ବାବ୍ଲୁ ଖବରଟା ଦେଲା। ମୁନା, ଶୁଣିଲୁଣି ହିମାଂଶୁଟା ପାଗ୍ଲା ହୋଇଗଲାଣି।
–ପାଗଳ ହୋଇଗଲାଣି? ସକାଳୁ ସକାଳୁ ଏମିତି ମର୍ମନ୍ତୁଦ ଖବରରେ ମୁଁ ଆବଶ୍ୟକ ମୁତାବକ ମର୍ମାହତ ହେଲି।
ହିମାଂଶୁ ଆମ ସାଙ୍ଗ। ସେକ୍ରେଟାରିୟେଟ୍ରେ କିରାଣୀ ଚାକିରି କଲାଣି ତିନି ବର୍ଷ ହେଲା। ସେକ୍ରେଟାରିୟେଟ୍ କିରାଣୀମାନେ ଅନ୍ୟମାନଙ୍କୁ ପାଗଳ କରିଦିଅନ୍ତି। ନିଜେ ପାଗଳ ହେବାର ଦୃଷ୍ଟାନ୍ତ ପ୍ରାୟ ନାହିଁ।
-କିରେ କାହିଁକି? କଣ ହେଲା? କଣ ପାଗଳାମି କରୁଛି? ମୁଁ ଏକାସାଙ୍ଗରେ ଅନେକ ଗୁଡିଏ ପ୍ରଶ୍ନ ପଚାରିଦେଲି।
-ମିତୁ କୁଆଡେ ତାକୁ ଛାଡି ଆଉ କାହାକୁ ବାହା ହୋଇଗଲା। ସେ ଖବର ପାଇଲା ପରଠୁଁ ହିମାଂଶୁ ଖାଲି ମଦ ପିଉଛି।
ମିତୁ ଓରଫ ମିତାଲି ହିମାଂଶୁର ପ୍ରେମିକା। ଛ’ବର୍ଷ ହେଲା ସେମାନଙ୍କର ଘନିଷ୍ଠ ପ୍ରେମ। ଆମେ ସମସ୍ତେ ଏକଥା ଜାଣିଛୁ। ତ ଏମତାବସ୍ଥାରେ ଜଣେ ଦରଦୀ ସାଙ୍ଗର କର୍ତ୍ତବ୍ୟ ଘଟଣାସ୍ଥଳରେ ପହଞ୍ଚିବା ଏବଂ ଘଟଣାକୁ ସରଜମିନ ବୁଝିବା। ମୁଁ ସେଇଆ କଲି। ସନ୍ଧ୍ୟାବେଳେ ହିମାଂଶୁର ବସା ଘରେ ପହଞ୍ଚିଲି। ହିମାଂଶୁ ଭୁବନେଶ୍ବରର ଅନ୍ୟାନ୍ୟ ବହୁ ଚାକିରିଜୀବିଙ୍କ ପରି ଭଡାଘରେ ରହେ। ଏକୁଟିଆ।
ଦେଖିଲାବେଳକୁ ବାବ୍ଲୁ ଯାହା କହିଥିଲା, ଅକ୍ଷରେ ଅକ୍ଷରେ ସତ। ହିମାଂଶୁ ବୋତଲ ଓ ଗ୍ଲାସ୍ ଧରି ବସିଛି। ବୋତଲଟା ଅଧା ଖାଲି, ହିମାଂଶୁ ର ଆଖି ମଧ୍ୟ ବେଶ ଲାଲ। ଅର୍ଥାତ୍ ବେଶ୍ କିଛି ସମୟ ହେଲା ମଦ୍ୟପାନ ଚାଲିଛି।
ମୁଁ କହିଲି, ବେ ହିମାଂଶୁ, ଇଏ କଣ?
-କଣ? ହିମାଂଶୁ ସାମାନ୍ୟ ମାତାଲ ଗଳାରେ ମୋତେ ଓଲଟା ପଚାରିଲା।
-ମିତୁ ତୋତେ ଛାଡି ଆଉ କାହାକୁ ବାହା ହୋଇଗଲା। ଗଲା। ତା’ ବୋଲି ତୁ ମଦ ପିଇ ବରବାଦ ହେବୁ? ଇଡିଅଟ୍! ତୁ କଣ ଦେବଦାସ?
-ନା, ମୁଁ ହିମାଂଶୁ ଦାସ।
-ତେବେ ଶଳା ମଦଗୁଡାକ କାହିଁକି ପିଉଛୁ? ମଦ କଣ ଦୁଃଖର ଇଲାଜ? ମଦ ପିଇଲେ ଦୁଃଖ କମେ?
-ହାଃ, ହାଃ, ହାଃ! ହିମାଂଶୁ ଖୁବ୍ ହସିଲା। ହସି ହସି ତା’ ଆଖିରୁ ଲୁହ ନିଗିଡ଼ି ପଡ଼ିଲା। କହିଲା, ତୁ ବି ଧୋକା ଖା ଗୟା ମେରା ଦୋସ୍ତ!
ଅଳ୍ପ ନିଶା ହେଲେ ସେ ଓଡ଼ିଆ ହିନ୍ଦୀ କହେ ବୋଲି ମୁଁ ଜାଣିଥିଲି। ଜାଣିଥିଲି ବୋଲି ଟିକେ ଶଙ୍କିଗଲି। ମାତାଲଙ୍କୁ ମୋର ଭାରି ଭୟ। ସେମାନେ କଥା କଥାରେ ହାତ ଉଠେଇଦିଅନ୍ତି।
-ହସୁଛୁ କାହିଁକି?
-ହସିବିନି? ତୁ କଣ ଭାବୁଛୁ, ମୁଁ ମିତୁ ଚାଲିଯିବା ଦୁଃଖରେ ମଦ ପିଉଛି?
-ଆଉ?
– ହାଃ, ହାଃ, ହାଃ- ଦେଖ୍ ଗୋଟେ ଗହନ କଥା କହୁଛି, କାହାକୁ କହିବୁନି। ତୁ ମୋର ସଚ୍ଚା ଦୋସ୍ତ ବୋଲି ତୋତେ କହୁଛି।
-କହ।
–ମିତୁଫିତୁ ଚାଲିଯିବା ଦୁଃଖରେ ନୁହେଁ, ଖାସ୍ ମଦ ପିଇବି ବୋଲି ମଦ ପିଉଛିରେ ଶଳା। ଇଚ୍ଛା ହେଲା, ମଦ ପିଇ ମାତାଲ ହେବି। କିନ୍ତୁ ତୁଚ୍ଛାଟାରେ ମଦ ପିଇଲେ ଲୋକ କହିବେ ଶଳା ମଦୁଆ ହୋଇଗଲା। ଅଭି ମଦ ପିଇଲେ ଲୋକେ କହିବେ-ଆହା ଦୁଃଖରେ ପିଉଛି। କେହି ଆଉ ମୋତେ ଘୋଡା ମଦୁଆ ବୋଲି କହିବେନି। ମାର୍କେଟ୍ରେ ମୋର ଭାବମୂର୍ତ୍ତିଟା ନିର୍ମଳ ରହିବ। ବୁଝିଲୁ! ଏ ଜମାନା ବହୁତ ଖରାପରେ ଦୋସ୍ତ! ମଦ ଟିକେ ପିଇବା ପାଇଁ ବି ବାହାନା ଦରକାର।