ଜାତିସଂଘ ଉଦ୍ଦ୍ୟେଶିକାରେ ଆଉ ଗୋଟିଏ ପଦ ଯୋଡ଼ାଯାଇଥିଲେ ବିଶ୍ବ ଲୋକସଂଖ୍ୟାର ପାଖାପାଖି ଅଧେ, ଅର୍ଥାତ୍ ପୁରୁଷ ଜାତି ଉପକାର ପାଇଥାନ୍ତେ। ତାହା ହେଲା, ନିଜ ରୂପ ଆକର୍ଷଣୀୟ ଦେଖାଯିବା ମଧ୍ୟ ଏକ ମାନବାଧିକାର। ବିଶ୍ବ ସମତା ପ୍ରତିଷ୍ଠା ଦିଗରେ ଏହା ଅନ୍ତତଃ ଏକ ପଦକ୍ଷେପ ତ ହୋଇଥାନ୍ତା। ସନ୍ଧି-କୂଟନୀତି-ଯୁଦ୍ଧ-ଶାନ୍ତି ଭିନ୍ନ ନୂଆ କିଛି ରୋମାଣ୍ଟିକ୍ ଧାରଣା ପୁରୁଷ ଜାତି ପାଇଁ ସୃଷ୍ଟି ହେବାର ସମ୍ଭାବନା ଥାଆନ୍ତା। ବିଶ୍ବର ଅବସ୍ଥା ଯାହା ଥାଉ ନା କାହିଁକି, ବାକି ଆଠ’ଣା ନାରୀମାନେ ନୈଷ୍ଠିକ ଭାବେ ତାହା ପାଳନ କରିବାର ପ୍ରାକୃତିକ ଅଧିକାର ପାଇଛନ୍ତି।

ବାବୁ ଚନ୍ଦ୍ରକାନ୍ତ ମୌକିଲ୍। ଦେଖିବାକୁ ବେଶ୍ ସୁନ୍ଦର। ସ୍ତ୍ରୀ ମନୋରମା ବା ରମାଙ୍କ କଥା ନ କହିଲେ ଚଳିବ। ଦୈବୀ ଭାଷାରେ, ଯଥା କାର୍ତ୍ତିକେୟସ୍ୟ ବ୍ରହ୍ମା ନନ୍ଦିନୀ ବା ଦି’ଜଣଯାକ ଯେମିତି ଫିଲଟର୍ ଉଇଲ୍‌ସ୍ ସିଗାରେଟ କମ୍ପାନୀର ବିଜ୍ଞାପନ- ମେଡ୍ ଫର୍ ଇଚ୍ ଅଦର୍ ପରି।

କାନ୍ତ ଥରେ ଟୁର୍‌ରୁ ଫେରି ବ୍ୟାଗ୍ ବ୍ରିଫ୍‌କେଶ୍ ଫୋପାଡ଼ି ତରବର ହୋଇ ଅଫିସ୍ ପଳାଇଲେ। ଜିନିଷପତ୍ର କାଢ଼ି ସଜାଡ଼ିବା ବେଳକୁ ରମା ଏମିତି କିଛି ଦ୍ରବ୍ୟ ଦେଖିଲେ ଯାହା ତାଙ୍କୁ ନିହାତି ଅସଙ୍ଗତ ଲାଗିଲା। ଆଇବ୍ରୋ ପେନ୍‌ସିଲ, ଟୁଇଜର୍ ଓ ଲିପ୍‌ଷ୍ଟିକ୍‌ । ସ୍ବାମୀଙ୍କୁ ଏ ପ୍ରକାର ସନ୍ଦେହ ସେ କେବେ କରି ନ ଥିଲେ। ବାହାଘର ଏଗାର ବର୍ଷ ହେଲାଣି । ପୁଅର ଚତୁର୍ଥ ଶ୍ରେଣୀ। ରମାଙ୍କ ପଞ୍ଜରା ଭିତରଟା ଅଜାଣତରେ ଥରିଉଠିଲା। ପରିବା ଭାବେ ସାରୁ ଓଲୁଅ ଇତ୍ୟାଦିକୁ ପଛେ ବିଶ୍ବାସ କରିହେବ, କିନ୍ତୁ ପୁରୁଷ ମନ ଯେ ଭୋଦେଇ ବଉଦ; ଢାଳିଦେଲା ତ ସବୁ ଭାସିଗଲା, ଉଡ଼ିଗଲା ତ ଠିଆ ମରୁଡ଼ି। ସେଇଥି ସକାଶେ ବଡ଼ପୁରୁଷ କହିଛନ୍ତି- ନର ମାୟା ନାରାୟଣଙ୍କୁ ଅଗୋଚର।

ପୁରୁଷର ବିତ୍ତ ବା ବରବାଦୀ ଜାଣିବା ହୁଏତ ଅସମ୍ଭବ ହୋଇପାରେ, ମାତ୍ର ଦୁଶ୍ଚରିତ୍ର ଠଉରେଇବା ମାମଲାରେ ନାରୀ ନିଜେ ଏକ ଚବିଶଘଣ୍ଟିଆ ଭ୍ରାମ୍ୟମାଣ ପରୀକ୍ଷାଗାର। ଆଉ ବଡ଼ ପରୀକ୍ଷା କଥା ଦୂରକୁ ଥାଉ; ସ୍ବାମୀ ପୁଅ କି ଝିଅ କାହା ସହ ଘଷିନେଷି ହୋଇଥିଲେ, ସେମାନେ ସାର୍ଟ ବା ଗଞ୍ଜି ଶୁଂଘି ଜାଣିପାରନ୍ତି।

ଏଣିକି ରମାଙ୍କ ମନକୁ ଆସିଯାଉଥାଏ, ପୁରୁଷ ମନ ଯେ ଭ୍ରମର ପ୍ରାୟ। ନିଜକୁ ସିଏ ତତ୍‌କ୍ଷଣାତ୍ ବୁଝେଇଦିଅନ୍ତି। ହ୍ୟାତ୍, ଯିଏ ଶାଳୀମାନଙ୍କ ସହିତ ଦେଢ଼ଶୁର ପରି ହୁଅନ୍ତି ତାଙ୍କର ପୁଣି ଏତେ ସାହାସ ଆସିବ କୋଉଠୁ? ପଚାରି ଦେବେ କି? ପୁଣି ମନ କହେ- ବୋକୀ ଲୋ, କେହି କଣ ଏମିତି କଥାରେ ସତ କହନ୍ତି ଯେ, ତତେ ସେ କହିବେ? କୁଆଡ଼େ ପୁରୁଷ ମାନି ଯାଏ, କ୍ଷମା ମାଗେ, ହଲପ କରି କହେ- ଆଉ ସେମିତିକା ଭୁଲ କରିବନି!
ଫୁଃ, ଏଗୁଡ଼ାକୁ ସବୁ ବହି କଥା। ପଢ଼ିଲେ ଭଲ ଲାଗେ। ହେଲେ ରକ୍ତମାଂସର ଜୀବନ କିନ୍ତୁ ଏତେ ନାଟକ ସମ୍ଭାଳିବାକୁ ପ୍ରସ୍ତୁତ ହୁଏନା।

ଏମିତିକା ମନଛନ୍ଦା ଜଞ୍ଜାଳରୁ ରମାଙ୍କୁ ନିସ୍ତାର ମିଳୁ ନ ଥାଏ ଯେମିତି। ଘଟଣା ସତ ହୋଇଥିଲେ ବି ମନ କହୁଥାଏ ବିଶ୍ବାସ କରନା ଲୋ, ମରିଯିବୁ। ବରଂ ଉଚିତ୍ ହେବ, ସନ୍ଦେହ ବୋଲି ଭାବି ବଞ୍ଚିଯା। ସେଇ ମନ ପୁଣି ଟାଣିଭିଡ଼ି ନେଇଯାଏ ତାକୁ ନିଷିଦ୍ଧ ଓ ଗହନ ଇଲାକାକୁ, ପ୍ରମାଣ ପରେ ପ୍ରମାଣ ଉଣ୍ଡାଳିବାକୁ।

ତାଙ୍କ ପ୍ରେମ ପାଇଁ ମୁଁ ହିଁ ଅନନ୍ୟ ଓ ଶ୍ରେଷ୍ଠ ପରି ଯୁକ୍ତି ସପକ୍ଷରେ ନାରୀ ଯେଉଁ ବଳୟଟି ତିଆରି କରି ତହିଁରେ କାହାରି ଅନୁପ୍ରବେଶ ଅସମ୍ଭବ ବୋଲି ଭାବି ରହିଥାଏ ଏବଂ ତାହା ପରଖିବା କଦାପି ସମ୍ଭବ ହେଉ ନ ଥିବାରୁ, ଭାଗ୍ୟହୀନର ପ୍ରତିରକ୍ଷା ମଧ୍ୟ ସେହିପରି ବେଅକଲ ଅନୁମାନ ଉପରେ ନିର୍ଭର କରି ରହିଥାଏ। ଭାଙ୍ଗି ନ ଯିବା ପର୍ଯ୍ୟନ୍ତ, ଭୁଶୁଡ଼ି ନ ଯିବା ପର୍ଯ୍ୟନ୍ତ ପ୍ରେମ କଣ ବା ଫିସାଦି କଣ, ତୁ କେମିତି ଜାଣିବୁ, ଲୋ ହୁଣ୍ଡି ? ମନେ ପଡ଼େ, ତା କେଶରୁ କେଉଁଠି ଗୋଟେ ଅଧେ ପାଚିଯାଇଥିବା ଚନ୍ଦ୍ରକାନ୍ତଙ୍କୁ କାହିଁକି ଦେଖାଯାଉଥିଲା?
ସେ ତାଙ୍କୁ ଡାଇଙ୍ଗ୍ କରିବାକୁ କହୁଥିଲେ ତା’ହେଲେ ଏଇଥି ସକାଶେ? ପୁରୁଷଗୁଡ଼ାଙ୍କର ସବୁ ବେଷ୍ଟ ଦରକାର ନା? ଅଇଁଠା ଚାଟିଲା ବେଳେ ସତରେ ଯେମିତି ସେଇଆ ମିଳୁଥାଏ!

ଯଦିଓ ପରକୀୟା ପାଠ ତୁଲେଇବାରେ ପୁରୁଷମାନେ ଧୂର୍ତ୍ତ ଓ ଧୁରନ୍ଧର, କିନ୍ତୁ ଚନ୍ଦ୍ରକାନ୍ତଙ୍କର ନୈଷାବରଣରେ ଟିକେ ବି ତୃଟି ନ ଥାଏ। ଇଏ କେମିତି ସମ୍ଭବ? ରମାଙ୍କୁ ଅଥୟ ଲାଗୁଥାଏ। ଏତେ କଥା ଭାବିବାକୁ ମନ ହେଉ ନଥାଏ, କିନ୍ତୁ ଭୁଲିବାକୁ ଭୟ ବି ଲାଗୁଥାଏ। ବୈବାହିକ ଜୀବନକୁ ମ୍ୟୁନିସିପାଲ୍‌ଟି ନର୍ଦ୍ଦମାରେ ପକାଇବାକୁ ଚାହୁଁ ନ ଥିବା ଯେ କୌଣସି ବିଚାରସିଦ୍ଧ ମଧ୍ୟବିତ୍ତ ନାରୀ ପରି ଠାକୁରଠାକୁରାଣୀଙ୍କୁ ମାନସିକ ଯାଚିବା ଛଡ଼ା ମନୋରମା ନିଜ ବ୍ୟବହାରରେ ଖାସ କୌଣସି ପରିବର୍ତ୍ତନ କରିପାରିଲେ ନାହିଁ। ସ୍ବାମୀଙ୍କ ଉପରେ ଯଥା ସମ୍ଭବ ନିଘା ରଖିଲେ।

ଏଣିକି ସେ ଦେଖୁଥିଲେ ଯେ କାନ୍ତ ସେଭିଙ୍ଗ୍ ହେଲାବେଳେ ପାଟିରେ ପବନ ପୁରାଇ ଗାଲ ଫୁଲାନ୍ତି। ବୁଲେଇ ବଙ୍କେଇ ଆଇନାରେ ମୁହଁ ଦେଖନ୍ତି। କି ସୁନ୍ଦର ହେଜ ଲାଇନ ପରି ବଢ଼ିଥିବା ନିଶ ହଳକ କ୍ରମେ କ୍ରମେ ପତଳାରୁ ପତଳା ଏବଂ ପ୍ରସ୍ଥ କ୍ଷୀଣ ହୋଇ ପ୍ରାୟ ଅଧଇଞ୍ଚ ବହଳରୁ ଦେଢ଼-ଦି ସୁତା ସାଇଜ ହୋଇଗଲା। କାହିଁକି ବା, ଆଉ କାହା ବରାଦରେ ତୁମେ ମୋ ପ୍ରିୟ ମୁହଁର ମାନଚିତ୍ର ବଦଳାଇବ? ଏତିକି ପଚାରିବାକୁ ମନ ଉବୁକା ମାରିଥିଲେ ସୁଦ୍ଧା ରମାଙ୍କର ସାହାସ କୁଳୋଉ ନ ଥାଏ।

ଦିନେ ସନ୍ଧ୍ୟାରେ ଏକ ବାହାଘର ଭୋଜିକୁ ଯିବାର ପ୍ରସ୍ତୁତିରେ କାନ୍ତ କହିଲେ, ହେ ଶୁଣୁଚ? ମୋ ଟୁର୍ କିଟ୍‌ରୁ ଆଇବ୍ରୋ ପେନ୍‌ସିଲ୍‌ଟା ଆଣିଲ।

କଣ ହବ?

ନିଶ ବହୁତ ପାଚି ଗଲାଣି। ଟିକେ ଘଷି ଦବା।

ଟୁଇଜର?

ଗୋଟେ ଅଧେ ଧଳା ଦେଖି ସିନା ଓପାଡ଼ିଦେଉଥିଲି। ଏବେ ଅସଂଖ୍ୟ। ଟୁଇଜର ବେଶି ବ୍ୟବହାର କଲେ ଡାକ୍ତର ପାଖକୁ ଯିବାକୁ ପଡ଼ିବ।

ଆଉ ଲିପ୍‌ଷ୍ଟିକ?

ତୁମେ ନେଇନ କି? ରୋଜ୍ କଲର୍‌ର। ଏକଦମ୍ ମିଶିଯିବ ତୁମ ଓଠ ସହିତ। ସେଇଥିପାଇଁ ତ ଆଣିଥିଲି। ବହୁତ ଦାମିକା। ଦୁଇ ଶହ କେତେ ଟଙ୍କା, ଆଜି ଲଗା, ପ୍ଲିଜ୍।
ତୁମେ ସେଇଟା ମୋ ପାଇଁ ଆଣିଥିଲ? ସତ କହିଲ। ମନୋରମା ସ୍ବାମୀଙ୍କ ମୁହଁକୁ ଚାହିଁ ରହିଗଲେ। ଇସ୍ କେତେ ଭଲ ମଣିଷଟେ ବିରୁଦ୍ଧରେ ମୁଁ କି ପାପ କଥାସବୁ ନ ଭାବିଚି ଟି! ମନ ହେଉଥିଲା, ସେଇଠି ତାଙ୍କ କୋଳରେ ଓଜାଡ଼ିହୋଇ ପଡ଼ିବାକୁ। ପୁଅ ବଦମାସ ଡ୍ରେସ୍‌ ପଟା ହୋଇ ସେଇଠି ଆସି ନାଚିଲା, ‘ଶୀଘ୍ର ଯିବା’।