ନାମଫଳକ – କମଳା ଶତପଥି ଦୀର୍ଘବର୍ଷର ଲୀଳାଖେଳା ସାରି ଆଜି ହଠାତ୍ ସକାଳୁ ସକାଳୁ ଏ ଇହଧାମ ତ୍ୟାଗ କଲି ମୁଁ। ରାତିରେ ସବୁକିଛି ଠିକ୍ଠାକ୍ ଥିଲା, ଖିଆପିଆ ବି ବେଶ୍ କରିଥିଲି । ଔଷଧପତ୍ର ଯାହା ଖାଇବା କଥା, ସେସବୁ ବି ଖାଇଥିଲି, ପତ୍ନୀ ସୁରମାଙ୍କ ଶତ ବାରଣ ସତ୍ତ୍ବେ ରାତି ଅଧ ଯାଏଁ ବହି ପଢ଼ିଥିଲି । ତାଙ୍କ ସହିତ ସାମାନ୍ୟ ଯୁକ୍ତିତର୍କ (ଯାହାକୁ ସେ ଝଗଡ଼ା ବୋଲି କୁହନ୍ତି) ବି କରିଥିଲି। ସବୁକିଛି ନିତିଦିନର କଥା ପରି ନିହାତି ସ୍ବାଭାବିକ ଥିଲା, କିନ୍ତୁ ଆଜି ସକାଳୁ ଉଠୁଉଠୁ ଲାଗିଲା ସତେ ଯେମିତି ମୋ ଭିତରୁ କିଛି ଗୋଟାଏ ବାହାରି ଯାଉଛି। ଛାତି ଭିତରଟାକୁ କିଏ ଯେମିତି ଶକ୍ତ ହାତରେ ଦଳିଚକଟି ପକାଉଛି । ସୁରମାଙ୍କୁ ଅତର୍ଚ୍ଛା ଡାକ ଛାଡ଼ିଲି, ମାତ୍ର ଡାକଟା ପାଟି ବାଟ ଦେଇ ବାହାକୁ ବାହାରି ପାରିଲା ନାହିଁ । ଆଉ ସେଇ ଶୋଇବା ଅବସ୍ଥାରେ ହିଁ ମୁଁ ଟଳିପଡ଼ିଲି।
ଏକପ୍ରକାର କହିବାକୁ ଗଲେ ଭଲ ହିଁ ହେଲା। କାହାକୁ ହଇରାଣ କରିନି, କାହାରି ବିରକ୍ତି ସହିଲିନି, ରୋଗରେ ପଡ଼ି ଘୁଅମୁତରେ ଘାଣ୍ଟି ବି ହେଲିନି, ଶୁଖିଲାଟାରେ ହାତଗୋଡ଼ ଚାଲୁ ଚାଲୁ ଚାଲିଗଲି।
ଦୀର୍ଘଶ୍ବାସଟିଏ ବାହାରି ଆସିଲା। ଆଶ୍ବସ୍ତିର କି ଅବସୋସର କହିପାରିବିନି, ତେବେ ବୋଝ ଉତୁରିଯିବାର ଅନୁଭବଟା କାହିଁକି କେଜାଣି ତୀବ୍ର ଭାବରେ ଅନୁଭୂତ ହେଉଥିଲା।
ବେଶ୍ ସମୟ ପର୍ଯ୍ୟନ୍ତ ମୋ ଅସାଡ଼ ଶରୀରଟା ସେମିତି ଖଟ ଉପରେ ଏକୁଟିଆ ହୋଇ ପଡ଼ି ରହିଲା। ସବୁଦିନ ଏ ସମୟଟାରେ ମତେ କେହି ବିବ୍ରତ କରିବାର ସାହସ କରନ୍ତିନି କେବେ। ଡ଼େରିରେ ଉଠିବା ମୋର ସବୁଦିନର ଅଭ୍ୟାସ। ତା’ଛଡ଼ା ସୁରମାର ଏଇଲେ ପୂଜାପାଠ ଚାଲିଥିବ। ଆଉ ଘଣ୍ଟାଏ ଲାଗିବ ତାକୁ ମୋ ପାଖକୁ ଚା’ ନେଇ ଆସିବାକୁ।
ବାହାହେବା ଦିନରୁ ହିଁ ସକାଳର ଚା’ ମୁଁ ସୁରମାଙ୍କ ହାତରୁ ପିଏ । ତାଙ୍କ ପରି ଚା’ ଆଉ କେହି ବନାନ୍ତିନି। ଦିନର ଶୁଭାରମ୍ଭ ତାଙ୍କ ହାତ ତିଆରି ଚା’ରୁ କରିସାରିଲା ପରେ ଯାଇ ଅନ୍ୟ କିଛି ମୁଁ କରେ । ନଚେତ୍ ପୁରା ଦିନଟା ମୋର ଖରାପ ଯାଏ। (ଏଇଟା ମୋର ନିହାତି ବ୍ୟକ୍ତିଗତ ଅନୁଭୂତି, ଏ ବିଷୟରେ ସୁରମାଙ୍କୁ କିଛି ବି ଜଣାନାହିଁ। ତାହା ହିଁ ଠିକ୍, ନହେଲେ ସ୍ତ୍ରୀ ଲୋକମାନେ ଏସବୁ ବିଷୟରେ ଜାଣିଯିବା ପରେ ବେଶ ଗୋଡ଼ ଲମ୍ବେଇ ଥାଆ ।)
ଅଜି ସୁରମା ଚା’କରି ଆଣିବେ, ମାତ୍ର ତାକୁ ଉପଭୋଗ କରିବାକୁ ମୁଁ ଆଉ ନାହିଁ । ମନ ବିଚଳିତ ହୋଇଉଠିଲା । ଲାଗିଲା ଏମିତି ସକାଳୁ ସକାଳୁ ନ ମରି ଆଉ କିଛି ସମୟ ପରେ ମରିଥିଲେ, ଭଲ ହୋଇଥାଆନ୍ତା। କମ୍ ସେ କମ୍ ସୁରମାଙ୍କ ପରିଶ୍ରମ ବ୍ୟର୍ଥ ଯାଇ ନଥାନ୍ତା ପାଖଆଖରେ କେହି ଜଣେ ବି ନାହାନ୍ତି ଦେଖିବାକୁ। ମୋର କିଛି ହେଲା, ନ ହେଲାର ଧ୍ୟାନ ଦେବାର ଆବଶ୍ୟକତା କେହି ଜଣେ ବି ମଣୁ ନାହାନ୍ତି । ବଡ଼ ବିରକ୍ତି ଲାଗିଲା, କେତେ ଦାୟିତ୍ବହୀନ ପରିବାର ମୋର ସତରେ! ବୟସ୍କ ଲୋକଙ୍କୁ କ’ଣ ଏମିତି ଏକୁଟିଆ ଏତେ ସମୟ ପାଇଁ କେହି ଛାଡ଼େ! ମଝିରେ ମଝିରେ ଆସି କ’ଣ ଦେଖାପରଖା କରିବା କଥା ନୁହେଁ!
ପୁଣି ମନେ ପଡ଼ିଲା, କେମିତି କିଏ ବା ଆସିବ ଏପଟକୁ। ମୋ ନିଦ ଖୁବ୍ ପତଳା। ସାମାନ୍ୟ ଖଡ଼୍ଖାଡ଼୍ ହେଲେ ନିଦ ଭାଙ୍ଗିଯାଏ ବୋଲି ସମସ୍ତଙ୍କୁ ବାରଣ କରି ରଖିଥାନ୍ତି ସୁରମା। ତା’ ଛଡ଼ା ଘରର ଏପଟ କଣରେ ଥିବା ଏହି ଘର ଭିତରକୁ ବିନା କାରଣରେ କିଏ ବା କାହିଁକି ଏ ଅସମୟଟାରେ ଆସିବାକୁ ଯିବ। ଏମିତି ବି ମୋ ମଲାଗଲାକୁ କିଏ ବା ଚାହିଁ ବସିଛି ଯେ!
ସୁରମା ଆସିବା ସମୟ ହେଇଗଲା। ମୁଁ ପ୍ରସ୍ତୁତ ହେଇଗଲି ତାଙ୍କ ବ୍ୟାକୁଳତା ଦେଖିବାକୁ (ଖୁସି ବି ଦେଖିପାରେ)। ଖୁବ୍ ଦୟା ଆସୁଥିଲା ମୋରି, ତାଙ୍କ ଉପରେ କି ନିଜ ଉପରେ କହିପାରିବିନି। ଜୀବନସାରା ମୋର ଉପରେ ନିର୍ଭର କରି ଆସିଛନ୍ତି ସେ। ମୋରି ଭଲମନ୍ଦ ଦେଖିବାରେ ସାରା ଜୀବନ ତାଙ୍କ ବ୍ୟତୀତ ହୋଇଛି କହିଲେ ଅତ୍ୟୁକ୍ତି ହେବନି। କେତେ ଶରଧାରେ ଚା’ କରି ଆଣିଛନ୍ତି, ଆଉ ଏଇଲେ ଦେଖିବେ…
ଖଡ଼୍ କରି କିଛି ଗୋଟାଏ ପଡ଼ିଗଲା ବୋଧେ, ଚମକିଉଠିଲି ମୁଁ। ଦରଜା ଆଡ଼କୁ ନଜର ଚାଲିଗଲା । ଧଳାରେ ନାଲିଧଡ଼ି ବାଲା ଶାଢ଼ୀ ପିନ୍ଧି ସୁରମା ଘର ଭିତରକୁ ଧୀରେ ପଶି ଆସୁଆସୁ କିଛି ଗୋଟାଏ ଝୁଣ୍ଟିପଡ଼ିଲେ ବୋଧେ । କ୍ଷଣିକ ପାଇଁ ଅଟକି ଯାଇ ଏକଡ଼ ସେକଡ଼ ଚାହିଁ ପୁଣି ଭିତରକୁ ଆସିଲେ । ଅପୂର୍ବ ସୁନ୍ଦର ଦିଶୁଛନ୍ତି ସେ। ଓଦାବାଳରୁ ଟୋପେ ଟୋପେ ଜଳକଣା ଝରିପଡ଼ୁଛି। ମଥାର ସିନ୍ଦୂରଟୋପା ଦାଉ ଦାଉ ଦିଶୁଛି । ପାଟିରେ ଏପର୍ଯ୍ୟନ୍ତ ବି ଗୁଣୁଗୁଣୁ କରି ମନ୍ତ୍ର ଗାଇ ଚାଲିଛନ୍ତି, ହାତରେ ଅଛି ବାମ୍ଫଉଠା ଚା’ କପ୍ । ମୋ ପାଖକୁ ଆଗେଇ ଆସୁଛନ୍ତି ସେ । ଚାଦର ଖୋଲି ମତେ ଡାକିଲେ। … ଥରେ ଦି’ଥର… ମୋ ନିଶ୍ଚଳ ଶରୀର ଗୋଟେ ପଟକୁ ଗଡ଼ିପଡ଼ିଲା।
ତା’ ପରେ ପରେ ତାଙ୍କ ଆକୁଳ ଚିତ୍କାରରେ ଘରର କଡ଼ିବରଗା ଦୋହଲିଗଲା।
କାନ୍ଦବୋବା, ଛାତିଫଟା, ମୁଣ୍ଡବାଡ଼ା…ସବୁକିଛି ଗୋଟିକ ପରେ ଗୋଟିଏ ଚାଲିଲା ପ୍ରାୟୋଜିତ କାର୍ଯ୍ୟକ୍ରମ ପରି। ସନ୍ତୋଷରେ ମନ ଭାରି ଭାରି ଲାଗୁଥିଲା। ଯାହାହେଉ ମୋର ଅବର୍ତ୍ତମାନ ଘର ଉପରେ, ପରିବାର ଉପରେ, ଖାସ୍ କରି ସୁରମାଙ୍କ ପରେ ଗଭୀର ପ୍ରଭାବ ପକେଇଛି । ଖୁବ୍ ବିଚଳିତ ଲାଗୁଛନ୍ତି ସମସ୍ତେ। ହଁ, ଏତିକିର ଆଶା ତ ମୋର ବି ଥିଲା ।
ଚାହୁଁ ଚାହୁଁ କିଛି ସମୟ ଆମ ଘରର ଶାନ୍ତ ପରିବେଶ ପୁଅବୋହୂ, ଝିଅଜୋଇଁ, ଶଳାଶାଳୀ, ବନ୍ଧୁବାନ୍ଧବଙ୍କ କଳରବରେ ଗହଳଚହଳ ହେଇଉଠିଲା। ରବିବାରର ସକାଳ, ତେଣୁ ପହଞ୍ଚିବାରେ କାହାର ବିଳମ୍ବ ହେଲାନାହିଁ। ଅବଶ୍ୟ କେହି କେହି ନିଶ୍ଚୟ ମନେ ମନେ ଭାବୁଥିବ, ଗଲା, ଆଜି ଏ ବୁଢ଼ା ପାଇଁ ପୂରା ରବିବାରଟା ଖରାପ ହୋଇଗଲା। କେତେ ନିଶ୍ଚିତରେ ବସିବସି ଦିନଯାକର କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା, ସବୁ ମାଟିରେ ମିଶିଗଲା। ୟାକୁ କଣ ଆଉ କେଉଁଦିନ ମରିବାକୁ ହେଲାନାହିଁ। ମଲା ତ ମଲା, ରବିବାର, ପୁଣି ସକାଳୁ ସକାଳୁ।
ନା, ନା, ସେମିତି କେହି ଭାବୁ ନଥାଇ ପାରନ୍ତି ଏଇଲେ, ସମସ୍ତଙ୍କ ମନ ଦୁଃଖରେ ଭାରି ଭାରି ହୋଇଗଲା ପରି ଲାଗୁଛି। ଅବଶ୍ୟ ମୁଁ ସେମାନଙ୍କ ପାଇଁ ଅଲୋଡ଼ା ଅଖୋଜା ଥିଲି, ତଥାପି ଥିଲି ତ। ପ୍ରଥମରୁ ମୁଁ ଏତେଟା ସାମାଜିକ ପ୍ରାଣୀ ନୁହେଁ। ଯାହା ସାମାନ୍ୟ ବା ଥିଲି, ଏଇ କିଛି ବର୍ଷ ହେଲାଣି ସମସ୍ତଙ୍କଠାରୁ ଏକଦମ୍ କଟିଯାଇ ସବୁଥିରେ ପୂର୍ଣ୍ଣଚ୍ଛେଦ ମାରି ଦେଇଛି। ନା କୁଆଡ଼େ ଯାଉଥିଲି, ନା କେହି ଆସିଲେ ମତେ ଖୋଜୁଥିଲେ । ଯେ କେହି ବି ଆସୁଥିଲେ ସେମାନେ ସେପଟୁ ସେପଟୁ ବିଦା ହେଉ ଯାଉଥିଲେ। ଘରର ଏପଟକୁ, ମାନେ ମୋ ପାଖକୁ ସୁରମାଙ୍କ ବ୍ୟତୀତ ଆଉ କେହି କେବେ ଆସିବାର ମୋର କାହିଁ ମନେ ପଡ଼ୁନି। ସତ କହିବାକୁ ଗଲେ କାହାର ନଆସିବାଟା ହିଁ ମତେ ଭଲ ଲାଗୁଥିଲା।
ସେପଟ ଘର ଏଇଲେ ହୋ ହୋ ଶବ୍ଦ ଜୋରରେ ଶୁଭୁଛି। ସମସ୍ତେ ସୁରମାକୁ ବୋଧ ଦେଉଛନ୍ତି…ବୋଧ ଦେଉଛନ୍ତି କି ମୋ ମୃତ୍ୟୁ ପାଇଁ ବଧେଇ ଜଣାଉଛନ୍ତି କେଜାଣି! ନିଶ୍ଚୟ ସୁରମାଙ୍କ ଉପରେ ମୁଁ ବୋଝ ଥିଲି। ମୋ ଲାଗି ସେ କୁଆଡ଼େ ଯାଇ ଆସି ପାରୁ ନଥିଲେ। ସେଇଥିପାଇଁ ତ ସେଦିନ ବିରକ୍ତ ହେଇ କହିଥିଲେ, ‘ଆଚ୍ଛା ଲୋକ ହେଇଛି, ଟିକିଏ କାହା ସଙ୍ଗେ ଯାଇ ମିଳାମିଶା କଲେ କଣ ହୁଅନ୍ତାନି। ବାହାର ଦୁନିଆରେ କଣ ଚାଲିଛି, କେମିତି ଚାଲିଛି, ଯଦି ଏଠୁ ନବାହାରିବ, ତେବେ ଜାଣିବ କେମିତି? ସମସ୍ତେ ତମ କଥା ପଚାରି ପଚାରି ମତେ ହାଲିଆ କରୁଛନ୍ତି, କାହିଁକି ଯାଉନ ବୋଲି ଫୋନ୍ କରୁଛନ୍ତି, ଏମିତି ହେଲେ କେମିତି ଚଳିବ?
ଏଇଟା ତାଙ୍କର ମୋ ପ୍ରତି ପ୍ରଶ୍ନ ନା ଅଭିଯୋଗ, ମୁଁ ବୁଝିପାରି ନ ଥିଲି ପ୍ରଥମେ। ଏତେ ବର୍ଷ ହେଲାଣି ଘରସଂସାର କରିବା ମୋ ସହିତ। ସେ କ’ଣ ଆଜିଯାଏ ଜାଣିନାହାନ୍ତି ମତେ ଲୋକବାକଙ୍କ ସହିତ ଅଯଥାରେ ମିଳାମିଶା କରିବା ପସନ୍ଦ ନୁହେଁ ବୋଲି। ତେବେ ଆଜି ହଠାତ୍ କାହିଁ ଏ ପ୍ରଶ୍ନ! ନିଶ୍ଚୟ ବିରକ୍ତ ହେଇଯିବେଣି। ମୁହଁରେ ନ କହିଲେ ବି ମନେ ମନେ ଭାବୁଥିବେ କେବେ ମୁଁ ଏ ସଂସାର ତ୍ୟାଗ କରିବି, ଆଉ ସେ ଶାନ୍ତିରେ ନିଶ୍ବାସ ମାରିବେ। ଅବଶ୍ୟ ମୁଁ ତାଙ୍କୁ କେବେ ବାନ୍ଧି ରଖିନାହିଁ କି କୁଆଡ଼େ ଯିବାକୁ ବାରଣ କରିନାହିଁ। ସେ ନିଜେ ନିଜେ ହିଁ ମୋ ପଛରେ ବାନ୍ଧି ହୋଇଯାଇଛନ୍ତି। ମୁଁ ଜାଣିଛି, ବାହାରେ ବୁଲାବୁଲି କରିବାଟା ତାଙ୍କୁ ଭାରି ପସନ୍ଦ। କିନ୍ତୁ ମୋରି ପାଇଁ କେବେ କୁଆଡ଼େ ଯାଇ ପାରୁନାହାଁନ୍ତି ବୋଲି ପ୍ରକାରାନ୍ତରେ ଅନେକ ଥର ଏଇ ଭିତରେ ଜଣେଇ ଦେଇ ସାରିଲେଣି। ପ୍ରତ୍ୟକ୍ଷରେ ବି ଥରେ ଦି’ଥର କହିଦେବା କଥା ମୋର ମନେ ପଡ଼ିଯାଉଛି।
ଭଲହେଲା ମୁଁ ଆଜି ମରିଗଲି। ସ୍ବାଧୀନ ହେଇଗଲେ ସେ। ଯୁଆଡ଼େ ଇଚ୍ଛା ସିଆଡ଼େ ଯାଇ ବୁଲିବେ, ମଉଜ କରିବେ, ସାଙ୍ଗଦୋସ୍ତି ବଢ଼େଇ ସିନେମା ଥିଏଟର ଯିବେ, ପାର୍ଟି ପିକ୍ନିକ୍ କରିବେ।
ସେପଟ ବାରଣ୍ଡା ଉପରେ ଠିଆହୋଇ ଲୋକମାନଙ୍କୁ ସ୍ବାଗତ କରିବା ସାଥେ ସାଥେ ବଡ଼ ବିକଳ ସ୍ବରରେ କାନ୍ଦି ଚାଲିଛନ୍ତି, ପୁଅ ଦୁଇଜଣ। ଦୁଃଖରେ କାନ୍ଦୁଛନ୍ତି କି ସୁଖରେ, କିଏ କହିପାରିବ! ରାଇଜଯାକର ଲୋକଙ୍କୁ ଯୋଉ ଏକାଠି କରିଛନ୍ତି, ସମସ୍ତେ ତ ସେଇମାନଙ୍କ ଚିହ୍ନା ପରିଚିତ, ଆଉ ତାଙ୍କ ଆଗରେ ଲୁହ ଗଡ଼େଇ ନ କାନ୍ଦିଲେ କେମିତି ଚଳିବ! ନିଜ ସମ୍ମାନ ବଞ୍ଚେଇବାକୁ ହେଲେ ଖୁସି ହେବାର ପ୍ରଦର୍ଶନ କେମିତି କରିପାରିବେ! ହେଲେ ମୁଁ କ’ଣ ଜାଣିନି… ଏ ବୁଢ଼ାବାପା ତାଙ୍କ ପାଇଁ କେତେ ବୋଝ ଥିଲା । ହେଇ ସେଦିନ ପରା ଶୁଣେଇ ଶୁଣେଇ ନିଜ ମାଇପକୁ କହୁଥିଲା, ‘ଡାକ୍ତର କହିବା ଅନୁସାରେ ବାପାଙ୍କ ଦେହ ସେମିତି କିଛି ତ ହୋଇନି… କିନ୍ତୁ କ’ଣ କରାଯିବ, ସେ ମାନିଲେ ତ! ଅଯଥାରେ ଗୁଡ଼ାଏ ପଇସା ଖର୍ଚ୍ଚ ହେଉଛି…’
ହଁ, ବାପାଙ୍କ ଚିକିତ୍ସା ଖର୍ଚ୍ଚ ତ ପୁଅ ପାଇଁ ସବୁବେଳେ ଅଯଥା ହିଁ ହୋଇଥାଏ… ଦୁନିଆରେ ନିୟମ ଏଇଟା । ଆଉ ସେ କାହିଁ ସେ ନିୟମ ଭଙ୍ଗ କରିବ। ଯଦି ସବୁ ଖର୍ଚ୍ଚରେ ପୂର୍ଣ୍ଣଚ୍ଛେଦ ପଡ଼ିଗଲା, ତାହାହେଲେ କାହିଁ ଆଉ ଏ ଲୁହଝରାର ନାଟକ । ଏବେଠୁ ତ ପ୍ରତି ମାସରେ ସଞ୍ଚୟ ବଢ଼ିବଢ଼ି ଯିବ। ହଁ, ମୁଁ ଦେଖିବିନି କି…କେତେ ପଇସା ରଖି କୋଠାବାଡ଼ି ବାଡ଼େଇ ପକାଉଛି!
ସାନଟା ବି କୋଉ କମ୍! ସୁରମାଙ୍କ ସହିତ ସେଦିନ ପରା ଘାମାଘୋଟ ଯୁକ୍ତିତର୍କ କରୁଥିଲା…କ’ଣ ନା ଏଥର ଘରଦ୍ବାର ବାଣ୍ଟ କରିଦେବା ଠିକ୍ ରହିବ। ଭାଇ ତା’ ସଂସାର ଚଳଉ, ମୁଁ ଚଳେଇବି ମୋର। ରାଗ ମାଡ଼ିଥିଲା ମତେ । ବାପା ମାଆ ଦିଇଟା ବଞ୍ଚି ଥାଉ ଥାଉ କେମିତି ଭାବି ପାରୁଛି ସେ ସମ୍ପତ୍ତିର ଭାଗବଣ୍ଟୁରା କଥା! ଏ ସମ୍ପତ୍ତି କ’ଣ ସରଗରୁ ଓହ୍ଲାଇଥିଲା, ସବୁ ମୋରି ରକ୍ତ ଆଉ ଝାଳରେ ଗଢ଼ା । କୋଉ ହିସାବରେ କହି ଦଉଛି ଭାଗବଣ୍ଟରା କରିଦିଅ ବୋଲି!
ଚଢ଼ା ଗଳାରେ ପଚାରି ଦେଇଥିଲି, ‘ସବୁକିଛି ତୁମ ଦୁଇଜଣଙ୍କ ଭିତରେ ବାଣ୍ଟ କରିଦବୁ ଯଦି ଆମେ ଚଳିବୁ କେମିତି! ରହିବୁ କୋଉଁଠି? ମୋର ଗମ୍ଭୀର ସ୍ବର ସମସ୍ତଙ୍କୁ ଚମକେଇ ଦେଇଥିଲା। ଥ ଥ ମ ମ ହୋଇ ଉଠିଥିଲେ ଦୁହେଁ । ସାଧାରଣତଃ ମୋ ପରିକା ସଂସାର ବିରାଗୀ ଲୋକ ପାଖରୁ ଏହି ଏକ ପ୍ରଶ୍ନର ଆଶା ସେମାନେ କରି ନ ଥିଲେ।
କିନ୍ତୁ ବଡ଼ର ବୁଦ୍ଧିକୁ ମାନିବାକୁ ପଡ଼ିବ। ଚଟ୍ କରି କହିଦେଲା, ‘ତୁମେମାନେ ମୋ ପାଖରେ ରହିବ। ମୁଁ ଘରର ବଡ଼ପୁଅ, ତୁମମାନଙ୍କର ଦାୟିତ୍ବ ମୋର । ସାନ ଯଦି କହୁଛି, ତେବେ ତୁମେ ଥାଉ ଥାଉ ସବୁକିଛି ବାଣ୍ଟି ଦବାଟା ଠିକ୍ ରହିବ।’
ଶେଷ ଧାଡ଼ିଟା ମନ ଉଚ୍ଚାଟ କରିପକେଇଲା। ମୁଁ ଥାଉ ଥାଉ ମାନେ? ସମସ୍ତେ କ’ଣ ଭାବିନେଲେଣି ମୁଁ ଆଉ ବେଶୀ ଦିନର ନୁହେଁ। ନିରାଶ ହେଇଗଲି ମୁଁ। ଅବଶ୍ୟ ସବୁ ନୈରାଶ୍ୟ ଭିତରେ ବି ବଡ଼ର ଆଶ୍ବାସନା ଯେ ଆମର ଦାୟିତ୍ବ ସେ ନିଜେ ନେବ, ଭଲ ଲାଗିଥିଲା ମତେ। କିନ୍ତୁ କିଏ ଜାଣେ, ସେଥିରେ କେତେ ଆତ୍ମୀୟତା ରହିଛି! ଯୋଉଁ ପିଲାମାନେ ବାପା ମା’ ଥାଉ ଥାଉ ଘର ମଝିରେ କାନ୍ଥ ଠିଆ କରିଦେବାକୁ ମନ ପକ୍କା କରିନେଲେଣି, ସିଏ ପରେ ବାପାମାଆଙ୍କ ଭିତରେ ଭାଗ ବାଣ୍ଟୁରା କରିନେବେନି ତ!
ସ୍ବାର୍ଥପର! ସମସ୍ତେ ସ୍ବାର୍ଥପର! ସମସ୍ତେ କେବଳ ନିଜ ନିଜର ସୁଖସୁବିଧା କଥା ଚିନ୍ତା କରିବାରେ ବ୍ୟସ୍ତ ଏଠି । ଭଲ ହେଲା, ଏମାନଙ୍କଠୁ ପିଛା ଛଡ଼େଇ ନେଲି ମୁଁ। ଆଉ କିଛିଦିନ ଆଗରୁ ଚାଲି ଯାଇଥିଲେ ବେଶୀ ଭଲ ହୋଇଥାଆନ୍ତା। ସେମାନେ ନୁହେଁ, ମୁଁ ହିଁ ମୁକ୍ତି ପାଇ ଯାଇଥାନ୍ତି।
ମୁଁ କୁଆଡ଼େ ବଦ୍ରାଗୀ, ଅସଂସାରୀ, କଞ୍ଜୁସ୍, କାହା ପ୍ରତି ମାୟା ମମତା ନାହିଁ ମୋର… ଏଇ ଜୀବନକାଳ ଭିତରେ ଥରଥର କରି ଅନେକ ଥର ମୋରି ଉଦ୍ଦେଶ୍ୟରେ କୁହାଯାଇଛି ଏସବୁ। ମୋ ପରିକା ଲୋକ ସତରେ ଶୀଘ୍ର ମରିଯିବା କଥା । ଯେତେ ବେଶୀ ବଞ୍ଚିରହିବି, ସେତେ ଅସୁବିଧା ସୃଷ୍ଟି କରିବି ସମସ୍ତଙ୍କ ପାଇଁ। ହଁ, ସମସ୍ତେ ନିଶ୍ଚୟ ଏଇଆ ଚାହୁଁଥିବେ, କିନ୍ତୁ ପାଟି ଫିଟେଇ କହିପାରୁ ନଥିବେ। ଯାହାହେଉ ଏତେ ଦିନ ପରେ ସେମାନଙ୍କ ଈପ୍ଷିତ ସ୍ବପ୍ନ ଅଚିରେ ସଫଳ ହେଇଗଲା।
ଗୁଡ଼ାଏ ଦୀର୍ଘଶ୍ବାସ ଅନେକ ଦିନରୁ ଛାତି ଭିତରେ ଜମା କରି ରଖିଥିଲି। ଆଜି ସେମାନଙ୍କୁ ମୁକ୍ତ କଲାବେଳେ ଭାରି ଆଶ୍ବସ୍ତ ଲାଗୁଥିଲା ମତେ । କେହି ଜାଣିବେ ନାହିଁ କି ପଚାରିବେ ବି ନାହିଁ… କିଛି କହିପାରିବେ ବି ନା ହିଁ। ମୁଁ ମରିଯାଇଛି… ଖୁବ୍ ଭଲ ହେଲା… ମୋ ପାଇଁ ଆଉ ଅନ୍ୟମାନଙ୍କ ପାଇଁ ବି।
ଘରର ଅଗଣାରେ ଧଳା ଚାଦରଟିଏ ଢାଙ୍କି ମତେ ଶୁଆଇ ଦେଇଛନ୍ତି । ସମସ୍ତଙ୍କୁ ସେ ଚାଦର ଭିତରୁ ଭଲ ଭାବରେ ମୁଁ ଦେଖିପାରୁଛି, ଶୁଣି ପାରୁଛି ସେମାନଙ୍କ କଥା। ଅବଶ୍ୟ ଆଉ ସେସବୁ ଶୁଣିବାର ଆଗ୍ରହ ମୋର ନାହିଁ । ଏବେ ଖାଲି ମୁଁ ଭାବୁଛି ମୋ ଘର କଥା। କେତେ ଯତ୍ନରେ, କେତେ ଶ୍ରଦ୍ଧାରେ ବନେଇଥିଲି ତାକୁ! କେତେ ଅଭାବ, ଅସୁବିଧା, କଷ୍ଟ ଯନ୍ତ୍ରଣା ସହି ଏ ଘରର କାନ୍ଥବାଡ଼ ଠିଆ କରିଥିଲି । କୋଉଠୁ ଟାଇଲ୍ ତ ଆଉ କୋଉଠୁ ସିମେଣ୍ଟ ବାଲି ଇଟା ଯୋଗାଡ଼ କରି ଆଣିଥିଲି । ଖରାତରାରେ ନିଜକୁ ସିଝେଇ ଘର ତିଆରି କଲି, କିନ୍ତୁ କି ଲାଭ! ନିଶ୍ଚିନ୍ତରେ ଦଶଟା ବର୍ଷ ବି ତ ରହିପାରିଲି ନାହିଁ । ରୋଗବଇରାଗ ଗୋଟାକ ପରେ ଗୋଟାଏ କରି ବେଢ଼ିଗଲା ମତେ। କହିଲା ଲୋକ କହିଗଲେ, ତମକୁ ଏ ଘର ସୁହାଇଲାନି!
ରାଗରେ ଥରି ଉଠିଥିଲି । ବୟସ ହେଲେ ତ ସମସ୍ତଙ୍କ ଦେହ ମୁଣ୍ଡ ଜବାବ ଦେବ, ଏଥିରେ ଘର ସୁହାଇବା ନସୁହାଇବା କଥା କ’ଣ ଅଛି! ଈର୍ଷାରେ ତ ଜଳିପୋଡ଼ି ଯାଉଛନ୍ତି ସମସ୍ତେ! କାହିଁକି କେଜାଣି ମୋ ହାତ ତିଆରି ଏ ମନ୍ଦିର ବିଷୟରେ କେହି କିଛି ବି କହିଲେ ମୋ ଦେହରେ ନିଆଁ ଚେଙ୍କ ଲାଗିଯାଏ। ସେଇଥିପାଇଁ ସୁରମା କେବେ କେବେ ରାଗରେ ହେଉ କି ଚିଡ଼େଇବାକୁ ହେଉ କହିପକାନ୍ତି, ‘ତୁମ ପାଇଁ କ’ଣ ଆମେ ବଡ଼ କି, ଏ ଘର ହିଁ ତମ ପାଇଁ ସବୁକିଛି । କୋଉଦିନ ଖାଲି ୟାକୁ ହିଁ ଜାବୁଡ଼ି ଧରି ପଡ଼ି ରହିଥିବ, ଗୋଟି ଗୋଟି ହେଇ ଆମେ ସମସ୍ତେ କୁଆଡ଼େ ଚାଲି ଯାଇଥିବୁ ।’
ସତକଥା, ଏ ଘରକୁ ମୁଁ ଖୁବ୍ ଭଲ ପାଏ । ଏ ଘରର ଅନ୍ଧିସନ୍ଧି, ବାଡ଼ିବଗିଚା, ବାରଣ୍ଡା, ଅଗଣା, ସବୁଆଡ଼େ ନିଜର ଛାପ ରଖିବାକୁ ଚାହେଁ । ଏ ସହରର ସବୁଠୁ ସୁନ୍ଦର ଘର କହିଲେ, ମୋରି ଘରକୁ ହିଁ ଲୋକମାନେ ଜାଣନ୍ତି । ଏହାକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ଯେତେ ପରିଶ୍ରମ ମୁଁ କରିଛି, ତାକୁ କେହି କେବେ ଚିନ୍ତା ବି କରିପାରିବେ ନାହିଁ । ବାହାର କାନ୍ଥରେ ଲଗା ଯାଇଥିବା ନାମ ଫଳକରେ ସେଥିପାଇଁ କେବଳ ମୋରି ନାଁ ମୁଁ ଲେଖିଛି। କେତେଜଣ ପଚାରନ୍ତି ସୁରମାଙ୍କ ନାମ କାହିଁ ରଖିନାହିଁ ସେଠି । କିଛି ଉତ୍ତର ଦିଏନି ମୁଁ । ସେସବୁ ମୋର ନିହାତି ବ୍ୟକ୍ତିଗତ ଇଚ୍ଛା, ସେଥିରେ କାହାର ମୁଣ୍ଡ ଖେଳେଇବାକୁ ମୁଁ ପସନ୍ଦ କରେନା ।
ଏ ଘରକୁ ଭଲ ପାଏ ମୁଁ, ଆଉ ଘର ବି ଭଲପାଏ ମତେ । ଏଇଟା ମୋର ବିଶ୍ବାସ । କିଏ ସେକଥାକୁ ମାନୁ କି ନ ମାନୁ, ସେଥିରେ ମୋର କିଛି ଯାଏଆସେ ନାହିଁ। ଆମ ଭଲପାଇବାରେ ଅଛି ନିସ୍ବାର୍ଥପରତା । ତା’ ବିନା ମୁଁ, ଆଉ ମୋ ବିନା ସିଏ… କେତେ ଅସମ୍ପୂର୍ଣ୍ଣ ସତରେ! କାଲିଠାରୁ ସବୁକିଛି ଶୂନ୍ଶାନ୍ ହୋଇଯିବ ଏଠି। ଏ ଘରତ ଥିବ, କିନ୍ତୁ ମୁଁ ନ ଥିବି। କିଏ ଜାଣେ ମୋ ନାଁ ବି ଆଉ କେହି ଉଚ୍ଚାରଣ କରିବ ଏଠି କି ନା! ଗୁମ୍ସୁମ୍ ହେଇଗଲି ମୁଁ। ଆଖିରୁ ଦୁଇଧାର ଲୁହ ଗଡ଼ିଆସି ଓଦାକରି ପକେଇଲା ମୋ ଛାତି। ସନ୍ଧ୍ୟା ପୂର୍ବରୁ ଦାହକାର୍ଯ୍ୟ ଶେଷ କରିଦେଇ ନିଜ ନିଜ ବାଟରେ ସମସ୍ତେ ଚାଲିଯାଇଥିଲେ। ଭାରି ଖାଁ ଖାଁ ଲାଗୁଥିଲା ଘର ଭିତରଟା । ମୋ ଶରୀରରେ ନିଆଁ ଲଗେଇ ତାକୁ ପୋଡ଼ି ଦିଆଗଲା ସିନା, ହେଲେ ମୁଁ ରହିଗଲି ଏଇଠି, ଘରର ନାମଫଳକରେ। ସେତିକିରେ ବି ମୁଁ ସନ୍ତୁଷ୍ଟ ଥିଲି। ହେଲେ ରହି ରହି ଭୟଟିଏ ମୋ ଭିତରେ କଡ଼ ଲେଉଟଉ ଥିଲା । ଆଉ କେତେ ସମୟ ରହିପାରିବି ଏଠି ମୁଁ! ନିଶ୍ଚୟ କିଛି ନା କିଛି ଯୋଜନା କରୁଥିବେ, ସମସ୍ତେ ଏଠୁ ବି ମତେ ବାହାର କହିଦେବା ପାଇଁ । ସବୁଦିନ ପାଇଁ ମତେ ଏ ଘରୁ ବିଦା କରିଦେଇ ନିଷ୍କଳଙ୍କ ଭାବେ ଏହାର ଉତ୍ତରାଧିକାରୀ ହୋଇଯିବା ପାଇଁ।
ନା, ନା, ସେମିତି ହେବାକୁ ଦେବିନି ମୁଁ । ମତେ ଏଠୁ କେହି ବି ବାହାର କରିଦେଇ ପାରିବେନି। ଏ ଘର ମୋର, ୟାକୁ ମୁଁ ଗଢ଼ିଛି ମୋ ନିଜ ହାତରେ, ଲୁହ ଲହୁ ସିଞ୍ଚି । ତୁମେମାନେ ଯେତେ ଚେଷ୍ଟା କର, ହେଲେ ମୁଁ ୟାକୁ ଛାଡ଼ିଯାଇ ପାରିବିନି । ଦୟାକର ମୋ ଉପରେ । ମତେ ଏଇଠି, କେବଳ ଏଇଠି ତ ରହିବାକୁ ଦିଅ। କାନ୍ଦି ପକେଇଲି ମୁଁ କଇଁ କଇଁ ହୋଇ। ‘ମୋ ଘର… ମୋ ଘର…’ ବୋଲି ଚିତ୍କାର କରିଉଠିଲି । କିନ୍ତୁ କୋଉଁଠି ବି ପ୍ରତିଧ୍ବନିତ ହେଲା ନାହିଁ ସେ ସ୍ବର । ବାର କାର୍ଯ୍ୟ ସରିଗଲା । ବହୁତ ଲୋକ ଡାକି ସବୁକିଛି ଯୋଜନାବଦ୍ଧ ଭାବରେ ସମ୍ପନ୍ନ କରିଦିଆଗଲା । ଯେଉଁମାନେ ଆସିଥିଲେ, ପିଲାଙ୍କୁ ସାନ୍ତ୍ବନା ଦେଉଥିଲେ ଯେତିକି ଏ ଘରକୁ ଶୋଷି ଯାଉଥିଲେ ସେତିକି । ସମସ୍ତଙ୍କ ଦୃଷ୍ଟିରେ କେମିତି ଗୋଟିଏ ଈର୍ଷାଳିଆ ଭାବ ଦେଖିପାରିଥିଲି । ହେଲେ ମତେ ଆଉ ସେ ସବୁ ଖରାପ ଲାଗୁ ନଥିଲା । କ’ଣ ପାଇଁ ଆଉ ଲାଗିବ ଯେ! ସେମାନଙ୍କ ପରି ମୁଁ ବି ତ ଏ ଘରେ ଆଉ ମାତ୍ର କେଇଘଣ୍ଟା କି ଦିନ ପାଇଁ ହିଁ ରହିବାର ସୁଯୋଗ ପାଇବି। ତା’ପରେ ସେମାନଙ୍କ ପରି ମୋ ନଜରରେ ବି ଭରି ରହିଯିବ ସବୁଦିନ ପାଇଁ ଗୋଟିଏ ବ୍ୟାକୁଳତା! ନଥିବାର ଅବଶୋଷ।
ଦିନ ପନ୍ଦରଟା ଯାଉ ନଯାଉଣୁ, ସମସ୍ତେ ଫେରି ଆସିଲେ ନିଜ ନିଜ ରୁଟିନ୍ ଭିତରକୁ। ସୁରମାଙ୍କ ରୁଟିନ୍ ଯେହେତୁ ମୋ ସହିତ ବନ୍ଧା ରହିଥିଲା, ସେଥିରେ ବହୁତ କିଛି ପରିବର୍ତ୍ତନ ଆସିଗଲା। ମୋ କଥା ମନେ ପକେଇବାକୁ କି ମୋ ପାଇଁ ଘଡ଼ିଏ ଦି’ ଘଡ଼ି ଶୋକ କରିବାକୁ ଆଉ କାହା ପାଖରେ ବି ସମୟ ନଥିଲା। ଏ ଘରର ସବୁ ସ୍ଥାନରୁ ମୋ ଅସ୍ତିତ୍ବ ପୋଛା ହୋଇଯାଇଥିଲା, କେବଳ ରହିଯାଇଥିଲି ସେଇ ନାମଫଳକ ଭିତରେ ମୁଁ। ସେତିକି ସାନ୍ତ୍ବନା ମୋ ପାଇଁ ଯଥେଷ୍ଟ ଥିଲା।
କିନ୍ତୁ ଦିନ କେଇଟା ଭିତରେ ସେ ସାନ୍ତ୍ବନା ସରିଯିବାର ସମୟ ଆସିଗଲା। ପୁଅ ବୋହୂ ନାତିନାତୁଣୀ କିଛି ଦିନ ଧରି ଭାରି ଗୋଟାଏ ଗୁରୁତର ଆଲୋଚନା କରିବାରେ ଲାଗିପଡ଼ିଛନ୍ତି। ସୁରମା ସେ ବିଷୟରେ କିଛି ଜାଣିଥିଲେ କି ନ ଜାଣିଥିଲେ, କହିପାରିବିନି। ଏମିତି ବି ତାଙ୍କ ଜାଣିବା ନ ଜାଣିବାରେ ଆଉ କିଛି ନ ଥିଲା। ଏବେ ସଂସାରର ଡୋର ତାଙ୍କ ହାତରୁ ଯାଇ ପୁଅବୋହୂଙ୍କ ହାତରେ ରହିଗଲାଣି । ସେମାନେ ଯାହା ଚାହୁଁଛନ୍ତି, ନିଜ ହିସାବରେ ହିଁ ସବୁକିଛି କରୁଛନ୍ତି।
ସେମାନଙ୍କୁ ଏମିତି ଫୁଟୁରଫାଟର ହେଉଥିବାର ଦେଖି ମୁଁ ଆତଙ୍କିତ ହୋଇପଡ଼ିଲି। ଏ ଘର ଉପରୁ ମୋର ଶେଷ ଅଧିକାର ବି ସମାପ୍ତ ହେଇଯିବାର ସମୟ ଆସିଗଲା। କେତେ କଷ୍ଟରେ କରିଥିଲି ୟାକୁ, କେତେ ଶ୍ରଦ୍ଧାରେ ସଜେଇଥିଲି… ଆଖିର ଲୁହ ବନ୍ଧବାଡ଼ ନମାନି ବହିଚାଲିଗଲା।
ସେମାନେ ସମସ୍ତେ ଆସି ବାହାର ବାରଣ୍ଡାରେ ଠିଆହେଲେ। ଏପଟସେପଟ କରି ଚାହିଁଲେ। ଧଡ଼୍କରି କାନ୍ଥରୁ ନାତି ଟୋକାଟା ଭିଡ଼ିଆଣିଲା ମୋର ଅସ୍ତିତ୍ବକୁ । ଜରିରେ ପୂରେଇ ରଖିଦେଲା ପରେ ଆଉ ଗୋଟାଏ କାଢ଼ିଲା। ମପାମପି କରି ଦେଖିଲା। ମୁଁ ଆଉ ଚାହିଁ ପାରିଲିନି ସେ ଆଡ଼େ । ମଝି ଆଷାଢ଼ର ବର୍ଷା ବେଗଠାରୁ ବି ଅଧିକ ଥିଲା ମୋର ଆଖିର ଲୁହ । ଅସରନ୍ତି ଅଭିମାନ ନେଇ ଗେଟ୍ ଖୋଲି ବାହାରକୁ ଚାଲିଆସିଲି ମୁଁ। ସବୁ ମୋହମାୟା ମୋର ଛିଡ଼ିଗଲା ଆଜିଠୁ। ମୁଁ ଏବେ ପ୍ରକୃତରେ ମରିଗଲି। ଆଉ ଏ ସହରରେ ମତେ କେହି ବି ଚିହ୍ନିବେ ନାହିଁ, କେହି ବି ଜାଣିବେ ନାହିଁ । ମୋର ଶେଷ ଅସ୍ତିତ୍ବର ବି ମୃତ୍ୟୁ ହେଇଗଲା। କିନ୍ତୁ ଦୁଃଖର ବିଷୟ ସେ ମୃତ୍ୟୁ ହେଲା ମୋ ଘରଲୋକଙ୍କ ଦ୍ବାରା। ଆଉ ଏଠି ମୋର କିଛି ନାହିଁ, କି ମୋ ପାଇଁ କେହି ନାହିଁ। ଏ ଜାଗା ଛାଡ଼ି ଚାଲିଯିବି ବହୁ ଦୂରକୁ।
ଚାଲିଗଲା ପୂର୍ବରୁ ଆଉ ଥରେ ମୋ ସ୍ବପ୍ନର ମନ୍ଦିରକୁ ଆଖି ପୂରେଇ ଦେଖିନେବି କି? ମନଭରି ଆଉଁସି ଦେବି କି। କିଏ ଜାଣେ, ଆଉ କେବେ ସିଏ ମତେ ଚିହ୍ନିବ କି ନ ଚିହ୍ନିବ! ଏବେ ତ ଛାତିରେ ତାର ନୂତନ ମାଲିକର ନାଁ। ଆଖି ଛଳଛଳ ହେଇଆସିଲା। ସବୁକିଛି କେତେ ଶୀଘ୍ର ଶେଷ ହୋଇଗଲା ଜୀବନରୁ! ନା ଜୀବନ ହାରିଲା, ନା ରହିଲା ଭାବପ୍ରବଣତା। ହଉ, ଯାହା ହେବା କଥା ହେଇସାରିଲାଣି। ଆଉ ସେ ସବୁକୁ ଭାବିବସିଲେ କଣ ବା ମିଳିବ ଦୁଃଖ ଛଡ଼ା! ଯେତିକି ଭାଗ୍ୟରେ ଥିଲା ସେତିକି ଭୋଗ କଲି, ଏବେ ଅନ୍ୟମାନେ କରନ୍ତୁ।
ମନକୁ ବୁଝାଇଥିଲି ସତ, ହେଲେ ମନ କହୁଥିଲା, ଚାଲ ଥରେ ଆମେ ଯିବା। ଏତେ ଦିନର ସମ୍ପର୍କ। ଏତେ ଶୀଘ୍ର ଛାଡ଼ିଯିବାକୁ କଷ୍ଟ ଲାଗୁଛି। ମନ କଥା ଶୁଣିଲି। ଫେରିଆସିଲି। ଦରଜା ଖୋଲି ଭିତରକୁ ପ୍ରବେଶ କଲି। ସବୁକିଛି ଥିଲା ଯେମିତି ସେମିତି। ବହୁ ବର୍ଷ ପୂର୍ବରୁ ଯେମିତି ଗଢ଼େଇଥିଲି ମୁଁ, ଯେମିତି ସଜେଇ ଥିଲେ ସୁରମା, ଠିକ୍ ସେମିତି। ଖାଲି ଯାହା ବଦଳି ଯାଇଛି ତାର ମାଲିକ, ଆଉ ବଦଳି ଯାଇଛି ନାମଫଳକ। କାହାର ନାଁ ଲେଖିଲେ ସେମାନେ! ବଡ଼ର…ସାନର…ନା ସୁରମାଙ୍କର! ଯାହାର ଲେଖନ୍ତୁ, ମୋର ସେଥିରେ କି ଯାଏ ଆସେ! କି ଫରକ ପଡ଼ିଯିବ ସେଥିରେ! ଭଲ ପାଇବାର କୋଉ ସେତୁଟା ବାନ୍ଧି ହୋଇଯିବ ସେମାନଙ୍କ ସହିତ ମୋର!
ଏତେସବୁ କହିବା ପରେ ବି କେଉଁ ମୋହରେ ପଡ଼ି ଜଣାନାହିଁ ମୁଖ୍ୟ ଦରଜାର ସେପଟ କାନ୍ଥକୁ ଚାହିଁଦେଲି ମୁଁ ଆରେ ଇଏ କ’ଣ? ସନ୍ଧ୍ୟାବେଳେ ବଡ଼ ନାତିଟା ଯୋଉଠୁ ପୁରୁଣା ନାମଫଳକ ଭିଡ଼ିଆଣିଥିଲା, ସେଠି ଲଗାହୋଇ ଯାଇଛି ନୂଆ ଚକ୍ଚକ୍ କରୁଥିବା ନାମଫଳକଟେ, ଯାହା ମତେ ବି ଜଣା ନଥିଲା, କିନ୍ତୁ ସେଥିରେ ଲେଖାହେଇଛି ମୋର ନାଁ! ମୋର ନାଁ? ହଁ, ମୋର ହିଁ ନାଁ, ଯାହାର ସାମାନ୍ୟ ଆଶା ବି ମୋର ନଲା।
ତାହାହେଲେ ପୁରୁଣାଟା କାଢ଼ୁଥିଲେ କାହିଁକି? ପାଖକୁ ଦଉଡ଼ିଗଲି ମୁଁ । ଓଃ, ଆଗରୁ ମୋ ନାଁ ପୂର୍ବରୁ ଯେଉଁ ଶ୍ରୀ ଲେଖା ଯାଇଥିଲା ସେଠି ଏବେ ସ୍ବର୍ଗତ ଲେଖିଛନ୍ତି । କେବଳ ଏତିକି ପାଇଁ ଏତେ ପରିଶ୍ରମ, ଏତେ ଖର୍ଚ୍ଚ! ତା ମାନେ… ତା ମାନେ ଏ ଘର ଏବେ ବି ମୋର ଅଛି! କେହି ଭୁଲିନାହିଁ ମୋ ଅବଦାନକୁ!
କୁଣ୍ଢେଇ ପକେଇଲି ସେ ନାମଫଳକକୁ। ଏତେ ଭଲ ପାଇବା ମୋ ପ୍ରତି! ଏତେ ଭାବପ୍ରବଣତା! ଆଖିରୁ ମୋର ଧାର ଧାର ଲୁହ ଗଡ଼ି ଯାଉଥିଲା, ହେଲେ ମୁଁ କାନ୍ଦୁ ନ ଥିଲି, ବରଂ ଆକାଶକୁ ଚାହିଁ ପ୍ରାର୍ଥନା କରୁଥିଲି, ମୋ ନିଜ ପାଇଁ ନୁହେଁ… ମୋ ପିଲାମାନଙ୍କ ପାଇଁ। ସୁରମାଙ୍କ ପାଇଁ ଆଉ ସାରା ଜଗତପାଇଁ… ଶେଷରେ ଏ ନୂଆ ନାମଫଳକଟା ପାଇଁ।
(କମଳା ଶତପଥି)
କମଳା ଶତପଥିଓଡ଼ିଶା ବାହାରେ ରହୁଥିବା ଲେଖିକା ଏବଂ ସୁଗୃହିଣୀ। କମଳା ଶତପଥି ଏକାଧାରରେ ଜଣେ ଗାଳ୍ପିକା, ଔପନ୍ୟାସିକା, ଅନୁବାଦିକା, ଶିଶୁ ସାହିତ୍ୟିକ ଓ କବି। ତାଙ୍କର ପ୍ରକାଶିତ ଗଳ୍ପ ସଙ୍କଳନ ମଧ୍ୟରେ ‘ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗ’, ‘ପୂର୍ଣ୍ଣଛେଦ ପରର କାହାଣୀ’ ଇତ୍ୟାଦି। ତାଙ୍କ ରଚିତ କବିତା ସଙ୍କଳନ ମଧ୍ୟରେ ରହିଛି ‘ଶେଷ ଫଗୁଣ’, ‘ଫଗୁଣ ହଜିଗଲା ପରେ’ ଉପନ୍ୟାସ ସହିତ ଅନେକ ପୁସ୍ତକ। ଶ୍ରୀମତୀ ଶତପଥି ଓଡ଼ିଶା ଲେଖିକା ସଂସଦ ପୁରସ୍କାର ସହିତ ଓଡ଼ିଶା ଓ ମହାରାଷ୍ଟ୍ରରେ ମଧ୍ୟ ଏକାଧିକ ପୁରସ୍କାର ଓ ସମ୍ମାନରେ ସମ୍ମାନୀତ ହୋଇଛନ୍ତି। ସେ ତାଙ୍କର ଲେଖାର ନିଆରାପଣ ପାଇଁ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି।