(୧)

ସୁଖିରାମ ଭାରି ଗରିବ। ତାର ଜମିବାଡ଼ି କିଛି ନାହିଁ। ଦିନ ମଜୁରି କରି ଚଳେ ସେ। ପ୍ରତିଦିନ ସକାଳେ ସେ ଗାଁରୁ ଚାଲି ଚାଲି ଆସି ସହର ଛକରେ ଠିଆ ହୁଏ। ଯାହାର ଦରକାର ସେ ଆସି ତାକୁ କାମ କରିବା ପାଇଁ ନେଇଯାଏ। ସେଦିନ ବନ୍ଦ ବୋଲି ତାକୁ ମାଲୁମ ବି ନ ଥିଲା। ସେ ତାର ସବୁଦିନ ଭଳି ସକାଳୁ ତା ଗାଁରୁ ଚାଲି ଆସିଛି। ଦେଖିଲାବେଳକୁ ଦୋକାନବଜାର ସବୁ ବନ୍ଦ। କରିବ କଣ? ବିଚରା ଚୁପ୍‌ଚାପ ଛକମୁଣ୍ଡ ତାରିଣୀ ମନ୍ଦିର ବାହାର ପାହାଚରେ ବସିଥିଲା। ମୋଟର ସାଇକେଲ୍‌ରେ ଦୁଇଜଣ ଲୋକ ଆସି ପହଞ୍ଚିଲେ। ଜଣକ ଆଖିରେ କଳା ଚଷମା, ଜଣକ ହାତରେ ଷ୍ଟିଲ୍‌ ବଳା। ଚଷମା ବାଲା ଆସି ତାକୁ କହିଲା, କାମ କରିବୁ?
-କି କାମ?
– କିଛି ଭିଡ଼ କାମ ନୁହଁ ମ! ରାସ୍ତାରେ ଟାୟାର ପକେଇ ନିଆଁ ଜାଳିବୁ, ଗାଡ଼ିମଟର ଯାଉଥିଲେ ତା ଉପରକୁ ଢେଲା ପକେଇବୁ, ଯେଉଁ ଲୋକ ସ୍କୁଟର ମଟରସାଇକେଲ୍‌ରେ ଯାଉଥିବ- ସେମାନଙ୍କୁ ବାଡ଼େଇବୁ।
-ଏଟା କଣ କାମ?
-ସେଥିରୁ ମୋତେ କଣ ମିଳିବ? ତୋତେ ଟଙ୍କା ମିଳିବ।
ସୁଖରାମ ଟଙ୍କା ନେଲା, ଏବଂ ତାକୁ ଯାହା କୁହାଗଲା, ତାହା କଲା। ରାସ୍ତାରେ ନିଆଁ ଜାଳିଲା, ସ୍କୁଟର ମୋଟରସାଇକଲ୍‌ରେ ଯାଉଥିବା ଲୋକଙ୍କୁ ବାଡ଼େଇଲା, କାର୍‌ ର କାଚ ଭାଙ୍ଗିଲା।

କିଛି ସମୟ ଭିତରେ ପୋଲିସ ତାକୁ ଗିରଫ କରିନେଇଥିଲା। ଜାମିନରେ ଯିବା, ମକଦ୍ଦମା ଲଢ଼ିବା- ଏ ସବୁର କ୍ଷମତା ସୁଖିରାମର ନ ଥିଲା। ତେଣୁ ତା’କୁ ସଜା ହୋଇଗଲା। ସୁଖିରାମ ପ୍ରଥମ ଥର ଜେଲ୍‌ ଗଲା। ଜେଲ୍‌ରେ ସୁଖିରାମ ମାଗଣା ଖାଇବାକୁ ପାଇଲା। ଗରମ ଭାତ, ଡାଲି ଓ ତରକାରି। ଜେଲ୍‌ଟା ତାକୁ ଭଲ ଲାଗିଲା। ସେ ଠିକ୍‌ କରିନେଲା, ଏଣିକି ସେ ଜେଲ୍‌ରେ ହିଁ ରହିବ।

(୨)

ପ୍ରତ୍ୟେକ ଲୋକର କିଛି ନା କିଛି ଇଚ୍ଛା ଥାଏ, କିଛି ଲୋକଙ୍କର ଇଚ୍ଛାଟା ଅବ୍‌ସେସନ୍‌ ପର୍ଯ୍ୟାୟକୁ ଚାଲିଯାଏ। ସେତେବେଳେ ମନେହୁଏ-ଏଇଟା ନ ହେଲେ ବା ଏଇଟା ନ ପାଇଲେ ବଞ୍ଚିବାରେ କିଛି ଲାଭ ନାହିଁ। ତାକୁ ପାଇବା ପାଇଁ ସେମାନେ ପାଗଳ ପ୍ରାୟ ହୋଇଉଠନ୍ତି।

ସେମିତି ଜଣେ ହେଲା ସଞ୍ଜୟ। ତାର ଇଚ୍ଛା-ଟେଲିଭିଜନରେ ତା’ ମୁହଁଟା ଦିଶନ୍ତା। ଯେତେବେଳେ ସେ ଟେଲିଭିଜନ ଦେଖେ, ଟିଭି ପରଦାରେ ଚାଲବୁଲ କରୁଥିବା ଚରିତ୍ର ଭିତରେ ସେ ନିଜକୁ ଖୋଜିପାଏ।

ଟିଭିରେ ମୁହଁ ଦେଖଇବା ପାଇଁ ବହୁ ଚେଷ୍ଟା କରିଛି ସଞ୍ଜୟ। ଟେଲିଭିଜନ ଧାରାବାହିକରେ ଏତେ ଚରିତ୍ର, ତାକୁ ଗୋଟେ ଚରିତ୍ର ମିଳନ୍ତାନି!

ହେଲେ ତାକୁ କେହି କୌଣସି ଚରିତ୍ରରେ ଅଭିନୟ ପାଇଁ ଡାକି ନାହଁନ୍ତି। ଯେତେ ରିୟାଲିଟି ଶୋ ହୁଏ, ସବୁଥିରେ ସେ ଆବେଦନ କରିଛି। କେଉଁଥିରେ ତା’ର ହୋଇନି। ଭୁବନେଶ୍ବରରେ ଟେଲିଭିଜନ ଚ୍ୟାନେଲଗୁଡ଼ିକର ଅଫିସ୍‌କୁ କମ୍‌ ଥର ଯାଇନି ସେ। ତାର ଏ ଅବ୍‌ସେସନ୍‌ ବିଷୟରେ ତାଙ୍କ ସାହିରେ ସମସ୍ତେ ଜାଣନ୍ତି। ବେଳେବେଳେ ତାକୁ ଏଥିପାଇଁ ଥଟ୍ଟା ବି କରନ୍ତି।

ସେଦିନ ବନ୍ଦ ଥିଲା। ବନ୍ଦ ପୂର୍ବଦିନ ତାଙ୍କ ସାହିର ବୁଲାଦାଦା କହିଲେ-ଆବେ ସଞ୍ଜୟ, ଗୋଟେ କାମ କରିପାରିବୁ- ତୋ ମୁଁହ ଟିଭିରେ ଦେଖେଇବା ପୂରା ପକ୍କା।
-କ’ଣ?

ବୁଲାଦାଦା ଯାହା କାମ କହିଲା, ତାକୁ କରିବା ପାଇଁ ତା ଆତ୍ମା ଡାକୁ ନ ଥିଲା। କିନ୍ତୁ ଟିଭିରେ ମୁହଁ ଦେଖେଇବାର ଲୋଭରେ ସେ ହଁ କହିଦେଲା। ବନ୍ଦ ବେଳେ ନିଆଁ ଜାଳିଲା ସେ। ବସ୍‌ ଉପରକୁ ଟେକା ଫୋପାଡ଼ିଲା। ପୋଲିସ ଆସିଲା। ପୋଲିସ ପଛରେ ଥିଲେ ବିଭିନ୍ନ ଟେଲିଭିଜନ ଚ୍ୟାନେଲ୍‌ର କ୍ୟାମେରାମ୍ୟାନ୍‌ମାନେ। ଅନେକଗୁଡ଼ିଏ କ୍ୟାମେରା। ସଞ୍ଜୟକୁ ଲାଗିଲା, ତାରି ଫଟୋ ଉଠଉଛନ୍ତି ସେମାନେ। ସଞ୍ଜୟ ସାମ୍ନାକୁ ଆସି ପୋଲିସ ଉପରକୁ ଟେକାପଥର ଫୋପାଡ଼ିଲା। ପୋଲିସ ଗୁଳି ଚଳେଇଲା। ଗୁଳି ବାଜିଲା ସଞ୍ଜୟ ଛାତିରେ। ଟଳି ପଡ଼ିଲା ସେ।
ସାରା ଭାରତ ଦେଖିଲା ତା’ର ମୃତ ଦେହର ଚିତ୍ର।

(୩)

ଅଫିସରଙ୍କ କଡ଼ା ତାଗିଦ୍‌-ବନ୍ଦ ଦିନ ସମସ୍ତଙ୍କୁ ନିହାତି ଅଫିସ ଆସିବାକୁ ପଡ଼ିବ। ଅଫିସ୍‌ରେ ହାଜିରା ପକେଇ ତେଣିକି ଯିଏ ଯାହା କର। କାମ କର ନ କର କିଛି କଥା ନାହିଁ, ହାଜିରା ପକେଇବା ନିହାତି ଜରୁରି। ତେଣୁ ବନ୍ଦବାନ୍ଦ ଆରମ୍ଭ ହେବା ପୂର୍ବରୁ ଚଞ୍ଚଳ ଚଞ୍ଚଳ ଅଫିସ୍‌ ପହଞ୍ଚଯିବ ସମସ୍ତେ। ବନ୍ଦ କିଛି ନୂଆ ହେଉନି ଓଡ଼ିଶାରେ। ସମସ୍ତେ ଜାଣନ୍ତି ବନ୍ଦ ଦିନ ସମସ୍ତେ ଚଞ୍ଚଳ ପହଞ୍ଚନ୍ତି। ହାଜିରା ପକାନ୍ତି। ଅଳ୍ପ କିଛି ସମୟ ରହନ୍ତି। ତାପରେ ମଉକା ଦେଖି ଗୋଟିଏ ଗୋଟିଏ ଖସିଯାଆନ୍ତି। ସେଦିନ ଅଫିସ୍‌ କାମ ଦାମ କିଛି ହୁଏନି। ଅଫିସ୍‌ ବି ପ୍ରାୟ ଫାଙ୍କା ଥାଏ।

ସେଇଥିପାଇଁ ବୁଦ୍ଧିରାମ ଆଜି ବଡ଼ି ସକାଳୁ ଅଫିସ୍‌ ବାହାରିଛି। ଆଜି ପାର୍ବତୀ ବି ନିଶ୍ଚୟ ଚଞ୍ଚଳ ଅଫିସ୍‌ ଆସିବ। ବହୁଦିନ ଧରି ଥାଥା ମାମା ହୋଇ ଗତକାଲି ବୁଦ୍ଧିରାମ ତାକୁ ଗୋଟେ ଲଭ୍‌ ଲେଟର ଦେଇଛି। ପାର୍ବତୀ ତାକୁ ପଢ଼ିଛି ଆଉ ସେ ବି ନିଶ୍ଚୟ ବୁଦ୍ଧିରାମକୁ ଲଭ୍‌ କରୁଛି। ନ ହେଲେ ଅଫିସ୍‌ ଛୁଟି ହେଲା ବେଳକୁ କାହିଁକି ତାକୁ ଚାହିଁ ମୁହଁ ଚିପି ଗୋଟେ ସ୍ମାଇଲ୍‌ ଦିଅନ୍ତା! କହନ୍ତା, କାଲି ଆସନ୍ତୁ, ଏହାର ଉତ୍ତର ଦେବି।

ଆଜି ପାର୍ବତୀ ବି ଚଞ୍ଚଳ ଅଫିସ୍‌ ଆସିଯିବ। ଫାଙ୍କା ଅଫିସ୍‌ରେ ସେ ଆଉ ପାର୍ବତୀ। ପାର୍ବତୀ ଆଉ ସେ। ପାଖାପାଖି ବସି କେତେ କଥା ହେବ। ବୁଦ୍ଧିରାମ ଭାବୁଥିଲା, ସବୁଦିନ ଏମିତି ବନ୍ଦ ହୁଅନ୍ତା, ସବୁଦିନ ଏମିତି ଅଫିସ୍‌ଟା ଖାଲି ଥାଆନ୍ତା।

(୪)
ବନ୍ଦ ଦିନ ସବୁ ବନ୍ଦ। ଦିପହରେ ଖାଇବ କ’ଣ ସଞ୍ଜୟ? ସେ ଗୋଟେ ଜରୁରି କାମରେ ଆସିଥିଲା ଭୁବନେଶ୍ବରରେ ଗୋଟେ ଅଫିସ୍‌କୁ। ଅଫିସର୍‌ କହିଥିଲେ, ବନ୍ଦ ହେଲେବି ମୁଁ ତ ଆସିଥିବି। ସେଦିନ ଅନ୍ୟ କର୍ମଚାରୀମାନେ ଆସିବା ନ ଆସିବା ଭଳି। ଅଫିସ୍‌ରେ କେହି ବିଶେଷ ନ ଥିବେ। ମୁଁ ନିରୋଳାରେ ଆପଣଙ୍କ କାମଟା କରିଦେବି।

କାମ ସରିଗଲା ଦିପହର ବେଳକୁ। ବାହାରକୁ ବାହାରି ଆସିଲା ସଞ୍ଜୟ। ସକାଳୁ ତରବରରେ ବାହାରି ଆସିଥିଲା ଯେ ବ୍ରେକ୍‌ଫାଷ୍ଟ୍‌ କରି ନ ଥିଲା ଠିକ୍‌ କରି। ଗୋଟାଏ ସାଣ୍ଡ୍‌ଉଇଚ୍‌ କୌଣସି ମତେ ପାଟିରେ ପୁରାଇ ଚାଲିଆସିଥିଲା। ସେତେବେଳେ କେତେ ଶୀଘ୍ର ଅଫିସ୍‌ରେ ପହଞ୍ଚିବ, ସେ ଚିନ୍ତା। ଏବେ କାମଟା ସରିଗଲା ପରେ ସଞ୍ଜୟ ଅନୁଭବ କଲା-ବେଶ୍ ଭୋକ ହେଲାଣି। ହେଲେ ଖାଇବ କ‘ଣ ସେ? ଆଖପାଖ ସବୁ ଦୋକାନ ବନ୍ଦ। ପାନଦୋକାନ ବନ୍ଦ। ବନ୍ଦ ପାଇଁ ନିଜ କାର୍‌ ଆଣିନି ସଞ୍ଜୟ। ଗାଡ଼ିମଟର ଚାଲୁନି ଏ ଯାଏଁ।

ଭୋକଟା ବଢ଼ିବାକୁ ଲାଗିଲା। ଗୋଟିଏ ଗୋଟିଏ ଆଗକୁ ଚାଲିଲା। କାଳେ କିଛି ଦୋକାନ ଖୋଲା ଥିବ। ସାପ ଯେମିତି ପେଡ଼ି ଭିତରୁ ବାହାରି ଆସେ, ସଞ୍ଜୟର ମନେ ହେଲା ଭୋକଟା ବି ଗୋଟେ ସାପ ଭଳି ତା ପେଟ ଭିତରୁ ବାହାରକୁ ବାହାରି ଆସିବାକୁ ଚାହୁଁଛି। ଭୋକ ଯେ ମଣିଷକୁ ଏମିତି ଦୁର୍ବଳ ଆଉ ଅସହାୟ କରିଦିଏ – ତାହା ପ୍ରଥମ ଥର ପାଇଁ ଅନୁଭବ କଲା ସଞ୍ଜୟ। ଏଇ ସମୟରେ ସେ ଦେଖିଲା-ରାସ୍ତା କଡ଼େ ଝୋପଡ଼ି ହୋଟେଲ୍‌ଟିଏ, ଅଧା ଖୋଲା ହୋଇ ରହିଛି। ସାଧାରଣ ଅବସ୍ଥାରେ ସଞ୍ଜୟ ଖାଇବାରେ ଯାହାକୁ ଇଂରାଜୀରେ କହନ୍ତି ଭାରି ଫସି। ଟିକେ ଅଳିଆ ହୋଇଥିଲେ ସେ ସେଠିକି ଯାଏନି। ବିଦେଶରେ ରହି ଏ ଶିକ୍ଷା ତାର ହୋଇଛି। ଏମିତି ରାସ୍ତା କଡ଼ ଝୋପଡ଼ି ହୋଟେଲ୍‌ରେ ଖାଇବା କଥା ସେ କେବେ ଚିନ୍ତା ବି କରି ନ ଥାନ୍ତା! ହେଲେ ଆଜିକାର କଥା ଅଲଗା।

ଝୋପଡ଼ି ଦୋକାନୀକୁ ପଚାରିଲା ସଞ୍ଜୟ, ଖାଇବାକୁ ଅଛି କିଛି?
ଦୋକାନୀ ଯେତେବେଳେ କହିଲା-ଡାଲମା ଆଉ ଭାତ ହେବ, ସଞ୍ଜୟର ମନେ ହେଲା ଦୋକାନୀ ରୂପରେ ସାକ୍ଷାତ୍‌ ଭଗବାନ ତା ସାମ୍ନାରେ ଠିଆ ହୋଇ ତାକୁ ବରଦାନ ଦେଲେ।
-ଦିଅ।
ଗୋଟେ ସିଲ୍‌ଭର ଥାଳିରେ ଆସିଲା ବଗଡ଼ା ଭାତ ଆଉ ଡାଲମା। ସଞ୍ଜୟକୁ ଲାଗିଲା- ଅମୃତ। ଭୋକରେ ଯେ ଅଲଗା ସୁଆଦ ଅଛି- ଆଜି ପ୍ରଥମ ଥର ପାଇଁ ଅନୁଭବ କଲା ସଞ୍ଜୟ।

(୫)

ସତ୍ୟହରି ବାବୁଙ୍କ ନେତୃତ୍ବରେ ବନ୍ଦ ହେଲା ଓଡ଼ିଶାରେ। ବନ୍ଦ ମାନେ ଜବରଦସ୍ତ ବନ୍ଦ। ତାଙ୍କ ସହକର୍ମୀମାନେ କହିଲେ ଏମିତି ଜବରଦସ୍ତ ବନ୍ଦ ଆଉ କେହି କରେଇ ପାରି ନାହାନ୍ତି। ସବୁ ବନ୍ଦ କରିଦେଇଛନ୍ତି ସତ୍ୟହରି ବାବୁ। ଦୋକାନବଜାର ଅଫିସ୍‌ପତ୍ର କଥା ଛାଡ଼ ଗାଡ଼ିମଟର ବି ସବୁ ବନ୍ଦ। ଶଳା ସାଇକଲ୍‌ରେ ବି ଲୋକ ଯାଇ ପାରିନାହାନ୍ତି। ସାଇକଲ ଚକାରୁ ପମ୍ପ ଖୋଲି ଦେଇଛନ୍ତି ସତ୍ୟହରିବାବୁଙ୍କ ଦଳର ଲୋକମାନେ।

ସତ୍ୟହରି ବାବୁଙ୍କ ପୁଅ ପଢ଼େ ବାଙ୍ଗାଲୋରରେ। ନାଁ, ଓଡ଼ିଶାରେ ପଢ଼େଇବାର ଭୁଲ୍‌ ସତ୍ୟହରି ବାବୁ କେମିତି କରେଇବେ। ଏଠି ପାଠ ଅଛି ନା ଶାଠ ଅଛି। ପ୍ରତିଦିନ ଷ୍ଟ୍ରାଇକ୍‌। ପାଠର ନାଁ ଗନ୍ଧ ନାହିଁ। ବାଙ୍ଗାରୋର୍‌ରେ ଗୋଟେ ପାଠର ଆଟ୍‌ମସ୍‌ଫିଅର ଅଛି। ହେଲେ ସେଦିନ ବାଙ୍ଗାଲୋରରେ ବି ହୋଇଥିଲା ବନ୍ଦ। ସେଇଦିନ ତାଙ୍କ ପୁଅ ବାଥରୁମ୍‌ରେ ଗିଜର ଅନ୍‌ କରୁ କରୁ ଇଲେକ୍‌ଟ୍ରିକ୍‌ ସକ୍‌ ଖାଇ ଓଲଟି ପଡ଼ିଲା ଯେ ମୁଣ୍ଡରେ ବାଜିଲା ଆଘାତ। ତାକୁ ବଡ଼ ହାସପାତାଳକୁ ନେବା ଦରକାର ଥିଲା। ହେଲେ ସେ ହାସପାତାଳ ପହଞ୍ଚି ପାରିଲାନି। ଆନ୍ଦୋଳନକାରୀମାନେ ତାକୁ ପହଞ୍ଚେଇ ଦେଲେନି। ବାଟରେ ମରିଗଲା ସତ୍ୟହରି ବାବୁଙ୍କ ପୁଅ।

ଏ କ୍ଷଣେ ସତ୍ୟହରି ବାବୁଙ୍କ ଦୁଇଟା ହାତରେ ଦୁଇଟା ମୋବାଇଲ୍‌ ଫୋନ। ଗୋଟାକରେ ବଧେଇ: ଆପଣ ଏତେ ସୁନ୍ଦର ବନ୍ଦ କରେଇଛନ୍ତି, ତେଣୁ ଦଳର ହାଇକମାଣ୍ଡ ଆପଣଙ୍କୁ ବିଧାୟକ ଆସନ ପାଇଁ ଟିକଟ ଦେବା ପାଇଁ ମନସ୍ଥ କରୁଛନ୍ତି। ଆର ଫୋନ୍‌ଟି ବାଙ୍ଗାଲୋରରୁ: ଆପଣଙ୍କ ପୁଅ ଆଉ ନାହିଁ। ବନ୍ଦ ପାଇଁ ଆମ୍ବୁଲାନ୍ସ ବାଟରେ ଅଟକି ରହିଗଲା। ଅତିରିକ୍ତ ରକ୍ତକ୍ଷରଣ ପାଇଁ ତାର ମୃତ୍ୟୁ ହୋଇଗଲା।