ବା ଘର ଘର ବୁଲି ଦାଢିମାଙ୍କୁଡି କଟାକଟି କରୁଥିବାବେଳେ ଛୁଞ୍ଚିଆ ବି ସାଙ୍ଗରେ ଯାଉଥିଲା। କିନ୍ତୁ ସାପ ମନ୍ତ୍ର ଜଣା ନ ଥିବାରୁ ଖାଲି ନଖ କାଟିବା ତାଦ୍ବାରା ସମ୍ଭବ ହେଉଥିଲା। ସେତେବେଳେ ଛୁଞ୍ଚିଆ ଅଣ୍ଡାଟେ ଥିଲା। ଅଜି ଫୁଟି ବାହାରକୁ ବାହାରିଲାଣି। ଫୁଲ୍ପେଣ୍ଟ୍ ପିନ୍ଧିଲାଣି। ହେଲେ ନଳି ପେଣ୍ଟ୍ ପିନ୍ଧା ଛୁଞ୍ଚିଆ ତ ସେଇଟା କରିବା ପାଇଁ ବସି ପାରିବ ନାହିଁ। ଯାହା କରିବ ସବୁ ଠିଆ ଠିଆ ଅନେକ ଚିନ୍ତା ବିଚିନ୍ତା କରିବା ପରେ ଠିକ୍ କଲା ଛକରେ ଗୁମୁଟି ପକାଇ ସେଲୁନ୍ କରି ବସିବ, ଯେଉଁଠି ବାଳୁଆମାନେ ଉଚ୍ଚା ଚଉକିରେ ବସିବେ ଆଉ ଛୁଞ୍ଚିଆ ଠିଆ ଠିଆ ତାଙ୍କ ବାଳରେ କଇଁଚି ଚଳାଇବେ। ସେଲୁନ୍କୁ ଅଡୁଆ ବାଳଧରି ଗରାଖ କାଁ ଭାଁ ଆସୁଥିଲେ।
ଛୁଞ୍ଚିଆ ଅଧିକ ସମୟ ଦେଉଥିଲା କାନ ଟାଣି ଓ ବେକମୋଡ଼ି ଫୁଟେଇବା ଆଉ ହାତପିଠି ଦଳିମାଳି ମାଲିସ୍ କରିବାରେ। କାମଗୁଡାକ ଦେଶି ଲୋକଙ୍କୁ ସେତେ ବାଗିଆ ନ ଲାଗିଲେ ବି ଲମ୍ବା ଦାଢ଼ି ବଙ୍କା ନିଶ ରଖିବା, ଢିଲା ଢାଲା ପେଣ୍ଟ୍ ପିନ୍ଧା ଟ୍ରକ୍ ଡ୍ରାଇଭର୍ଙ୍କ ଭିଡ ଜମିଲା। ବିନା କଟାକଟିରେ କାନବେକ ଫୁଟେଇ ଦେହ ହାତଗୋଡ଼ ମନଇଚ୍ଛା ବିଧା ଚାପୁଡ଼ା ମାରି ଦେଇଗଲେ ସେମାନେ ଶାନ୍ତି ଆଉ ଛୁଞ୍ଚିଆର ପକେଟ ଗରମ। ଛୁଞ୍ଚିଆ ଭାବେ, ଘରେ ଏଗୁଡାକ କେତେ ଗୋଇଠା ବିଧା ଖାଆନ୍ତି କେଜାଣି, ବିଧା ମାରି ମାରି ଥକି ପଡ଼ିଲେ ବି ଜାବଗୁଡ଼ାକ ଉଃ କି ଆଃ କରୁନାହାନ୍ତି। ଓଥରା ଛୁଞ୍ଚିଆ ଦିନେ ଅପରିଷ୍କାର କଥା ଭାବୁ ଭାବୁ କେମିତି ଅବାଗିଆ କରି ଜଣେ ଡ୍ରାଇଭର୍ କାନକୁ ଟାଣିଦେଲା ଯେ, ଜୀବଟା ବିଚରା ବିକଟାଳ ରଡ଼ି କରି ଏକାଥରକେ ଠିଆ ହୋଇ ପଡ଼ିଲା। ଛୁଞ୍ଚିଆ କିଛି ବୁଝିବା ପୂର୍ବରୁ ଲୋକଟାର କାନଠାରୁ ଗାଲ ଯାଏ ଫୁଲିଯାଇ ଚିତଉପିଠା ହୋଇଗଲା। ସଙ୍ଗେ ସଙ୍ଗେ ତାକୁ ଟ୍ରକ୍ ପିଠିରେ ଲଦି ଦାଡ୍ଜ୍ଇଆ ସବୁ ଡାକ୍ତରଖାନା ଆଡକୁ ମୁହେଁଇଲେ। ସେଇ ମଉକାରେ ଗୁମୁଟିରେ ତାଲା ପକାଇ ଛୁଞ୍ଚିଆ ଘରକୁ ମୁହେଁଇଲା। ବାସ୍, ସେଇ ଦିନଠୁ ବିଦେଶୀ ଗରାଖ ବନ୍ଦ୍ ତ ବନ୍ଦ୍, ସବୁ ଡ୍ରାଇଭର୍ ଭାଇ ମିଶି ତା’ ଗୁମୁଟିରେ ନିଆଁ ଲଗେଇ ଦେଲେ। ଦିନରାତି ଚିନ୍ତାଗୁଡ଼ାକ ମୁଣ୍ଡଭିତରେ ରହିବାରୁ ବିଚରା ଓଥରାଟାର ଦେହରୁ ରକତ-ମାଉଁସ କମିବାକୁ ଲାଗିଲା।
ସେଦିନ ସକାଳୁ ମାଈ ନେଉଳ ବାଟ କାଟିଥିଲା କି କଅଣ, ଗୋଟେ ଫୁଲୁଫୁଲିଆ ବେଳରେ ଛୁଞ୍ଚିଆର ପରିଚୟ ହୋଇଗଲା, ଜଣେ ବେଙ୍କ୍ବାବୁଙ୍କର ଦିଲ୍ଘର ଭିତରେ, ଓଥରାଟା ପାଇଁ ଭୁତୁଭୁତୁ କୋହ ଉଠିଲା। ଯୋଗକୁ ସେହିମାସ ଗାଦିଏ ଟଙ୍କା କରଜରେ ଲଗାଇବା ପାଇଁ ଅଫିସ୍କୁ ଚେତାବନି କାଗଜ ଆସିଥାଏ। ଆହା, କି ଯୋଟକ। “ରୋଗୀ ଖୋଜୁଥିଲା କାକରପାଣି, ବଇଦ କହିଲା ପିଇ ତୋରାଣି”। ବାବୁ ସବୁର ଗେରେଣ୍ଟି ଫେରେଣ୍ଟି ନିଜ ମୁଣ୍ଡକୁ ନେଇ ଟୋକାଟାକୁ ଗୋଟେ ଭଲକରି ମଡ଼ର୍ଣ୍ଣ ବିଉଟି ପାର୍ଲର୍କରିବା ପାଇଁ ଯେତିକି ଟଙ୍କାର ଋଣ କରେଇଦେଲେ, ସେତିକି ଛୁଞ୍ଚିଆର ବାପ ବି ଦେଖି ନଥିଲା। ଛୁଞ୍ଚିଆ କଷ୍ଟେମଷ୍ଟେ ଏକରେ ଦିଇଟା ଶୂନ ଯାଏ ଗଣି ପାରିବ ସିନା, ହେଲେ ଦୁଇରେ ପାଞ୍ଚଟା ଶୂନ ଶୁଣି ପେଟର ଅନ୍ତପିତ୍ତ ସବୁ ମଗଜକୁ ଉଠିଗଲାପରି ତାକୁ ଲାଗିଲା। ଯାହା ହେଉ ବାବୁଙ୍କ ଅପାର କରୁଣାରୁ ଛୁଞ୍ଚିଆ ସହରର ପ୍ରଥମ କମ୍ପ୍ୟୁଟରାଇଜ୍ ବିୟୁଟି ପାର୍ଲର୍ ଖୋଲିଦେଲା। ବାପ ଛେଉଣ୍ଡକୁ ଲାଗିଲା ସେ ଯେମିତି ବେଙ୍କ୍ପାଖରେ ନୁହେଁ, ବରଂ ବାବୁଙ୍କ ନିକଟରେ ଆଜୀବନ ଋଣୀ ରହିଗଲା।
ତା ପରଠାରୁ ବାବୁଙ୍କୁ ରାସ୍ତା ଘାଟ ଯେଉଁଠି ଦେଖିଲେ, ମୁଣ୍ଡ ନୁଏଇଁ ଓଳଗି ହୁଏ। ବାବୁତ ପଇସାବାଲା ବଡ଼ ଲୋକ। କଅଣ ଦେଇ ତାଙ୍କ ଋଣ ସୁଝିବ? ଛୋଟିଆ ଜିଭରେ ସାହସ ଜମାକରି ବାବୁଙ୍କ କୁହେ, ଆଜ୍ଞା, ଦୋକାନଟା ଆପଣଙ୍କର। କେତେ ଅବାଗିଆ ମାଡାମ ଆସି ହିରୋଇନୀ ହୋଇ ଏଠୁ ଯାଉଛନ୍ତି। ହେଲେ ଆପଣ ଦିନେ ହେଲେ ମାଆଙ୍କୁ ଦୋକାନ ବୁଲେଇ ଆଣୁନାହାନ୍ତି। ମାଆ ଥରେ ଖାଲି ମୋ ଷ୍ଟାଇଲି ଦେଖିବେ ନା, ପ୍ରତିମାସ ଆସିବେ। ବେଙ୍କ୍ଋଣ ତ ଠାକୁରଙ୍କ ଦୟାରୁ ଠିକ୍ସୁଝି ଚାଲିଛି। ଆପଣଙ୍କ ଋଣ ସୁଝିବା ପାଇଁ ଅଧମ ଟାକୁ କୃପା ଟିକିଏ କରନ୍ତେନି? ଅନେକ ଥର ଏମିତି ଶୁଣି ଶୁଣି ଛୁଞ୍ଚିଆ ଉପରେ ବାବୁଙ୍କର ଦୟା ଆସିଲା। ହେଲେ ବିୟୁଟି ପାର୍ଲର୍କିଏ ନା ମା କିଏ? ବାବୁ ସିନା ଫିଟ୍ଫାଟ୍। କିନ୍ତୁ, ଛୁଞ୍ଚିଆ କି ଜାଣିଛି, ତା ମାଆ ଖାଲି ଛୁଞ୍ଚିଆର କାହିଁକି, ସାରା ଜଗତର ମାଆ ମଦର ଇଣ୍ଡିଆ? ଏତେ ଥର କହିଲାଣି ଯେତେବେଳେ, ବାବୁ ସେଦିନ ବହୁତ ବୁଝେଇ ସୁଝେଇ ମଦର ଇଣ୍ଡିଆଙ୍କୁ ଆଣି ଛୁଞ୍ଚିଆ ସେଲୁନ୍ରେ ସମର୍ପି ଦେଇ ବାହାରେ ପାନ ଦୋକାନରେ ଅପେକ୍ଷା କଲେ।
ବହୁ ସମୟରେ ଅପେକ୍ଷା କଲା ପରେ ଜଣେ ଲଣ୍ଡାମୁଣ୍ଡି ମାତାଜୀଙ୍କ ସହିତ ଛୁଞ୍ଚିଆ ସେଲୁନ୍ ଭିତରୁ ବାହାରକୁ ବାହାରିଲା। କାନ୍ଦକାନ୍ଦ ହୋଇ ଥରି ଯାଉଛି। ବାବୁ ମନେ ମନେ ଭାବିଲେ, ଆହା ଟୋକାଟାର କେତେ ଭକ୍ତି। ବିଚରା ମାତାଙ୍କୁ ବାଟେଇ ଦେବା ପାଇଁ ବେଉସା ଛାଡ଼ି ଉଠି ଆସିଛି। ଛୁଞ୍ଚିଆ ଯେମିତି ପାଖକୁ ହୋଇଛି, ବାବୁ ଆଉ ଥୟ ନ ଧରି ପଚାରିଲେ, ବାବୁରେ, ମାଆଙ୍କର ସରିଲା ନା ନାହିଁ? ବସି ବସି ଆଉ କେତେ ଖଣ୍ଡ ପାନ ଚୋବେଇବି? ହଠାତ୍ ଶୁଣାଗଲା, କଉ ଅଲକ୍ଷଣାର ମାଆ କି ହୋ? ମୁଁ ନାଇଁ ନାଇଁ କରୁଥିଲି? ହେଲେ କଉ ଅମଗଜିଆଟା ହାବୁଡ଼ରେ ମୋତେ ଭିଡ଼େଇ ଦେଲ ଯେ, ଅଣପାଣ୍ଡୁଆଟା ମୋର କୁଞ୍ଚୁକୁଞ୍ଚିଆ ସୁନେଲି କେଶର ପୁରା ବିନାଶ କରି ଦେଇଛି। କର୍କଶିଆ ସଙ୍କେତଗୁଡ଼ାକ ବାବୁଙ୍କର ଆଣ୍ଟିନା ହଠାତ୍ଧରିଲାନି। କିନ୍ତୁ ମାତାଙ୍କର ଡାଇଲଗ୍ ସରିବା ପୂର୍ବରୁ ବାବୁ ବୁଝିଗଲେ ଯେ, ମହିଳା ଜଣକ ବାରବର୍ଷ ତଳେ କଲ୍ୟାଣ ମଣ୍ଡପରେ ଦୁର୍ଘଟଣା ପଶ୍ଚାତ୍, ଘରକୁ ଆଣିଥିବା ପୁରୁଣା କଥାକୁହା ଯନ୍ତ୍ର। ଆଖି ନେଫେଡ଼ି ହସିହସି କହିଲେ, ମୁଖମଣ୍ଡଳ ତଳନାରେ ତୁମର ଟାଙ୍ଗୁଆ ମୁଣ୍ଡଟା କେଡ଼େ ଉଜ୍ଜଳ ସତରେ! ତୁଚ୍ଛାକୁ ସେଇ ଛେଳି ଲାଙ୍ଗୁଡ଼ିଆ ବାଳ ଗୁଡ଼ାକ ମୁଣ୍ଡଟାକୁ ଢାଙ୍କି ରଖିଥିଲା ଯାହା।
ବାବୁଙ୍କ ଓଠରେ ହସ ବଢ଼ିବଢ଼ି ଚାଲିଛି ତ ଗୋଟେପଣେ ଥରୁଥିବା ଛୁଞ୍ଚିଆର ଚିରାପୋଟଳରୁ ଲୁହ ଗଡ଼ି ଚାଲିଛି। ବାବୁଙ୍କ ଗୋଡ଼ ଧରି ବସି ପଡ଼ିଲା। ଆଜ୍ଞା, ମାଆ ଆମର ଆଶା ପାରେଖ୍ ଷ୍ଟାଇଲ୍ କରିବାକୁ କହିଥିଲେ। ମାଆଙ୍କ ମୁଣ୍ଡକୁ ସେଇ ନଅ କୋଣିଆ ଡବା ଭିତରେ ପୁରାଇ ମୋ କମ୍ପ୍ୟୁଟର ଅପରେଟର୍ ଟୋକାଟା ମଧ୍ୟ କମାଣ୍ଡ ଦେଇଥିଲା। ହେଲେ ଆଜ୍ଞା କମ୍ପ୍ୟୁଟର ଭିତର ଯେ ଭାଇରସ୍ କେତେବେଳେ ପଶିଯାଇଛି ମୋତେ ଜଣାନାହିଁ କି କାହାରିକୁ ମାଲୁମ ନାହିଁ। ଡବା ଭିତରୁତ ମୁଣ୍ଡ କାଢ଼ିଲା ବେଳକୁ ସବୁ ସରିଯାଇଛି। ବହୁତ ବଡ଼ ଭୁଲ ହୋଇଗଲା ଆଜ୍ଞା। ଆଉ କହି ପାରିଲାନି, ଖାଲି ଭୋ ଭୋ ହୋଇ କାନ୍ଦିଲା ଛୁଞ୍ଚିଆ। ବାବୁ ଛୁଞ୍ଚିଆକୁ ତଳୁ ଉଠେଇ ପକେଇ କହିଲେ, ନାଁ ନାଁ, ମୋଟେ କାନ୍ଦନା। ଦିହ ଖରାପ ହେବ। ତୋତେ ବି ସୁବିଧା ହେଲା, ଆଉ ମୋତେ ବି ଆରାମ। ତୁ ବିଚରା ମାସକୁ ମାସ ମାଆଙ୍କର ବାଳ ବାଗେଇ ଇନ୍ଷ୍ଟାଇଲ୍ମେଣ୍ଟରେ ମୋର ଋଣ ଗୁଡ଼ାକ ଶୁଝି ଥାଆନ୍ତୁ। ଯାହା ହେଉ, ଭଲ ହେଲା ନା, ଏକା ବେଳରେ ଫୁଲ୍ପେମେଣ୍ଟ ଦେଇଦେଲୁ।