ସହର ମଝି। ଓଭରବ୍ରିଜ୍‌ କାନ୍ଥ ସନ୍ଧିରେ ଉଠିଥିଲା ଦେଢ ଫୁଟିଆ ଖଜୁରୀ ଗଛଟେ। କିଛି ଦିନ ହେବ ବାଇଚଢେଇଟିଏ ବସା ବାନ୍ଧି ରହିଛି ସେ ଗଛରେ। ଆଉ କୋଉଠି ସେ ରହିଥାନ୍ତା ଏଡେ ବଡ ସହରଟାରେ! ନଡିଆ କି ଖଜୁରୀ ଗଛଟିଏ ବି ନାହିଁ। ତା’ ଘର ପାଇଁ କୋଉଠୁ ରୁଅ ପାଇଥାନ୍ତା?

ସାନ ଗଛ, ଅଳପ ପତର ବୋଲି, ଛୋଟିଆ ଘରଟେ କରିଛି ସେ। ଅଣ୍ଡା ଦେବା ବେଳ ପାଖେଇଆସିଲା ବୋଲି କେତେ ଅଳପ ଦିନରେ ଘରଟାକୁ ତୋଳିଦେଲେ ଦୁଇପ୍ରାଣୀ! ଚାରି ଦିନ ତଳେ, ମା’ ବାଇଟି ଚାରିଟି ଅଣ୍ଡା ଦେଇଥିଲା। ଆଜି ଗୋଟିଏ ବି ନାହିଁ। ବାଇ ଦୁଇ ପ୍ରାଣୀ କାଠ ହୋଇ ବସିଛନ୍ତି। ଚେଁ ନାହିଁ କି, ଚାଁ ନାହିଁ। ଯେତେ ପାଖକୁ ହାତ ବଢାଇଲେ ବି ଚୁପ୍‌ଚାପ୍‌ ବସିଛନ୍ତି।
ପ୍ରତିରୋଧ କରୁନାହାନ୍ତି। ସତେ ଯେମିତି ମଣିଷର ଦୌରାତ୍ମ୍ୟରେ ହାର ମାନିଯାଇଛନ୍ତି ସେମାନେ।

ପ୍ରଥମେ ତ ଗଛ କାଟି ପଦା କଲେ। କାଁ ଭାଁ ବିଲ ହୁଡାରେ ଖଜୁରୀ ଗଛଟିଏ ଦେଖି ବଞ୍ଚିବାକୁ ଚେଷ୍ଟା କଲୁ। ତା’ପରେ ବିଲରେ ପୋକକୁ ବିଷଦେଇ ଆମ ବଂଶ ଲୋପ କଲେ। ଗାଁ ଛାଡି ଏବେ ସହରକୁ ଆସିଲୁ। ଏଠି ନିରୋଳା ଖଜୁରୀ ଗଛଟିଏ କାହିଁ? ନିରୋଳା କହିଲେ, ମଣିଷ ଦୌରାତ୍ମ୍ୟରୁ ଦୂର। ଛୋଟ ହେଉ ପଛେ ଖଜୁରୀ ଗଛଟିଏ ତ ଏଠି ନିରୋଳାରେ ଥିଲା। ସାପ ବି ଆସିବାକୁ ଡରୁଥିଲା।
ହେଲେ ଏ ମଣିଷଗୁଡା ଏଡେ ନ’ଙ୍କିଆ, ନିଶୁଣି ପକେଇ ମୋ ଅଣ୍ଡାତକ ନେଇଗଲେ! ଏବେ ହାତ ଲମ୍ବାଉଛ। ଆମକୁ ବି ନେଇଯିବ, ନେଇଯାଉନ?

ଆର ଋତୁକୁ ଯେ ଖଜୁରୀ ଗଛଟେ ନିରୋଳାରେ ମିଳିବ, ଘରଟିଏ ତୋଳି ପୁଣି ଅଣ୍ଡା ଦେଇ ବଂଶ ବଢାଇବୁ, ସେ ଆଶା ଯଦି ଆଉ ନାହିଁ, ବଞ୍ଚିଥାଇ ଲାଭ କ’ଣ?

ପରଦିନ ସକାଳକୁ ବାଇଚଢେଇ ଇତିହାସ ହୋଇଗଲା। ସେମାନେ ଥିଲେ ବାଇଚଢେଇ ବଂଶର ଶେଷ ଦାୟାଦ।