୁ ଏକ ରହସ୍ୟମୟତା ଆଡ଼କୁ ଟାଣି ନେଇଥିଲା।

ସେହିସବୁ ଦିନମାନଙ୍କରେ ଚନ୍ଦ୍ରସେଣାଙ୍କର ରାଧାଙ୍କ ସହିତ କୌଣସି ଶାରୀରିକ ସମ୍ପର୍କ ରହିପାରି ନ ଥିଲା। ତା’ର କାରଣ ସମ୍ଭବତଃ ଚନ୍ଦ୍ରସେଣାଙ୍କର ମାନସିକ ବିପର୍ଯ୍ୟୟତା। ଏହା ଛଡ଼ା ସେ ଯେବେ ବି ରାଧାଙ୍କ ନିକଟତର ହୋଇଥିଲେ, ଅନୁଭବ କରିଥିଲେ ରାଧାଙ୍କ ନିକଟରେ ଗୋଟେ ହିମ ଶୀତଳ ଅନିଚ୍ଛା ଭାବ। ରାଧାଙ୍କ ମୁହଁକୁ ଚାହିଁଲେ ତାଙ୍କୁ ଦେଖାଯାଉଥିଲା ସେଠି କୃଷ୍ଣ ଛାଡ଼ି ଯାଇଥିବା ଚୁମ୍ବନର ଅଦୃଶ୍ୟ ଦାଗ ଓ ତାହା ଚନ୍ଦ୍ରସେଣାଙ୍କ ପୁରୁଷାକାରକୁ ବିଦ୍ରୂପ କରୁଥିଲା। ଏହାପରେ ଦିନେ ଜଣାପଡ଼ିଲା ଯେ, କୃଷ୍ଣ ଗୋପାଳ ନୁହଁନ୍ତି ସେ ଯାଦବ। ସେ ଯାଦବ ଶ୍ରେଷ୍ଠ ବସୁଦେବଙ୍କ ପୁତ୍ର ଓ ସେ ମଥୁରାକୁ ଚାଲିଯିବେ। ଅବଲୀଳାକ୍ରମେ କୃଷ୍ଣ ଗୋପପୁରୀ ଛାଡ଼ି ମଥୁରାକୁ ଗଲେ ଓ କଂସକୁ ନିପାତ କରି ମଥୁରାର ରାଜତ୍ବ ହାତକୁ ନେଲେ।

କୃଷ୍ଣ ଚାଲିଯିବା ପରେ ଚନ୍ଦ୍ରସେଣାଙ୍କର ମନେ ହୋଇଥିଲା ଏ କାହାଣୀ ହୁଏତ ଏଇଠି ସମାପ୍ତ ହୋଇଯିବ। ମାତ୍ର ତାହା ହେଲା ନାହିଁ। କୃଷ୍ଣ ମଥୁରାରେ ରହିଲେ ଓ ତାଙ୍କର ବୀରତ୍ବବ୍ୟଞ୍ଜକ କାହାଣୀମାନ ଗୋପପୁରୀରେ ଶୁଣାଯାଉଥିଲା।

ତା’ପରବର୍ତ୍ତୀ ଦିନମାନଙ୍କରେ ଚନ୍ଦ୍ରସେଣା ଏକ ଭୟଭୀତ ଜୀବନ ବିତାଇଥିଲେ। ତାଙ୍କର ମନେ ହୋଇଥିଲା କୃଷ୍ଣ ଦିନେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଗୋପପୁରୀକୁ ଫେରି ଆସିବେ ଓ ଚନ୍ଦ୍ରସେଣାଙ୍କୁ ବଧ କରି ରାଧାଙ୍କୁ ନେଇ ମଥୁରା ଚାଲିଯିବେ। କୃଷ୍ଣଙ୍କ ନାମରେ ସେ ପ୍ରକାର କାହାଣୀ ସବୁ ଶୁଣାଯାଉଥିଲା। ସେ କେବେ ଯୁଦ୍ଧ କରି ଋକ୍ମିଣୀକୁ ହରଣ କରିଥିଲେ ତ କେବେ ସତ୍ୟଭାମାଙ୍କୁ। ବହୁ ସୁନ୍ଦରୀ ରାଜକନ୍ୟାଙ୍କୁ ସେ ଯୁଦ୍ଧକରି, କୂଟନୀତି କରି, ଛନ୍ଦକରି ନିଜ ରାଜ ପ୍ରାସାଦକୁ ଆଣିବାକୁ ସକ୍ଷମ ହୋଇଥିଲେ।

ଏହିସବୁ କଥା ଯେତେବେଳେ ଗୋପପୁରୀରେ ଶୁଣାଯାଉଥିଲା ସେତେବେଳେ ଚନ୍ଦ୍ରସେଣା ଭୟରେ ଶିହରୀ ଉଠୁଥିଲେ। ସେ ଡରୁଥିଲେ। କାରଣ କୃଷ୍ଣ କ୍ରମେ କ୍ରମେ ଭାରତବର୍ଷର ଅଦ୍ବିତୀୟ ବୁଦ୍ଧିମାନ, କୌଶଳୀ ଓ ପରାକ୍ରମଶାଳୀ ଯାଦବ ଶ୍ରେଷ୍ଠ ଭାବରେ ପ୍ରତିପାଦିତ ହୋଇ ଆସୁଥିଲେ। ସେ ନିଶ୍ଚୟ ନିଜର କୈଶୋରର ପ୍ରେମକୁ ଭୁଲି ନ ଥିବେ ଓ ଯେକୌଣସି ଦିନ ଗୋପକୁ ଆସି ରାଧାକୁ ଉଦ୍ଧାର କରିପାରନ୍ତି। ସେ ଏବଂ ତାଙ୍କର ଯାଦବ ସେନା ଗୋପପୁରୀକୁ ଆକ୍ରମଣ କରିପାରନ୍ତି, ସେମାନଙ୍କ ସାମ୍ନାରେ ଚନ୍ଦ୍ରସେଣା ଯେ କେତେ ସାମାନ୍ୟ ସେ କଥା ଚନ୍ଦ୍ରସେଣା ଜାଣନ୍ତି। ଏହି ଚିନ୍ତା ମୁର୍ହୁ ମୁର୍ହୁ ତାଙ୍କୁ ବିଚଳିତ କଲା ଓ ବେଶ୍‌ କିଛି କାଳ କଟିଗଲା ଏଇ ରକମ ସଂଶୟ ଓ ସଂତ୍ରାସରେ।

ମନେଅଛି ସେ ଥରେ ରାଧାଙ୍କୁ ପଚାରିଥିଲେ କିଛି କଥା। ରାଧାଙ୍କ ଉତ୍ତର ସବୁ ଏବେ ବି ମନେଅଛି ସ୍ପଷ୍ଟତଃ।
ଚନ୍ଦ୍ରସେଣା ପଚାରିଥିଲେ, ମୁଁ ତୁମର କ’ଣ ?
ରାଧା କହିଥିଲେ: ସ୍ବାମୀ!
ଚନ୍ଦ୍ରସେଣା ପଚାରିଥିଲେ: ତୁମକୁ ଭରଣପୋଷଣ କରୁଛି କିଏ ?
ରାଧା କହିଥିଲେ: ଆପଣ?
ଚନ୍ଦ୍ରସେଣା ପଚାରିଥିଲେ, ତୁମକୁ ଆର୍ଥିକ, ସାମାଜିକ ଓ ପାରିବାରିକ ନିରାପତ୍ତା ଦେଉଛି କିଏ?
ରାଧା କହିଥିଲେ, ଆପଣ ?
ଚନ୍ଦ୍ରସେଣା ପଚାରିଲେ, ତୁମକୁ ସାମାଜିକ ସ୍ବୀକୃତି ଦେଇଛି କିଏ? ପରିଚୟ ଦେଇଛି କିଏ? ?
ରାଧା କହିଥିଲେ, ଆପଣ?
ଚନ୍ଦ୍ରସେଣା ଏଥର ନିଜର ପ୍ରକୃତ ମତ ପ୍ରକାଶ କରିଥିଲେ।
କହିଥିଲେ-ସେଇ ଲୋକଟି ତୁମର କିଛି ହିଁ କରିନାହିଁ। କେବେ ବି ଆସିଲା ନାହିଁ। ପଚାରିଲା ନାହିଁ ତୁମେ କେମିତି ଅଛ? କ’ଣ କରୁଛ? ଥରଟିଏ ବି ଆସିନାହିଁ ତୁମକୁ ଦେଖିବାକୁ ? ଅଥଚ ତୁମେ ତାକୁ ଏତେ ଝୁରି ମରୁଛ କାହିଁକି?

ଚନ୍ଦ୍ରସେଣାଙ୍କର ଏଇ ପ୍ରଶ୍ନର କୌଣସି ଉତ୍ତର ଦେଇ ନ ଥିଲେ ରାଧା। ସେମିତି ନିରବ ରହି, ଉଦାସ ରହି ମୁହଁ ବୁଲାଇ ନେଇଥିଲେ ଓ ସ୍ଥାନ ତ୍ୟାଗ କରିଥିଲେ। ଏହାପରେ ଶୁଣାଯାଇଥିଲା କୃଷ୍ଣ ମଥୁରା ଛାଡ଼ି ଚାଲିଗଲେ। କାହିଁ କେତେ ଦୂରରେ ଦ୍ବାରିକାରେ ରାଜପୁରୀ ନିର୍ମାଣ କରି ସେଠି ରାଜପଣ କଲେ। କୃଷ୍ଣ ସମେତ ଯାଦବଗଣ ମଥୁରା ଛାଡ଼ି ଚାଲିଗଲା ପରେ, ମଥୁରା ଏକ ଜନମାନବଶୂନ୍ୟ ମରୁଭୂମି ପାଲଟି ଗଲା। ତତ୍‌ସହିତ ଗୋପର ଅବସ୍ଥା ମଧ୍ୟ ଦୁର୍ବିସହ ହୋଇଗଲା। ଗୋପପୁରୀର ଅନ୍ତେବାସୀମାନଙ୍କର ପ୍ରଧାନ କାର୍ଯ୍ୟ ଥିଲା ଗୋପାଳନ ତଥା ଚାଷ କାର୍ଯ୍ୟ। ତେବେ ସର୍ବାଧିକ ଲୋକ ଗୋପାଳନକୁ ପେଶା ଭାବରେ ଗ୍ରହଣ କରିଥିଲେ। ସେମାନଙ୍କ ବ୍ୟବସାୟର ପ୍ରମୁଖ କ୍ରେତା ଥିଲେ ମଥୁରାରେ। ମଥୁରାର ପତନ ପରେ ସେମାନଙ୍କ ଦୁଗ୍ଧ ବ୍ୟବସାୟ କ୍ଷତି ଆଡ଼କୁ ଆଗେଇଲା। ଲୋକମାନଙ୍କ ଆର୍ଥିକ ମାନଦଣ୍ଡ ଭାଙ୍ଗି ଆସୁଥିଲା। ସେଥିପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଗାଁ ଛାଡ଼ି ଲୋକମାନେ ଦୂରଦୂରାନ୍ତରକୁ ଯିବାକୁ ଆରମ୍ଭ କରିଥିଲେ। ଗୋପପୁରୀର ଏଇ ପ୍ରକ୍ରିୟାରେ ଅଧିକାଂଶ ଲୋକ ବାହାରକୁ ଚାଲିଗଲେ। ଗାଁ’ଟା କ୍ରମେ ପରିତ୍ୟକ୍ତ ଓ ନିରବ ଶ୍ମଶାନସ୍ଥଳୀ ପରି ହୋଇ ଆସୁଥିଲା। କିନ୍ତୁ ଶେଷ ପର୍ଯ୍ୟନ୍ତ ଚନ୍ଦ୍ରସେଣା ଗାଁ ଛାଡ଼ି ନ ଥିଲେ।

ଚନ୍ଦ୍ରସେଣା ନିଜକୁ ନିଜେ କହିଥିଲେ: କୁଆଡ଼େ ଆଉ ଯିବି ଯେ? କୁଆଡ଼େ ଅବା ଯିବି? ଯେଉଁ ଦେଶ, ଯେଉଁ ନଗରକୁ ଗଲେ ବି ସବୁଠି ତ ସେଇ କୃଷ୍ଣଙ୍କ ଚର୍ଚ୍ଚା, କୃଷ୍ଣଙ୍କ ଆଲୋଚନା। କୃଷ୍ଣ ୟା’ କଲେ, କୃଷ୍ଣ ତା’ କଲେ। କୃଷ୍ଣ ସମଗ୍ର ଭାରତବର୍ଷକୁ ବନ୍ଧୁତାର ସୂତ୍ରରେ ବାନ୍ଧିଛନ୍ତି। କୃଷ୍ଣ କୌରବଙ୍କ ପତନରେ ସହାୟକ ହୋଇଛନ୍ତି। କୃଷ୍ଣ ଜରାସନ୍ଧକୁ ନିହତ କରାଇଛନ୍ତି। କୃଷ୍ଣ ଶିଶୁପାଳକୁ ବିନାଶ କରିଛନ୍ତି। ଚାରି ଦିଗରେ କେବଳ କୃଷ୍ଣ, ଆଉ କୃଷ୍ଣ, ଆଉ କୃଷ୍ଣ।

ତା’ ଅପେକ୍ଷା ଏଇ ପରିତ୍ୟକ୍ତ ଗ୍ରାମ ଗୋପପୁରୀ ଭଲ। ଯେଉଁଠୁ ମଣିଷମାନେ କ୍ରମେ ପଳାଇ ଯାଉଛନ୍ତି। ସଖା ସହୋଦରହୀନ ଶ୍ମଶାନ ଇଏ। ଏଇ ଜୀବନ ଭଲ। ଢେର ଭଲ। ଏହାପରେ ଦିନେ ରାଧା ରୋଗରେ ପଡ଼ିଲେ ଏବଂ ଖୁବ୍‌ଶୀଘ୍ର ଶଯ୍ୟାଶାୟିନୀ ହୋଇଗଲେ। ସ୍ବାମୀର ଯେତିକି କର୍ତ୍ତବ୍ୟ ତାହା କରିବାରେ ହେଳା କରିନାହାଁନ୍ତି ଚନ୍ଦ୍ରସେଣା। କିନ୍ତୁ ସେତେବେଳକୁ ସେ ଖୁବ୍‌ ଅସହାୟ। ସାହାଯ୍ୟ କରିବାକୁ କେହି ନାହାଁନ୍ତି ଗୋପପୁରୀରେ। ବୈଦ୍ୟରାଜଙ୍କୁ ଡାକିବା ପାଇଁ କାଣିକଉଡ଼ିଟିଏ ପାଖରେ ନାର୍ହି। ତଥାପି ସବୁପ୍ରକାର ସେବା ଶୁଶ୍ରୁଷା କରିଥିଲେ ଚନ୍ଦ୍ରସେଣା।

ରାଧାଙ୍କ ସେଇ ରୋଗଶଯ୍ୟାରେ ଚନ୍ଦ୍ରସେଣା ପୁଣି ପଚାରିଥିଲେ ସେଇ କଥା। ସମ୍ଭବତଃ ସେଇ କଥା ଭୂତ ଭଳି ସାରା ଜୀବନ ସବାର ହୋଇ ରହିଥିଲା ଚନ୍ଦ୍ରସେଣାଙ୍କ ର ଓ ସେ ଜମା ହିଁ ଭୁଲିପାରୁ ନ ଥିଲେ କଥାଟିକୁ।

ପଚାରିଥିଲେ: ତୁମେ କ’ଣ ଭାବୁଚ ସେ ତୁମକୁ ଦେଖିବାକୁ ଆସିବ?
ରାଧା କିଛି କହିଲେ ନାହିଁ।
ଚନ୍ଦ୍ରସେଣା କହିଲେ: ତୁମେ କ’ଣ ଭାବୁଚ, ସେ ତୁମର ସେବା ଶୁଶ୍ରୁଷା କରିବ? ମୋ’ଠୁ ବେଶି ତୁମର ଯତ୍ନ ନେବ।
ରାଧା ତଥାପି ମଧ୍ୟ କିଛି କହିଲେ ନାହିଁ।
ଚନ୍ଦ୍ରସେଣା ପଚାରିଲେ: ତୁମେ କ’ଣ ଚାହୁଁଛ, ମୁଁ ତାଙ୍କୁ ଖବର ଦିଏ ବୋଲି। ଖବର ପାଇଲେ ସେ ଧାଇଁ ଆସିବେ। ଏମିତି ଆଶା ମନ ଭିତରେ ରଖିଚ? ରାଧା ନିରୁତ୍ତର ଥିଲେ।
ଚନ୍ଦ୍ରସେଣା କହିଲେ- ଦେଖ ! ମୁଁ ତୁମ ପାଇଁ ବହୁତ କିଛି କରିଛି, ଅଥଚ ସେ ତୁମପାଇଁ କିଛି କରିନାହିଁ। କିନ୍ତୁ ତୁମେ ଥରକ ପାଇଁ ମଧ୍ୟ ମୋତେ କହିଲ ନାହିଁ ତୁମେ ମୋତେ ଭଲପାଅ ବୋଲି। ଅଥଚ ତୁମେ ସେ ଲୋକଟିକୁ ଝୁରିଝୁରି ସରିଗଲ।

ରାଧା ଖୁବ୍‌ କ୍ଷୀଣ ସ୍ବରରେ ପଚାରିଥିଲେ: ତୁମେ କାହା କଥା କହୁଛ ?
ଚନ୍ଦ୍ରସେଣା କଥାଟାକୁ ସ୍ପଷ୍ଟ କରିବା ପାଇଁ, ବୁଝେଇଦେବା ପାଇଁ ତତ୍ପର ଥିଲେ। କହିଉଠିଲେ- କାହା କଥା ଆଉ କହିବି? ସେଇ କୃଷ୍ଣ କଥା।
ରାଧା ସେମିତି ମୁର୍ମୂଷୁ ସ୍ବରରେ ପଚାରିଲେ: କୋଉ କୃଷ୍ଣ?
ଚନ୍ଦ୍ରସେଣା ଟିକେ ବିରକ୍ତ ହେଲେ।
କହିଲେ- କୋଉ କୃଷ୍ଣ ବୋଲି କ’ଣ ପଚାରୁଛ? ତୁମେ କ’ଣ ତାକୁ ଭୁଲିଯାଇଛ? ସତରେ ତାକୁ ଭୁଲିଯାଇଛ?

ଚନ୍ଦ୍ରସେଣାଙ୍କ ସ୍ବର ଆବେଗ ବିଜଡ଼ିତ ଥିଲା। ଯେମିତି ଗୋଟେ ନୂତନ ସତ୍ୟ, ନୂତନ ଅନୁଭବ, ନୂତନ ତଥ୍ୟ ସେ ପାଇବାକୁ ଯାଉଛନ୍ତି ସେମିତି ଆନନ୍ଦିତ ବା ଉଲ୍ଲସିତ ଥିଲା ତାଙ୍କର କଥା।
ଅଥଚ ରାଧା କିଛି କହିଲେନି।
ତାଙ୍କର ଶେଷ ନିଃଶ୍ବାସ ବାୟୁମଣ୍ଡଳରେ ମିଶିଯାଇଥିଲା ସେତେବେଳକୁ। ଚନ୍ଦ୍ରସେଣା କାନ୍ଦୁ ନ ଥିଲେ ବା ହସୁ ନଥିଲେ ବା ଭାଙ୍ଗିଯାଉ ନ ଥିଲେ। ସେ ଗୋଟେ ବିଚିତ୍ର ଅନୁଭବରେ ସ୍ଥାଣୁ ପାଲଟି ଯାଇଥିଲେ, ଯେମିତି ରାଧାଙ୍କ ମୃତ୍ୟୁର ଚର୍ତୁବିଂଶ ଦିବସରେ ଚନ୍ଦ୍ରସେଣା ଦ୍ବାରକା ଅଭିମୁଖେ ପଦବ୍ରଜରେ ବାହାରିଗଲେ।

ଯଦିଓ ଦ୍ବାରକା ବହୁତ ଦୂରରେ ଥିଲା ଓ ଚନ୍ଦ୍ରସେଣା ଭଗ୍ନ ସ୍ବାସ୍ଥ୍ୟ ଓ କପର୍ଦ୍ଦକଶୂନ୍ୟ ଥିଲେ। ତଥାପି ସେ ବାହାରିଥିଲେ। ତାଙ୍କର ଉଦ୍ଦେଶ୍ୟ ଥିଲା କୃଷ୍ଣଙ୍କୁ ରାଧାଙ୍କ ମୃତ୍ୟୁ ସମ୍ବାଦ ଦେବା ଏବଂ ଗୋଟେ ଅଧେ ପ୍ରଶ୍ନ ପଚାରିବା, ତୁମେ ଥରେ ହେଲେ ବି ଗୋପପୁରୀକୁ ଗଲନି କାହିଁକି? ଥରେ ହେଲେ ତ ଭେଟି ପାରିଥାଆନ୍ତ। ପଚାରିପାରି ଥାଆନ୍ତ, ଥରେ ହେଲେ ତ ପାଖରେ ଠିଆ ହୋଇ ପାରିଥାଆନ୍ତ ଯେ…।