/  ଅନ୍‌ଲାଇନ୍ ଓଡ଼ିଆ
/  ପ୍ରଶ୍ନୋତ୍ତର
/  

Loading...

ଝଡ଼ର ପରାଜୟ

ପୁଅର ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଭିତରବାହାର ହେଉଥିଲେ ସୁନନ୍ଦା। ଗାଡ଼ି ରହିବା ଶବ୍ଦ ଶୁଣିବା ମାତ୍ରେ ଦୌଡ଼ିଯାଉଥିଲେ ବାହାରକୁ। ଗାଡ଼ି ଚାଲିଗଲେ ପୁଣି ଘରକୁ ଫେରିଆସୁଥିଲେ ଦୁଃଖରେ। ଏମିତି ଭିତରବାହାର ହେବା ଏ ପରିଣତ ବୟସରେ କ’ଣ ସମ୍ଭବ? ତଥାପି ତାଙ୍କୁ ପୁଅକୁ ସ୍ବାଗତ କରିବାକୁ ପଡ଼ିବ। ପ୍ରତି ଥର ପୁଅ ଆସିଲେ ଆରତୀ ଥାଳି ଧରି ଠିଆ ହୋଇପଡ଼ନ୍ତି, ଏରୁଣ୍ଡିବନ୍ଧ ପାଖରେ। ବନ୍ଦାପନା ପରେ ହିଁ ଘରେ ପ୍ରବେଶ କରିବାକୁ ଅନୁମତି ଦିଅନ୍ତି। ପ୍ରଶାନ୍ତ ସବୁବେଳେ ହସି ହସି କହନ୍ତି ଆରେ “ସୁନନ୍ଦା, ଘରର ପୁଅ ଘରକୁ ଆସିବ। ତୁମେ ସବୁବେଳେ ଏ ବର ଆୟୋଜନ କାହିଁକି କରୁଛ?” ସୁନନ୍ଦା କିନ୍ତୁ ନଛୋଡ଼ବନ୍ଧା। କାଳେ ପୁଅ ଉପରେ କାହାର ଅଶୁଭ ନଜର ପଡ଼ିଯାଇଥିବ?

ଦୁଇଦିନ ତଳେ ଫୋନ୍‌ ଆସିଥିଲା ସେ ଫେରିଆସୁଛି। ଭାରି ଦରଦଭରା ସେ କଣ୍ଠସ୍ବର। ଗାଆଁରୁ ସେ ଯାଇ ମାସେ ବି ହୋଇନି। ସେଥିରେ କହୁଛି ଫେରିଆସିବ? ଟ୍ରେନିଂ ସମୟରେ ବି କେବେ ଦିନେ କହିନି “ବୋଉ କଷ୍ଟ ହେଉଛି ଫେରିଆସିବି।” ଆଉ ଆଜି କାହିଁକି? ଫୋନ୍‌ରୁ ବିଜୁ ଯେ ଦୁଃଖରେ ଅଛି ଏକଥା ଅନୁମାନ କରିପାରୁଥିଲେ ସୁନନ୍ଦା। ସୁନନ୍ଦାଙ୍କର ମନଟା ଗୋଳେଇ ଘାଣ୍ଟି ହେଉଥିଲା। ବିଜୁ ମନରେ ସାମାନ୍ୟ କଷ୍ଟକୁ ସେ ସହ୍ୟ କରିପାରନ୍ତି ନାହିଁ। ପାଞ୍ଚ ନା ସାତ ଯେ ସହ୍ୟକରିବେ। ଗୋଟିଏ ବୋଲି ପୁଅ, ପୁଣି ବାହାଘର ଦଶ ବର୍ଷ ପରେ କେତେ ଦିଅଁ ଦେବତା କରି ତା’ର ଜନ୍ମ।

ଜନ୍ମ ବେଳେ ତ ହରି ଗୋସେଇଁ ବିଜୁର ଜାତକ ତିଆରି କରି କହିଥିଲେ ଭାରି ସୁନ୍ଦର କୋଷ୍ଠି, ଭଲ ପାଠ ପଢ଼ିବ। ବଡ଼ ଅଫିସର୍‌ ହେବ। ବଡ଼ ଅଫିସର ହୋଇଛି ବିଜୟଶ୍ରୀ। ଦିନେ ତା’ ପାଠପଢ଼ା ଦେଖିନାହାନ୍ତି କିଏ, ଗାଁ ସ୍କୁଲରୁ ଆରମ୍ଭ କରି ରେଭେନ୍ସା ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ। ବିଦ୍ୟାଳୟ କୁହ କି କଲେଜ କୁହ, ସବୁ ଆନୁସଙ୍ଗିକ କାର୍ଯ୍ୟକ୍ରମରେ ସବୁବେଳେ ବିଜୁ ପ୍ରଥମ। ଘରସାରା କପ୍‌, ସିଲ୍‌ରେ ସଜେଇଛି। ହରି ଗୋସେଇଁ କହିବା ଅନୁସାରେ ତ ସଫଳତା ମିଳିଛି ହେଲେ ଦୁଃଖ ରହିଲା କେଉଁଠି? ନାଁ, ହରି ଗୋସେଇଁଙ୍କ ଗଣନାରେ ଆଉ କେଉଁଠି ଭୁଲ୍‌ ରହିଲା। ବିଜୁର ପଢ଼ା ଶେଷ ହୋଇ ନଥିଲା। ଶେଷ ସେମିଷ୍ଟାର୍‌ରେ ହିଁ କ୍ୟାମ୍ପସ୍‌ ସିଲେକ୍‌ସନ୍‌ ହୋଇ ଚାକିରି ମିଳିଯାଇଥିଲା। ତା’ ନିଷ୍ଠାପର କାର୍ଯ୍ୟକଳାପରେ ସମସ୍ତେ ଏତେ ଖୁସି ଯେ, ଟ୍ରେନିଂର ସମୟସୀମା କମେଇ ତା’କୁ ପୋଷ୍ଟିଂ ଦେଇଥିଲେ ଏବଂ ଚାକିରୀର ଛଅମାସ ଭିତରେ ପ୍ରମୋଶନ।

ଏମିତି ବର୍ଷଟିଏ ବିତିଗଲା ଖୁସିରେ। କିନ୍ତୁ ସଲିମା ସହ ତା’ ସମ୍ପର୍କ, ତା’ ଗତିପଥକୁ ବଦଳେଇ ଦେଇଥିଲା। କେତେବେଳେ କେଉଁ ଝିଅକୁ ଚାହୁଁ ନଥିବା ପୁଅ ସଲିମାର ପ୍ରେମରେ ବାନ୍ଧି ହୋଇଗଲା। ସବୁବେଳେ ସବୁକଥା କହୁଥିବା ପୁଅ ସୁନନ୍ଦାଙ୍କୁ ଯେ ଏକଥା କହିନି ତା’ ନୁହେଁ କିନ୍ତୁ ସଲିମା ଆସିବା ପରେ ତା’ ଜୀବନ ଧାରାରେ କିଛିଟା ପରିବର୍ତ୍ତନ ଦେଖାଦେଇଛି। ସକାଳ ପ୍ରହରରୁ ରାତି ପର୍ଯ୍ୟନ୍ତ ପ୍ରତିଟି ଖବର ସୁନନ୍ଦାଙ୍କୁ ପଚାରି ପଚାରି ବ୍ୟସ୍ତ କରୁଥିବା ପୁଅ ଆଉ ଏତେ ଫୋନ୍‌ କରୁନି। ସୁନନ୍ଦାଙ୍କୁ ଦୁଃଖ ଲାଗିଲେ ବି, ଯାହା ସତ୍ୟ ତା’କୁ ମାନିବାକୁ ସେ ପଶ୍ଚାତ୍‌ପଦ ହୋଇ ନ ଥିଲେ। ଅବଶ୍ୟ ବେଳେବେଳେ ଦୁଃଖ ବଳି ପଡ଼ିଲେ ପ୍ରଶାନ୍ତଙ୍କୁ କହନ୍ତି, ଦେଖିଲ ବିଜୁ ସାର୍ଟର ବୋତାମ ଲଗାଠାରୁ ଆରମ୍ଭ କରି ଅଫିସର ପ୍ରୋଗ୍ରାମ୍‌ ପର୍ଯ୍ୟନ୍ତ ସବୁ କଥା ପଚାରୁଥିଲା, ଆଜି କିଛି ପଚାରୁନି। ଦିନରେ ଦଶଥର ଫୋନ୍‌ କରୁଥିଲା। ବର୍ତ୍ତମାନ ଦିନରେ ଥରେ ବି ନାହିଁ।

ସଲିମା ବଡ଼ ଘରର ଝିଅ। ତା’ ବାପା ଚେନ୍ନାଇର ପ୍ରଖ୍ୟାତ ବ୍ୟବସାୟୀ। କୋଟିପତିର କନ୍ୟା ସେ। ସଲିମାର ଆଭିଜାତ୍ୟ ବିଷୟ ଜାଣିବା ପରଠାରୁ ମନେ ମନେ ପ୍ରମାଦ ଗଣିଥିଲେ ସୁନନ୍ଦା। ସେ ଜାଣନ୍ତି ପ୍ରେମରେ ଧନୀ, ଗରିବ, ଜାତି-ଅଜାତିର ହିସାବ ନିକାସ ନାହିଁ। ତଥାପି ଜାତି-ଅଜାତି ତିଆରି କରିଥିବା ମଣିଷ କେବେହେଲେ ଏ ସତ୍ୟକୁ ଗ୍ରହଣ କରିପାରିବନି। ପୁଅକୁ ଯେ, ସଲିମା ସମ୍ପର୍କରେ ବୁଝେଇ ନାହାଁନ୍ତି ତା’ ନୁହେଁ। ହେଲେ ପ୍ରେମ ଆଖିରେ ଏମିତି ଅନ୍ଧପୁଟୁଳି ବାନ୍ଧେ ଅତିରୁ ଅତି ଚାଲାକ ପିଲା ମଧ୍ୟ ସେଥିରେ ବାନ୍ଧି ହୋଇଯାଆନ୍ତି। ଆଉ ଥରେ ବାନ୍ଧି ହୋଇଗଲେ ନିସ୍ତାର ନାହିଁ।

ସଲିମା ଅନେକ ଥର ଗାଁକୁ ଆସିଛି। ଅବଶ୍ୟ ଘଣ୍ଟାଏ କି ଦି’ଘଣ୍ଟା ରହି ସେମାନେ ଚାଲିଯାଇଛନ୍ତି। ଗାଁର ଚଳଣିକୁ ଜାଣିବାର ସୁଯୋଗ ପାଇନାହାନ୍ତି। ସଲିମା ମନ୍ଦ ନୁହେଁ, ଦେଖିବାକୁ ଗୌରବର୍ଣ୍ଣ, ଅତ୍ୟାଧୁନିକ ପୋଷାକରେ ନିଜକୁ ସଜେଇଛି। କିନ୍ତୁ କଥା କଥାରେ ଅନ୍ୟକୁ ଆପଣାର କରିବା କଳା ରହିଛି ତା’ରି ପାଖରେ। ଯେତିକି ସମୟ ଗାଁରେ ରହିଛି ସେତିକି ଭିତରେ ସୁନନ୍ଦାକୁ କିଛି କରିବାକୁ ସୁଯୋଗ ଦେଇନି। ଯେତିକି ପାରିଛି ନିଜେ ହିଁ କରିବାର ପ୍ରୟାସ କରିଛି। ସୁନନ୍ଦା ଜାଣିଛନ୍ତି ସଲିମାର ଘର ଖୁବ୍‌ ବଡ଼, ତା’ ତୁଳନାରେ ତାଙ୍କ ଘର ଖୁବ୍‌ ଛୋଟ। ଜଣେ ମଧ୍ୟବିତ୍ତ ପରିବାରର ଯେତିକି ସୁବିଧା ଥିବା କଥା ସୁନନ୍ଦା ନିଜ ଘରକୁ ସେତିକି ସୁବିଧାରେ ସଜେଇଛନ୍ତି।

ବିଜୁର ବାପା ପ୍ରଶାନ୍ତ, ଗାଁର ପୋଷ୍ଟ୍‌ମାଷ୍ଟର। ଦରମା ଯାହା ଆଣନ୍ତି, ସେଥିରେ ଘର ଚଳେ। ବିଜୁର ପଢ଼ାରେ ଖର୍ଚ୍ଚ ହୁଏ। ପୁଣି ସେଥିରେ ବନ୍ଧୁ ବାନ୍ଧବଙ୍କର ମାନମହତ ଖର୍ଚ୍ଚ ବି ଚଳେ। ଗାଁର ସୁଖ ଦୁଃଖରେ ପ୍ରଶାନ୍ତ ଆଗ ଠିଆ ହୁଅନ୍ତି। ପକେଟ୍‌ରେ ଘରଖର୍ଚ୍ଚ ପାଇଁ ପଇସା ଥାଉ କି ନଥାଉ, ଆଗ ଗାଁର ଦୁଃଖୀ ଅରକ୍ଷିତଙ୍କ କଥା ବୁଝନ୍ତି । ସୁନନ୍ଦା ହସି ହସି ସବୁବେଳେ କୁହନ୍ତି, ପ୍ରଶାନ୍ତ ସତେ ଯେମିତି ଗୋପବନ୍ଧୁଙ୍କ ଅବତାର ।

ଏମିତି କେତେ ବର୍ଷ ତଳର କଥା ଆଜି ବି ମନେପେଡ଼ ସୁନନ୍ଦାର, ସୁନନ୍ଦା ନୂଆ ବାହା ହୋଇ ଆସିଥାନ୍ତି। ପବିତ୍ର ରଥଯାତ୍ରା ଦିନ ସୁନନ୍ଦାଙ୍କର ବାହାଘର। ଆଷାଢ଼ ମାସ ପରେ ଆସିଲା ଶ୍ରାବଣ ମାସ। ଧାରା ଶ୍ରାବଣ ଲାଗିରହିଲା ପାଞ୍ଚଦିନ। ନଦୀରେ ଆସିଲା ବନ୍ୟା। ନଦୀ କୂଳରେ ଦାଣ୍ଡମୁକୁନ୍ଦପୁର, ଚାରିଆଡ଼ୁ ବିଚ୍ଛିନ୍ନ ହୋଇଗଲା। ପ୍ରଶାନ୍ତ ସହ୍ୟ କରିପାରିଲେ ନାହିଁ। ନିଜ ଗାଁଲୋକଙ୍କ ପାଇଁ ପିନ୍ଧିବା, ଖାଇବା ଜିନିଷ ସବୁ ଯୋଗାଡ଼ କରିବା ପାଇଁ, ଚାକିରୀ ଛାଡ଼ି, ଘରଛାଡ଼ି ବାହାରିଗଲେ। ନଈ ପାଣି ଦୁଇକୂଳ ଖାଇ ଚାଲିଥାଏ। ଫୋନ୍‌ ଲାଇନ୍‌ ସବୁ କଟିଯାଇଥାଏ। ପ୍ରଶାନ୍ତଙ୍କ ସହିତ ସବୁ ଯୋଗାଯୋଗ ବନ୍ଦ। ମାସେ ପରେ ପ୍ରଶାନ୍ତ ଘରକୁ ଫେରିଲେ। ଆଶ୍ବସ୍ତ ହେଲେ ସମସ୍ତେ।

ପ୍ରଶାନ୍ତ ସାଧାରଣତନ୍ତ୍ର ଦିବସରେ କ’ଣ ସବୁ ପୁରସ୍କାର ପାଇଲେ। ମାସେ ପରେ ତାଙ୍କ ଲମ୍ବା ଦାଢ଼ୀ ଦେଖି ସମସ୍ତେ କହିଲେ, ଗୋପବନ୍ଧୁ ଆସିଲେ। ପ୍ରଶାନ୍ତଙ୍କୁ ଦେଖି ଯେତିକି ଦୁଃଖ ଲାଗୁଥିଲା, ସେତିକି ଖୁସି ବି ଲାଗୁଥିଲା ସୁନନ୍ଦାଙ୍କୁ। ଯାହା ହେଉ ସତରେ ସୌଭାଗ୍ୟ। ଏମତି ମାନବିକ ଗୁଣ ଧାରଣ କରିଥିବା ବ୍ୟକ୍ତିଙ୍କୁ ସେ ସ୍ବାମୀ ହିସାବରେ ପାଇଛନ୍ତି। ବିଜୁ ଠିକ୍‌ ପ୍ରଶାନ୍ତଙ୍କ ପରି ହୋଇଛି। ପିଲାଦିନେ ଯିଏ ଯାହା ମାଗିବାକୁ ଆସେ, ବିଜୁ ତାକୁ ଖାଲି ହାତରେ ବିଦା କରିବା ସେ ଜମା ଜାଣି ନାହାଁନ୍ତି। ଘରେ ଟଙ୍କା ପଇସାର ଅଭାବ ବିଜୁ ଜାଣେ, ତଥାପି କଲେଜ୍‌ରେ କିଏ ପରୀକ୍ଷା ଫିସ୍‌ ନ ବାନ୍ଧି ପାରିଲେ, ସେ ନିଜେ ନ ଖାଇ ଜଳଖିଆ ଟଙ୍କାତକ ତାକୁ ଦେଇଦିଏ।

ମାଛିକୁ ବି ମର ନ କହୁଥିବା ବିଜୁର ଆଜି ମନଦୁଃଖ। ଏକଥା ଭାବିଲେ ସୁନନ୍ଦାର ଛାତି ଫାଟି ପଡ଼ୁଛି। ସୁନନ୍ଦା ଭାବୁଥିଲେ ସତରେ ବିଜୁ ଅସୁବିଧାରେ ଅଛି? ହେଲେ ଦୁଃଖ ରହିଲା କେଉଁଠି ସଲିମା ସହିତ ତା’ ସମ୍ପର୍କ ଆରମ୍ଭ ହେବା ଦିନଠାରୁ ସୁନନ୍ଦା ଜାଣିପାରିଥିଲେ, କିଛି ଗୋଟିଏ ଅଘଟଣ ଆସିପାରେ। ହରି ଗୋସେଇଁ କହୁଥିଲେ ମଝିରେ ତା’ର ଘାଟି ଗୋଟିଏ ଆସିବ। ସେଥିରୁ ରକ୍ଷା ପାଇଲେ ଆଉ ଜୀବନସାରା ପାଇଁ ଚିନ୍ତାନାଇଁ। ଏଇଟା କ’ଣ ଆଉ ବିଜୟ ପାଇଁ ଘାଟ କି? ମାଁ ମଙ୍ଗଳାକୁ ମନେ ମନେ ସ୍ମରଣ କଲେ, ମା’ ମଙ୍ଗଳା ମୋ ପୁଅକୁ ଘଣ୍ଟ ଘୋଡ଼େଇ ରଖ। ଘଣ୍ଟ ଘୋଡ଼େଇ ରଖ ମା’! ବିଜୁର ସଲିମା ସହ ସମ୍ପର୍କ ଜାଣିବା ପରେ ସୁନନ୍ଦା ଆଉ ପ୍ରଶାନ୍ତ, ଆପତ୍ତି କରି ନଥିଲେ। କିନ୍ତୁ ଆପତ୍ତି କରିଥିଲେ, ସଲିମାର ବାପା ଓ ମାଆ। ଛୋଟ ମଫସଲ, ପୁଣି ନିର୍ଦ୍ଧନ ଘରେ ସଲିମାକୁ ଜମା ବିବାହ ଦେବେନି।

ଏପଟେ ପୁଅ ଝିଅ ଉଭୟେ ବିବାହ ପାଇଁ ଜିଦ‍୍‌ ଧରି ବସିଛନ୍ତି। ଆଉ କ’ଣ କରାଯାଇପାରେ, ବାଧ୍ୟହୋଇ ସରଳ ନିରାଡ଼ମ୍ବର ଭାବରେ ନିଜ ଘରେ ବିବାହର ଆୟୋଜନ କଲେ ପ୍ରଶାନ୍ତ। ସମସ୍ତେ ଭୟ କରୁଥିଲେ ବିବାହ ସମୟରେ ହୁଏତ ସଲିମାର ବପା ଓ ମାଆ କୌଣସି ପ୍ରତିରୋଧ କରିବେ। ନାଁ, ସେପଟୁ କୌଣସି ପ୍ରକାର ପ୍ରତିକ୍ରିୟା କି ପ୍ରତିରୋଧ ସୃଷ୍ଟି ହୋଇ ନଥିଲା। ଗାଁରେ ଯେ ଏ ବିବାହରେ ସମସ୍ତେ ଖୁସିଥିଲେ ତାହା ମଧ୍ୟ ନୁହେଁ । କିନ୍ତୁ ପ୍ରଶାନ୍ତ ଓ ସୁନନ୍ଦାଙ୍କ ମୁହଁକୁ ଚାହିଁ ସେମାନେ ସମସ୍ତେ ମନରେ ଯାହା ଥାଉ ଆସି ବାହାଘରେ ଏକାଠି ହୋଇଥିଲେ। ଗାଁ ଲୋକଙ୍କ ସାହାଯ୍ୟ ସହଯୋଗରେ ହିଁ ଏ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

ମାସେ ଛୁଟି ନେଇ ବିଜୁ ଆସିଲା, ଛୁଟି ଶେଷ ପରେ ପୁଅବୋହୂ ବାହାରିଗଲେ କର୍ମସ୍ଥଳୀକୁ। ସୁନନ୍ଦାଙ୍କ ଘର ପୂରି ଉଠୁଥିଲା ପୁଅ ଓ ବୋହୂକୁ ନେଇ। ବାହାଘର କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେଲା ସିନା, ଗୋଟିଏ ଦୁଃଖ ରହିଲା। ବାହାଘରେ ପ୍ରଶାନ୍ତଙ୍କ ବଡ଼ଭଉଣୀ ଜମା ସନ୍ତୁଷ୍ଟ ନ ଥିଲେ। ତାଙ୍କର ଏକା ଜିଦ‍୍‌ ଏ ବାହାଘର ନ କରିବା ପାଇଁ । ବ୍ରାହ୍ମଣ ପରିବାରରେ ଖ୍ରୀଷ୍ଟିୟାନ‍୍‌ ଝିଅ ବୋହୂ ହେଲେ ସାତପୁରୁଷ ପାଣି ପାଇବେ ତ? ମନେ ମନେ କହିଲେ ସୁନନ୍ଦା, ସାତ ପୁରୁଷ ପାଣି ପାଇବେ କି ନ ପାଇବେ, ସେ କଥା ଚିନ୍ତା କରିବାକୁ ଏଇନେ ବେଳ କାହିଁ।

ଗାଁରେ ଅଳ୍ପଦିନ ରହଣି ଭିତରେ ସଲିମା ସମସ୍ତଙ୍କୁ ଆପଣାର କରିପାରିଥିଲା। ଯେତେ କଷ୍ଟ ହେଲେ ବି ଗାଁର ଚାଲିଚଳଣିରେ ନିଜକୁ ସାମିଲ କରିନେଇଥିଲା। ଆଶ୍ଚର୍ଯ୍ୟ ହେଲେ ସୁନନ୍ଦା ତା’କୁ ଦେଖିଲେ କେହି କହିବେନି ଯେ, ସେ ଜଣେ ଉଗ୍ର ଆଧୁନିକ ପରିବାରର ସନ୍ତାନ। ଦେଖୁ ଦେଖୁ ଛୁଟି ଶେଷ ହେଲା। ଏମିତିରେ କୌଣସି ଦିନ ସଲିମାର ବପା ଘରୁ କିଛି ଖବର କି ଫୋନ୍‌ ବି ଆସି ନ ଥିଲା। ସଲିମା ଆଉ ବିଜୟ ଚେନ୍ନାଇ ଫେରିଗଲେ। ଚେନ୍ନାଇରେ ପହଞ୍ଚିବା ପରେ, ଥରେ କି ଦିଥର ଫୋନ୍‌ ଆସିଥିଲା। ସେ ଫୋନ୍‌ରେ କୁହେ, ଭଲରେ ଅଛନ୍ତି, ନୂଆ ଘର ସଜଡ଼ାସଜଡ଼ି କରୁଛନ୍ତି। ଅନେକ ଦିନ ହେଲା ଫୋନ୍‌ ଆସିନି। ସୁନନ୍ଦା ଭାବୁଥିଲେ ଘରକାମ ଆଉ ଅଫିସ କାମରେ ବୋଧହୁଏ ବ୍ୟସ୍ତଥିବେ। କିନ୍ତୁ କାହିଁକି ଫୋନ୍‌ କରିନି? ସୁନନ୍ଦା ବ୍ୟସ୍ତ ହୋଇଉଠିଥିଲେ, ପ୍ରଶାନ୍ତ ନିଜ ଆଡ଼ୁ ଫୋନ୍‌ କଲେ। ବହୁତ ରିଙ୍ଗ୍‌ ପରେ ବିଜୁ ଫୋନ୍‌ ଧରିଥିଲା। କିନ୍ତୁ ତା’ କଥାବାର୍ତ୍ତାରୁ ପ୍ରଶାନ୍ତ ଅନୁମାନ କରିନେଲେ ସେଠିକା ପରିସ୍ଥିତି ଜମା ଭଲ ନୁହେଁ।

ପାଞ୍ଚ ଦିନ ତଳେ ବିଜୁ ନିଜେ ଫୋନ କରିଥିଲା, ଗାଁକୁ ସେ ଫେରି ଆସୁଛି । ଛାତି ଫାଟିପଡ଼ିଲା ସୁନନ୍ଦାଙ୍କର। ଦୁଃଖ କ’ଣ ଅଭାବ କ’ଣ, କିଛି ହେଲେ ବିଜୁକୁ ଦିନେ ଜାଣିବାକୁ ଦେଇ ନଥିଲେ। ଆଜି ତା’ଉପରେ ଏବେ ବଡ଼ ଦୁଃଖର ପାହାଡ଼! ଏସବୁ ସମ୍ମୁଖୀନ ସେ କେମିତି ହେବ? ବିଜୁ କହୁଥିଲା, ଗାଁରୁ ଯିବା ଦଶଦିନ ପରେ ସଲିମାର ବପା ଓ ମାଆ ଆସି ସଲିମାର ଅନିଚ୍ଛା ସତ୍ତ୍ବେ ତାକୁ ଜୋର୍‌କରି ଘରକୁ ନେଇ ଚାଲିଗଲେ। ତଥାପି ସେମାନଙ୍କ ମନ ଶାନ୍ତି ହେଲାନାହିଁ। ବିଜୁକୁ ଯେଉଁଠାରେ ଦେଖିଲେ ଅପମାନିତ କରିବାକୁ ଲାଗିଲେ। ମାନସିକ ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ସେ ଚାକିରୀ ଛାଡ଼ି ଗାଁକୁ ଫେରିଆସୁଛି।

ସୁନନ୍ଦା ଭାବୁଥିଲେ ଗାଁର ପୁଅକୁ ସହରର ଯାନ୍ତ୍ରିକ ସଭ୍ୟତା ପାଦରେ ଦଳିଚକଟି ତଳିତଳାନ୍ତ କରିଦେଲା। ସୁନନ୍ଦାଙ୍କର ମନ ବିସ୍ମୟ ଆଉ ଆଶଙ୍କାର ଦୋଛକିରେ ଦୋଳାୟମାନ। ବିଜୁ ବର୍ତ୍ତମାନ କେମିତି ଥିବ? ମାନସିକ ଯନ୍ତ୍ରଣାରେ ସନ୍ତୁଳିତ ହେଉଥିବ? କେତେଟା ବର୍ଷ ବା ତାକୁ ହୋଇଛି, ଏଇ ଆଷାଢ଼ ପୁନେଇ ଆସିଲେ ଛବିଶି ପୁରି ସତେଇଶି ଚାଲିବ। ଏଇ ଦିନରୁ କେତେ କଷ୍ଟ ଭୋଗିଲାଣି। ନାଁ, ଗାଁକୁ ଆସିଲେ ଆଉ ତାକୁ ଛାଡ଼ିବେନି, ଚେନ୍ନାଇ। ଗାଁରେ ରହୁ। କେତେ ଦିନ ଗଲେ ମନ ଆପେ ଭଲ ହେଲେ ଯିବ, ତା’ପରେ ଆଉ କୁଆଡ଼େ ଚାକିରୀ ଖୋଜିବ। ଏଇନା ତ ଚାକିରୀ ଅଭାବ ନାହିଁ। ଯେତେ କମ୍ପାନୀ ସେତେ ଚାକିରୀ।

ହଁ ଚେନ୍ନାଇରେ ଭଲ ପୋଷ୍ଟ୍‌ରେ ଥିଲା, କିନ୍ତୁ ସଲିମାର ବପା ପରା ଚେନ୍ନାଇର ସମ୍ପନ୍ନଶାଳୀ ଲୋକ। ଯାହା ଇଚ୍ଛା ତାହା କରିଦେବେ। ସେ ଦିନ ବିଜୟର ବାହାଘରେ ବିଜୟର ସାଙ୍ଗ ତନ୍ମୟ କହୁଥିଲା ବୁଝିଲ ମାଉସୀ, ସଲିମାର ବାପା ଗୋଟିଏ ସିଂହ ! ଏମାନଙ୍କ ସମ୍ପର୍କରେ ସେ ଆଦୌ ଖୁସୀ ନ ଥିଲା। ଝିଅକୁ ଭଲ ପାଉଥିଲା ତ, କିଛି କହିଲାନି, ଛାଡ଼ିଦେଲା। ନହେଲେ ସେ ଖୋଜାଖୋଜି କରି ଏଠି ପହଞ୍ଚି ଯାଇଥା’ନ୍ତା। ବାହାଘରେ କାଳେ ଅସୁବିଧା ହେବ ଏଇ ଭୟ ଥିଲା ସମସ୍ତଙ୍କର। ଯାହା ହେଉ ଏମିତି କିଛି ହେଲାନି, ହେଲେ ବାହାଘର ମାସେ ନ ଯାଉଣୁ ସେ ଦେଖାଇ ଦେଲା ତା’ର ପ୍ରକୋପ। ବିଜୁର ମୁହଁଟା ଖାଲି ନାଚି ଉଠୁଛି। ଅନ୍ୟାୟ ଅନୀତିର ପ୍ରତିରୋଧ କରିବା ଶକ୍ତି ବିଜୁର ନାହିଁ। ବିଜୁର ବହିପଢ଼ା ଭଲ ତ ସେ ଭଲ। ଆଜି କେମିତି ଏତେ ବଡ଼ ପରିସ୍ଥିତିର ସମ୍ମୁଖୀନ ହେଉଥିବ?

ବିଜୁ ଫୋନ୍‌ କରିଥିଲା, ଆଜି ଆସି ପହଞ୍ଚିବ, ଚେନ୍ନେଇ ହାବଡ଼ା ମେଲ୍‌ରେ। କାଳେ ପ୍ରଶାନ୍ତଙ୍କୁ କହିଥିବ? ପ୍ରଶାନ୍ତ ତ ଅଧାକଥା କହିବେ ଅଧା ଭିତରେ ରଖିବେ। ପ୍ରଶାନ୍ତ ଆର ଘରେ ଟି.ଭି. ଦେଖୁଛନ୍ତି। ଦିନରାତି ନ୍ୟୁଜ୍‌, କେମିତି ବିରକ୍ତ ଲାଗେନି କେଜାଣି? ହାତରେ ଚା’କପ୍‌ ଧରି ସୁନନ୍ଦା ପ୍ରଶାନ୍ତଙ୍କ ପାଖକୁ ବାହାରିଲେ। ପ୍ରଶାନ୍ତଙ୍କ ହାତକୁ ଚା’କପ୍‌ଟି ଦେଉ ଦେଉ ଶୁଣିଲେ ଚେନ୍ନାଇରୁ ଆସୁଥିବା ଚେନ୍ନାଇ ମେଲ୍‌ ଟ୍ରେନ୍‌ରେ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ। ବ୍ୟକ୍ତିର ଶବ ଚିହ୍ନଟ କରାଯାଇପାରୁନି। ହାତରୁ ଚା’କପ୍‌ଟା ଖସିପଡ଼ିଲା। ରକ୍ଷା ହୋଇଛି ପ୍ରଶାନ୍ତଙ୍କ ଗୋଡ଼ରେ ପଡ଼ିନି। ଓଢ଼ଣାଟିକୁ ମୁଣ୍ଡ ଉପରକୁ ଟାଣିନେଇ ସର୍ବମଙ୍ଗଳାକୁ ସ୍ମରଣ କଲେ ସୁନନ୍ଦା। ବିଜୁ ମୋର ଭଲରେ ଫେରିଆସୁ।

ରୋଷେଇ ଘରକୁ ବାହାରିଲେ ସୁନନ୍ଦା। ବିଜୁର ଆସିବା ସମୟ ହୋଇଗଲାଣି। ଭଲମନ୍ଦ ଦି’ଟା କରିବାକୁ ପଡ଼ିବ। ସେ ଆସୁ ଆସୁ ବୋଉ ଭାରି ଭୋକ କହି କହି ଖାଇବାକୁ ବସି ପଡ଼ିବ। ସୁନନ୍ଦାଙ୍କ ଦେହଟା ସିନା ରୋଷେଇ ଘରେ, ମନଟା କିନ୍ତୁ ବାହାରେ, ଗେଟ୍‌ ପାଖରେ। କାନେଇଲେ ସୁନନ୍ଦା। ନା’ ତାଙ୍କର ଗେଟ୍‌ର ଶବ୍ଦ ତ ଇଏ ନୁହେଁ। ଇଏତ ସୁବୋଧ ବାବୁଙ୍କ ଗେଟ୍‌ ଖୋଲିବା ଶବ୍ଦ। ଏ ଘରେ ଗୁଡ଼ାଏ ଦିନ ରହିବା ଯୋଗୁଁ ଗେଟ୍‌ ଖୋଲିବାର ଶବ୍ଦ ସହିତ ସୁନନ୍ଦା ଅଭ୍ୟସ୍ତ। ହେଲେ ସୁବୋଧ ବାବୁ ଅବେଳରେ ଗେଟ୍‌ ଖୋଲିଲେ କାହିଁକି। ସୁବୋଧବାବୁ ଏ ଟାଇମ୍‌ରେ ବାହାରକୁ ଜମା ବାହାରନ୍ତି ନାହିଁ। ସକାଳେ ମର୍ଣ୍ଣିଂ ୱାକ୍‌ରେ ଏବଂ ସନ୍ଧ୍ୟାରେ ହନୁମାନ ମନ୍ଦିରକୁ ସନ୍ଧ୍ୟା ଆଳତୀ ପାଇଁ ବାହାରିବା ତାଙ୍କ କାମ। ଯେତିକି ସମୟ ଦରକାର ସେତିକି ସମୟ ବାହାରେ। ବାକି ସବୁ ସମୟତକ ସେ ଘରେ। ଟି.ଭି. ଦେଖିବା, ନ୍ୟୁଜ୍‌ ପେପର୍‌ ପଢ଼ିବା ଛଡ଼ା ଅନ୍ୟ କୌଣସି କାମ ସେ କରନ୍ତି ନାହିଁ। ଛାଡ଼ ଏ ବେଳରେ ତାଙ୍କ କଥା କାହିଁକି ସେ ଭାବୁଛନ୍ତି?

ଶିଳରେ ବଡ଼ି ଦି’ଟା ଚୁରିବା ପାଇଁ ବସିଲେ ସୁନନ୍ଦା। ବଡ଼ି ଚୁରା ଖାଇବାକୁ ଭଲପାଏ ବିଜୁ। ପିଠଉ ଭଜା ବି ବିଜୁର ପ୍ରିୟ, କିନ୍ତୁ ପିଠଉ ଭଜା ପାଇଁ ଘରେ ପରିବା ପତ୍ର ନାହିଁ। ବିଜୁର ଫୋନ୍‌ ପାଇବା ଦିନଠାରୁ ପ୍ରଶାନ୍ତଙ୍କ ମନ ଭଲ ନାହିଁ। ଘରେ ଗୁମ୍‌ସୁମ୍‌ ହୋଇ ବସି ରହୁଛନ୍ତି। ବାହାରକୁ ଜମା ବାହାରୁନାହାଁନ୍ତି।

ଆଉ ଥରେ ଗେଟ୍‌ ଖୋଲିବା ଶବ୍ଦ ହେଲା, ଟିକିଏ କାନେଇଲେ ସୁନନ୍ଦା। ନାଁ, ଏ ଗେଟ୍‌ ଖୋଲିବା ଶବ୍ଦ ମଧ୍ୟ ତାଙ୍କର ନୁହେଁ। ଆଶୁତୋଷ ବାବୁଙ୍କ ଗେଟ୍‌ ଖୋଲିବା ଶବ୍ଦ ବୋଧହୁଏ? ଆଶୁତୋଷ ମହାନ୍ତିଙ୍କ ସବୁବେଳେ ତାଙ୍କ ଲେଖା ଭଲ ତ ସେ ଭଲ। ସତରେ ତାଙ୍କ ଗପ ଗୁଡ଼ିକରେ ଜୀବନ ଅଛି। ଅନେକ ଥର ଲେଖିସାରି ପାଣ୍ଡୁଲିପି ଟା ଆଣି ସୁନନ୍ଦାଙ୍କ ହାତରେ ଧରେଇ ଦେଇ କୁହନ୍ତି “କେମିତି ହୋଇଛି କହିବ?” ଆରତୀ ଥାଳିକୁ ସଜାଡ଼ୁ ସଜାଡ଼ୁ ବାହାରେ ଗେଟ୍‌ ଖୋଲିବା ସହିତ କିଛି ଲୋକଙ୍କ ପାଟିତୁଣ୍ଡ ସୁନନ୍ଦାଙ୍କୁ କେମିତି ବ୍ୟସ୍ତ କରିଦେଲା। ବିଜୁ ଆସିଗଲା ବୋଧହୁଏ, ହାତରେ ଆରତୀ ଥାଳି ଧରି ରୋଷେଇ ଘରୁ ଗେଟ୍‌ ଆଡ଼କୁ ମୁହାଁଇଲେ ସୁନନ୍ଦା। କିନ୍ତୁ ତାଙ୍କ ଗେଟ୍‌ ପାଖରେ ଏତେ ଭିଡ଼ କାହିଁକି?

ହଠାତ୍‌ ଦଲକାଏ ପବନରେ ଦୀପଟି ଲିଭିଗଲା। ଥାଳିରେ ଥିବା ଚନ୍ଦନ ସିନ୍ଦୁର ବିଛାଡ଼ି ହୋଇ ପଡ଼ିଗଲା ଧଳାକନା ଉପରେ। କନାଟିକୁ ହାତରେ ଉଠେଇଲେ ସୁନନ୍ଦା। ଘର ଆଗରେ ଠିଆ ହୋଇଛି ପୋଲିସ୍‌ ଜିପ୍‌ । ପୋଲିସ୍‌ ଅଫିସର୍‌ଙ୍କ ସହ ମ୍ରିୟମାଣ ହୋଇ କଥା ହେଉଛନ୍ତି ପ୍ରଶାନ୍ତ। ସୁନନ୍ଦାଙ୍କ ଆଖି ଆଗର ପୃଥିବୀ ଯେମିତି ଚକ୍‌କର କାଟୁଥିଲା। ଥକ୍‌କା ହୋଇ ସେ ବସିଗଲେ ପାଖରେ ପଡ଼ିଥିବା ଚୌକି ଉପରେ। ପୋଲିସ୍‌ ଅଫିସର୍‌ ଜଣକ କହୁଛନ୍ତି ଗତକାଲି ପାହାନ୍ତା ପହରର ଘଟଣା। ଟ୍ରେନ୍‌ର ଦୁଆର ପାଖରେ ଠିଆ ହୋଇଥିବାବେଳେ ହଠାତ୍‌ ବୋଧହୁଏ ଅସାବଧାନତାରୁ ରେଳଧାରଣା କଡ଼କୁ ଖସିପଡ଼ିଛି ବିଜୁ। ମୁଣ୍ଡରେ ସାଂଘାତିକ ଆଘାତ ଯୋଗୁଁ… ଆଉ କିଛି ଶୁଣିବା ଅବସ୍ଥାରେ ନଥିଲେ ସୁନନ୍ଦା। ତାଙ୍କ ଆଖି ଆଗରେ ଭାଙ୍ଗି ଟୁକୁଡ଼ା ଟୁକୁଡ଼ା ହୋଇଯାଉଥିଲା ସେ ଗଢ଼ିଥିବା ସୁନେଲି ସ୍ବପ୍ନ। ଏ ନିଶ୍ଚୟ ସଲିମାର ବାପାଙ୍କ କାମ ହୋଇଥିବ। ପଇସା ବଳରେ ସେ ନିଶ୍ଚିହ୍ନ କରିଦେଇଥିବେ ବିଜୁକୁ। ଆଉ କିଛି ଭାବିବା ପୂର୍ବରୁ ଅନ୍ଧାର ହୋଇଆସୁଥିଲା ସମଗ୍ର ପୃଥିବୀ।

RATING

7 VIEWS
2 COMMENTS

Share To

କନକଲତା ସାହୁ,

-: ଆଉ କେତୋଟି ଆଧୁନିକ :-
-: ପାଠକୀୟ ମତାମତ :-
  • ୧. ରୂପଧର | ଅକ୍ଟୋବର୍ ୨୪, ୨୦୧୩ - ୧:୩୪ ଅପରାହ୍ନ

    ପ୍ରେମକୁ ନେଇ ଅନେକ କାହାଣୀ ଲେଖା ଯାଇଛି କିନ୍ତୁ ଜାତି ବ୍ୟବସ୍ଥା ଉପରେ କିମ୍ବା ଧର୍ମ କୁ ନେଇ ପ୍ରେମ କାହାଣୀ ର ରଚନା କମ ହୋଇଛି। ଉକ୍ତ କାହାଣୀ ର କେନ୍ଦ୍ରୀୟ ସମସ୍ୟା ପ୍ରେମ ଏବଂ ଧନ। ଆଉ ଅନ୍ୟ ପାଖେ ମା’ ର ମନ–“ସଲିମାର ଆଭିଜାତ୍ୟ ବିଷୟ ଜାଣିବା ପରଠାରୁ ମନେ ମନେ ପ୍ରମାଦ ଗଣିଥିଲେ ସୁନନ୍ଦା। ସେ ଜାଣନ୍ତି ପ୍ରେମରେ ଧନୀ, ଗରିବ, ଜାତି-ଅଜାତିର ହିସାବ ନିକାସ ନାହିଁ। ତଥାପି ଜାତି-ଅଜାତି ତିଆରି କରିଥିବା ମଣିଷ କେବେହେଲେ ଏ ସତ୍ୟକୁ ଗ୍ରହଣ କରିପାରିବନି।” କାହାଣୀରେ ପ୍ରଶାନ୍ତ ଙ୍କ ପରି ତ୍ୟାଗବାନ ପୁରୁଷ ଏବଂ ଅନ୍ୟ ପାଖେ ସଲିମାଙ୍କ ପିତାଙ୍କ ଭଳି ସ୍ଵାର୍ଥୀ ମଣିଷ। ବିଜୁ ଙ୍କ ମାନସିକ ଭାରସାମ୍ୟ ହରାଇବା ଏବଂ ରହସ୍ୟ ଜନକ ମୃତ୍ୟୁ, ପୁଣି ମା’ ମନରେ ପ୍ରଶ୍ନ ସୃଷ୍ଟି କରେ- “ଏ ନିଶ୍ଚୟ ସଲିମାର ବାପାଙ୍କ କାମ ହୋଇଥିବ। ପଇସା ବଳରେ ସେ ନିଶ୍ଚିହ୍ନ କରିଦେଇଥିବେ ବିଜୁକୁ ।” ପ୍ରେମ ବି ଏଠି ବଳି ଚଢିଯାଏ, ଧନ କୁ ମଣିଷ ଭଲ ପାଏ।

  • ୨. ରଶ୍ମି | ମାର୍ଚ୍ଚ୍ ୧୯, ୨୦୧୫ - ୧:୩୮ ଅପରାହ୍ନ

    ଯଦିବା କିଏ କହିପାରଂତି ଏ‍ଇ ଗପଟି ପୁରୁଣା ଧାରାର, ମାତ୍ର ଏବେତ ଏହି ପୃଷ୍ଠଭୂମି ବର୍ତ୍ତମାନର ସମାଜରେ ବହୁତ ଦେଖାଦେଉଛି.. ତେଣୁ ଏହା ପୁରୁଣା ନୁହେଁ…। ଅବଶ୍ୟ ଗାଳ୍ପିକା ମୁଖ୍ୟ ଚରିତ୍ରକୁ ବହୁତ ଭଲ (ideal) ଦେଖାଇଛଂତି…।

ଆପଣଙ୍କ ମତାମତ କ’ଣ?

କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤

Your Name *

Email *

City and Country

Message *

ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ →
ଶୀର୍ଷପୃଷ୍ଠା TOP